spot_img
Home Blog Page 5755

ଜନଶତାଦ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ: ସମସ୍ତ ଯାତ୍ରୀ ସୁରକ୍ଷିତ

ସୋର: ଜନଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ । ମାର୍କୋଣା ନିକଟରେ ଟ୍ରେନର ଏକ ବଗିରେ ଲାଗିଲା ନିଆଁ । ସୋର ଷ୍ଟେସନରେ ନିଆଁକୁ ଆୟତ୍ତ କଲା ରେଳ କର୍ମଚାରୀ । ଯାତ୍ରୀ ସୁରକ୍ଷିତ । ଭୁବନେଶ୍ବରରୁ ହାଓଡ଼ା ଯାଉଥିବାବେଳେ ମାର୍କୋଣା ନିକଟରେ ଏକ ବଗିରେ ନିଆଁ ଲାଗିଯାଇଥିଲା । ଟ୍ରେନ ଟଏଲେଟ୍ ଡଷ୍ଟବିନ ମଧ୍ୟରେ କେହି ସିଗାରେଟ୍ ପକାଇଦେଇଥିବାରୁ ନିଆଁ ଲାଗିଥିବା ସୂଚନା । ଟ୍ରେନର ବେଗ ଅଧିକ ଥିବାରୁ ସମ୍ପୁର୍ଣ୍ଣ ବଗିରେ ଧୁଆଁ ଖେଳିଯାଇଥିଲା । ଯାତ୍ରୀମାନେ ଭୟଭୀତ ହୋଇ ରେଳ ବିଭାଗକୁ ଜଣାଇଲା ପରେ ସୋର ଷ୍ଟେସନ ନିକଟରେ ଟ୍ରେନ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚପରେ ୨୦ମିନିଟ୍ ବିଳମ୍ବରେ ଟ୍ରେନ ଛାଡିଥିଲା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୨୯୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭିସୁଟ୍‌ରେ ହେବ ଅନ୍‌ଲାଇନ୍ ପରୀକ୍ଷା

ବୁର୍ଲା: ଭିସୁଟରେ ଅଫ୍‌ଲାଇନ୍ ପରୀକ୍ଷା ବାତିଲ । ଅନ୍‌ଲାଇନ୍‌ରେ ହେବ ସମସ୍ତ ଶ୍ରେଣୀର ପରୀକ୍ଷା । ଆସନ୍ତା ୧୭ରୁ ଅନଲାଇନରେ ହେବ ପାଠପଢା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଅଫ୍‌ଲାଇନ୍ ପରୀକ୍ଷା ବନ୍ଦ କରିବାକୁ ଗତ ୧୦ ତାରିଖରେ ଛାତ୍ରଛାତ୍ରୀ ବିକ୍ଷୋଭ କରିଥିଲେ । ଭିସୁଟରେ ଲଗାତାର ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧ୍ୟାପକ ଓ କର୍ମଚାରୀ ମାନେ କରୋନା ସଂକ୍ରମଣର ଶିକାର ହେଉଛନ୍ତି । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା କରୋନା ସଂକ୍ରମଣ ବୃଦ୍ଧିରେ ବ୍ରେକ୍ ଲଗାଇବାକୁ ଭିସୁଟ କୁଳପତି ବି. ବି. ପତି ଅଫ୍‌ଲାଇନ୍ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୨୯୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୯୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରେକର୍ଡ ମୋଡରେ କରୋନା ସଂକ୍ରମଣ । ରାଜ୍ୟରେ ଦିିନକୁ ଦିନକୁ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ହେଲା ରାଜ୍ୟରେ ୧୭ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ପାଖାପାଖି ୩ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଆଜି ରାଜ୍ୟରୁ ୨୯୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନରୁ ୧୭୩୩, ଲୋକାଲ କେସ୍ ୧୨୫୬ । ୯ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ଉପରେ ରହିଛି । ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧, ଖୋର୍ଦ୍ଧାରୁ ୪୩୮, କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡାରୁ ୧୫୧, ସମ୍ବଲପୁରରୁ ୧୪୮, ବରଗଡ଼ରୁ ୧୨୬, ପୁରୀରୁ ୧୧୨ , ବଲାଙ୍ଗୀରରୁ ୧୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଟ୍ରକ୍‌ ସହ ପିଟିହେଲା ପ୍ରବାସୀଙ୍କ ବସ୍ : ଦୁର୍ଘଟଣାରେ ଡ୍ରାଇଭର ମୃତ, ପ୍ରବାସୀ ଯାତ୍ରୀ ଆହତ

