spot_img
Home Blog Page 5614

ବାତ୍ୟା ‘ୟଶ୍’ ନେଇ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ‘ୟଶ୍’ ନେଇ ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି  । ସମୀକ୍ଷା ବୈଠକରେ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟର ଅଧିକାରୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ଏଜେନ୍ସି ଭାଗ ନେଇଥିଲେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ‘ୟଶ୍’ ୨୬ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଅତିକ୍ରମ କରିବ  । ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ରହିବ ।

ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ରାଜ୍ୟ ସହ ୨୪ ଘଣ୍ଟା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମ୍ପର୍କରେ ରହିଛି । ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଏସଡିଆରଏଫ୍ ଟିମ୍ ପଠାଯାଇଛି । ଏନଡିଆରଏଫର ୪୬ଟି ବୋଟ୍, ଗଛ କାଟିବା ମେସିନ୍, ଟେଲିକମ୍ ଯନ୍ତ୍ରପାତି ସହ ମୁତୟନ ହୋଇଛନ୍ତି । ୧୦ ଗୋଟି ଟିମକୁ ଷ୍ଟାଣ୍ଡବାଏରେ ରଖା ଯାଇଛି  ।

ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଜାହାଜ ଓ ହେଲିକପ୍ଟରକୁ ରିଲିଫ୍, ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ୍ କରାଯିବ  । ଏୟାର ଫୋର୍ସ ଏବଂ ସେନାର ଇଞ୍ଜିନିୟର ଟାସ୍କ ଫୋର୍ସ ୟୁନିଟ୍ ବୋଟ୍ ଓ ଉଦ୍ଧାର ସାମଗ୍ରୀ ସହ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସହ ନିରନ୍ତର ଭାବେ ଯୋଗାଯୋଗରେ ରହି ସୁରକ୍ଷିତ ସ୍ଥାନାନ୍ତରଣ ତଦାରଖ ପାଇଁ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବାଲେଶ୍ୱର, ଭଦ୍ରକରେ SRCଙ୍କ ସମୀକ୍ଷା: କୋଭିଡ ହସ୍ପିଟାଲରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଉପରେ ଗୁରୁତ୍ୱ

ଭୁବନେଶ୍ୱର/ବାଲେଶ୍ୱର: ୱେଲ୍‌ମାର୍କ ଲୋ’ ପ୍ରେସରରେ ପରିଣତ ହେଲା ଲଘୁଚାପ । ଆସନ୍ତା ୧୨ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି  । ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇଛି  ଲଘୁଚାପ । ୨୪ ତାରିଖ ମଧ୍ୟରେ ବାତ୍ୟା ୟଶ୍‌ର ରୂପ ନେବ  । ଉତ୍ତର- ପଶ୍ଚିମ ଦିଗରେ ଗତିକରି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଏହାର ପ୍ରଭାବରେ ୨୫ ତାରିଖରୁ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବ । ବାତ୍ୟା ୟଶ୍ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଘଣ୍ଟାପ୍ରତି ୫୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ୨୫ ତାରିଖରୁ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା ଏବଂ ପୁରୀରେ ପ୍ରବଳ ବର୍ଷା ହେବ । ୨୬ ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବାଲେଶ୍ୱରରେ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ବାତ୍ୟା ‘ୟଶ’ ପ୍ରଭାବରେ ଓଡ଼ିଶାର ଦୁଇଟି ଜିଲ୍ଲା ପ୍ରଭାବିତ ହେବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ସେହି ସମୟରେ ଓଡ଼ିଶାର ୨ଟି ଜିଲ୍ଲା ବାଲେଶ୍ୱର ଓ ଭଦ୍ରକ ବିଶେଷଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ଜିଲ୍ଲାରେ କିଭଳି ପ୍ରସ୍ତୁତ କରାଯାଇଛି ତାର ସମୀକ୍ଷା ପାଇଁ ବାଲେଶ୍ୱର ଓ ଭଦ୍ରକ ଗସ୍ତ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ସମୟରେ ଝଡ଼ ହେଲେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ତାର ଅନୁଧ୍ୟାନ କରିଛନ୍ତି ଏସଆରସି ।

ସେହିଭଳି ବାତ୍ୟା ସମୟରେ ବିଦ୍ୟୁତ ଯୋଗାଣର ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସମସ୍ତ କୋଭି୍‌ଡ କେଆର ସେଣ୍ଟର, କୋଭିଡ୍‌ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି  । ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି  । ମୁଖ୍ୟତଃ ଡିସ୍କମ କମ୍ପାନୀ ଟାଟାକୁ ଅଧିକ ସତର୍କ ଓ ସଜାଗ ରହିବାକୁ କୁହାଯାଇଛି  । ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଲେ ତୁରନ୍ତ ସମାଧାନ ପାଇଁ ଦିଆଯାଇଛି ନିର୍ଦ୍ଦେଶ  । ବାତ୍ୟା ପରେ ବିଦ୍ୟୁତ ବ୍ୟବସ୍ଥା ସ୍ବାଭାବିକ କରିବା ପାଇଁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି  । ଅତ୍ୟାଧୁନିକ ଯନ୍ତ୍ରପାତି ଏହି ଟିମ ପାଖରେ ରହିବ ଓ ସେମାନେ ରାସ୍ତା ସଫାକରି ବିଦ୍ୟୁତ ସରାବରାହକୁ ଠିକ କରିବେ  । ବାତ୍ୟା ସମୟରେ ଗ୍ରାଉଣ୍ଡ ଲେଭଲରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କିଭଳି ଖାଦ୍ୟ ଓ ପାନୀୟ ଠିକ ଭାବେ ମିଳିବ, ସେନେଇ ବ୍ୟବସ୍ଥା କରାଯାଇଥିବା ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି  ।

ଶସ୍ତା ସାନିଟାଇଜର ପାଇଁ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌, କ’ଣ ପାଇଁ ଜାଣନ୍ତୁ

ନୂଆଦିଲ୍ଲୀ: କରୋନାରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧନ୍ତୁ ହାତରେ ସାନିଟାଇଜର ଲଗାନ୍ତୁ। କିନ୍ତୁ ଶସ୍ତା ସାନିଟାଇଜର କିଣୁଥିଲେ ସାବଧାନ ରୁହନ୍ତୁ। ସସ୍ତାରୁ ଆପଣ ହିନସ୍ତା ହୋଇପାରନ୍ତି। ରୋଗକୁ ହାତଠାରି ଘରକୁ ଡାକି ପାରନ୍ତି। କାରଣ ଶସ୍ତା ସ୍ପ୍ରେ ସାନିଟାଇଜର ଆପଣଙ୍କୁ ବହୁପରିମାଣରେ କ୍ଷତି ପହଞ୍ଚାଇପାରେ। ଏମିତି ଏକ କ୍ଷତି ଯାହା ଆପଣଙ୍କୁ ମୃତ୍ୟୁ ମୁହଁକ ଠେଲି ଦେଇପାରେ। ଭଲ ଥିବା ମଣିଷ ହଠାତ ରୋଗିଣା ହୋଇଯାଇପାରେ। ତେବେ କହିଁକି ଏବଂ କ’ଣ ପାଇଁ ଶସ୍ତା ସାନିଠାଇଜର ବ୍ୟବହାର କରିବେ ନାହିଁ ତାହା ଆମେ ଆଜି ଆପଣଙ୍କୁ କହିବୁ।

କରୋନା ସଂକ୍ରମଣ ଭିତର ଆହୁରି ଏକ ଭୟଙ୍କର ରୋଗ ଆସି ଆମ ସାମ୍ନାରେ ଠିଆ ହୋଇଛି। ଯାହାର ନାମ ହେଉଛି ବ୍ଲାକ୍‌ ଫଙ୍ଗସ୍‌। ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ବ୍ଲାକ୍‌ ଫଙ୍ଗସ ସଂଖ୍ୟା ବୃଦ୍ଧି ପାଇବାରେ ଲଗିଛି। ତେବେ ଏହି ବ୍ଲାକ୍‌ ଫଙ୍ଗସ୍ ବୃଦ୍ଧି ମାମଲାରେ ସାନିଟାଇଜରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏକ ପରୀକ୍ଷଣରୁ ଜଣାପଡିଛି ଯେ ବଜାରରେ ମିଳୁଥିବା ଷ୍ଟେରଏଡ, ଧୂଳିର ଛୋଟ ଛୋଟ କଣିକା ଏବଂ ନକଲି ସାନିଟାଇଜର ବ୍ଲାକ୍‌ ଫଙ୍ଗସ ପାଇଁ ଦାୟୀ। ଏହି ଶସ୍ତା ସାନିଟାଇଜରରେ ମିଥେନାଁଲ୍‌ର ପରିମାଣ ଆବଶ୍ୟକତାଠାରୁ ବହୁତ ଅଧିକ ରହୁଛି। ଯାହା ଆଖି ଏବଂ ନାକର କୋଷଗୁଡ଼ିକୁ ମାରି ଫଙ୍ଗସ୍‌କୁ ବଢ଼ାଇବା ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରୁଛି।

ଆଇଆଇଟି-ବିଏଚୟୁରେ ସେରାମିକ୍ ଇଞ୍ଜିନିୟର୍ସ ବିଭାଗର ବୖଜ୍ଞାନିକ ଡକ୍ଟର ପ୍ରୀତମ ସିଂ ଅମର ଏହାକୁ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେତେବେଳେ ଆମେ ଏହି ସାନିଟାଇଜରକୁ ସ୍ପ୍ରେ କରିଥାଉ ସେତେବେଳେ ଏହାର ଅଳ୍ପ ପରିମାଣ ଆମ ଆଖି ଏବଂ ନାକରେ ପ୍ରବେଶ କରିଥାଏ। ଏହାଦ୍ୱାରା ଆଖିର ରେଟିନା ସମେତ ନାକର କୋଶିକା ଗୁଡ଼ିକରେ ମୃତ୍ୟୁ ହୋଇଥାଏ। ନକଲି ସାନିଟାଇଜର ଗୁଡ଼ିକରେ ୫ ପ୍ରତିଶତ ପାଖାପାଖି ମିଥାନାଁଲ୍ ରହିଥାଏ । ଯାହା ଶରୀର ମଧ୍ୟରେ ଫଙ୍ଗସ୍‌ର ବୃଦ୍ଧି ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିଥାଏ। ଏହାଦ୍ୱାରା ଆଖିର ରେଟିନା ଖରାପ ହେବା ସହ ବ୍ୟକ୍ତି ଅନ୍ଧ ହୋଇଯାଏ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବାସ୍ତବରେ ଏଠାରେ ପ୍ରୋଟୋଲାଇସିସ୍ ପ୍ରକ୍ରିୟା ହୁଏ, ଅର୍ଥାତ୍ ପ୍ରୋଟିନର ତରଳ ପଦାର୍ଥ ବାହାରିବା ଆରମ୍ଭ ହୋଇଯାଏ ଏବଂ ଶୁଖିଯାଇଥିବା ମୃତ ପ୍ରୋଟିନ୍ ପରସ୍ପରକୁ ଶୀଘ୍ର ଯୋଡିବା ଆରମ୍ଭ କରନ୍ତି। ଏହା ପରେ, ଫଙ୍ଗସ୍ ସୃଷ୍ଟି ହେବା ପ୍ରକ୍ରିୟା ଆରମ୍ଭ ହୁଏ। ସେହି ସମୟରେ, ଆମର ଶରୀରରେ ଯଦି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ, ତେବେ ବ୍ଲାକ୍‌ ଫଙ୍ଗସ୍ ତାର ପ୍ରଭାବ ଦେଖାଇବା ଆରମ୍ଭ କରେ।

 

