କରୋନା ସମ୍ଭନ୍ଧିୟ ସାମଗ୍ରୀ ତଥା ଔଷଧ ଉପରେ ଜିଏସଟି କମାଇଲେ କେନ୍ଦ୍ର ସରକାର । ମନ୍ତ୍ରୀ ସମୁହ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ଜିଏସଟି ପରିଷଦ ବୈଠକରେ ସମ୍ମତ୍ତି ଦିଆଯାଇଛି । କରୋନା ଟିକା ଉପରେ ଜିଏସଟି ୫ ପ୍ରତିଶତ ଜାରି ରହିବ । ୭୫ ପ୍ରତିଶତ ଟିକା କେନ୍ଦ୍ର ସରକାର କିଣୁଥିବାରୁ ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ବ୍ଲାକ ଫଙ୍ଗସ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଏମ୍ଫୋଟେରିସିନ୍ ବି ଉପରେ ଜିଏସଟି ହଟାଇ ଦିଆଯାଇଛି । ରେମଡେସିଭିର ସହ ଅନ୍ୟ କରୋନା ଔଷଧରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇଛି । ଅକ୍ସିଜେନ ଏବଂ କରୋନା ଟେଷ୍ଟିଂ କିଟ୍ ଉପରୁ ମଧ୍ୟ ୧୨ ପ୍ରତିଶତ ୫ ପ୍ରତିଶତକୁ କମାଯାଇଛି ଜିଏସଟି । ଏଥିସହ ଆମ୍ବୁଲାନ୍ସ ଉପରେ ୨୮ ପ୍ରତିଶତ ଜିଏସଟିରୁ ୧୨ ପ୍ରତିଶତ କରାଯାଇଛି । ସାନିଟାଇଜର ଉପରୁ ମଧ୍ୟ ୧୮ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି । ତାପମାପକ ଯନ୍ତ୍ର ଉପରୁ ୧୮ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି ଜିଏସଟି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ଜିଏସଟି ଦର ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ବାବା ପାହାଡେଶ୍ବରଙ୍କର ଆଜି ପତରପେଣ୍ଡି କାର୍ଯ୍ୟକ୍ରମ..
ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ପାଇଁ ସରିଛି ବାବା ବାଲୁଙ୍କେଶ୍ବରଙ୍କ ପତରପେଣ୍ଡି । ଆଜି ଅନ୍ୟ ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟିର ପତର ପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ରହିଛି । ସକାଳ ୯ ଟାରୁ ଆରମ୍ଭ ହେବ ପତର ପେଣ୍ଡି କାର୍ଯ୍ୟକ୍ରମ । ସପ୍ତଋଷି ଯାଇ ଶାଳପତ୍ର ଦେଇ ଦେବଦେବ ମହାଦେବଙ୍କ ବିବାହ ସ୍ଥିର କରିବାର କାର୍ଯ୍ୟକ୍ରମ ରହିଛି । ମୁଦିପଡାର ବାବା ଜାଗେଶ୍ବର, ଝାଡୁଆପଡାର ବାବା ଲୋକନାଥ, ବଡ଼ ବଜାରର ବାବା ଶୀତଳେଶ୍ବର, ବୁଢାରଜାର ବାବା ପାହାଡେଶ୍ବରଙ୍କର ଆଜି ରହିଛି ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ । ଆସନ୍ତା ୧୫ ତାରିଖରେ ମାଆ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ ।
୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା
ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସାରା ଓଡ଼ିଶାରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପରେ ସକ୍ରିୟ ହୋଇଛି ମୌସୁମୀ । ଏହା ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ମୁହାଁ ହେବ । ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସାରା ଓଡ଼ିଶାରେ ସଂପୂର୍ଣ୍ଣ ସକ୍ରିୟ ହେବା ପାଇଁ ମୌସୁମୀକୁ ଆହୁରି ୨୪ ଘଣ୍ଟା ଲାଗିବ। ଶନିବାର ସଂପୂର୍ଣ୍ଣ ପୁରୀ ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଖୋର୍ଧା ଓ ନୟାଗଡ଼ର କିଛି କିଛି ଅଞ୍ଚଳରେ ବର୍ଷା ହୋଇଥିବା ଜଣାଯାଇଛି। ଏହାସହ କଟକ, ଯାଜପୁର ଓ ମୟୂରଭଞ୍ଜର କିଛି କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ବର୍ଷା ହୋଇଥିବା ଜଣାପଡ଼ିଛି । ତେବେ ଆଉ ୨୪ ଘଣ୍ଟାରେ ଅର୍ଥାତ୍ ପହିଲି ରଜ ପୂର୍ବରୁ ସାରା ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଅନଲକମୁହାଁ ଓଡିଶା..୫ ହଜାର ତଳକୁ ରହିଛି ଦୈନିକ ସଂକ୍ରମଣ
କମୁଛି ସଂକ୍ରମଣ, ଅନଲକମୁହାଁ ଓଡିଶା । ରଜ ପରେ କୋହଳ ହେବ କଟକଣା । ଧୀରେ ଧୀରେ ଅନଲକ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର । ରାଜ୍ୟର ୨୬ ଜିଲ୍ଲାରେ କରୋନାଗ୍ରାଫ ତଳମୁହାଁ ହୋଇଥିବା ବେଳେ, ଏସବୁ ଜିଲ୍ଲାରେ କଟକଣା କୋହଳ କରାଯିବ । କେଉଁ ଆଧାରରେ ଜୁନ ୧୭ ପରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବ ସେନେଇ ସ୍ବାସ୍ଥ୍ୟ ବିଭାଗ ବିଚାର ବିମର୍ଶ କରୁଛି । ୩ଟି ଜୋନରେ ସବୁ ଜିଲ୍ଲାକୁ ଭାଗ କରାଯାଇଛି । ୫ ପ୍ରତିଶତ ତଳେ ସଂକ୍ରମଣ ଥିବା ଜିଲ୍ଲା ଗୁଡିକରେ କଟକଣା କୋହଳ ହେବ । ୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ଥିବା ଜିଲ୍ଲା ଗୁଡିକରେ କଟକଣା ଜାରି ରହିବ । ଖୋର୍ଦ୍ଧା, କଟକ, ଅନୁଗୁଳ, ଯାଜପୁରରେ ସଂକ୍ରମଣ ଏବେ ବି ଅଧିକ ରହିଛି । ଆଗକୁ ଏହି ୪ଜିଲ୍ଲାରେ କରୋନା ଚେନ୍ ଭାଙ୍ଗିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ଟେଷ୍ଟିଂ ସହ ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ରାଜ୍ୟରେ ପଜିଟିଭି ହାର କମୁଥିବା ବେଳେ ଜୁନ ୧୭ ବେଳକୁ ଏହା ୫ପ୍ରତିଶତ ତଳକୁ ଖସିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି ।ଅନଲକ୍ ପାଇଁ ସରକାର ସବୁ ଦିଗରେ ବିଚାର କରୁଛନ୍ତି। ମାତ୍ର ଲୋକମାନେ ଯଦି ଏହାକୁ ଠିକ୍ ଭାବେ ବ୍ୟବହାର ନ କରିବେ, ତାହାର ବିପରୀତ ପ୍ରଭାବ ପଡ଼ିପାରେ। ସବୁ ଜିଲ୍ଲାକୁ ୩ଟି ଜୋନ୍ରେ ବିଭକ୍ତ କରାଯାଇ ସ୍ଥିତି ଉପରେ ନଜର ରଖାଯାଉଛି।
ଅକାଳୀ ଦଳ ସହ ହାତ ମିଳାଇଲେ ମାୟାବତୀ, ଏକାଠି ଲଢିବେ ପଞ୍ଜାବ ବିଧାନସଭା ନିର୍ବାଚନ
ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପାଗ ଭିଡିଲା ଶିରୋମଣି ଅକାଳୀ ଦଳ । ମାୟାବତୀଙ୍କ ବହୁଜନ ସମାଜବାଦି ପାର୍ଟି ସହ ମିଶି ପଞ୍ଜାବରେ ନିର୍ବାଚନ ଲଢିବ ସୁଖବୀର ସିଂ ବାଦଲଙ୍କ ଅକାଳି ଦଳ । ଏ ନେଇ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ୧୧୭ ଆସନ ମଧ୍ୟରୁ ବିଏସପି ୨୦ଟି ଆସନରେ ଓ ଅକାଳି ଦଳ ୯୭ଟି ଆସନରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ସୁଖବୀର ସିଂ ବାଦଲ ।
ଦୁଇ ପାର୍ଟି ଏକ ହୋଇ ଚାଷୀ ଓ ଗରିବଙ୍କ ପାଇଁ ଲଢେଇ କରିବେ । ପଞ୍ଜାବକୁ ସଂଗ୍ରେସ ମୁକ୍ତ କରିବା ପାଇଁ ଦୁଇ ଦଳ ଏକ ହୋଇଥିବା କହିଛନ୍ତି ସୁଖବୀର ସିଂ ବାଦଲ । ଏହା ପୂର୍ବରୁ ୧୯୯୬ରେ ମଧ୍ୟ ଦୁଇ ଦଳ ଏକ ହୋଇ ଲୋକସଭା ନିର୍ବାଚନ ଲଢିଥିଲେ । ଶିରୋମଣି ଅକାଳି ଦଳ ବିଜେପି ଠାରୁ ଅଲଗା ହୋଇ ହୋଇ ବିଏସପି ସହ ମିଶି ନିର୍ବାଚନ ଲଢିବାକୁ ଘୋଷଣା କରିଛି ।
ଟିକାର ଅଭାବ ବେଳେ ଭିନ୍ନ ତଥ୍ୟ ଦେଉଛନ୍ତି କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦେଶରେ ଟିକାର ଅଭାବ ବେଳେ ଭିନ୍ନ ତଥ୍ୟ ଦେଉଛନ୍ତି କେନ୍ଦ୍ର ସରକାର । ମେ ମାସରେ ଘରୋଇ ମେଡିକାଲକୁ ଏକ କୋଟି ୨୯ ଲକ୍ଷ ଟିକା ଦିଆଯାଇଥିବା ବେଳେ ମାତ୍ର ୨୨ ଲକ୍ଷ ଟିକା ବ୍ୟବହାର ହୋଇଛି । ଯାହା ମାତ୍ର ୧୭ ପ୍ରତିଶତ । ଅନ୍ୟ ଟିକାଗୁଡିକ ବ୍ୟବହାର ନହୋଇ ପଡିରହିଛି । ମେ ମାସ ପାଇଁ ୭ କୋଟି ୪ ଲକ୍ଷ ଟିକା ସାରା ଦେଶ ପାଇଁ ପ୍ରସ୍ତୁତ ହୋଇଥିଲା ।
ସେଥିରୁ ୧ କୋଟି ୮୫ ଲକ୍ଷ ଡୋଜ ଘରୋଇ ମେଡିକାଲ ପାଇଁ ମହଜୁଦ ଥିଲା । ସେଥିମଧ୍ୟରୁ ଏକ କୋଟି ୨୯ ଲକ୍ଷ ଟିକା ଘରୋଇ ମେଡିକାଲ କିଣିଥିଲେ । ଏଥିରୁ ମାତ୍ର ୨୨ ଲକ୍ଷ ଟିକା ଲୋକଙ୍କୁ ଦିଆଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ବିଶେଷଜ୍ଞଙ୍କ କହିବା କଥା, ଘରୋଇ ମେଡିକାଲ ଟିକା ବାବଦରେ ଅଧିକ ଅର୍ଥ ଦାବି କରୁଥିବାରୁ ସେଠାରେ ଲୋକ ଟିକା ନେଉନାହାନ୍ତି ।
ଏହି ଦେଶରେ ମାତ୍ର ୧୨ ଟଙ୍କାରେ ବିକ୍ରି ହେଉଛି ଘର
ନୂଆଦିଲ୍ଲୀ: ଘର କିଣିବା ଲୋକଙ୍କ ସ୍ୱପ୍ନ ହୋଇଥାଏ । ଘର କିଣିବାରେ ଲୋକଙ୍କର ଜୀବନ ସାରାର ସମସ୍ତ ରୋଜଗାର ଖର୍ଚ୍ଚ ହୋଇଯାଇଥାଏ । କିନ୍ତୁ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଆଜିକାଲି ଲୋକମାନେ ସେମାନଙ୍କର ସୁନ୍ଦର ଘର ବିକ୍ରି କରୁଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଲୋକମାନେ ନିଜ ଘରକୁ ମାତ୍ର ୧୬ ସେଣ୍ଟ (ପ୍ରାୟ ୧୨ ଟଙ୍କା) ରେ ବିକ୍ରି କରୁଛନ୍ତି।
ରିପୋର୍ଟ ଅନୁଯାୟୀ, କ୍ରୋଏସିଆର ଉତ୍ତର ଅଞ୍ଚଳର ଲେଗ୍ରାଡ ନାମକ ଏକ ସହରର ଲୋକମାନେ ୧୨ ଟଙ୍କା ମୂଲ୍ୟରେ ନିଜ ଘର ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ପରିବହନ ସୁବିଧା କମ ଥିବା କାରଣରୁ ଲୋକମାନେ ନିଜ ଘର ଛାଡି ଚାଲିଯାଉଛନ୍ତି । ଯାହାପରେ ପ୍ରଶାସନ ନିଜେ ଏହି ଘର ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି ।

ଲେଗ୍ରାଡ୍ ମେୟର ଇଭାନ୍ ସାବୋଲିକ୍ ଏକ ବିବୃତ୍ତିରେ କହିଛନ୍ତି ଯେ, ନିକଟରେ ୧୯ଟି ଘରକୁ ଏକାସାଙ୍ଗରେ ଖାଲି କରାଯାଇଥିଲା । ଏହି ଘରଗୁଡ଼ିକର ମୂଲ୍ୟ ୧ କୁନା ଅର୍ଥାତ୍ ପ୍ରାୟ ୧୨ ଟଙ୍କା ସ୍ଥିର କରାଯାଇଛି । ସେଥିମଧ୍ୟରୁ ୧୭ଟି ଘର ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇସାରିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସହର ଏକ ସୀମାନ୍ତ ସହରରେ ପରିଣତ ହେବା ପରଠାରୁ ଏଠାରେ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇଛି। ଲେଗ୍ରାଡ୍ ସହରର ସୀମା ହଙ୍ଗେରୀ ସହିତ ସଂଲଗ୍ନ ହୋଇଛି । ତେବେ ଏଠି ଘର କିଣୁଥିବା ଗ୍ରାହକମାନଙ୍କ ସହ ଏକ ଚୁକ୍ତିନାମା ମଧ୍ୟ କରାଯାଉଛି । ଚୁକ୍ତିନାମା ଅନୁସାରେ ଘରକୁ କ୍ରୟ କରିଥିବା ଗ୍ରାହକ ଏଠାରେ ଅତି କମରେ ୧୫ ବର୍ଷ ରହିବେ । ଏହାସହ ଯଦି ସେମାନଙ୍କର କିଛି ଅସୁବିଧା ହୁଏ ତେବେ ପ୍ରଶାସନ ତାଙ୍କୁ ସହାୟତା କରିବ ।
ତେବେ ସୂଚନା ଯୋଗ୍ୟ ଯେ, ଲେଗ୍ରାଡ୍ ସହର କ୍ରୋଏସିଆରେ ଏମିତି ଏକ ସହର ଥିଲା ଯେଉଁଠାରେ ଦେଶର ସର୍ବାଧିକ ଜନସଂଖ୍ୟା ବାସ କରୁଥିଲେ, କିନ୍ତୁ ପ୍ରାୟ ୧୦୦ ବର୍ଷ ପୂର୍ବେ ଅଷ୍ଟ୍ରୋ ଏବଂ ହଙ୍ଗେରୀୟନ ସାମ୍ରାଜ୍ୟ ଭାଙ୍ଗିବା ପରଠାରୁ ଏଠାରେ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଆପଣଙ୍କୁ କହିରଖୁଛୁ ଯେ କିଛି ସମୟ ପୂର୍ବରୁ ଇଟାଲୀରୁ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ଇଟାଲୀର ସିସିଲିରେ ଅବସ୍ଥିତ ଏକ ଛୋଟ ସହରରେ ଘରଗୁଡିକ ୮୬ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା।

