spot_img
Home Blog Page 5361

ଅନ୍ୟ ଜାତିରେ ବିବାହ କଲେ ବୋଲି ୨୫ଲକ୍ଷ ୬୦ହଜାର ଜରିମାନା କଲେ ଗ୍ରାମବାସୀ

କେନ୍ଦୁଝର: ଅନ୍ୟ ଜାତିରେ ବିବାହ କରିବା ପଡିଲା ମହଙ୍ଗା । ଆଦିବାସୀ ଯୁବକଙ୍କୁ ୨୫ଲକ୍ଷ ୬୦ହଜାର ଜୋରିମାନା କଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନିଆଳିଝରଣ ଗାଁରେ । ଆଦିବାସୀ ଯୁବକ ମହେଶ୍ୱର ବାସ୍କେ ନିକଟସ୍ଥ ନାଗାଡାହି ଗାଁର ସୋମବାରୀକୁ ୬ମାସ ତଳେ ବିବାହ କରିଥିଲେ । ସୋମବାରି ଅନ୍ୟ ଜାତିର ହୋଇଥିବାରୁ ବାହାଘର ପରେ ଉଭୟ ବାହାରେ ରହୁଥିଲେ ।

କରୋନା ପାଇଁ କାମଧନ୍ଦା ବନ୍ଦ ହେବା ପରେ ଗାଁକୁ ଫେରିଥିଲେ ଦୁହେଁ । ତେବେ ଗ୍ରାମବାସୀ ସେମାନଙ୍କୁ ଗାଁରେ ପୁରାଇ ନଦେବା ସହିତ ଗ୍ରାମସଭା ବସାଇ ପରିବାରକୁ ନିଆଁ ପାଣି ବାସନ୍ଦ କରିଛନ୍ତି । ଏହା ସହିତ ୨୫ଲକ୍ଷ ୬୦ହଜାର ଟଙ୍କା ଜୋରିମାନା କରିଛନ୍ତି । ଯାହାକୁ ଭରଣା କରିବାକୁ ମହେଶ୍ୱର ସକ୍ଷମ ହୋଇନଥିବା ବେଳେ ବାଧ୍ୟ ହୋଇ ନିଜ ସ୍ତ୍ରୀ ଓ ମାଆଙ୍କ ସହ ମାମୁଁ ଘରେ ରହିଛନ୍ତି । ଏନେଇ ଘସିପୁରା ଥାନାର ଏକ ଲିଖିତ ଅଭିଯୋଗ ହୋଇଛି ।

ନିମାପଡ଼ା ବିଜେଡ଼ିରେ ମିଶ୍ରଣ ପର୍ବ, ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଶତାଧିକ କର୍ମୀ

ନିମାପଡ଼ା: ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ମିଶ୍ରଣ ପର୍ବ । ଶତାଧିକ ବିଜେପି ନେତା ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି  । ହରିପୁର ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଦଗେଇଥିଲେ  । ସେପଟେ ସମୀର ଦାସଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବିଜେପି ଶତାଧିକ କର୍ମୀ ।

ସ୍ଥାନୀୟ ବିଜେୋପି ନେତା ଦିଲ୍ଲିପ କୁମାର ସାହୁଙ୍କ ନେତୃତ୍ୱରେ ସାଇ କଲ୍ୟାଣ ମଣ୍ଡପ ଠାରେ ବହୁ ବିଜେପି ନେତା ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଲୋକାଭିମୁଖୀ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଆଜିର କାର୍ଯ୍ୟକ୍ରମର ବ୍ଲକ ବିଜେଡି ସଭାପତି ଅଶୋକ କୁମାର ସାହୁ ଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା ବେଳେ ବହୁ ବିଜେଡି କର୍ମକର୍ତା ଉପସ୍ଥିତ ଥିଲେ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜେଡ଼ିର ଏହି ମିଶ୍ରଣ ପର୍ବ ଦଳକୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି ବିଧାୟକ ସମୀର ରଞ୍ଜନ ଦାଶ  । ସେହିପରି ସ୍ଥାନୀୟ ଦୁଇ ନେତାଙ୍କ ସହ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦାନ କରିଥିବା କର୍ମୀଙ୍କ କାର୍ଯ୍ୟ  ପଞ୍ଚାୟତ ନିର୍ବାଚନ ସହ ୧୮ ନମ୍ବର ଜିଲ୍ଲା ପରିଷଦ ଜୋନକୁ ମଧ୍ୟ  ବିଜୟ ହାସଲରେ ସହାୟକ ହେବ ବୋଲି ମଧ୍ୟ ମତ ପ୍ରକାଶ କରିଛନ୍ତି  ।

