spot_img
Home Blog Page 5507

ଭାଗ ଛିଡିଲାନି ଜଙ୍ଗଲୀ ଜନ୍ତୁ, ମାଂସ ପାଇଁ ମର୍ଡର

ଢେଙ୍କାନାଳ: ମାଂସ ପାଇଁ ବିଭତ୍ସ ହତ୍ୟାକାଣ୍ଡ । ହିନ୍ଦୋଳ ଅଞ୍ଚଳରେ ଘଟିଛି ଏଭଳି ଏକ ଅମାନବୀୟ କାଣ୍ଡ । ରାସୋଳ ଥାନା କଠକୁମ୍ପା ଗାଁରେ ରହୁଥିବା ମାହ୍ଲର ସମ୍ପ୍ରଦାୟର ଦୁଇ ପରିବାର ମଧ୍ୟରେ ହୋଇଥିଲା ଗଣ୍ଡୋଗଳ । ଜଂଗଲୀ ଜନ୍ତୁର ମାଂସ ଭାଗ ବଣ୍ଟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କୁମ୍ଭ ବେହେରା ସମ୍ପର୍କୀୟ ଭାଇକୁ କଟୁରୀରେ ହାଣି ହତ୍ୟା କରିଥିବା ଖବର ଜଣାପଡିଛି  ।

ସେପଟେ କଟୁରୀ ଚୋଟରେ  ଘଟଣା ସ୍ଥଳରେ କୁମ୍ଭ ର ମୃତ୍ୟୁ ହୋଇ ଯାଇଥିବା ବେଳେ ଭୟରେ ଉଭୟ ପରିବାର ଜଙ୍ଗଲ ଭିତରକୁ ପଳେଇ ଯାଇଥିବା ଜଣାପଡିଛି। ଅନ୍ୟପଟେ ହତ୍ୟାକାଣ୍ଡ ବିଷୟରେ ଗ୍ରାମବାସୀ ଖବର ପାଇ ପୋଲିସକୁ ଜଣାଇଥିଲେ  । ପରେ ରାସୋଳ ପୋଲିସ୍ ପ୍ରାୟ ୩ ଘଣ୍ଟା ପରେ ଥାନା ଠାରୁ ୧୦ କିମି ଦୂରରେ ଘଟିଥିବା ହତ୍ୟାକାଣ୍ଡ  ସ୍ଥାନରେ ପହଞ୍ଚିଛି  । ଘଟଣା ବିଷୟରେ ତଦନ୍ତ ମଧ୍ୟ ଚଲାଇଛି ପୋଲିସ  ।

ଅଗଷ୍ଟ ୧୫ ପରେ ହୋଇପାରେ CBSE ଦ୍ୱାଦଶ ଶ୍ରେଣୀର ବିକଳ୍ପ ପରୀକ୍ଷା, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ: ସୋମବାର ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଯେଉଁଥିରେ କୁହାଯାଇଛି ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହୋଇପାରେ । ଏହି ପରୀକ୍ଷା ବିକଳ୍ପ ଅଟେ, ଶିକ୍ଷାର୍ଥୀ ଚାହିଁଲେ ନିଜ ଇଚ୍ଛାରେ ଏଥିରେ ସାମିଲ୍ ହୋଇପାରିବେ । ତେବେ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦାରିତ ମାନଦଣ୍ଡ ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ଘୋଷଣା କରିବ । ଯେଉଁ ଛାତ୍ର ଏଥିରେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ଏହି ପରୀକ୍ଷାରେ ସାମିଲ୍ ହୋଇପାରିବେ । ଏହି ପରୀକ୍ଷାରେ ମିଳିବାକୁ ଥିବା ନମ୍ବର ଚୂଡ଼ାନ୍ତ ମାର୍କ ହେବ ।

CBSE Will Conduct 12th Optional Examinations From 15 August To September 15

ପରୀକ୍ଷା ଦେଲେ କେମିତି ହେବ ମୂଲ୍ୟାୟନ ?

ବୋର୍ଡ ଅନୁସାରେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ୩୦:୩୦:୪୦ ମାନଦଣ୍ଡ ଅନୁଯାୟୀ ଆସିବ । କିନ୍ତୁ ଯେଉଁମାନେ ପରୀକ୍ଷୀ ଦେବେ ସେମାନଙ୍କ ଚୂଡ଼ାନ୍ତ ଫଳ ଲିଖିତ ପରୀକ୍ଷାର ମାର୍କ ଅନୁସାରେ ଆସିବ । ପରୀକ୍ଷାରେ ସାମିଲ୍ ହେବାକୁ ଚାହୁଁଥିବା ଛାତ୍ର ଅନଲାଇନରେ ଆବେଦନ କରିବେ । ଖୁବଶୀଘ୍ର ବୋର୍ଡ ପକ୍ଷରୁ ଅନଲାଇନ୍ ଆବେଦନ ନେଇ ସୂଚନା ଦିଆଯିବ । ଏଥିସହ ଏକ କମିଟି ପରୀକ୍ଷା ଫଳ ନେଇ ଛାତ୍ରଙ୍କ ଅଭିଯୋଗ ଶୁଣିବାକୁ ଏକ କମିଟି ହୋଇଥିବା ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ।

