spot_img
Home Blog Page 5845

ଅଲୋଡ଼ା କରିଦେଲେ ସମ୍ପର୍କୀୟ, ବାପାଙ୍କ ଶବକୁ କାନ୍ଧ ଦେଲେ ୩ ଝିଅ

ମହାକାଳପଡ଼ା: ମୃତଦେହକୁ ଶ୍ମଶାନକୁ ନେବା ପାଇଁ ୪ କାନ୍ଧ ଲୋଡ଼ା। ହେଲେ ଏଠି ୩ କାନ୍ଧରେ ହେଲା ଶେଷ ଯାତ୍ରା। ଆଖିରୁ ଝରୁଥିଲା ଲୁହ ଆଉ ମୁହଁରୁ ଶୁଭୁଥିଲା ରାମନାମ ସତ୍ୟ ହେ। ନାରୀଙ୍କୁ ଶ୍ମଶାନକୁ ଯିବା ପାଇଁ ବାରଣ। ହେଲେ ଏଠି ଘନ ଅନ୍ଧାରରେ ୩ ଝିଅଙ୍କ କାନ୍ଧରେ ହେଲା ଶେଷ ଶୋଭାଯାତ୍ରା। ରାତି ଦେଖିଲା ଯେଉଁଠି ସମ୍ପର୍କୀୟ ଅଲୋଡ଼ା ହୁଅନ୍ତି ସେଠି ପରମ୍ପରାକୁ ଜଳାଞ୍ଜଳି ଦେବାକୁ ପଡ଼େ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ତେରଗାଁ ରେ।

ସୂଚନା ଅନୁଯାୟୀ ମୃତକ ଜଣକ ହେଉଛନ୍ତି ଶ୍ରୀଧର ବେହେରା। ପ୍ରଥମେ ଜଣ୍ଡିସ ଏବଂ ପରେ କିଡନି କର୍କଟରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କର ହଠାତ ମୃତ୍ୟୁ ହୋଇଥିଲା। ପାରିବାରିକ କଳହ ଯୋଗୁଁ ଶ୍ରୀଧରଙ୍କ ଘର ବାହାରେ ୧୨ ଘଣ୍ଟା ପଡ଼ିରହିଲା ଶବ। ନା କେହି ଶବ ଉଠାଇବା ପାଇଁ ଆସିଲେ ନା କେହି ଆହା ପଦେ କହିଲେ। ହେଲେ କେହି ଆସିଲେନି ବୋଲି କ’ଣ ବାପାଙ୍କ ଶବ ବାସୀ ହୋଇ ରହିଯିବ। ସବୁ କଷ୍ଟକୁ ସାମର୍ଥ୍ୟ କରି ବାପାଙ୍କ ଶବକୁ ମଶାଣିକୁ କାନ୍ଧେଇ ନେଲେ ୩ ଝିଅ। ବିଳମ୍ବିତ ରାତିରେ ହେଲା ଶେଷକୃତ୍ୟ।

ଆଉ ଏବେ ଆଖିରେ ଲୁହ ଅଟକୁନି। ବାପା ଚାଲିଯାଇଛନ୍ତି ହେଲେ ପ୍ରେସ୍କ୍ୟୁସନରୁ ବାପାକୁ ଖୋଜିବାକୁ ଚେଷ୍ଟା କରୁଛି ଝିଅ। ଅଭାବି ଦୁନିଆରେ ସାହାରା ପାଲଟିଥିବା ବାଦଲ ଆଜି ଏଡ଼େଇ ଯାଇଛି। ଯେଉଁଠି ଆଗତ ଭବିଷ୍ୟତ ପାଇଁ ଚିନ୍ତା ଲାଗୁନଥିଲା ସେଠି ଆଜି ସବୁ ଅସମ୍ଭବ ବୋଲି ଲାଗୁଛି। ଜଳ ଜଳ ଦିଶୁଥିବା ରାସ୍ତା ଆଜି ଘନ ଅନ୍ଧାର। ବାପାଙ୍କ ଚିକିତ୍ସାରେ ସବୁ ଅର୍ଥ ଖର୍ଚ୍ଚ ହୋଇଗଲା। ଏବେ ବାପାଙ୍କର ଶୁଦ୍ଧିକ୍ରିୟା କିପରି କରାଯିବ ସେନେଇ ଚିନ୍ତାରେ ସାରା ପରିବାର। ପରିବାର କହିଲେ ଏବେ ମାଆ, ବଡ଼ଝିଅ ପୂଜା,ମଝିଆ ଝିଅ ରୋଜା, ସାନଝିଅ ଲକ୍ଷ୍ମୀ। ଶୁଦ୍ଧିକ୍ରିୟା ପାଇଁ ସରକାରଙ୍କ ସହାୟତା ଆବଶ୍ୟକ ବୋଲି କହିଛି ସାନ ଝିଅ। ସେପଟେ ଏନେଇ ସାହାଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସରକାରୀ ଅଧିକାରୀ।

