spot_img
Home Blog Page 5690

୧୦ ବର୍ଷ ପରେ ତାମିଲନାଡ଼ୁରେ ସରକାର ଗଢ଼ିବ ଡିଏମକେ

ଚେନ୍ନାଇ: ଦୀର୍ଘ ୧୦ ବର୍ଷ ପରେ ତାମିଲନାଡ଼ୁରେ ବଦଳିବ ସରକାର। ତାମିଲନାଡ଼ୁର ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ଟ୍ରେଣ୍ଡ ଅନୁଯାୟୀ, ଏମ. କେ ଷ୍ଟାଲିନଙ୍କ ଡିଏମକେ ଶାସକ ଦଳ ଠାରୁ ଯଥେଷ୍ଟ ଆଗରେ ରହିଛି। ୧୨୦ ଆସନରେ ଆଗୁଆ ରହିଥିବାବେଳେ ଏଆଡିଏମକେ ୮୧ଟି ଆସନରେ ଆଗୁଆ ରହିଛି। ଡିଏମକେ ଏଥର କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ୁଛି । ଅନ୍ୟପଟେ ଏଆଡିଏମକେ  ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଛି। ସେହିପରି ଅନ୍ୟାନ୍ୟ ୫ଟି ଓ ସାଉଥ ଷ୍ଟାର କମଲ ହାସନ ଗୋଟିଏ ଆସନରେ ଆଗରେ ରହିଛନ୍ତି।

ତାମିଲନାଡ଼ୁର କୋଲାଥୁର ନିର୍ବାଚନ ମଣ୍ଡଳିରୁ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ ଏଆଇଡିଏମକେ ପ୍ରାର୍ଥୀ ଆଜିରାଜାରାମଙ୍କଠୁ ଯଥେଷ୍ଟ ଆଗୁଆ ଅଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ସାଲେମ ଜିଲ୍ଲାର ଇଡାପଡ୍ଡି ଆସନରେ ଆଗୁଆ ଅଛନ୍ତି । ଏଥିସହ ଉପ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ୍ ଡିଏମକେର ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥଙ୍ଗା ତମିଲସେଲ୍ୱନଙ୍କଠୁ ସାମାନ୍ୟ ପଛୁଆ ଅଛନ୍ତି। ୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ସରକାର ଗଠନ ପାଇଁ ୧୧୮ଟି ଆସନ ଦରକାର। ଯେଉଁଥିରେ କି ଡିଏମକେ  ଆଗୁଆ ରହିଛି। ତେବେ କିଛି ରାଉଣ୍ଡ ଭୋଟ ଗଣତି ବାକି ରହିଥିଲେ ବି ଡିଏମକେ ହିଁ ରାଜ୍ୟର ସରକାର ଗଠନ କରିବ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ତେଣୁ  ଟ୍ରେଣ୍ଡକୁ ଦେଖି ଡିଏମକେ ସମର୍ଥକମାନେ ବିଜୟ ଉତ୍ସବ ମନାଇବା ଆରମ୍ଭ କରିଦେଲେଣି।

କରୋନା ମହାମାରୀ ପାଇଁ ନିର୍ବାଚନ କମିଶନ ବିଜୟ ଉତ୍ସବ ବା ଶୋଭାଯାତ୍ରା କରିବାକୁ ସ୍ପଷ୍ଟ ମନା କରିଛନ୍ତି । ହେଲେ ତଥାପି ଏହାକୁ ବେଖାତିର କରି ଏଆଡିଏମକେର ସମର୍ଥକମାନେ  ଦଳର ମୁଖ୍ୟାଳୟ ଆନ୍ନା ଅରିଭାଲୟମରେ ଏକାଠି ହୋଇ ଉତ୍ସବ ମନାଉଛନ୍ତି।

ପାପ ଧୋଉଛି ସୋନାଗାଛି, ବଦନାମର ସିରିପାକୁ ଓହ୍ଲାଇ ସୁନାମ ଅର୍ଜୁଛି

ପାପ ଧୋଉଛି ସୋନାଗାଛି। କେବେ ଗପରେ ହେଉ, କୌଣସି ବହିରେ ହେଉ କିମ୍ବା ଇଣ୍ଟରନେଟରେ ହେଉ, ଆପଣ ସୋନାଗାଛିର ନାଁ ଶୁଣିଥିବେ ନିଶ୍ଚୟ । ବଦନାମ ଗଳିର ସିରିପା ପିନ୍ଧି ସବୁବେଳେ ଚର୍ଚ୍ଚାରେ ରହୁଥିବା ସୋନାଗାଛି ଏବେ ଭିନ୍ନ ପ୍ରୟାସ ପାଇଁ ଚର୍ଚ୍ଚାରେ ରହିଛି । କରୋନାର ତାଡନାରେ ଭାରତ ବୁକୁଫଟା ଯନ୍ତ୍ରଣାରେ ଜର୍ଜରିତ ହେଉଥିବାବେଳେ ଦେଶ ହିତରେ ଠିଆ ହୋଇ କଳଙ୍କକୁ ପୋଛି ଦେବାକୁ ଉଦ୍ୟମ କରୁଛି ସୋନାଗାଛି । ବାସ୍ତବରେ କାହିଁକି ଚର୍ଚ୍ଚିତ ସୋନାଗାଛି ? କଣ ପାପ କିରିଛି ସିଏ । କାହିଁକି ମିଳିଛି ବଦନାମ ଗଳିର ମୁକୁଟ ? ଆଉ ଏବେ କେମିତି ପାପ ଧୋଇ ପ୍ରଶଂସା ସାଉଁଟିଛି ସୋନାଗାଛି ?

ପଶ୍ଚିମବଙ୍ଗ କୋଲକାତା ସହରର ବହୁଚର୍ଚ୍ଚିତ କଳଙ୍କିତ ଇଲାକା ହେଉଛି ସୋନାଗାଛି । ଏସିଆର ସବୁଠୁ ବଡ଼ ରେଡ ଲାଇଟ୍ ଏରିଆର ତାଜ ପିନ୍ଧି କଳଙ୍କର କାଳିମାକୁ ସିରିପାରେ ନାଇଁଛି ସେ । “ସୋନାଗାଛି” ଏସିଆ ମହାଦେଶର ବୃହତମ ବେସ୍ୟାଳୟ, ଆଉ କୋଲକାତାର କଳଙ୍କର ପରିଚୟ ହାସଲ କରିଛି । ଯେଉଁଠି ମନ ନୁହେଁ ମନିରେ ଚାଲେ ଦେହ ସଉଦା । ମୁଲଚାଲରେ ମିଳେ ରାତିରସଙ୍ଗୀନି ।

ପ୍ରତି ଘର କୋଣରୁ ଆସେ ଧକେଇ କାନ୍ଦୁଥିବାର ଅଶୁଣା ସ୍ବର । ଯେଉଁଠି ଝିଅ ଜନ୍ମ ହେବା ଅଭିଷାପ , ସେହି ସୋନାଗାଛି ଆଜି ସୁନାମ ଅର୍ଜୁଛି । କରୋନା କାଳରେ ନିଜର ସମାଲୋଚଙ୍କ ସାଥ୍ ଦେଇଛି । ପାପ ଧୋଇବାକୁ ଆଗେଇ ଆସି ଲୋକଙ୍କୁ ସଚେତନ କରୁଛି  । ପଶ୍ଚିମବଙ୍ଗରରେ କରୋନାର ଦ୍ବିତୀୟ ଲହରି ଭୟଙ୍କର ହେଉଥିବାବେଳେ ଲୋକଙ୍କୁ ସଚେତନ କରିବାକୁ ଆଗେଇଆସିଛନ୍ତି ସୋନାଗାଛିର ଦେହଜିବୀ ।

କୋଲକାତା ସେଣ୍ଟ୍ରାଲ ଏଭେନିଉ ରାସ୍ତାରେ ଭିନ୍ନ ପ୍ରୟାସ କରି ସେମାନେ ସାଧାରଣ ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି । ରାସ୍ତାରେ ଯାଉଥିବା ଲୋକଙ୍କୁ ମାସ୍କ ବାଣ୍ଟି ଆପଣାଇଛନ୍ତି ସଚେତନତା କରିବାର ପନ୍ଥା । ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ଦେଇ ଲଜ୍ଜାଜନକ ଅପମାନିତ କରାଉଛନ୍ତି ସୋନମାଗାଛିର ଦେହଜିବୀ  । କରୋନାର ଦହର ତଳୁ ଲୋକଙ୍କୁ ଦୁରେଇବାକୁ କରିଛନ୍ତି ପ୍ରୟାସ  । ସଂକ୍ରମଣକୁ ଅଟକାଇବା ପାଇଁ ରାସ୍ତାକୁ ଆସି ଏବେ ପାଇଛନ୍ତି ଲୋକଙ୍କର ଭଲପାଇବା ।

ଏବେ ସଂକ୍ଷେପରେ ନଜର ପକାଇବା ସୋନାଗାଛିର ଇତିହାସ ଉପରେ..

