spot_img
Home Blog Page 5538

ଢେଙ୍କାନାଳ ଝିଅ ଲିନାଶ୍ରୀ ଆବିଷ୍କାର କଲେ ଡାଇନୋସର ହାଡ଼, ମେଘାଳୟ ପର୍ବତରୁ ସଂଗ୍ରହ କରିଛନ୍ତି ଜୀବାଶ୍ମ

ଭୁବନେଶ୍ୱର: ଦଶ କୋଟି ବର୍ଷ ପୂର୍ବେ ଭାରତର ମେଘାଳୟର ଖାସି ପର୍ବତରେ ସୌରପୋଡ ଜାତୀୟ ଡାଇନୋସର ପ୍ରଜାତି ଥିଲେ । ଯାହାର ଆବିଷ୍କାର କରିଛନ୍ତି ଭାରତର ତିନି ଜଣିଆ ମହିଳା ଭୂତତ୍ତ୍ୱବିତ୍ । ଏହି ତିନି ଜଣିଆ ଭୂତତ୍ତ୍ୱବିତ୍ ଦଳର ମୁଖ୍ୟ ହେଉଛନ୍ତି ଦେବହୂତୀ ମୁଖାର୍ଜୀ । ତିନି ଜଣିଆ ଦଳରେ ଅନ୍ୟତମ ମୁଖ୍ୟ ହେଉଛନ୍ତି ଓଡ଼ିଆ ଝିଅ ତଥା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ଅଞ୍ଚଳର ଡ. ଲିନାଶ୍ରୀ ଦଳବେହେରା । ସେ ୨୦୧୯ରୁ ଏହି ବିଷୟରେ ଦୁଃସାହସିକତା ଭାବେ ପାହାଡ଼ ପର୍ବତରେ ଚଢ଼ି ଡାଇନୋସରର ଜୀବାଶ୍ମ, ହାଡ଼କୁ ପରୀକ୍ଷା ନିରିକ୍ଷା କରିଛନ୍ତି ।

ସେଥିରୁ ସେ ଜାଣିପାରିଛନ୍ତି ଯେ, ମେଘାଳୟରେ ପ୍ରଚୁର ବର୍ଷା ହେଉଥିବାରୁ ବହୁ ଡେଇନୋସରଙ୍କ ଅଂଶ ବିଶେଷ ନଷ୍ଟ ହୋଇଯାଇଛି । ଯେଉଁ କେତୋଟି ହାଡ଼ ମିଳିଛି । ତାକୁ ନେଇ ଗବେଷଣା ଚାଲୁରହିଥୁବା କଥା ସେ କହିଛନ୍ତି । ଏହି ସବୁ ଜୀବାଶ୍ମ ମେଘାଳୟର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ରାନୀକୋର ଗ୍ରାମ ନିକଟଟରେ ମିଳିଛି । ଲିନାଶ୍ରୀ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୫ ଶେଣ ସାହି ବାସିନ୍ଦା ଇଂ ଇଶ୍ୱର ଚନ୍ଦ୍ର ବେହେରା ଓ ନାରୀ କବି ତୁଳସୀ ରାଣୀ ବେହେରାଙ୍କ ସାନ ଝିଅ ଅଟନ୍ତି ।

ସେ ୧୯୯୫ ମସିହାରେ ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ ଶ୍ରେଣୀରେ ପାସ କରି ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଯୁକ୍ତ ୨ ପାଠ ପଢ଼ିଥିଲେ । ଯୁକ୍ତ ୩ରେ କେନ୍ଦୁଝର ଜିଲ୍ଲାର ଧରଣୀଧର ମହାବିଦ୍ୟାଳୟରେ ଭୂତତ୍ତ୍ୱ ବିଜ୍ଞାନରେ ପାଠ ପଢ଼ିଥିଲେ । ବାଣୀ ବିହାର ସ୍ନାତକତ୍ତୋର ପାସ କରିବା ପରେ ଖଡ଼ଗପୁର ଆଇଆଇଟିରେ ଉଚ୍ଚତ୍ତର ପାଠ ପଢ଼ି ଭୂତତ୍ତ୍ୱବିତ୍ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ତାଙ୍କର ଏହି ସଫଳତାରେ ଭୁବନ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି । ତେଣୁକରି ଭୁବନ ତୃପ୍ତି ପାଠାଗାର ପକ୍ଷରୁ ତାଙ୍କ ବାପା ମାଆଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ଲିନାଶ୍ରୀ ଏବେ ସିଲଙ୍ଗରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ । ସେ ତାଳଚେରରେ ଡ. ସୁବ୍ରତ ଦାସଙ୍କୁ ବିବାହ କରିଛନ୍ତି ।

ବ୍ଲାକ ଫଙ୍ଗସ୍ ଔଷଧ ଉପରେ ଲାଗିବନି ଟିକସ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ବସିଛି । ଏହି ବୈଠକରେ କରୋନା ଟିକା ଉପରେ ୫ ପ୍ରତିଶତ ଜିଏସଟି ହାର ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜିଏସଟି କାଉନସିଲ ବ୍ଲାକ ଫଙ୍ଗସର ଔଷଧ ଉପରେ ଟିକସ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ବ୍ୟତୀତ ଜିଏସଟି କାଉନସିଲ ବା ପରିଷଦ ରେମଡେସିବିର ଔଷଧ ଉପରେ ଜିଏସଟିକୁ ୧୨ ପ୍ରତିଶତରୁ କମାଇ ୫ ପ୍ରତିଶତ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି। ଅକ୍ସିମିଟର, ମେଡିକାଲ ଗ୍ରେଡ୍ ଅମ୍ଳଜାନ ଏବଂ ଭେଣ୍ଟିଲେଟର ଉପରେ ଜିଏସ୍ଟି ହାର ମଧ୍ୟ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

୭୫% ଟିକା ମାଗଣାରେ ଉପଲବ୍ଧ ହେଉଛି

ଅର୍ଥମନ୍ତ୍ରା କହିଛନ୍ତି ଯେ, କେନ୍ଦ୍ର ସରକାର ୭୫ ପ୍ରତିଶତ ଟିକା କିଣୁଛନ୍ତି ଏବଂ ତାହା ଉପରେ ଜିଏସଟି ମଧ୍ୟ ଦେଉଛନ୍ତି। ସରକାରୀ ଡାକ୍ତରଖାନାରେ ଯେଉଁ ୭୫ ପ୍ରତିଶତ ଟିକା ମାଗଣାରେ ଯୋଗାଇ ଦିଆଯାଉଛି ଜନସାଧାରଣଙ୍କ ଉପରେ ଏହାର କୌଣସି ପ୍ରଭାବ ପକାଇବ ନାହିଁ । ସେହିପରି ବୈଦ୍ୟୁତିକ ଚୁଲା ଏବଂ ତାପମାତ୍ରା ଯାଞ୍ଚ ଉପକରଣ ଉପରେ ଜିଏସଟି ୫ ପ୍ରତିଶତକୁ ଏବଂ ଆମ୍ବୁଲାନ୍ସ ଉପରେ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି । ଏହି ହାର ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ରହିବ । ମନ୍ତ୍ରୀ ସମୁହ ବା ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (GOM) ଅଗଷ୍ଟ ସୁଦ୍ଧା ଏଗୁଡିକ ହ୍ରାସ କରିବାକୁ ସୁପାରିଶ କରିଥିଲେ।

ଏହା ପୂର୍ବରୁ ୨୮ ମେ’ରେ ହୋଇଥିବା ବୈଠକରେ ପିପିଏ କିଟ୍, ମାସ୍କ ଏବଂ ଟିକା ସମେତ କୋଭିଡ ସହ ଜଡିତ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ଛାଡ କରିବା ପାଇଁ ମନ୍ତ୍ରୀ ସମୁହ ନିଷ୍ପତ୍ତି ନିଆଯାଇଥିଲା।

କଟକରେ କମିଛି ସଂକ୍ରମଣ, ଦିଆସରିଛି ତିନି ଲକ୍ଷ ଡୋଜ୍

କଟକ: ସହରରେ କମୁଛି କରୋନା ସଂକ୍ରମଣ । ପଜିଟିଭିଟି ରେଟ୍ ମଧ୍ୟ କମିବାରେ ଲାଗିଛି । ସହରବାସୀ ଲକଡାଉନ୍ ନିୟମ ମାନି ଚଳିଥିବାରୁ ଏହା ସମ୍ଭବପର ହୋଇପାରିଛି । ଏଥିପାଇଁ କଟକବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ମେ ୧୫ରେ କଟକରେ ଚିହ୍ନଟ ହୋଇଥିଲେ ସର୍ବାଧିକ ସଂକ୍ରମିତ । ଦୁଇ ମାସର ସମୟ ବେଶ ଚ୍ୟାଲେଞ୍ଜ ଥିଲା । ସମସ୍ତ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡି, ଆଶାକର୍ମୀ ଓ ପୋଲିସ କର୍ମଚାରୀ ଆଗରେ ରହି ଭଲ କାମ କରିଥିବା କହିଛନ୍ତି କଟକ କମିଶନର ଅନନ୍ୟା ଦାସ ।

ସେହିପରି ଅନନ୍ୟା ଦାସ କହିଛନ୍ତି, ଆବଶ୍ୟକଠାରୁ ଅଧିକ ଅକ୍ସିଜେନ୍ ବେଡ୍ ଖାଲି ରହିଛି । ଏସସିବି ମେଡିକାଲ କଲେଜରେ ୬୦୦ ବେଡ୍ ଖାଲି ରହିଛି ।ସେଣ୍ଟର ଅଫ ଏକ୍ସଲେନ୍ସରେ ୧୦୦ ବେଡ୍ ଓ ୪୧ ଆଇସିୟୁ ବେଡ୍ ଖାଲି ରହିଛି । କଟକ ସହରରେ ସାଢେ ତିନି ଲକ୍ଷ ଡୋଜ୍ ଦିଆସରିଛି । ୧୮ରୁ ୪୪ ବର୍ଷ ମଧ୍ୟରେ ଦେଢ ଲକ୍ଷ ଟିକା ଦିଆସରିଛି । ସେହିଭଳି ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ୮୫ ହଜାର ଟିକା ଓ ୬୦ ବର୍ଷରୁ ଅଧିକ ବର୍ଗରେ ୭୨ ହଜାର ଟିକା ଦିଆ ସରିଛି । ଅଫଲାଇନ୍ ଟିକାକରଣ ପାଇଁ କ୍ୟାମ୍ପ କରାଯାଇଛି ।

ଅନ୍ୟପଟେ ବୟସ୍କଙ୍କ ପାଇଁ ଘର ଘର ବୁଲି ମଧ୍ୟ ଟିକାକରଣ କରାଯାଉଛି । ପିକ୍ ଆଉ ଡ୍ରପ ସୁବିଧା କରିଛି ସିଏମସି । ଏଥି ପାଇଁ ମୋବାଇଲ୍ ନମ୍ବର ହେଉଛି ୯୭୭୭୦୬୭୨୯୭ । ବିଦେଶ ଯାଇ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୋପାଳପୁର କଲ୍ୟାଣ ମଣ୍ଡପରେ ସ୍ବତନ୍ତ୍ର ଚିକାକରଣ ବ୍ୟବସ୍ଥା କରାଯାଇଛି । ଘରେ ଅକ୍ସିଜେନ୍ ପହଞ୍ଚାଇବାର ସୁବିଧା ମଧ୍ୟ କରିଛି ସିଏମସି । ସମସ୍ତେ ସଚେତନ ହୋଇ କୋଭିଡ୍ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଛନ୍ତି ସିଏମସି କମିଶନର ।

ଛୋଟ ପିଲାଙ୍କ ଶରୀରରେ ସୃଷ୍ଟି ହୋଇଛି କି ଆଣ୍ଟିବଡ଼ି ? ସର୍ଭେ କରିବ ICMR

ଭୁବନେଶ୍ୱର: ଛୋଟ ପିଲାଙ୍କ ଦେହରେ ପରୀକ୍ଷା ହେବ ଆଣ୍ଟିବଡି । ପ୍ରଥମ ଥର ପାଇଁ 6 ବର୍ଷରୁ ଅଧିକ ଶିଶୁଙ୍କ ଠାରେ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ ସେନେଇ ସର୍ଭେ କରିବ ଆଇସିଏମଆର । ସାରା ଦେଶରେ ଜୁନ 16ରୁ 70ଟି ଜିଲ୍ଲାରେ ଆରମ୍ଭ ହେବ ସର୍ଭେ । ଓଡିଶାର ତିନୋଟି ଜିଲ୍ଲା ଗଂଜାମ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ହେବ ଚତୁର୍ଥ ରାଉଣ୍ଡ ସେରୋ ସର୍ଭେ ।

ପ୍ରତି ଜିଲ୍ଲାରେ 10ଟି ବ୍ଲକକୁ ରାଣ୍ଡମ ଚୟନ କରାଯ଼ିବ । ଜୁନ 25 ସୁଦ୍ଧା ସର୍ଭେ ଶେଷ ହେବ । ଆଗାମୀ ଦିନରେ ସ୍କୁଲ ଖୋଲିବା ନେଇ ସର୍ଭେ ରିପୋର୍ଟ ସହାୟକ ହେବ ବୋଲି ଆରଏମଆରସି ନିର୍ଦ୍ଦେଶିକା୧୭ ତାରିଖ ପରେ ରାଜ୍ୟରେ ହୋଇପାରେ ଅନ୍‌ଲକ୍ ।  ଅନ୍ୟ ରାଜ୍ୟ ବି ଏହି ପନ୍ଥା ଅବଲମ୍ବନ କରିଛନ୍ତି । କିଛି କଟକଣା କୋହଳ ହେବ, କିଛି କଟକଣା ପୂର୍ବ ପରି ବଳବତ୍ତର ରହିବ । ହେଲେ ୪ଜିଲ୍ଲା ପାଇଁ ହେବ ସ୍ପେଶାଲ ଷ୍ଟ୍ରାଟେଜି ।

ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ, ମିଳିଛି ସର୍ତ୍ତ ମୂଳକ ଜାମିନ

ଭୁବନେଶ୍ୱର: ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୬ଟି ମାମଲାରେ ହାଇକୋର୍ଟରୁ ଜାମିନ ପରେ ଜେଲରୁ ବାହାରିଛନ୍ତି ପ୍ରଦୀପ । ଷଷ୍ଠ ମାମଲାରେ କାଲି ହାଇକୋର୍ଟ ଦେଇଥିଲେ ଜାମିନ । ଡିସେମ୍ବର ୪ରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ  ଗୋପାଳ ବିଧାୟକ । ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ପ୍ରଦୀପଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ  ।

ମେ ୨୦ ତାରିଖରେ ମାମଲାରେ କୋର୍ଟ ଜାମିନ ଖାରଜ କରିଥିଲେ । ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ ପ୍ରଦୀପ ପାଣିଗ୍ରାହୀ । ଚାକିରି ଦେବା ନାଁରେ ଠକେଇକୁ ନେଇ କୌଣସି ଠୋସ୍‌ ପ୍ରମାଣ ପ୍ରଦୀପଙ୍କ ବିରୋଧରେ ମିଳିନଥିବା ବେଳେ ଅଭିଯୋଗକାରୀ କାହିଁକି ବିଳମ୍ବରେ ଥାନାରେ ଅଭିଯୋଗ କଲେ ସେନେଇ ମଧ୍ୟ ସଠିକ୍‌ ଉତ୍ତର ଦେଇପାରିନଥିଲେ ।

ତେବେ ପ୍ରଦୀପ ଜେଲରୁ ବାହାରିବା ପରେ ମାମଲା ସହ ଜଡ଼ିତ କୌଣସି ବ୍ୟକ୍ତିଙ୍କ ସହ ଯୋଗାଯୋଗ କିମ୍ବା ପ୍ରମାଣ ନଷ୍ଟ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଏଥିସହ ଗଣମାଧ୍ୟମରେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ । ଏହିସବୁ ସର୍ତ୍ତ ଖଣ୍ଡନ କଲେ ବେଲ୍‌ ଖାରଜ ହେବ ବୋଲି ହାଇକୋର୍ଟ କହିଛନ୍ତି ।

ଗୋଟିଏ ବ୍ୟାଙ୍କରେ ଆକାଉଣ୍ଟ, ଅନ୍ୟ ବ୍ୟାଙ୍କରୁ ଟଙ୍କା ଉଠାଉଛନ୍ତି କି ? ସାବଧାନ…

ନୂଆଦିଲ୍ଲୀ: ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ବ୍ୟାଙ୍କମାନେ ବିଭିନ୍ନ ସୁବିଧା ସୁଯୋଗ ଦେଉଛନ୍ତି। ଏଥିରେ ଏଟିଏମ୍ ମଧ୍ୟ ଅନ୍ୟତମ। ଯଦି ଆପଣ ଖାତା ଖୋଲିଥିବା ବ୍ୟାଙ୍କର ଏଟିଏମ୍ ବ୍ୟତୀତ ଅନ୍ୟ ବ୍ୟାଙ୍କ ଏଟିଏମରୁ ପଇସା ଉଠାଣ କରୁଥାନ୍ତି ଓ ଏଥିପାଇଁ ଆପଣଙ୍କୁ କିଛି ଦେୟ ଦେବାକୁ ପଡୁନି ଭାବୁଥାନ୍ତି ତେବେ ଏହା ଭୁଲ। ଏପର୍ଯ୍ୟନ୍ତ ଏଥିରେ କିଛି ରିହାତି ଥିଲା। ହେଲେ ଆଗକୁ ଆଉ ଏହି ସୁବିଧା ଆଉ ମିଳିବନି।

ବ୍ୟାଙ୍କମାନେ ଗ୍ରାହକଙ୍କ ଲାଗି ନିଜ ଏଟିଏମରୁ ମାସିକ ୫ଟି ଉଠାଣ ନିଶୁଳ୍କ କରିଛନ୍ତି। ଏହା ପରବର୍ତ୍ତୀ ପ୍ରତ୍ୟେକ ଉଠାଣ ବାବଦରେ ବ୍ୟାଙ୍କ ଏକ ନିଶ୍ଚିତ ଶୁଳ୍କନିଅନ୍ତି। ସେହିପରି ଅନ୍ୟ ବ୍ୟାଙ୍କ ଏଟିଏମରୁ ୩ଟି ଉଠାଣ ଶୁଳ୍କମୁକ୍ତ ରଖିଥିଲେ। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧ ଅଗଷ୍ଟ ୨୦୨୧ରୁ ଇଣ୍ଟରଚେଞ୍ଜ ଶୁଳ୍କକୁ ୧୫ଟଙ୍କାରୁ ୧୭ ଟଙ୍କାକୁ ବଢାଇ ଦେଇଛନ୍ତି । ତେବେ ଇଣ୍ଟରଚେଞ୍ଜ ଶୁଳ୍କ କଣ ଆସନ୍ତୁ ଜାଣିବା।

ଯଦି କୌଣସି ବ୍ୟାଙ୍କର ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମରୁ କାର୍ଡ ଦ୍ୱାରା ଟଙ୍କା ଉଠାଣ କରନ୍ତି ସେତେବେଳେ ସେ ଯେଉଁ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଉଥାନ୍ତି ତାହା ତାଙ୍କଲାଗି ମର୍ଚାଣ୍ଟ ବ୍ୟାଙ୍କ ହୋଇଥାନ୍ତି। ଏଣୁ ମର୍ଚାଣ୍ଟ ବ୍ୟାଙ୍କକୁ ସେବା ଲାଗି ଏକ ନିଶ୍ଚିତ ଶୁଳ୍କ ପୈଠ କରିବାକୁ ହୋଇଥାଏ। ଯାହାକୁ ମର୍ଚାଣ୍ଟ ଶୁଳ୍କ କୁହାଯାଏ। ଗ୍ରାହକଙ୍କୁ ଏହି ଇଣ୍ଟରଚେଞ୍ଜ ଶୁଳ୍କ ଏକ ନିଶ୍ଚିତ ଉଠାଣ ସୀମା ପରେ ଦେବାକୁ ହୋଇଥାଏ।

ଏଟିଏମ ସ୍ଥାପନା ଓ ଏହାର ରକ୍ଷଣାବେକ୍ଷଣା ଖର୍ଚ୍ଚ ବୃଦ୍ଧି ଯୋଗୁ ଅପରେଟରମାନେ ଶୁଳ୍କ ବୃଦ୍ଧି ଦାବି କରିଆସୁଥିଲେ। ତେବେ ବ୍ୟାଙ୍କମାନେ ଏଥିପାଇଁ ରାଜି ହେଉ ନଥିଲେ। ତେବେ ଆରବିଆଇ ଜୁନ ୨୦୧୯ ମସିହାରେ ଏଟିଏମ୍ ଚାର୍ଜ ଓ ଫିସ୍ ବାବଦେ ସମୀକ୍ଷା ଲାଗି ଏକ କମିଟି ଗଠନ କରିଥିଲେ। କମିଟିଙ୍କ ସୁପାରିଶ ସମୀକ୍ଷା ପରେ ଏଟିଏମ ଟ୍ରାଞ୍ଜାକ୍ସନ ଶୁଳ୍କ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି।

ଧୁମ ୪’ରେ ନଜର ଆସିବେ ଖିଲାଡ଼ି କୁମାର ଓ ଭାଇଜାନ !

ମୁମ୍ବାଇ: ‘ଧୁମ୍’ର ତିନୋଟି ଯାକ ସିକ୍ୱେଲକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି। ଧୁମର ପ୍ରଥମ ସିକ୍ୱେଲ ବା ଭାଗରେ ଜନ୍ ଅବ୍ରହାମ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡ଼ିକୁ ଖୁବ ପସନ୍ଦ କରାଯାଇଥିଲା । ଦ୍ୱିତୀୟ ସିକ୍ୱେଲରେ ହ୍ରିତିକ ଏବଂ ତୃତୀୟ ସିକ୍ୱେଲରେ ଆମୀର ଖାନ ନଜର ଆସିଥିଲେ। ଯଦିଓ ଅଭିଷେକ ତିନୋଟି ଯାକ ସିକ୍ୱେଲରେ ନଜର ଆସିଛନ୍ତି । ବର୍ତ୍ତମାନ ଏହାର ଚତୁର୍ଥ ସିକ୍ୱେଲ ଆସିବାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

ଏହି ସିକ୍ୱେଲକୁ ନେଇ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏଥର ଫ୍ୟାନ୍ସ ଏକ ନୂଆ ଯୋଡ଼ିକୁ ପରଦାରେ ଦେଖିପାରନ୍ତି । ଏହି ସିକ୍ୱେଲରେ ଅକ୍ଷୟ କୁମାର ଏବଂ ସଲମାନ ଖାନ ଭଳି ଦମଦାର ଯୋଡ଼ିକୁ ଫ୍ୟାନ୍ସ ଦେଖିବାକୁ ଯାଉଛନ୍ତି । ନିକଟରେ ଦୁଇଜଣ ଷ୍ଟାରଙ୍କ ପୋଷ୍ଟର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସଲମାନ ଏବଂ ଅକ୍ଷୟଙ୍କ ପ୍ରଶଂସକମାନେ ଏନେଇ ଟ୍ୱିଟରରେ ଖୁବ ଆକ୍ଟିଭି ମଧ୍ୟ ଅଛନ୍ତି ।

‘ଧୁମ ୪’ରେ ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ନଜର ଆସିବା ନେଇ ସୋସିଆଲ ମିଡିଆରେ ଜୋରସୋରରେ ଖବର ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ପୋଷ୍ଟରରେ ଅକ୍ଷୟଙ୍କୁ ଆକ୍ସନ ମୋଡରେ ଦେଖିବାକୁ ମିଳିଛି  । ଏହା ବ୍ୟତୀତ ଅଭିନେତା ‘ଧମ୍ ୪’ ସମ୍ବନ୍ଧରେ ୟଶ ରାଜ ଫିଲ୍ମର ଆଦିତ୍ୟ ଚୋପ୍ରାଙ୍କୁ ଭେଟିଥିବା ମଧ୍ୟ ଖବର ଆସୁଛି । ଯହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଏଭଳି ଖବର ଆସିବା ପରେ ମଧ୍ୟ କାହାଠାରୁ କିଛି ବି ପ୍ରତିକ୍ରିୟା ଆସିପାରିନାହିଁ । କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଗୁଜବ ଏବଂ ମିଛ ଖବର ବୋଲି କୁହାଯାଉଛି ।

ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ‘ଧୁମ୍’ ହେଉଛି ବଲିଉଡର ଦ୍ୱିତୀୟ ବୃହତ୍ତମ ଚଳଚ୍ଚିତ୍ର, ଯାହା ବକ୍ସ ଅଫିସରେ ଖୁବ୍ ସଫଳତା ପାଇଛି । ଯଦିଓ ସଲମାନ ଖାନ ଏବେ ରବି ତେଜାଙ୍କ ଫିଲ୍ମ ‘ଖିଲାଡି’ର ହିନ୍ଦୀ ରିମେକ୍ ଯୋଜନାକୁ ବ୍ୟସ୍ତ ଅଛନ୍ତି। ସୂଚନା ଅନୁଯାୟୀ ଏହି ତେଲୁଗୁ ଚଳଚ୍ଚିତ୍ରର ରିମେକର ହେବା ନେଇ କଥାବାର୍ତ୍ତା ସରିଛି । ତେବେ ଅନ୍ୟପଟେ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଶୀଂ’ ରିଲିଜ ହେବାକୁ ଯାଉଛି। ଗତ ମାର୍ଚ୍ଚରୁ ପ୍ରଶଂସକମାନେ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି। କୁହାଯାଉଛି ଯେ, ଏହା ୨୦୨୧ରେ ଫିଲ୍ମ ହଲରେ ରିଲିଜ ହେବାର ପ୍ରଥମ ଫିଲ୍ମ ହେବ ।

ପୋଲିସ ହାତରେ ନକଲି ସେନାଅଧିକାରୀ, ଗାଡ଼ିରେ ମଧ୍ୟ ନକଲି ନମ୍ବର

ଭୁବନେଶ୍ୱର: ନୟାପଲ୍ଲୀ ପୋଲିସ କବ୍‌ଜାରେ ନକଲି ସେନାଧିକାରୀ । ଆର୍ମି ଅଫିସର ଭାବେ ପରିଚୟ ଦେଇ ଆସୁଥିଲେ  ।  ଏସୟୁଭି ଗାଡ଼ିରେ ଆର୍ମି ଲେଖି ଚଳାଉଥିଲେ ମଧ୍ୟ । ସେପଟେ ଗାଡ଼ିର ପଞ୍ଜୀକରଣ ନମ୍ବରକୁ ବି ଜାଲିଆତି କରି ଆଉ ଜଣଙ୍କ ଗାଡ଼ି ନମ୍ବରକୁ ନିଜ ଗାଡ଼ିରେ ଲଗାଇଥିଲେ ଅଭିଯୁକ୍ତ। ଜବତ ଏସୟୁଭି ପୂର୍ବରୁ ୩ ଥର ପୋଲିସ ହାତରେ ଧରାପଡ଼ିଛି ।

ଜାଲିଆତି କରି ଗାଡ଼ିରେ ଲାଗିଥିବା ନମ୍ବରରେ ଚାଲାଣ ମଧ୍ୟ କଟିଥିବା ସୂଚନା ମିଳିଛି  । ହେଲେ ଚାଲାଣଟି ପ୍ରକୃତ ଗାଡ଼ି ମାଲିକଙ୍କ ପାଖକୁ ଯାଇଛି । ଜରିମାନା ଦେଇଥିବା ଗାଡ଼ି ମାଲିକ ଏହି ନକଲି ବାବୁଙ୍କୁ ପିଛା କରି ଆସୁଥିଲେ । ଜରିମାନା ଗଣିଥିବା ବ୍ୟକ୍ତିଙ୍କ ସୂଚନା ଆଧାରରେ ନକଲି ବାବୁଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି  ।

ୟୁଜି ଓ ପିଜି ପାରୀକ୍ଷା ନେଇ ଗ୍ରୀନ୍ ସିଗନାଲ୍: ୧୮ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: UG ଓ PG ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ବୈଠକ ହୋଇଛି । ପିଲାଙ୍କ ପରୀକ୍ଷା ହେବା ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ମନ୍ତ୍ରୀ । ୧୮ତାରିଖରେ ଆଉ ଏକ ବୈଠକ ବସିବ । ଏହାପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଗତ ବର୍ଷ ଅନେକ ରାଜ୍ୟ ସରକାର ପରୀକ୍ଷା କରିନଥିଲେ । ଏଥର ରାଜ୍ୟରେ ମେ ୫ରେ ଲକଡାଉନ ହୋଇଛି । ଅନଲାଇନରେ ପିଲାଙ୍କ ପାଠପଢ଼ା ଚାଲିଛି । ତେଣୁ ଆସନ୍ତା ୧୮ ତାରିଖର ବୈଠକରେ ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଏଥିସହିତ ପଢ଼ନ୍ତୁ: ନକଲି ଔଷଧ ମିଳିବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ନିର୍ଦ୍ଦେଶ: ବିକ୍ରେତାଙ୍କ ଡ୍ରଗ୍ ଲାଇସେନ୍ସ ରଦ୍ଦ କରିବାକୁ ଦାବି