କରୋନା କଟକଣାକୁ ଫୁ’: ଲକ୍‌ଡାଉନ୍‌ ସମୟରେ ଭାଇ ବରଯାତ୍ରୀରେ ନାଚିଲେ ତହସିଲଦାର

ଯାଜପୁର ରୋଡ: ବଢୁଥିବା କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଲକଡାଉନ୍ ଓ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ତଦାରଖ ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଲାଗି ପଡ଼ିଛନ୍ତି । କିନ୍ତୁ ଖୋଦ୍ ଜଣେ ମହିଳା ପ୍ରଶାସନିକ ଅଧିକାରୀ ଏହାକୁ ଅବମାନନା କରିଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଅଞ୍ଚଳରେ ଜଣେ ତହସିଲଦାର ବାହାଘର ବରଯାତ୍ରୀରେ ନାଚୁଥିବାରୁ ଭିଡିଓ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ଯେଉଁଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା ନାଚୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗତ ୨୧ ତାରିଖରେ ସେ ତାଙ୍କ ଭାଇ ବାହାଘର ଅବସରରେ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳକୁ ବରଯାତ୍ରୀ ଯାଇଥିଲେ । ସେଠାରେ ସେ କରୋନା କଟକଣା ଉଲ୍ଲଂଘନ କରି ଅନ୍ୟମାନଙ୍କ ସହିତ ମିଶି ନାଚୁ ଥିବା ଭିଡିଓରେ ଦେଖିବାକୁ ମିଳିଛି । ପୁଣି କେତେବେଳେ ମାସ୍କ ପିନ୍ଧିଛନ୍ତି ତ ଆଉ କେତେବେଳେ ବିନା ମାସ୍କରେ ନାଚୁଛନ୍ତି । ଭିଡିଓରେ ନାଲିରଙ୍ଗର ଲେହେଙ୍ଗା ପିନ୍ଧିଥିବା ମହିଳା ଜଣଙ୍କ ହେଉଛନ୍ତି ତହସିଲଦାର ବୁଲବୁଲ୍ ବେହେରା । ତେବେ ଏନେଇ ସମ୍ପୃକ୍ତ ତହସିଲଦାରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଲକ୍‌ଡାଉନ୍ କଟକଣାକୁ ସରକାର କଡ଼ାକଡ଼ି କରିବା ସହ ବିବାହ କାର୍ଯ୍ୟ ନେଇ ଲୋକଙ୍କ ସଂଖ୍ୟାକୁ ମଧ୍ୟ ସୀମିତ କରାଯାଇଛି । ଏବଂ ପ୍ରେସେସନକୁ ମଧ୍ୟ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଛି । ଏଭଳି ସମୟରେ ପ୍ରଶାସନରେ ଜଣେ ଅଧିକାରୀ ଭାବେ ସରକାରଙ୍କ ନିୟମକୁ କାର୍ଯ୍ୟକାରୀ କରିବା ନେଇ କାର୍ଯ୍ୟ କରିବା ପରିବର୍ତ୍ତେ ଏହାକୁ ଉଲ୍ଲଂଘନ କରୁଥିବା ନଜରକୁ ଆସିଛି ।

ମାଡ଼ି ଆସୁଛି ବାତ୍ୟା ୟଶ୍‌, ୨୬ ତାରିଖରେ ପାରାଦୀପ ସାଗରଦ୍ୱୀପ ମଝିରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ପାରାଦୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟଶ୍’। ଅବପାତର ରୂପ ନେଇଛି ଲଘୁଚାପ। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହେବ ୟଶ୍‌। ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା। ବାତ୍ୟା ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରୁ ବାତ୍ୟାର ପ୍ରଭାବରେ ପବନ ଆରମ୍ଭ ହେବ। ୨୪ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୨୫ ତାରିଖରୁ ପବନର ବେଗ ବଢ଼ିବ। ଲ୍ୟାଣ୍ଡଫଲ୍‌ ବେଳକୁ ପବନ ବେଗ ୧୫୫ରୁ ୧୬୫ କିମି ରହିବ। ଏହାପରେ ଧିରେ ଧିରେ ପବନର ବେଗ ବଢି ଘଣ୍ଟା ପ୍ରତି ୧୮୫କିମି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

 

ଦିଲ୍ଲୀରେ ଧିରେ ଧିରେ ସୁଧୁରୁଛି କରୋନା ସ୍ଥିତି, ତଥାପି ଆହୁରି ଏକ ସପ୍ତାହ ପାଇଁ ବଢ଼ିଲା ଲକ୍‌ଡାଉନ

ନୂଆଦିଲ୍ଲୀ: ଦେଶ ସହ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ତଥାପି ବିପଦ ଏବେ ବି ରହିଛି। ଭୟ ଲୋକଙ୍କ ମନରେ ଏବେବି ରହିଛି। ଦିଲ୍ଲୀ ଯେଉଁ ମୃତ୍ୟୁର ବିଭୀଷିକା ଦେଖିଛି ତାକୁଯେ ଦିଲ୍ଲୀବାସୀ କେବେ ଭୁଲିପାରିବେ ତାହା କହିବା ଅସମ୍ଭବ। ଦୀଲ୍ଲିରେ କ୍ରମାଗତ ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଦିଲ୍ଲୀ ସରକାର ପୁଣିଥରେ ଏକ ସପ୍ତାହ ପାଇଁ ଲକ୍‌ଡାଉନକୁ ବଡ଼ାଇଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ଲକ୍‌ଡାଉନ ବଢ଼ି ମେ ୩୧ ତାରିଖ ସକାର ୫ ଟା ପର୍ଯ୍ୟନ୍ତ ରହିଛି।

ଦିଲ୍ଲୀରେ ଲକ୍‌ଡାଉନ କାରଣରୁ କରୋନା ସଂକ୍ରମଣ ତଳମୁହାଁ ହୋଇଛି। ପ୍ରତି ଦିନ ମରୁଥିବା କରୋନା ଲୋକଙ୍କ ସଂଖ୍ୟା ମଧ୍ୟ କମ୍‌ ହୋଇଛି। ତେଣୁ ଅନେକ ଲୋକଙ୍କ ସହିତ ପରାମର୍ଶ ପରେ ଏକ ସପ୍ତାହ ପାଇଁ ପୁଣି ଥରେ ଲକ୍‌ଡାଉନ ବଢ଼ାଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ତେଣୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତା ୩୧ ତାରିଖ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯଦି ଦେଖିବା ତେବେ ଆଜି ଦିଲ୍ଲୀରେ କରୋନା ସଂକ୍ରମଣର ସଂଖ୍ୟା କମ୍‌ ରହିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସଂକ୍ରମଣ ହାର ୨.୫ ପ୍ରତିଶତ ତଳେ ରହିଛି ।  ଦିଲ୍ଲୀରେ ୧, ୬୦୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତିଯେ ଯଦି ୩୧ ତାରିଖ ପର୍ଯ୍ୟନ୍ତ ଏହି ଭଳି ସମାନ ପରିସ୍ଥିତି ରୁହେ ତେବେ ଲକ୍‌ଡାଉନ୍‌ ଖୋଲିବାର ସମ୍ଭାବନା ରହିଛି ।

ହତ୍ୟା ଅଭିଯୋଗରେ ଗିରଫ ହେଲେ ରେସଲର ସୁଶୀଲ କୁମାର, ହତ୍ୟା ପରେ ଫେରାର ଥିଲେ

ନୂଆଦିଲ୍ଲୀ: ହତ୍ୟା ଅଭିଯୋଗରେ ଗିରଫ ହେଲେ ଦୁଇଦୁଇଥର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର। ଜୁନିୟର ରେସଲର ସାଗର ଧନଖଡ଼ଙ୍କ ହତ୍ୟା ଅଭିଯୋଗରେ ଦିଲ୍ଲୀ ପୋଲିସର ସାଇବର ସେଲ ସୁଶୀଲଙ୍କୁ ଗିରଫ କରିଛି। ଶନିବାର ୨୩ ମେରେ ଗିରଫ କରିଛି ପୋଲିସ। ସୁଶୀଲ କୁମାର କିଛି ଦିନ ହେବ ପୋଲିସଠାରୁ ନିଜକୁ ବଞ୍ଚାଇ ଏଣେତେଣେ ଲୁଚି ବୁଲୁଥିଲେ।

ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ  ସାଗର ଧନଖରଙ୍କ ହତ୍ୟା ପରେ ସୁଶୀଲ ଫେରାର ଥିଲେ। ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସୁଶୀଲଙ୍କ ସହ ତାଙ୍କର ଜଣେ ସହଯୋଗୀ ଅଜୟ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସୁଶୀଲଙ୍କୁ ଧରିବା ପାଇଁ ପୋଲିସ ତାଙ୍କ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

ମେ ୪ ତାରିଖ ରାତି ପ୍ରାୟ ୧୨ ଟା ସମୟରେ ଛତ୍ରସାଲ ଷ୍ଟାଡିୟମରେ ପେହେଲମାନ ମାନଙ୍କ ମଧ୍ୟରେ  ଝଗଡ଼ା ହେବାର ଖବର ଦିଲ୍ଲୀ ପୋଲିସ ପାଇଥିଲା। ଏହି ଗଣ୍ଡଗୋଳରେ ଆହତ ହୋଇଥିବା ରେସଲର ସାଗରଙ୍କୁ ବିଜେଆରଏନ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗରୁତର ହେବାରୁ ତାଙ୍କୁ ଟ୍ରମା ସେଣ୍ଟ୍ରାଲକୁ ନିଆଯାଇଥିଲା। ଜୁନିୟର ରେସଲରଙ୍କ ମୃତ୍ୟୁ ପରେ ସୁଶୀଲ ଫେରାର ହୋଇଯାଇଥିଲେ। ତେବେ ଫେରାର ପରେ ସୁଶୀଲ ହରିଦ୍ୱାରର ଋଷିକେଶର ଏକ ବଡ ଆଶ୍ରମରେ ରହୁଥିଲେ।

ଟିକା ନେବୁ ନାହିଁ କହି ପୁରା ଗାଁ ନଦୀକୁ ଡେଇଁଲା, ଜାଣନ୍ତୁ କେଉଁଠି

ବାରାବାଙ୍କୀ: ଦେଶରେ କରୋନା ଟିକା ନମିଳିବାକୁ ନେଇ ହଲ୍ଲା ପଡିଛି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହାକୁ ଶୁଣିଲେ ଯେକେହି ତାଜୁବ ହେବ । ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲାର ଗୋଟିଏ ଗାଁକୁ କରୋନା ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀ ଯାଇଥିଲେ । କିନ୍ତୁ ଟିକାକରଣ ଟିମକୁ ଦେଖି ଲୋକ ଡରି ଯାଇଥିଲେ ଓ ସରଯୁ ନଦୀକୁ ଡେଇଁ ପଡିଥିଲେ । ଗାଁ ଲୋକଙ୍କ ଏଭଳି ଅଜବ କାଣ୍ଡକୁ ଦେଖି ସ୍ୱାସ୍ଥ୍ୟକର୍ମୀ ତାଜୁବ ହୋଇଥିଲେ । କାଳେ କିଛି ଅଘଟଣ ଘଟିବ ସେହି ଆଶଙ୍କାରେ ଟିମ୍ ଗାଁ ଲୋକଙ୍କୁ ନଦୀରୁ ଚାଲି ଆସିବାକୁ ଅନୁରୋଧ କରିଥିଲେ । ତେବେ ଗାଁ ଲୋକ ନଦୀରୁ ବାହାରକୁ ଆସିନଥିଲେ । ଶେଷରେ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ନଦୀରୁ ବାହାରିବା ପାଇଁ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳଙ୍କ ଅନୁରୋଧ ପରେ ଗାଁ ଲୋକ ନଦୀରୁ ବାହାରିଥିଲେ । ଜିଲ୍ଲା ପ୍ରଶାସନ ଅନୁସାରେ ୧୫ ଶହ ଜନସଂଖ୍ୟା ବିଶିଷ୍ଠ ଏହି ଗାଁର ମାତ୍ର ୧୪ ଜଣ ଟିକା ନେବାକୁ ରାଜି ହୋଇଥିଲେ

ସିସୋଡା ନାମକ ଏହି ଗ୍ରାମରେ ସ୍ୱାସ୍ଥ୍ୟବିଭାଗ ଟିମ୍ ଟିକାକରଣ ପାଇଁ ପହଂଚିଥିଲେ । ତେବେ ଗାଁ ଲୋକଙ୍କ ପାଖରେ ଏହି ଖବର ପହଂଚିବା ପରେ ସେମାନେ ଗାଁ ପାଖ ଦେଇ ଯାଇଥିବା ନଦୀକୁଳକୁ ଚାଲିଯାଇଥିଲେ । ଗାଁ ଲୋକ ନଦୀ ପାଖରେ ଥିବା ଖବର ପାଇ ଟିମ୍ ସେଠାରେ ପହଂଚିଥିଲା । ତେବେ ଟିମକୁ ଦେଖି ଗାଁ ଲୋକ ନଦୀ ମଧ୍ୟକୁ ଡେଇଁ ପଡିଥିଲେ । ସେମାନଙ୍କ ଗୋଟିଏ ଜିଦ୍ ଥିଲା ଯେ,ସେମାନେ କରୋନା ଟିକା ନେବେ ନାହିଁ ।
ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁ ଲୋକଙ୍କୁ ବୁଝାଇବାରେ ବିଫଳ ହେବା ପରେ ଉପଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଥିଲା । ସୂଚନା ପାଇଁ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଇଥିଲେ । ଶେଷରେ ଗାଁ ଲୋକ ନଦୀରୁ ବାହାରିଥିଲେ କିନ୍ତୁ ସମସ୍ତେ ଟିକା ନେଇନଥିଲେ । ୧୫ଶହ ଲୋକଙ୍କ ମଧ୍ୟରୁ ମାତ୍ର ୧୪ ଜଣ ଟିକା ନେବାକୁ ରାଜି ହୋଇଥିଲେ ।

ସହରାଞ୍ଚଳର ବୁଲା ପଶୁଙ୍କ ପାଇଁ ମୁଖମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ, ୪୮ଟି ମ୍ୟୁନିସପାଲଟି ଓ ୬୧ ଟି ଏନ୍ଏସିମାନଙ୍କୁ ୫୫ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇ ଦେବେ । ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡିଏ ହଜାର ଟଙ୍କା ,କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ଦୈନିକ ଦଶହଜାର ଟଙ୍କା , ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସିମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ସୂଚନାଯୋଗ୍ୟ ଯେ ଗତ ୯ ତାରିଖ ଦିନ ଏହି ଉଦ୍ଦେଶ୍ୟରେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଷାଠିଏ ଲଷ ଟଙ୍କା ମଞୁର କରାଯାଇଥିଲା । ଗତବର୍ଷ ଲକ୍‌ଡାଉନ୍ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲା ପଶୁ ମାନଙ୍କୁ ଖାଦ୍ୟ ଯୋଗାଇ ଦେବା ନେଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ଏଥିସହିତ ପଢ଼ନ୍ତୁ: ଅବପାତର ରୂପ ନେବ ଲଘୁଚାପ: କାଲି ସାଇକ୍ଳୋନ୍ ଷ୍ଟର୍ମରେ ପରିଣତ ହେବ

ଛତିଶଗଡ଼ ଜିଲ୍ଲାପାଳଙ୍କୁ ଦାଦାଗିରି ପଡିଲା ମହଙ୍ଗା, ଦାୟିତ୍ୱରୁ ହଟାଇଲେ ସରକାର

ରାୟପୁର: କୋଭିଡ୍ ପାଇଁ ଦେଶର ଅନେକ ଅଂଚଳରେ ଲକଡାଉନ୍ ଜାରି ରହିଛି । ଏଭଳି ପରିସ୍ଥିତିରେ କିଛି ଅମାନିଆ ଲକଡାଉନ୍ ଉଲ୍ଲଂଘନ କରି ସଂକ୍ରମଣ ପ୍ରସାର କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି ।ପ୍ରଶାସନ ଲକଡାଉନକୁ କଠୋରତାର ସହ ଲାଗୁ କରିବା ପାଇଁ ଉଦ୍ୟମ କରୁଛି । କିନ୍ତୁ ତାହାର ଅର୍ଥ ନୁହେଁ ଗୋଟିଏ ଜିଲ୍ଲାର ସର୍ବୋଚ୍ଚ ଅଧିକାରୀ ନିଜ ପଦମର୍ଯ୍ୟଦାକୁ ଭୁଲିଯିବେ । ଛତିଶଗଡ଼ର ସୁରଜପୁରର ଜିଲ୍ଲାପାଳ ରଣବୀର ଶର୍ମା ନିଜ ପଦର ମର୍ଯ୍ୟଦାକୁ ଭୁଲି ଯାହା କରିଛନ୍ତି ଏବେ ତା’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜିଲ୍ଲାପାଳ ଜଣେ ଯୁବକଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳୁଛି । ଭିଡିଓ ଭାଇରାଲ ହେବା ପରେ ଛତିଶଗଡ଼ ସରକାର ଡ୍ୟାମେଜ୍ କଣ୍ଟ୍ରୋଲ ମୋଡକୁ ଆସିଛନ୍ତି । ଜିଲ୍ଲାପାଳ ରଣବୀରଙ୍କୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

सूरजपुर के कलेक्टर रणबीर शर्मा ने सरेराह एक युवक को थप्पड़ जड़ दिया था. (फोटो-ANI)

ଘଟଣା କ’ଣ ଥିଲା ?
ଜିଲ୍ଲାପାଳ ରଣବୀର ଶର୍ମା ସୁରଜପୁର ସହର ଦେଇ ଯାଉଥିବା ବେଳେ ଜଣେ ଯୁବକଙ୍କ ଲକଡାଉନ୍ ମଧ୍ୟରେ ଗାଡି ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ସେ ନିଜ ଗାଡି ଅଟକାଇ ଯୁବକଙ୍କୁ ବାହାରକୁ ବାହାରିବାର କାରଣ ପଚାରିଥିଲେ । ଯୁବକ ଜଣକ ଔଷଧ କିଣିବାକୁ ବାହାରିଥିବା କହିଥିଲେ । ଯୁବକଙ୍କ କଥା ଶୁଣିବା ଜିଲ୍ଲାପାଳ ଚାଲିଯାଇଥିଲେ । ତେବେ ଗାଡି ନିକଟରୁ ଫେରି ଆସି ସେ ଯୁବକଙ୍କୁ ମେଡିସିନ୍ ପ୍ରେସକ୍ରିପସନ ଦେଖାଇବାକୁ କହିଥିଲେ । ଆଉ ମଧ୍ୟ ଯୁବକଙ୍କ ଫୋନ୍ ମାଗି ତଳକୁ ଫୋପାଡି ଭାଙ୍ଗି ଦେଇଥିଲେ । ଯୁବକ ଜଣକ ଭିଡିଓ ସୁଟିଂ କରୁଥିବା ଜିଲ୍ଲାପାଳ ଅଭିଯୋଗ କରିଥିଲେ ।ତେବେ ଯୁବକ ସେ ଭିଡିଓ ସୁଟିଂ କରୁନଥିବା କହିଥିଲେ । ଏହାପରେ ଜିଲ୍ଲାପାଳ ନିଜେ ଯୁବକଙ୍କୁ ଚାପୁଡା ମାରିବା ସହିତ ପାଖରେ ଥିବା ସିପାହୀଙ୍କୁ ଯୁବକଙ୍କୁ ମାରିବା ପାଇଁ କହିଥିଲେ । ଏହି ଘଟଣାର ଭିଡିଓ ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲେ ।

ଜିଲ୍ଲାପାଳ ମାଗିଲେ କ୍ଷମା
ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ରଣବୀର ଶର୍ମା ଭୁଲ ପାଇଁ କ୍ଷମା ମାଗିଛନ୍ତି । ସେ ଗୋଟିଏ ଭିଡିଓ ପୋଷ୍ଟ୍ କରି ଆବେଗରେ ଆସି ଏପରି କରିଥିବା କହିଛନ୍ତି । ଅନ୍ୟପକ୍ଷରେ ଆଇଏସ ସଂଘ ଘଟଣାକୁ ନିନ୍ଦା କରି ଟ୍ୱିଟ୍ କରିଛି । ସୁରଜପୁର ଜିଲ୍ଲାପାଳଙ୍କ ବ୍ୟବହାର ଉଚିତ ନଥିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି । ପ୍ରଶାସନିକ ଅଧିକାରୀ ମାନେ ସବୁବେଳେ ବିଶେଷକରି ବର୍ତ୍ତମାନର କଠିନ ସମୟରେ ଅଧିକ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି ବୋଲି ସଂଘ କହିଛି ।

ସୋସିଆଲ ମିଡିଆରେ ନିନ୍ଦା
ଜିଲ୍ଲାପାଳ କ୍ଷମା ମାଗି ସାରିଲା ପରେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା ଜାରି ରହିଛି । ସୋସିଆଲ ମିଡିଆରେ ଟ୍ୱଇଟ୍ ଓ ପୋଷ୍ଟ ଜରିଆରେ ତାଙ୍କୁ ତାଙ୍କ ବ୍ୟବହାର ପାଇଁ ନିନ୍ଦା କରାଯାଉଛି । ଆଦିତ୍ୟ ରାଜ କୌଲ ନାମକ ୟୁଜର ଟ୍ୱିଟ୍ କରି ପଚାରିଛନ୍ତି ଯେ, ରାସ୍ତା ଉପରେ ଯଦି ଜଣେ ଜିଲ୍ଲାପାଳ ଏପରି ବ୍ୟବହାର କରିପାରୁଛନ୍ତି ତେବେ ଘରେ ସେ କେଉଁଭଳି ବ୍ୟବହାର କରୁଥିବେ ? ମୁଁ ଏହି ଜିଲ୍ଲାପାଳଙ୍କ ପରିବାର କଥା ଭାବି ଦୁଃଖିତ