spot_img
Home Blog Page 5515

ବିଶେଷ ନୀତି ଦିବସରେ ସେବାୟତ, ପୋଲିସ କର୍ମଚାରୀ ଓ ଅଫିସରଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ପୁରୀ: ପାଖେଇ ଆସିଲାଣି ମହାପ୍ରଭୁଙ୍କ ଘୋଷଯାତ୍ରା । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଏକପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଯାତ୍ରା କରିବା ନେଇ ସେବାୟତମାନେ ଉତ୍ସାହିତ ଥିବାବେଳେ ସୁରକ୍ଷା ପାଇଁ ବ୍ୟାରିକେଡ଼ ନିର୍ମାଣ ଆରମ୍ଭ ହୋଇଛି । ୪୮ଘଣ୍ଟା ପୂର୍ବରୁ ସମସ୍ତ ସେବାୟତ, କର୍ମଚାରୀ, ପୋଲିସ ଓ ଅଫିସରମାନଙ୍କ କୋଭିଡ ଆରଟିପିସିଆର ଟେଷ୍ଟ ବାଧ୍ୟତା ମୂଳକ । ସେପଟେ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ୧୪ ନାହାକା ଓ ଭୂଇଁ ନିର୍ମାଣ ଶେଷ ହୋଇଛି ।

ପାଖେଇ ଆସିଲାଣି ମହାପ୍ରଭୁଙ୍କ ଘୋଷଯାତ୍ରା । ବିଶେଷ ନୀତି ଦିବସର ୪୮ ଘଣ୍ଟା ପୂର୍ବରୁ ସବୁ ସେବାୟତ, କର୍ମଚାରୀ, ପୋଲିସ ଓ ଅଫିସରଙ୍କ ହେବ RT-PCR ଟେଷ୍ଟ । ସ୍ନାନ, ଶ୍ରୀଗୁଣ୍ଡିଚା, ବାହୁଡା ଓ ନୀଳାଦ୍ରିବିଜେ ୪ଟି ଯାତ୍ରା ପୂର୍ବରୁ ୪ ଥର ହେବ RT-PCR ଟେଷ୍ଟ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯିବ । ଏହାସହ ରଥ ଟାଣିବାକୁ ଥିବା ସେବକଙ୍କ ଉପରେ ଗୁରୁତ୍ୱ ଦିଆଯିବା ସହ ରଥଯାତ୍ରା ସମୟରେ ମାଇକ୍ରୋ ପ୍ଲାନ ଅନୁଯାୟୀ ମେଡିକାଲ ପୋଷ୍ଟ ଗଠନ କରାଯିବ । ବ୍ୟାପକ ମାତ୍ରାରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନକୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଲ୍ଲାପାଳ, ଏସ୍‌ପି, ଅନ୍ୟାନ୍ୟ ଅଧିକରୀ ଓ ସେବାୟତ ଉପସ୍ଥିତ ଥିଲେ । ସେପଟେ ସ୍ନାନଯାତ୍ରା ପାଇଁ ବଡଦାଣ୍ଡ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବ୍ୟାରିକେଡ଼ ପୋତା ଆରମ୍ଭ ହୋଇଛି । ପ୍ରଶାସନର ନିୟମ ଅନୁସାରେ ସହଯୋଗ କରି ଯାତ୍ରା ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ ।

ସେପଟେ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ଚଳିତ ବର୍ଷ ରଥ ନିର୍ମାଣ ବିଗତ ବର୍ଷ ମାନଙ୍କ ଅପେକ୍ଷା ବେଶ ଆଗୁଆ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ଚାରି ନାହାକା ଉଠି ଛନ୍ଦା ଗୟଳ ମୋଡା କାର୍ଯ୍ୟ ଶେଷ ହୋଇଛି । ୧୪ନାହାକା ଓ ଭୂଇଁ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ରୂପକାର ସେବକ ମାନେ ନାଟ ଗୋଡ଼ରେ ରାହୁ ରୂପ ଅଙ୍କନ କାର୍ଯ୍ୟ ଜାରି ରଖିଛନ୍ତି । ଜୁଲାଇ ୧୨ରେ  ରଥଯାତ୍ରା । ଆସନ୍ତା ୨୪ ତାରିଖରେ ସ୍ନାନଯାତ୍ରା । ଏଥିପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ସେବକ ଓ କର୍ମଚାରୀଙ୍କ ଟିକାକରଣ ଉପରେ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ରକ୍ତ ଅଭାବରୁ ଗୁରୁତର ଥିଲେ ପ୍ରସୂତି: ସୋସିଆଲ ମିଡିଆରେ ଖବର ପାଇଁ ପହଞ୍ଚିଲେ ସ୍ୱେଚ୍ଛାସେବୀ

ମହାକାଶ ବିଜ୍ଞାନ କ୍ଷେତ୍ରରେ କୁନି ଓଡ଼ିଆ ବୈଜ୍ଞାନିକଙ୍କ ସଫଳତା: ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ଓଡ଼ିଆ ଟିମ୍

ଭୁବନେଶ୍ୱର: ଓଡ଼ିଆ କୁନି ବୈଜ୍ଞାନିକଙ୍କୁ ବଡ଼ ସଫଳତା । ନାସା ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଦେଶରୁ ଏକମାତ୍ର ଟିମ୍ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି କୁନି ବୈଜ୍ଞାନିକମାନେ । ପ୍ରତିଯୋଗିତାରେ 73ଟି ଦେଶରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ନିକଟ ଭବିଷ୍ୟତରେ ନାସା ପକ୍ଷରୁ ଲଞ୍ଚ ହେବାକୁ ଥିବା SR-7 ରକେଟରେ ବ୍ୟବହାର ହେବ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ମଡେଲ ।

ମହାକାଶ ବିଜ୍ଞାନ କ୍ଷେତ୍ରରେ କୁନି ଓଡ଼ିଆ ବୈଜ୍ଞାନିକଙ୍କ ସଫଳତା । ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ଓଡ଼ିଆ ଟିମ୍ । SR-7 ରକେଟରେ ବ୍ୟବହାର ହୋଇପାରେ ପିଲାଙ୍କ ପ୍ରକଳ୍ପ । ନାସା ପକ୍ଷରୁ ବିଶ୍ବସ୍ତରରେ ଆୟୋଜିତ ହୋଇଥିଲା ଅନଲାଇନ ପ୍ରତିଯୋଗିତା । ୭୩ଟି ଦେଶରୁ ଏକ ହଜାରରୁ ଅଧିକ ପ୍ରକଳ୍ପ ପ୍ରତିଯୋଗିତାରେ ସ୍ଥାନ ପାଇଥିଲା । ଏଥିରେ ଓଡ଼ିଶାର ନଭୋନ୍ମେଷ ପ୍ରସାର ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ କ୍ୟୁବ୍ସ ଇନ ସ୍ପେସ ବିଷୟକୁ ନେଇ ହୋଇଥିଲା ପ୍ରତିଯୋଗିତା । ଆଗାମୀ ଦିନରେ ନାସା ପକ୍ଷରୁ ଲଞ୍ଚ ହେବାକୁ ଥିବା SR-7 ରୋକେଟରେ କୁନି ଓଡ଼ିଆ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଫାସ୍ଟନର ବା ନଟ ବୋଲଟ ବ୍ୟବହାର ନେଇ ରିସର୍ଚ କରିବ ନାସା । ଦୀର୍ଘ ୪ ମାସ ଧରି ଗବେଷଣା ପରେ ବିଶ୍ଵଦରବାରରେ ପ୍ରଶଂସିତ ହୋଇପାରିଥିବା କହିଛନ୍ତି ନଭନ୍ମେଷ ପ୍ରସାର ପ୍ରତିଷ୍ଠାନର ସିଇଓ ।

୭ ଜଣିଆ କୁନି ବୈଜ୍ଞାନିକଙ୍କ ଟିମରେ ଅଛନ୍ତି ଭୁବନେଶ୍ବରରୁ ୪ଜଣ,  କୋରୋପୁଟ, ସମ୍ବଲପୁର ଓ ଅନୁଗୁଳରୁ ଜଣେ ଲେଖାଏଁ ଛାତ୍ରଛାତ୍ରୀ । ଟିମର ସଦସ୍ୟମାନେ କୋଭିଡ କଟକଣା ସମୟରେ ଅନଲାଇନରେ ଅଧିକ ଗବେଷଣା କରିବାକୁ ସକ୍ଷମ ହୋଇଥିଲେ । ଇସ୍ରୋର ମଙ୍ଗଳ ଜାନ ଉଦ୍ୟମ ବିଫଳ ହେବା ଓ ଏହାର କାରଣ ଜାଣିବା ପରେ ପିଲାଙ୍କ ମନରେ ଅଧିକ ଉତ୍ସାହ ସୃଷ୍ଟି ହୋଇଥିଲା । ୟଙ୍ଗ ଟିମର ଆକାଡେମୀର ଅନଲାଇନ କ୍ଲାସରେ ଯୋଗଦେଇ ପିଲାମାନେ ସ୍ପେସ ରିସର୍ଚ ଉପରେ ଅଧିକ ଗବେଷଣା କରିଥିଲେ । ସାଟେଲାଇଟ ହେଉ କି ରକେଟ, ଅନେକ ସମୟରେ ଫାଷ୍ଟନରରେ ସାମାନ୍ୟ ଭୁଲ ଯୋଗୁଁ ନିରାଶ ହେବାକୁ ପଡିଥାଏ । ସେଥିରେ ସୁଧାର ଆଣିବାକୁ ଏମାନେ ଆଲୁମିନିୟମ ଓ ଷ୍ଟିଲ ଦ୍ୱାରା ଫାଷ୍ଟନର ପ୍ରସ୍ତୁତ କରିଛନ୍ତି ।