୩୧ ଜୁଲାଇ ସୁଦ୍ଧା ଦ୍ୱାଦଶ ରେଜଲ୍ଟ

ପୂର୍ବରୁ ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ନେଇ ମୂଲ୍ୟାଙ୍କନ ଫର୍ମୁଲା ଘୋଷଣା କରିଥିଲା । ତଦନୁସାରେ, ୩୦ ପ୍ରତିଶତ ମାର୍କ ଦଶମ ଶ୍ରେଣୀ, ଆଉ ୩୦ ପ୍ରତିଶତ ଏକାଦଶ ଶ୍ରେଣୀ ଓ ଆଉ ୪୦ ପ୍ରତିଶତ ପ୍ରି-ବୋର୍ଡ/ଇଣ୍ଟନାଲ ଆସେସମେଣ୍ଟ ଅନୁଯାୟୀ ମିଳିବ । ବୋର୍ଡ ଏହି ଫର୍ମୁଲାରେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଜୁଲାଇ ୩୧ ସୁଦ୍ଧା ଜାରି କରିବ । ଏଥିପାଇଁ ବୋର୍ଡ ଏକ ଆଇଟିସିଷ୍ଟମ ପ୍ରସ୍ତୁତ କରୁଛି । ଏଥିସହ ଏକ ହେଲ୍ପଡେସ୍କ କରାଯାଉଛି । ଯାହା ବିଦ୍ୟାଳୟଗୁଡ଼ିକୁ ରେଜଲ୍ଟ ପ୍ରସ୍ତୁତରେ ସହାୟତା କରିବ ।

ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ରେ ଓଡ଼ିଆ ଝିଅ ମଧୁସ୍ମିତା

ଭୁବନେଶ୍ୱର: ଓଡିଆ ଝିଅଙ୍କୁ ବିଦେଶରେ ବଡ ସଫଳତା । ଦୁବାଇରେ ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ଲାଭ କରିଛନ୍ତି ମଧୁସ୍ମିତା ନାୟକ । ଦୀର୍ଘ ୧୩ ବର୍ଷ ଧରି ୟୁନାଇଟେଡ ଆରବ ଏମିରେଟସରେ ବାସ କରୁଥିବା ମଧୁସ୍ମିତା ଦୁବାଇ ସରକାରଙ୍କ ଅଧୀନରେ ଷ୍ଟ୍ରାଟେଜି ଆଣ୍ଡ ବିଜନେସ ଏକ୍ସଲେନସ ଡିପାର୍ଟମେଣ୍ଟରେ କାର୍ଯ୍ୟ କରିଆସୁଛନ୍ତି । ଦୁବାଇରେ ଗତ ୧୨ ତାରିଖରେ ଅନୁଷ୍ଠିତ ଓମେନ ଲିଡରସିପ୍ ସମିଟରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ବର୍ଷ ମଧ୍ୟ ମଧୁସ୍ମିତା ଇଣ୍ଟରନ୍ୟାସନାଲ ଏଜୁକେସନ ସମିଟ ଆଣ୍ଡ ଆୱାର୍ଡ ଉତ୍ସବରେ ତାଙ୍କୁ ଡିଷ୍ଟିଙ୍ଗୱିସଡ ଲିଡରସିପ ଆୱାର୍ଡ ମିଳିଥିଲା ।

ପୂର୍ବରୁ ସେ ୟୁଏଇର ଡାଇରେକ୍ଟର ଜେନରାଲ ଭାବେ ମନୋନୀତ ହୋଇଥିବା ସହ କମନୱେଲଥ ଏଣ୍ଟରପ୍ରିନ୍ୟୁର୍ସ କ୍ଲବର ଆମ୍ବାସଡର ହୋଇଥିଲେ । ବିଭିନ୍ନ ଉତ୍କର୍ଷତାସମ୍ପନ୍ନ ବ୍ୟାବସାୟିକ ସମିଟ, ଶ୍ରମ ଅଧିକାର ଆକଳନ କ୍ଷେତ୍ରରେ ମଧ୍ୟ ବିଶେଷ ପାରଦର୍ଶିତା ହାସଲ କରିଛନ୍ତି ମଧୁସ୍ମିତା । ସେ ମଧ୍ୟ ଦୁବାଇ ଚାମ୍ବର, ଏନଗେଜ ଦୁବାଇ, ଦୁବାଇ କ୍ବାଲିଟି ଗ୍ରୁପ ଆଦି ସହ ଜଡିତ ଅଛନ୍ତି । ମଧୁସ୍ମିତା ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ ଲାଭ କରିଛନ୍ତି । ଭୁବନେଶ୍ବରରେ ଜନ୍ମିତ ମଧୁସ୍ମିତା ହେଉଛନ୍ତି ଡକ୍ଟର ଚତୁର୍ଭୁଜ ନାୟକ ଓ ବିଦୁଲତା ନାୟକଙ୍କ ସୁକନ୍ୟା ।

