spot_img
Home Blog Page 5605

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ ଓ ବିଧାୟକ

ବାଲେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବାଲେଶ୍ୱର ବଳାରାମଗଡ଼ିରେ ଶକ୍ତିମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ପ୍ରଣବ ପ୍ରକାଶ ଦାସ ପହଞ୍ଚି ସ୍ଥିତି  ଅନୁଧ୍ୟାନ କରିଛନ୍ତି । ଜନସାଧାରଣଙ୍କ ଜୀବନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ।  କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଆବଶ୍ୟକ ମୁତାବକ ଖାଦ୍ୟ ସାମଗ୍ରୀ ଦିଆଯାଉଛି । ଜନସାଧାରଣଙ୍କ ଦାବି ମୁତାବକ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।

Minister And MLAs Reviewed Post Cyclone Situation In Balasore

ବାତ୍ୟାରେ କୌଣସି ପର୍ଯ୍ୟଟକଙ୍କର କ୍ଷତି ହୋଇନାହିଁ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ  । ସରକାରୀ ସ୍ତରରେ ଓ ବିଜୁ ଜନତା ଦଳ ପକ୍ଷରୁ କାମ ଜାରି ରହିବ । ଶକ୍ତି ବିଭାଗ କ୍ଷୟକ୍ଷତି ଆକଳନ ଚାଲିଛି ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ବଳରାମଗଡ଼ି ପରେ ଚାନ୍ଦିପୁରରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

Minister And MLAs Reviewed Post Cyclone Situation In Balasore

ବାତ୍ୟା ସମୟରେ ଜୋର ପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ବାହନଗା ବ୍ଲକର ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛକୁ ଓଡ୍ରାଫ୍ ଟିମ୍ ସହ ଗଛକୁ କାଟି ସଫା କରିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ବିଧାୟକ ଗଛ ସଫା କରିବା ସହ ବାତ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଆକାଶରେ ଦୃଶ୍ୟ ମାନ ଲୋହିତ ଚନ୍ଦ୍ର

ନୂଆଦିଲ୍ଲୀ: ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଗ୍ରହଣ ପକ୍ରିୟା ଲାଗିଥିବାବେଳେ ଆଜି ଦେଖିବାକୁ ମିଳିବ ସୁପରମୁନ ।  ଦୀର୍ଘ ୬ ବର୍ଷ ପରେ ଦେଖିବାକୁ ମିଳିବ ଏହି ବିରଳ ଦୃଶ୍ୟ । ଏହା ମଧ୍ୟ ବେସ ଖାସ ଏବଂ ରୋଚକ । ଏହି ଚନ୍ଦ୍ର ଗ୍ରହଣ ପୂର୍ବ ଏସିଆ ସମେତ ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗରୀୟ ଦେଶ ଏବଂ ଆମେରିକାରେ ଦେଖିବାକୁ ମିଳିବ । ଅପରାହ୍ନ ୨ଟା ୧୭ ମିନିଟରୁ ବିଦେଶରେ ଆରମ୍ଭ ହୋଇଯାଇଛି ଚନ୍ଦ୍ରଗ୍ରହଣ ପକ୍ରିୟା ।

 

ପୃଥ୍ୱି ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବାର୍ତ୍ତା ଅନୁଯାୟୀ, ଏହି ଚନ୍ଦ୍ର ଗ୍ରହଣ ଭାରତରେ ମଧ୍ୟ ଦେଖିବାକୁ ମିଳିବ । ବିଶେଷକରି ଭାରତର ପୂର୍ବତ୍ତୋର ରାଜ୍ୟଗୁଡିକରେ ଦେଖିବାକୁ ମିଳିବ ସୁପରମୁନ । ଅର୍ଥାତ ଓଡିଶାର କିଛି ଅଞ୍ଚଳ ସମେତ, ପଶ୍ଚିମବଙ୍ଗ ଏବଂ ଆସାମର ଅନେକ ଅଞ୍ଚଳରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଅର୍ଥାତ ସୁପରମୁନର ଝଲକ ଦେଖାଯିବ ।

ତଥ୍ୟ ଅନୁସାରେ ୨୧ ଜାନୁୟାରୀ ୨୦୧୯ ମସିହା ପରେ ଭାରତରେ ପୂର୍ଣ୍ଣ ଚନ୍ଦ୍ରଗ୍ରଣ ଦେଖିବାକୁ ମିଳିନାହିଁ । ତେଣୁ ୨୦୧୯ ମସିହା ପରେ ପ୍ରଥମଥର ପାଇଁ ଦେଶରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ସେପଟେ ବିଦେଶରେ ଚନ୍ଦ୍ରଗ୍ରହଣ ପ୍ରକ୍ରିୟା ଅପରାହ୍ନ ୨ ଟା ପରେ ଆରମ୍ଭ ହୋଇଯାଇଛି । ଚନ୍ଦ୍ରୋଦୟ ହେବା ପରେ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଛି । ଉତ୍ତରପୂର୍ବରେ ରହିଥିବା ରାଜ୍ୟ ସିକିମକୁ ଛାଡି ଅନ୍ୟ ରାଜ୍ୟ ଗୁଡିକ, ଯେପରିକି ଓଡିଶା, ପଶ୍ଚିମବଙ୍ଗ, ଆସାମ, ଆଣ୍ଡାମାନ, ନିକୋବରର କିଛି ଅଞ୍ଚଳରେ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ।

ଭାରତୀୟ ସମୟ ୩ ଟା ୧୫ ପରେ ଚନ୍ଦ୍ରଗ୍ରହଣର ଆଶିଂକ ପକ୍ରିୟା ଆରମ୍ଭ ହୋଇଯାଇଛି । ସେପଟେ ଦୀର୍ଘ ୬ ବର୍ଷ ପରେ ସୁପରମୁନ ଦେଖାଯାଇଛି । ଅର୍ଥାତ ଚନ୍ଦ୍ର ପୃଥିବୀର ନିକଟତର ହୋଇଥିବା ବେଳେ , ଚନ୍ଦ୍ର ରଙ୍ଗ ସମୂର୍ଣ୍ଣ ଲାଲ ରହିଛି । ଅନ୍ୟପଟେ ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ୟାସର ପ୍ରଭାବ ରହିଥିବାବେଳେ ଆକାଶ ମେଘାଛନ୍ନ ରହିଛି । ଓଡିଶାର ବାଲେଶ୍ୱରରେ ସାମୁଦ୍ରିକ ଝଡ଼ ୟାସ ସ୍ଥଭାଗ ଅତିକ୍ରମ କରିଛି । ଫଳରେ ବାଲେଶ୍ୱର ସମେତ ଭଦ୍ରକ, କେନ୍ଦ୍ରାପଡା,ଯାଜପୁର ଆଦି ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଛି । ସମଗ୍ର ରାଜ୍ୟରେ ପାଣିପାଗ ସ୍ଥିତି କୋହଲା ରହିଥିବାରୁ ଚନ୍ଦ୍ରଗ୍ରହଣ ଦେଖାଯାଉନାହିଁ ।

ରଖେ ହରି ତ ମାରେ କିଏ, ଘରୁ ବାହାରିବାର ୨ ମିନିଟ୍ ପରେ ଘର ଉପରେ ମାଡ଼ି ବସିଲା ବିରାଟ ଗଛ

କେନ୍ଦ୍ରାପଡ଼ା: ଲ୍ୟାଣ୍ଡଫଲ୍ ପରେ ଚାଲି ଯାଇଛି ବାତ୍ୟା । ହେଲେ ବାତ୍ୟା ପରର ବିଭୀଷିକା ମନକୁ ବୁଝାଇ ପାରୁନି । ଭିତରକନିକାର ଡାଙ୍ଗମାଳ ପଞ୍ଚାୟତ ବଡ଼ାଡ଼ିଆ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ୪୦ ବର୍ଷର ଚାକୁଣ୍ଡା ଗଛ ସହ ଅନେକ ଗଛ ଘର ଉପରେ ମାଡ଼ି ବସିଛି । ପ୍ରବଳ ବର୍ଷା ଓ ଜୋର ପବନରେ ଆଖି ଆଗରେ ଘର ଉପରେ ଗଛ ମାଡ଼ି ବସିଥିଲା । ଘର ଉପରେ ଗଛ ମାଡ଼ି ବସିବା ପରେ କାହାରି ମୁହଁରେ ଆଉ ଭାଷା ନାହିଁ ।

Cyclone Yass, House Damaged In Dangamal Of Bhitarakanika

କୋହ ସମ୍ଭାଳି ପାରୁନାହାଁନ୍ତି ମହିଳା । ଘରୁ ବାହାରିବାର କେଇ ମିନିଟ୍ ମଧ୍ୟରେ ଗଛ ଘର ଉପରେ ମାଡ଼ି ବସିଥିଲା । ଫଳରେ ପରିବାର ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ପରିବାରର ସଦସ୍ୟ ଗାଁରେ ଥିବା ଅନ୍ୟ ପକ୍କା ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି । ଡାଙ୍ଗମାଳ ସହ ତାଳଚୁଆ ପଞ୍ଚାୟତରେ ମଧ୍ୟ ବାତ୍ୟା ‘ୟାସ୍’ ବ୍ୟାପକ ତାଣ୍ଡବ ରଚିଛି । ବହୁ ଗଛ ଉପୁଡ଼ି ପଡ଼ିବା ଫଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ।

ପଶ୍ଚିମବଙ୍ଗରେ ‘ୟାସ୍’ ତାଣ୍ଡବ; ହଳଦିଆରେ ଭାଙ୍ଗିଲା ପୋଲ, ଦୀଘା ସହରରେ ପଶିଲା ପାଣି

କୋଲକାତା: ଅତି ଭୀଷଣ ବାତ୍ୟା ‘ୟାସ୍’ ଉତ୍ତର ଓଡ଼ିଶା ସହ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି । ବାତ୍ୟା ‘ୟାସ୍’ ବାଲେଶ୍ୱରର ରେମୁଣା-ବାହାନଗା ଅଞ୍ଚଳରେ ଲ୍ୟାଣ୍ଡଫଲ୍ ପରେ ମୟୂରଭଞ୍ଜ ଦେଇ ଝାଡ଼ଖଣ୍ଡ ମୁହାଁ ହୋଇଛି । ତଥାପି ପବନ ଓ ବର୍ଷା କମିନି । ଓଡ଼ିଶା ସହ ପଶ୍ଚିମବଙ୍ଗ ଉପକୂଳରେ ସନ୍ଧ୍ୟା ଯାଏ ଜୋରରେ ପବନ ବହିବ ।

Cyclone Yaas Effect, Bridge Collapsed In Haldia Of West Bengal

ଓଡ଼ିଶା ଭଳି ପଶ୍ଚିମବଙ୍ଗର କେତେକ ତଳିଆ ଅଞ୍ଚଳରେ ପାଣି ପଶି ଯାଇଛି । ହଳଦିଆ ଏୟାରପୋର୍ଟରେ ଲହଢ଼ି ଭାଙ୍ଗୁଛି ପାଣି । ଦୀଘା ସହରରେ ମଧ୍ୟ ପାଣି ପଶିଛି । ସହରରେ ଥିବା ବିଭିନ୍ନ ଦୋକାନରେ ମଧ୍ୟ ପାଣି ପଶିଛି । ସମୁଦ୍ର ଲହରୀରେ ଦୀଘାର ସଡ଼କ ନଦୀର ଭ୍ରମ ସୃଷ୍ଟି କରିଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା ନିୟୋଜିତ ହୋଇଛି । ସହରର ପ୍ରାୟ ୨ କିଲୋମିଟର ଅଞ୍ଚଳରେ ସମୁଦ୍ର ପାଣି ପଶି ଯାଇଛି ।

Cyclone Yaas Effect, Bridge Collapsed In Haldia Of West Bengal

ତେବେ ଲକଡାଉନ୍ ଯୋଗୁଁ ଦୋକାନ ଗୁଡ଼ିକ ବନ୍ଦ ରହିଥିଲା । ଏବେ ସମୁଦ୍ର ପାଣି ପଶିଯିବା ପରେ ଦୋକାନରୁ ସାମଗ୍ରୀ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି । ହଳଦିଆରେ ଉଚ୍ଚା ଲହର ଆସିବା ପରେ ଏକ ପୋଲର ଅଧା ଅଂଶ ଭାଙ୍ଗି ଯାଇଛି । ଦକ୍ଷିଣ ୨୪ ପ୍ରଗଣା, ସାଗର, ଗୌସାବା, କେ ମନ୍ଦାରମଣି, ଦୀଘା ଓ ଶଙ୍କରପୁର ଆଦି ଅଞ୍ଚଳରେ ପାଣି ପଶିଛି ।

https://www.youtube.com/watch?v=utz6EO_iK34

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା ମୁକାବିଲା ରଣନୀତି ଉପରେ ଆନନ୍ଦ ମହିନ୍ଦ୍ରାଙ୍କ ଭରସା

ଭୁବନେଶ୍ୱର: ପୁଣି ଏକ ବାତ୍ୟାର ସମ୍ମୁଖୀନ ହୋଇଛି ଓଡ଼ିଶା । ପୂର୍ବ ଅଭିଜ୍ଞତାକୁ ପାଥେୟ କରି ଏହାର ମୁକାବିଲା ନେଇ ଜୋରଦାର ପ୍ରୟାସ ଚଳାଇଛି ରାଜ୍ୟ । ଫାଇଲିନ୍, ହୁଦ୍‌ହୁଦ, ତିତଲି, ଅମ୍ଫାନ, ଫୋନି ପରେ ଏବେ ୟାସ୍‌କୁ ସାମ୍ନା କରୁଛି ରାଜ୍ୟ । ଆଉ ଏହି ବାତ୍ୟା ମୁକାବିଲାର ମଙ୍ଗ ଧରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ଘନ ଘନ ବୈଠକ ସାଙ୍ଗକୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରସ୍ତୁତି ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ବାତ୍ୟା ମୁକାବିଲାର ନେଇ ପ୍ରସ୍ତୁତି ଓ ଯୋଜନାକୁ ପ୍ରଶଂସା କରିଛି ଆନନ୍ଦ ମହିନ୍ଦ୍ରା । ସେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ମୁକାବିଲା ସମ୍ପର୍କିତ ପଦକ୍ଷେପକୁ ପ୍ରଶଂସା କରିବା ସହ ତାଙ୍କ ମୁକାବିଲା ରଣନୀତି ଉପରେ ଆସ୍ଥା ପ୍ରକଟ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଅତି ସତର୍କତାର ସହ ବାତ୍ୟା ମୁକାବିଲା କରିଥିବା ବେଳେ ଚଳିତଥର ମଧ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ସଫଳ ହେବ । ୟାସ୍ ମୁକାବିଲାରେ ସମ୍ପୂର୍ଣ୍ଣ ଦେଶ ଆପଣଙ୍କ ସହିତ ଥିବା ସେ କହିଛନ୍ତି ।

 

ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା: ବାଲେଶ୍ୱରରୁ ମୟୂରଭଞ୍ଜ ଆଡ଼କୁ ମୁହାଁଇଛି ବାତ୍ୟା ‘ୟାସ୍’

