spot_img
Home Blog Page 5490

ଏହି ଦେଶରେ ୧୦ଦିନ ପରେ ପୁଣି ବାଧ୍ୟତା ମୂଳକ ହେଲା ମାସ୍କ ପିନ୍ଧିବା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଏକ ପ୍ରକାର ହା ହା କାର ସୃଷ୍ଟି କରିଥିବା ବେଳେ କିଛି ଦିନର ବ୍ୟବଧାନ ପରେ ପୁଣି ଚିନ୍ତାରେ ପକାଇଛି କରୋନା । କରୋନାର ନୂଆ ଭାରିଏଣ୍ଟ ଏବେ ବିଶ୍ୱର ଚିନ୍ତା ବଢାଇଛି । କିଛି ଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକକୁ ହଟାଇଥିବା ବେଳେ ଏବେ ପୁଣି ଦେଶରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି ।  ୧୦ ଦିନ ତଳେ ଦେଶରୁ ମାସ୍କ କଟକଣା ହଟାଇ ଦେଇ ବିଶ୍ୱର ପ୍ରଥମ ମାସ୍କ ଫ୍ରି ଦେଶ ଭାବେ ଦାବି କରୁଥିବା ଇସ୍ରାଇଲରେ ପୁଣି ମାସ୍କ କଟକଣା ଲଗାଯାଇଛି ।

ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା କମି ଆସୁଥିବା ବେଳେ ପୁଣି କରୋନାର ନୂଆ ଡେଲଟା ଭାରିଆଣ୍ଟ ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ଏବେ ବିଶ୍ୱର ୮୫ ଟି ଦେଶରେ କରୋନାର ଏହି ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଲାଣି ।

ଏହି କ୍ରମରେ ଗତ ୧୦ ଦିନ ହେବ ଇସ୍ରାଇଲରେ ଡେଲଟା ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସେଠିକାର ସରକାର ପୁଣି ଦେଶରେ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । ଇସ୍ରାଇଲର ବେନେଟ ସରକାର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରିଛନ୍ତି ।

ବସ୍ତି ମୁକ୍ତ ହେବ ଓଡ଼ିଶା: ୭୦ ହଜାର ପରିବାରକୁ ମିଳିବ ସ୍ଥାୟୀ ଜମି ପଟ୍ଟା

ଭୁବନେଶ୍ୱର: ରାଜ୍ୟରେ ଆଉ ରହିବନି ବସ୍ତି  । ଗଠନ ହେବ ବସ୍ତିମୁକ୍ତ ଓଡ଼ିଶା । ୨୦୨୩ ସୁଦ୍ଧା ସମସ୍ତ ବସ୍ତିରେ ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇଦେଇ ସବୁଜ ସୁନ୍ଦର କରାଯିବ  । ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ଯୋଗାଇବା ସହ ମିଳିବ ମାଲିକାନା ସ୍ୱତ୍ତ୍ୱ । ନଗର ଉନ୍ନୟନ ବିଭାଗ ପାଇଁ ବଜେଟରେ ହୋଇଥିବା ବ୍ୟୟବରାଦର ୨୫ ପ୍ରତିଶତ ବସ୍ତିରେ ଖର୍ଚ୍ଚ କରାଯିବ । ସରକାରଙ୍କ ଏହି ଯୋଜନାକୁ ପୌର ନିର୍ବାଚନ ସହ ବିରୋଧୀ ଯୋଡ଼ିଥିବା ବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ବସ୍ତିବାସିନ୍ଦାଙ୍କ ବିକାଶ ଚାହୁଁନାହାନ୍ତି ବିରୋଧୀ ।