ସୋନାଗାଛିର ଇତିହାସ ୩୦୦ ବର୍ଷ ପୁରୁଣା  । ଆକଳନ ଅନୁଯାୟୀ ଏଠାରେ ୧୫ ହଜାରରୁ ଅଧିକ ଦେହଜୀବୀ ରୁହନ୍ତି । ସବୁ ବୟସର, ସବୁ କ୍ଷେତ୍ରରୁ ଏବଂ ସବୁ ଧର୍ମର ଝିଅ ଓ ମହିଳା ଟଙ୍କା ପାଇଁ ଦେହ ଦେଇଥାନ୍ତି । ଐତିହାସିକଙ୍କ କହିବା ମୁତାବକ ସନାଉଲ୍ଲହା ନାମକ କୁଖ୍ୟାତ ଡକାୟତ ତା’ ମା ସହିତ ଏହି ଅଞ୍ଚଳରେ ରହୁଥିଲା। ଯାହା ସୋନାଗାଜି ନାମରେ ପରିଚିତ ହୋଇଥିଲା। କିଛି ଦିନ ପରେ ସନାଉଲ୍ଲହାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା। ସମୟ କ୍ରମେ ଏହା ସୋନାଗାଜିରୁ ସୋନାଗାଛିରେ ପରିଣତ ହୋଇଗଲା। ଏକ ଛୋଟ ବେଶ୍ୟାଳୟରୁ ଆଜି ଏସିଆର ବଡ ବେଶ୍ୟାଳୟରେ ପରିଣତ ହୋଇଛି ସୋନାଗାଛି। କୁହାଯାଏ ଇଂରେଜ ଶାସନ ସମୟରେ ଏହା ବାଣିଜ୍ୟର କେନ୍ଦ୍ରସ୍ଥଳୀ ଥିଲା। ସେହି ସମୟରେ ଇଂରେଜ ମାନଙ୍କ ମନୋରଞ୍ଜନର ପେଣ୍ଠସ୍ଥଳୀ ଥିଲା ଏହି ଯାଗା। ଏଠି ଝିଅ ବଡ ହେଲା ପରେ ଦେହ ବେପାରରେ ଲିପ୍ତ ହୁଅନ୍ତି ଆଉ ପୁଅ ମାନେ ଦେହ ଦଲାଲି କରନ୍ତି। ତେବେ କେବଳ ଭାରତରେ ନୁହେଁ ପୁରା ବିଶ୍ୱରେ ଦେହ ଦଲାଲୀ ପାଇଁ ଦୁର୍ନାମ ଅର୍ଜନ କରିଥିବା ସୋନାଗାଛି ଏବେ ବିପଦ ସମୟରେ ଦେଶ ପାଇଁ ସୁନାମ ଆଣିଛି। ଲୋକଙ୍କୁ ସଚେତନ କରି ଜୀବନର ରାହା ଦେଖାଉଛି।

ପଶ୍ଚିମବଙ୍ଗରେ ମମତା ମ୍ୟାଜିକ, ଦିଦିଙ୍କ ଖେଳରେ ମୋଦି ଆଉଟ

କୋଲକାତା: ଖେଲୋ ହବେ ନା ବିକାଶ ହବେ । ଦିଦି ଓ ଦିଦି… । ସମସ୍ତ ଭାଷଣବାଜି, ବୟାନବାଜି, ଆକ୍ଷେପ, ପ୍ରତିଆକ୍ଷେପର ଅନ୍ତ ଘଟିଛି । ପୁଣିଥରେ ବେଙ୍ଗଲରେ ଦିଦିଙ୍କ ଟିଏମସି ରେକର୍ଡ ରଚିଛି । ମୋଦିଙ୍କ ଚିତ୍କାର, ଶାହାଙ୍କ ହୁଙ୍କାର ଏବଂ ନଡ୍ଡାଙ୍କ ରୋଡ ସୋକୁ ଅଧା ରାସ୍ତାରେ ଅଟକାଇ ଦେଇଛନ୍ତି ଦିଦି । ଅବକୀ ବାର ୨୦୦ ପାରର ନାରା ଦେଉଥିବା ବିଜେପି ତିନିଅଙ୍କ ଛୁଇଁବାରେ ବି ବିଫଳ ହୋଇଛି । ମା, ମାଟି, ମନୁଷର ନାରା ଦେଇ ୨୦୧୧ ମସିହାରେ ଦିଦି ବାମଦଳକୁ ଗାଦିତ୍ୟୁତ କରି କ୍ଷମତା ଅକ୍ତିଆର କରିଥିଲେ । କିନ୍ତୁ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ସ୍ୱତେ ପଶ୍ଚିମବଙ୍ଗ ଟିଏମସିର ଗଡ଼ ବୋଲି ପୁଣି ଥରେ ପ୍ରମାଣିତ କରିଦେଲେ । ୨୦୫ରୁ ଅଧିକ ଆସନରେ ବାଜିମାତ କରିବା ସହ ହ୍ୟାଟ୍ରିକ ରଚିଛି ଦିଦିଙ୍କ ଦଳ ଟିଏମସି ।

୨୦୧୪ ମସିହାରେ ସାରା ଦେଶରେ ମୋଦି ଲହରୀ । ପ୍ରଥମକରି ପ୍ରଧାନମନ୍ତ୍ରୀ ହୁଅନ୍ତି ନରେନ୍ଦ୍ର ମୋଦି । ଠିକ ତାହାର ଦୁଇ ବର୍ଷ ପରେ ଅର୍ଥାତ ୨୦୧୬ ମସିହାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହୁଏ । କିନ୍ତୁ ଦୁଇ ଅଙ୍କ ଛୁଇଁ ପାରେ ନାହିଁ । ଅବଶ୍ୟ ପୂର୍ବରୁ ବେଙ୍ଗଲରେ ବିଜେପିର ଖାତା ଖତିଆନା ନଥିବାବେଳେ ପ୍ରଥମକରି ତିନୋଟି ଆସନରେ ଖାତା ଖୋଲେ ଦଳ । ବାମଗଡରେ ମଧ୍ୟ ବିଜେପି ୩ ଆସନରେ ପଦ୍ମ ପୁଟାଏ । କିନ୍ତୁ ସେଠାରେ କଂଗ୍ରେସ ୪୪ ଆସନରେ ବିଜୟୀ ହେବା ସହ ବିରୋଧି ଦଳର ଭୂମିକା ନିଭାଏ । ଲେଫ୍ଟଫ୍ରଣ୍ଟ ସିପିଆଇଏମ ମଧ୍ୟ ୨୬ ଆସନ ନିଏ । ୨୦୨୧ ନିର୍ବାଚନ ସମ୍ପୂର୍ଣ୍ଣ ଓଲଟା ଫଳାଫଳ ଦିଏ ।

୨୦୧୯ ମସିହା ଲୋକସଭା ନିର୍ବାଚନରେ ବିଜେପିକୁ ବେଙ୍ଗଲରେ ମିଳିଥିବା ଜନାଦେଶ ସରକାର ଗଢିବାକୁ ସାହାସ ଜୁଟାଏ । ଯାହାକୁ ନେଇ ବିଜେପିର ପ୍ରସ୍ତୁତ କରେ ରଣନୀତି । କେନ୍ଦୀୟ ନେତାଙ୍କ ତୁହାକୁ ତୁହା ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଏକାଧିକ ସଭା । ଗୃହମନ୍ତ୍ରୀଙ୍କ ରୋଡ ସୋ । ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ୨୦୦ ପାର ନାରା ନେଇ ଦଳ ମଇଦାନକୁ ଓହ୍ଲାଏ । ସମସ୍ତ ୨୯୨ ଆସନରେ ପ୍ରାର୍ଥୀ ଦେଇ ସରକାର ଗଢିବାର ଦାବିଦାର ବୋଲି ଘୋଷଣା କରେ ବିଜେପି । କିନ୍ତୁ ଆଜିର ଫଳାଫଳ ପୁନର୍ବାର ପ୍ରମାଣିତ କରିଦେଇଛି ବେଙ୍ଗଲରେ କେବଳ ଖେଲୋ ହବେ । ଅର୍ଥାତ ମା-ମାଟି-ମନୁଷର ନାରା ଲଗାଇ ଗାଦିକୁ ଆସିଥିବା ଦିଦିଙ୍କୁ ପଶ୍ଚିମବଙ୍ଗବାସୀ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି ।

ଗୋଟେପଟେ ଅନ୍ତିମ ପର୍ଯ୍ୟାୟ ଭୋଟଗଣତି ଜାରି ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିସନ ଜାରି କରିଥିବା ଫଳାଫଳ ପ୍ରମାଣିତ କରିଦେଇଛି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ହିଁ ସରକାର ଗଢିବାକୁ ଯାଉଛନ୍ତି । ନିର୍ବାଚନ ହୋଇଥିବା ସମୁଦାୟ ୨୯୨ ଆସନ ମଧ୍ୟରୁ ୨୦୫ ଆସନରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେପଟେ ବିଜେପିର ୨୦୦ ପ୍ଲସ ସ୍ଳୋଗାନ ୯୦ ଭିତରେ ସିମୀତ ରହିଯାଇଛି । ଶହେ ମଧ୍ୟ ଅତିକ୍ରମ କରିବା ଦଳ ପାଇଁ ଅତ୍ୟନ୍ତ କଷ୍ଟକର ହେବ । କିନ୍ତୁ ୨୦୧୬ ମସିହାରେ କଂଗ୍ରେସ ପାଇଥିବା ୪୪ ଆସନ ଏଥର ୧କୁ ଖସି ଆସିଛି । ବାମଦଳର ୨୬ ସିଟ ମଧ୍ୟ ବିଜେପିରେ ବିଲୀନ ହୋଇଯାଇଛି । ଅର୍ଥାତ କହିବାକୁ ଗଲେ କେବଳ ଗୋଟିଏ ଆସନରେ କଂଗ୍ରସ ଏବଂ ସିପିଏଇଏମ ସମର୍ଥିତ ପ୍ରାର୍ଥୀ ଜିତିଥିବା ଜଣାପଡିଛି ।

ପୁଡୁଚେରୀରେ କ୍ଷମତାକୁ ଫେରିପାରନ୍ତି ଏନ୍. ରଙ୍ଗାସାମୀ

ଚେନ୍ନାଇ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସକାଳ ୮ଟାରୁ ଭୋଟ୍ ଗଣତି ଜାରି ରହିଛି । ଭି.ନାରାୟଣସାମୀ ନେତୃତ୍ୱାଧୀନ କଂଗ୍ରେସ ସରକାର ଭାଙ୍ଗିବା ପରେ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି । ଏପ୍ରିଲ୍ ୬ରେ ଗୋଟିଏ ପର୍ଯ୍ୟାୟରେ ପୁଡୁଚେରୀର ୩୦ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

୩୦ ଆସନରୁ କଂଗ୍ରେସ ୧୪ଟିରେ ପ୍ରାର୍ଥୀ ଦେଇଥିବା ବେଳେ ଡିଏମକେ ୩ଟିରେ ଏବଂ ଅନ୍ୟ ସହଯୋଗୀ ଦଳ ଅନ୍ୟ ଆସନରେ ପ୍ରାର୍ଥୀ ଦେଇଥିଲେ । ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସାମୀଙ୍କ ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ସହ ମିଶି ବିଜେପି ନିର୍ବାଚନ ଲଢ଼ିଥିଲା । ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ୧୬ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୯ଟିରେ ଏବଂ ଏଆଇଏଡିଏମକେ ୫ଟିରେ ପ୍ରାର୍ଥୀ ଦେଇଥିଲା ।

 Puducherry N Rangasamy AINRC And BJP Likely Formed The Govt.