 

ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ

ଭୁବନେଶ୍ୱର: ଅଗଷ୍ଟ ପାଇଁ ଲାଗୁ ହୋଇଛି ଗାଇଡଲାଇନ୍ । ସ୍କୁଲ ଖୋଲିବା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇ ପାରିବ । ଦ୍ବାଦଶ ଓ ଦଶମ ଶ୍ରେଣୀ ପାଇଁ ସ୍କୁଲ ଖୋଲା ସରିଛି । ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ପାଠ ପଢା ଜାରି ରହିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାଶ ।

ସେହିପରି ବର୍ତ୍ତମାନ ଏକାଦଶ ନାମଲେଖା ହୋଇନାହିଁ, ତେଣୁ ପ୍ରଥମ ବର୍ଷ ଖୋଲିବା କଥା ଏବେ ନିଷ୍ପତି ହୋଇନାହିଁ  ।  ପ୍ରଥମରୁ ଅଷ୍ଟମ ନେଇ ବିଭାଗ ତର୍ଜମା କରି ନିଷ୍ପତ୍ତି ନେବ । ପିଲାମାନଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଲୋଚନା କରିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

 

ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବ ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ ସଫଳତା । ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଛି ଭାରତ । ସାମୁଦ୍ରିକ ନିରାପତ୍ତା, ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେପଟେ ଚୀନ, ଆଫଗାନିସ୍ତାନ ଓ ପାକିସ୍ତାନକୁ ଲାଗିଛି ବଡ଼ ଝଟକା । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି କହିଛନ୍ତି- ନିରାପତ୍ତା ପରିଷଦରେ ଭାରତର ଅଧ୍ୟକ୍ଷତା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଭାରତ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ନିରାପତ୍ତା ପରିଷଦରେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଶକ୍ତିଶାଳୀ ୧୫ଟି ରାଷ୍ଟ୍ରକୁ ନେଇ ଗଠିତ ଜାତିସଂଘର ଅଧ୍ୟକ୍ଷ ଦାୟିତ୍ୱ ନେବା ପ୍ରଥମ । ତିରୁମୂର୍ତ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ଦୁଇ ବର୍ଷ ଲାଗି ମନୋନୀତ ହୋଇଛି । ଗତ ଜାନୁଆରୀ ୧ରୁ ଭାରତ ଏହି ସଦସ୍ୟତା ଲାଭ କରିଛି । ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ଭାରତ ପ୍ରଥମ ଥର ଲାଗି ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି । ଆସନ୍ତାବର୍ଷ ଡିସେମ୍ବରରେ ଭାରତ ପୁଣି ନିରାପତ୍ତା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବ । ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଆଫଗାନିସ୍ତାନରେ ଅସ୍ଥିରତା ପରିପ୍ରେକ୍ଷୀରେ ଭାରତର ଅଧ୍ୟକ୍ଷତା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେଉଛି । ଜାତିସଂଘ ନିରାପତ୍ତା ପରିଷଦରେ ଚୀନ, ଫ୍ରାନସ, ରୁଷ, ବ୍ରିଟେନ ଓ ଆମେରିକା ଅଛନ୍ତି ସ୍ଥାୟୀ ସଦସ୍ୟ । ସେପଟେ ଭାରତ, ଏସ୍ତୋନିଆ, ଆୟାରଲ୍ୟାଣ୍ଡ, କେନିଆ, ମେକ୍ସିକୋ, ନାଇଜର, ନରଓ୍ୱେ, ସେଣ୍ଟ ଭିନସେଣ୍ଟ, ଟ୍ୟୁନିସିଆ, ଭିଏତନାମ ଆଦି ରାଷ୍ଟ୍ର ସମେତ ୧୫ ରାଷ୍ଟ୍ର ଅଛନ୍ତି ଅସ୍ଥାୟୀ ସଦସ୍ୟ ।