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ଫଳରେ ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି । କିନ୍ତୁ ନୀଳଗିରିରେ ବର୍ଷା ଓ ପବନ ବଢୁଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । କିଛି ସ୍ଥାନରେ ଅଳ୍ପ ଗଛ ପଡ଼ିଥିବା ବେଳେ ଆଜି ରାତି ସୁଦ୍ଧା ସଫା ହୋଇଯିବ। ନୀଳଗିରିରେ ଅଧିକ ଗଛ ଭାଙ୍ଗିଛି । ମୟୂରଭଞ୍ଜ ଜିଲ୍ଲାପାଳ ବୁଢ଼ାବଲଙ୍ଗ ନଦୀ ପାଖରେ ସ୍ଥାନାନ୍ତରଣ ଚଳାଇଛନ୍ତି । ବାତ୍ୟା ୨ ଘଣ୍ଟା ଭିତରେ ବାଲେଶ୍ଵରରୁ ବାହାରି ମୟୁରଭଞ୍ଜରେ ପ୍ରବେଶ କରିବ। ୧୦୦ କି.ମିରୁ ଅଧିକ ବେଗରେ ପବନ ବହିଛି । ଶିମିଳିପାଳ ରେଞ୍ଜରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରାଯାଉଛି। ବାଲେଶ୍ଵରରେ ଗୋଟାଏ ଯୁବକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରୁ ଯିବାକୁ ବାରଣ କରାଯିବା ସତ୍ତ୍ୱେ ସେ ବାହାରିଥିଲେ । ଏବଂ ବାଟରେ ତାଙ୍କ ଉପରେ ଗଛ ପଡ଼ିଥିବା ସୂଚନା ମିଳିଛି । ଏ ନେଇ ତହସିଲଦାର ସବିଶେଷ ସୂଚନା ଦେବେ । ସେହିଭଳି କେନ୍ଦୁଝରରେ ଲୋକଙ୍କ ଉପରେ ଗଛ ପଡ଼ିଥିବା ସୂଚନା ରହିଛି ଏ ନେଇ ଜିଲ୍ଲାପାଳ ରିପୋର୍ଟ ଦେବେ । ବହୁତ ଗାଁରେ ପାଣି ପଶିଛି । ୪ ମିଟର ପାଣି ଆସିଛି । ବହନଗା, ରେମୁଣା, ବାଲେଶ୍ଵର ସଦର, ଧାମରାରେ ପାଣି ପଶିଛି । ଦିନେ ଦୁଇ ଦିନ ଭିତରେ କ୍ଷତି ହିସାବ ଜଣାପଡ଼ିବ। ପାଣି ଘେରରେ ଥିବା ଲୋକଙ୍କ ପାଇଁ ୩ ଦିନ ପାଇଁ ରନ୍ଧା ଖାଦ୍ୟ ଦେଇପାରିବେ ଜିଲ୍ଲାପାଳ । ତେବେ କେଉଁଠି ବି ମୋବାଇଲ ସେବା ଠପ୍ ହୋଇନଥିବା କହିଛନ୍ତି ଏସ୍ଆରସି ।

ଏଥିସହିତ ପଢ଼ନ୍ତୁ: ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟା ପ୍ରତି ପବନର ବେଗ ସର୍ବାଧିକ ୧୫୦ କିଲୋମିଟର ରହିବ

IMAର ବାବା ରାମଦେବଙ୍କୁ ନୋଟିସ,କ୍ଷମା ନମାଗିଲେ ୧୦୦୦ କୋଟିର ମାନହାନୀ ମାମଲା

ନୂଆଦିଲ୍ଲୀ: ଯୋଗଗୁରୁ ସ୍ୱାମୀ ରାମଦେବ ଓ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ । ଡାକ୍ତରଙ୍କ ବିରୋଧରେ ବିବାଦିତ ବୟାନକୁ ନେଇ ଆଇଏମଏ ରାମଦେବଙ୍କୁ ମାନହାନୀ ନୋଟିସ ପଠାଇଛି । ବାବା ରାମଦେବ ଯଦି ୧୫ ଦିନ ମଧ୍ୟରେ ନିଜ ବୟାନ ପାଇଁ କ୍ଷମା ମାଗନ୍ତି ନାହିଁ ତେବେ ତାଙ୍କ ବିରୋଧରେ ଏକ ହଜାର କୋଟି ଟଙ୍କାର ମାନହାନୀ ମାମଲା ଦାଏର କରିବାକୁ ସଂଘ ଧମକ ଦେଇଛି

ନୋଟିସରେ କୁହାଯାଇଛି ଯେ, ବାବା ରାମଦେବଙ୍କ ବୟାନ କାରଣରୁ ଡାକ୍ତରଙ୍କ ପ୍ରତି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।ନୋଟିସରେ ବୟାନକୁ ଅପରାଧ ଭାବେ କୁହାଯାଇ ଏଥିପାଇଁ ସଜ୍ଜା ଓ ଜରିମାନା କଥା ଉଲ୍ଲେଖ କରାଯାଇଛି । ନୋଟିସରେ ଆଇଏମଏ ସ୍ପଷ୍ଟ ଶବ୍ଦରେ ବାବାଙ୍କୁ ତାଙ୍କ ବୟାନ ପାଇଁ ନୋଟିସ ପାଇବାର ୧୫ ଦିନ ମଧ୍ୟରେ କ୍ଷମା ମାଗିବାକୁ କୁହାଯାଇଛି । କ୍ଷମା ନମାଗିଲେ ସଂଘ ତାଙ୍କ ବିରୋଧରେ ଏକ ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କରିବ ବୋଲି କହିଛି

ଏଥିସହିତ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତରେ ପହଞ୍ଚିଲା ହ୍ୱାଟସଆପ୍

ଆଇଏମଏ ସ୍ୱାମୀ ରାମଦେବଙ୍କ ପତଞ୍ଜଳୀ କମ୍ପାନୀର ଶ୍ୱାସରି କରୋନିଲ କିଟକୁ ନେଇ ମଧ୍ୟ ଆପତ୍ତି କରିଛି । ସଂଗଠନ ରାମଦେବଙ୍କୁ କହିଛି ଯେ, ଏହି ସୂଚନା ମିଳିବାର ୭୬ ଘଣ୍ଟା ମଧ୍ୟରେ କୋରୋନିଲ୍ କିଟ୍ ସହିତ ଜଡିତ ସମସ୍ତ ବିଜ୍ଞାପନ ଫେରାଇ ନିଅନ୍ତୁ । କରୋନା ଟିକା ନେବା ପରେ ଉତ୍ପନ ପାର୍ଶ୍ୱପ୍ରତିକ୍ରିୟା ଦୂର କରିବାରେ ଏହି କିଟ୍ ସହାୟକ ବୋଲି ବିଜ୍ଞାପନରେ ଦାବି କରାଯାଉଛି । କୋରୋନିଲ କିଟକୁ ନେଇ ବାବା ରାମଦେବ ଓ ତାଙ୍କ କମ୍ପାନୀ ଭ୍ରମପୂର୍ଣ୍ଣ ପ୍ରଚାର କରୁଛନ୍ତି ବୋଲି ଆଇଏମଏ ଅଭିଯୋଗ କରିଛି ।

 

କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତରେ ପହଞ୍ଚିଲା ହ୍ୱାଟସଆପ୍

ନୂଆଦିଲ୍ଲୀ: ଫେସବୁକ ମାଲିକାନାରେ ଥିବା ହ୍ୱାଟ୍ସଆପ୍ ଭାରତ ସରକାରଙ୍କ ନୂଆ ଆଇଟି ଆଇନ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ତ ହୋଇଛି । ନୂଆ ନିୟମ ଅନୁସାରେ ହ୍ୱାଟ୍ସଆପ୍ ଓ ଏହାଭଳି ଅନ୍ୟ ମେସେଜିଂ ଆପ କମ୍ପାନୀଙ୍କୁ ମେସେଜର ମୂଳଉତ୍ସ ବାବଦରେ ଜଣାଇବାକୁ ପଡିବ । ଅର୍ଥାତ ହ୍ୱାଟ୍ସଆପକୁ ଗୋଟିଏ ମେସେଜ ସର୍ବପ୍ରଥମେ କେଉଁଠାରୁ ପଠା ଯାଇଥିବା ତାହାର ସୂଚନା ରଖିବାକୁ ହେବ । ଏହି ନିୟମ ବିରୋଧରେ କମ୍ପାନୀ ମେ ୨୫ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଛି ।
ରୟଟର୍ସ ରିପୋର୍ଟ ଅନୁସାରେ ହ୍ୱାଟ୍ସଆପ୍ ମୁଖପାତ୍ର କହିଛନ୍ତି ଯେ, କୌଣସି ଚାଟକୁ ଏଭଳି ଟ୍ରେସ୍ କରିବା ହ୍ୱାଟ୍ସଆପରେ ପଠାଯାଇଥିବା ସବୁ ମେସେଜ୍ ଉପରେ ନଜର ରଖିବା ଭଳି ହେବ । ଏହା ଦ୍ୱାରା ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପ୍ସନ ଲୋପ ପାଇଯିବ ଓ ଏହା ଲୋକଙ୍କ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ହେବ ।
ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ, ଆମେ କୌଣସି ସୂଚନା ପାଇଁ ସରକାରଙ୍କ ବୈଧ ଅନୁରୋଧର ଯବାବ ଦେବୁ । ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ଭାରତ ସରକାରଙ୍କ ସହିତ ଆଲୋଚନା ଜାରି ରଖିବୁ ।
ନୂଆ ଆଇନ ଅନୁସାରେ ହ୍ୱାଟ୍ସଆପକୁ ସେହି ବ୍ୟକ୍ତିଙ୍କ ସୂଚନା ସରକାରଙ୍କୁ ଦେବାକୁ ପଡିବ ଯେଉଁମାନ ବେଆଇନ୍ କାର୍ଯ୍ୟ ପାଇଁ ହ୍ୱାଟ୍ସଆପକୁ ବ୍ୟବହାର କରୁଛନ୍ତି । ତେବେ କମ୍ପାନୀର କହିବା ହେଉଛି ଏମିତି କରି ହେବନାହିଁ କାରଣ ହ୍ୱାଟ୍ସଆପରେ ମେସେଜ୍ ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପ୍ଟେଡ୍ । ଏଭଳି ସୂଚନା ଦେବାର ଅର୍ଥ ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପ୍ସନର ଅନ୍ତ ।

ନୂଆ ନିୟମ କ’ଣ ?
ନୂଆ ଗାଇଡ୍ ଲାଇନ୍ ଅନୁସାରେ ଫେସବୁକ୍,ଟ୍ୱିଟର,ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ଜଣେ ଅଭିଯୋଗ ଅଧିକାରୀ,ଜଣେ ମୁଖ୍ୟ ଅନୁପାଳନ ଅଧିକାରୀ ଓ ଜଣେ ନୋଡାଲ କଣ୍ଟାକ୍ଟ୍ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ପଡିବ । ଗାଇଡ୍ ଲାଇନର ଅନ୍ତିମ ତିଥି ଆଜି ଅର୍ଥାତ ୨୭ ମେ’ରେ ଶେଷ ହେଉଛି । ତେବେ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ଆଦେଶ ଅନୁସାରେ କୌଣସି ଗୋଟିଏ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏଭଳି ନିଯୁକ୍ତି କରିନାହାନ୍ତି । ଯଦି କମ୍ପାନୀ ଏହି ନିୟମକୁ ପାଳନ କରିବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।
ନୂଆ ଆଇନ ଅନୁସାରେ ସୋସିଆଲ ମିଡିଆ ଆପ୍ ଉପରେ ନଜର ରଖିବାକୁ ଏକ କମିଟି ଗଠିତ ହେବ । ଏହି କମିଟିରେ ପ୍ରତିରକ୍ଷା,ବୈଦେଶିକ ବିଭାଗ,ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ,ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ,ଆଇନ,ସୂଚନା ପ୍ରଯୁକ୍ତି ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରତିନିଧି ସାମିଲ ଅଛନ୍ତି । ଆଚାରଣ ସଂହିତା ଉଲ୍ଲଂଘନ ସ୍ଥିତିରେ କମିଟି ଏହାର ଶୁଣାଣି କରିପାରିବ । ଏହା ମଧ୍ୟ ନିଜ ଆଡୁ ମାମଲା ରୁଜ୍ଜ କରିପାରିବ ।

ଏଥିସହିତ ପଢ଼ନ୍ତୁ: ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟା ପ୍ରତି ପବନର ବେଗ ସର୍ବାଧିକ ୧୫୦ କିଲୋମିଟର ରହିବ

ଶାନ୍ତି ହୋଇ ପୁଣି ବହିବ ଦ୍ୱିତୀୟ ପର୍ଯ୍ୟାୟ ପବନ: ‘ବାତ୍ୟା ସରିଗଲା ବୋଲି ଭାବିବେନାହିଁ’

ଭୁବନେଶ୍ୱର: ବାତ୍ୟା ସମୟରେ ଗୋଟିଏ ଦଲକାରେ ସବୁ ପବନ ଯାଏଁ ନାହିଁ । ପବନର ବେଗ ଟିକେ ସ୍ଥିର ହୋଇଯାଇପାରେ । ପରେ ବଡ଼ ଧରଣ ଦଲକା ପବନ ଆସିବ । ଏଣୁ ଏହି ସମୟରେ ବାତ୍ୟା ସରଗଲା ଭାବି କେହିଁ ବାହାରକୁ ବାହାରନ୍ତୁ ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଦଲକା ପବନ ବହିବ ତାହା ଅତି ଭୟଙ୍କର ହେବ । ଅଧିକ କ୍ଷୟକ୍ଷତି ଘଟିବ । ପ୍ରଥମ ଦଲକା ପବନ ପରେ ବାତ୍ୟାର ଆଖି ଗତି କରିବ ଏଣୁ ପବନ ବହିବା ପାଖାପାଖି ଅଧଘଣ୍ଟାରୁ ୪୫ ମିନିଟ ଯାଏଁ  କମିଯାଇପାରେ । ଏବଂ ଏହି ସମୟରେ ଖରା ମଧ୍ୟ ଦେଖାଯାଇପାରେ । କିନ୍ତୁ ବାତ୍ୟା ସରିଗଲା ବୋଲି ଭାବିବେନାହିଁ ଏବଂ ଘରୁ କିମ୍ୱା ସୁରକ୍ଷିତ ସ୍ଥାନରୁ ବାହାରିବେ ନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।  କିଛି ସମୟ ପବନ ବହିବା ବନ୍ଦ ହେବା ପରେ ପୁଣି ଅତି ଭୟଙ୍କର ଭାବେ ବିପରିତ ଦିଗରୁ ପବନ ବହିବ ଏବଂ ବ୍ୟାପକ କ୍ଷୟକ୍ଷତି ଘଟିବ । ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଏଭଳି ପବନ ବହିବ ବୋଲି କହିଛନ୍ତି ଏସ୍ଆରସି ।

ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟା ପ୍ରତି ପବନର ବେଗ ସର୍ବାଧିକ ୧୫୦ କିଲୋମିଟର ରହିବ

ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୦ରୁ ୧୪୦ କି.ମି ରହିବ । ବେଳେ ୧୫୦ କିମି ବେଗରେ ପବନର ଝଟ୍‌କା ଲାଗିପାରେ । ପବନର ଏହି ବେଗ ଆଗାମୀ ୩ରୁ ୪ ଘଣ୍ଟା ଯାଏଁ ରହିବ । ସ୍ଥଳଭାଗ ଛୁଇଁଲା ପରେ ପବନରେ ବେଗ କମିବାରେ ଲାଗିବ । ଆସନ୍ତାକାଲି ବେଳକୁ ପବନର ବେଗ ହ୍ରାସ୍ ଘଟିବ । ବାଲେଶ୍ୱର ଓ ଭଦ୍ରକରେ ବର୍ତ୍ତମାନ ୧୩୦ରୁ ୧୪୦ ବେଗରେ ପବନ ବହୁଥିବା ବେଳେ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିବ । କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପବନ ବେଗ ଅପେକ୍ଷାକୃତ କମ୍ ରହିବ ।  କେନ୍ଦୁଝର, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଣ୍ଟା ପ୍ରତି ପବନର ବେଗ ଘଣ୍ଟା ପ୍ରତି ୬୦-୯୦ କିଲୋମିଟର ରହିବ । ତେବେ ବାତ୍ୟା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଲ୍ୟାଣ୍ଡଫଲ୍ କଲା ପରେ ବାତ୍ୟା ‘ୟାସ୍’ ଦୁର୍ବଳ ହେବା ସହ ଝାରଖଣ୍ଡ ମୁହାଁ ହେବ । ବର୍ତ୍ତମାନର ଲ୍ୟାଣ୍ଡଫଲ୍ ସମୟରେ ଲୋକେ ଧୌର୍ଯ୍ୟ ଧରିବା ସହ  ଘରେ ରହିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

https://www.youtube.com/watch?v=epdFGxwUHaU

ଏଥିସହିତ ପଢ଼ନ୍ତୁ ନୀଳଗିରି ଅଞ୍ଚଳରେ ବାତ୍ୟା ବିତ୍ପାତ: ଘର ଉପରେ ଭାଙ୍ଗି ପଡ଼ିଲା ଗଛ