ଦିନ ୩ଟା ସୁଦ୍ଧା ୩୦ ଆସନ ମଧ୍ୟରୁ ୧୨ଟିର ଫଳାଫଳ ଆସିଛି । ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ୩ଟି ଆସନରେ ଆଗୁଆ ଥିବାବେଳେ ଗୋଟିଏରେ ବିଜେପି ଆଗୁଆ ରହିଛି । କଂଗ୍ରେସ ପ୍ରାର୍ଥୀ ୨ଟିରେ ଆଗୁଆ ଥିବାବେଳେ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛି । ସେହିଭଳି ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ୨ଟି ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଛି । ଡିଏମକେ ଗୋଟିଏ ଆସନ କବଜା କରିଛି ।

୨୦୧୬ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୫ଟି ଆସନରେ ବିଜୟ ଲାଭ କରିଥିଲା । ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ୮ଟି ଆସନ ଜିତିଥିବା ବେଳେ ଏଆଇଏଡିଏମକେ ୪ଟି, ଡିଏମକେ ୨ଟି ଜିତିଥିଲା । ଯେତେବେଳେ କି ବିଜେପି ଖାତା ଖୋଲି ପାରିନଥିଲା । ଚଳିତ ଥର ବିଜେପି ଭଲ କରିଛି । ବର୍ତ୍ତମାନ ଟ୍ରେଣ୍ଡ ସୁଦ୍ଧା ଅଲ୍ ଇଣ୍ଡିଆ ଏନ୍.ଆର୍ କଂଗ୍ରେସ ସହଯୋଗରେ ବିଜେପି ଭଲ ପ୍ରଦର୍ଶନ ଜାରି ରଖିଛି ।

ଆସାମରେ ପୁଣିଥରେ ସରକାର ଗଢ଼ିବ ବିଜେପି

ଗୌହାଟି: ପଶ୍ଚିମବଙ୍ଗରେ ନିରାଶା ମଧ୍ୟରେ ଆସାମରୁ ବିଜେପି ପାଇଁ ଖୁସି ଖବର ଆସିଛି। ଏବେ ସୁଦ୍ଧା ହୋଇଥିବା ଭୋଟ ଗଣତି ଅନୁଯାୟୀ ବିଜେପି ମହାମେଣ୍ଟ ଏନଡିଏ ୮୧ଟି ସିଟରେ ଆଗୁଆ ରହିଛି । ତେବେ ଆସାମରେ ପୁଣି ଥରେ ବିଜେପି ଫେରୁଥିବା ଦେଖିବାକୁ ମିଳୁଛି।

ଆସାମର ସମସ୍ତ ୧୨୬ ଟି ଆସନ ମଧ୍ୟରୁ, ଏନଡିଏ ୮୧ ଟି, ୟୁପିଏ ୪୫ଟି ଏବଂ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ଅଛନ୍ତି। ତେବେ ଏହି ଟ୍ରେଣ୍ଡ ଅନୁଯାୟୀ ବିଜେପି ପୁଣିଥରେ ରାଜ୍ୟରେ ସରକାର ଗଠନ କରୁଛି ବୋଲି ସ୍ପଷ୍ଟ ଜଣାପଡ଼ିଯାଉଛି।

ଅନ୍ୟପଟେ ବିଜେପିର ସହଯୋଗୀ ଆସାମ ଗଣ ପରିଷଦ ପ୍ରାର୍ଥୀମାନେ ୧୦ଟି ଆସନରେ ଏବଂ ୟୁପିପିଏଲ ପ୍ରାର୍ଥୀମାନେ ୭ ଟି ଆସନରେ ଆଗୁଆ ଅଛନ୍ତି। ତେବେ ଏବେ ବି ଭୋଟ ଗଣତି ଜାରି ରହିଛି।

ରାୟଜୋର ଦଳର ପ୍ରମୁଖ ନେତା ଅଖିଲ ଗୋଗୋଇ ସିବଶାଗର ସିଟରେ ଆଗୁଆ ଅଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ଏବଂ ଏଜିପି ମୁଖ୍ୟ ତଥା ମନ୍ତ୍ରୀ ଅତୁଲ ବୋରା ଯଥାକ୍ରମେ ମଜୁଲି, ଜାଲୁକବରୀ ଏବଂ ବୋକାଖତରେ ଆଗୁଆ ଚାଲୁଛନ୍ତି।

ଅନ୍ୟପଟେ କଂଗ୍ରେସ ବିଧାନସଭା ପାର୍ଟି ମୁଖ୍ୟ ଦେବବ୍ରତ ସାଇକିଆ ଏବଂ ତାଙ୍କ ସହଯୋଗୀ ରକିବୁଲ ହୁସେନ୍ ଯଥାକ୍ରମେ ନାଜିରା ଏବଂ ସାମାଗୁରିରେ ପଛୁଆ ଚାଲୁଛନ୍ତି। ଆସାମରେ ମୋଟ ୧୨୬ ଟି ବିଧାନସଭା ଆସନ ରହିଛି ଏବଂ ସଂଖ୍ୟାଗରିଷ୍ଠତା ପାଇଁ ମ୍ୟାଜିକ ନମ୍ବର ହେଉଛି ୬୪। ଅର୍ଥାତ ଆସାରେ ସରକାର ଗଢ଼ିବାକୁ ଗଲେ କୌଣସିବି ଦଳକୁ ୬୪ଟି ଆସନ ଜିତିବାକୁ ପଡ଼ିବ। ଗତ ନିର୍ବାଚନରେ ବିଜେପି୧୨୬ଟି ଆସନରୁ ୮୬ଟି ଆସନ ହାସଲ କରିଥିଲା। କଂଗ୍ରେସକୁ ମାତ୍ର ୨୬ଟି ଆସନରେ ହି ବିଜୟ ମିଳିଥିଲା। ଏଥିସହ ଏଆଇୟୁଡିଏଫ୍ ୧୩ଟି, ଆସାମ ଗଣ ପରିଷଦ ୧୪ଟି ବିପିଏଫ୍ ୧୨ଟି ଏବଂ ଅନ୍ୟାନ୍ୟ ଗୋଟିଏ ସିଟ୍ ପାଇଥିଲେ ।

 

ସରକାରୀ ହସ୍ପିଟାଲରେ ୧୪ କରୋନା ଆକ୍ରାନ୍ତ ମୃତ, ଅକ୍ସିଜେନ୍ ଅଭାବକୁ ପ୍ରଶାସନର ଖଣ୍ଡନ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଏକ ସରକାରୀ ଚିକିତ୍ସାଳୟରେ ୧୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହା ପଛରେ ଅକ୍ସିଜେନ୍ ଅଭାବ ଥିବା କୁହାଯାଉଛି । ତେବେ, ପ୍ରଶାସନ ଏହାକୁ ମିଥ୍ୟା କହିବା ସହ ଖାରଜ କରି ଦେଇଛି । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ଥାନୀୟ ଜିଲ୍ଲାପାଳ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଅକ୍ସିଜେନ୍ ଅଭାବ ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ।

ଶନିବାର ଆନ୍ଧ୍ରର ଅନନ୍ତପୁର ସରକାରୀ ଚିକିତ୍ସାଳୟରେ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଯୁଗ୍ମ ଜିଲ୍ଲାପାଳ କହିଛନ୍ତି, ଆମ ଟିମ୍ ଅକ୍ସିଜେନ୍ ପ୍ଲାଣ୍ଟର ଯାଞ୍ଚ କରୁଛି । ଆମେ କୋଭିଡ୍ ୱାର୍ଡରେ ପ୍ରତିଟି ଲାଇନ୍ ଓ ବଲଭର ଯାଞ୍ଚ କରୁଛୁ । କୌଣସି ଲିକେଜ୍ ମିଳିନାହିଁ । ଅକ୍ସିଜେନ୍ ପ୍ଲାଣ୍ଟର ପ୍ରେସର ମଧ୍ୟ ଠିକ୍ ଅଛି, ବିତରଣରେ କୌଣସି ସମସ୍ୟା ନାହିଁ ।

ସେ କହିଛନ୍ତ- ଆଜି ହୋଇଥିବା ମୃତ୍ୟୁ ସହିତ କାହାର ବି ଅକ୍ସିଜେନ୍ ସହ ସମ୍ପର୍କ ନାହିଁ । ମୃତ୍ୟୁବରଣ କରିଥିବା ରୋଗୀଙ୍କ ବୟସ ଅଧିକ ଥିଲା, ଗମ୍ଭୀର ରୋଗରେ ଆକ୍ରାନ୍ତ ଥିଲେ । ମୃତ୍ୟୁର କାରଣ ଅକ୍ସିଜେନ୍ ନୁହେଁ । ମୁଁ ନିଜେ ଯାଞ୍ଚ କରିଛି ।

କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନ: କାହିଁକି ବନ୍ଦ ହେବନି ପିପିଲି ଉପ ନିର୍ବାଚନ

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ କ’ଣ ଏତେ ଜରୁରୀ ? ଯେଉଁ ସମୟରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି, ସେତେବେଳେ କ’ଣ ନିର୍ବାଚନକୁ ଘୁଞ୍ଚାଯାଇ ପାରିବ ନାହିଁ ? ନା ପିପିଲିରେ ଉପ ନିର୍ବାଚନ ନହେଲେ ଆକାଶ ଛିଣ୍ଡି ପଡ଼ିବ ? ଏମିତି ଅନେକ ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ଓଡ଼ିଶା ସରକାରଙ୍କ ୧୪ ଦିନିଆ ଲକଡାଉନ୍ଘୋ ଷଣା ପରେ ସାମାଜିକ ଗଣମାଧ୍ୟମରେ ସପ୍ତଗିରି ଏମିତି ପ୍ରଶ୍ନ ପଚାରିଛନ୍ତି ।

ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି ସରକାର ବାଧ୍ୟ ହୋଇ ୧୪ ଦିନିଆ ଲକଡାଉନ୍ଘୋ ଷଣା କରିଛନ୍ତି । ଏହା ସହ ସପ୍ତାହାନ୍ତ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଏଭଳି ଏକ ପରିସ୍ଥିତିରେ ପିପିଲି ନିର୍ବାଚନ ପାଇଁ କଟକଣା କୋହଳ କରାଯାଇଛି । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଆସନ୍ତା ୧୬ ତାରିଖ ଦିନ ପିପିଲିରେ ଭୋଟ୍ ଗ୍ରହଣ ହେବ । ଏହାକୁ ନାପସନ୍ଦ କରି ସପ୍ତଗିରି ନିର୍ବାଚନ କମିଶନଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି ।

ଏଥିସହ ପଢ଼ନ୍ତୁ: ତାଲାବନ୍ଦ ଭିତରେ ୧୬ରେ ପଡ଼ିବ ପିପିଲି ଭୋଟ୍

ସେ କହିଛନ୍ତି ପିପିଲି ଉପନିର୍ବାଚନ କଂଗ୍ରେସ ପାଇଁ ପ୍ରଭୂତ କ୍ଷତି ଆଣିଛି । ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାର ସମୟରେ କୋଭିଡ୍ ଆକ୍ରାନ୍ତ ହେବାରୁ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁଘଟିଛି । ଅଜିତ୍ ମଙ୍ଗରାଜଙ୍କ ବିୟୋଗ ପରେ ନିର୍ବାଚନ ସ୍ଥଗିତ ରଖାଯାଇ ପରେ ନୂଆ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । କିନ୍ତୁ ଏଭଳି ଏକ ସଙ୍ଗୀନ ମୁହୂର୍ତ୍ତରେ ସମସ୍ତ ରାଜନୀତିକ ଦଳ ରାଜନୀତିଠୁ ଊର୍ଦ୍ଧ୍ବରେ ଉଠି ନିର୍ବାଚନ କମିଶନଙ୍କୁ ଏହି ତାରିଖକୁ ସ୍ଥଗିତ ରଖିବାକୁ ଆଗଭର ହେବାକୁ ଆହ୍ୱାନ ଦେଇଛନ୍ତି ।

ଟିଏମସି ନେତାଙ୍କ ପ୍ରଶ୍ନ, ଦିଦି ଓ ଦିଦି ପଚାରୁଥିବା ‘ଦାଦା’ କୁଆଡ଼େ ଗଲେ?

କୋଲକୋତା: ପଶ୍ଚିମବଙ୍ଗର ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବା ସହିତ ଟିଏମସି ନେତା ଏବେ ଖୋଲାଖୋଲି ବିଜେପି ଉପରେ ଆକ୍ରମଣ ଆରମ୍ଭ କଲେଣି । ଟ୍ରେଣ୍ଡରୁ ଟିଏମସି ଡବଲ ସେଞ୍ଚୁରୀ ଆଡକୁ ଗତି କରୁଥିବା ମନେ ହେଉଛି । ଅନ୍ୟପକ୍ଷରେ ବିଜେପି ଶତକଠାରୁ ବହୁ ଦୁରରେ ଥିବା ଭଳି ଲାଗୁଛି । ଏହାରି ଭିତରେ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନବାଜୀ ।

ଟିଏମସି ସାଂସଦ କାକୋଲି ଦାସ୍ତୋଦାର ରବିବାର ଦି’ପହରରେ ଗୋଟିଏ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହମଲା କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, ‘ଦିଦି ଓ ଦିଦି’ କହୁଥିବା ‘ଦାଦା’ କୁଆଡେ ଗଲେ ? ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ..ଦାଦାଗିରି ଚଳିବ ନାହିଁ.. ଏହା ବାଂଲା,ବଙ୍ଗାଲ ନୁହେଁ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର କାଳରେ ମୋଦି ଅନେକ ରାଲି କରିଥିଲେ। ରାଲିରେ ସେ ମମତା ବାନାର୍ଜୀଙ୍କୁ ‘ଦିଦି ଓ ଦିଦି’ କହି ସମ୍ବୋଧନ କରୁଥିଲେ । ଯାହାକୁ ଟିଏମସି ଅନେକ ଥର ବିରୋଧ କରିଛି । ଅନ୍ୟପକ୍ଷରେ ଟିଏମସି ନେତା ଡେରିକ ଓ’ବ୍ରାଏନ ମଧ୍ୟ ଟ୍ୱିଟ୍ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଅମିତ ଶାହଙ୍କ ଏକ ପୁରୁଣା ଟ୍ୱିଟ୍ କୁ ରିଟ୍ୱିଟ୍ କରିଛନ୍ତି,ଯେଉଁଥିରେ ଅମିତ ଶାହ ବିଜେପି ପଶ୍ଚିମବଙ୍ଗରେ ୨ଶହ ଆସନ ଜିତିବ ବୋଲି ଦାବି କରୁଛନ୍ତି । ଯଦିଓ ଏବେ ଟିଏମସି ୨ଶହ ଆସନରେ ଆଗୁଆ ଅଛି ଓ ବିଜେପି ଶହେରୁ କମ ଆସନରେ ଆଗୁଆ ଅଛି ।

ପଶ୍ଚିମବଙ୍ଗ ଖେଳରେ କେଉଁ ଖେଳାଳି ଆଗରେ, କିଏ ପଛରେ ?

କୋଲକତା: ପଶ୍ଚିମବଙ୍ଗରେ ଖେଳ ହେବ । ଏମିତି କହିଥିଲେ ମମତା । ଖେଳ କିଏ ଜିତିବ କିଏ ହାରିବ ତାହା ଆଉ କେଇ ଘଣ୍ଟା ମଧ୍ୟରେ ଜଣା ପଡ଼ିଯିବ । କିନ୍ତୁ ପଶ୍ଚିମବଙ୍ଗର ଭୋଟ୍ ରଣଭୂମୀରେ କୁହନ୍ତୁ କି ଖେଳ ମୈଦାନରେ ବଡ଼ବଡ଼ ଖେଳାଳୀ ନିଜ ଭାଗ୍ୟ ପରିକ୍ଷା କରୁଛନ୍ତି । ତେବେ ଦି’ପହର ସୁଧା ଏହି ପୋଖତ ଖେଳାଳୀଙ୍କ ମଧ୍ୟରୁ କିଏ ଆଗରେ ଅଛନ୍ତି ? କିଏ ପଛରେ ଅଛନ୍ତି ? । ନଜର ପକାନ୍ତୁ ନିମ୍ନରେ ଦିଆଯାଇଥିବା ତାଲିକା ଉପରେ । ମଧ୍ୟାହ୍ନ ୧୨ଟା ସୁଧା ପଶ୍ଚିମବଙ୍ଗରେ ଏହି ଖେଳାଳୀ ମାନ ଭୋଟ୍ ଖେଳରେ ଭଲ ସ୍କୋର କରି ଆଗରେ ଅଛନ୍ତି । ତେବେ ମନେ ରଖନ୍ତୁ ଏହା ଅନ୍ତିମ ଫଳାଫଳ ନୁହେଁ ।

ପ୍ରମ୍ମୁଖ ପ୍ରାର୍ଥୀ ଆସନ ଟ୍ରେଣ୍ଡ୍
ମମତା ବାନାର୍ଜୀ(ଟିଏମସି) ନନ୍ଦିଗ୍ରାମ ପଛରେ
ଶୁଭେନ୍ଦୁ ଅଧିକାରୀ(ବିଜେପି) ନନ୍ଦିଗ୍ରାମ ଆଗରେ
ବାବୁଲ ସୁପ୍ରିଓ (ବିଜେପି) ଟଲିଗଞ୍ଜ ପଛୁଆ
ମଦନ ମିତ୍ର(ଟିଏମସି) କମରହଟ୍ଟି ଆଗରେ
ଫିରହାଦ ହାକିମ(ଟିଏମସି) କୋଲକୋତା ପୋର୍ଟ୍ ଆଗରେ
ମୁକୁଲ ରାୟ(ବିଜେପି) କୃଷ୍ଣନଗର(ଉତ୍ତର) ଆଗରେ
ଲକେଟ୍ ବାନାର୍ଜୀ(ବିଜେପି) ଚୁଞ୍ଚୁରା ପଛୁଆ
ମନୋଜ ତିୱାରୀ(ବିଜେପି) ଶିବପୁର ପଛୁଆ
ପାର୍ଥ ପ୍ରତିମ ରୟ(ଟିଏମସି) ସିତଲକୁଚି ପଛୁଆ
ଅରୁପ ବିଶ୍ୱାସ (ଟିଏମସି) ଟଲିଗଞ୍ଜ ଆଗୁଆ
ଶୋଭନଦେବ ଚଟ୍ଟୋପଦ୍ଧ୍ୟାୟ ଟିଏମସି ଭବାନୀପୁର ଆଗୁଆ

 

ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣାକୁ ମାନସ ମଙ୍ଗରାଜଙ୍କ ସ୍ୱାଗତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସବୁଠି ପ୍ରଶଂସା । ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ  କରିଛନ୍ତି ।

ମାନସ ମଙ୍ଗରାଜ ଟ୍ୱିଟ୍ କରି ଲେଖିଛନ୍ତି, ଏହା ସାମ୍ବାଦିକମାନଙ୍କୁ ବିଶେଷ ଭାବେ ସହାୟକ ହେବ । ସାମ୍ବାଦିକମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ ଦୃଢ଼ ସହଯୋଗ ଥିବା କହିଛନ୍ତି ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟର ସାମ୍ବାଦିକମାନେ ସ୍ୱାଗତ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