ରାଜ୍ୟ ସରକାରଙ୍କ ବସ୍ତି ପାଇଁ ବଡ଼ ଯୋଜନା  । ହଟିବ ବିପର୍ଯ୍ୟସ୍ତ ପରିମଳର ଚିତ୍ର  । ବିଜୁଳି, ପାଣିର ରହିବନି ଅଭାବ  । ଚକାଚକ ରାସ୍ତା ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନତାରେ ବ୍ୟାପକ ସୁଧାର  । ମହାନଗର ନିଗମ, ପୌରାଂଚଳ ଏବଂ ବିଜ୍ଞାପିତ ଅଂଚଳ ପରିଷଦରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ଏପରି ଯୋଜନା କରିଛନ୍ତି ରାଜ୍ୟ ସରକାର  । ନଗର ଉନ୍ନୟନ ବିଭାଗରେ ବ୍ୟୟ ବରାଦ ହେଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତିରେ ଖର୍ଚ୍ଚ ହେବ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୦୨୩ ସୁଦ୍ଧା ‘ବସ୍ତି’ ଶବ୍ଦ ହଟାଇବାକୁ ସରକାରଙ୍କ ଏ ହେଉଛି ଅଭିନବ ପ୍ରୟାସ  । ଅନ୍ୟ ଜନବସତି ଭଳି ବସ୍ତିରେ ବି ମିଳିବ ସବୁ ପ୍ରକାର ମୌଳିକ ସୁବିଧା । ରାଜ୍ୟର ୨୯୯୨ଟି ବସ୍ତିରେ ରହୁଥିବା ପ୍ରାୟ ୭୦ହଜାର ପରିବାରଙ୍କୁ ମିଳିବ ସ୍ଥାୟୀ ଜମି ପଟ୍ଟା ଓ ମାଲିକାନା ସ୍ବତ୍ତ୍ବ  । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ହେଲେ ସରକାରଙ୍କ ଏପରି ପଦକ୍ଷେପକୁ ବିରୋଧୀ ଭିନ୍ନ ନଜରରେ ଦେଖିଛନ୍ତି । ଏପରି ଏକ ଅଭିନବ ଯୋଜନାକୁ ଆଗାମୀ ପୌର ନିର୍ବାଚନ ସହ ଯୋଡ଼ିଛନ୍ତି । ନିର୍ବାଚନ ବୈତରଣୀ ପାର ହେବାକୁ ସରକାର ଏପରି କହୁଛନ୍ତି ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ହେଲେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ବସ୍ତିବାସିନ୍ଦାଙ୍କ ବିକାଶ ବିରୋଧୀ ଚାହୁଁନାହାନ୍ତି । ସରକାର ଭଲ କାମ କଲେ ଅସହିଷ୍ଣୁ ହୋଇ ବିରୋଧୀ ଏଭଳି ଅଭିଯୋଗ କରୁଛନ୍ତି ବୋଲି ମନ୍ତ୍ରୀ ଜବାବ ରଖିଛନ୍ତି । ଭୁବନେଶ୍ୱର, କଟକ ଭଳି ରାଜ୍ୟର ମହାନଗର ନିଗମ ଓ ପୌରାଂଚଳରେ ବସ୍ତିବାସିନ୍ଦାଙ୍କ ପାଇଁ ବହୁତଳ ଅଟ୍ଟାଳିକା ନିର୍ମାଣ କରାଯାଇ ହସ୍ତାନ୍ତର ହେଲାଣି । ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ସାଙ୍ଗକୁ ବସ୍ତି ଉଚ୍ଛେଦର ଭୟ ହଟାଇ ସ୍ଥାୟୀ ବାସଗୃହର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଆରା ସଚେତନତା