ଟାଙ୍ଗୀ: ୧୬ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ନିକଟରେ ଯାତ୍ରୀବାହୀ ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ । ବସ୍‌ଟି  କେରଳରୁ ଓଡିଶା ଫେରୁଥିଲା । କେରଳର କୁର୍ଣ୍ଣରୁ ଅଞ୍ଚଳରୁ ପ୍ରଵାସୀ ଓଡ଼ିଆ ଶ୍ରମିକମାନଙ୍କୁ ନେଇ ଆସୁଥିଲା ବସ୍ । ରାସ୍ତା ପ୍ରଶସ୍ତିକରଣ  କାମ ଚାଲୁଥିବାରୁ ବସ୍ ଓ ଟ୍ରକ୍ ଗୋଟିଏ ରୁଟ୍ରେ ଯାଉଥିଲେ । ଟ୍ରକ୍‌ଟି ବସ୍ ସାମ୍ନାପଟୁ ଧକ୍କା ଦେଇଥିଲା । ଫଳରେ ବସ୍‌ଟି ଡିଭାଇଡର ଡେଇଁ  ପଛକୁ ଚାଲିଯାଇଛି । ବସ୍‌ରେ ଥିବା ପ୍ରଵାସୀ ଶ୍ରମିକମାନଙ୍କ ମଧ୍ୟରୁ କିଛି ଜଣ  ଆହତ ହୋଇଥିବା ବେଳେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ପ୍ରଵାସୀ ଶ୍ରମିକମାନେ କଟକ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି । ସ୍ଥାନୀୟ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବସ୍ ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନ୍ୟ ବସ୍ ଯୋଗେଁ ଘରକୁ ପଠାଇ ଦେଇଛି । ଟ୍ରକ୍ ଚାଳକର ପରିଚୟ ମିଳିପାରିନାହିଁ । ପୋଲିସ୍  ତଦନ୍ତ ଜାରି ରଖିଛି । ଏବେବି ଟ୍ରକ୍ର କ୍ୟାବିନ୍ ଭିତରେ ଟ୍ରକ୍ ଚାଳକର ମୃତଦେହ ଝୁଲି ରହିିଛି ।

 

ରାଜ୍ୟରେ ବଢ଼ି ଚାଲିଛି ଟିକା ସଂକଟ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଟିକା ସଂକଟ । ଟିକା ନଥିବାରୁ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ହୋଇଛି । ୧୫୭୯ଟି କେନ୍ଦ୍ରରୁ ୫୦୩ଟି ରେ ଚାଲିଛି ଟିକାକରଣ । ଏବେ ମାତ୍ର ଅଢ଼େଇ ଲକ୍ଷ କୋଭାକ୍ସିନ ଓ ୨ଲକ୍ଷ ୪୦ ହଜାର କୋଭିସିଲ୍‌ଡ ଟିକା ମହଜୁଦ ରହିଛି । ଯଦି କେନ୍ଦ୍ର ସରକାର ତୁରନ୍ତ ଆଉ ଟିକା ନ ଦିଅନ୍ତ ତେବେ ଆହୁରି ଟିକା କେନ୍ଦ୍ରେ ତାଲା ଝୁଲିବ ଏଥିରେ କୌଣସି ସନ୍ଦେହ ନାହିଁ । ଏହାକୁ ଆଖି ଆଗରେ ରଖି ସରକାର ଖୁବ ଶୀଘ୍ର ଟିକା ଦେବାକୁ ଦାବି ହୋଇଛି । ଯେଉଁ ସ୍ଥାନରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛି, ସେହି ସ୍ଥାନରେ ଟିକାକରଣକୁ ଜୋରଦାର କରାଯାଉଛି । ଦେଶରେ ଯେତିକି ଟିକା ଆବଶ୍ୟକ, ସେତିକି ଟିକା ନାହିଁ । ଯାହାଫଳରେ କେବଳ ଓଡ଼ିଶା ନୁହଁ, ଅନ୍ୟ ରାଜ୍ୟରେ ମଧ୍ୟ ଟିକାର ଅଭାବ ଦେଖାଦେଲାଣି । ଏଥି ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଏଥିସହିତ ପଢ଼ନ୍ତୁ: ବଢୁଛି ସଂକ୍ରମଣ, ବଢିଲା ବେଡ ସଂଖ୍ୟା