ହାର୍ଡକୋର ମାଓବାଦୀ ସୁର୍ଜନର ଆତ୍ମ ସମର୍ପଣ: ୧୩ ବର୍ଷ ବୟସରେ ମାଓବାଦୀଙ୍କ ସଂସ୍ପର୍ଶରେ ଆସିଥିଲେ

ବଲାଙ୍ଗୀର: ମାଓ ଦମନରେ ବଲାଙ୍ଗୀର ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପରେ ପ୍ରଭାବିତ ହୋଇ ଆଜି ଜଣେ କୋରାପୁଟ-କଳାହାଣ୍ଡି-ବଲାଙ୍ଗୀର-ନୂଆପଡା(କେକେବିଏନ) ଡିଭିଜନର ହାର୍ଡକୋର ମାଓବାଦୀ ସୁର୍ଜନ ଓରଫ ଅମିତ ଆଇତୁ କୋରସା ନାମକ ସିପିଆଇ ମାଓବାଦୀ ବଲାଙ୍ଗୀର ଏସପିଙ୍କ ଠାରେ ଆତ୍ମ ସମର୍ପଣ କରିଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଆଇଜି ଡ଼ ଦୀପକ କୁମାର ସୂଚନା ଦେଇଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓବାଦୀ ସୁର୍ଜନର ଛତିଶଗଡ଼ର ବିଜାପୁର ଜିଲାର ମନକେଳି ଗାଁରେ । ୧୩ବର୍ଷ ବୟସରୁ ସେ ମାଓ ନେତା ଦିନେଶ ଦ୍ୱାରା ପ୍ରଭାବିତ ହୋଇ ୨୦୧୨ ମସିହାରେ ଯୋଗ ଦେଇଥିଲେ । ତା’ ପୂର୍ବରୁ ସୁର୍ଜନ ଗାଁରେ ବାଳ ସଂଗଠନ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ପିଲା ଦିନରୁ ଦିନେଶ ତାଙ୍କୁ କ୍ରାନ୍ତିକାରୀ ମାଓ ଆଦର୍ଶ ବିଷୟରେ ଶିକ୍ଷା ଦେଇଥିଲା । ମାଓ ନେତା ଦିନେଶ ନିଜେ ୧୦ଦିନ ଧରି ମାଓ ତାଲିମ ଦେଇଥିଲା । ୨୦୧୩ ମସିହାରେ ସୁର୍ଜନକୁ କ୍ୟାଡର ମାଓବାଦୀ ଭାବେ ସୁନାବେଡା ଡିଭିଜନକୁ ପଠାଯାଇଥିଲା ସେଠାରେ ଦୁଇ ମାସ ଯାଏ ରହିଥିଲେ । ସୁର୍ଜନର ସାହାସିକତା ଦେଖି ସେହି ବର୍ଷ ତାକୁ ବିବିଏମ ଡିଭିଜନକୁ ପାଟି ମେମ୍ବର ପଦବୀ ସହ ୧୨ବୋର ରାଇଫଲ ଦେଇ ପଠାଯାଇଥିଲା । ପୁଣି ୨୦୧୬ରେ କେକେବିଏନ ଡିଭିଜନକୁ ସ୍ଥାନାନ୍ତରିତ କରାଯାଇ ହାର୍ଡକୋର ମାଓନେତା ଦାସରୁ ନେତୃତ୍ୱରେ କାର୍ଯ୍ୟ ଆରମ୍ଭ କରିଥିଲା । ୨୦୧୮ରେ ସୁର୍ଜନକୁ କୋଡ଼ଙ୍ଗା ମହାନଦୀ ଏରିଆ କମିଟିରେ ଏ.ସି.