କରୋନା ଟିକା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଆରା ସଚେତନତା

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲାର ଏକ ପ୍ରମୁଖ ଅସ୍ତ୍ର ହେଉଛି ସତର୍କତା, ସଚେତନତା ଓ ଟିକାକରଣ । ଏହା ଦ୍ୱାରା କରୋନାକୁ ବ୍ୟାପିବାରୁ ଅନେକାଂଶରେ ରୋକାଯାଇପାରିବ । ଏବଂ ଗୁରୁତର ସଂକ୍ରମଣର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରୁଛି । ଏଣୁ ଟିକାକରଣ ନେଇ ବେଶ୍ ଗୁରୁତ୍ୱ ଦେଉଛନ୍ତି ସରକାର ଓ ବିଶେଷଜ୍ଞ । ଏ ନେଇ ବିଭିନ୍ନ ସମୟରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।  ଏହି କ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିଆରା ଢଙ୍ଗରେ କରୋନା ଟିକା ନେଇ ସଚେତନ କରାଯାଇଛି । ଟ୍ୱିଟ୍ ମାଧ୍ୟମରେ ଏହି ସଚେତନତା ବାର୍ତ୍ତା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯେଉଁଥିରେ ବର୍ତ୍ତମାନର ଚର୍ଚ୍ଚିତ ଓ୍ୱେବସିରିଜ୍ ଫେମିଲି ମେନ୍-୨ର ଏକ ଦୃଶ୍ୟ ରହିଛି ।  ଯେଉଁଥିରେ ଓ୍ୱେବସିରିଜ୍‌ରେ ଶ୍ରୀକାନ୍ତ ତିଓ୍ୱାରୀ ଭୂମିକାରେ ଅଭିନୟ କରୁଥିବା ମନୋଜ ବାଜପେୟୀ ଅନ୍ୟ ଜଣେ କଳାକାର ଅର୍ଥାତ ଚେଲମ୍ ସାର୍‌ଙ୍କୁ ଟିକାକରଣ ଆବଶ୍ୟକତା ନେଇ ପଚରାଉଥିବା ଉଲ୍ଲେଖ ରହିଛି । ମନୋଜ ବାଜପେୟୀ ଅର୍ଥାତ ଶ୍ରୀକାନ୍ତ ତିଓ୍ୱାରୀ ପଚାରୁଛନ୍ତି ଯେ, ମୁଁ ମାସ୍କ ପରିଧାନ କରୁଛି, ବାରମ୍ୱାର ହାତକୁ ସାନିଟାଇଜ୍ ମଧ୍ୟ କରୁଛି । ଏହା ସତ୍ତ୍ୱେ କ’ଣ ମୋତେ କରୋନା ଟକା ନେବାର ଆବଶ୍ୟକତା ରହିଛି । ଉତ୍ତରରେ ଚେଲମ୍ ସାର୍ କୁହନ୍ତି ଯେ, ହଁ, ଶ୍ରୀକାନ୍ତ କରୋନା ଟିକାର ଉଭୟ ଡୋଜ୍ ନିଅ ଏବଂ ୨ଟି ଯାକ ଟିକା ନେଇ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସମୟ ବ୍ୟବଧାନ ଅନୁଯାୟୀ ନିଅ । ଉଲ୍ଲେଖ ଥାଉ କି, ଏହି ଚର୍ଚ୍ଚିତ ଓ୍ୱେବସିରିଜରେ ମନୋଜ ବାଜପେୟୀ ଜଣେ TASKର ଜଣେ ଗୁଇନ୍ଦା ଏଜେଣ୍ଟ ଭୂମିକାରେ ଅଭିନୟ କରିଥିବା ବେଳେ ଚେଲ୍ଲମ୍ ସାର୍ (ଉଦୟ ଭାନୁ ମହେଶ୍ୱରନ୍ ) ଜଣେ ଅବସରପ୍ରାପ୍ତ ଗୁଇନ୍ଦା ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି । ଯାହାଙ୍କ ପାଖରେ ସବୁ ପ୍ରକାର ତଥ୍ୟ ଥାଏ । ଏଣୁ ଶ୍ରୀକାନ୍ତ ଆବଶ୍ୟକସ୍ଥଳରେ ଚେଲ୍ଲମ୍‌ଙ୍କୁ ପଚାରି ବିଭିନ୍ନ ପ୍ରସଂଗରେ ତଥ୍ୟ ସଂଗ୍ରହ କରନ୍ତି ।

ବୃଦ୍ଧି ହେଲା PAN ସହ ଆଧାର ଲିଙ୍କର ସମୟସୀମା

ନୂଆଦିଲ୍ଲୀ: ପାନ୍ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ସମୟ ସୀମା ୩୦ ଜୁନ୍ ୨୦୨୧ ରୁ ୩୦ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଆପଣ ଯଦି ସମୟସୀମା ମଧ୍ୟରେ PAN ଏବଂ ଆଧାରକୁ ଲିଙ୍କ୍ ନକରନ୍ତି, ତେବେ ପାନ୍ କାର୍ଡ ଅକ୍ଷମ ହୋଇଯିବ। ଲୋକମାନେ ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ ନାହିଁ ତେଣୁ PAN ସଂଯୋଗ କରିବା ନିହାତି ଆବଶ୍ୟକ । ଏହା ବ୍ୟତୀତ ଜରିମାନା ମଧ୍ୟ ଦେବାକୁ ପଡିବ ।

କରୋନା ଚିକିତ୍ସାରେ ଖର୍ଚ୍ଚ କରୁଥିବା ଲୋକ ଟିକସରେ ଛାଡ ପାଇବେ

ଏହାସହ କରୋନା ବିରୋଧରେ ଲଢେଇ ମଧ୍ୟରେ ଅନୁରାଗ ଠାକୁର ଟିକସ ଛାଡ ବିଷୟରେ ଏକ ବଡ ଘୋଷଣା କରିଛନ୍ତି । ସେ ଏହାମଧ୍ୟ କହିଛନ୍ତି ଯେ କରୋନା ଚିକିତ୍ସାରେ ଟଙ୍କା ଖର୍ଚ୍ଚ କରିଥିବା ଲୋକଙ୍କୁ ରିହାତି ଦିଆଯିବ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଯଦି ଜଣେ ନିଯୁକ୍ତିଦାତା ତାଙ୍କ କର୍ମଚାରୀଙ୍କ କୋଭିଡ ଚିକିତ୍ସା ପାଇଁ ଖର୍ଚ୍ଚ କରିଛନ୍ତି, ତେବେ ସେହି କର୍ମଚାରୀଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ । ଯଦି କାହାର ମୃତ୍ୟୁ ପରେ, ନିଯୁକ୍ତିଦାତା ତାଙ୍କ କର୍ମଚାରୀଙ୍କୁ ଅତିରିକ୍ତ ରାଶି ପ୍ରଦାନ କରନ୍ତି, ତେବେ ସେହି ବ୍ୟକ୍ତିଙ୍କ ପାଇଁ ମଧ୍ୟ ଟିକସ ଛାଡ ହେବ ।

