spot_img
Home Blog Page 5839

ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚକ୍ରାନ୍ତ, ଲୋକଙ୍କ ପେଟପାଟଣା ସହ ଖେଳୁଛି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚକ୍ରାନ୍ତ । ହଜାର ହଜାର ଲୋକଙ୍କ ପେଟପାଟଣା ସହ ଖେଳୁଛି କେନ୍ଦ୍ର । ବିନା ଥଇଥାନରେ ତାଳଚେର ପାୱାର ପ୍ଲାଣ୍ଟ ବନ୍ଦକୁ ବିରୋଧ । ଅବଧି ଶେଷ ପୂର୍ବରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ । ଯେଉଁ ପ୍ରକଳ୍ପ ୫୪ ବର୍ଷ ହେଲା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଆସୁଥିଲା ସେହି ଅଞ୍ଚଳରେ ଏବେ ଅନ୍ଧାର ହିଁ ଅନ୍ଧାର । ଏଭଳି ଅସ୍ୱାଭାବିକ ପରିସ୍ଥିତିକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ସ୍ଥାନୀୟ ଜନସାଧାରଣ । ଏହାକୁ ନେଇ ଏବେ କେନ୍ଦ୍ର ବିରୁଦ୍ଧରେ ଗର୍ଜିଛି ବିଭିନ୍ନ ଶ୍ରମିକ ଟ୍ରେଡ୍ ୟୁନିୟନ । ଅପର ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କରେ କେନ୍ଦ୍ରକୁ ଚିଠି ଲେଖି ଶୀଘ୍ର ସଂପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିବେଦନ କରିଛନ୍ତି ।

ଷ୍ଟେଜ୍‌-ଥ୍ରୀ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ରାଜ୍ୟ ଯୋଗାଇ ଦେଇଛି ଜମି । ତୁରନ୍ତ କାର୍ଯ୍ୟକାରୀ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ । ସବୁ ସରିଛି ହେଲେ ଶୁଣୁନି କେନ୍ଦ୍ର । ସବୁ ଜାଣି ରାଜ୍ୟ ପ୍ରତି ଦୋ ମୁହାଁ ନୀତି କରୁଛି କେନ୍ଦ୍ର । ଏନଟିପିସିର ମନମୁଖୀ କାରବାରରେ କ୍ଷତି ସହିବ ଓଡ଼ିଶା । କେନ୍ଦ୍ର ଓ ଏନଟିପିସିକୁ ନିଦରୁ ଉଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହଙ୍କୁ ଲେଖିଛନ୍ତି ଚିଠି । ଫେବ୍ରୁଆରୀ ୨୦୨୦ରେ ସରକାର ତାଳଚେର ଥର୍ମାଲ ପାୱାର ଷ୍ଟେସନ-ଟିଟିପିଏସର ଷ୍ଟେଜ-ଥ୍ରୀ ସଂପ୍ରସାରଣ ପ୍ରକଳ୍ପକୁ ଅନୁମତି ଦେଇସାରିଛନ୍ତି । କିନ୍ତୁ ଏହାକୁ ଅଧିଗ୍ରହଣ କରିଥିବା ଏନଟିପିସି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଗ୍ରହ ଦେଖାଉନାହିଁ ।

ଅନ୍ୟପଟେ ୨୦୨୧ ମାର୍ଚ୍ଚ ୩୧ରୁ ଟିଟିଏସକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯିବା ନିଷ୍ପତ୍ତି ଆଗୁଆ କାର୍ଯ୍ୟକାରୀ ହୋଇସାରିଲାଣି । ଏପରି ସ୍ଥିତିରେ ହଜାର ହଜାର ଲୋକଙ୍କ ଜୀବନ ଜୀବିକା ଗୁରୁତର ପ୍ରଭାବିତ ହେବା ସହ ସ୍ଥାନୀୟ ଅର୍ଥନୀତି ମଧ୍ୟ ବାଧାପ୍ରାପ୍ତ ହେବ । ତେଣୁ ଯଥାଶୀଘ୍ର ଟିଟିପିଏସ୍‌ ଷ୍ଟେଜ୍‌ ଥ୍ରୀ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନବୀନ ନିବେଦନ କରିଛନ୍ତି । ୨୦୧୦ରୁ ପ୍ରସ୍ତାବ ସହ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିବା ସତ୍ତ୍ୱେ କାହିଁକି ଏନଟିପିସି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରୁନି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପଚାରିବାକୁ କହିଛନ୍ତି । ଆସନ୍ତୁ ଶୁଣିବା କଣ କହୁଛନ୍ତି ସ୍ଥାନୀୟ ବିଧାୟକ ବ୍ରଜ ପ୍ରଧାନ ।