ଏମ୍. ପଦବୀ ପାଇଥିଲା । ୧୦ ବର୍ଷ ମାଓ ସଂଗଠନରେ କାର୍ଯ୍ୟ ସମୟରେ ସୁରକ୍ଷା ବାହିନୀ ଉପରେ ଏମ୍. ବୁସ ଆକ୍ରମଣ ସହ ବିଭିନ୍ନ ମାଓ ହିଂସାରେ ସାମିଲ ରହିଛି, ୨୦୧୭ ଗୋଛାପଡ଼ା ଆଇ ଇଡି ବିସ୍ଫୋରଣ ଓ ୨୦୧୯ରେ ଗୁଳି ବିନିମୟରେ ଜଡିତ, ୨୦୧୯ ଫିରିଗିଆ ଥାନା ଅଂଚଳରେ ପୋଲିସ ଇଂନଫର୍ମର ସନ୍ଦେହରେ କୈଳାସ ନାମକ ଜଣେ ବ୍ୟକ୍ତିକୁ ହତ୍ୟା କରିଥିଲା । ୨୦୧୯ ନିର୍ବାଚନ ସମୟରେ ଯାନବାହନ ପୋଡ଼ାଜଳାରେ ସମ୍ପୃକ୍ତି । ୨୦୨୦ ଖାମନଖୋଲରେ ଆଇଇଡି ବିସ୍ଫୋରଣ ଘଟାଇଥିଲା । ୨୦୨୧ ଏପ୍ରିଲ ମାସରେ ଫିରିଙ୍ଗିଆ ଥାନା କୋଡ଼ଙ୍ଗା ଅଂଚଳରେ ସୁରକ୍ଷା ବାହିନୀ ଉପରେ ଗୁଳି ବିନିମୟ କରିଥିଲା ଏବଂ ୭ରୁ ଉର୍ଦ୍ଧ୍ୱ ମାଓହିଂସାରେ ସମ୍ପୃକ୍ତି ରହିଥିଲା ସୁର୍ଜନ । ତେବେ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚେଷ୍ଟା କରୁଥିଲା କିନ୍ତୁ ହାର୍ଡକୋର ମାଓ ନେତା ମାନେ ତାକୁ ଦଳ ଛାଡିବାକୁ ଅନୁମତି ଦେଉନଥିଲେ ଅନିଚ୍ଛା ସତ୍ତ୍ୱେ ହିଂସା ଘଟାଉଥିଲା ବୋଲି କହିଛି ସୁର୍ଜନ । ରାଜ୍ୟ ସରକାରଙ୍କ ଆହ୍ୱାନରେ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଅନେକ ମାଓବାଦୀ ଇଛା ପ୍ରକାଶ କରୁଛନ୍ତି ହେଲେ ଭୟରେ ଛାଡିପାରୁନାହାନ୍ତି ବୋଲି କହିଛି । ମହିଳା ମାଓବାଦୀ ମାନେ କ୍ୟାମ୍ପରେ ଅତ୍ୟାଚାରର ଶିକାର ହେଉଛନ୍ତି ସେ ମଧ୍ୟ ଅନେକ ଥର ନିର୍ଯ୍ୟାତନା ପାଇଛି । ମାଓ ସଂଗଠନ ଆଦିବାସୀ ଲୋକଙ୍କ ବିକାଶ ପାଇଁ କିଛି କରୁନାହାନ୍ତି କେବଳ ନିଜ ସ୍ୱାଥ ପାଇଁ କାମ କରୁଥିବାରୁ ସେ ନିରାଶ ହୋଇ ସେନିଜ ଇଚ୍ଛାରେ ଦଳ ଛାଡିଥିବା ନେଇ ମିଡ଼ିଆକୁ ସୂଚନା ଦେଇଛି । ଅତୀତରେ ଅନେକ କ୍ୟାଡର ମାଓବାଦୀ ଦଳ ଛାଡି ଆତ୍ମ ସମର୍ପଣ କରି ଓଡ଼ିଶା ସରକାରଙ୍କ ଦ୍ୱାରା ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ତେବେ ସେ ଓଡ଼ିଶାରେ ହିଁ ଆତ୍ମ ସମର୍ପଣ କରିବା ପାଇଁ ଇଚ୍ଛା କରିଥିଲା ଓ ବଲାଙ୍ଗୀର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଆଇଜି ଡ଼ ଦୀପକ କୁମାର ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଗିରଫ ପିଏସ୍ ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା

ଗିରଫ ପିଏସ୍ ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର କୁବେର ପିଏସ ବିରଞ୍ଚି ନାରାୟଣ ସାହୁ ଗିରଫ ଘଟଣା । ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ କଲା ଭିଜିଲାନ୍ସ । ଜଣେ ସରକାରୀ ଚାକିରିଆୟାଙ୍କୁ ଟଙ୍କା ନେବା ଓ ରଖିବା ସହଯୋଗ କରିବାରେ ଅଭିଯୋଗରେ ମାମଲା ରୁଜୁ ହୋଇଛି । ବିରଞ୍ଚିଙ୍କ କୋଳଥିଆ ନିକଟରେ ଥିବା ଘରେ ଟଙ୍କା ଡିଲ ନେଇ ଯାଞ୍ଚ କରିବ ଭିଜିଲାନ୍ସ । ଖୁବଶୀଘ୍ର ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଭିଜିଲାନ୍ସ । ଆବଶ୍ୟକ ପଡିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି କରାଯିବ ଅଧିକ ତଦନ୍ତ । ଲାଞ୍ଚ ନେଇ ଏଯାଏଁ କୌଣସି ଆଶାୟୀ ଅଭିଯୋଗ କରିନଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଆର. ପ୍ରକାଶ ।

ଏଥିସହିତ ପଢ଼ନ୍ତୁ: ଜାମିନ ନାମଞ୍ଜୁର ପରେ ଝାରପଡ଼ା ଜେଲ ଗଲେ କୋଟିପତି ପିଏସ ବିରଞ୍ଚି ନାରାୟଣ

ପଥର ଭିଙ୍ଗିଲେ ମିଳିବନି ସରକାରୀ ଚାକିରି, ଦିଆଯିବନାହିଁ ପାସପୋର୍ଟ ଭେରିଫିକେସନ କ୍ଲିୟରାନ୍ସ

ନୂଆଦିଲ୍ଲୀ: ଦେଶଦ୍ରୋହୀଙ୍କୁ ତ୍ରାହୀ ନାହିଁ । ମିଳିବନି ସରକାରୀ ଚାକିରି, ପାସପୋର୍ଟ ଭେରିଫିକେସନ କ୍ଲିୟରାନ୍ସ ବି ଦିଆଯିବନି । ଜାମ୍ମୁ-କାଶ୍ମୀରରେ ଯୁବଗୋଷ୍ଠୀ ପଥର ଫିଙ୍ଗା ଓ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ସଂକ୍ରାନ୍ତ କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ କଡ଼ା ସର୍କୁଲାର ଜାରି କରିଛି ସିଆଇଡି । ଜାମ୍ମୁ-କାଶ୍ମୀରରେ ଦେଶଦ୍ରୋହ କାର୍ଯ୍ୟକଳାପ , ପଥର ଫିଙ୍ଗୁଥିବା ଲୋକଙ୍କ ବିରୋଧରେ ଶକ୍ତ ହେଲା ଆଇନ ।

ସିଆଇଡି ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଏ ନେଇ ସବୁ ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଆଇନ ଶୃଙ୍ଖଳା ଭାଙ୍ଗିବା କାର୍ଯ୍ୟରେ ସମ୍ପୃକ୍ତି ଥିଲେ ସରକାରୀ ଚାକିରି ନ ମିଳିବା ସହ ପାସପୋର୍ଟ ଭେରିଫିକେସନ ବେଳେ କ୍ଲିୟରାନ୍ସ ନଦେବାକୁ ସର୍କୁଲାର ଜାରି କରାଯାଇଛି । ଏଭଳି କାର୍ଯ୍ୟରେ ନିୟୋଜିତ ଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ନିକଟସ୍ଥ ପୋଲିସ ଷ୍ଟେସନ ଡାଏରୀ ଚେକ୍ କରାଯିବ । ଭେରିଫିକେସନ ବେଳେ ସମସ୍ତ ଡିଜିଟାଲ୍ ପ୍ରମାଣ ଏବଂ ପୋଲିସ୍ ରେକର୍ଡକୁ ବିଚାରକୁ ନିଆଯିବ ବୋଲି ସର୍କୁଲାର ଜାରି କରାଯାଇଛି ।