ଅସମୟରେ ଶ୍ରୀଧରଙ୍କ ବିୟୋଗ ସମସ୍ତଙ୍କୁ ଅନ୍ଧାରକୁ ଠେଲି ଦେଇଛି। ବର୍ତ୍ତମାନ ପରିବାର କେମିତି ଚଳିବ। ବଡ଼ଝିଅ +୩ରେ ପଢ଼ୁଥିବା ବେଳେ, ମଝିଆ ଝିଅ +୨ ଓ ସାନଝିଅ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେବେ। ପାଠ ପଢ଼ାରେ ଡ଼ୋରି ଲାଗିବା ପୂର୍ବରୁ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ସାନ ଝିଅ। ଅପରପକ୍ଷରେ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଶୁଦ୍ଧିକ୍ରିୟା ଓ ପିଲାମାନଙ୍କର ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।

ଗୋଟିଏ ପଟେ ଅସହାୟ ପରିବାର ଓ ଅନ୍ୟପଟେ ଆର୍ଥିକ ସାହାଯ୍ୟର ଆବଶ୍ୟକତା ଥିବା ବେଳେ ପ୍ରଶାସନ ଏମାନଙ୍କୁ କିପରି ସହଯୋଗ କରୁଛି ତାହାକୁ ସମସ୍ତଙ୍କ ଅପେକ୍ଷା।

 

 

ରିଲିଜ୍ ହେଲା କଙ୍ଗନାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଥଲାଇଭି’ର ଟ୍ରେଲର୍

ଆଜି ବଲିଉଡ କ୍ୱିନ୍ କଙ୍ଗନା ରଣାୱତଙ୍କ ଜନ୍ମଦିନ। ଏଥର କଙ୍ଗନାଙ୍କ ଜନ୍ମଦିନ ତାଙ୍କ ପାଇଁ ଓ ତାଙ୍କ ଫ୍ୟାନ ମାନଙ୍କ ପାଇଁ ବେଶ୍ ଖାସ୍ ରହିଛି । ଠିକ୍ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ପ୍ରଥମେ ତାଙ୍କୁ ଫିଲ୍ମ ମଣିକର୍ଣ୍ଣିକା ଓ ପଙ୍ଗା ପାଇଁ ମିଳିଲା ଜାତୀୟ ପୁରଷ୍କାର। ଆଉ ଏହାପରେ ଜୟଲଲିତାର ଟ୍ରେଲର ଆଉ  ତା ସହ ଅପକମିଂ ଫିଲ୍ମ ତେଜସର ଫାଷ୍ଟ ଲୁକ୍ ରିଲିଜ୍।

ଆଜି ବହୁ ପ୍ରତିକ୍ଷିତ ଫିଲ୍ମ ଥଲାଇଭିର ଟ୍ରେଲର ରିଲିଜ ହୋଇଯାଇଛି। ଯେଉଁଥରେ ତମିଲନାଡ଼ୁର ଦିବଗନ୍ତ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ଭୂମିକାରେ କଙ୍ଗନା ବେଶ୍ ଜବରଦସ୍ତ ଲାଗୁଛନ୍ତି । ଟ୍ରେଲରଟି ଏବେ ସୋଶାଲ ମିଡିଆରେ ଟ୍ରେଣ୍ଟ କରୁଛି । ଟ୍ରେଲରରେ କଙ୍ଗନାଙ୍କର ଏକ ଜବରଦସ୍ତ ଅନ୍ଦାଜ ସାମାନାକୁ ଆସିଛି। ଯାହାକୁ ଦେଖି ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉର୍ସାହ ଆହୁରି ବଢ଼ିଯାଇଛି।