ୟୁଟ୍ୟୁବରେ ଆରମ୍ଭ ହୋଇଛି ପାଠପଢା, ଏଣିକି ସବୁ କ୍ଳାସର ହେବ ମାସିକିଆ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂ ପାଠପଢା । ସମୀକ୍ଷା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନିମାପଡାର ଦୁଇଟି ସ୍କୁଲରେ ମନ୍ତ୍ରୀ ବୁଲି ଦେଖିଛନ୍ତି ପାଠପଢା । ଏଣିକି ସବୁ କ୍ଳାସର ହେବ ମାସିକିଆ ପରୀକ୍ଷା । କରୋନା ସମୟର ଅଭିଜ୍ଞତା କୁ ନେଇ ହେବ ନୂଆ ବ୍ୟବସ୍ଥା । ସବୁ ପରୀକ୍ଷାର ଇ-ମୂଲ୍ୟାଙ୍କନ କରାଯିବ । ଇଣ୍ଟରନାଲ୍ ପରୀକ୍ଷା ଫଳର ଡାଟାବେସ୍ ପ୍ରସ୍ତୁତ ହେବ । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବେ । ହ୍ବାଟସପ ଗ୍ରୁପରେ ଡାଉଟ୍‌ କ୍ଳିୟର କରାଯିବ । ଇ ମୂଲାୟନ ଦ୍ବାରା ଛାତ୍ରଛାତ୍ରୀ ମାନେ ନିଜକୁ ପ୍ରସ୍ତୁତ କରିପାରିବେ ।

ପ୍ରତି ତିନି ମାସରେ ଥରେ ଶିକ୍ଷକମାନେ ଅନ୍‌ଲାଇନ୍ ସୁବିଧା ନଥିଲେ ବିଦ୍ୟାର୍ଥୀଙ୍କର ପରୀକ୍ଷା ଅଫ୍‌ଲାଇନ୍‌ରେ କରିବେ । ପରେ ଆସେସମେଣ୍ଟ କରି ହେବ ମାର୍କିଂ । ଏନେଇ ଖୁବ୍‌ଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆସିବ ନୂଆ ଆପ୍ । ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁ ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟରେ ଲାଗୁ ହେବ । ଏପରି ମୂଲ୍ୟାୟନ ନବମରୁ ଦ୍ଵାଦଶ ଛାତ୍ରଛାତ୍ରୀଙ୍କର କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଷଷ୍ଠରୁ ଅଷ୍ଟମ ବିଦ୍ୟାର୍ଥୀଙ୍କର ଏଭଳି ମୂଲ୍ୟାୟନ କରାଯିବ । ଏନେଇ ଖୁବଶୀଘ୍ର ନିୟମାବଳୀ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  ।

ପ୍ରଥମ ଦିନ ୟୁଟ୍ୟୁବ କ୍ଲାସରେ ୮୦ ପ୍ରତିଶତ ପିଲା ଯୋଡି ହୋଇଛନ୍ତି । ବାକି ପିଲା କାହିଁକି କ୍ଲାସ୍ କରିନାହାନ୍ତି କଣ ଅସୁବିଧା ହୋଇଛି ତାହାର ତର୍ଜମା ଚାଲିଛି । ବିଭାଗ ଏ ବିଷୟରେ ତର୍ଜମା କରୁଛି । କିଛି ଛାତ୍ରଛାତ୍ରୀଙ୍କର ମୋବାଇଲ ନାହିଁ, ଆଉ କିଛି ଛାତ୍ରଛାତ୍ରୀଙ୍କର ଇଣ୍ଟରନେଟ ବ୍ୟବସ୍ଥା ନାହିଁ । ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଶିକ୍ଷକ ମାନେ ମୋବାଇଲ ନଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯିବେ । କାଉନସେଲିଂ କରି ଏକାଠି କରିବେ । ସେମାନଙ୍କ ପାଇଁ ନେଟ୍‌ ଆସେସ୍‌ ଥିବା ସ୍ଥାନ ଚିହ୍ନଟ ହେବ । ସେଠି ଶିକ୍ଷକ ପହଞ୍ଚି ପାଠ ପଢାଇବେ । ଇଣ୍ଟରନେଟ ନଥିବା ସ୍ଥାନରେ ପିଲାମାନେ କେମିତି ପଢିବେ ସେନେଇ ଆଲୋଚନା ଚାଲିଛି । ଖୁବଶୀଘ୍ର ସେ ସମସ୍ୟା ସମାଧାନ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ୟୁଜର୍ସଙ୍କୁ ପସନ୍ଦ ଆସୁଛି Battlegrounds Mobile, ୫୦ ଲକ୍ଷରୁ ଅଧିକ ଡାଉନଲୋଡ

ନୂଆଦିଲ୍ଲୀ: Battlegrounds Mobile India ସାରା ଦେଶରେ ଲଞ୍ଚ ହୋଇଛି । ଏହାର ଅର୍ଲି ଭର୍ସନକୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲାଉଡ୍ ମଧ୍ୟ କରିସାରିଲେଣି । ଏସମ୍ପର୍କରେ ଗେମ୍ ଡେଭଲପର କ୍ରାଫଟନ୍ ପକ୍ଷରୁ ଇନ୍-ଗେମ୍ ନୋଟିଫିକେସନ୍ ଜରିଆରେ ସୂଚନା ଦିଆଯାଇଛି ।

ଏହି ଗେମକୁ ଓପନ୍ ବିଟା ଟେଷ୍ଟର ଲାଗି ଜୁନ୍ ୧୭ ତାରିଖରେ ଲଞ୍ଚ କରାଇଥିଲା । ଏହା ପରେ ୧୮ ତାରିଖରେ ଅର୍ଲି ଭର୍ସନକୁ ଲଞ୍ଚ କରାଯାଇଥିଲା । ଗତବର୍ଷ ଭାରତରେ ବ୍ୟାନ୍ ହୋଇଥିବା ପବଜି ମୋବାଇଲର ଭାରତୀୟ ଭର୍ସନ ହେଉଛି  Battlegrounds Mobile India ।

କ୍ରାଫଟନ୍ ପକ୍ଷରୁ ଏହାର ୟୁଜର୍ସ ମାନଙ୍କ ପାଇଁ ଏକ କ୍ଲାସିକ୍ କ୍ରେଟ୍ କୁପନ ରଖାଯାଇଛି । ଗେମ୍ ୫ ମିଲିୟନ୍ ଡାଉନଲୋଡ୍ ହେବା ପରେ ଏହାକୁ ରିୱାର୍ଡ ପରି ଦିଆଯାଉଛି । ଏହାକୁ ନେଇ ଇନ୍-ଗେମ୍ ନୋଟିଫିକେସନ୍ ୟୁଜର୍ସଙ୍କୁ ଦିଆଯାଉଛି । ଏହି କୁପନକୁ ବ୍ୟବହାର କରି କ୍ଲାସିକ୍ କ୍ରେଟକୁ ଓପନ୍ କରିବା ସହ ରେଣ୍ଡମ୍ ରିୱାର୍ଡ ନେଇପାରିବେ ୟୁଜର୍ସ ।

ଆହୁରି ମଧ୍ୟ ଯେଉଁ ୟୁଜର୍ସ ମାନେ ଅର୍ଲି ଏକ୍ସେସ୍ ଫେଜକୁ ଜଏନ୍ କରିଛନ୍ତି ସେମାନଙ୍କୁ ଏକ ସପ୍ଲାଇ କ୍ରେଟ୍ କୁପନ୍, ଦୁଇଟି EXP Cards ଓ ଏକ 2x BP Card ଦିଆଯାଉଛି ।

ରାଜ୍ୟ ସରକାରଙ୍କ ସହ ନୀତି ଆୟୋଗ ଉପଦେଷ୍ଟା ଟିମର ବୈଠକ, ରାଜ୍ୟର ନିଜସ୍ୱ ଯୋଜନା ସାମିଲ ଦାବି

ଭୁବନେଶ୍ୱର: ଓଡ଼ିଶାରେ ନୀତି ଆୟୋଗ ଉପଦେଷ୍ଟା ଟିମ୍ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଚାଲିଛି । SDG ଇଣ୍ଡେକ୍ସ ୨୦୨୦-୨୧ ନେଇ ଆଲୋଚନା ଚାଲିଛି । ରାଜ୍ୟରେ ଅର୍ଥନୈତିକ, ମୌଳିକ, ବ୍ୟାକିଂ, ଶିକ୍ଷା କ୍ଷେତ୍ରରେ କିପରି ଅଭିବୃଦ୍ଧି ହେଉଛି ସେନେଇ ଆଲୋଚନା ହେଉଛି । ରାଜ୍ୟରେ ନାତି ଆୟୋଗର ଉପଦେଷ୍ଟା ଟିମ ପହଁଚିବାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ରାଜ୍ୟ ସରକାରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରଖିଛନ୍ତି ଏହି ଟିମ  । ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି ନୀତି ଆୟୋଗ ଟିମ ।

ନୀତି ଆୟୋଗଙ୍କ ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲ ସର୍ଭେର ରାଜ୍ୟର ନିଜସ୍ବ ଯୋଜନାକୁ ମଧ୍ୟ ସାମିଲ କରାଯାଉ । ଆଜି ନୀତି ଆୟୋଗଙ୍କ ଉପଦେଷ୍ଟା ଟିମ ନିକଟରେ ଏହି ଦାବି ରଖିଛନ୍ତି ରାଜ୍ୟ ସରକାର । ସଷ୍ଟେନେବୁଲ ଡେଭଲେମେଣ୍ଟ ଗୋଲ ମାର୍କିଂ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଏଥିରେ ରାଜ୍ୟର ସବୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ୨୦୧୮ରେ ହୋଇଥିବା ସର୍ଭେରେ ରାଜ୍ୟକୁ ୫୧ ମାର୍କ ମିଳିଥିଲା । ୨୦୨୦ରେ ୬୧ ମାର୍କ ମିଳିଛି । ରାଜ୍ୟର ଅନେକଗୁଡିଏ ନିଜସ୍ବ ଯୋଜନାର ସଫଳତାକୁ ଏସଡିଜି ରିପୋର୍ଟରେ ଗ୍ରହଣ କରାଯାଇନାହିଁ ।