ଡେଲଟା ଭ୍ୟାରିଆଣ୍ଟକୁ ନେଇ ଆମେରିକାରେ ସ୍ଥିତି ସଙ୍ଗୀନ, ଜୁନ୍‌ ଅପେକ୍ଷା ୧୦ଗୁଣା ବଢ଼ିଛି ସଂକ୍ରମଣ

ନୂଆଦିଲ୍ଲୀ: ବଢୁଛି ଡେଲଟାକୁ ନେଇ ଭୟ । ଅଧିକ ସଂକ୍ରମକ ଡେଲଟା ଭ୍ୟାରିଆଣ୍ଟ ପାଇଁ ଆମେରିକାରେ ଭୟଙ୍କର ସ୍ଥିତି । ମୂଳ ଭୂତାଣୁ ଅପେକ୍ଷା ଏହା ଅଧିକ ମାରାତ୍ମକ ହୋଇଥିବା ବେଳେ ଟିକା ନେଇସାରିଥିବା ଲୋକମାନଙ୍କୁ ମଧ୍ୟ ଏହା କ୍ଷତି ପହଞ୍ଚାଉଥିବା ଦେଖାଯାଉଛି । ଯାହାକୁ ନେଇ ଆମେରିକୀୟଙ୍କୁ ସତର୍କ କରାଇଛି ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭନସନ ବା ସିଡିସି ପକ୍ଷରୁ କୁହାଯାଇଛି । ଏବେ ଆମେରିକା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଉପରେ ରହୁଛି । ସମସ୍ତ ସଂକ୍ରମିତ ଡେଲଟା ଭ୍ୟାରିଆଣ୍ଟରେ ଆକ୍ରାନ୍ତ । ସ୍ଥିତି ବିଗୁଡ଼ୁଥିବା ବେଳେ ଏଥିରେ ନିୟନ୍ତ୍ରଣ ପାଇଁ ପୁଣି କଟକଣା ବଢ଼ାଇଛନ୍ତି ଆମେରିକା ସରକାର । ସାରାଦେଶରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏହାସହ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ଉପରେ ଗୁରୁତ୍ବ ଦେଇଛି ସିଡିସି ।

ଆମେରିକାରେ ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୯୭ ପ୍ରତିଶତ ଟିକା ନେଇନାହାନ୍ତି। ଡେଲଟା ଯୋଗୁ ଆମେରିକାରେ ବଢୁଛି ଦୈନିକ ସଂକ୍ରମଣ ମାମଲା । ଜୁନ୍ ଅପେକ୍ଷା ଜୁଲାଇରେ ସଂକ୍ରମିତଙ୍କ ସଂଖ୍ୟା ୧୦ଗୁଣା ବଢ଼ିଛି । ଦିନକୁ ପାଖାପାଖି ୧ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୫୭ଲକ୍ଷ ୪୫ହଜାର ୨୪ ପାର କରିଛି । ଆମେରିକା ସହ ବ୍ରିଟେନ୍‌ ବି ଡେଲ୍‌ଟା ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଛି । ବ୍ରିଟେନର ଦୈନିକ ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ପ୍ରତିଶତ ଡେଲଟା ଭ୍ୟାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି । ଫିଲିପାଇନ୍ସରେ ଡେଲଟା ଡରରେ ୨ସପ୍ତାହ ବଢ଼ାଯାଇଛି ଲକ୍‌ଡାଉନ ଅବଧି । ସେପଟେ ଜାପାନରେ ବି ବଢୁଛି ଡେଲଟା ସଂକ୍ରମିତଙ୍କ ସଂଖ୍ୟା ।