ପିଲାଙ୍କ ଭିତରେ ମହାକାଶ ବିଜ୍ଞାନ ଓ ଗବେଷଣା ସହିତ ଏହାର ବ୍ୟବହାରିକ ଜ୍ଞାନର ବିକାଶ ପାଇଁ ନାସା ପକ୍ଷରୁ ପ୍ରତିବର୍ଷ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ପୁର୍ବରୁ ମଧ୍ୟ human exploration ରୋଭର ଚ୍ୟାଲେଞ୍ଜରେ ନଭନ୍ମେଷ ପ୍ରସାର ପ୍ରତିଷ୍ଠାନ ତୃତୀୟ ସ୍ଥାନ ପାଇଥିଲା ।

ନକଲି ଔଷଧ ମିଳିବା ଘଟଣା: ତଦନ୍ତ ପାଇଁ ମୁମ୍ୱାଇ ଗଲା କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ନକଲି ଔଷଧର ମୁମ୍ବାଇ ଲିଙ୍କ । ଅଧିକ ତଦନ୍ତ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ନକଲି ଔଷଧ ଯୋଗାଣକାରୀ ସୁଦୀପ ମୁଖାର୍ଜୀକୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ସେଠାରେ ତନାଘନା କରିବ କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ । ସ୍ୱାଗତ ଏଣ୍ଟରପ୍ରାଇଜର୍ସ ମାଧ୍ୟମରେ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସପ୍ଲାଏ ହେଉଥିଲା ନକଲି ଔଷଧ । ନକଲି କାରବାରରେ ସମ୍ପୃକ୍ତ ହୋଲ୍‌ସେଲର ଶିବ ଜେନାଙ୍କ ସମେତ ଏକାଧିକ ବ୍ୟକ୍ତି । ସିଡିଏ-୬ର ସ୍ୱାଗତ ଏଣ୍ଟରପ୍ରାଇଜର୍ସ ମାଧ୍ୟମରେ କଟକ ସମେତ ରାଜ୍ୟର ବିଭିନ୍ନ ମେଡିସିନ ଷ୍ଟକିଷ୍ଟଙ୍କ ପାଖକୁ ପଠାଯାଉଥିଲା ନକଲି ମେଡିସିନ୍ । ଭାୟା କଟକ ଦେଇ ସାରା ରାଜ୍ୟରେ ମେଲିଥିଲା ନକଲି ନେଟଓ୍ବର୍କ । ଘଟଣା ସାମନାକୁ ଆସିବା ପରେ ଆକ୍ସନ୍‌ ମୋଡ୍‌କୁ ଆସିଛି ରାଜ୍ୟ ମେଡିସିନ୍ ବିକ୍ରେତା ସଂଘ । ରାଜ୍ୟରେ ବିକ୍ରି ହେଉଥିବା ପ୍ରାୟ ୫୦ଟି ମେଡିସିନ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନାଲିଟିକାଲ ରିପୋର୍ଟ ତୁରନ୍ତ ଦେବା ପାଇଁ ନିର୍ଦେଶ ଦିଆଯାଇଛି । ନଚେତ ସମ୍ପୃକ୍ତ ମେଡିସିନ ବିକ୍ରି ହୋଇପାରିବ ନାହିଁ ବୋଲି ସଂଘ ଚେତାବନୀ ଦେଇଛି । ସେପଟେ ମେଡିସିନର ଗୁଣବତ୍ତା ସମ୍ପର୍କରେ ଜାଣିବା ସମ୍ଭବ ନୁହେଁ ବୋଲି ଡାକ୍ତର କହିଛନ୍ତି । କମ୍ପାନୀ ପକ୍ଷରୁ ଏମଆର ମେଡିସିନ ସମ୍ପର୍କରେ ଯାହା କୁହନ୍ତି, ସେହି ଅନୁଯାୟୀ ମେଡିସିନ ପରାମର୍ଶ ଦିଆଯାଏ । ଏଣିକି ଅନାଲିଟିକାଲ ରିପୋର୍ଟ ମଗାଯିବ ବୋଲି ଡାକ୍ତର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରକ୍ତ ଅଭାବରୁ ଗୁରୁତର ଥିଲେ ପ୍ରସୂତି: ସୋସିଆଲ ମିଡିଆରେ ଖବର ପାଇଁ ପହଞ୍ଚିଲେ ସ୍ୱେଚ୍ଛାସେବୀ