କଙ୍ଗନାଙ୍କ ଜନ୍ମଦିନରେ ଫିଲ୍ମର ଟ୍ରେଲର୍ ରିଲିଜ୍ ତାଙ୍କ ଫ୍ୟାନମାନଙ୍କ ପାଇଁ ନିଶ୍ଚିତ ଏକ ବଡ଼ ଉପହାର। ଟ୍ରେଲର ଆରମ୍ଭ ଜୟଲଲିତାଙ୍କ ଫିଲ୍ମି କ୍ୟାରିୟରରୁ ହୋଇଛି । ଏହାପରେ ଆରମ୍ଭ ହୋଇଛି ତାଙ୍କ ରାଜନୈତିକ ଯାତ୍ରା । ଏଥିରେ ସେ କିଭଳି ଏକ ପୁରୁଷ ପ୍ରାଧାନ୍ୟ ସମାଜରେ ନିଜର ପରିଚୟ ବନାଇଥିଲେ ଆଉ ସମସ୍ତ ରାଜ୍ୟବାସୀଙ୍କ ପାଇଁ ଆମ୍ମା ହୋଇଯାଇଥିଲେ ତାହା ଦେଖିବାକୁ ମିଳିଛି । ଟ୍ରେଲର ଜୟାଲୀତାଙ୍କ ସହ ଗୃହରେ ଦୁର୍ବ୍ୟବହାର କରାଯାଇଥିବା ଘଟଣାବା ଦେଖିବାକୁ ମିଳିଛି । ଏହି ଘଟଣା ତାଙ୍କ ଆତ୍ମସମ୍ମାନ ଉପରେ ଏତେ ପ୍ରଭାବ ପକାଇଥିଲା ଯେ ଏହା ପରେ ସେ ଆଉ କେବେ ପଛକୁ ବୁଲି ଚାହିଁନଥିଲେ । ଏହା ପରେ ହିଁ ଆରମ୍ଭ ହୋଇଥିଲା ଜୟଲଲୀତାଙ୍କ ଅସଲ ରାଜନୈତୀକ ଜୀବନ।

ଫିଲ୍ମରେ କଙ୍ଗନା ଜୟାଲଳିତାଙ୍କର ଦମଦାର ବ୍ୟକ୍ତିତ୍ୱକୁ ଲୋକଙ୍କ ସାମ୍ନାକୁ ଆଣିଛନ୍ତି। ଏଥିରେ କଙ୍ଗନାଙ୍କ ଚାଲି ଚଳନ କଥାବାର୍ତ୍ତାଠୁ ଆରମ୍ଭ କରି ତାଙ୍କ  ଲୁକ୍ ବି ଅବିକଳ ଜୟାଲଲୀତାଙ୍କ ଭଳି ରହିଛି । ବିଶେଷକରି ଫିଲ୍ମର ଚମତ୍କାର ଡାଇଲଗ୍ ଗୁଡ଼ିକ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି ।  ଏହି ଫିଲ୍ମ ପାଇଁ କଙ୍ଗନା ବହୁତ ପରିଶ୍ରମ କରିଛନ୍ତି । ଏପରିକି ଜୟଲଲୀତାଙ୍କ ଭୂମିକାରେ ନିଜକୁ ଫିଟ୍ କରିବା ପାଇଁ ସେ ନିଜ ଶରୀରରେ ବି ବଡ଼ ପରିବର୍ତ୍ତନ କରିଥିଲେ । ସେ ଥରେ ୨୦ କିଲୋ ଓଜନ ବଢାଇ ପୁଣି ତାକୁ କିଛି ଦିନ ଭିତରେ କମ୍ କରିଛନ୍ତି। ଯାହାକି ଅସଲ ଜୀବନରେ ଏକ ବଡ଼ ଚ୍ୟାଲେଞ୍ଜ । ଏହି ଫିଲ୍ମଟିକୁ ଏଏଲ୍ ବିଜୟ ନିର୍ଦ୍ଦେଶନା ଦେଇଛନ୍ତି । ଯାହାକି ଏପ୍ରିଲ ୨୩ରେ ରିଲିଜ ହେବ । ଜୟାଲଲିତାଙ୍କ ଏହି ବାୟୋପିକରେ ଦର୍ଶକ ତାଙ୍କର ସଂଘର୍ଷଂୟ ଫିଲ୍ମି କ୍ୟାରିୟରଠୁ ଆରମ୍ଭ କରି ଦେଶର ଜଣେ ପ୍ରଭାବଶାଳୀ ନେତା ହେବା ପର୍ଯ୍ୟନ୍ତର ଯାତ୍ରା ଦେଖିବାକୁ ପାଇବେ। ଫିଲ୍ମରେ କଙ୍ଗନାଙ୍କୁ ଦେଖିବା ପାଇଁ ଦର୍ଶକ ବେଶ୍ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