ତାଳଚେର ଥର୍ମାଲ ପାୱାର ଷ୍ଟେସନ । ଦୀର୍ଘ ୫୪ ବର୍ଷରୁ ଅଧିକ ସମୟ ଧରି ରାଜ୍ୟବାସୀଙ୍କୁ ଅବିରତ ବିଜୁଳି ପ୍ରଦାନ କରିଆସୁଛି । ବର୍ତ୍ତମାନ ବନ୍ଦ ହୋଇଯିବା ପରେ ଏ ନେଇ ଉଠିଛି ଝଡ଼ । ସମସ୍ତ ୬ଟି ୟୁନିଟକୁ ବନ୍ଦ କରିଦେବା ଫଳରେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି । ତେବେ ପ୍ରଦୂଷଣ ମଞ୍ଜୁରୀ ଅବଧି ସରିବା ପୂର୍ବରୁ ପ୍ଲାଣ୍ଟ୍‌ ବନ୍ଦ ହୋଇଯିବାକୁ ନେଇ ଉଠିଛି ସାରା ଅଞ୍ଚଳରେ ଅସନ୍ତୋଷର ନିଆଁ । ୧୪ ଶହ ଠିକା କର୍ମଚାରୀଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଵରେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯଦି କେନ୍ଦ୍ର ସରକାର ତୁରନ୍ତ ପ୍ରସ୍ତାବିତ ୧୩୨୦ ମେଗାୱାଟ୍‌ ବିଶିଷ୍ଟ ନୂତନ ପ୍ଲାଣ୍ଟକୁ ତ୍ୱରାନିତ କରିବା ସହ ବର୍ତ୍ତମାନର ପ୍ଲାଣ୍ଟକୁ ଚଳାଇବାକୁ ଶୀଘ୍ର ପଦକ୍ଷେପ ନିଅନ୍ତୁ । ନଚେତ୍‌ ଆନ୍ଦୋଳନ ଓ ଆକ୍ରୋଶକୁ କେହି ଅଟକାଇ ପାରିବେନି ବୋଲି ଆଶଂକା ସୃଷ୍ଟି ହୋଇଛି ।

ବିଶ୍ୱବିଦ୍ୟାଳୟ ପେନ୍‍ସନଧାରୀଙ୍କ ପେନସନ୍‍ ଅଟକିବ ନାହିଁ, ଭିତ୍ତିହୀନ ଆରୋପ ଲଗାଉଛନ୍ତି ଲେଖାଶ୍ରୀ: ବିଜେଡି

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ପେନ୍‍ସନଧାରୀଙ୍କ ପେନସନ୍‍ ଅଟକାଇବା ପାଇଁ ରାଜ୍ୟ ସରକାରଙ୍କ ପତ୍ରରେ କୌଣସି ଉଲ୍ଲେଖ କରଯାଇନାହିଁ । ସେମାନେ ପୂର୍ବଭଳି ପେନ୍‍ସନ ପାଇ ଚାଲିବେ । ପେନ୍‍ସନ୍‍ ପାଇବା ସଂକ୍ରାନ୍ତରେ ବିଜେପି ନେତ୍ରୀ ଯେଉଁ ଆରୋପ ଲଗାଉଛନ୍ତି ତାହା ଭିତ୍ତିହୀନ ଓ କପୋଳ କଳ୍ପିତ । ସରକାରଙ୍କ ବିରୁଦ୍ଧରେ ବିନା କୌଣସି ତଥ୍ୟରେ ମିଥ୍ୟା ଆରୋପ ଲଗାଇବାରେ ଲେଖାଶ୍ରୀ ସିଦ୍ଧହସ୍ତା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ନେତ୍ରୀଙ୍କୁ ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି, ବିଶ୍ୱବିଦ୍ୟାଳୟ ପେନ୍‍ସନଧାରୀମାନଙ୍କ ଲାଇଫ୍‍ ସାର୍ଟିଫିକେଟର ଯାଞ୍ଚ ସେମାନେ ପେନ୍‍ସନ ଉଠାଉଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତିବର୍ଷ କରିଥାନ୍ତି । ଏଭଳି ପେନସନଧାରୀଙ୍କ ପାଇଁ କୌଣସି ଯାଞ୍ଚର ଆବଶ୍ୟକତା ନାହିଁ । ପେନ୍‍ସନଧାରୀମାନେ ଅତି ସହଜରେ ଏ ସଂକ୍ରାନ୍ତରେ ବିଭାଗକୁ ଅବଗତ କରିପାରିବେ । ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା କେବଳ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନଙ୍କ ଲାଇଫ୍‍ ସାର୍ଟିଫିକେଟ ବିଶ୍ୱବିଦ୍ୟାଳୟ ଦ୍ୱାରା ଯାଞ୍ଚ ହୋଇଥାଏ, ବ୍ୟାଙ୍କ୍‍ ଦ୍ୱାରା ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପେନ୍‍ସନଧାରୀମାନଙ୍କ ଯାଞ୍ଚ ପାଇଁ ଭର୍ଚୁଆଲ ବ୍ୟବସ୍ଥା ହୋଇଛି । ଯେଉଁମାନେ ବ୍ୟକ୍ତିଗତ ଭାବେ ଆସିନପାରିବେ ସେମାନେ ଭର୍ଚୁଆଲରେ ଉପସ୍ଥିତ ରହିବେ । ତେବେ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ପେନ୍‍ସନ ଅଟକାଇବା ପାଇଁ ସରକାର କୌଣସି ଠାରେ ଉଲ୍ଲେଖ କରିନାହାନ୍ତି । ପେନ୍‍ସନ ପ୍ରଦାନ ପୂର୍ବଭଳି ଜାରି ରହିବ । ଅନ୍ୟ ପକ୍ଷରେ ଯେଉଁଠାରେ ଯାଞ୍ଚ ବିଫଳ ହେବ ସେଠାରେ ପେନ୍‍ସନ ବନ୍ଦ କିମ୍ବା ଅଟକ ରଖାଯିବ । ସରକାରଙ୍କର ଏହି ନିର୍ଦ୍ଦେଶକୁ ଠିକ୍‍ ଭାବେ ନବୁଝି କେବଳ ରାଜନୀତି କରିବା ପାଇଁ ବିଜେପି ନେତ୍ରୀ ଯେଭଳି କିମ୍ଭୁତ କିମ୍ଭାକାର ଆରୋପ ଲଗାଉଛନ୍ତି ସେଥିରୁ କ୍ଷାନ୍ତ ରହିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

୧୧ ବର୍ଷର ଝିଅ ଦିବ୍ୟା, କ୍ୟାନ୍‌ସର ରୋଗୀଙ୍କ ପାଇଁ କଲେ କେଶ ଦାନ

ଭୁବନେଶ୍ୱର: ଚେହରାର ସୁନ୍ଦରତା ବଢାଏ କେଶ । ସେଥିପାଇଁ ତ କେଶର ଯତ୍ନ ନେବା ପାଇଁ ଅନେକ ଲୋକ ବିଭିନ୍ନ ପନ୍ଥା ଆପଣାଇଥାନ୍ତି । ସ୍ପା ସାଙ୍ଗକୁ ଥେରାପି ବି ନିଅନ୍ତି । ଏଥିପାଇଁ ଅନେକ ଟଙ୍କା ବି ଖର୍ଚ୍ଚ କରନ୍ତି । କିନ୍ତୁ ରାଜଧାନୀର କିଛି ଯୁବତୀ କର୍କଟ ରୋଗୀଙ୍କ ପାଇଁ କେଶ ଦାନ କରି ସଭିଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ଦିବ୍ୟା ଆରାଧ୍ୟା ଦାସ । ବୟସ ମାତ୍ର ୧୧ । ଏହି କୁନି ଝିଅଟି ମନରେ ସମାଜ ପାଇଁ ଅନେକ ଚିନ୍ତା । ଲକଡାଉନ ସମୟରେ ଅନଲାଇନରେ କ୍ୟାନ୍ସର ରୋଗୀଙ୍କ କାହାଣୀ ଦେଖି ବିଚଳିତ ହୋଇପଡିଥିଲେ ଦିବ୍ୟା । କ୍ୟାନ୍ସର ରୋଗୀ ବାରମ୍ବାର କେମୋ ନେବାରୁ ସେମାନଙ୍କର ଚୁଟି ଝଡ଼ିଯାଇଥାଏ । ବାସ୍ ସେହି ସମୟରୁ ନିଜର କେଶ ଦାନ କରିବା ପାଇଁ ନିଷ୍ପତ୍ତି ନେଲେ ଦିବ୍ୟା । ଝିଅର ଏଭଳି ନିଷ୍ପତ୍ତି ମା’ ପ୍ରଜ୍ଞାଙ୍କୁ ବି ଆନ୍ଦୋଳିତ କରିଥିଲା । ତେବେ ଝିଅର ଏହି ମହତ୍ ଉଦ୍ଦେଶ୍ୟ ଦେଖି ସେ ଏଥିପାଇଁ ରାଜି ହୋଇଥିଲେ ।

ଅଭିନୟ ଜଗତରେ ଦର୍ଶକଙ୍କୁ ହସାଉଥିବା ଓ କନ୍ଦାଉଥିବା ଅଭିନେତ୍ରୀ ରାଜେଶ୍ୱରୀ ଜୀବନ ଓ ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି । କ୍ୟାନ୍ସର ଯୋଗୁଁ ରାଜେଶ୍ୱରୀଙ୍କ ଭଳି ଅନେକ ଯୁବତୀ ନିଜର ସୁନ୍ଦର କେଶ ହରାଇବସନ୍ତି । ତେବେ କେଶ ଦାନର ଏହି ପ୍ରୟାସ ଅନେକ କ୍ୟାନ୍ସର ରୋଗୀଙ୍କ ପାଇଁ ବରଦାନ ସଦୃଶ ବୋଲି ସେ କହନ୍ତି । ସେହିପରି ଅମ୍ରିତା ପତି ବି ନିଜ କେଶ ଦାନ କରିବା ସହ ଏହା କ୍ୟାନସର ରୋଗୀଙ୍କ ମୁହଁରେ ହସ ଫୁଟାଇବ ବୋଲି ଆଶା ରଖିଛନ୍ତି । କ୍ୟାନ୍ସରରେ ପୀଡିତ ଥିବା ଅନେକ ଯୁବତୀ ଓ ମହିଳା ମହଙ୍ଗା ଓ୍ୱିଗ୍‌ କିଣିବା ପାଇଁ ଅସମର୍ଥ ହୋଇଥିବା ବେଳେ ମୁମ୍ବାଇ ସ୍ଥିତ ମଦତ୍‌ ଅନୁଷ୍ଠାନ ସେମାନଙ୍କ ପାଇଁ ମାଗଣାରେ ଓ୍ୱିଗ୍‌‌ ଯୋଗାଇଥାଏ । ଏହି କେଶ ସଂଗ୍ରହ ପରେ ମୁମ୍ବାଇ ପଠାଯିବ ।

ଲାଗିଲା ପୋଷ୍ଟର, ମିଳିବ କି ପରିଚୟ ? ପୋଷ୍ଟର କହିବ କଙ୍କାଳ କାହାର..

ଭୁବନେଶ୍ୱର: ଲାଗିଲା ପୋଷ୍ଟର, ମିଳିବ କି ପରିଚୟ? ପୋଷ୍ଟର କହିବ କଙ୍କାଳ କାହାର । ସ୍କେଚ ଉଠାଇବ କି ସସପେନ୍ସ! ଚିହ୍ନା ପକାଇବ କି ଚେହେରା ! ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରୁ ଜବତ ଗାଡିରୁ ମହିଳା କଙ୍କାଳ ମିଳିବା ଘଟଣାରେ ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିଲା କଙ୍କାଳ ସ୍କେଚ୍‌ ପୋଷ୍ଟର । ଏଥିରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ୍ୟ ତଥ୍ୟ ଦିଆଯାଇଛି । ପୂର୍ବରୁ କଙ୍କାଳର ସ୍କେଚ୍‌ ଜାରି କରିଥିଲା ପୋଲିସ୍‌ । ଜାରି ହୋଇଥିବା ପୋଷ୍ଟରରେ, ଗତ ବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ମହିଳା ଜଣଙ୍କ ନିଖୋଜ ହୋଇଥିବା ନେଇ ଅନୁମାନ କରାଯାଉଥିବା ଉଲ୍ଲେଖ ରହିଛି ।

ପୋଷ୍ଟରରେ ତିନିଟି କାଟାଗୋରୀରେ ମହିଳାଙ୍କ ଫଟୋ ଲାଗିଛି । ଗୋଟିଏ ସ୍କେଚ୍ ଫଟୋ ସହ ଆଉ ଦୁଇଟିରେ ମହିଳାଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଛି । ମହିଳା ଜଣକ ଗତବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ନିଖୋଜ ହୋଇଥିବା ପୋଲିସ ଅନୁମାନ କରିଛି । ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ, ଉଚ୍ଚତା ୧୬୪ ସେମି । ମହିଳାଙ୍କ ମୁଣ୍ଡରେ ପ୍ରାୟ ୩୫ ସେମି ଲମ୍ବର କଳା କେଶ ରହିଛି । ମହିଳା ଜଣଙ୍କ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ । ଡାହାଣ ହାତରେ ଚାରିଗୋଟି ଆଲୁମିନିୟମ ଚୁଡି ଓ ଗୋଟିଏ ସବୁଜ ରଙ୍ଗର ଫୁଲ୍ ହାତ ସ୍ୱେଟର ପିନ୍ଧିଥିବା ନେଇ ପୋଷ୍ଟରରେ ସୂଚନା ଦିଆଯାଇଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ବସ୍‌ଷ୍ଟପ୍‌, ମନ୍ଦିର, ପ୍ରମୁଖ ଛକ, ରେଳୱେ ଷ୍ଟେସନ, ଜନଗହଳିପୂର୍ଣ୍ଣ ଛକ, ଯାଁଳା ଫାଣ୍ଡିର ଆଖାପାଖ ଗାଁ, ୧୪ଟି ଥାନା ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ପୋଷ୍ଟର ଲଗାଇଛି ପୋଲିସ । ସେହିଭଳି ଗତ ୩ ମାସରେ ନିଖୋଜ ରିପୋର୍ଟକୁ କ୍ରସ୍‌ ଚେକ୍ କରାଯାଉଛି । ମହିଳାଙ୍କ ବିଷୟରେ ସୂଚନା ଦେଲେ ପରିଚୟ ଗୋପନ ରଖାଯିବ । ଆଗାମୀ ଦିନରେ ପୋଷ୍ଟରମରା ଅଭିଯାନକୁ ପୋଲିସ ଜୋରଦାର କରିବ । ମହିଳାଙ୍କ ବାବଦରେ ତଥ୍ୟ ଦେବାକୁ ପୋଲିସ ନିବେଦନ କରିଛି ।

ଲେଉଟୁଛି କରୋନା-ବଢୁଛି ସଂକ୍ରମଣ; ଶ୍ରୀମନ୍ଦିରରେ କଟକଣା କଡ଼ାକଡ଼ି, ସପ୍ତାହକୁ ଥରେ ହେବ ସାନିଟାଇଜ୍‌

ପୁରୀ: ପୁଣି ଲେଉଟୁଛି କରୋନା । ବଢୁଛି ସଂକ୍ରମଣ ସଂଖ୍ୟା । ସଜାଗ ଶ୍ରୀମନ୍ଦିର ପ୍ରଶାସନ । ରାଜ୍ୟରେ ଏବେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟ ତଥା ରାଜ୍ୟ ବାହାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁରୀ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରୁଛି ପ୍ରଶାସନ । ଭିଡ଼ ନିୟନ୍ତ୍ରଣ ସହ ସତର୍କତା ପାଇଁ ପଦକ୍ଷେପ । ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରଖି ସାନିଟାଇଜ୍‌ କରାଯିବାକୁ ନିଷ୍ପତି ନିଆଯାଇଥିବା ବେଳେ ମାସ୍କ ପରିଧାନ ସହ ହ୍ୟାଣ୍ଡ ସାନିଟାଇଜ୍‌କୁ ଗୁରୁତ୍ୱ ଦିଆଯାଇଛି । ପ୍ରଶାସନର ଏହି ନିଷ୍ପତ୍ତିକୁ ସେବାୟତ ଓ ଭକ୍ତମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି ।

ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମୁଥିବାରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହକୁ ଗୋଟିଏ ଦିନ, ଅପାତତଃ ପ୍ରତି ରବିବାର, ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ କରାଯିବାକୁ ନିଷ୍ପତି ନିଆଯାଇଛି । ଶ୍ରଦ୍ଧାଳୁଙ୍କ ମାସ୍କ ପରିଧାନ, ସାନିଟାଇଜ୍‌ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି ।

ସାମୁହିକ ସ୍ୱାର୍ଥ ପାଇଁ ପ୍ରଶାସନର ଏପରି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସେବାୟତ ଓ ଶ୍ରଦ୍ଧାଳୁ । ଏବେଠାରୁ ସତର୍କ ନହେଲେ ଆଗକୁ ପୂର୍ବଭଳି ସଙ୍ଗୀନ ପରିସ୍ଥିତି ଉପୁଜି ପାରେ ବୋଲି ସେମାନେ ମତ ଦେଇଛନ୍ତି । ଭକ୍ତ ଓ ସେବାୟତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି ।

ନିଆରା ସାଇକେଲ ଧରି ମନୋଜ ବାଣ୍ଟୁଛନ୍ତି ବାପୁଙ୍କ ବାର୍ତ୍ତା

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନକୁ ପୂରିଛି ୧୦୦ ବର୍ଷ । ଅତୀତର ସ୍ମୃତିକୁ ସାଉଁଟିଛି ଓଡିଶା । ରାଜ୍ୟର କୋଣ ଅନୁକୋଣରେ ଆୟୋଜିତ ହେଉଛି ଗାନ୍ଧୀ ସଭା । ଏହି ସମୟରେ ରାଜଧାନୀର ଜଣେ ଯୁବକ ନିଆରା ଢଙ୍ଗରେ ବାପୁଙ୍କୁ ମନେ ପକାଇଛନ୍ତି । ସ୍ୱତନ୍ତ୍ର ଡିଜାଇନର ସାଇକେଲ ଧରି ସହର ଗଲି କନ୍ଦି ବୁଲି ବାଣ୍ଟୁଛନ୍ତି ଶାନ୍ତି ଓ ସଦ୍‌ଭାବନାର ବାର୍ତ୍ତା ।

ରାଜଧାନୀରେ ଗଡୁଛି ନିଆରା ସାଇକେଲ । ସାଇକେଲର ଉଚ୍ଚତା ୫ ଫୁଟ । ସାଇକେଲର ଚେନ ବି ଉପରମୁହାଁ । ସାଇକେଲ ଚଲାଇ ବାପୁଙ୍କ ବାର୍ତ୍ତା ବାଣ୍ଟୁଛନ୍ତି ମନୋଜ । ଗତ କିଛି ଦିନ ହେବ ରାଜଧାନୀରେ ସାଇକେଲିଆଙ୍କ ସଂଖ୍ୟା ବଢିଛି । ଭଳିକି ଭଳି ସାଇକେଲ ଚଲାଇ ଫିଟ୍‌ ରହିବାକୁ ଚେଷ୍ଟା କରୁଛନ୍ତି ଭୁବନେଶ୍ୱରବାସୀ । କିନ୍ତୁ ଏଭଳି ସାଇକେଲ ଆପଣ ବୋଧ ହୁଏ ପୂର୍ବରୁ କେବେ ଦେଖିନଥିବେ । ଯିଏ ଥରେ ଦେଖୁଛି ତା ଆଖି ଲାଖିଯାଉଛି । ସାଇକେଲର ଉଚ୍ଚତା ୫ ଫୁଟ । ଦୁଇଟି ଚକରେ ଗଡୁଥିବା ଏହି ସାଇକେଲରେ ଦୁଇଟି ସାଇକେଲର ଫ୍ରେମ ଲାଗିଛି । ପ୍ୟାଡେଲ ବି ୩ ଫୁଟ ଉପରେ । ଚେନର ଡିଜାଇନ ବି ଭାରି ନିଆରା । ଆଉ ଏହି ସାଇକେଲରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶାନ୍ତି ଓ ସଦଭାବନାର ବାର୍ତ୍ତା ବାଣ୍ଟୁଛନ୍ତି ମନୋଜ ।

ସାଙ୍ଗ ସାଥିଙ୍କ ସହ ମିଶି ଏହି ଡବଲ ଫ୍ରେମର ସାଇକଲେକୁ ତିଆରି କରିଛନ୍ତି ମନୋଜ । ଲକଡାଉନ ସମୟରେ ଦୁଇଟି ପୁରୁଣା ସାଇକେଲ କିଣି ଏହି ସାଇକେଲ ତିଆରି କରାଯାଇଛି । ସାଇକେଲ ଚଢିବା ଓ ଓହ୍ଲାଇବା ବେଳେ ଟିକେ ସମସ୍ୟା ହେଉଥିଲେ ବି ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ପ୍ରୟାସ କରାଯାଇଥିବା ମନୋଜ କହିଛନ୍ତି । ସାଇକେଲ କ୍ୟାରିଅରରେ ମ୍ୟୁଜିକ୍‌ ସିଷ୍ଟମ ଖଞ୍ଜା ଯାଇଥିବା ବେଳେ ବାପୁଙ୍କ ସ୍ମୃତିରେ ବାଜୁଛି ଗୀତ ଓ ଭାରତ ମାତା କି ଜୟ ସ୍ଲୋଗାନ । ମନୋଜଙ୍କର ଏହି ନିଆରା ପ୍ରୟାସକୁ ଅନେକ ପ୍ରଶଂସା କରିଛନ୍ତି ।

ପ୍ରକୃତି କୋଳରେ ଆଦିବାସୀ ପରମ୍ପରା, ଜଙ୍ଗଲକୁ ଜୀବନ ଭାବି ପାଳୁଛନ୍ତି ବାହା ପର୍ବ

କେନ୍ଦୁଝର: ପ୍ରକୃତି କୋଳରେ ଆଦିବାସୀ ପରମ୍ପରା । ଆଦିବାସୀଙ୍କ ନିଆରା ପରମ୍ପରା । ଜଙ୍ଗଲକୁ ଜୀବନ ଭାବି ପାଳୁଛନ୍ତି ବାହା ପର୍ବ । ଜଙ୍ଗଲର ସୁରକ୍ଷା ପାଇଁ ପୁଜାର୍ଚ୍ଚନା କରୁଛନ୍ତି । ଏହା ସହିତ ଘର କାନ୍ଥରେ ରଙ୍ଗ ବେରଙ୍ଗ ଚିତ୍ର ଆଙ୍କି ସୁସଜିତ କରିଛନ୍ତି । ଆଦିବାସୀଙ୍କ ଏଭଳି ପ୍ରକୃତି ପ୍ରେମକୁ ଅତ୍ୟନ୍ତ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।

ଏଭଳି ଦୃଶ୍ୟ ଦେଖିବାରୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକରେ । ଆଦିବାସୀ ଅଧ୍ୟୁଷିତ ନିଆଳିଝରଣ ଗ୍ରାମବାସୀ, ଜଙ୍ଗଲକୁ ମାଆ ଭାବି ପାଳନ କରୁଛନ୍ତି ବାହା ପର୍ବ । ଏଥିପାଇଁ ଗାଁକୁ ନବବଧୂ ପରି ସଜେଇଛନ୍ତି । ଆଉ ଘର କାନ୍ଥରେ ରଙ୍ଗ ବେରଙ୍ଗର ଆଦିବାସୀ ଚିତ୍ର ଆଙ୍କି ପ୍ରକୃତି ପ୍ରତି ନିଆରା ପ୍ରେମକୁ ଉଜ୍ଜିବିତ କରୁଛନ୍ତି ।

ଦୀର୍ଘ ୫ବର୍ଷ ପରେ ନିଆଳିଝରଣ ଗାଁରେ ବାହା ପର୍ବ ଧୁମଧାମରେ ପାଳନ ହେଉଛି । ଆଉ ବିଶ୍ୱ ଶାନ୍ତି ପାଇଁ ଜଙ୍ଗଲକୁ ଫୁଲ ଫଳ, ଛେଳି କୁକୁଡ଼ା ଦେଇ ଶାନ୍ତି କରୁଛନ୍ତି । ବିଶ୍ୱାସ ରହିଛି ପ୍ରକୃତି ଶାନ୍ତି ହେଲେ ବିଶ୍ୱ ଶାନ୍ତି ହେବ । ଆଦିବାସୀଙ୍କ ବିଶ୍ୱାସ ଓ ପରମ୍ପରାକୁ ନେଇ ବଞ୍ଚିଛି ଏହି ପର୍ବ । ଜଙ୍ଗଲକୁ ନିଜର ମା ଭାବୁଥିବା ଏହି ଆଦିବାସୀ ମାନେ ପୂଜାର୍ଚ୍ଚନା ଦ୍ୱାରା ପ୍ରକୃତିକୁ ଶାନ୍ତି କରିବାକୁ ପ୍ରୟାସ କରୁଛନ୍ତି ।

କଟକଣା କଡ଼ାକଡ଼ି କରୁଛନ୍ତି ସରକାର, ହେଲେ ଏଠି ଲୋକଙ୍କୁ ପରଓ୍ୱା ନାହିଁ !

ଜଗତସିଂହପୁର: କଡ଼ ଲେଉଟାଉଛି କରୋନା । ମହାମାରୀ କରୋନା ଭୂତାଣୁଠାରୁ ରକ୍ଷା ପାଇବା ପାଇଁ ପୁଣି ଥରେ ନିୟମ କଡ଼ାକଡ଼ି ହୋଇଛି । ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଆଦିକୁ ଗୁରୁତ୍ୱ ଦିଆଯାଉଛି । ହେଲେ ଜଗତସିଂହପୁର ଜିଲ୍ଲାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସବୁଠି ଖୋଲା ମେଲା । ଯେଉଁଠି ଦେଖିବେ ଜନଗହଳୀ । ବସ୍‌ଷ୍ଟାଣ୍ଡ, ବସ ଭିତରେ, ମେଡିକାଲରେ ନିୟମକୁ ଫୁ କରି ବିନା ମାସ୍କରେ ଲୋକେ ବୁଲା ବୁଲି କରୁଥିବା ଦେଖିବା ମିଳିଛି । କରୋନା କଟକଣାକୁ ସବୁ ସ୍ଥାନରେ ବେଖାତିର୍ । ଯାହାକୁ ନେଇ ଚିନ୍ତାରେ ଡାକ୍ତର, ବୁଦ୍ଧିଜୀବୀ ଓ ସମାଜସେବୀ ।

ଏପଟେ କରୋନା କଡ ଲେଉଟାଉଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏପରି ଦୃଶ୍ୟ ସମସ୍ତଙ୍କୁ ବିବ୍ରତ କରିଛି । ରାଜ୍ୟ ସରକାର ଭୂତାଣୁକୁ ମାତ୍ ଦେବା ପାଇଁ କଟକଣାକୁ କଡାକଡ଼ି କରିବା ସହ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ୍ ।

ଜଗତସିଂହପୁର ଜିଲ୍ଲାର ସଦର, ବାଲିକୁଦା, ବିରିଡି, ନାଉଗାଁ, ତିର୍ତ୍ତୋଲ, ରଘୁନାଥପୁର, ଏରସମା, କୁଜଙ୍ଗ ଓ ପାରାଦ୍ୱୀପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଲୋକଙ୍କୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ପାଇଁ କୁହାଯାଉଛି । ସେପଟେ କିନ୍ତୁ କିଛି ଦିନର ବ୍ୟବଧାନ ପରେ ଜିଲ୍ଲାରେ ପୁଣି ମୁଣ୍ଡ ଟେକିଛି କରୋନା । ଆଉ ତିନୋଟି ପଜିଟିଭ୍ କେସ୍ ଚିହ୍ନଟ ସମସ୍ତଙ୍କୁ ଆତଙ୍କିତ କରିଛି ।

ମନରେଗା ଯୋଜନାରେ ଦୁର୍ନୀତି, ବିନା ସୂଚନା ଫଳକରେ ଚାଲିଛି ପୋଖରୀ ଖୋଳା କାମ

ସାଲେପୁର: ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ । ବିନା ସୂଚନା ଫଳକରେ ଚାଲିଛି ପୋଖରୀ ଖୋଳା କାମ । ମଣିଷ ବଦଳରେ ମେସିନ୍ ଖୋଳୁଛି ପୋଖରୀ । ଯାହାକୁ ନେଇ ଗ୍ରାମବାସୀ ଆପତ୍ତି ଉଠାଇଥିବା ବେଳେ ଆର୍‌ଟିଆଇ ତଥ୍ୟ ଦୁର୍ନୀତିର ଆଉ ଏକ ଚେର ଖୋଲି ଦେଇଛି ।

ଆରଟିଆଇ ତଥ୍ୟରେ କାମ ପୂର୍ବରୁ ବିଲ୍ ହୋଇଥିବା ଦେଖାଯାଇଛି । ଏଭଳି ଦୁର୍ନୀତିର ସଙ୍ଗୀନ ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ ପୁରୁଣା ହାଟ ପଞ୍ଚାୟତ କାଳିକାପୁର ଗାଁରୁ । ମନରେଗା ଯୋଜନାରେ ଗାଁରେ ପୋଖରୀ ଖୋଳା ଯାଉଥିବା ବେଳେ ଏହାକୁ କିନ୍ତୁ ମଣିଷ ବଦଳରେ ମେସିନ୍ ଖୋଳୁଛନ୍ତି । ତାହା ବି ପୁଣି ବିନା ସୂଚନା ଫଳକରେ । ଯାହାକୁ ନେଇ ଦୁର୍ନୀତିର ଗନ୍ଧ ବାରିଛନ୍ତି ଗ୍ରାମବାସୀ ।

ସବୁଠୁ ରୋଚକ କଥା ହେଲେ ପୋଖରୀ ଖୋଳା ବାବଦରେ ଗାଁର ଓ୍ବାର୍ଡ ମେମ୍ବର କିଛି ଜାଣିନାହିଁନ୍ତି । ସେପଟେ ସୂଚନା ଅଧିକାର ଆଇନ ଦୁର୍ନୀତିର ଆଉ ଏକ ଚେରକୁ ଖୋଲି ଦେଇଛି । ପୋଖରୀ ଖୋଳା ସମ୍ପୂର୍ଣ୍ଣ ହୋଇନଥିଲେ ମଧ୍ୟ ୨୦୨୦ ଅକ୍ଟୋବର ମାସରୁ ୪ ଲକ୍ଷ ୭୦ ହଜାର ଟଙ୍କା ବିଲ୍ ହୋଇଥିବା ଜଣାପଡିଛି । ଏବାବଦରେ ଅତିରିକ୍ତ ବିଡିଓ କିଛି କହିନଥିବା ବେଳେ ଆସିଷ୍ଟାଣ୍ଡ ଏନଆରଜିଏସ୍‌ ଅଧିକାରୀ, ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି । କାଳିକାପୁରରେ ପୋଖରୀ ଖୋଳାରେ ଦୁର୍ନୀତି ସାମ୍ନାକୁ ଆସଥିବା ବେଳେ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

ନବରଙ୍ଗପୁରକୁ ଫେରିଲା ନାଇଟ କର୍ଫ୍ୟୁ, ରାତି ୮ରୁ ସକାଳ ୬ ଟା ଯାଏଁ ବଳବତ୍ତର ରହିବ କଟକଣା

ନବରଙ୍ଗପୁର: ଗୁରୁବାର ଠାରୁ ନବରଙ୍ଗପୁର ଜିଲ୍ଲାରେ ପୁଣି ନାଇଟ କର୍ଫ୍ୟୁ । ଜାରିହେଲା ରାତ୍ରୀ କାଳିନ କର୍ଫ୍ୟୁ ନିର୍ଦେଶ । ରାଜ୍ୟରେ ପୁନର୍ବାର କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଛି ଏହି ନିଷ୍ପତ୍ତି ।

ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରାତି 8ରୁ ସକାଳ 6 ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ । କରୋନାର ଦ୍ବିତୀୟ ଲହରକୁ ଦେଖି ଜିଲ୍ଲା ପ୍ରଶାସନର ଆଗୁଆ ନିଷ୍ପତ୍ତି । ସେପଟେ ଯଦି ସାଧାରଣ ଲୋକେ କୋଭିଡ଼ -19 କୁ ଖିଲାପ କରନ୍ତି କିମ୍ବା କର୍ଫ୍ୟୁ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।