ଚୀନରେ ବି ଡେଲଟାକୁ ନେଇ ହାଇଆଲର୍ଟ । ଖୁବଶୀଘ୍ର ବ୍ୟାପୁଥିବା ଏହି ଭାରିଆଣ୍ଟ ଲକ୍ଷଣ ହୀନ ହୋଇଥିବାରୁ ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି । ଚୀନରେ ଗୋଟିଏ ଦିନରେ ପାଖାପଖି ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରିଦିଆଯାଇଛି ।

ଖୋଲିବ ପେଗାସସ୍‌ ପେଡି, ଆସନ୍ତା ଗୁରୁବାର ଜାସୁସୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖୋଲିବ ପେଗାସସ୍‌ ପେଡି । ଜାସୁସୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତା ଗୁରବାର ମାମଲାର ଶୁଣାଣି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପେଗାସସ୍ ମାମଲାର SIT ଯାଞ୍ଚ କରିବାକୁ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଓ ଶଶି କୁମାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାଛଡ଼ା ବହୁ ଖ୍ୟାତନାମା ଲେଖକ, ଆଇନଜୀବୀ, ଏକାଡେମିକ୍ କାର୍ଯ୍ୟକର୍ତ୍ତାଙ୍କ ସମେତ ୫୦୦ରୁ ଅଧିକ ବ୍ୟକ୍ତି ଏ ନେଇ CJI ଙ୍କୁ ଚିଠିଲେଖି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ସାମାଜିକ କର୍ମୀ ଅରୁଣ ରୟ, ଅଞ୍ଜଳି ଭରଦ୍ବାଜ, କବିତା କ୍ରୀଷ୍ଣନ, ଆଇନଜୀବୀ ବ୍ରିନ୍ଦା ଗ୍ରୋବର ପ୍ରମୁଖ ସିଜେଆଇଙ୍କୁ ଚିଠି ଲେଖିଥିଲେ ।

ତେବେ ପେଗାସସ୍ ସ୍ପାଏୱେର କେହି ଭାରତୀୟ କିଣିଛନ୍ତି କି ନାହିଁ? ଯଦି କିଣିଛନ୍ତି କେତେ ଟଙ୍କାରେ କିଣାଯାଇଛି ? ଏହି ସ୍ପାଏୱେରକୁ ଭାରତରେ କିପରି ଫୋନ୍ ହ୍ୟାକିଂରେ ବ୍ୟବହାର କରାଯାଇଥିଲା ? ସାମ୍ବାଦିକ, ରାଜନେତା, ଆଇନଜୀବୀ ଏପରିକି ସୁପ୍ରିମକୋର୍ଟ ବିଚାରପତିଙ୍କ ଫୋନ୍ ହ୍ୟାକିଂ କରାଯାଇଥିଲା କି ? ଏ ସବୁର ଯାଞ୍ଚ ନିର୍ଦ୍ଦେଶ ଦେବା ସହ ସରକାରଙ୍କୁ ଏହାର ଉତ୍ତର ମାଗିବାକୁ ଚିଠି ଲେଖାଯାଇଥିଲା । ଯାହାର ଶୁଣାଣି ଆସନ୍ତା ଗୁରୁବାର ହେବ । ଏହାକୁ ନେଇ ସୁପ୍ରିମକୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।