ଅର୍ଥମନ୍ତ୍ରୀ କହିଛନ୍ତି, “ଯଦି ବାହାରର ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରେ ଏବଂ ମୃତ୍ୟୁ ପରେ ତାଙ୍କ ପରିବାରକୁ ସାହାଯ୍ୟ କରେ, ତେବେ ସେହି ପରିବାରକୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ କିନ୍ତୁ ଏହି ରାଶିର ସୀମା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି।”

ବହୁମୁଖୀ ସୁବିଧା ଥିବା ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ 5-T ସଚିବଙ୍କୁ ଅନୁରୋଧ

ସୁନ୍ଦରଗଡ଼ ଜିଲ୍ଲାର ୧୩ ଟି ବିଭାଗର ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳି 5-T ସଚିବଙ୍କ ସହ ଆଲୋଚନା କରିଛନ୍ତି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭିସି ମାଧ୍ୟମରେ ଖେଳାଳିମାନେ ଆଲୋଚନା କରିଛନ୍ତି । ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଥିବା ମଲଟି ପର୍ପୋଜ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ 5-T ସଚିବଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ କରୁଥିବା ଓ ରାଉରକେଲା ସହରରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ଖେଳାଳିମାନେ ଖୁସି ପ୍ରକାଶ କରିଛନ୍ତି ।

ଏଥିସହିତ ପଢ଼ନ୍ତି: ଓଡ଼ିଶାରେ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ: ମହାରାଷ୍ଟ୍ରରେ ସର୍ବାଧିକ

ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଦିଗରେ ଓଡ଼ିଶା: ୩ ବର୍ଷ ମଧ୍ୟରେ ପଜିଟିଭ୍ ହାର ୯୦ ପ୍ରତିଶତ ହ୍ରାସ୍

ଭୁବନେଶ୍ୱର: ମାଲେରିଆ ପ୍ରବଣ ରାଜ୍ୟର ବିଷାଦ ଅତିକ୍ରମ କରି ଓଡ଼ିଶା ବର୍ତ୍ତମାନ ମାଲେରିଆ ଶୂନ୍ୟ ରାଜ୍ୟ ଦିଗରେ ଗତ କରିବା ଆରମ୍ଭ କରିଛି । ୨୦୧୬ରୁ ୨୦୧୯ ମସିହା ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ପଜିଟିଭ୍ ହାର ୯୦ ଶତକଡ଼ା କମିଛି । ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୭୭ରୁ ୯କୁ ହ୍ରାସ ପାଇଛି । ୨୦୨୦ ମସିହାରେ ମଧ୍ୟ ଏହି ଧାରା ବଜାୟ ରହିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକର ଆଲୋଚନାରୁ ଏହା ଜଣାପଡ଼ିଛି । ଲୋକସେବା ଭବନର ଡିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମ୍ୟାଲେରିଆ ନିରାକରଣ ସମ୍ୱନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ । ବିଗତ ବର୍ଷମାନଙ୍କରେ ନିଆଯାଇଥିବା ପଦକ୍ଷେପ ଏବଂ ମ୍ୟାଲେରିଆ ସ୍ଥିତି ବିଷୟ ସମୀକ୍ଷା କରି ଚଳିତ ବର୍ଷ ସମ୍ଭାବ୍ୟ ମ୍ୟାଲେରିଆ ସଂକ୍ରମଣ ପ୍ରତିରୋଧ ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ପୁରସ୍କୃତ: ଜାଣନ୍ତୁ କେଉଁ କାରଣରୁ ମିଳିଲା ପୁରସ୍କାର