ଏହିସବୁ ଯୋଜନାକୁ ଆଗାମୀ ଦିନରେ ମାର୍କିଂ ଭାବେ ଗ୍ରହଣ କରିବାକୁ ନୀତି ଆୟୋଗ ଉପଦେଷ୍ଟା ଆଶ୍ବାସନା ଦେଇଛନ୍ତି । ଏଥିସହିତ ସଫଳତା ଆଧାରିତ ତଥ୍ୟକୁ ତୃଣମୂଳ ସ୍ତରରୁ ଗ୍ରହଣ କରିବାକୁ ମଧ୍ୟ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ସେହିପରି ନୀତି ଆୟୋଗଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ୭ଟି ୱାର୍କିଂ ଟିମ ଗଠନ କରାଯିବ । ୨୦୩୦ ସୁଦ୍ଧା ଲକ୍ଷ୍ୟ ରଖାଯାଇଥିବା ଟାର୍ଗେଟ ପୂରଣ ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି

୨୩ରୁ ୟୁଏଇ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ୨୩ରୁ ୟୁନାଇଟେଡ ଆରବ ଏମିରେଟସ ଓ ଭାରତ ମଧ୍ୟରେ ବିମାନ ଉଡାଣ। କରୋନା ଭାଇରସ ଯୋଗୁ ବନ୍ଦ ରହିଥିଲା ବିମାନ ଉଡାଣ । କଟକଣା ହଟିବା ପରେ ଦୁଇ ଦେଶ ମଧ୍ୟରେ ଚାଲିବ ବିମାନ ସେବା ।

ଏମିରେଟସ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୩ ତାରିଖରୁ ସାଉଥ ଆଫ୍ରିକା, ନାଇଜେରିଆ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ୟୁଏଇ ଦ୍ବାରା ସ୍ବୀକୃତି ପ୍ରାପ୍ତ ଟିକାର ସମ୍ପୂର୍ଣ୍ଣ ଡୋଜ ନେଇଥିବା ଯାତ୍ରୀମାନେ ହିଁ ଦୁବାଇ ଯାଇପାରିବେ। ଏହା ସହ ଯାତ୍ରୀ ମାନଙ୍କ ପାଇଁ ୪୮ ଘଣ୍ଟା ପୂର୍ବର ନେଗେଟିଭ ଆରଟିପିସିଆର ରିପୋର୍ଟକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। କୋଭିଡ ପୂର୍ବରୁ ୟୁଏଇ ଓ ଭାରତ ମଧ୍ୟରେ ସପ୍ତାହରେ ୩୦୦ରୁ ଅଧିକ ବିମାନ ଯାତାୟତ କରୁଥିଲା । ହେଲେ କରୋନା ସଂକ୍ରମଣ ଯୋଗୁଁ ଗତ ଏପ୍ରିଲରୁ ବିମାନ ସେବା ବନ୍ଦ ରହିଥିଲା ।

ଉଲ୍ଲେଖଯୋଗ୍ୟ, ଭାରତରେ ଏବେ ଦିନକୁ ଦିନ କମୁଛି କରୋନା ଗ୍ରାଫ। ୨୪ ଘଣ୍ଟାରେ ୫୩ ହଜାର ୨୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ମୋଟ୍ ଆକ୍ଟିଭ କେସ୍ ରହିଛି ୭ ଲକ୍ଷ ୨ ହଜାର ୮୮୭। ଦେଶରେ ଏଯାବତ୍ ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ଜଣ ଓ ୩ ଲକ୍ଷ ୮୮ ହଜାର ୧୩୫ ଜଣକ ଜୀବନ ନେଇଛି ଭାଇରସ। ସେହିଭଳି ଟିକାକରଣରେ ସାମିଲ ହୋଇଛନ୍ତି ୨୮ କୋଟି ୩୬ ହଜାର ୮୯୮ ଜଣ।