ବ୍ୟାସକବିଙ୍କ ହାତଲେଖା ପାଣ୍ଡୁଲିପିଗୁଡ଼ିକର ପ୍ରକାଶନକୁ ଅଣନାତୁଣୀଙ୍କ ବିରୋଧ

କଟକ: ବ୍ୟାସକବି ଫକୀରମୋହନ ସେନାପତିଙ୍କ ଆତ୍ମଜୀବନୀ ପ୍ରକାଶକୁ ନେଇ ବିବାଦ । ଫକୀରମୋହନଙ୍କ ହାତଲେଖା ପାଣ୍ଡୁଲିପି ଗୁଡ଼ିକୁ ପ୍ରକାଶ କରିବା ଦିଗରେ ଉଦ୍ୟମ ଚାଲିଥିବାବେଳେ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି । ଏହାକୁ ବିରୋଧ କରିଛନ୍ତି ଫକୀରମୋହନଙ୍କ ଅଣନାତୁଣୀ ମୀନାକ୍ଷୀ ଦତ୍ତ । ପାଣ୍ଡୁଲିପିଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ନକରାଇବାକୁ ସେ ଦାବି କରିଛନ୍ତି । ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ଓ ରାଷ୍ଟ୍ରୀୟ ଅଭିଲେଖାଗାର ସହ ନିର୍ଦ୍ଦେଶକ ଲଲାଟେନ୍ଦୁ ଦାସମହାପାତ୍ରଙ୍କ ନାଁରେ କୋର୍ଟରେ ମାମଲା ରୁଜୁ କରିଛନ୍ତି । ବ୍ୟାସକବିଙ୍କ ପାଣ୍ଡୁଲିପି କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ଏହା ସର୍ବସାଧାରଣଙ୍କ ସମ୍ପତ୍ତି ବୋଲି ମତ ପ୍ରକାଶ ପାଇଛି । ବ୍ୟାସକବିଙ୍କ ୧୪୦ ବର୍ଷ ତଳର କିଛି ପାଣ୍ଡୁଲିପି ତାଙ୍କ ଅଣନାତୁଣୀ ମୀନାକ୍ଷୀଙ୍କ ନିକଟରେ ରହିଛି । ଏହାର ଅଧିକାଂଶ ଭାଗ ନଷ୍ଟ ହୋଇଗଲାଣି । ଦୀର୍ଘଦିନ ଧରି ଏହା ଉଦ୍ଧାର ଲାଗି ଚେଷ୍ଟା ହେଉଥିଲେ ବି ସମ୍ଭବ ହୋଇପାରିନାହିଁ । ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଜରିଆରେ ସେସବୁର ଡିଜିଟାଲ ସଂରକ୍ଷଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ମୀନାକ୍ଷୀ । ପ୍ରାୟ ୫ ହଜାର ପୃଷ୍ଠାର ଡିଜିଟାଲ୍ ଫାଇଲ୍ ପ୍ରସ୍ତୁତ ହୋଇସାରିଥିଲା। ମାତ୍ର ଏହାକୁ ୱେବସାଇଟ୍‌ରେ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ କରାଇବା ପାଇଁ ମୀନାକ୍ଷୀ ଅନୁମତି ଦେବାକୁ ମନା କରିଦେଇଛନ୍ତି । ତେବେ ଫକୀରମୋହନଙ୍କ ପ୍ରକାଶିତ ଜୀବନୀଠାରୁ ଏସବୁ ଅଲଗା ବୋଲି ଜଣାପଡିଛି । ଫକୀରମୋହନଙ୍କ ମୂଳଲେଖାକୁ ବଦଳାଇ ତାଙ୍କ ପୁଅ ଜୀବନୀ ପ୍ରକାଶ କରିଥିଲେ । ବାସ୍ତବ କଥା ଲୋକଲୋଚନକୁ ଆସିବା ଲାଗି ଉଦ୍ୟମ ହେଉଥିବାବେଳେ ଅଣନାତୁଣୀଙ୍କ ମାନସିକତା ଯୋଗୁ ଏହା ପ୍ରକାଶ ପାଇବାରୁ ବଞ୍ଚିତ ହୋଇଛି । ଆଇନ ଅନୁଯାୟୀ ଫକୀରମୋହନଙ୍କ ପାଣ୍ଡୁଲିପିର କପିରାଇଟ୍‌ ଅବଧି ଶେଷ ହୋଇସାରିଛି। ବ୍ୟକ୍ତିଗତ ମାଲିକାନା ଦାବି ଯୋଗୁ ବ୍ୟାସକବିଙ୍କ ଅପୂର୍ଣ୍ଣ ଆଶା ପୂରଣ ହେବା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏଥିସହିତ ପଢ଼ନ୍ତୁ: କେନ୍ଦ୍ରାପଡ଼ା ରସାବଳିକୁ ଜି.ଆଇ ଟ୍ୟାଗ୍ ମାନ୍ୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବିଜେଡି ସାଂସଦ