ମହାରାଷ୍ଟ୍ରରେ ଲାଗୁ ହେଲା ୧୪୪ ଧାରା, ଅମାନିଆ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ପୁଣି କଲବଲ କଲାଣି କରୋନା। ଦେଶରେ ଦୈନିକ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସ୍ଥିତି ଏଭଳି ହୋଇଛି ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଅଣାୟତ୍ତ ରହିଛି। ପୂର୍ବ ଥର ଭଳି ଏଥର ମଧ୍ୟ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ପରିସ୍ଥିତିକୁ ନଜରରେ ରଖି ଜନତା କର୍ଫ୍ୟୁ ଲାଗୁ କରିଛନ୍ତି ମହାରାଷ୍ଟ୍ର ସରକାର। ଗତକାଲି ରାତି ୮ଟାରୁ ୧୫ ଦିନ ପାଇଁ ପୂରା ରାଜ୍ୟରେ ଲାଗୁ ହୋଇଛି ୧୪୪ ଧାରା ।

କର୍ଫ୍ୟୁ ସମୟରେ ବିନା କାରଣରେ କେହି ବି ରାସ୍ତାକୁ ନ ବାହାରିବାକୁ କୁହାଯାଇଛି। ତେବେ ଏହି ସମୟରେ ଇ-କର୍ମସ, ମେଡିକାଲ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଆଦି ଜରୁରିକାଳୀନ ସେବା ଜାରି ରହିବ। ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଗଣମାଧ୍ୟମ ପ୍ରତିନିଧିଙ୍କ ଯିବା ଆସିବାରେ କୌଣସି କଟକଣା ଲାଗୁ ହୋଇନାହିଁ। ହୋଟେଲ, ରେଷ୍ଟୁରାଣ୍ଟ ସହ ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ରହିବ। ଘରୋଇ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହୁଥିବା ବେଳେ ଅଳ୍ପ କର୍ମଚାରୀଙ୍କୁ ନେଇ କାମ କରିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଯଦି ଜରୁରୀ ସାମଗ୍ରୀ ଦୋକାନରେ ଭିଡ଼ ହେବ କିମ୍ବା ମାସ୍କ ଓ ସାମାଜିକ ଦୂରତା ନିୟମ ଉଲଙ୍ଘନ ହେବ ତେବେ ପୋଲିସ ଏହାକୁ ବନ୍ଦ କରିପାରିବ। ଏହାବ୍ୟତୀ ବାହାଘର କିମ୍ବା ଅନ୍ୟାନ୍ୟ କିଛି ସମାରୋହ ଉପରେ ମଧ୍ୟ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଦ୍ଧବ ସରକାର। ବର୍ତ୍ତମାନ ମହାରାଷ୍ଟ୍ରରେ କେବଳ ୨୫ ଜଣଙ୍କୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁମତି ଦିଆଯାଇଛି।

ସେହିଭଳି ରାଜସ୍ଥାନ ସରକାର ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ୫ଟାରୁ ବନ୍ଦ ହେବ ଦୋକାନବଜାର। ସନ୍ଧ୍ୟା ୬ରୁ ଭୋର ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଦିଲ୍ଲୀ, ଗୁଜରାଟ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ପଞ୍ଜାବରେ କରୋନା ତାର ସ୍ଥିତି ଜାହିର କରିବାରେ ଲାଗିଛି।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ୬ ରନ୍‌ରେ ଆରସିବି ବିଜୟୀ

ଚେନ୍ନାଇ: ବୁଧବାର ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ଷଷ୍ଠ ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିଲା ଆରସିବି। ନିର୍ଦ୍ଧାରିତ ଓଭର ମଧ୍ୟରେ ୧୪୯ ରନ୍ କରିବାକୁ ସମର୍ଥ ହୋଇଥିଲା ଦଳ । ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଏକଦା ୧୨ ଓଭରରେ ୨ ଓ୍ୱିକେଟ ହରାଇ ୯୧ ରନ୍ କରିଥିଲା। କିନ୍ତୁ କ୍ୟାପଟେନ୍ କୋହଲୀଙ୍କ ଆଉଟ୍ ହେବା ପରେ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା ଦଳ। ତାଙ୍କ ପଛରେ ମେକ୍ସଓ୍ୱେଲ୍ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିବା ସହ ଦଳକୁ ୧୪୯ ପହଞ୍ଚିବାରେ ସହାୟକ ହୋଇଥିଲା।