ମ୍ୟାଲେରିଆ ସ୍ଥିତି ବିଷୟରେ ସଦ୍ୟତମ ତଥ୍ୟ ଉପସ୍ଥାପନ କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର କହିଥିଲେ ଯେ, ୨୦୧୬ ମସିହାରେ ୪.୪୪ ଲକ୍ଷ ମ୍ୟାଲେରିଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଥିଲା । ୭୭ ଜଣ ମ୍ୟାଲେରିଆ ରୋଗରେ ପ୍ରାଣ ହରାଇଥିଲେ । ୨୦୧୯ ମସିହା ବେଳକୁ ପଜିଟିଭ୍ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇ ଯଥାକ୍ରମେ ୩୯ହଜାର ୫୫୬ ଏବଂ ୯ରେ ପହଞ୍ଚିଥଇଲା । ୨୦୨୦ ମସିହାରେ ମଧ୍ୟ ଏହି ହ୍ରାସ ବଜାୟ ରହିଥିଲା । ୨୦୧୮ରୁ ୨୦୧୯ ମସିହା ମଧ୍ୟରେ ସର୍ବଭାରତୀୟ ସଂକ୍ରମଣ ହାର ୧୭% ଭାଗ କମିଥିବା ବେଳେ ଓଡ଼ିଶାରେ ସଂକ୍ରମଣ ହାର ୪୦ପ୍ରତିଶତ ଭାଗ କମିଥିଲା । ସେହିପରି ୨୦୧୬ ମସିହାରେ ବାର୍ଷିକ ପାରାସାଇଟ୍ ହାର ମାତ୍ର ୮ଟି ଜିଲ୍ଲାରେ ୧ରୁ ତଳେ ରହିଥିଲା । ସେହିପରି ୨୦୧୬ ମସିହାରେ ବାର୍ଷିକ  ପାରାସାଇଟ୍ ହାର ମାତ୍ର ୮ଟି ଜିଲ୍ଲାରେ ୧ରୁ ତଳେ ରହିଥିଲା । ୨୦୧୯ ମସିହା ବେଳକୁ ସ୍ଥିତିର ଘାଟି ହେତୁ ଏହି ହାର ୨୩ଟି ଜିଲ୍ଲାରେ ୧ରୁ ତଳେ ରହିଥିଲା । ଏହି ସବୁ ତଥ୍ୟ ଭିତ୍ତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟାଧାରାକୁ ଏକ ଉତ୍ତମ ପ୍ରମାଣିତ ପନ୍ଥା ବେଷ୍ଟ ପ୍ରାକ୍ଟିସ୍ ଭାବେ ମ୍ୟାଲେରିଆ ବିବରଣୀ-୨୦୨୦ରେ ସ୍ଥାନିତ କରିଛନ୍ତି ।

ସୋସିଆଲ ମିଡିଆରେ ଦୁର୍ବ୍ୟବହାର କରି ଗିରଫ ହେଲେ ପାୟଲSo

ମୁମ୍ବାଇ: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି । ତାଙ୍କ ଉପରେ ସୋସାଇଟିର ଚେୟାରମ୍ୟାନଙ୍କୁ ସୋସିଆଲ ମିଡିଆରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଯଦିଓ ପାୟଲ ପରେ ପୋଷ୍ଟକୁ ଡିଲିଟ କରିଦେଇଥିଲେ । ଏହାସହ ପାୟଲ ସୋସାଇଟିର ଲୋକଙ୍କ ସହ ଝଗଡ଼ା କରିବା ସହ ସୋସାଇଟିର ଚେୟାରମ୍ୟାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦର ପୋଲିସ ଗିରଫ କରିଛି । ଜୁନ୍ ୨୦ରେ ହୋଇଥିବା ସୋସାଇଟି ମିଟିଂରେ ପାୟଲ ସଭ୍ୟ ନଥାଇ ବି ସାମିଲ ହୋଇଥିଲେ । ଯେତେବେଳେ ତାଙ୍କୁ ମିଟିଂରେ କହିବାକୁ ମନା କରାଯାଇଥିଲା, ସେତେବେଳେ ସେ ଦୁର୍ବ୍ୟବହାର ଆରମ୍ଭ କରିଥିଲେ। ଏହାସହ ସେ ସୋସାଇଟିରେ ପିଲାମାନଙ୍କ ଖେଳକୁ ନେଇ ଅନେକ ଥର ଝଗଡା ମଧ୍ୟ କରିଛନ୍ତି।

ପୂର୍ବରୁ ଗିରଫ ହୋଇସାଛନ୍ତି ପାୟଲ

ଏହାପୂର୍ବ ଆଉ ଥରେ ମଧ୍ୟ ପାୟଲଙ୍କୁ ଗିରଫ କରାଯାଇଛି । ପାୟଲ ରୋହତଗୀଙ୍କୁ ରାଜସ୍ଥାନର ବୁଣ୍ଡି ପୋଲିସ ଗିରଫ କରିଥିଲା । ଏବଂ ସେହି ସମୟରେ ପାୟଲଙ୍କୁ ଅହମ୍ମଦାବାଦରୁ ଗିରଫ କରାଯାଇଥିଲା । ଏହା ପରେ ପାୟଲ ରାଜସ୍ଥାନ କୋର୍ଟରୁ ଜାମିନ ପାଇଥିଲେ।

ଏହା ଥିଲା କି ?