ବିଜେପିର ୩୫୦ କର୍ମୀଙ୍କୁ ଗଙ୍ଗାଜଳ ଛିଞ୍ଚି ଦଳରେ ସାମିଲ କଲା ଟିଏମସି

କୋଲକତା: ଦଳ ଡିଆଁ ମାରୁଛନ୍ତି ଅନେକ ବିଜେପି ନେତା । ଏବେ ଆଉ ମୋଦିଙ୍କ ବାର୍ତ୍ତା ନୁହେଁ ଦିଦିଙ୍କ ଡ୍ରାମା ଭଲ ଲାଗୁଛି । ବିଜେପି ଯାଇ ଭୁଲ କରିଛନ୍ତି ଏବଂ ଟିଏମସି ସାମିଲ ହେବାକୁ ଧାରଣା ବସୁଛନ୍ତି ବିଜେପିର ଅନେକ ନେତା ଓ କର୍ମୀ । ପରାଜୟ ପରେ ଏବେ ଘରକୁ ଫେରୁଛନ୍ତି ବିଜେପିର ଅନେକ ନେତା ଓ କର୍ମୀ । ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ନେତାମାନେ ପଶ୍ଚିମବଙ୍ଗ ନିର୍ବାଚନରେ ​​ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମସି) ଘରକୁ ଫେରୁଛନ୍ତି । ବହୁ ସଂଖ୍ୟକ ବିଜେପି କର୍ମୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିରେ ଯୋଗଦେବାକୁ ଚାହୁଁଛନ୍ତି । ତେବେ ଯେଉଁଭଳି ଭାବେ ଏମାନେ ଘରକୁ ଫେରୁଛନ୍ତି ତାହା ଅତ୍ୟନ୍ତ ରୋଚକ ବିଷୟ । ଟିଏମସିରେ ଯୋଗଦେବା ପାଇଁ ଗଙ୍ଗାଜାଲ ଛିଞ୍ଚି ବିଜେପି କର୍ମୀଙ୍କୁ ଶୁଦ୍ଧ କରାଯାଉଛି । ଆଉ ଏହା ପରେ ହିଁ ତାଙ୍କୁ ଟିଏମସିରେ ସାମିଲ କରାଯାଉଛ ।

ସୂଚନା ଅନୁସାରେ, ବଙ୍ଗଳାର ବୀରଭୂମ ଜିଲ୍ଲାର ସେନ୍ଥିୟା ଅଞ୍ଚଳରେ ୩୫୦ ବିଜେପି କର୍ମୀ ଟିଏମସି କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ । ସମସ୍ତ କର୍ମକର୍ତ୍ତା ବିଜେପି ଯାଇ ସେମାନେ ଭୁଲ କରିଛନ୍ତି ବୋଲି ମଧ୍ୟ କହିଛନ୍ତି । ଏବଂ ତାଙ୍କୁ ପୁଣି ଟିଏମସିକୁ ଫେରାଇ ନିଆଯିବା ଉଚିତ୍ ବୋଲି କହିଥିଲେ । ପ୍ରାୟ ୪ ଘଣ୍ଟା ଧରି ବିଜେପି କର୍ମୀମାନେ ଧାରଣା ବସିଥିଲେ ।

ଚାରି ଘଣ୍ଟା ଧରି ଚାଲିଥିବା ଏହି ହାଇ ଭୋଲଟେଜ୍ ଡ୍ରାମା ପରେ, ଟିଏମସି ପଞ୍ଚାୟତିରାଜ ମୁଖ୍ୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପରେ ଗଙ୍ଗାଜାଲ ଛିଞ୍ଚି ସେମାନଙ୍କୁ ଶୁଦ୍ଧ କରିଥିଲେ, ପରେ ସେମାନଙ୍କୁ ପାର୍ଟିର ସଦସ୍ୟତା ଦେଇଥିଲେ । ତେବେ ଏନେଇ ବିଜେପି କର୍ମୀମାନେ ମଧ୍ୟ ଉତ୍ସାହିତ ଥିଲେ। ଏହା କେବଳ ଛୋଟମୋଟ କର୍ମକର୍ତ୍ତାଙ୍କ ପାଇଁ ନଥିଲା, ଦଳର ଅନେକ ଭେଟେରାନ ବିଜେପି ନେତାମାନେ ମଧ୍ୟ ପରାଜୟ ପରେ ଟିଏମସି ରେ ସାମିଲ ହେଉଥିବାର ନଜରକୁ ଆସିଛି ।

ତୃତୀୟ ଲହର ପାଇଁ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ସତର୍କ କରାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଅବହେଳା କାରଣରୁ ଦ୍ୱିତୀୟ ଲହରର ଭୟାବହତା ସତ୍ତ୍ୱେ ସୁଧୁରି ନାହାଁନ୍ତି ଲୋକେ । ଦ୍ୱିତୀୟ ଲହରୀ ଅନେକ ଲୋକଙ୍କ ଜୀବନ ନେଇଥିବା ବେଳେ ସେଥିରୁ ଶିକ୍ଷା ପାଇ ନାହାଁନ୍ତି ଏମାନେ। ପ୍ରତିବନ୍ଧକ ହଟିବା ମାତ୍ରେ ଲୋକମାନେ ବହୁ ସଂଖ୍ୟାରେ ଏକାଠି ହେଉଛନ୍ତି । ଆଶ୍ଚର୍ଯ୍ୟର କଥା, ସେମାନେ ମାସ୍କ ପିନ୍ଧିବାକୁ ମଧ୍ୟ ଚାହୁଁ ନାହାଁନ୍ତି । ତେଣୁ ଏନେଇ ତତ୍ପରତା ଦେଖାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସହର ବଜାରରେ ପ୍ରବଳ ଜନଗହଳି କୋଭିଡ୍-୧୯ ତୃତୀୟ ପ୍ରବାହକୁ ତ୍ବରାନ୍ବିତ କରିବ ବୋଲି ଦିଲ୍ଲୀ ହାଇକୋର୍ଟ ଆଜି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ସତର୍କ କରାଇଛନ୍ତି।

ଲୋକମାନଙ୍କ ଅବହେଳା କାରଣରୁ ଖୁବ ଶିଘ୍ର ଆସିପାରେ ତୃତୀୟ ଲହରୀ । ମାସ୍କ୍‌ ପିନ୍ଧି ନ ଥିବା ଏବଂ କୋଭିଡ୍-୧୯ ନିୟମାବଳି ଅବଜ୍ଞା କରୁଥିବା ସହର ବଜାରର ଫଟୋ ସବୁ ‘ହ୍ବାଟ୍‌ସ୍‌ଆପ୍‌’ରେ ଘୁରି ବୁଲୁଥିବା ଦେଖି ଦିଲ୍ଲୀ ହାଇକୋର୍ଟ ଚିନ୍ତା ବ୍ୟକ୍ତ କରିବା ସହ ତୃତୀୟ ଲହର ପ୍ରଭାବ ଆଶଙ୍କା ପ୍ରତି ଅବଗତ ହୋଇ ସରକାରଙ୍କୁ ନୋଟିସ୍‌ ଦେଇଛନ୍ତି।

ଏନେଇ ଏକ ‘ଷ୍ଟାସଟ୍‌ ରିପୋର୍ଟ’ ଫାଇଲ୍‌ କରିବା ପାଇଁ ଅଦାଲତ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ଦେଇଥିବା ନୋଟିସ୍‌ରେ ପ୍ରକାଶ କରିଛନ୍ତି । ନୋଟିୟ ଅନୁସାରେ ହାଇକୋର୍ଟ କହିଛି ଯେ, କୋଭିଡ୍-୧୯ ମାମଲାକୁ ଅଧିକ ନ ବ୍ୟାପିବାକୁ ଦେବାପାଇଁ ରାଜଧାନୀରେ ଅପେକ୍ଷାକୃତ କଠୋର ପଦକ୍ଷେପର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ ବିଚାରପତି ନବୀନ ଚାୱଲା ଏବଂ ଆଶା ମେନନଙ୍କୁ ନେଇ ଗଠିତ ଅବକାଶ ଖଣ୍ଡପୀଠ ଆହୁରି ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, କୋଭିଡ୍ ନିୟମାବଳିର ଏଭଳି ଉଲ୍ଲଂଘନ ତୃତୀୟ ପ୍ରବାହକୁ ନିମନ୍ତ୍ରଣ କରିବା ସହ ସମାନ । ତେଣୁ କୌଣସି ବି ପରିସ୍ଥିତିରେ ଏମିତି ନ କରାଇଦେବା ଉଚିତ ।

ତେଣୁ ଏସବୁ ପରିସ୍ଥିତିକୁ ଏଡ଼ାଇବା ପାଇଁ କଠୋର କଟକଣା ଲାଗୁ କରିବା, ଦୋକାନୀମାନଙ୍କୁ ସଚେତନ କରିବା ଏବଂ ଏ ବିଷୟରେ ବଜାର ଓ ଉଠାଦୋକାନୀ ସଂଘମାନଙ୍କ ସହ ବୈଠକ କରିବା ପାଇଁ ହାଇକୋର୍ଟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।

୬ ଜଣିଆ ବୈଷୟିକ ବିଶେଷଜ୍ଞ ଦଳ ସହ ବୈଠକ: ପୁରୀ ଗିରଳଠାରେ ନିର୍ମାଣ ହେବ ଅନ୍ତର୍ଜାତୀୟ ବିମାନବନ୍ଦର!

ପୁରୀରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର । ଏନେଇ ଆଜି ଭାରତୀୟ ବିମାନବନ୍ଦର ପ୍ରାଧିକରଣର ଛଅ ଜଣିଆ ବୈଷୟିକ ବିଶେଷଜ୍ଞ ଦଳ ସହ ରାଜ୍ୟ ସରକାରଙ୍କ ବୈଠକ ଶେଷ ହୋଇଛି । ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୂର୍ତ୍ତ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରସ୍ତାବିତ ୪ ଟି ଜମି ମଧ୍ୟରୁ କେଉଁ ଜମିଟି ଆନ୍ତର୍ଜାତିୟ ମାନର ହୋଇଥିବା ବେଳେ ଏହାର ମାନଦଣ୍ଡ ଏୟାରପୋର୍ଟ ପାଇଁ ପ୍ରଯୁଜ୍ୟ ସେ ନେଇ ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ଚିହ୍ନଟ ହୋଇଥିବା ୪ଟି ଜମିର ସ୍ଥିତାବସ୍ଥା ଯାଞ୍ଚ ହୋଇଛି। ଆନ୍ତର୍ଜାତିୟ ବିମାନବନ୍ଦର ମାନଦଣ୍ଡ ଅନୁସାରେ କେଉଁ ଜମି ବିମାନବନ୍ଦର ପାଇଁ ପ୍ରଯୁଜ୍ୟ ତାର ରିପୋର୍ଟ ପ୍ରସ୍ତୁତ କରାଯିବ। ଏନେଇ  ବୈଷୟିକ ଟିମ୍ ସହ ପୁରୀ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ଆନ୍ତର୍ଜାତୀୟ ବିମାନବନ୍ଦର ନେଇ ପୁରୀବାସିଙ୍କ ସ୍ୱପ୍ନ ପୁରଣ ହେବାକୁ ଯାଉଛି। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିସାରିଥିବା ବେଳେ ଗତକାଲି ପୁରୀ ଗସ୍ତରେ ଆସିଛନ୍ତି ଭାରତୀୟ ବିମାନବନ୍ଦର ପ୍ରାଧିକରଣ ବୈଷୟିକ ବିଶେଷଜ୍ଞ ଟିମ୍। ଏଥିରେ ଦୀଲ୍ଲିରୁ ଚାରିଜଣ ରହିଥିବା ବେଳେ ରାଜ୍ୟର ଦୁଇଜଣ ବୈଷୟିକ ବିଶେଷଜ୍ଞ ରହିଛନ୍ତି। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ସିପସରୁବାଲି ଓ ଗିରଳ ମୌଜାର ତିନୋଟି ଅଞ୍ଚଳର ସ୍ଥିତାବସ୍ଥା ଅନୁଧ୍ୟାନ କରିଛନ୍ତି। ଏହି ଦୁଇଦିନିଆ ଗସ୍ତରେ ସେମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ଚାରୋଟି ଅଞ୍ଚଳର ଜମିକୁ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି ।

ରକ୍ତ ଅଭାବରୁ ଗୁରୁତର ଥିଲେ ପ୍ରସୂତି: ସୋସିଆଲ ମିଡିଆରେ ଖବର ପାଇଁ ପହଞ୍ଚିଲେ ସ୍ୱେଚ୍ଛାସେବୀ

କଳାହାଣ୍ଡି: ଜୀବନ ବଞ୍ଚାଇଲା ସୋସିଆଲ ମିଡିଆ । ରକ୍ତ ଅଭାବରୁ ଗୁରୁତର ଥିଲେ ପ୍ରସୂତି । ସୋସିଆଲ ମିଡିଆରେ ଖବର ପାଇ ପହଞ୍ଚିଲେ ଦୁଇ ସ୍ୱେଚ୍ଛାସେବୀ । ରକ୍ତ ଦେଇ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସୂଚନା ଅନୁସାରେ ‘ଓ’ ପଜିଟିଭ ବମ୍ବେ ଫେନୋଟାଇପ୍‌ ଗ୍ରୁପର ରକ୍ତ ଅଭାବ ରହିଥିଲା । ଏନେଇ ଆକ୍ଟିଭିଷ୍ଟ ଅଫ୍‌ କଳାହାଣ୍ଡି ଅର୍ଗାନାଇଜେସନ ରକ୍ତ ଆବଶ୍ୟକତାକୁ ନେଇ ସୋସିଆଲ ମିଡିଆରେ ପ୍ରଚାର କରିଥିଲା । ପରେ ଭୁବନେଶ୍ୱରର କଳିଙ୍ଗ ରକ୍ଷକ ଫାଉଣ୍ଡେସନର ଦୁଇ ଯୁବକ ପହଞ୍ଚି ରକ୍ତ ଦେଇଥିଲେ । ରକ୍ତ ଦେଇଥିବା ଦୁଇ ଯୁବକ ହେଲେ ଦୁର୍ଲଭ ସାହୁ ଓ ମାନସ ରଂଜନ ସାହୁ ।

ଏଥିସହିତ ପଢ଼ନ୍ତୁ: କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା

କରୋନା ମୁକାବିଲା ଦିଗରେ ଆଉ ପାଦେ ଆଗେଇଲା ରାଜ୍ୟ: ଅକ୍ସିଜେନ୍ ପ୍ଳାଣ୍ଟର ଶିଳାନ୍ୟାସ ସହ ICU ଗୃହ ଉଦ୍‌ଘାଟିତ

ଭୁବନେଶ୍ୱର: ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ନୂତନ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ସୁନ୍ଦରଗଡ଼ କୋଭିଡ ଚିକିତ୍ସାଳୟରେ ଟ୍ରୁନାଟ୍ ପରୀକ୍ଷାଗାର, ଝାରସୁଗୁଡ଼ା, ମୟୂରଭଂଜରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି । ଭଦ୍ରକ, ସୁନ୍ଦରଗଡ଼, ପୁରୀ, ଜଗତସିଂହପୁର, ସୋନପୁରରେ ମଧ୍ୟ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୟାଗଡ଼ ଚାନ୍ଦପୁରରେ ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଶିଳାନ୍ୟାସ ସହ ନୟାଗଡରେ ୬ଶଯ୍ୟା ବିଶିଷ୍ଟ ICU ଗୃହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଶିଳାନ୍ୟାସ ହୋଇଥିବା ଏହି ଅକ୍ସିଜେନ ପ୍ଲାଣ୍ଟ ପାଇଁ ବିଭିନ୍ନ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ଆବଶ୍ୟକ ମୁତାବକ ଅକ୍ସିଜେନ ପାଇପାରିବେ । ଏଠାରେ ଦୁଇ ପ୍ରକାର ଅକ୍ସିଜେନ ସୁବିଧା ମିଳିପାରିବ । ବାରିପଦାର ପିଆରଏମ୍ ହସ୍ପିଟାଲରେ ଉପସ୍ଥିତ ଥିଲେ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀଙ୍କ ସହିତ ବିଧାୟକ, ସାଂସଦ, ଜିଲ୍ଲାପାଳ ଓ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: କରୋନାର ତୃତୀୟ ଲହର ନେଇ କିଛି ଏଭଳି କହିଲେ ବିଶେଷଜ୍ଞ

କରୋନାର ତୃତୀୟ ଲହର ନେଇ କିଛି ଏଭଳି କହିଲେ ବିଶେଷଜ୍ଞ

ଭୁବନେଶ୍ୱର: କରୋନାର ତୃତୀୟ ଲହର ବଡ଼ ଧରଣର ରୂପ ନେଇନପାରେ । ଭଲ ଇମ୍ୟୁନିଟି ଆସି ଯାଇଥିବ ଏବଂ ଭ୍ୟାକ୍ସିନେସନ ଡ୍ରାଇଭ ମଧ୍ୟ ଦ୍ରୁତ ଭାବେ ହେଉଛି । ତେଣୁ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଇତିହାସ ବି କହୁଛି ସ୍ପାନିଶ ଫ୍ଲୁ ସମୟରେ ଦ୍ୱିତୀୟ ଲହର ହିଁ ଅଧିକ କ୍ଷତି କରିଥିଲା । ମାତ୍ର ତୃତୀୟ ଓ ଚତୁର୍ଥ ଲହର ସେମିତି ବଡ଼ ଧରଣର ଆସିନଥିଲା । ଡେଲାଟା ପ୍ଲସ୍ ଭ୍ୟାରିଆଣ୍ଟରେ ଟିକା କାମ କରିବ କି ନାହିଁ, ଏପରି କିଛି ଚର୍ଚ୍ଚା କେବଳ ଆକଳନ । ତେବେ ସ୍ଫୁଟିନିକ-ଭି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ପାଇଁ ବୁଷ୍ଟର ଡୋଜ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ କି ନାହିଁ, ସେ ନେଇ WHO ଓ ଏମ୍‌ସ ଭାରତରେ ଅନୁଧ୍ୟାନ କରିଛନ୍ତି । ଦିଲ୍ଲୀ ଅର୍ବାନ, ଦିଲ୍ଲୀ ରୁରାଲ, ଭୁବନେଶ୍ୱର, ଗୋରଖପୁର, ଅଗରତାଲା ଭଳି ୫ ଟି ସ୍ଥାନରେ ୧୦ ହଜାର ଲୋକଙ୍କୁ ନେଇ ଷ୍ଟଡି କରାଯାଇଥିଲା । ଯେଉଁଥିରୁ ଜଣାପଡ଼ିଛି ଯେ, ପିଲାମାନଙ୍କର ମଧ୍ୟ ଆଣ୍ଟିବଡି ବହୁତ ଉନ୍ନତି କରିଛି । ତେଣୁ ସେମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ନାହିଁ । ଗ୍ରାମାଞ୍ଚଳ ଲୋକମାନଙ୍କର ମଧ୍ୟ ଆଣ୍ଟିବଡି ଡେଭଲପ ହୋଇଛି । ଯାହାଦ୍ୱାରା ଦ୍ୱିତୀୟ ଲହରରେ ଆକଳନଠୁ କମ କ୍ଷୟକ୍ଷତି ହେଲା । ଦୁଇଟି ଡୋଜ ନେବା ପରେ ବ୍ରେକ-ଥ୍ରୁ ଇନଫେକସନ ଅନୁଧ୍ୟାନ ପାଇଁ ବିଶେଷଜ୍ଞମାନଙ୍କୁ ନେଇ କମିଟି ଗଠନ କରାଯାଇଛି । ଭ୍ୟାକ୍ସିନ ନେବା ପରେ କେମିତି ଆଣ୍ଟିବଡି ଡେଭଲପ ହେଉଛି, ତାହା ଷ୍ଟଡି କରାଯିବ । ଦରକାର ପଡ଼ିଲେ ଗୋଟିଏ ବୁଷ୍ଟର ଡୋଜ ନେଇପାରିବେ । ସ୍ଫୁଟିନିକ-ଭି, ନୋଭାଭାକ୍ସ ବୁଷ୍ଟର ଡୋଜ ହିସାବରେ କାମ କରିବ । ଟିକା ନେବା ପରେ ଆଣ୍ଟିବଡି ଯାହାର କମ ରହୁଛି, ସେମାନଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ସହାୟତା । ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଲା ରାଜ୍ୟ ସଂସ୍କୃତି ବିଭାଗ । ତପୁଙ୍କ ଚିକିତ୍ସା ନେଇ ରାଜ୍ୟ କଳାକାର ଓ୍ୱେଲଫେୟାର ଫଣ୍ଡ ପକ୍ଷରୁ ଏହି ସୟାହତା ଯୋଗାଇ ଦିଆଯାଇଛି ।

କରୋନାରୁ ସୁସ୍ଥ ପରେ ଏବେ ଫୁସଫୁସ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ତପୁ । ଭୁବନେଶ୍ୱରର ସମ୍‌ ହସ୍‌ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନି । ସେପଟେ ତପୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି । ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ଜଣାଶୁଣା ନାଁ ତପୁ ମିଶ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍‌ ଗୀତ । ତପୁଙ୍କ ଅସୁସ୍ଥତା ଖବର ଶୁଣି ଶୁଭେଛୁ ମାନେ ତପୁ ମିଶ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍‌ ସିଙ୍ଗର ଭାବେ ସେ ହାତେଇଛନ୍ତି ବହୁ ପ୍ରଶଂସା । ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଖିଥିଲେ ପାଦ । ପନ୍ଦର ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍‌ । କଭର ସଙ୍ଗ୍‌ ହେଉ ଅବା ଷ୍ଟୁଡିଓ ଭର୍ସନ ପ୍ରତିଟି ଗୀତକୁ ସେ ମନ ଦେଇ ଗାଇଥାନ୍ତି । ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଠାରୁ କ୍ଲାସିକାଲ ଗୀତ ଶିକ୍ଷା କରିଛନ୍ତି ତପୁ ମିଶ୍ର । ଏହାପରେ ବିଶିଷ୍ଟ ଗୀତିକାର, ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍‌ରେ ବ୍ରେକ ଦେଇଥିଲେ ।

ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ କରିଛନ୍ତି । ଫିଲ୍ମ କୁଳନନ୍ଦନରେ ସେ ପ୍ରଥମ ଗୀତ ଗାଇଥିଲେ । ସେହିଠାରୁ ତାଙ୍କର କଣ୍ଠଶିଳ୍ପୀ ଜୀବନର ଜୟଯାତ୍ରା ଆଗକୁ ବଢ଼ିଚାଲିଛି । ତପୁ ମିଶ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ଫ୍ୟାନମାନେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଯୁଗର କୃଷ୍ଣ ସୁଦାମା, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ଆଇ ଲଭ୍‌ ୟୁ ଓ ଚକୋଲେଟ ଭଳି ବହୁ ଫିଲ୍ମରେ ସେ ହିଟ୍‌ ଗୀତ ଗାଇଛନ୍ତି । ଆଇ ଲଭ୍‌ ୟୁ ଫିଲ୍ମରେ ସେ ପାଇଥିଲେ ଢେରସାରା ପ୍ରଶଂସା । ଆରେ ନା.. ବଜାନା ବଂଶୀ, ଏହି ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍‌ ସିଙ୍ଗରର ପ୍ରସିଦ୍ଧି । ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ଗାଇଛନ୍ତି । କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି । ଚାରିଥର ରାଜ୍ୟ ପୁରସ୍କାର ପାଇଛନ୍ତି ତପୁ ମିଶ୍ର । ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