ବୃହସ୍ପତିଙ୍କ ବକ୍ର ଗତିରେ କମିବ କରୋନା

କରୋନାର ଦ୍ୱିତୀୟ ପ୍ରବାହ ମାଡ଼ରେ ଦେଶର ସ୍ୱାସ୍ଥ୍ୟବସ୍ଥା ଭୁଶୁଡି ପଡିଥିଲା । ଏବେ ଦୈନିକ ସଂକ୍ରମଣ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ଏହାରି ଭିତରେ ତୃତୀୟ ପ୍ରବାହର ଡର ଡରାଇଲାଣି । ଆଉ ମାସକ ମଧ୍ୟରେ ମହାରାଷ୍ଟ୍ରରେ ତୃତୀୟ ପ୍ରବାହ ଆରମ୍ଭ ହେବ ବୋଲି ଆକଳନ କରାଯାଉଛି । ଭୟଙ୍କର ଡେଲ୍ଟା ଭେରିଆଣ୍ଟ୍ ବି ସ୍ଥିତିକୁ ଅଧିକ ଜଟିଳ କରୁଛି । ଏମିତିରେ ଜ୍ୟୋତିଶ ଶାସ୍ତ୍ର କିନ୍ତୁ ଶୁଭ ସୂଚନା ଦେଉଛି । ବୃହସ୍ପତିଙ୍କ ବକ୍ରଗତି କାରଣରୁ ଦେଶରେ ସୁସ୍ଥତା ହାର ବଢିବ ବୋଲି ଜ୍ୟୋତିର୍ବିତ କହୁଛନ୍ତି । ତେବେ ବୃହସ୍ପତିଙ୍କ ବକ୍ର ଗତିର ପ୍ରଭାବ ଆଗାମୀ ସମୟରେ କ’ଣ ରହିବ ତାହା ଜାଣିବା ଆଗରୁ ଆସନ୍ତୁ ଜାଣିନେବା ଗ୍ରହଙ୍କ ବକ୍ର ଗତି କ’ଣ ?
ଭାସ୍କରଚାର୍ଯ୍ୟଙ୍କ ଅନୁସାରେ ଗ୍ରହ ମାନଙ୍କର ଆଠ ପ୍ରକାରର ଗତି ରହିଛି । ଯଥା- ବକ୍ର, ଅନୁବ୍କର, କୁଟୀଳ, ମନ୍ଦ, ମନ୍ଦତର, ସମ, ଶିଘ୍ର, ଶିଘ୍ରତର । ଏହିପରି ଭାବେ ଅଷ୍ଟଗତି ସମ୍ବନ୍ଧରେ ପ୍ରମାଣ ରହିଛି ।
ସେଥି ମଧ୍ୟରୁ ପ୍ରଥମ ତିନୋଟି ଗତିକୁ ବକ୍ରଗତି କୁହାଯାଏ । କାରଣ ଏହି ତିନୋଟି ଗତି ପୃଥିବୀ ଠାରୁ ଯଦି ନିରିକ୍ଷଣ କରାଯାଏ ତେବେ ବିପରିତ ଦିଗରେ ଗତି କଲା ଭଳି ପ୍ରତିୟମାନ ହୋଇଥାଏ । ପ୍ରକୃତ ପକ୍ଷେ ଗ୍ରହମାନେ ବକ୍ରଗତି କରନ୍ତି ନାହିଁ । ଅନ୍ୟ ଗ୍ରହମାନଙ୍କ ଗତି ବା ଚଳନଠାରୁ କିଛି ଗ୍ରହମାନେ ଧିର ବା ମନ୍ଥର ଚଳନ କରିଥାନ୍ତି । ତେଣୁ ଏହାକୁ ବକ୍ରଗତି ବୋଲି କୁହାଯାଏ । ଇଂରାଜିରେ କୁହାଯାଇଛି – “ଷ୍ଟେସେନାରୀ ମୋସନ ଅଫ୍ ଦ ପ୍ଲାନେଟଇଜି ରେଟ୍ରୋଗେଟ୍ ପ୍ଲାନେଟ୍”, ଅର୍ଥାତ୍ ସ୍ଥିର ବା ମନ୍ଥର ଚଳନକୁ ବକ୍ର ଚଳନ କୁହାଯାଏ ।
ସାରାବଳୀ ନାମକ ଜ୍ୟୋତିଷ ଗ୍ରନ୍ଥ ଅନୁସାରେ ଶୁଭଗ୍ରହମାନଙ୍କ ବକ୍ରୀ ଚଳନ ସମୟରେ ବା ବୃହଷ୍ପତି ବିକ୍ରୀ ଚଳନ ସମୟରେ ରାଜଯୋଗ ସମାନ ଶୁଭଫଳ ପ୍ରଦାନ କରିବାର କ୍ଷମତା ରଖିଥାନ୍ତି କାରଣ ଗ୍ରହମାନେ ବକ୍ରି ଚଳନ ସମୟରେ ପୃଥିବୀର ନିକଟତମ ହୋଇଥାନ୍ତି । ଫଳରେ ସେମାନଙ୍କର ଚେଷ୍ଟାବଳ ବା ଫଳ ଦେବାର କ୍ଷମତା ଅଧିକ ହୋଇଥାଏ ।
ବୃହଷ୍ପତି ସେପ୍ଟେମ୍ବର ୧୪ ତାରିଖରୁ ମକର ରାଶିରେ ମଧ୍ୟ ବକ୍ରି ଚଳନ କରିବ ଏବଂ ମକର ରାଶି ବୃହଷ୍ପତି ନିଚ । ପ୍ରମାଣ ରହିଛି ବକ୍ରି ବୃହଷ୍ପତି କୁମ୍ଭ ରାଶିଠାରୁ ମକର ରାଶିରେ ଅଧିକ ଶୁଭଫଳ ପ୍ରଦାନ କରିବେ ।
ମହର୍ଶୀ ଗୌତମଙ୍କ ଅନୁସାରେ ମକର ରାଶିରେ ବୃହଷ୍ପତି ବକ୍ରି ଗତି କରିବା ସମୟରେ ସମାଜରେ ଆରୋଗ୍ୟ ହାର ଅଧିକ ହୋଇଥାଏ । ତତ୍ ସହିତ ଧନଧାନ୍ୟରେ ପୃଥିବୀର ପରିପୂର୍ଣ୍ଣ ହୋଇଥାଏ ।
ଏବା ଆସନ୍ତୁ ଜାଣିବା ବୃହଷ୍ପତିଙ୍କ ବକ୍ର ଗତି କାଳରେ କେଉଁ କେଉଁ ବିଭାଗ ଉପରେ ପ୍ରଭାବ ପଡିଥାଏ । ମସ୍ତ୍ୟ ପୂରାଣ ଅନୁଯାୟୀ ବୃହସ୍ପତି ଜ୍ଞାନ, ଇନଫର୍ମେସନ ଟେକ୍ନୋଲଜି, ମିଡ଼ିଆ,ଶିକ୍ଷ ଆଦିର କାରକ ଅଟନ୍ତି । ବୃହଷ୍ପତି ବକ୍ରି ଚଳନ ସମୟରେ ଆଇନବିଭାଗରେ ବହୁତ ପରିବର୍ତ୍ତନ ଆସିବା ସହିତ ନ୍ୟାୟିକ ପ୍ରକ୍ରିୟାରେ ବହୁତ ଶୁଫଳ ପ୍ରାପ୍ତ କରିବାର ସୁଯୋଗ ସୃଷ୍ଟି ହେବ ।
ସେହିଭଳି ଫଳ ଦିପିକା ଅନୁସାରେ ବୃହସ୍ପତିଙ୍କ ବକ୍ର ଗତି କାଳରେ ସବୁ ପ୍ରକାରର ଉନ୍ନତି ହୋଇଥାଏ । ଆର୍ଥିକ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ମଧ୍ୟ ସକରାତ୍ମକ ପରିବର୍ତ୍ତନ ଆସିଥାଏ ।
କରୋନା କାଳରେ ଟିକା ଓ ସାମାଜିକ ଦୂରତା ହିଁ ଏହି ଭୟଙ୍କର ଭାଇରସଠାରୁ ରକ୍ଷା ପାଇବାର ଉପାୟ । ତେବେ ଏହା ମଧ୍ୟ ସତ ଯେ, ଧର୍ମ ଓ ବିଶ୍ୱାସ ମଧ୍ୟ ମନୋବଳକୁ ଦୃଢ କରିଥାଏ । ତେଣୁ ଏହି ସମୟରେ ସାମାଜିକ ଦୂରତା ବଜାୟ ରଖି ଇଶ୍ୱରଙ୍କ ଉପରେ ବିଶ୍ୱାସ ରଖିବାକୁ ପଡିବ

ବ୍ରିଟେନ୍‌ରେ ଆରମ୍ଭ ହେଲା କରୋନା ଟିକାର ତୃତୀୟ ଡୋଜ୍‌ ଟ୍ରାଏଲ: ଜାଣନ୍ତୁ ଭାରତରେ କେବେ?

ନୂଆଦିଲ୍ଲୀ: ସମ୍ପ୍ରତି ଦେଶର କରୋନା ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକାକରଣ ନେଇ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉ ଛନ୍ତି ସରକାର ଓ ପ୍ରଶାସନ । ଏତେ ବଡ଼ ଜନସଂଖ୍ୟା ବିଶିଷ୍ଟ ଦେଶରେ ସମସ୍ତଙ୍କୁ ଟିକା ଦିଆଯିବା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏଭଳି ସମୟରେ କରୋନା ଭୂତାଣୁର ନୂଆ ନୂଆ ଭ୍ୟାରିଆଣ୍ଟ ଭ୍ୟାକ୍ସି୍‌ନ୍ ପ୍ରଭାବ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି । ଏଣୁ କରୋନା ଟିକାର ତୃତୀୟ ଡୋଜର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ । ବ୍ରିଟେନ୍‌ରେ ଏ ନେଇ ଟ୍ରାଏଲ୍ ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ଆସନ୍ତୁ ଜାଣିବା କେମିତି ଚାଲିଛି  ଟ୍ରାଏଲ ଓ କେବେ ଭାରତରେ ଆରମ୍ଭ ହେବ ତୃତୀୟ ଡୋଜ୍ ଟିକାକରଣ ।

ପୁଣି ବ୍ରିଟେନ୍ରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ୯ହଜାରରେ ପହଞ୍ଚିଛି ଦୈନିକ ସଂକ୍ରମିତ ସଂଖ୍ୟା । ଯାହା ଗତ ଫେବ୍ରୁଆରୀ ମାସରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟାଠୁ ଅଧିକ । ଏଭଳି କି ମେଡିକାଲରେ ଭର୍ତ୍ତି ହୋଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ତେବେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୯୦ ପ୍ରତିଶତ ଡେଲ୍ଟା ଭ୍ୟାରିଆଣ୍ଟର । ଏଣୁ ଏହା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏହାର ମୁକାବିଲା ଲାଗି କରୋନା କଟକଣାକୁ ଆଉ ୪ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି ବ୍ରିଟେନ୍ ସରକାର । ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ଯୁବକ ରହିଥିବା ବେଳେ ସେମାନେ ପ୍ରଥମ ଡୋଜ୍ ନେଇ ସାରିଛନ୍ତି ଅବା ଆଦୈ ଟିକା ନେଇନାହାନ୍ତି । ଏଣୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟାକ୍ତିଙ୍କୁ ପ୍ରଥମ ଡୋଜ୍ ଟିକାକରଣ ନେଇ ଏକ ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଅପରପକ୍ଷରେ ଆମେରିକାରେ ମଧ୍ୟ ଏହି ଡେଲ୍ଟା ଭ୍ୟାରିଆଣ୍ଟ ମାମଲା ଦେଖିବାକୁ ମିଳିଛି । ପ୍ରାୟ ୧୦ ପ୍ରତିଶତ ସଂକ୍ରମିତଙ୍କ ଠାରେ ଏହି ଭୟଙ୍କର ଭ୍ୟାରିଆଣ୍ଟ ଦେଖିବାକୁ ମିଳିଛି । ଏଭଳି ନୂଆ ନୂଆ ଭ୍ୟାରିଆଣ୍ଟର ମୁକାବିଲା ନେଇ ତୃତୀୟ ଡୋଜ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ବିଶେଷଜ୍ଞ । ବ୍ରିଟେନ ସରକାର ଏ ନେଇ ଟ୍ରାଏଲ ମଧ୍ୟ ଆରମ୍ଭ କରିବା ସହ ଏଥିଲାଗି ୨୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରିଛନ୍ତି । ବ୍ରିଟେନରେ ଚାଲିଥିବା ଏହି ଟ୍ରାଏଲରେ ବର୍ତ୍ତମାନ ୩ଟି ଭ୍ୟାକ୍ସିନକୁ ସାମିଲ କରାଯାଇଛି । ଯେଉଁମାନେ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇସାରିଥିବେ ସେମାନଙ୍କୁ ଏହି ଟ୍ରାଏଲରେ ସାମିଲ କରାଯାଇଛି । ଏବଂ ତୃତୀୟ ଡୋଜ୍ ଦିଆଯିବାର ୪ ସପ୍ତାହ ପରେ ସେମାନଙ୍କ ଆଣ୍ଟିବଡ଼ି ଟେଷ୍ଟ କରାଯିବ । ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଟ୍ରାଏଲ ହୋଇଥିବା ବେଳେ ଏହାର ରେଜଲ୍ଟ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଏବଂ ଏହାର ନିଷ୍କର୍ଷକୁ ଅନ୍ୟ ଦେଶମାନଙ୍କୁ ମଧ୍ୟ ଅବଗତ କରାଯିବ । ତେବେ ଭାରତରେ ଏ ନେଇ କୌଣସି ଟ୍ରାଏଲ ଆରମ୍ଭ ହୋଇନଥିଲେ ମଧ୍ୟ ବ୍ରିଟେନ୍ ଟ୍ରାଏଲର ଫଳାଫଳ ଆଧାରରେ ଖୁବଶୀଘ୍ର ଭାରତରେ ମଧ୍ୟ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

କୋଭିଡ୍‌ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ମାମଲା, କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ

ନୂଆଦିଲ୍ଲୀ: କୋଭିଡରେ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବା ମାମଲାରେ ସୋମବାର ବି ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି । ତେବେ ଏହି କ୍ଷତିପୂଣ ଏବଂ କୋଭିଡ ଡେଥ ସାର୍ଟିଫିକେଟକୁ ନେଇ ଏବେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । କିନ୍ତୁ ଏହି ଡେଥ ସାର୍ଥିଫିକେଟକୁ ନେଇ ଥିବା ଗାଇଡଲାଇନ୍ ସରଳ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ପୂର୍ବରୁ ଦିଆଯାଇଥିବା ସାର୍ଟିଫିକେଟରେ ପରିବର୍ତ୍ତନ କରାଯାଇ ପାରିବକି ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଜବାବ ତିନି ଦିନ ମଧ୍ୟରେ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଗତକାଲି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ଏନେଇ କୋର୍ଟରେ ନିଜର ସତ୍ୟପାଠ ଦାଖଲ କରିଛି କେନ୍ଦ୍ର । ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛି ପିଟିସନ ଦାଖଲକାରୀଙ୍କ ଆଇନଜୀବୀ । ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ କେବେ କେବେ ଆସିଥାଏ । କିନ୍ତୁ କରୋନା ମହାମାରୀର ତାଣ୍ଡବ ଏବେ ଜାରି ରହିଛି ।

କେନ୍ଦ୍ର ଆର୍ଥିକ ଅବସ୍ଥା ଦୁର୍ବଳଥିବା ବାହାନା କରି କାହାକୁ ସହୟତା ଦେବାକୁ ମନା କରିପାରିବ ନାହିଁ ବୋଲି କହିଛନ୍ତି ଆବେଦନକାରୀଙ୍କ ଆଇନଜୀବୀ । ଗତକାଲି କେନ୍ଦ୍ର ସରକାର କୋର୍ଟରେ ନିଜର ସତ୍ୟପାଠରେ ଦର୍ଶଇଥିଲେ ଯେ ଭୟଙ୍କର ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାରରୁ ଅଧିକ ହେଲାଣି । ଆଗାମୀ ଦିନରେ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏଣୁ ସରକାର କ୍ଷତିପୂରଣ ଦେଇପାରିବେ ନାହିଁ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଭୂମିକମ୍ପ, ବନ୍ୟା କ୍ଷେତ୍ରରେ ହିଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି । ମହାମାରୀ କାଳରେ ଗଣମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବାର ଆଇନରେ ବ୍ୟବସ୍ଥା ନାହିଁ । କୋଭିଡ ଯୋଗୁ ପ୍ରାୟ ସମସ୍ତ ରାଜ୍ୟ ଗଭୀର ଆର୍ଥିକ ସଂକଟରେ ରହିଛନ୍ତି । ହଜାର ହଜାର କୋଭିଡ୍ ରୋଗୀଙ୍କ ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ସମ୍ଭବ ନୁହେଁ ।