୨୧ ସେପ୍ଟେମ୍ବର ୨୦୧୯ରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓରେ ପୂର୍ବତନ ସ୍ୱାଧୀନତା ସଂଗ୍ରାମୀ ମୋତିଲାଲ ନେହେରୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଛି। ସାମାଜିକ କର୍ମୀ ତଥା ଯୁବ କଂଗ୍ରେସ ନେତା ଚର୍ମେଶ ଶର୍ମା ପାୟଲ ରୋହତଗିଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ପୁରସ୍କୃତ: ଜାଣନ୍ତୁ କେଉଁ କାରଣରୁ ମିଳିଲା ପୁରସ୍କାର

ଭୁବନେଶ୍ୱର: ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ପୁଣି ଥରେ ଆଗରେ । ଇଣ୍ଡିଆନ ସ୍ମାର୍ଟ ସିଟି -ଆଇଏସସି ଆଓ୍ୱାର୍ଡ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ଜିତିଛି ରାଜଧାନୀ ଭୁବନେଶ୍ୱର । ସହରାଞ୍ଚଳ ଓ ଗୃହ ନିର୍ମାଣ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶରେ ୧୦୦ଟି ସହର ଭାଗ ନେଇଥିଲେ । ତିରୁପତି ପ୍ରଥମ ପୁରସ୍କାର ପାଇଥିବା ବେଳେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । କର୍ଣ୍ଣାଟକର ତୁମାକୁରୁ ତୃତୀୟ ସ୍ଥାନରେ ରହିଛି । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଦୁଇଟି ପ୍ରୋଜେକ୍ଟକୁ ପ୍ରଶଂସା କରାଯାଇଥିଲା । ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ସାମାଜିକ ସ୍ତରରେ ମଧ୍ୟ ଭୁବନେଶ୍ୱର ସ୍ମାର୍ଟସିଟି ଭାବେ ସୃଷ୍ଟି କରିପାରିଛି ନିଜର ପରିଚୟ । ଏଥିସହ ଭୁବନେଶ୍ୱରରେ ମହିଳାଙ୍କ ସୁରକ୍ଷାକୁ ନେଇ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଂଶସା କରାଯାଇଛି । ରାଜଧାନୀରେ ଓ୍ୱାଇ-ଫାଇ ବ୍ୟବସ୍ଥା, ପବ୍ଲିକ ଟ୍ରାନ୍ସପୋର୍ଟ, ଜନକଲ୍ୟାଣ ଯୋଜନା ଭଳି ବିଭିନ୍ନ ବ୍ୟବସ୍ଥା ପାଇଁ ରାଜଧାନୀ ଅନ୍ୟ ସହର ଠାରୁ ସୃଷ୍ଟି କରିପାରିଛି ନିଜର ସ୍ୱତନ୍ତ୍ର ପରିଚୟ ।

https://www.youtube.com/watch?v=GcEsTmFOyWc

୭ ଜିଲ୍ଲାରେ ମେଡିକାଲ ଅକ୍ସିଜେନ୍‌ର ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ନେଇ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅପସରି ଯାଉଥିବା ବେଳେ ଖୁବଶୀଘ୍ର ତୃତୀୟ ପ୍ରବାହ ଆସିବା ନେଇ ଆଶଙ୍କା ରହିଛି । ଏଭଳି ସ୍ଥିତିରେ କରୋନା ମୁକାବିଲା ରାଜ୍ୟ ସରକାର ଜୋରଦାର କରିବା ସହ ସ୍ୱାସ୍ଥ୍ୟ ସୁରକ୍ଷାକୁ ଅଗ୍ରାଧିକାରୀ ଦେଉଛନ୍ତି । ଏହିକ୍ରମରେ ଶୁକ୍ରବାର  ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ୍ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି। ଆଗାମୀ ଦୁଇ ମାସ ମଧ୍ୟରେ ଏହିସବୁ ପ୍ଲାଣ୍ଟରୁ ସେବା ଯୋଗାଇ ଦିଆଯାଇପାରିବ।

      ଅନୁଗୁଳ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଜପତି, ଭବାନୀପାଟଣା ଓ ନୂଆପଡା ଜିଲ୍ଲାରେ ଏ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରତ୍ୟେକ ସଂରକ୍ଷଣ ବ୍ୟବସ୍ଥାରେ ୬ କିଲୋଲିଟର ତରଳ ଅକ୍‌ସିଜେନ ସଂରକ୍ଷଣ ଓ ବଣ୍ଟନ କରାଯାଇପାରିବ । ଏହାସହିତ ମୁଖ୍ୟମନ୍ତ୍ରୀ ଆଠମଲ୍ଲିକ ଉପଖଣ୍ଡ ହସ୍‌ପିଟାଲରେ ଅକ୍ସିଜେନ୍ ପାଇପ ସଂଯୁକ୍ତ କୋଭିଡ ୱାର୍ଡ, ପାଲଲହଡ଼ା ଉପଖଣ୍ଡ ହସ୍‌ପିଟାଲ, ମାଧପୁର ଓ କିଶୋରନଗରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଠାକୁରମୁଣ୍ଡା ଓ ବଇଣ୍ଡାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍‌ସିଜେନ ପାଇପ ସଂଯୁକ୍ତ ଆଇସୋଲେସନ୍‌ ୱାର୍ଡ, ଓ ତା’ ସହିତ ଦେବଗଡ ରାଜମୁଣ୍ଡାସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟୀକା ଭଣ୍ଡାର ଗୃହର ଉଦ୍‌ଘାଟନ କରିଛନ୍ତି ।

            ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ହେଉଛି ସର୍ବାଧିକ ପ୍ରାଥମିକତା । ଜଣେ ବି କୋଭିଡ ରୋଗୀ ଯେପରି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି, ସେ ଦିଗରେ ଆମେ କାମ କରୁଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀମାନଙ୍କୁ ପୁଣିଥରେ ଧନ୍ୟବାଦ ଦେଇଥିଲେ। ସେ ଆହୁରି କହିଛନ୍ତି ଯେ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରୁ ଆମେ ଯେଉଁ ଅଭିଜ୍ଞତା ପାଇଛୁ, ତୃତୀୟ ଲହରର ମୁକାବିଲାରେ ତାହା ଆମ ପାଇଁ ନିଶ୍ଚୟ ସହାୟକ ହେବ। ଏହାସହିତ ଭିତ୍ତିଭୂମି କ୍ଷେତ୍ରରେ ଯେଉଁ କାମ ହେଉଛି, ତାହାଦ୍ୱାରା କୋଭିଡ ବିରୋଧରେ ଆମର ଲଢେଇ ଆହୁରି ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ଉପବାଚସ୍ପତି ରଜନୀକାନ୍ତ ସିଂହ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଢେଙ୍କାନାଳ ସାଂସଦ ମହେଶ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ  ଦକ୍ଷ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।

ଏଣିକି ପ୍ରମାଣ ଅଭାବରୁ ଆଉ ଖସିପାରିବେନି ଅପରାଧୀ: ଫରେନ୍ସିକ୍ ଆସୋସିଏଟ୍‌ମାନଙ୍କୁ ମିଳିଲା ସାଇଣ୍ଟିଫିକ୍ ଟ୍ରେନିଂ

ଭୁବନେଶ୍ୱର: କମିଶନରେଟ ପୋଲିସର ସାଇଣ୍ଟଫିକ୍ ପାଠଶାଳା । ପ୍ରମାଣ ଅଭାବରୁ ଯେପରି କୌଣସି ଅପରାଧୀ ଖସି ନଯିବେ, ଏଥିପାଇଁ ଟୁଇନସିଟିରେ ଫରେନସିକ ଆସୋସିଏଟ୍‌ମାନଙ୍କୁ ପୋଲିସ ସେବା ଭବନରେ ଦିଆଯାଇଛି ସାଇଣ୍ଟିଫିକ୍ ଟ୍ରେନିଂ । ସେପଟେ ଥାନାରେ ପଡିରହିଥିବା ମାମଲା ଗୁଡିକ ୩ ମାସରେ ସମାଧାନ କରିବାକୁ, ସବୁ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ କମିଶନର । ସରିଲା ସାଇଣ୍ଟିଫିକ୍ ପାଠଶାଳା । ଏଥର ଫିଲଡ଼ରେ ପ୍ରାକ୍ଟିକାଲ । ଶେଷ ଦିନରେ ଗୁରୁମନ୍ତ୍ର ଦେଲେ ପୋଲିସ କମିଶନର ଓ ଡ଼ିସିପି । ସାଇନ୍ଟଫିକ ଏକ୍ସପର୍ଟଙ୍କ ଠାରୁ ଟିପ୍ସ ନେଲେ ଫରେନ୍ସିକ ଆସୋସିଏଟ୍ । ଚୋରି ହେଉ ବା ହାଇପ୍ରୋଫାଇଲ ଡକାୟତି । ଦୁଷ୍କର୍ମ ଠୁ ନେଇ ଦୁର୍ଘଟଣା ପର୍ଯ୍ୟନ୍ତ । ଏସବୁ ସ୍ତରରେ ପ୍ରାଥମିକ ତଦନ୍ତ ଉପରେ ନିର୍ଭର କରିଥାଏ ଘଟଣାର ମୋଡ଼ । ଘଟଣାସ୍ଥଳରୁ ପ୍ରମାଣ ଯୋଗାଡ଼ କରିବା ପୋଲିସର ମୁଖ୍ୟ ଦାୟିତ୍ବ । ଅନେକ ସମୟରେ ଏସବୁ ପ୍ରମାଣ ନଷ୍ଟ ଯୋଗୁଁ ଅଭିଯୁକ୍ତ ସହଜରେ ଆଇନ ଜାଲରୁ ଖସିଯିବା ସହ ମାମଲା ଦୁର୍ବଳ ହୋଇଯାଏ । ତେଣୁ ଘଟଣାସ୍ଥଳରୁ କିଭଳି ସୂଚାରରୂପେ ପ୍ରମାଣ ଯୋଗାଡ଼ କରାଯିବ ସେନେଇ ଫରେନସିକ ଅଧିକାରୀ ତାଲିମ ଦେଇଥିଲେ । ଟୁଇନସିଟିର ସବୁ ଥାନାର କନେଷ୍ଟବଳ କିମ୍ବା OAPF କର୍ମଚାରୀଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ । ଏହାସହିତ ପ୍ରତି ଥାନାକୁ ଦିଆଯାଇଛି ଫୋରେନସିକ କିଟ୍ । ଏହା ଆଗାମୀ ଦିନରେ ବଡ଼ ସଫଲତା ଦେବ ବୋଲି କହିଛନ୍ତି ଟ୍ରେନିଂ ନେଇଥିବା କର୍ମଚାରୀ । ସେପେଟେ ଟୁଇନ ସିଟିରେ ବିଭିନ୍ନ ଥାନାରେ ପଡି ରହିଥିବା ମାମଲାର 3 ମାସମଧ୍ୟରେ ତଦନ୍ତ ସାରିବାକୁ ଥାନା ମୁଖିଆଙ୍କୁ ସିପିଙ୍କ ଚେତାବନୀ । ପୁରୁଣା କେସର ରି-ଓପନ୍ କରି କେସ୍ କ୍ଲୋଜ କରିବାକୁ ନିର୍ଦ୍ଦେଶ । କେବଳ ଭୁବନେଶ୍ୱର ୟୁପିଡିରେ ଥାନା ଗୁଡିକରେ ପଡି ରହିଛି ୧୪ ହଜାର ମାମଲା । ଥାନା ଅଧିକାରୀ ବଦଳୁ ଥିବାରୁ ମାମଲା ସମାଧନ ହୋଇପରୁନି । ଭୁବନେଶ୍ୱରରେ ସର୍ବାଧିକ ନୟାପଲ୍ଲୀରେ 1 ହଜାର 459ଟି ମାମଲା ଥିବାବେଳେ ଖଣ୍ଡଗିରିରେ 1 ହଜାହର 207, ମଞ୍ଚେଶ୍ବରରେ 1 ହଜାର 98, ସହୀଦ ନଗରରେ 1 ହଜାର 141 ଚନ୍ଦ୍ରଶେଖରପୁରରେ 1 ହଜାର 92, ଚନ୍ଦକାରେ 1 ହଜାର 92 ମାମଲା ପଡି ରହିଛି । ତମାଣ୍ଡୋ ଥାନାରେ କମ 188 ମମାଲ ଗଡୁଛି।  ଲକଡାଉନ ସମୟରେ ପୁରୁଣା ଅପରାଧ ମାମଲାର ତଦନ୍ତ ସାରିବକୁ ଅଣ୍ଟା ଭିଡିଛି ପୋଲିସ୍ । ବିଶେଷ କରି ଲକଡାଉନ୍ ସମୟରେ ଡିଜିଟାଲ ମାଧ୍ୟମରେ ତଦନ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶାରେ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ: ମହାରାଷ୍ଟ୍ରରେ ସର୍ବାଧିକ