ଅପରପକ୍ଷରେ ଦ୍ୱିତୀୟ ଇଂନିସରେ ସନରାଇଜର୍ସ ହାଇଦ୍ରାବାଦର ଓପନର ଋଦ୍ଧିମାନ ସାହ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ । କିନ୍ତୁ ଏହା ପରେ ଡେଭିଡ୍ ଓ୍ୱାର୍ନର ଏବଂ ମନୀଷ ପାଣ୍ଡେଙ୍କ ଲଢ଼ୁଆ ବ୍ୟାଟିଂ ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ । କିନ୍ତୁ ଆରସିବି ବୋଲର ଅହମ୍ମଦଙ୍କ ଗୋଟିଏ ଓଭରରେ ୩ଟି ଓ୍ୱକେଟ ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲା । ଖେଳ ଶେଷ ବେଳକୁ ନିର୍ଦ୍ଧାରିତ ଓଭରରେ ମାତ୍ର ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା ଦଳ । ହାଇଦ୍ରାବାଦ ପକ୍ଷରୁ ଡେଭିଡ୍ ଓ୍ୱାର୍ନର ସର୍ବାଧିକ ୫୩ ଓ ମନୀଷ ପାଣ୍ଡେ ୩୮ ରନ୍ କରିବାକୁ ସକ୍ଷମ ହୋଇଥିଲେ ।

ସତ୍ୟନଗର ଶ୍ମସାନରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ସତ୍ୟନଗର ଶ୍ମସାନରେ ଅଜିତ ମଙ୍ଗରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ପୁଅ ଅଭିଳାଷ ମଙ୍ଗରାଜ ଦେଇଥିଲେ ମୁଖାଗ୍ନି । ଏହି ସମୟରେ ଉପସ୍ଥିତ ଥିଲେ ପରିବାର ଲୋକେ । ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିଥିଲେ ଅନେକ ନେତା ଓ ସାଧାରଣ ଜନତା । ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ହୋଇଥିଲା । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଅଜିତ ମଙ୍ଗରାଜ । ୫୧ ବର୍ଷ ବୟସରେ ହୃଦ୍‌ଘାତରେ ଆଜି ଅଜତି ମଙ୍ଗରାଜଙ୍କର ପରଲୋକ ହୋଇଛି । ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ରହିବା ପରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ତାଙ୍କର ପରଲୋକ ହୋଇଥିଲା । ଅଜିତ ମଙ୍ଗରାଜଙ୍କ ପରଲୋକ ନେଇ ଭୁବନେଶ୍ବରର ସମ୍ପୃକ୍ତ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୭ ତାରିଖରେ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ଅଜିତ । ତାଙ୍କ ଚିକିତ୍ସା ଦାୟିତ୍ବର ଏକାଧିକ ଡାକ୍ତର ଥିଲେ । କରୋନା ସହିତ ସେ ସେ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ । କରୋନା ସହିତ କାର୍ଡିଓଲୋଜୀ, ପଲମୋନାରୀ ମେଡିସିନ ପକ୍ଷରୁ ଚିକିତ୍ସା କରାଯାଉଥିଲା । ପିପିଲି ଉପନିର୍ବାଚନ ପାଇଁ ଅଜିତଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ୨୦୧୯ ନିର୍ବାଚନରେ ବି କଂଗ୍ରେସ ଟିକେଟରେ ଲଢ଼ିଥିଲେ ଅଜିତ ମଙ୍ଗରାଜ । ୯ ହଜାର ୮୩୦ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ଅଜିତ ମଙ୍ଗରାଜ । ଉପନିର୍ବାଚନରେ ବି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ହେଲେ ଆଜି ଅଜିତ ମଙ୍ଗରାଜଙ୍କ ପରୋଲକ ହୋଇଯାଇଛି ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ: ୧୭ରେ ହେବନି ମତଦାନ

ମୁଖ୍ୟ ଶାସନ ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ: କୋଭିଡ୍ ମୁକାବିଲା ନେଇ ପ୍ରସ୍ତୁତିର କଲେ ସମୀକ୍ଷା

ରାଉରକେଲା: ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସହିତ ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ସ୍ଥିତି ଓ ଏହାର ପରିଚାଳନା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ରାଉରକେଲାରେ ପହଞ୍ଚି ଜେ .ପି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ସହିତ ହାଇଟେକ୍ କୋଭିଡ୍ ହସ୍ପିଟାଲ, ଶାନ୍ତି ମେମୋରିଆଲ କୋଭିଡ୍ ହସ୍ପିଟାଲ, ଏନଟିପିସି କୋଭିଡ୍ ସେଣ୍ଟରରେ ଉପଲବ୍ଧ ଚିକିତ୍ସା ସୁବିଧା, ଉପକରଣ ଓ ଔଷଧପତ୍ର ଆଦି ବିଷୟରେ ସମୀକ୍ଷା କରିଥିଲେ। ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ କୋଭିଡ୍ ସମ୍ପର୍କିତ କ୍ଷେତ୍ର ସ୍ତରୀୟ ସ୍ଥିତି ଓ ତଥ୍ୟ ଉପାସ୍ଥାପନ କରିଥିଲେ।

ସମୀକ୍ଷା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ କୋଭିଡ୍ ହସ୍ପିଟାଲରେ ଆବଶ୍ୟକ ବେଡ୍, ଆଇସିୟୁ ଏବଂ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ରାଉରକେଲାରେ ଥିବା ଜେ ପି ହସ୍ପିଟାଲରେ ୨୫୦ଟି ବେଡ୍ କୋଭିଡ୍ ଚିକିତ୍ସା ପାଇଁ ରଖାଯାଇଛି। ସୁନ୍ଦରଗଡ଼ସ୍ଥିତ ଏନଟିପିସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ୪୦୦ ଶଯ୍ୟା ରହିଛି। ସେହିପରି ରାଉରକେଲାସ୍ଥିତ ହାଇଟେକ କୋଭିଡ୍ ହସ୍ପିଟାଲକୁ ଖୁବଶୀଘ୍ର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଖୋଲାଯିବ। ଏହାଛଡ଼ା ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ କେୟାର ସେଂଟରଗୁଡ଼ିକରେ ୧ ହଜାରରୁ ଅଧିକ ବେଡର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ କୋଭିଡ୍ ସଂକ୍ରମଣର ପ୍ରତିରୋଧ ନିମନ୍ତେ କୋଭିଡ୍ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପ୍ରବର୍ତ୍ତନ କରାଯିବ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଅଧିକ ବ୍ୟାପକ କରାଯିବ। ଆବଶ୍ୟକସ୍ଥଳେ ଜିଲ୍ଲା ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ କରିପାରିବେ।

ଏହି ଗସ୍ତ ଓ ସମୀକ୍ଷା ସମୟରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏସପି ମୁକେଶ ଭାମୋ, ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଆରଏସପି ସିଇଓ ଦୀପକ ଚଟ୍ଟରାଜଙ୍କ ସହିତ ଆରଜିଏଚ, ଆଇଜିଏଚ, ଶାନ୍ତି ମେମୋରିଆଲ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଆରଏସପିର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଗଛରେ ପିଟି ହେଲା କାର୍: ଚାଳକ ମୃତ, ଅନ୍ୟ ଜଣେ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ନିକଟରେ ଦୁର୍ଘଟଣା । ଆଜି ବିଳମ୍ବିତ ସନ୍ଧ୍ୟାରେ ଗୋଟିଏ କାର ଗଛକୁ ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଳପଡ଼ା ଗାଁର ସୁନିଲ କୁମାର ଭୂୟାଁ ପୁସ୍ତପୁର ଗାଁରେ ଏକ ଦୋକାନ କରିଛନ୍ତି । ଆଜି ସନ୍ଧ୍ୟାରେ ଦୋକାନ ବନ୍ଦ କରି ପୁସ୍ତପୁର ଗାଁରୁ ରାହୁଲ ଘୋଷଙ୍କ ସହ ଏକ କାର(ଓଆର ୦୨ ବିଏଚ ୭୯୪୫) ଯୋଗେ ପୁସ୍ତପୁରରୁ ଖଲ୍ଲିକୋଟ ଅଭିମୁଖେ ଆସୁଥିବା ବେଳେ ନୂତନ ବ୍ରହ୍ମପୁର ନିକଟରେ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛକୁ ଜୋରରେ ପିଟି ହୋଇଥିଲେ । ଘଟଣାସ୍ଥଳରେ ଚାଳକ ରାହୁଲ ଘୋଷଙ୍କ ମୃତ୍ୟୁ ଘଟିଥିବା ବେଳେ କାରରେ ବସିଥିବା ସୁନୀଲ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗଛକୁ ପିଟିଲା ପରେ ଚାଳକ କାର ଭିତରେ ଚାପି ହୋଇ ରହିଯାଇଥିଲେ । ଖବରପାଇ ବେଗୁନିଆପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଖଲ୍ଲିକୋଟ ଦମକଳ ବାହିନୀ ପହଞ୍ଚି ବହୁ କଷ୍ଟ ରେ ମୃତଦେହ କାର ମଧ୍ୟରୁ ବାହାର କରିଥିଲେ ।ଗୁରୁତର ଆହତ ହୋଇ ଥିବା ସୁନୀଲ ଙ୍କୁ ଖଲ୍ଲିକୋଟ ମେଡ଼ିକାଲ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି ।