spot_img
Home Blog Page 5795

ମହାରାଷ୍ଟ୍ରରେ ଲାଗୁ ହେଲା ଲକଡାଉନ୍ ଭଳି କଟକଣା; ହୋଟେଲ-ବାର୍ ବନ୍ଦ, ସୁଟିଂ ହେବନି ସିନେମା

ମୁମ୍ବାଇ: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ବଡ଼ ନିଷ୍ପତ୍ତି ନେଇଛି ଉଦ୍ଧବ କ୍ୟାବିନେଟ୍ । କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରାଯିବ । ନୂଆ ନିର୍ଦ୍ଦେଶନାମା ସୋମବାର ରାତି ୮ଟାରୁ ଲାଗୁ ହେବ । ରାତି ୮ଟାରୁ ସକାଳ ୭ଟା ଯାଏ ମହାରାଷ୍ଟ୍ରରେ ଲାଗୁ ହେବ ରାତ୍ରୀକାଳୀନ କର୍ଫ୍ୟୁ । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ ।

ହୋଟେଲ, ରେଷ୍ଟୁରାଣ୍ଟରେ ବସିକରି ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଖାଦ୍ୟ ପାର୍ସଲ ନେଇ ହେବ । ମହାରାଷ୍ଟ୍ରରେ ସମସ୍ତ ସିନେମା ହଲ୍, ପାର୍କ ବନ୍ଦ ରହିବ । ଏପରିକି ବଡ଼ ବଡ଼ ଫିଲ୍ମର ସୁଟିଂ ଉପରେ କଟକଣା ଜାରି କରାଯାଇଛି । କର୍ମଚାରୀଙ୍କୁ ଅଫିସ୍ ପରିବର୍ତ୍ତେ ଘରୁ କାମ କରିବାକୁ କୁହାଯାଇଛି । ଦିନ ସାରା ୧୪୪ ଧାରା ଲାଗୁ ରହିବ । ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ରାଜ୍ୟରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ ।

ମୁମ୍ବାଇରେ ଶନିବାର କରୋନାର ୯ ହଜାର ୯୦ଟି ମାମଲା ଆସିଥିବା ବେଳେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ୧୮୭କୁ ବୃଦ୍ଧି ପାଇଛି । ସେହିଭଳି ଏପ୍ରିଲ ୩ରେ ମହାରାଷ୍ଟ୍ରରେ ୪୯ ହଜାର ୪୪୭ଟି ନୂଆ ମାମଲା ଚିହ୍ନଟ ହୋଇଥିଲା । ଏବେ ରାଜ୍ୟରେ କରୋନାର ୪ ଲକ୍ଷ ୧ ହଜାର ୧୭୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

IPL ଟିମ୍ କୁ ପସନ୍ଦ ୱିକେଟକିପର-କ୍ୟାପ୍ଟେନ୍: ଏଥର ପନ୍ତ ଓ ସାମସନ୍ ଦେଖାଇବେ ଜଲୱା

0

ନୂଆଦିଲ୍ଲୀ: ବାଜିସାରିଛି କ୍ରିକେଟ ମହାକୁମ୍ଭର ବିଗୁଲ୍। ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ କ୍ରିକେଟ ମହାମୁକାବିଲା ଆଇପିଏଲ୍ ୨୦୨୧। ସମସ୍ତ ୮ଟି ଦଳ ବାୟୋ ବବଲ ଭିତରେ ଚଲାଇଛନ୍ତି ପ୍ରସ୍ତୁତି।  ଦିଲ୍ଲୀକ୍ୟାପିଟାଲ୍ସର କ୍ୟାପ୍ଟେନ୍ ଶ୍ରେୟଶ ଅୟର ଅସୁସ୍ଥ ଥିବାରୁ ଦଳରୁ ନେଇଛନ୍ତି ବିଦାୟ। ଯାହା ପରେ ଦିଲ୍ଲୀ ଟିମକୁ ଲାଗିଛି ଜୋରଦାର ଝଟକା। ଏବେ ଯୁବ  ୱିକେଟକିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତକୁ ଟିମରେ ଅଧିନାୟକ ଭାବେ ନିୟୋଜିତ କରିଛି ଦଳ। ଏଥର ମଇଦାନରେ ୱିକେଟକିପର-କ୍ୟାପ୍ଟେନ ଭାବେ ନଜର ଆସିବେବେ ପନ୍ତ। କେବଳ ପନ୍ତ ନୁହଁନ୍ତି ଏଥର ଆଇପିଏଲରେ ନଜର ଆସିବେ ୪ ୱିକେଟକିପର-କ୍ୟାପ୍ଟେନ୍ ।

ମହେନ୍ଦ୍ର ସିଂ ଧୋନି: ଆଇପିଏଲ୍ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସ ପୁଣି ଥରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନରେ ଖେଳିବ। ଧୋନି ତାଙ୍କ ଅଧିନାୟକତ୍ୱରେ ଦଳକୁ ୩ ଥର ଆଇପିଏଲ ଟାଇଟଲ ଜିତେଇଛନ୍ତି। ଏହା ବ୍ୟତୀତ ଚେନ୍ନାଇ ଦଳ ପାଞ୍ଚ ଥର ରନର୍ ଅପ୍ ବି ହୋଇଛି। ଧୋନି ନିଜ ଦମରେ ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି । ଆଉ ଏସବୁ ବାଦ ୱିକେଟ୍ ପଛରେ ତାଙ୍କର ଚମତ୍କାରିତାର କୌଣସି ଯବାବ ନାହିଁ। ଧୋନିଙ୍କୁ ୬ଜି ସ୍ପିଡର ୱିକେଟ କିପିଂର କେହି ମୁକାବିଲା କରିପାରିବେ ନାହିଁ । ଧୋନି ୨୦୪ଟି ଆଇପିଏଲ୍ ମ୍ୟାଚରେ କରିଛନ୍ତି ୪ ହଜାର ୬୩୨ ରନ୍ । ଆଉ ଏଥିରେ ୨୩ଟି ଅର୍ଦ୍ଧ ଶତକ ବି ସାମିଲ ଅଛି । ଧୋନି ୱିକେଟ୍ ପଛରେ ବି ସେ ୧୪୮ଟି ୱିକେଟ ନେଇଛନ୍ତି । ଯେଉଁଥିରେ ରହିଛି ୧୦୯ଟି କ୍ୟାଚ୍ ଏବଂ ୩୯ଟି ଷ୍ଟମ୍ପିଂ।

IPL 2020 KL Rahul Mayank Agarwal Orange Cap Purple Cap

କେ.ଏଲ୍ ରାହୁଲ: ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲଙ୍କ ଉପରେ ଦଳକୁ ପ୍ରଥମ ୱିନିଂ ଟାଇଟଲ ଜିତେଇବାର ରହିବ ଦାୟିତ୍ୱ। ରହିବ। ଆଉ ଏଥିପାଇଁ ତାଙ୍କୁ ବ୍ୟାଟିଂ ସହିତ ୱିକେଟ୍ ପଛରେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ। ରାହୁଲ ଆଇପିଏଲରେ ୮୧ଟି  ମ୍ୟାଚରେ୨ ହଜାର ୬୪୭ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ସେ ଦୁଇଟି ଶତକ ଓ ୨୧ଟି  ଅର୍ଦ୍ଧଶତକ ବି ମାରିଛନ୍ତି। ଏହା ବ୍ୟତୀତ ରାହୁଲ ୱିକେଟ୍ ପଛରେ ୩୭ ଟି ଶିକାର ବି କରିଛନ୍ତି।

ସଞ୍ଜୁ ସାମସନ: ରାଜସ୍ଥାନ ରୟାଲ୍ସସ ଏଥର ସଞ୍ଜୁ ସାମସନଙ୍କୁ ଦେଇଛି ଅଧିନାୟକତ୍ୱର ଦାୟିତ୍ୱ । ଯଦିଓ ରାଜସ୍ଥାନରେ ଜୋସ୍ ବଟଲର୍ ଏବଂ ବେନ୍ ଷ୍ଟୋକ୍ସଙ୍କ ପରି ନାମୀ ଦାମୀ ଖେଳାଳି ଉପସ୍ଥିତ ଅଛନ୍ତି, ଫ୍ରାଞ୍ଚାଇଜ୍ କିନ୍ତୁ ସଞ୍ଜୁ ସାମସନଙ୍କ ଉପରେ ଭରସା କରି ତାଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ। ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ସାମସନ୍ ପ୍ରଥମ ଥର ପାଇଁ ଆଇପିଏଲରେ ଅଧିନାୟକ ଭାବେ ନଜର ଆସିବେ। ଆଇପିଏଲରେ ସାମସନ୍ ୧୦୭ ଟି ମ୍ୟାଚରେ ୨ ହଜାର ୫୮୪ ରନ୍ କରିଛନ୍ତି, ଯେଉଁଥିରେ ଦୁଇଟି ଶତକ ଏବଂ ୧୩ ଟି ଅର୍ଦ୍ଧଶତକ ବି ସାମିଲ ଅଛି । ଏଥିସହିତ ୩୫ଟି ୱିକେଟ୍ ବି ନେଇଛି ସାମସନ୍।

ଋଷଭ ପନ୍ତ: ଦିଲ୍ଲୀକ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଆହତ ଥିବା ଯୋଗୁଁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ମିଳିଛି ଅଧିନାୟକତ୍ୱର ଦାୟିତ୍ୱ। ଏଥିସହିତ ପନ୍ତ ଆଇପିଏଲ ଇତିହାସରେ ପଞ୍ଚମ କନିଷ୍ଠ ଅଧିନାୟକ ହେବେ। ପନ୍ତ ୬୮ ଟି ଆଇପିଏଲ୍ ମ୍ୟାଚ୍ ରେ ୨ହଜାର ୭୯  ରନ୍ ସଂଗ୍ରହ କରିଛନ୍ତି । ଆଉ ଏଥିମଧ୍ୟରେ ରହିଛି ଗୋଟିଏ ଶତକ ଏବଂ ୧୨ଟି ଅର୍ଦ୍ଧଶତକ। ୱିକେଟ୍ ପଛରେ ପନ୍ତ ଏପର୍ଯ୍ୟନ୍ତ ୫୪ଟି ୱିକେଟ୍ ନେଇଛନ୍ତି, ଯେଉଁଥିରେ ରହିଛି ୪୩ ଟି କ୍ୟାଚ୍ ଏବଂ ୧୧ଟି ଷ୍ଟମ୍ପିଂ ରହିଛି।

ଛତିଶଗଡ଼ ସୀମାନ୍ତରେ ନକ୍ସଲ ହମ୍‌ଲା, ଟ୍ୱିଟ୍‌ କରି ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଛତିଶଗଡ଼ ସୀମାନ୍ତ ଅଞ୍ଚଳ ବିଜାପୁରରେ ନକ୍ସଲ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏଭଳି ହିଂସା ଘଟଣାକୁ ନିନ୍ଦା କରିବା ସହ ୨୨ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହ ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଯେଉଁ ଯବାନମାନେ ଏହି ନକ୍ସଲଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ଶନିବାର କମ୍ବିଂ ଅପରେସନ୍‌ ବେଳେ ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ ନକ୍ସଲ । ଏହାର ପାଲଟା ଜବାବ ଦେବାକୁ ଚେଷ୍ଟା କରିଥିଲେ ସୁରକ୍ଷା କର୍ମୀ । ଏହି ଗୁଳିବିନିମୟରେ ୨୩ ଜଣ ଯବାନ ସହିଦ ହୋଇଛନ୍ତି । ଏବେ ବି ୨୦ରୁ ଉର୍ଦ୍ଧ୍ୱ ଯବାନ ନିଖୋଜ ଅଛନ୍ତି । ଏମିତିକି ଏହି ଯବାନ ମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ପୁଣି ଏକ ବିସ୍ଫୋରଣ ହୋଇଥିଲା । ଏଥିରେ ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି ।

ବିନା ଦର୍ଶକରେ ଖେଳାଯିବ IPLର ସମସ୍ତ ମ୍ୟାଚ୍: BCCI

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ର ୧୪ ତମ ସଂସ୍କରଣ ବିନା ଦର୍ଶକରେ ଖେଳାଯିବ । ଏନେଇ ବିସିସିଆଇ ଉପ ସଭାପତି ରାଜୀହ ଶୁକ୍ଳା ସୂଚନା ଦେଇଛନ୍ତି । ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ଦେଶର ୬ଟି ଷ୍ଟାଡିୟମରେ ଆଇପିଏଲର ସମସ୍ତ ମ୍ୟାଚ୍ ଖେଳାଯିବ । ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ଟିମରେ ଖେଳାଳିଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି କରାଯାଇଛି । ସମସ୍ତ ଖେଳାଳିଙ୍କୁ ଟିକାକରଣ କରିବା ପାଇଁ ବିସିସିଆଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରୁଥିବା ସୂଚନା ଦେଇଛନ୍ତି ରାଜୀବ ଶୁକ୍ଳା ।

୮୮ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ୍ ଅଭିନେତ୍ରୀ ଶଶିକଳା

ମୁମ୍ବାଇ: ‘କଭି ଖୁସି କଭି ଗମ୍’ ଚଳଚ୍ଚିତ୍ରର ଅଭିନେତ୍ରୀ ଶଶିକଳା ଆଉନାହାଁନ୍ତି । ରବିବାର ୮୮ ବର୍ଷ ବୟସରେ ଶଶିକଳା ଓମ୍ ପ୍ରକାଶ ସାଇଗଲଙ୍କ ଦେହାନ୍ତ ହୋଇଛି । ଶଶିକଳା ମହାରାଷ୍ଟ୍ରର ସୋଲାପୁରରେ ଶଶିକଳା ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ଶଶିକଳା ଅଭିନୟ ଆରମ୍ଭ କରିଥିଲେ ।

Kabhi Khushi Kabhi Ghum actress Shashikala passes away at 88

ଶଶିକଳା ମୁଝସେ ଶାଦି କରୋଗି (୨୦୦୪), ତିନ ବାଟ୍ଟି ଚାର୍ ରାସ୍ତା (୧୯୫୩)ରେ ଅଭିନୟ କରିବା ସହ ଲୋକପ୍ରିୟ ଟେଲିଭିଜନ ସୋ ସୋନପରି ଏବଂ ଜୀନା ଇସି କା ନାମ ହୈରେ ଅଭିନୟର ଯାଦୁ ଦେଖାଇଥିଲେ । ଶହେରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶଶିକଳା ୧୯୩୨ ମସିହା ଅଗଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ଶଶିକଳା ଡାକୁ, ରାସ୍ତା ଚଳଚ୍ଚିତ୍ରରେ ଅଭିନୟ ପାଇଁ ଲୋକପ୍ରିୟ ହୋଇ ପାରିଥିଲେ ।

Kabhi Khushi Kabhi Ghum Actress Shashikala Passes Away At 88

ଭାରତୀୟ ସିନେମାକୁ ତାଙ୍କ ଅବଦାନ ପାଇଁ ଶଶିକଳା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ୨୦୦୭ ମସିହାରେ ପାଇଥିଲେ । ୨୦୦୯ ମସିହାରେ ଶଶିକଳାଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ମିଳିଥିଲା । ତାଙ୍କ ବିୟୋଗରେ ବଲିଉଡର ଅନେକ କଳାକାର ଶୋକବ୍ୟକ୍ତ କରିଛନ୍ତି ।

ବଲିଉଡକୁ ଗ୍ରାସୁଛି କରୋନା, ଖିଲାଡ଼ି ଅକ୍ଷୟ କୁମାରଙ୍କ ପରେ ଗୋବିନ୍ଦା କୋଭିଡ୍ ପଜିଟିଭ୍

ମୁମ୍ବାଇ: ମହାମାରୀ କବଳରେ ମାୟାନଗରୀ । ବଲିଉଡରେ କରୋନା ଭାଇରସ୍ ବ୍ୟାପିବାରେ ଲାଗିଛି । ଅଭିନେତା ଅକ୍ଷୟ କୁମାରଙ୍କ ପରେ ଏବେ ଗୋବିନ୍ଦା କରୋନା ସଂକ୍ରମିତ ହୋଇଛନ୍ତି । ଏବେ ଗୋବିନ୍ଦା ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ଘରେ ତାଙ୍କର ଚିକିତ୍ସା କରାଯାଉଛି ।

Govinda Corona Positive After Akshay Kumar Under Home Quarantine

ଗୋବିନ୍ଦା କରୋନା ସଂକ୍ରମିତ ହୋଇଥିବା ନେଇ ତାଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି । ଗୋବିନ୍ଦାଙ୍କ ଠାରେ କରୋନାର ସ୍ୱଳ୍ପ ଲକ୍ଷଣ ରହିଛି । ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଅଭିନେତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ଶୀଘ୍ର ଠିକ୍ ହେବା ନେଇ ଗୋବିନ୍ଦା ତାଙ୍କର ଫ୍ୟାନ୍ସଙ୍କ ଠାରୁ ଆଶୀର୍ବାଦ ମାଗିଛନ୍ତି ।

Govinda Corona Positive After Akshay Kumar Under Home Quarantine

ରିପୋର୍ଟ ଅନୁସାରେ, ଗୋବିନ୍ଦା ରବିବାର ସକାଳେ କୋଭିଡ୍ ଟେଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ପରିବାରର ଅନ୍ୟ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି ।  ଗୋବିନ୍ଦାଙ୍କ ପୂର୍ବରୁ ଅକ୍ଷୟ କୁମାର କୋଭିଡ୍ ସଂକ୍ରମିତ ହୋଇଥିଲେ । ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ସୂଚନା ଦେଇଥିଲେ । ସେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି ।

ଏଥିସହ ପଢ଼ନ୍ତୁ- ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ

ରାଜ୍ୟକୁ ପୁଣି ଫେରିବ ତାତି, ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ତାତି । ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ବଢିପାରେ ତାପମାତ୍ରା । ଆସନ୍ତା ୪୮ ଘଣ୍ଟା ପରେ ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଉପରମୁହାଁ ହେବ ପାରଦ । ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ୬ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ ପାରା ୪୦ ଉପରେ ରହିବ ।

ସେପଟେ ଦକ୍ଷିଣ ଛତିଶଗଡ଼, ଝାଡଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି । ସୋମବାର ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, ସୋନପୁର, ସମ୍ବଲପୁର, ଦେବଗଡ ଏବଂ ସୁନ୍ଦରଗଡ଼ରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନ ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ । ୬ତାରିଖର ଠାରୁ ଆକାଶ ମେଘମୁକ୍ତ ରହିବା ସହ ତାପମାତ୍ରା ଧିରେଧିରେ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

୨୨ ଯବାନ ସହିଦ: ଦୁଃଖ ପ୍ରକାଶ କଲେ DGP, କହିଲେ ଆହୁରି ଜୋରଦାର ହେବ ଅପରେସନ୍‌

ମାଲକାନଗିରି: ଛତିଶଗଡ଼ ମାଓ ଆକ୍ରମଣ ଘଟଣାରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଏନେଇ ଦୁଃଖ ପ୍ରକାଶ କରିଛନ୍ତି ପୋଲିସ ଡିଜି ଅଭୟ । ଓଡିଶା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଛତିଶଗଡ଼ ପୋଲିସ ସହ ସମନ୍ୱୟ ରକ୍ଷାକରି ମାଓ ଦମନ ଅପରେସନକୁ ଯୋରଦାର କରାଯିବ ବୋଲି କହିଛନ୍ତି ଡିଜିପି ଅଭୟ । ଏହାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଖାଲି ସେତିକି ନୁହେଁ ଏହି ଅବସରରେ ସେ ମାଓମାଦୀଙ୍କ କାର୍ଯ୍ୟାକଲାପକୁ ତୀବ୍ର ନିନ୍ଦା କରିଛନ୍ତି । ଛତିଶଗଡ଼ ପୋଲିସ, ସିଆରପିଏଫ୍‌ ସହ ମିଶି ଓଡିଶା ସୀମାନ୍ତରେ ମାଓ ଦମନ ନେଇ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ । ମାଓ ଦମନ ଅପରେସନକୁ ଆହୁରି ବ୍ୟାପକ କରାଯିବ ବୋଲି ସେ କହିଛନ୍ତି ।

ଛତିଶଗଡ଼ ସୀମାନ୍ତ ବିଜାପୁରରେ ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଯବାନଙ୍କୁ ଉଦ୍ଧାର ବେଳେ ପୁଣି ଆଇଇଡି ବିସ୍ଫୋରଣ ହୋଇଛି । ଏଥିରେ ଆଉ ଜଣେ ଯବାନ ଆହତ ହୋଇଛନ୍ତି  । ଆହତ ଯବାନଙ୍କୁ ବିଜାପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଟେକେଲଗୁଡା ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ଛତିଶଗଡ଼ ସୁକମା ବିଜାପୁରରେ ଯବାନ ଓ ନକ୍ସଲଙ୍କ ମଧ୍ୟ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ଜଣ ଯବାନ ସହିଦ ହୋଇଛନ୍ତି । ଏନେଇ ବିଜାପୁର ଏସ୍‌ପି କାମଲୋଚନ୍‌ କଶ୍ୟପ ସୂଚନା ଦେଇଥିଲେ । ଗୁଳିବିନିମୟ ପରେ ବିକ୍ଷିପ୍ତ ଭାବରେ ପଡିରହିଥିଲା ଯବାନଙ୍କ ରକ୍ତାକ୍ତ ମୃତଦେହ । ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଉଜଣେ ଯବାନ ନିଖୋଜ ଅଛନ୍ତି । ଅନ୍ୟପଟେ ୩୦ ଜଣ ଗୁରୁତରଙ୍କ ମଧ୍ୟରୁ ୨୩ ଜଣଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୭ ଜଣ ଯବାନଙ୍କୁ ବାୟୁ ସେନାର ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି ।

ଶନିବାର ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏହି ଗୁଳିବିନିମୟ ହୋଇଥିଲା । ସୂଚନା ଅନୁସାରେ ଡିଆର୍ଜି ଏଵଂ ଆଇଟିବିପି ଯବାନର ଏକ ଟିମ୍ ଅବୁଝମଡର କାକୁର୍ ଅଞ୍ଚଳରେ କମ୍ବିଂ ପାଇଁ ଯାଇଥିଲେ । ସେଠାରେ ଯବାନଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ ମାଓବାଦୀ । ଏହାପରେ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହ ।

ରକେଟ୍ ଲଞ୍ଚର ଓ ଲାଇଟ୍ ମେସିନ୍ ଗନରୁ ଆକ୍ରମଣ କରିଥିଲା ହିଡମା ବାହିନୀ, ୨୨ ଯବାନ ସହିଦ

ବିଜାପୁର: ଛତିଶଗଡ଼ ବିଜାପୁର ନକ୍ସଲ ଆକ୍ରମଣରେ ଆଉ ୨୦ ଜଣ ଯବାନଙ୍କ ମୃତଦେହ ମିଳିଛି । ସୁବେର ଡିଜି ଡିଏମ୍ ଅବସ୍ଥି ଏହି ସୂଚନା ଦେଇଛନ୍ତି । ଏବେ ଯାଏ ମୋଟ ୨୨ଗୋଟି ମୃତଦେହ ମିଳିଛି । ଜଣେ ଯବାନ ନିଖୋଜ ଥିବାବେଳେ ୩୧ ଜଣ ଯବାନ ଆହତ ହୋଇଛନ୍ତି । ଏହା ଚଳିତବର୍ଷର ସବୁଠୁ ବଡ଼ ନକ୍ସଲ ଆକ୍ରମଣ । ଏହି ଆକ୍ରମଣରେ ୮ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଜଣେ ଯବାନ ନିଖୋଜ ଅଛନ୍ତି । ସେହିଭଳି ଏଥିରେ ରାଜ୍ୟ ପୋଲିସର ୧୪ ଜଣ ଯବାନ ସହିଦ ହୋଇଛନ୍ତି ।

Bijapur Naxal Attack 20 Soldier Bodies Recovered

ଶନିବାର ନକ୍ସଲ କରିଥିବା ଏହି ଆକ୍ରମଣରେ ଦେଶୀ ରକେଟ୍ ଲଞ୍ଚର୍ ଏବଂ ଲାଇଟ୍ ମେସିନ୍ ଗନର ବ୍ୟବହାର କରିଥିଲେ । ନକ୍ସଲଙ୍କ ସବୁଠୁ ମଜଭୁତ୍ ଗଡ଼ କୁହାଯାଉଥିବା ବିଜାପୁରରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍ କରିଥିଲେ । ନକ୍ସଲ ବିରୋଧୀ ଅଭିଯାନ ବେଳେ ସୂଚନା ମିଳିଥିଲା ନକ୍ସଲଙ୍କ ସବୁଠୁ ବଡ଼ ପିପୁଲ୍ସ ଗ୍ରୁପ୍ ଆର୍ମି ପ୍ଲାଟୁନ୍ ବନ (PLGA 1)ର ବଡ଼ ଦୁର୍ଦ୍ଦାନ୍ତ କମାଣ୍ଡର ହିଡମା ଥିବା ଖବର ମିଳିଥିଲା । ଆକ୍ରମଣ ସ୍ଥଳରୁ ୧ କିଲୋମିଟର ଦୂର ପୋବର୍ତ୍ତି ଗାଁରେ ହିଡମା ଥିବା ଖବର ପରେ ସିଆରପିଏଫ୍ ଓ ଛତିଶଗଡ଼ ପୋଲିସର DRG ଏକ ମିଳିତ ଅପରେସନ୍ ଆରମ୍ଭ କରିଥିଲେ ।

Bijapur Naxal Attack 20 Soldier Bodies Recovered

ସୁରକ୍ଷାକର୍ମୀଙ୍କ ଉପରେ ହିଡମା ନେତୃତ୍ୱ ନେଉଥିବା ପିପୁଲ୍ସ ଗ୍ରୁପ୍ ଆର୍ମି ପ୍ଲାଟୁନ୍ ବନ ୟୁନିଟ୍ ଆକ୍ରମଣ କରିଥିଲା । ଏହି ଅପରେସନରେ ନକ୍ସଲ କ୍ୟାଡରର ୧୫ ଜଣ ନିହତ ହୋଇଛନ୍ତି । ନକ୍ସଲ ମାନେ ତିନିଗୋଟି ଉପାୟରେ ଆକ୍ରମଣ କରିଥିଲେ । ପ୍ରଥମେ ବୁଲେଟରେ, ତା’ପରେ ଧାରୁଆ ଅସ୍ତ୍ର ଓ ଦେଶୀ ଦେଶୀ ରକେଟ୍ ଲଞ୍ଚରରୁ ପ୍ରାୟ ୨୦୦ରୁ ୩୦୦ ନକ୍ସଲ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏବେବି ସେଠାରେ ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ୍ ଜାରି ରହିଛି ।

କାୟା ବିସ୍ତାର କରୁଛି କରୋନା, ରେଳ ଷ୍ଟେସନ୍‌ ପରେ ବିମାନବନ୍ଦରରୁ ୧୦ ପଜିଟିଭ୍‌

ଭୁବନେଶ୍ୱର: କାୟା ବିସ୍ତାର କରୁଛି କରୋନା । ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ହେଲାଣି ଅଣାୟତ । ରବିବାର ଭୁବନେଶ୍ୱର ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟରୁ ୧୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ବିମାନବନ୍ଦରରୁ ଆଉ ୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିଭଳି ରେଲଓ୍ୱେ ଷ୍ଟେସନ୍‌ରୁ ମଧ୍ୟ ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଉଛି ଭୁବନେଶ୍ୱର ବିମାନ ବନ୍ଦର । ରବିବାର ଅପରାହ୍ନ ୩ଟା ସୁଦ୍ଧା ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଗତ ୩ ଦିନରେ ୨୫ ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ୧୦ ପଜିଟିଭ୍‌ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜକୁ ମିଶାଇ ବିମାନ ବନ୍ଦରରୁ ମୋଟ ୩୫ ଜଣ ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଯାତ୍ରୀଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବିମାନ ବନ୍ଦରରୁ ଚିହ୍ନଟ ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଆସିଛନ୍ତି ।

ଆଗକୁ କରୋନା ଯାଞ୍ଚ ଆହୁରି କଡ଼ାକଡ଼ି ହେବ ବୋଲି କୁହାଯାଇଛି । ବିମାନବନ୍ଦର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ସଂକ୍ରମଣ ରୋକିବା ଦିଗରେ ଗୁରୁତ୍ୱ ଦିଆଯାଉଛି । ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ସବୁଙ୍କୁ ପରାମର୍ଶ ଦିଆଯାଉଛି । ତେବେ ଉଭୟ ରେଳଷ୍ଟେସନ ଓ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରିବା ପାଇଁ ଚାଲିଛି ବିଚାର ବିମର୍ଷ ।