spot_img
Home Blog Page 5838

ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର, ୨୫୧ ବ୍ଲକରେ ଜଳସେଚିତ ହୋଇଛି ୩୫ ପ୍ରତିଶତ ଜମି

ଭୁବନେଶ୍ବର: ସୁରୁଖୁରୁରେ ଚାଲିଛି ବିଧାନସଭା ଅଧିବେଶନ । ଜଳସମ୍ପଦ, ଯୋଜନା ଓ ସଂଯୋଜନ ନେଇ ଗୃହରେ ତଥ୍ୟ ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ରାଜ୍ୟ ସରକାର ରାଜ୍ୟର ସମୁଦାୟ 43 ଲକ୍ଷ ହେକ୍ଟର ଚାଷ ଜମିରେ ଜଳ ସେଚନ ସାମର୍ଥ୍ୟ ସୃଷ୍ଟି କରିଛନ୍ତି । ମୋଟ୍‌ 314 ବ୍ଲକରୁ 251 ବ୍ଲକରେ 35 ପ୍ରତିଶତ ଜମି ଜଳସେଚିତ ହୋଇଛି । ଆଉ 63 ବ୍ଲକରେ ଜଳ ସେଚନ ପାଇଁ ସରକାର ଅନୁଦାନ ଦେବା ସହ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
ଆଜି ବିଧାନସଭାରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସୂଚନା ଦେଇଛନ୍ତି ।

2015 -16ରୁ 2019-20 ମଧ୍ୟରେ 7ଲକ୍ଷ43ହଜାର ହେକ୍ଟର ଜମିରେ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରାଯାଇଛି । ସେପଟେ ବିଧାନସଭାରେ ଜଳ ସେଚନ ନେଇ ଗୃହର ଉଦବେଗ ଦେଖି ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭା ଅଧିବେଶନ ସରିବା ପରେ ଦୁଇଟି ଲେଖାଏଁ ଜିଲ୍ଲାର ସଦସ୍ୟ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ଡାକି ଆଲୋଚନା କରି ସମସ୍ୟା ସମାଧାନ କରିବାକତୁ ରୁଲିଂ ଦେଇଛନ୍ତି ।

ସେପଟେ ପ୍ରଶ୍ନକାଳରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ରାଜ୍ୟରେ ୨୫୧ ବ୍ଲକରେ ୩୫ ପ୍ରତିଶତ ଜମିକୁ ଜଳସେଚିତ କରିଛନ୍ତି ରାଜ୍ୟ ସରକାର । ୪୩ ଲକ୍ଷ ହେକ୍ଟର ଚାଷ ଜମିରେ ସୃଷ୍ଟି ହୋଇଛି ଜଳସେଚନ ସାମର୍ଥ୍ୟ । ବାକି ୬୩ଟି ବ୍ଲକରେ ଜଳସେଚନ ପାଇଁ ସରକାର ଅନୁଦାନ ଦେବା ସହ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ରାଜ୍ୟରେ ପୁଣି କରୋନା ଆତଙ୍କ, ଦୈନିକ ସଂକ୍ରମଣ ୨୦୦ ଟପିଲା

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ଆତଙ୍କ । ଦୈନିକ ସଂକ୍ରମଣ ପୁଣି ୨୦୦ ଟପିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ୨୧୪ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । କ୍ବାରେଣ୍ଟାଇନ ସେଣ୍ଟରରୁ ୧୨୬ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଲୋକାଲ କଣ୍ଟ୍ରାକ୍ଟ ୮୮ ଚିହ୍ନଟ କରାଯାଇଛି ।

ଆଜି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ତାଲିକାରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ସର୍ବାଧିକ ୩୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ଼ରୁ ୨୭ ଜଣ, ବଲାଙ୍ଗୀର ଓ କଟକରୁ ୨୦ ଜଣ , ବରଗଡ଼ ଓ ବାଲେଶ୍ବରରୁ ୧୩ ଜଣ ଲେଖାଏଁ ଚିହ୍ନଟ କରାଯାଇଛି ।

ସେହିପରି ଢେଙ୍କାନାଳ, କୋରାପୁଟ ଓ ସମ୍ବଲପୁରରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ୯, ଅନୁଗୁଳରୁ ୬, ପୁରୀ, ଯାଜପୁର, କଳାହାଣ୍ଡିରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଷେଟ ପୁଲରୁ ୯ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । କରୋନା ସଂକ୍ରମିତ ହ୍ରାସ ଘଟିଥିବାବେଳେ ଆଜି ପୁଣି ଚଳିତ ବର୍ଷର ସର୍ବାଧିକ ୨୦୦ ଅତିକ୍ରମ କରିଛି ସଂକ୍ରମଣ ସଂଖ୍ୟା । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ ଛୁଇଁଛି ।

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ଶତ ପ୍ରତିଶତ ମାର୍କ ରଖିଲେ ୧୩ ଜଣ ଶିକ୍ଷାର୍ଥୀ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜେଇଇ ମେନ୍ ରିଜଲ୍ଟ । ମାର୍ଚ୍ଚ ମାସର ରେଜଲ୍ଟ ଆଜି ପ୍ରକାଶିତ ହୋଇଛି । ମାତ୍ର ୬ ଦିନ ମଧ୍ୟରେ ଜେଇଇ ମେନ୍‌ ରେଜଲ୍ଟ ଏନଟିଏ ପକ୍ଷରୁ ପ୍ରକାଶ ପାଇଛି । ପୂର୍ବରୁ ଫେବୃଆରୀ ସେସନର ଜେଇଇ ମେନ୍‌ ରେଜଲ୍ଟ ପ୍ରକାଶ ପାଇଥିଲା। । ଏହି ପରୀକ୍ଷା ପାଇଁ ୬,୧୯,୩୬୮ ଜଣ ଶିକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ । ସେଥରୁ ପ୍ରାୟ ୫ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ସେହିଭଳି ମାର୍ଚ୍ଚ ୧୬ରୁ ୧୮ ଯାଏ ଏହି ପରୀକ୍ଷା ହୋଇଥିଲା । ଏହି ସେସନରେ ମୋଟ ୧୩ ଜଣ ଶିକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଆଜି ପ୍ରକାଶ ପାଇଥିବା ରେଜଲ୍ଟରେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା । ଦେବାଶିଷ ମୋଟ ୯୯.୯୫% ମାର୍କ ରଖିଛନ୍ତି । ଶତ ପ୍ରତିଶତ ମାର୍କ ରଖିଥିବା ଶିକ୍ଷାର୍ଥୀମାନେହେଲେ ଦିଲ୍ଲୀର ସିଦ୍ଧାର୍ଥ କଲରା ଓ କାବ୍ୟା ଚୋପ୍ରା, ତେଲେଙ୍ଗାନାର ବାନ୍ନୁରୁ ରୋହିତ କୁମାର ରେଡ୍ଡୀ ।

ସେହିପରି ମାଦୁର ଆଦର୍ଶ ରେଡ୍ଡୀ ଓ ଯୋସୟୁଲା ଭେଙ୍କଟ ଆଦିତ୍ୟ, ପଶ୍ଚିମବଙ୍ଗର ବ୍ରାଟିନ ମଣ୍ଡଳ, ବିହାରର କୁମାର ସତ୍ୟଦର୍ଶୀ, ରାଜସ୍ଥାନର ମ୍ରିଦୁଲ ଅଗ୍ରୱାଲ ଓ ଜେନିଥ ମାଲହୋତ୍ରା, ତାମିଲନାଡୁର ଅଶ୍ୱିନ ଅବ୍ରାହମ ଏବଂ ମହାରାଷ୍ଟ୍ରର ଅଥର୍ବ ଅଭିଜିତ ତାମବାଟ ଓ ବକ୍ସି ଗାର୍ଗୀ ମାରକଣ୍ଡ ମଧ୍ୟ ଶତ ପ୍ରତିଶତ ମାର୍କ ରଖିଛନ୍ତି ।

ଜଳିଗଲା ଯବାନଙ୍କ ଜିପ୍, ୩ ଜୀବନ୍ତ ଦଗ୍ଧ, ୫ ଗୁରୁତର

ଜୟପୁର: ରାଜସ୍ଥାନରେ ଯବାନଙ୍କ ଜିପ୍ ଦୁର୍ଘଟଣାଗ୍ରସ୍ତ । ସୁରଟଗଡ ଇନ୍ଦିରା ଗାନ୍ଧୀ କେନାଲର ୩୩୦ ଆରଡି ନିକଟରେ ଦୁର୍ଘଟଣାଗସ୍ତ ହୋଇଛି ଆର୍ମି ଜିପ । ସୂଚନା ଅନୁଯାୟୀ ଦୁର୍ଘଟଣାପରେ ଜଳିଯାଇଛି ଜିପ୍ । ଫଳରେ ୩ ଯବାନ୍ ଜୀବନ୍ତ ଦଗ୍ଧ ହୋଇଥିବାବେଳେ 5 ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ଆର୍ମି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା । ଏଥିରେ ୫ ଯବାନ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ 3ଯବାନ ଜୀବନ୍ତ ଦଗ୍ଧ ହୋଇଥିବାବେଳେ 5ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସୁରଟଗଡର ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ରେଭେନ୍ସାରେ ଛାତ୍ରଙ୍କୁ କରୋନା, ୟୁଜି ଓ ପିଜି ପରୀକ୍ଷା ସ୍ଥଗିତ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ସ୍ଥଗିତ । ଆଜି ଅର୍ଥାତ ଗୁରୁବାର ହେବାକୁ ଥିବା ୟୁଜି ଓ ପିଜି ପରୀକ୍ଷା ସ୍ଥଗିତ କରିଛନ୍ତି କଲେଜ କର୍ତ୍ତୁପକ୍ଷ । ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କରୋନା ପଜିଟିଭ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ଆଜି ପରୀକ୍ଷା ହେବାକୁ ଥିବାବେଳେ ପରୀକ୍ଷା ବନ୍ଦ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ରେଭେନ୍ସା ମହାନଦୀ ହଷ୍ଟେଲର ଜଣେ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭି ଛାତ୍ରଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ହଷ୍ଟେଲ ସାନିଟାଇଜ କରାଯିବା ସହିତ ଅନ୍ୟ ବିଦ୍ୟାର୍ଥୀଙ୍କ କରୋନା ଟେଷ୍ଟ କରାଯିବ । ପରୀକ୍ଷା ସମ୍ବଦ୍ଧରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ବୈଠକରେ ପରୀକ୍ଷା ନେଇ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି ।

ପ୍ରଚାରର ଅନ୍ତିମ ଦିନ; ଆସାମ-ପଶ୍ଚିମବଙ୍ଗରେ ରଙ୍ଗୀନ ମୈଦାନ, ଥମୁନି କମ୍ପନ

ଭୁବନେଶ୍ୱର : ପାଞ୍ଚ ରାଜ୍ୟରେ ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନ । ଦିନକ ପରେ ବାଲାଟ ବାକ୍ସରେ ଭୋଟ ପଡିବାକୁ ଯାଉଥିବା ବେଳେ ଶେଷ ଦିନରେ ରାଜନୈତିକ ରଣାଙ୍ଗନ ହେବାକୁ ଯାଉଛି ରଙ୍ଗୀନ । ପଶ୍ଚିମବଙ୍ଗ ଓ ଆସାମରେ ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ସେପଟେ ଶେଷ ଦିନରେ ମଧ୍ୟ ମୈଦାନ ମୁହାଁ ସମସ୍ତ ଦଳର ନେତା ।

ବିଜେପି ପକ୍ଷରୁ ଅନ୍ତିମ ଦିନରେ ପଶ୍ଚିମବଙ୍ଗ ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିଭଳି ବିଜେପି ପକ୍ଷରୁ ମଧ୍ୟ ରୋଡ ଶୋ ଏବଂ ପ୍ରଚାର କରିବେ ବଲିଉଡ ତାରକା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିବେ । ପୁଣି ଥରେ କ୍ଷମତା ଦାଖଲ କରିବା ପାଇଁ ଜୋର ଲଗାଇବେ ଦିଦି ।

ସେହିଭଳି ଆସାମ ଏବଂ ଅନ୍ୟ ତିନି ରାଜ୍ୟ ପାଇଁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ପ୍ରଚାର କରିବେ । ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଦିଦିଙ୍କ ଭୋଟ ପ୍ରତିଶତ କମିବାକୁ ଯାଉଥିବା ମଧ୍ୟ ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି । ସେହିଭଳି ବିଜେପିର ଶହେରୁ ଅଧିକ ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି ଦଳ । ଏହାକୁ ନେଇ ମଧ୍ୟ ଦଳ ମୁଦ୍ଧା କରିଛି । ପଶ୍ଚିମବଙ୍ଗରେ ଏଭଳି ଗୁଣ୍ଡା ସରକାରକୁ ତୁରନ୍ତ ପରିବର୍ତ୍ତନ କରିବାର ସମୟ ଆସିଛି ବୋଲି ନିର୍ବାଚନୀ ପ୍ରଚାରରେ ବୁଧବାର କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେପଟେ ବିଜେପିକୁ ମଧ୍ୟ ନିଶାନା କରିଛନ୍ତି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ବାଲା ପାନ ଖାଇ କଥା କହୁଛନ୍ତି, ପଶ୍ଚିମବଙ୍ଗକୁ ବିକ୍ରି କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ । ତେଣୁ ଆଜି ପ୍ରଚାରର ଅନ୍ତିମ ଦିନ ଥିବାବେଳେ ଏ ମନାହୋଲ ଆହୁରି ସରଗରମ ହେବାକୁ ଯାଉଛି । ସେପଟେ ଆସାମରେ ଏଥର ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି କଡା ଫାଇଟ୍ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧି କଂଗ୍ରେସ ପାଇଁ ଜୋରଦାର କ୍ୟାମ୍ପେନିଂ କରୁଛନ୍ତି । ଅନ୍ୟପଟେ ତାମିଲନାଡୁ, କେରଳ ଓ ପୁଡୁଚେରୀରେ ମଧ୍ୟ ବିଜେପି, କଂଗ୍ରେସ ସମେତ ଅନ୍ୟ ଆଞ୍ଚଳିକ ଦଳ ମଧ୍ୟ ଜୋରଦାର କରିଛନ୍ତି ପ୍ରଚାର।

ବିଧାୟକଙ୍କୁ ସୁରକ୍ଷା କର୍ମୀଙ୍କ ଆକ୍ରମଣ, ‘କ୍ଷମା ମାଗନ୍ତୁ ନୀତିଶ କୁମାର’

ପାଟନା: ବିହାର ବିଧାନସଭାର ବିଧାୟକଙ୍କ ପ୍ରତି ସୁରକ୍ଷା କର୍ମୀଙ୍କ ଆଚରଣ ଘଟଣାକୁ ନିନ୍ଦା କରୁଛି ଦେଶ । ଏପରି କଳଙ୍କିତ ଅଧ୍ୟାୟକୁ ସବୁ ମହଲରୁ ନିନ୍ଦା କରାଯାଇଛି । ମଙ୍ଗଳବାର ବିଧାନସଭାରେ ଜନ ପ୍ରତିନିଧିଙ୍କ ପ୍ରତି ସୁରକ୍ଷାକର୍ମୀଙ୍କ ବ୍ୟବହାର ପ୍ରସଙ୍ଗରେ ନୀତୀଶ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ଆରଜେଡି ।

ଆରଜେଡି ନେତା ତେଜସ୍ବୀ ଯାଦବ ଘଟଣାକୁ ନିନ୍ଦା କରିଛନ୍ତି । ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମା ନ ମାଗିଛନ୍ତି ଏବଂ ଘଟଣାରେ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ବିରୋଧୀ ବିଧାୟକ ବିଧାନସଭାର ମାଟି ମାଡିବେ ନାହିଁ ବୋଲି କହିଛନ୍ତି ତେଜସ୍ବୀ ।

ମହିଳା ଓ ବରିଷ୍ଠ ବିଧାୟକଙ୍କ ପ୍ରତି ବ୍ୟବହାର ସଭିଙ୍କୁ ଅତିଷ୍ଠ କରିଛି ଏଣୁ ସରକାର ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଏ ନେଇ ଆଜି ଗୋଟିଏ ପରେ ଗୋଟିଏ ଟ୍ବିଟ୍ କରିଥିଲେ ଆରଜେଡି ନେତା ତେଜସ୍ବୀ ଯାଦବ । ସେପଟେ ସଂସଦ ବାହାରେ ମଧ୍ୟ ଏ ପ୍ରସଙ୍ଗରେ ରାଜନୀତି ସରଗରମ ହୋଇଥିଲା । ଆହତ ହୋଇଥିବା ବିଧାୟକଙ୍କ ଚିକିତ୍ସା ଚାଲିଛି ।

ନୂଆପଡା ଜିଲ୍ଲାରେ ୩୩ ଜଣ କୋଭିଡ ପଜିଟିଭ ଚିହ୍ନଟ

ନୂଆପଡା:  ନୂଆପଡା ଜିଲ୍ଲାରେ ୩୩ ଜଣ କୋଭିଡ ପଜିଟିଭ ଚିହ୍ନଟ । ଜିଲ୍ଲାର ସିନାପାଲି ବ୍ଲକର ବ୍ରାହ୍ମଣପଡାରେ ସର୍ବାଧିକ ୨୯ ଜଣ ଚିହ୍ନଟ ପରେ ପ୍ରଶାସନ ଅଧିକାରୀ ତପ୍ତରତା ପ୍ରକାଶ କରିଛନ୍ତି । ସଂକ୍ରମିତଙ୍କୁ ହୋମ କୋରେଣ୍ଟଇନରେ ରଖିବା ସହ ସେହି ସ୍ଥାନରେ ପୋଲିସ ମୃତୟନ ହୋଇଛନ୍ତି ।

ସୂଚନା ମୁତାବକ ଗୁରୁବାର ବ୍ରାହ୍ମଣପଡାର ସମସ୍ତଙ୍କ ସ୍ବାବ ସଂଗ୍ରହ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସିନାପାଲି ଛତିଶଗଡ଼ ସୀମାକୁ ଲାଗି ରହିଥିବା ବେଳେ ନିକଟରେ କିଛି ଲୋକ ଛତିଶଗଡ଼ରୁ ଫେରି ସଂକ୍ରମିତ ଚିହ୍ନଟ ହୋଇଥିଲେ । ୫୬ ଜଣଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ପରେ ସର୍ବାଧିକ ୩୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।

ଆରୁଷୀ ଗଣଦୁଷ୍କର୍ମ ମାମଲା, ତିନି ଦୋଷୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦଶାହରର ବହୁ ଚର୍ଚ୍ଚିତ ଅରୁଷୀ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆସିଛି ବଡ ନିଷ୍ପତ୍ତି । ଏହି ମାମଲାରେ POCSO କୋର୍ଟ ତିନି ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଘଟଣା ସେତେବେଳେ ଉତ୍ତରପ୍ରଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଥିଲା । ଚଳନ୍ତା କାରରେ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୋଲିସର ହୋସ୍‌ ମଧ୍ୟ ଉଡ଼ି ଯାଇଥିଲା ।

୨ ଜାନୁଆରୀ, ୨୦୧୮ରେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଅରୁଷୀଙ୍କୁ ଅପହରଣ କରାଯାଇଥିଲା । ଏହା ପରେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ପରେ ହତ୍ୟା କରାଯାଇଥିଲା । ଚଳନ୍ତା କାରରେ NH-91ରେ ଆରୁଷୀଙ୍କ ସହ ଜଣକ ପରେ ଜଣେ ରାକ୍ଷସ ଦୁଷ୍କର୍ମ କରିଥିଲେ । ୪ ଜାନୁୟାରୀ ୨୦୧୮ ରେ, ଦାଦ୍ରି କୋତୱାଲି ଅଞ୍ଚଳର ରାଜୱାହୀରେ ଅରୁଷୀଙ୍କ ଗଳିତ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ପୋଲିସର ତଦନ୍ତ ପରେ ମୃତଦେହ ଚିହ୍ନଟ କରାଯାଇଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ରିପୋର୍ଟରୁ ଜଣାପଡ଼ିଥିଲା, ଆରୁଷୀଙ୍କ ସହ ତିନି ଜଣ ନର ରାକ୍ଷାସ ଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି । ଏବେ ଦୁଇ ବର୍ଷ ପରେ କୋର୍ଟଙ୍କ ରାୟ ଆସିଛି । ଅରୁଷୀଙ୍କୁ ନ୍ୟାୟ ମିଳିଛି ।

ମାମଲାର ଶୁଣାଣି ସମୟରେ ପୋଲିସର ଅବହେଳା ମଧ୍ୟ ସାମ୍ନାକୁ ଆସିଥିଲା । ପୋଲିସକୁ କୋର୍ଟଙ୍କ ପକ୍ଷରୁ ତାଗିଦ୍‌ ମଧ୍ୟ କରାଯାଇଥିଲା । ତତ୍କାଳୀନ ଥାନା ଇନଚାର୍ଜ ସିଜ୍‌ ହୋଇଥିବା ସାମଗ୍ରୀ ଗୁଡ଼ିକୁ କୋର୍ଟରେ ଦାଖଲ କରିନଥିଲେ ।

ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ ଫିନସିଂ ଚାମ୍ପିଅନସିପ୍

କଟକ: ଆରମ୍ଭ ହେଲା ଫିନସିଂ ଚାମ୍ପଅନସିପ୍ । ଇଣ୍ଡୋର ଷ୍ଟାଡିୟମରେ ପ୍ରତିଯୋଗିତା । ଜାତୀୟ ଦଳ ପାଇଁ ଚୟନ ହେବେ ଖେଳାଳି । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୨୨ ତମ ଜାତୀୟ ଅଶୀଚାଳନା ବା ଫିନସିଂ ଚାମ୍ପିଅନସିପ୍ । କୋଭିଡ୍ କଟକଣା ମଧ୍ୟରେ ଖେଳାଯାଉଥିବା ଏହି ଜାତୀୟ ଚାମ୍ପିଅନସିପ୍‌ରେ ୨୨ଟି ରାଜ୍ୟର ୪୫୦ ପ୍ରତିଯୋଗୀ ଭାଗ ନେଇଛନ୍ତି । ତିନିଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିଅନସିପରୁ ସମ୍ଭାବ୍ୟ ଭାରତୀୟ ଦଳ ଚୟନ କରାଯିବ । କୋଭିଡ୍ କଟକଣା ଭିତରେ ଆୟୋଜିତ ହେଉଛି ପ୍ରତିଟି ଇଭେଣ୍ଟ୍ ।

ଏହି ଚାମ୍ପିଅନସିପରେ ଆୟୋଜକ ଓଡିଶା ବ୍ୟତୀତ ମଣିପୁର, ପଞ୍ଜାବ, ତେଲେଙ୍ଗାନା ଭଳି ରାଜ୍ୟର ଶ୍ରେଷ୍ଠ ଖେଳାଳି ଭାଗ ନେଇଛନ୍ତି । ଏଥିରୁ ସମ୍ଭାବ୍ୟ ଭାରତୀୟ ଦଳ ଚୟନ କରାଯିବ । ଭଲ ଆୟୋଜନ ଓ ପ୍ରସ୍ତୁତି କାରଣରୁ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି ଖେଳାଳି । ଫିନସିଂ ବା ଅଶୀଚାଳନାରେ ଓଡିଶାର ଆଗ୍ରହ ବଢୁଥିବାରୁ ଏହା ରାଜ୍ୟର ଅନ୍ୟ ଖେଳାଳିଙ୍କୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି ।