spot_img
Home Blog Page 5716

ଖବର ସାଜିଲେ ଖବରଦାତା, କୋଭିଡରେ ଆଖିବୁଜିଲେ ଅମଜଦ ବାଦଶାହ

ଭୁବନେଶ୍ୱର: ପୁଣି ଜଣେ ସାମ୍ବାଦିକଙ୍କୁ ଛଡାଇ ନେଲା କୋଭିଡ । ପ୍ରତିଷ୍ଠିତ ତଥା ବରିଷ୍ଠ ସାମ୍ବାଦିକ ଅମଜଦ ବାଦଶାହଙ୍କ କରୋନାରେ ଆଜି ମୃତ୍ୟୁ ଘଟିଛି । କିଛିଦିନ ତଳେ ଅମଜଦଙ୍କ ଠାରେ କୋଭିଡ ଲକ୍ଷଣ ଦେଖା ଦେବା ପରେ ସେ କରୋନା ଟେଷ୍ଟ କରାଇଥିଲେ । ପରେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରୁ ଅମଜାଦଙ୍କୁ ରାଉରକେଲାସ୍ଥିତ ଜୟପ୍ରକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

 

ପଶ୍ଚିମ ଓଡିଶାରେ ଜନ୍ମଗ୍ରହଣ କରିଥିବା ଅମଜଦ ବାଦଶାହା ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ । ପରେ ରାଜ୍ୟର ଅନେକ ଅଗ୍ରଣୀ ଟେଲିଭିଜନରେ ସାମ୍ବାଦିକ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଜଣେ ସରଳ ଏବଂ ମିଷ୍ଟଭାଷୀ ମଣିଷ ଭାବେ ପରିଚିତ ଅମଜାଦଙ୍କ ଦେହାନ୍ତରେ ସମଗ୍ର ସାମ୍ବାଦିକ ଜଗତରେ ଶୋକ ବାର୍ତ୍ତା ଖେଳିଯାଇଛି । ଅନେକ ନେତା ଓ ମନ୍ତ୍ରୀ ଅମଜାଦଙ୍କ ମୃତ୍ୟୁରେ ଗଭୀର ଶୋକବାର୍ତ୍ତା ଜଣାଇବା ସହ ପରିବାର ବର୍ଗଙ୍କୁ ମଧ୍ୟ ସ୍ୱାନ୍ତନା ଦେଇଛନ୍ତି ।

 

୨୦୦୫ରେ ଇଟିଭିରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ ଝାରସୁଗୁଡାର ଅମଜାଦ ବାଦଶାହା । ଏହାପରେ ରାଜ୍ୟର ବହୁ ଅଗ୍ରଣୀ ଗଣମାଧ୍ୟମରେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ଅମଜଦ । ବିଭିନ୍ନ ପ୍ରସଙ୍ଗରେ ରୋକଠୋକ କହୁଥିବା ସାମ୍ବାଦିକ ଥିଲେ ଅମଜଦ । ଦି ସୋସିଓକ୍ରାଟ ଓ ଏନଏଫଟିଭିର କନସଲଟିଂ ଏଡିଟର ଭାବେ ଦାୟିତ୍ବ ତୁଲାଉଥିଲେ । ଅନେକଙ୍କ ଖବର ଲେଖୁଥିବା ଅମଜାଦ ଆଜି ନିଜେ ପାଲଟିଯାଇଛନ୍ତି ଖବର । ବାଦଶାହ ଟକ୍ସ ନାମକ ୟୁଟ୍ୟୁବ ଚାନେଲ ଖୋଲି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପାନ କରୁଥିଲେ । ଦେଶ-ବିଦେଶ ଖବର ଉପରେ ଅଧିକ ରୁଚି ରଖୁଥିଲେ ଅମଜଦ ।

  ପରିବେଶ ସୁରକ୍ଷା ସଂପର୍କିତ ତାଙ୍କର ଅନେକ ଆର୍ଟିକିଲ ଜାତୀୟ ପତ୍ରିକା ଡାଉନ ଟୁ ଅର୍ଥରେ ପ୍ରକାଶ ପାଇଛି । ଡେଭଲପମେଣ୍ଟ ରିପୋର୍ଟିଂରେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଗୁଗୁଲ ନ୍ୟୁଜ ଇନିସିଏଟିଭର ପୋଲ ଚେକ୍ କାର୍ଯ୍ୟକ୍ରମରେ ମିଡିଆ ସଂସ୍ଥାର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ ଅମଜଦ । ଗତ ୭ ତାରିଖରେ କୋଭିଡ ପଜିଟିଭ ସଂପର୍କରେ ଫେସବୁକରେ କରିଥିଲେ ଶେଷ ପୋଷ୍ଟ । ଏହି ପୋଷ୍ଟରେ ସେ ଲେଖିଥିଲେ, ସେ ପଜିଟିଭ ହୋଇଥିବା କାରଣରୁ କୋଭିଡ ପ୍ରୋଟୋକଲ ମାନି ହୋମ୍ ଆଇସୋଲେସନରେ ରହୁଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ନିଜ ସତର୍କତାରେ ରୁହନ୍ତୁ । ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ ।

ଅମଜାଦଙ୍କ ପରିବାର ସାରା ଓଡିଶାରେ ପରିଚିତ । ସାମ୍ପ୍ରଦାୟିକ ସଦଭାବନାର ଏକ ନିଛକ ଉଦାହରଣରେ ସୃଷ୍ଟି କରିଛି ଅମଜାଦଙ୍କ ପରିବାର । ଝାରସୁଗୁଡାର ରେମାଣ୍ଡ ଗାଁରେ ଆୟୋଜିତ ରଥଯାତ୍ରାରେ ଅମଜାଦଙ୍କ ପରିବାର ମୁଖ୍ୟ ସଦସ୍ୟ ଛେରା ପହଁରା କରନ୍ତି । ଏହି ପରମ୍ପରା ବହୁ ବର୍ଷରୁ ଚାଲି ଆସୁଛି । ଅମଜଦ ବାଦଶାହଙ୍କ ମୃତ୍ୟୁ ଓଡିଶା ସାମ୍ବାଦିକ ଜଗତ ତଥା ମିଡିଆ ଅଧ୍ୟାପନା ଜଗତ ପାଇଁ ବହୁ ବଡ କ୍ଷତି । ଅମଜଦଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକଙ୍କ ମହଲରେ ଶୋକର ଲହରୀ ଖେଳିଯାଇଛି ।

 କିଛିଦିନ ତଳେ କରୋନାରେ ଗଞ୍ଜାମ ଜିଲ୍ଲାର ୨ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା । ଏକ ୱେବ ଚ୍ୟାନେଲରେ କୁକୁଡ଼ାଖଣ୍ଡି ବ୍ଲକରେ କାର୍ଯ୍ୟରତ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା ଏବଂ ଏକ ଦୈନିକ ଖବରକାଗଜର ଚିକିଟି ପ୍ରତିନିଧି ଭାବେ କାର୍ଯ୍ୟରତ ଯୁବ ସାମ୍ବାଦିକ ମନୋଜ କୁମାର ସାହୁଙ୍କ ମୃତ୍ୟୁ ଘଟିଥିଲା ।

ଖ୍ୟାତାନାମା ଡାକ୍ତରଙ୍କ ପରାମର୍ଶ: ୮୫ ପ୍ରତିଶତ କରୋନା ରୋଗୀଙ୍କୁ ଦରକାର ନାହିଁ ଅକ୍ସିଜେନ୍-ରେମଡେସିଭିର

ନୂଆଦିଲ୍ଲୀ : ଦେଶରେ କରୋନାର ସଙ୍କଟଜନକ ପରିସ୍ଥିତି ମଧ୍ୟରେ ଦେଶର ଖ୍ୟାତାନାମା ଡାକ୍ତରମାନେ ପୁଣି ଥରେ କୋଭିଡ୍ ସମ୍ବନ୍ଧିତ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ସମେତ ଦେଶର ବଡ ଡାକ୍ତର ଯୋଗ ଦେଇଥିଲେ। ଏଥିରେ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ ଡ. ନରେଶ ତ୍ରେହାନ, ମେଡିସିନ ଏମ୍ସର ପ୍ରୋଫେସର ତଥା ଏଚଓଡି ଡ. ନବୀନ ଓ୍ଵିଗ୍ ଓ ସାଧାରଣ ସ୍ଵାସ୍ଥ୍ୟ  ସେବାର ନିର୍ଦ୍ଦେଶକ ଡ. ସୁନିଲ କୁମାର ସାମିଲ।

ଡ ରଣଦୀପ ଗୁଲେରିଆ କହିଛନ୍ତି ଯେ, କରୋନାର ବର୍ତ୍ତମାନର ସ୍ଥିତିକୁ ନେଇ ଲୋକେ ଭୟଭୀତ। ଘରେ ଇଞ୍ଜେକ୍ସନ, ସିଲିଣ୍ଡର ରଖିବା ଆରମ୍ଭ କରି ଦେଇଛନ୍ତି। ଏହି କାରଣରୁ ହସ୍ପିଟାଲଗୁଡିକରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଦେଖା ଦେଇଛି। କରୋନା ଏକ ସାଧାରଣ ସଂକ୍ରମଣ। ଏଥିରେ ୮୫ ରୁ ୯୦ ପ୍ରତିଶତ ଲୋକଙ୍କୁ ଜ୍ଵର ଏବଂ ଦେହହାତ ଗୋଡ ବିନ୍ଧା ହୋଇଥାଏ। ଏଥିରେ ଅକ୍ସିଜେନ୍, ରେମଡେସିଭିରର ଆବଶ୍ୟକତା ନାହିଁ।

ସେ କହିଛନ୍ତି ଯେ, ଯେଉଁ ରୋଗୀମାନେ ଘରେ ଅଛନ୍ତି ଏବଂ ଅକ୍ସିଜେନ୍ ସ୍ତର ୯୪ରୁ ଅଧିକ ରହିଛି ସେମାନଙ୍କୁ ରେମଡେସିଭିରର କୌଣସି ଆବଶ୍ୟକତା ନାହିଁ। ଯଦି ସାଧାରଣ ରେମଡେସିଭିର ନିଅନ୍ତି ତେବେ ଆପଣଙ୍କ କମ ଲାଭ ଏବଂ ଅଧିକ କ୍ଷତି ଘଟିପାରେ। ଲୋକେ  ଆତଙ୍କିତ ହୋଇ ରେମଡେସିଭିର ଇଞ୍ଜେକ୍ସନ ଗଚ୍ଛିତ କରିବା ଆରମ୍ଭ କରିଦେଇଛନ୍ତି। ଫଳରେ ବଜାରରେ ଏହାର ଅଭାବ ଦେଖିବାକୁ ମିଳିଛି ଏବଂ  କଳାବଜାରୀ ମଧ୍ୟ ଆରମ୍ଭ ହୋଇ ଯାଇଛି। ତେଣୁ ଲୋକଙ୍କୁ ଏମିତି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଡ ଗୁଲେରିଆ କହିଛନ୍ତି।

ମେଦାନ୍ତ ହସ୍ପିଟାଲର ଡ. ନରେଶ ତ୍ରେହନ ରେମଡେସିଭିରକୁ ନେଇ କହିଛନ୍ତି ଯେ, ଏହା କୌଣସି ମ୍ୟାଜିକ୍  ଇଞ୍ଜେକ୍ସନ ନୁହେଁ। ଯେବେ ଶରୀରରେ ଅମ୍ଳଜାନ ସ୍ତର ୯୫ ରୁ ୯୭ ରହିଛି ତେବେ ଅକ୍ସିଜେନ୍‌ର କୌଣସି ଆବଶ୍ୟକତା ନାହିଁ। ହାଲୁକା ଲକ୍ଷଣ ସହିତ ପଜିଟିଭ୍ ଚିହ୍ନଟ ହେଲେ ଘରେ ଭଲ ଯତ୍ନ ନେଇ ଏବଂ ଆଇସୋଲେସନରେ ରହି ସୁସ୍ଥ ହୋଇ ପାରିବେ।

ବାଗଦାଦ୍ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ମୃତ୍ୟୁ ସଂଖ୍ୟା ୮୨କୁ ବୃଦ୍ଧି

ବାଗ୍‌ଦାଦ୍‌: ରବିବାର ଦିନ ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ ଥିବା ‘ଇବନ୍ ଅଲ୍‌-ଖାତିବ୍‌ ହସ୍ପିଟାଲ୍‌’ର ‘କରୋନାଭାଇରସ୍‌ ଇଣ୍ଟେନ୍‌ସିଭ୍ କେୟାର୍‌ ୟୁନିଟ୍‌’ରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୮୨ ଛୁଇଁଛି। ୧୧୦ ଜଣ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।

ମେଡିକାଲ୍‌ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ‘ଅକ୍ସିଜେନ୍‌ ସିଲିଣ୍ଡର୍‌ ଗଚ୍ଛିତ ରଖିବାରେ ତ୍ରୁଟି ଯୋଗୁଁ ବିସ୍ଫୋରଣ ଘଟି ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା । ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ‘ଇବନ୍ ଅଲ୍‌-ଖାତିବ୍‌ ହସ୍ପିଟାଲ୍‌’ର ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ଥିବା ୩୦ଜଣ ରୋଗୀଙ୍କ ଶଯ୍ୟା ପାଖରେ ସେମାନଙ୍କର ଆତ୍ମୀୟସ୍ବଜନମାନେ ଉପସ୍ଥିତ ଥିଲେ। ମଧ୍ୟରାତ୍ର ବେଳକୁ ହସ୍ପିଟାଲ୍‌ର ବିଭିନ୍ନ ମହଲାରେ ଅଗ୍ନିଶିଖା ବ୍ୟାପିଯାଇଥିଲା।

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଚାଲିଥିବା ଭିଡିଓରେ ଦେଖାଯାଉଛି, ଇରାକୀ ରାଜଧାନୀର ଦକ୍ଷିଣପୂର୍ବ ଉପକଣ୍ଠରେ ଥିବା ଏହି ଡାକ୍ତରଖାନାରୁ ନିଆଁ ଲିଭାଇବା ନିମନ୍ତେ ଦମକଳ ବାହିନୀ ଉଦ୍ୟମ କରୁଥିବା ବେଳେ ରୋଗୀ ଏବଂ ସେମାନଙ୍କ ଆତ୍ମୀୟମାନେ ଡାକ୍ତରଖାନାରୁ ଧାଇଁ ପଳାଉଛନ୍ତି।

ଅବହେଳା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କଥା ବିଭିନ୍ନ ସୂତ୍ରରୁ ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଇରାକ୍‌ବାସୀମାନେ କ୍ରୋଧ ବ୍ୟକ୍ତ କରିଛନ୍ତି। ଘଟଣାର ତଦନ୍ତ କରି କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଦଣ୍ଡବିଧାନ କରିବା ଲାଗି ଏକ ତଦନ୍ତ କମିସନ୍ ବସାଇବାକୁ ବାଗ୍‌ଦାଦ୍‌ର ରାଜ୍ୟପାଳ ମହମଦ୍‌ ଜବର୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦେଶ ଦେଇଛନ୍ତି।

ରାତି ୮ଟାରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟେପଟେ କୋଭିଡ ମହାମାରୀର ଦ୍ୱିତୀୟ ଲହରୀ ସମଗ୍ର ବିଶ୍ୱରେ ତାଣ୍ଡବ ରଚାଇଛି । ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ଘଟିବାରେ ଲାଗିଛି । ଏଭଳି ସ୍ଥିତିରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ।

ଦେଶର ଅଧିକାଂଶ ରାଜ୍ୟରେ ଅକ୍ସିଜେନ ସଙ୍କଟ ଏବଂ କୋଭିଡ ମାମଲା ବୃଦ୍ଧି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ଓଡିଶାରେ ସ୍ଥିତି ଏବେ ବି ଆୟତରେ । ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ରାଜ୍ୟରେ ସଂକ୍ରମଣକୁ ରୋକାଯାଇପାରିଛି । ଅଧିକ ଟେଷ୍ଟ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ନିୟନ୍ତ୍ରଣରେ ରହିଛି କରୋନା ।

କରୋନାର ଟ୍ରିପଲ ମ୍ୟୁଣ୍ଟାଟକୁ ସୀମାରେ ହି ଚେକ ଦେଇଛନ୍ତି ସରକାର । ଫଳରେ ଏବେ ସୁଦ୍ଧା ରାଜ୍ୟରେ ଗୋଟିଏ ବି ଟ୍ରିପଲ ମ୍ୟୁଟାଣ୍ଟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଅନ୍ୟପଟେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଦୁଇ ଜିନିଆ ସଟଡାଉନ ମଧ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ଏଭଳି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଗୁରୁତ୍ୱ ବହନ କରୁଛି ।

ପବଜି ଖେଳ ସାଜିଲା କାଳ, ଟ୍ରେନ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ

ଖୋର୍ଦ୍ଧା: ପବଜି ଖେଳିବା ହେଲା କାଳ । ଅକାଳରେ ଟ୍ରେନ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ । ସୂଚନା ମୁତାବକ ବାଲୁଗାଁ ଥାନା ଗଙ୍ଗାଧରପୁର ରେଳ ଷ୍ଟେସନରେ ପ୍ରଶାନ୍ତ ବେହେରା ନାମକ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପନ୍ଦର ବର୍ଷୀୟ ଶୁସାନ୍ତ ବେହେରା ମୋବାଇଲେ ପବଜି ଖେଳୁଥିବାବେଳେ ଅନ୍ୟ ମନସ୍କ ହୋଇ ରେଳ ଧାରଣା ନିକଟକୁ ଚାଲି ଆସିଥିଲେ । ଠିକ ସେତିକିବେଳେ ପଛପଟୁ ଆସୁଥିବା ଏକ ଟ୍ରେନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରଶାନ୍ତ ବେହେରାଙ୍କ ପୁଅ ଶୁସାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଟ୍ରେନ୍ ଚାଳକଙ୍କ ଠାରୁ ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚିଥିଲା । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରିବା ସହ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସ୍ୱତେ ଶୁସାନ୍ତ ବଞ୍ଚି ପାରିନଥିଲେ । ମେଡିକାଲରେ ଟାଙ୍ଗୀ ପୋଲିସ ପହଁଚିବା ସହ ଶବ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି ।

କରୋନା ନେଇଥିଲା ଝିଅ ଜୀବନ, ଏବେ ତା’ ୧୫ ଲକ୍ଷ ଏଫଡି ଟଙ୍କାରେ କରୁଛନ୍ତି କୋଭିଡ ରୋଗୀଙ୍କ ଚିକିତ୍ସା

ଅହମଦାବାଦ: କରୋନା ଭାଇରସ ସହ ଲଢୁଥିବା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଅହମଦାବାର ଦମ୍ପତ୍ତି । ଗୁଜୁରାଟର ଅହମଦାବାଦରେ ବାସ କରୁଥିବା ରସିକ ମେହତା ଏବଂ ତାଙ୍କ ସ୍ତ୍ରୀ କଳ୍ପନା ଜୀବନ ସହ ସଂଘର୍ଷ କରୁଥିବା କରୋନା ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି । ବିଗତ ବର୍ଷ ୨୦୨୦ରେ କରୋନା ଭାଇରସର ପ୍ରଥମ ପର୍ଯ୍ୟାୟରେ ତାଙ୍କ ଏକମାତ୍ର ଝିଅର ମୃତ୍ୟୁ ହୋଇଥିଲା । କିନ୍ତୁ ଏବେ କେହି ଯେମିତି କରୋନାରେ ମୃତ୍ୟୁବରଣ ନକରନ୍ତୁ ସେଥିପାଇଁ ଝିଅ ପାଇଁ କରିଥିବା ୧୫ ଲକ୍ଷଟଙ୍କାର ଏଫଡି କରୋନା ରୋଗୀଙ୍କ ଚିକିତ୍ସାରେ ଲଗାଉଛନ୍ତି । ସୂଚନା ମୁତାବକ ସେ ଏଯାବତ ୨୦୦ ଆଇସୋଲେଟେଡ ରୋଗୀଙ୍କୁ କରୋନା କିଟ୍ ପ୍ରଦାନ କରିସାରିଛନ୍ତି । କେବଳ ସେତିକି ନୁହେଁ, ନିଜ ଖର୍ଚ୍ଚରେ ୩୫୦ରୁ ଅଧିକ ଲୋକଙ୍କୁ ସେ କରୋନା ଟିକା ମଧ୍ୟ ଲଗାଇସାରିଛନ୍ତି ।

ମେହେତା ଦମ୍ପତ୍ତିଙ୍କ କହିବା ଅନୁଯାୟୀ, ନିଜ ଏକମାତ୍ର ଝିଅକୁ ହରାଇବା ପରେ, କରୋନା ଭାଇରସ କାରଣରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସହାୟତା କରିବାକୁ ଚିନ୍ତା କଲେ । ଏହା ପରେ ସେ ପ୍ରତିଦିନ ସକାଳେ ଏଭଳି ଲୋକଙ୍କ ସନ୍ଧାନରେ ବାହାରିପଡ଼ନ୍ତି, ଯେଉଁମାନେ ଟିକା ନେବାରୁ ବଞ୍ଚିତ ଅଛନ୍ତି । ଏହାପରେ ଏମିତି ଲୋକଙ୍କୁ ନିଜ କାରରେ ଭାକସିନ ଲଗାଇବା ପାଇଁ ଟିକାକରଣ କେନ୍ଦ୍ରକୁ ନେଇଯାଆନ୍ତି । ତାଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ଯୋଗୁଁ କେହି ଯେମିତି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ଏହା ତାଙ୍କର ପ୍ରୟାସ ।

ଇଂରାଜୀ ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟା, ପ୍ରଥମେ ଦେଖିଲେ ବୟଫ୍ରେଣ୍ଡ..

ଭୁବନେଶ୍ୱର: ଇଂରାଜୀ ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଭୁବନେଶ୍ୱରର ସିଦ୍ଧେଶ୍ୱର ନଗରର ଏକ ବନ୍ଦ କଠୋରୀରେ ଶବନମ ବର୍ମା ନାମକ ଯୁବତୀ ବେକରେ ପ୍ଲାଷ୍ଟିକ ରାଶି ଦେଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ସେପଟେ କୋଠରୀରେ ଯୁବତୀ ଜଣଙ୍କ ମୃତଦେହକୁ ପ୍ରଥମେ ଝଲନ୍ତା ଅବସ୍ଥାରେ ଦେଖିଥିଲେ ତାଙ୍କ ପୁରୁଷ ବନ୍ଧୁ ।

ପରେ ପୁରୁଷ ବନ୍ଧୁ ଜଣଙ୍କ ଏନେଇ ଘର ମାଲିକଙ୍କୁ ଜଣାଇଥିଲେ । ଘର ମାଲିକ ପୋଲିସକୁ ଜଣାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ବୟଫ୍ରେଣ୍ଡକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବତୀ ଜଣଙ୍କ ଇଂରାଜୀ ଶିକ୍ଷୟତ୍ରୀ ଥିବା ବେଳେ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ରହୁଥିବା ଜାଣିବାକୁ ମିଳିଛି  । ସେପଟେ କେଉଁ କାରଣରୁ ଯୁବତୀ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି  ।

ବାହାର ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା, ସଂସ୍କାର ହେବନାହିଁ ମୃତଦେହ

ପୁରୀ: ଆସନ୍ତାକାଲି ଅର୍ଥାତ ସୋମବାରୁ ଠାରୁ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା । ଦିନକୁ ଦିନ ରାଜ୍ୟ ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ପୁରୀ ପ୍ରଶାସନ ନେଇଛି ଏହି ପଦକ୍ଷେପ । ପୁରୀକୁ ଅଧିକ ରୁ ଅଧିକ ଶବ ସଂସ୍କାର ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକେ ଆସୁଛନ୍ତି । ତେଣୁ କୋଭିଡ ବ୍ୟାପିବାର ଆଶଙ୍କା ଦେଖି ପୁରୀ ପ୍ରଶାସନ ଏହି ନିଷ୍ପତି ନେଇଛି ।

ସେପଟେ କୋଭିଡ ସଂକ୍ରମିତଙ୍କ ଶବସଂସ୍କାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହା ସହ ଅସ୍ତିବିର୍ସଜନ ଉପରେ ମଧ୍ୟ କଟକଣା ଲଗାଯାଇଛି। ବିଶେଷକରି ମହୋଦଧିରେ ଅସ୍ତି ବିର୍ସଜନ ଏବଂ ଶ୍ରାଦ୍ଧ କରିବାପାଇଁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସିଥାନ୍ତି । ତେଣୁ କୋଭିଡ ସମୟରେ ଏତେ ସଂଖ୍ୟକ ଲୋକଙ୍କୁ ଦୂରରେ ରଖିବାପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ମନ୍ତ୍ରୀଙ୍କ ଆକାଉଣ୍ଟରୁ ମିଥ୍ୟା ଖବର, ସୋସିଆଲ ସାଇଟ ହ୍ୟାକ ହୋଇଥିବା ଅଭିଯୋଗ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ସୋସିଆଲ ମିଡିଆ ସାଇଟକୁ ହ୍ୟାକ କରିନେଲେ ଦୁର୍ବୁତ୍ତ । ଫେସବୁକ ଏବଂ ଟ୍ୱିଟର ଉଭୟ ସାଇଟ ହ୍ୟାକ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଖବର ପୋଷ୍ଟ କରାଯାଇଥିଲା । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପୁନର୍ବାର ହେବା ନେଇ କୁହାଯାଇଥିଲା । ଏହି ପୋଷ୍ଟ ସତ୍ୟ ନୁହେଁ, ଏହାକୁ ଜଣେ ହ୍ୟାକର ପୋଷ୍ଟ କରିଥିବା ନେଇ କହିଛନ୍ତି ମନ୍ତ୍ରୀ ।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବାତିଲ କରାଯାଇଥିବାବେଳେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିବା ନେଇ ଟ୍ବିଟ କରାଯାଇଥିଲା । ଯାହାକୁ ନେଇ ପୁନର୍ବାର ଦ୍ୱନ୍ଦରେ ପଡିଥିଲେ ଛାତ୍ରଛାତ୍ରୀ । ସେପଟେ ଏ ବିଷୟରେ ମନ୍ତ୍ରୀ ସମୀର ଦାସ ଜାଣିବା ପରେ ତୁରନ୍ତ ସ୍ପଷ୍ଟୀକରଣ ରଖିଥିଲେ ।

କେହି ଜଣେ ଦୁର୍ବୁତ୍ତ ତାଙ୍କ ଆକାଉଣ୍ଟକୁ ହ୍ୟାକ କରିବା ସହ ପୋଷ୍ଟ କରାଯାଇଥିବା ଉକ୍ତ ଖବର ମିଥ୍ୟା ଏବଂ ଭିତ୍ତିହୀନ ବୋଲି ମନ୍ତ୍ରୀ କହିଥିଲେ । ଏଭଳି ଖବରରୁ ଦୂରେଇ ରୁହନ୍ତୁ, ସରକାରଙ୍କ ପକ୍ଷରୁ ଯାହା ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ ତାହା ଉଚିତ ମାଧ୍ୟମରେ ଜଣାଇ ଦିଆଯିବ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ।

ଦେଶବ୍ୟାପି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାପନ ହେବ ୫୫୧ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ, ପିଏମ କେୟାର ଫଣ୍ଡରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ୫୫୧ଟି ‘ପ୍ରେସର୍‌ ସ୍ୱିଙ୍ଗ୍‌ ଆଡ୍‌ସର୍ପସନ୍‌’ (ପିଏସ୍‌ଏ) ସ୍ଥାପନ ନିମନ୍ତେ ‘ପିଏମ୍‌ କେୟାର୍ସ ଫଣ୍ଡ୍‌’ରୁ ଅର୍ଥ ମଞ୍ଜୁର କରାଯାଇଥିବା କଥା ଜଣାପଡ଼ିଛି। ଯେତେ ଶୀଘ୍ର ସମ୍ଭବ ଏହି ପ୍ଲାଣ୍ଟ୍‌ ସବୁକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦେଶ ଦେଇଛି। ଏହି ପ୍ଲାଣ୍ଟ୍‌ ସବୁ ଜିଲ୍ଲାସ୍ତରରେ ଅକ୍ସିଜେନ୍‌ ମିଳିବାରେ ସୁବିଧା କରାଇବ।

ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଏହି ପ୍ଲାଣ୍ଟ୍‌ଗୁଡ଼ିକ ଚିହ୍ନିତ ସରକାରୀ ଡାକ୍ତରଖାନା ମାନଙ୍କରେ ସ୍ଥାପନ କରାଯିବ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଜରିଆରେ ଅକ୍ସିଜେନ୍‌ ଯୋଗାଡ଼ କରାଯିବ।

 

ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାମାନଙ୍କରେ ‘ପିଏସ୍‌ଏ ଅକ୍ସିଜେନ୍‌ ଜେନେରେସନ୍‌ ପ୍ଲାଣ୍ଟ୍‌’ ସ୍ଥାପନ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ‌ ହେଉଛି ଜନସ୍ୱାସ୍ଥ୍ୟ ବିଭାଗକୁ ଆହୁରି ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ହସ୍ପିଟାଲ୍‌ରେ ଅକ୍ସିଜେନ୍ ପ୍ରସ୍ତୁତି ସୁବିଧା ରହିଛି ବୋଲି ସୁନିଶ୍ଚିତ ହେବା। ଏହାଦ୍ୱାରା ଡାକ୍ତରଖାନା ଏବଂ ଜିଲ୍ଲାରେ ଦୈନନ୍ଦିନ ଦରକାର ହେଉଥିବା ଅକ୍ସିଜେନ୍‌ ଆବଶ୍ୟକତା ପୂରଣ କରିବା । ଏଥିସହ ‘ଲିକ୍ୟୁଇଡ୍‌ ମେଡିକାଲ୍‌ ଅକ୍ସିଜେନ୍‌’ ମଧ୍ୟ ‘କ୍ୟାପ୍ଟିଭ୍ ଅକ୍ସିଜେନ୍‌ ଜେନେରେସନ୍‌’ ବ୍ୟବସ୍ଥା ପୂରଣ କରିବାରେ ସହାୟକ ହେବ।