spot_img
Home Blog Page 5650

ଭୟାବହ ସ୍ଥିତିରେ ଓଡ଼ିଶାର କୋଭିଡ୍ ସଂକ୍ରମଣ: ଆହୁରି କଠୋର ହୋଇପାରେ ଲକ୍ ଡାଉନ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଉଗ୍ର ରୂପ ନେଉଛି। ଜଙ୍ଗଲ ନିଆଁ ଡେଇଁଲା ଭଳି କରୋନା ଭୂତାଣୁ ଗୋଟିଏ ଲୋକରୁ ଆଉ ଏକ ଲୋକଙ୍କୁ ସଂକ୍ରମିତ କରୁଛି। ଗଲା ୭ ଦିନର କୋଭିଡ୍ ସଂକ୍ରମଣ ପରିସଂଖ୍ୟାନକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହେଉଛି। ଅର୍ଥାତ୍ ଯେଉଁଭଳି ଭାବେ ଲକା୍ଡାଉନ୍ ଓ ସଟଡାଉନ କାର୍ଯ୍ୟକାରୀ କରାଯାଉଛି ତାହା ସଂକ୍ରମଣର ବେଗକୁ ପ୍ରତିରୋଧ କରିପାରୁ ନାହିଁ। ଏବେ ପ୍ରତି ଦିନ ସଂକ୍ରମଣ ହାର ସମୁଦାୟ ନମୁନା ପରୀକ୍ଷଣର ୨୦ ପ୍ରତିଶତ ଉପରେ ରହୁଛି। ଏଣୁ ରାଜ୍ୟ ସରକାର ଆଗକୁ କଡ଼ା ଆଭିମୁଖ୍ୟ ନେଇପାରନ୍ତି, ଅର୍ଥାତ୍ ଲକଡାଉନ ଆସନ୍ତା ଦିନରେ ଅଧିକ କଠୋର ହୋଇପାରେ।

ରାଜ୍ୟ ସରକାରାଙ୍କ କୋଭିଡ୍ ଡ୍ୟାଶ୍ ବୋର୍ଡ଼ରେ ଦିଆଯାଇଥିବା ତଥ୍ୟ ଅନୁସାରେ ମେ ୧୨ ତାରିଖର ମଙ୍ଗଳବାର ଦିନ ରାଜ୍ୟରେ ୫୧ ହଜାର ୪୫୧ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିଲା। ଏଥିରୁ ୧୦ହଜାର ୬୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଚନ୍ତି। ଅର୍ଥାତ୍ ଏହିଦିନ ପଜିଟିଭ୍ ହାର ୨୦.୬ ପ୍ରତିଶତ ରେକର୍ଡ଼ କରାଯାଇଛି। ଠିକ୍ ସେହିପରି ଲକଡାଉନ ଆରମ୍ଭ ଦିନର ତଥ୍ୟକୁ ଯଦି ଆକଳନ କରାଯାଏ ତେବେ ମେ ୫ ତାରିଖ ଦିନ ସମୁଦାୟ ସଂକ୍ରମଣ ହାର ଥିଲା ୨୧.୭ ପ୍ରତିଶତ। ଏହିଦିନ ବି ୧୮ହଜାର ୩୧୪ ନମୁନା ପରୀକ୍ଷଣ କରାଯାଇଥିଲା। ସେଥିରୁ ୧୦ହଜାର ୫୫୧ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ଦର୍ଶାଯାଇଛି। ଏହି ସାତ ଦିନ ଭିତରେ ଯେତେବେଳେ ନମୁନା ପରୀକ୍ଷଣ ସଂଖ୍ୟା ବଢ଼ାଯାଉଛି ଯେତେବେଳେ ଅଧିକ ସଂଖ୍ୟାରେ ପଜିଟିଭ୍ ରୋଗୀଙ୍କୁ ଚିହ୍ନିଟ କରାଯାଉଥିବା ବେଳେ ଯେଉଁଦିନ କମ୍ ସଂଖ୍ୟାରେ ନମୁନା ପରୀକ୍ଷଣ କରାଯାଉଛି ସେଦିନ ପଜିଟିଭ୍ ସଂଖ୍ୟା ମଧ୍ୟ କମିଥିବା ଲକ୍ଷ୍ୟ କରାଯାଉଛି।

ଗଲା ସାତଦିନର ତଥ୍ୟକୁ ସମୀକ୍ଷା କଲେ ଜଣାଯାଏ ଯେ, ୬ ତାରିଖ ଦିନ ସବୁଠାରୁ ଅଧିକ ପଜିଟିଭ୍ ହାର ଲକ୍ଷ୍ୟ କରାଯାଇଛି। ଏହିଦିନ ରାଜ୍ୟରେ ସର୍ବାଧିକ କୋଭିଡ୍ ପଜିଟଭ୍ ହାର ୨୪.୯ ପ୍ରତିଶତ ରହିଥିବା ବେଳେ ୭ ତାରିଖ ଦିନ ପଜିଟିଭ୍ ହାର ୨୩.୩ ପ୍ରତିଶତ ରହିଥିଲ। ସେହିପରି ୮ ତାରିଖ ଦିନ ସଂକ୍ରମଣ ପଜିଟିଭ୍ ହାର ୨୧.୮ ପ୍ରତିଶତ, ୯ ତାରିଖରେ ୨୦.୭୩, ୧୦ ତାରିଖ ଦିନ ୨୧.୧ ପ୍ରତିଶତ ପଜିଟିଭ୍ ହାର ରେକର୍ଡ଼ କରାଯାଇଥିଲା।
ପୁଣି ଏହି କୋଭିଡ୍ ଡ୍ୟାଶ୍ ବୋର୍ଡ ତଥ୍ୟ ଅନୁସାରେ ଗଲା ଦୁଇମାସଭିତରେ ସଂକ୍ରମଣ ପଜିଟିଭ୍ ହାର ୯୦ ପ୍ରତିଶତରୁ ଅଧିକ ହୋଇଛି। ମାର୍ଚ୍ଚ ଆଠ ତାରିଖରେ ରାଜ୍ୟରେ ସମୁଦାୟ ୨୦ ହଜାର ୮୧ଟି ସାମ୍ପଲ୍ ପରୀକ୍ଷା ହୋଇଥିଲା। ହେଲେ ସେଥିରେ ପଜିଟିଭ୍ ଥିଲେ ମାତ୍ର ୫୭ ଜଣ। ଅର୍ଥାତ୍ ପଜିଟିଭ୍ ହାର ଥିଲା ୦.୨୮ ପ୍ରତିଶତ। ଏକ ମାସ ପରେ ଅର୍ଥାତ୍ ଏପ୍ରିଲ୍ ୮ ତାରିଖରେ ଏହି ସଂକ୍ରମଣ ହାର ୪.୪ ପ୍ରତିଶତ ହେଲା। ମେ ମାସ ୭ ତାରିଖକୁ ଏହି ପରିସଂଖ୍ୟାନ ସର୍ବକାଳୀନ ରେକର୍ଡ଼ ହୋଇଛି। ଯଦିଓ ରାଜ୍ୟ ସରକାର ଦୁଇଦିନ ହେଲା ଲକ୍ ଡାଉନ ଲାଗୁ କରିଛନ୍ତି କିନ୍ତୁ ପଜିଟିଭ୍ ସଂକ୍ରମଣ ହାର ଉପରେ ଏହାର କୌଣସି ସୁପ୍ରଭାବ ଏଯାଏ ଲକ୍ଷ୍ୟ କରାଯାଇ ନାହିଁ। ମେ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୫୦ହଜାର ୭୯୯ ଜଣ ସାମ୍ପଲ୍ ପରୀକ୍ଷା କରାଇଥିବା ବେଳେ ସେଥିରୁ ୧୨୨୩୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ପଜିଟିଭ୍ ହାର ୨୪ ପ୍ରତିଶତ ହୋଇଛି।

ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କଣ୍ଣାଟକ ଭଳି ରାଜ୍ୟ ଏବେ ୨୦ ପ୍ରତିଶତ ପଜିଟିଭ୍ ହାରଠୁ ଅଧିକ ରହିଛନ୍ତି। ଦିଲ୍ଲୀରେ ସଂକ୍ରମଣ ହାର ଗଲା ସପ୍ତାହରେ ଅଚାନକ କମିଥିଲେ ମଧ୍ୟ ଓଡ଼ିଶାରେ ତାହା ହୋଇପାରି ନାହିଁ। ଓଡ଼ିଶା ସରକାର ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଆଖିରେ ରଖି କୋଭିଡ୍ ଚିକିତ୍ସା କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିବା ସହ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି। ଭୁବନେଶ୍ବର ସମେତ ଅନ୍ୟ ମ୍ୟୁନିସିପାଲ୍ କର୍ପୋରେସନ୍ ଅଞ୍ଚଳରେ ସରକାର ଟିକାକରଣକୁ ଗୁରୁତ୍ବ ଦେଇଛନ୍ତି। ଏହା ସହ ରାଜ୍ୟକୁ କିପରି ଅଧିକ ଟିକା ଆସିପାରିବ ସେଥିଲାଗି ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବାକୁ ଗ୍ଲୋବାଲ୍ ଟେଣ୍ଡର ଆହ୍ବାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କିନ୍ତୁ ଏସବୁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ କରୋନା ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିବା ନିହାତି ଆବଶ୍ୟକ ହେଉଥିବାରୁ ନିଆଯାଇଛି ୧୪ ଦିନିଆ ଲକ୍ଡାଉନ୍ ପଦକ୍ଷେପ। ଏହି ଲକ୍ଡାଉନ୍ ରେ ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧୨ଟା ଯାଏ କୋହଳ ଦିଆଯାଇଛି। ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଏହା ଉଦ୍ଦିଷ୍ଟ ଥିଲେ ମଧ୍ୟ ଯେଉଁ ଭାବରେ ଲୋକେ ସମସ୍ତ ନିୟମକୁ ଫୁ’ କରୁଛନ୍ତି ତାହା ଏବେ ସଂକ୍ରମଣ ସ୍ଥିତିକୁ ତଳକୁ ଖସାଇବାକୁ ଦେଉ ନାହିଁ। ଏହିପରି ପରିସ୍ଥିତିକୁ ଆୟତ୍ତ କରିବା ଲାଗି ଆହୁରି ଶକ୍ତ ପଦକ୍ଷେପ ନେବାକୁ କିଛି ବୁଦ୍ଧିଜୀବୀ ସରକାରଙ୍କୁ ସୋଶାଲ୍ ମିଡିଆରେ ପରାମର୍ଶ ଦେଇଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର।

ଓଡ଼ିଶାର ୧୯ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ଝଡବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

୧୯ ଜିଲ୍ଲା ଭିତରେ ରହିଛି- ପୁରୀ, ଖୋର୍ଦ୍ଧା (ଭୁବନେଶ୍ୱର), ଯାଜପୁର, କଟକ (କଟକ ସିଟି), ନୟାଗଡ, ଜଗତସିଂହପୁର, ବଲାଙ୍ଗିର, ବରଗଡ଼, ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, କନ୍ଧମାଳ, ଢେଙ୍କାନାଳ ଆଦି ଜିଲ୍ଲା । ଏହି ସବୁ ଜିଲ୍ଲା ଗୁଡିକରେ ମଧ୍ୟମରୁ ପ୍ରବଳ ବର୍ଷା ସହ ପବନ ବୋହିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୪୦ରୁ ୫୦ କିମି.ରହିବା ସହ ବଜ୍ରପାତ ଆଶଙ୍କା ରହିଛି ।

ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, କେନ୍ଦୁଝର, ମୟୁରଭଞ୍ଜ ଓ ସୋନପୁର ଆଦି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ଘଡଘଡି ନେଇ ଆଲର୍ଟ ଜାରି କରାଯାଇଛି ।

ତେବେ ପାଣିପାଗକୁ ଦୃଷ୍ଟିରେ ରଖି ତଦନୁଯାୟୀ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଜନସାଧାରଣଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢନ୍ତୁ- ରାଜ୍ୟର ଏହିସବୁ ଜିଳ୍ଲାରେ ଝଡ଼ବର୍ଷା ଆଶଙ୍କା

 

ପିଲାଙ୍କ ପାଇଁ କୋଭାକ୍ସିନ ପରୀକ୍ଷଣକୁ ମିଳିଲା ଅନୁମତି, ଜାଣନ୍ତୁ କେମିତି ହେବ ଟ୍ରାଏଲ

ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ (DCGI) ଦୁଇ ବର୍ଷରୁ ୧୮ ବର୍ଷ ବୟସ୍କ ବର୍ଗ ପାଇଁ କୋଭାକ୍ସିନ୍ ଟିକାର ପରୀକ୍ଷଣକୁ ଅନୁମତି ଦେଇଛି । ଟିକା ଟ୍ରାଏଲ ପାଇଁ ଭାରତ ବାୟୋଟେକର ପ୍ରସ୍ତାବ ଉପରେ ଏକ୍ସପର୍ଟ କମିଟି ମଙ୍ଗଳବାର ଦିନ ଟ୍ରାଏଲ ପାଇଁ ସୁପାରିସ କରିଥିଲା । କଂପାନୀ ୫୨୫ ଜଣ ସ୍ୱେଛାସେବୀଙ୍କଠାରେ ନିଜ ଟିକାର ଫେଜ୍ ୨ ଓ ୩ ପରୀକ୍ଷଣ କରିବ ।
ମିଳୁଥିବା ସୂଚନା ଅନୁସାରେ ଏହି ଟ୍ରାଏଲ ଦିଲ୍ଲୀ ଓ ପାଟନା ସ୍ଥିତ ଏମସ ସହିତ ଅନ୍ୟକିଛି ମେଡିକାଲ ସଂସ୍ଥାନରେ ଚାଲିବ । କେନ୍ଦ୍ର ସରକାର କୋଭାକ୍ସିନକୁ ଚଳିତ ବର୍ଷ ଜାନୁଆରୀରେ ବୟସ୍କଙ୍କ ପାଇଁ ଜରୁରୀକାଳିନ ବ୍ୟବହାର ନିମନ୍ତେ ଅନୁମତି ଦେଇଥିଲେ । କୋଭାକ୍ସିନ୍ ସମ୍ପୂର୍ଣ୍ଣ ସ୍ୱେଦେଶୀ ଟିକା ଅଟେ ।

ପିଲାଙ୍କ ଉପରେ କେମିତି ହେବ ଟ୍ରାଏଲ ?
DCGI ଯେଉଁ ଟ୍ରାଏଲକୁ ଅନୁମତି ଦେଇଛି ତାହା ଅନୁସାରେ ପରୀକ୍ଷଣରେ ୫୧୫ ଜଣ ଭାଗ ନେବେ । ଯେଉଁମାନଙ୍କ ବୟସ ୨ରୁ ୧୮ ମଧ୍ୟରେ ରହିବ । ଇଂଜକ୍ସନ ଜରିଆରେ ଏହି ଭ୍ୟାକ୍ସିନର ଦୁଇ ଡୋଜ୍ ଦିଆଯିବ । ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ସ୍ୱେଛାସେବୀ ମିଳିବା ପରେ କମ୍ପାନୀ ଆସନ୍ତା ସପ୍ତାହରୁ ଟ୍ରାଏଲ ଆରମ୍ଭ କଲେ ଜୁଲାଇ ସୁଧା ଟ୍ରାଏଲ ଶେଷ ହେବାର ସମ୍ଭାବନା ରହିଛି । ଏହା ପରେ ଟ୍ରାଏଲରୁ ମିଳିଥିବା ଡାଟାକୁ ରେଗୁଲେଟରଙ୍କ ସାମ୍ନାରେ ରଖାଯିବ ।ସବୁକିଛି ଯଦି ଆଶା ମୁତାବିକ ହୁଏ ତେବେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଭ୍ୟାକ୍ସିନକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯିବ । ସୂଚନାଯୋଗ୍ୟ ଯେ, ବୟସ୍କଙ୍କ ପାଇଁ ଭ୍ୟାକ୍ସିନକୁ ଅନୁମତି ଦିଆଯିବା ବେଳେ ଅନ୍ତିମ ଫଳାଫଳକୁ ଅପେକ୍ଷା କରାଯାଇ ନଥିଲା ।

କୋଭାକ୍ସିନ୍ ବାଜି ମାରିଛି-
ବୟସ୍କଙ୍କ ପାଇଁ ତିଆରି ହୋଇଥିବା ସ୍ୱେଦେଶୀ ଟିକା କୋଭାକ୍ସିନ୍ କୋଭିସିଲ୍ଡଠାରୁ ମଧ୍ୟ ପ୍ରଭାବୀ ବୋଲି କୁହାଯାଉଛି । ଏହା କରୋନା ସଂକ୍ରମଣ ବିରୋଧରେ ୭୮ ପ୍ରତିଶତ ପ୍ରଭାବି । କୋଭାକ୍ସିନ୍ ସାରସ ପରିବାରର ବାକି ପୁରୁଣା ଭୂତାଣୁଙ୍କ ସହ ମ୍ୟୁଟେଡ୍ ଷ୍ଟ୍ରେନ୍ସ ବିରୋଧରେ ମଧ୍ୟ ପ୍ରଭାବି । ଭାରତ ବାୟୋଟେକ୍ ଓ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ମିଳିତ ଉଦ୍ୟମରେ ତିଆରି କରିଥିବା ଏହି ଭ୍ୟାକ୍ସିନର ଦୁଇ ଡୋଜ୍ ମଧ୍ୟରେ ୪ରୁ ୬ ସପ୍ତାହର ବ୍ୟବଧାନ ରହୁଛି ।

କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ ପାଇଁ NTAGIର ସୁପାରିସ

ନୂଆଦିଲ୍ଲୀ: ଦେଶରେ କୋଭିସିଲ୍ଡ ଟିକାର ଅଭାବ ଭିତରେ ଏହି ଟିକାର ଦୁଇ ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ ପାଇଁ ସୁପାରିସ କରିଛି NTAGI(ରାଷ୍ଟ୍ରୀୟ ପ୍ରଯୁକ୍ତି ପରାମର୍ଶଦାତ୍ତା ଗ୍ରୁପ୍) । ଏହା ସହିତ କରୋନା ପଜିଟିଭ ହୋଇଥିବା ବ୍ୟକ୍ତିଙ୍କୁ ଠିକ୍ ହେବାର ୬ ମାସ ପରେ ଟିକା ଦେବା ପାଇଁ ମଧ୍ୟ NTAGI ପରାମର୍ଶ ଦେଇଛି ।

NTAGI ୧୨ରୁ ୧୬ ସପ୍ତାହ ବ୍ୟବଧାନ ସହିତ ଅନ୍ୟକିଛି ସୁପାରିସ କରିଛନ୍ତି । ଯେମିତି ଗର୍ଭବତୀ ମହିଳାଙ୍କୁ ଟିକା ଚୟନର ସୁବିଧା ଅର୍ଥାତ ସେମାନଙ୍କୁ କୋଭାକ୍ସିନ୍ କିମ୍ବା କୋଭିସିଲ୍ଡ ମଧ୍ୟରୁ ଗୋଟିଏ ବାଛିବା ସୁବିଧା ଦେବା ପାଇଁ ପରାମର୍ଶ ଦେଇଛି । ସେହିଭଳି ପ୍ରସବ ପରେ ମହିଳା ଯେକୌଣସି ସମୟରେ ଟିକା ନେଇ ପାରିବେ । ସଂକ୍ରମିତ ସମ୍ପୂର୍ଣ୍ଣ ଠିକ୍ ହେବାର ୬ ମାସ ପରେ ଟିକା ନେଇପାରିବେ ବୋଲି NTAGI କହିଛି । ୬ ମାସ ଭିତରେ ସେମାନେ ଟିକ ନନିଅନ୍ତୁ ବୋଲି ଏହା ସୁପାରିସ କରିଛି । ପୂର୍ବରୁ ସଂକ୍ରମିତ ଭଲ ହେବାର ୩ ମାସ ପରେ ଟିକା ନେଇ ପାରିବେ ବୋଲି ଡାକ୍ତର କହୁଥିଲେ । ସୂଚନାଯୋଗ୍ୟ ଯେ, ସିଡିସି ୟୁଏସ ନିଜ ଦେଶର ସଂକ୍ରମିତଙ୍କୁ ଭଲ ହେବାର ୯୦ ଦିନ ପରେ ଟିକା ନେବାକୁ କହୁଛି । ଆମେରିକାରେ ଏପର୍ଯ୍ୟନ୍ତ ଏହି ନିୟମରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

Again Odisha Writes Centre To Provide 25 Lakhs Covid Vaccine

କୋଭିସିଲଡର ଦୁଇ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ
NTAGI କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ ପାଇଁ ସୁପାରିସ କରିଛି । ଏହା ଅନୁସାରେ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ଅଧିକ ବ୍ୟବଧାନ ରହିଲେ ମୃତ୍ୟୁହାର କମିବ । ସୂଚନାଯୋଗ୍ୟ ଯେ ,କାନାଡା ଭଳି ଦେଶରେ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ । ଭାରତରେ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୪ରୁ ୮ ସପ୍ତାହ ରହିଛି । ତେବେ NTAGI କୋଭାକ୍ସିନର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ କମ କରିବାକୁ କୌଣସି ସୁପାରିସ କରିନାହିଁ ।

କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ବିଳମ୍ବ ହେଲେ ମୃତ୍ୟୁହାର କମିବ
ଏକ ଗବେଷଣା ଅନୁସାରେ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ଅଧିକ ହେଲେ ମୃତ୍ୟୁହାର କମିବ । ତେବେ ଏହା ୬୫ ବର୍ଷରୁ କମ ବୟସ୍କଙ୍କ କ୍ଷେତ୍ରରେ ପ୍ରଜୁଜ୍ୟ । ଅବଶ୍ୟ ଏହା ମଧ୍ୟ କୁହାଯାଉଛି ଏହା କେବଳ ଏକ ଅନୁମାନ ମାତ୍ର ।

ଇସ୍ରାଏଲ ଓ ହମାସ ମଧ୍ୟରେ ରକେଟ୍ ମାଡ଼ ଜାରି, ଗାଜାରେ ୬୫ ମୃତ

ତେଲ ଅଭିଭି: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ହମାସ ପକ୍ଷରୁ ଜାରି ଆକ୍ରମଣର ପ୍ରତି ଜବାବ ଦେବାକୁ ପଛାଉନି ଇସ୍ରାଏଲ । ଫଳରେ ଗାଜାରେ ୬୫ ଲୋକଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ହମାସର କମାଣ୍ଡର ଓ ତା’ର ଅନେକ ସାଥୀ ସାମିଲ ରହିଛନ୍ତି । ଏଥିସହିତ ୫ ମହିଳା ଓ ୧୬ ଛୋଟ ପିଲା ଥିବା ସୂଚନା ମିଳିଛି ।

ଅଲଜଜିରା ରିପୋର୍ଟ ଅନୁଯାୟୀ, ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ପକ୍ଷରୁ ବୋମାମାଡ଼ କରାଯାଉଛି । ଏହି ଆକ୍ରମଣରେ ୩୬୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିଲା ବେଳେ ତନ୍ମଧ୍ୟରେ ୮୬ ଜଣ ଶିଶୁ ଏବଂ ୩୯ ଜଣ ମହିଳା ରହିଛନ୍ତି।  ସେହିପରି ବୋମାମାଡ଼ରେ ହମାସର ଗାଜା ସିଟି କମାଣ୍ଡର ବସିମ ଇସ୍ସା ମଧ୍ୟ ମୃତ୍ୟୁ ବରଣ କରିଛି । ଇସ୍ସା ସହ ହମାସର କିଛି ଅନ୍ୟ କମାଣ୍ଡରଙ୍କର ମଧ୍ୟ ଜୀବନ ଯାଇଛି ।

ଅଧିକ ପଢନ୍ତୁ- ଇସ୍ରାଏଲ ଓ ପାଲେଷ୍ଟାଇନ୍ ବିବାଦ: ରକେଟ୍ ମାଡରେ ଭାରତୀୟ ମହିଳାଙ୍କ ସମେତ ୩୨ ମୃତ

ମଣିଷଙ୍କୁ ଶିକ୍ଷା ଦେଲା ମାଙ୍କଡ଼: ମୃତ୍ୟୁ ପରେ ବି ଛାଡ଼ିଲେନି.. ଜାଣନ୍ତୁ ପୂରା ଘଟଣା

ଚାନ୍ଦବାଲି: ମହାମାରୀ ସମୟରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି । ମଣିଷ ମରିଗଲା ପରେ କେତେକ ଲୋକେ ନିଜର ଆତ୍ମୀୟଙ୍କ ମୃତ ଶରୀରକୁ ଛୁଇଁବାକୁ ଭୟ କରୁଥିବା ବେଳେ ପଶୁର ନିସ୍ୱାର୍ଥପର ଭଲ ପାଇବା ନଜରକୁ ଆସିଛି । ଏସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥ ର ସାମନ୍ତରାୟପୁର ପୋଲ ନିକଟରେ ଏକ ହାଇୱା ଧକ୍କା ରେ ମାଙ୍କଡଟିର ମୃତ୍ୟୁ ହୋଇଥିଲା । ମାଙ୍କଡଟିର ମୃତ୍ୟୁ ପରେ ଅନ୍ୟ ସାଥି ମାଙ୍କଡ଼ ମାନେ ରାସ୍ତା ଉପରେ ଘେରାବନ୍ଦୀ କରି ମାଙ୍କଡ଼ଟିକୁ ବଞ୍ଚିଥିବା ଆଶାରେ ତାକୁ ସୁରକ୍ଷା ଦେଉଥିବା ନଜର ଆସିଥିଲା । ଯାହା ଫଳରେ କିଛି ସମୟ ପାଇଁ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଭିଡ଼ିଓରେ ମୃତ ମାଙ୍କଡ଼ ଟିକୁ କିଏ ଗେଲ କରୁଛି ତ ଆଉ କିଏ ମୃତ ମାଙ୍କଡ ନିକଟକୁ ଯେମିତି କେହି ନ ଆସିବେ, ସେଥିପାଇଁ ଘେରାବନ୍ଦୀ କରି ସୁରକ୍ଷା ଦେଉଛନ୍ତି । କିଛି ସମୟ ଧରି ରାଜରାସ୍ତାରେ ମାଙ୍କଡ଼ ମାନଙ୍କର ଏଭଳି ଅନାବିଳ ସ୍ନେହ ଦେଖି ସତେ ଯେମିତି ଦେଖଣାହାରୀ ଅବାକ ହୋଇଯାଇଥିଲେ ।

ତେବେ ଅନେକ ସମୟ ଧରି ମାଙ୍କଡ଼ ଗୁଡିକ ନିଜ ସାଥିକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମୃତ ମାଙ୍କଡ଼ଟି ଆଉ ଉଠିନଥିଲା । ଶେଷରେ ଅନ୍ୟ ସାଥି ମାନେ ନିରାଶ ହୋଇ ସେହି ସ୍ଥାନ ଛାଡିଥିଲେ ।

ଜେଲ ଭିତରେ ଚାଲିଛି ନାଚ ଗୀତର ଆସର, ଭିଡ଼ିଓ ଭାଇରାଲ୍

ଭୁବନେଶ୍ୱର: ରାଜଧାନୀର ଏକ ଜେଲ ଭିତରେ ଚାଲିଛି ନାଚ ଗୀତର ଆସର। ଏନେଇ ଏକ ଭିଡ଼ିଓ ଭାଇରାଲ୍ ମଧ୍ୟ ହୋଇଛି । ଭିଡ଼ିଓରେ ସଂକୀର୍ତ୍ତନ ସାଙ୍ଗକୁ ଜେଲ ଭିତରେ ଗଞ୍ଜେଇ ଚିଲମର ଧୂଆଁ ଦେଖିବାକୁ ମିଳୁଛି।

ଗୋଟିଏ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ଗୀତର ଆସର ସାଧାରଣରେ ଚିନ୍ତାର କାରଣ ପାଲଟିଛି। ସୂଚନା ଅନୁଯାୟୀ ଏ ଭିଡିଓଟି ଖୋଦ ରାଜଧାନୀ ଛାତି ଉପରେ ଥିବା ଝାରପଡ଼ା ଜେଲରୁ ଭିତରର। ଜେଲ୍ ଭିତରର ୩ଟି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆଉ ଗୋଟିଏ ଭିଡ଼ିଓରେ ୨ ଜଣଙ୍କ ଠାରୁ ଟଙ୍କା ନେଇ କିଛି ଜିନିଷ ଦେଉଥିବା ନଜର ଆସୁଛି । ଯଦିଓ ଭିଡ଼ିଓଟି କେବେ ସୁଟିଂ କରାଯାଇଛି ତାହା ସ୍ପଷ୍ଟ ହୋଇନି । ତଥାପି ଗତ ମାସ ପଣା ସଂକ୍ରାନ୍ତିରେ ଏଭଳି ନାଚ ଗୀତ ଆସର ହୋଇଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ହେବ ଅପରେସନ କ୍ଲିନ ଅପରେ ଚଢ଼ାଉ ବେଳେ ୧୩ଟି ମୋବାଇଲ ଜବତ କରିଛି ଜେଲ ବିଭାଗର ସ୍ବତନ୍ତ୍ର ଟିମ୍ ।

ତେବେ ଭିଡିଓ ସମ୍ପର୍କରେ ଜେଲ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ରାଜନଗର: କେନ୍ଦ୍ରାପଡ଼ା ରାଜନଗରରେ ଜଘନ୍ୟକାଣ୍ଡ ଭିଆଇଛନ୍ତି ଦୁବୃର୍ତ୍ତ। ଘରୁ ଡ଼ାକିନେଇ ଜଣେ ବ୍ଲକ କର୍ମଚାରୀଙ୍କୁ କିଛି ଦୁବୃର୍ତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୩ଟା ବେଳେ ରାଜନଗର ବ୍ଲକର ଓଡ଼ିଶା ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଅପରାଧୀ।

ସୂଚନା ଅନୁଯାୟୀ, ଘରେ ଶୋଇଥିବା ବେଳେ ୫ରୁ ୭ଜଣ ଯୁବକ ରଶ୍ମି ରଞ୍ଜନଙ୍କ କବାଟ ବାଡେଇଥିଲେ। ସେ ଉଠି କବାଟ ଖୋଲିବା ପରେ ଖଣ୍ଡା ଓ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ଲୋକେ ଉଠି ପଡ଼ିବାରୁ ଅପରାଧୀ ମାନେ ଖସି ପଳାଇଥିଲେ ବୋଲି ଜଣାପଡିଛି।

 

ତେବେ ଗୁରୁତର ଅବସ୍ଥାରେ ରଶ୍ମି ରଞ୍ଜନଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ତାଙ୍କ ଅବସ୍ଥା ସଙ୍କଟାପନ ରହିଛି। ଏନେଇ ରଶ୍ମି ରଞ୍ଜନଙ୍କ ସ୍ତ୍ରୀ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିବା ଜଣାପଡିଛି ।

ଦିନକ ପରେ ଚନ୍ଦନଯାତ୍ରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ଆଉ ଦିନକ ପରେ ଚନ୍ଦନଯାତ୍ରା । ଏହି ସମୟରେ ଚାପ ଖେଳିବେ ମହାପ୍ରଭୁ । ଏନେଇ ପୁରୀରେ ଚନ୍ଦନଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନରେନ୍ଦ୍ର ପୁଷ୍କରିଣୀର ଆଲୋକିକୀକରଣ ବ୍ୟବସ୍ଥା କରାଯାଉଥିବା ବେଳେ ନନ୍ଦା, ଭଦ୍ରା, ଧନନ୍ତ୍ୱରୀ ଚାପ ଡଙ୍ଗାରେ ବେଦି ନିର୍ମାଣ କାମ ଚାଲିଛି।

ସୂଚନା ଅନୁଯାୟୀ, ମହାରଣା ସେବାୟତ ବେଦି ନିର୍ମାଣ କାମରେ ବ୍ୟସ୍ତ ଥିବା ବେଳେ ଭୋଇ ସେବକ ଆବଶ୍ୟକୀୟ କାଠ ଯୋଗାଉଛନ୍ତି । ନରେନ୍ଦ୍ର ପୁଷ୍କରିଣୀ ପରିସରକୁ ସଫା କରାଯିବା ସହ ପାଖ ମନ୍ଦିର ରଙ୍ଗ କରାଯାଉଛି । ଏଥର ଚନ୍ଦନଯାତ୍ରା ସୀମିତ ସେବାୟତରେ କୋଭିଡ କଟକଣାରେ ଅନୁଷ୍ଠିତ ହେବ।

ତେବେ ଯେଉଁ ସେବାୟତ ଚନ୍ଦନଯାତ୍ରା ନୀତିରେ ସାମିଲ ହେବେ ସେମାନଙ୍କ କୋଭିଡ ଟେଷ୍ଟ କରାଯାଉଛି । ନେଗେଟିଭ ସେବାୟତ ହିଁ ଏଥିରେ ସାମିଲ ହେବେ ।

ଦେଶରେ ୩ ଲକ୍ଷ ୬୨ ହଜାରରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଗୋଟିଏ ଦିନରେ ସାରା ଦେଶରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଗତ ୨୪ ଘଣ୍ଟାରେ ୩ ଲକ୍ଷ ୫୨ ହଜାର ୧୮୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୪୧୨୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଏବେ ସୁଦ୍ଧା ସାରା ଦେଶରେ ୩୭ ଲକ୍ଷ ୧୦ ହଜାର ୫୨୫ ଆକ୍ଟିଭ କେସ୍ ରହିଛି । ଏହାବ୍ୟତୀତ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୮ ହଜାର ୩୧୭ରେ ପହଞ୍ଚିଛି । ଦିନକୁ ଦିନ ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥତା ହାର ବି ବଢୁଛି । ଏଥିସହିତ ମୋଟ ୧ କୋଟି ୯୭ ଲକ୍ଷ ୩୪ ହଜାର ୮୨୩ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ମୋଟ୍  ୧୭, ୭୨, ୧୪, ୨୫୬ ଜଣଙ୍କୁ ଟିକାକରଣ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଶିଶୁ ଓ ନାବାଳକଙ୍କ ଉପରେ ଟିକାର ହେବ କ୍ଲାନିକାଲ ଟ୍ରାଏଲ । ଭାରତ ବାୟୋଟେକ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ କରିବାକୁ ସବଜେକ୍ଟ ଏକ୍ସପର୍ଟ ପ୍ୟାନେଲ୍ ସୁପାରିଶ କରିଛି । ଦ୍ବିତୀୟ ଓ ତୃତୀୟ ଫେଜ୍ କ୍ଲାନିକାଲ ଟ୍ରାଏଲକୁ ଅନୁମତି ମିଳିଛି। ଏହି ଟ୍ରାଏଲ ଦିଲ୍ଲୀ ଓ ପାଟନାର ଏମ୍ସ ଓ ନାଗପୁର ସ୍ଥିତ ମେଡିଟ୍ରିନା ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟରେ ହେବ । ଟ୍ରାଏଲ ସଫଳ ହେଲେ ୨ରୁ ୧୮ ବର୍ଷର ବର୍ଗଙ୍କୁ ମିଳିବ ଟିକା । ତେବେ  ମହାରାଷ୍ଟ୍ରର ମେଦିତ୍ରିନା ମେଡିକାଲ କଲେଜରେ ବି ହେବ ଏହି ଟ୍ରାଏଲ୍। ଏହି କ୍ଲିନିକାଲ ଟ୍ରାଏଲ ୫୨୫ ସ୍ବେଚ୍ଛାସେବୀଙ୍କୁ ଉପରେ କରାଯିବ ବୋଲି ସୂଚନା ମିଳିଛି।