ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ତୃତୀୟ ଲହରର ଶିଶୁଙ୍କ ପାଇଁ ସମସ୍ୟା ଆସିବାରେ ଆଶଙ୍କା କରାଯାଉଛି । ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି । ଶିଶୁଙ୍କ ପାଇଁ ୧୬୧୦ ଜେନେରାଲ ବେଡ୍, ୧୧୦ ICU ବେଡ୍, ଶିଶୁ ଭବନରେ କୋଭିଡ୍ ବ୍ଲକ ପାଇଁ ପ୍ରସ୍ତାବ ହୋଇଛି । ଅଧିକ ସଂକ୍ରମଣ ଆଶାରେ ଶିଶୁ କୋଭିଡ୍ କେୟାର ବ୍ୟବସ୍ଥା ହୋଇଛି । CHCର ସମସ୍ତ ଡାକ୍ତର ଓ ନର୍ସଙ୍କୁ ତାଲିମ ଦିଆଯାଇଛି । ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନେବା ଓ ଚିକିତ୍ସା ପାଇଁ ଉପଯୁକ୍ତ ଟ୍ରେନିଂ ଦିଆଯାଇଛି । ଜିଲ୍ଲାରେ ସବୁ ମେଡିକାଲ କଲେଜରେ ବେଡ୍ ସଂରକ୍ଷିତ ରଖିବାକୁ କୁହାଯାଇଛି । ତୃତୀୟ ଲହର ମୁକାବିଲା ପାଇଁ ବିଶେଷଜ୍ଞ ପରାମର୍ଶ ଅନୁସାରେ ରାଜ୍ୟ ସରକାର କାମ କରୁଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।
ରାଜ୍ୟରେ ସମସ୍ତେ ନିଅନ୍ତୁ ଟିକା,ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର
ଭୁବନେଶ୍ୱର: ରାଜ୍ୟରେ ସମସ୍ତେ ଟିକା ନିଅନ୍ତୁ । ଏପରି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଯଦି କୋଭିଡ ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି ତେବେ କୋଭିଡ ସଂକ୍ରମଣରୁ ୮୦ ପ୍ରତିଶତ ସୁରକ୍ଷିତ ରହିବେ । ସେହିପରି ଯଦି ସଂକ୍ରମଣ ହୁଏ, ତେବେ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସୁରକ୍ଷିତ ରହିବ । ଏହାସହ ବିଶେଷ ଗୁରୁତର ହେବେନି । ତେଣୁ ସମସ୍ତେ ଟିକା ନେବା ଉଚିତ । ସାଧାରଣତଃ ଟିକା ନେଲେ ସାମାନ୍ୟ ଜ୍ବର ହୋଇଥାଏ । ଏହାଶୁଣି ଟିକା ନେବାରୁ ବିରତ ରୁହନ୍ତୁନି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି । ଏହା ଆପଣଙ୍କ ପରିବାର ଓ ସମାଜ ପାଇଁ ଘାତକ ହୋଇପାରେ । ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି, ସେମାନେ ଡେଲଟା ଭାଇରସ ଦ୍ବାରା ସଂକ୍ରମିତ ହେଉନାହାନ୍ତି । ବର୍ତ୍ତମାନ ଇଂଲାଣ୍ଡରେ ଡେଲଟା ଭାଇରସ ପ୍ରଭାବରେ କିଛି ଲୋକ ଆକ୍ରାନ୍ତ ହୋଇଥିବା ଖବର ରହିଛି । କିନ୍ତୁ, ଏହା ସେତେଟା ସାଂଘାତିକ ନୁହେଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ସେପଟେ ରାଜ୍ୟର କେତେକ ସ୍ଥାନରେ ନକଲି ଫାଭିପିରାଭିର ଔଷଧ ଜବତ ହୋଇଛି । ତେବେ ଏହି ନକଲି ମେଡିସିନ୍ କେହି ଗ୍ରହଣ କରିବା ଖବର ଏଯାଏଁ ଆସିନି । ଔଷଧ କେଉଁଠୁ ଆସିଥିଲା କେତେ ପ୍ରତିଶତ ଏହା କ୍ଷତିକାରକ ସେ ନେଇ ବିଭିନ୍ନସ୍ତରରେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।
ଏଥର ବି ଫିକା ପଡିବ ରଜ ମଉଜ
ଭୁବନେଶ୍ୱର: ଏଥର ବି ଫିକା ପଡିବ ରଜ ମଉଜ । ରାତି ପାହିଲେ ପହିଲି ରଜ । ଆଜି ସଜବାଜ । କିନ୍ତୁ ସବୁଠି ଖାଁ ଖାଁ ପରିବେଶ । ଭୁବନେଶ୍ୱର ପାନ୍ଥନିବାସରେ ନିରାଡମ୍ବର ଭାବରେ ପାଳନ ହେବ ରଜ । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରତିକାତ୍ମକ ରଜଦୋଳି କରାଯାଇଛି । ପାନ୍ଥନିବାସ ପରିସରକୁ ରଜବତୀ ଭାବରେ ସଜାଯାଇଛି । କିନ୍ତୁ ବାହାର ଲୋକଙ୍କ ପ୍ରବେଶ ପାଇଁ ବାରଣ କରାଯାଇଛି । ରଜପିଠା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଘରେ ଘରେ ପିଠା ପହଞ୍ଚାଇବା ପାଇଁ ‘ପିଠା ଅନ୍ ହ୍ବିଲ୍’ ସାରା ସହର ବୁଲିବ । କରୋନା କଟକଣା ମଧ୍ୟରେ ରଜ ମଉଜ ପାଳନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସ୍କୁଲ ଓ କଲେଜ ପରିସର ଭିତରୁ ଚୋରି
ଯାଜପୁର: ଯାଜପୁର ଜିଲ୍ଳା ମଙ୍ଗଳପୁର ଥାନା ଦୁବକୋଣ ଜୟଚଣ୍ଡୀ ସ୍କୁଲ ଓ କଲେଜ ପରିସରରୁ ଚୋରି ଉଦ୍ୟମ ଅଭିଯୋଗ । ଗତକାଲି ରାତିରେ କେତେକ ଦୁର୍ବୃତ୍ତ କାରରେ ଆସି ସ୍କୁଲ କ୍ୟାମ୍ପସରେ ପଶିଥିଲେ । କ୍ୟାମ୍ପସରୁ ଦୁର୍ବୃତ୍ତ ମାନେ କମ୍ପ୍ୟୁଟର, ଫ୍ୟାନ୍, ଇନଭର୍ଟର ଭଳି ବିଭିନ୍ନ ଜିନିଷକୁ ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ନଜରରେ ପଡ଼ିଥିଲେ । ଗ୍ରାମବାସୀ ଦୁର୍ବୃତ୍ତଙ୍କୁ ଦେଖି ପୋଲିସକୁ ଖବର ଦେଇଥିବା ବେଳେ ସମସ୍ତ ଦୁର୍ବୃତ୍ତ ଖସିଯିବାକୁ ଉଦ୍ୟମ କରିଥିଲେ । ହେଲେ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ପୋଲିସ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣକ ଗହୀରାପାଳ ଗାଁର ପ୍ରତାପ ରାୟ । ଅନ୍ୟ ୪ଜଣ ଦୁର୍ବୃତ୍ତ ଖସିଯିବାରେ ସଫଳ ହୋଇଛନ୍ତି । ଘଟଣାରେ ଅଭିଯୁକ୍ତ ପ୍ରତାପକୁ ପୋଲିସ ପଚରାଉଚରା କରିବା ସହ ଅଧିକ ତଦନ୍ତ ଚଳାଇଛି ।
ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ଭଦ୍ରକ: ଆସନ୍ତା ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ୟରେ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିବାହ ଗତ ବୁଧବାର ଭଦ୍ରକ ଉପଜିଲ୍ଲାପାଳ ତଥା ମନ୍ଦିରଟ୍ରଷ୍ଟି ପିତାମ୍ବର ସାମଲ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କ ବିବାହ ନିମନ୍ତେ ଲଗ୍ନଥାଳ ଉଠା କାର୍ଯ୍ୟ ଓ ଗୁଆମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ ହେବା ପରେ ଆସନ୍ତା ୧୪ତଥା ସୋମବାର ଦିନ ମଙ୍ଗଳପାଗ ନୀତି ଅନୁଷ୍ଠିତ ହେବ। ତାହାସହ ପୀଠରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯିବ। ହେଲେ ମହାମାରୀ କରୋନାର ଭୟଭୟତାକୁ ନେଇ ପୂର୍ବବର୍ଷ ଭଳି ଚଳିତବର୍ଷ ବରାନୁଗମନ ଶୋଭାଯାତ୍ରାରେ ବାଜିବନି ବାଜା କି ଜଳିବନି ରୋଷଣୀ। ଏଥିପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏପରିକି ବରଯାତ୍ରୀ ଓ ଖାଦ୍ୟ ଉପରେ କଟକଣା ଜାରୀ କରିଛି ଜିଲାପ୍ରଶାସନ। ବିବାହ ଉତ୍ସବରେ ସାମିଲି ହେବାକୁ ଥିବା ସେବାୟତ ଓ ସେବାକାରୀଙ୍କର ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।
୩୦୦ ସଂକ୍ରମିତ ଗର୍ଭବତୀଙ୍କ ଠାରୁ ଜନ୍ମ ନେଲେ ସୁସ୍ଥ ଶିଶୁ
ବାଙ୍ଗାଲୋର: କରୋନା ସଂକ୍ରମଣ ମଧ୍ୟରେ ଭଲ ଖବର । ୩୦୦ ସଂକ୍ରମିତ ମାଆଙ୍କ ଠାରୁ ଜନ୍ମ ନେଲେ କଅଁଳ ଶିଶୁ । କରୋନା ସଂକ୍ରମଣ ଓ ମୃତ୍ୟୁ ଖବରର ଭିଡ ଭିତରେ କିଛି ଏମିତି ଖବର ସାମ୍ନାକୁ ଆସୁଛି ଯାହା ଆଶ୍ବସ୍ତି ଦେଉଛି । ବେଙ୍ଗାଳୁରୁର HSIS ଘୋଷ ସରକାରୀ ହସ୍ପିଟାଲରେ ମାଇଲ ଷ୍ଟୋନ ସ୍ଥାପନ କରିଛନ୍ତି ସ୍ବାସ୍ଥ୍ୟକର୍ମୀ । ଜୁନ୍ ୧୨ ସୁଦ୍ଧା ୩୦୦ ସଫଳ ଡେଲିଭରୀ କରାଯିବାର ସଫଳତା ରହିଛି ଏହି ହସ୍ପିଟାଲ ନାଁରେ ।

କରୋନା ସମୟରେ କେତେ ଶିଶୁ ବାପମାଆ ଛେଉଣ୍ଡ ହେଉଛନ୍ତି ଆଉ କେତେ ବାପାମାଆଙ୍କ କୋଳ ଶୂନ୍ୟ ହୋଇଯାଉଛି । ଏଭଳି ସମୟରେ ବାଙ୍ଗାଲୋରର ଏକ ସରକାରୀ ହପ୍ସିଟାଲରେ ଜନ୍ମ ନେଇଛନ୍ତି କଅଁଳ ଶିଶୁ । ଆଉ ଏହି ଶିଶୁ ସେହି ମାଆଙ୍କ ଠାରୁ ଜନ୍ମ ନେଇଛନ୍ତି ଯେଉଁମାନେ ଏହି ସମୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
HSIS ଘୋଷ ସରକାରୀ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପରିଶ୍ରମରେ ଏହି ୩୦୦ କୋଭିଡ ଆକ୍ରାନ୍ତ ଗର୍ଭବତୀଙ୍କ ସଫଳ ପ୍ରସବ କରାଯାଇଛି । ଆଉ ଏହି ଖୁସିକୁ ପିପିଇ କିଟ୍ ପିନ୍ଧି ପରିପ୍ରକାଶ କରିଛନ୍ତି ହସ୍ପିଟାଲର ସମସ୍ତ ଷ୍ଟାଫ ନର୍ସ ଓ ଡାକ୍ତର । ତେବେ ଏନେଇ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର କେ. ସୁଧାକର ଟ୍ୱିଟ କରି ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।