 

ଅନୀଲ ଦେଶମୁଖଙ୍କ କ୍ୱାରେଣ୍ଟାଇନ୍ ନେଇ ମିଥ୍ୟା ଖବର ଦିଆଯାଇଥିଲା: ଶରଦ ପାୱାର

ମୁମ୍ବାଇ: ଶହେ କୋଟି ବଟି ଆଦାୟ ମାମଲାକୁ ନେଇ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । ଆଜି ଏକ ପ୍ରେସ୍ କନଫରେନ୍ସ କରି ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାବିସ । ମହାରାଷ୍ଟ୍ରରେ ବଡ଼ ବଡ଼ ପୋଷ୍ଟରେ ଅଫିସରଙ୍କ ନିଯୁକ୍ତି ପାଇଁ ଲାଞ୍ଚ ଦିଆନିଆ ହୁଏ । ଏଥିପାଇଁ ମହାରାଷ୍ଟ୍ରରେ ଏକ ବଡ଼ ରାକେଟ ଚାଲିଛି । ଏହାର ଖୁଲାସା କରିଥିବା ଅଫିସରଙ୍କ ବିରୋଧରେ ଉଦ୍ଧବ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବୋଲି ଫଡନାବିସ କହିଛନ୍ତି ।

ଏହି ରାକେଟର ଖୁଲାସା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବେ ବୋଲି ଫଡନାବିସ କହିଛନ୍ତି । ଏହାଛଡ଼ା ଏନସିପି ନେତା ଶରଦ ପାଓ୍ବାରଙ୍କୁ ଭୁଲ୍ ତଥ୍ୟ ଦିଆଯାଇ ଖବରଦାତା ସମ୍ମିଳନୀ କରିବାକୁ କୁହାଯାଇଥିଲା । ୧୫ରୁ ୨୪ ଫେବୃୟାରୀ ପର୍ଯ୍ୟନ୍ତ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କ୍ୱାରେଣ୍ଟାଇନରେ ରହି ନ ଥିବା ପ୍ରମାଣ ପୋଲିସ ପାଖରେ ରହିଛି । ୧୫ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ତାଙ୍କର ଆଇସୋଲେସନ ପିରିୟଡ ଚାଲିଥିଲା ।

Kangna With Sarad Pawar

ମୁମ୍ବାଇ ପୋଲିସର ପୂର୍ବତନ କମିଶସନ ପରମବୀର ସିଂ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଆଣିଥିବା ଅଭିଯୋଗର ପ୍ରମାଣ ମଧ୍ୟ ରହିଛି ବୋଲି ଫଡନାବିଶ କହିନ୍ତି । ସେପଟେ ପରମବୀର ସିଂ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ଏନସିପି ପ୍ରବକ୍ତା ନୱାବ ମଲ୍ଲିକ । ମିଛ ଅଭିଯୋଗରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନୀଲ ଦେଶମୁଖ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି ନୱାବ କହିଛନ୍ତି । ଏହାଛଡ଼ା ଇସ୍ତଫା ଦାବି କରିବା ପାଇଁ ବିଜେପିର ନୈତିକ ଅଧିକାର ନାହିଁ ।

ଅନ୍ୟପଟେ ଯେବେଠୁ ପରମବୀର ସିଂଙ୍କ ବିରେରାଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେବେଠୁ ସେ ଅଯଥା ଅଭିଯୋଗ ଆଣୁଛନ୍ତି । ସେ ଦିଲ୍ଲୀ ଯାଇ କେଉଁମାନଙ୍କ ସହ ଦେଖା କରିଛନ୍ତି, ତାହା ସମୟ ଆସିଲେ କୁହାଯିବ ବୋଲି ନୱାବ କହିଛନ୍ତି ।

କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍…

ନୂଆଦିଲ୍ଲୀ: କ୍ରମାଗତ ଭାବେ ସୁନା ଦର କମିବାରେ ଲାଗିଛି । ମଙ୍ଗଳବାର ଦିନ ପୁଣିଥରେ ଦାମ୍ ଖସିଛି । ଗୁଡ ରିଟର୍ନ ଅନୁସାରେ ଆଜି ୨୨ କ୍ୟାରେଟ ସୁନାର ପ୍ରତିଗ୍ରାମ୍ ଦାମ୍ ୧୨ ଟଙ୍କାକୁ ଖସିଛି । ଯାହା ଫଳରେ ୧୦ ଗ୍ରାମ୍ ସୁନା ଦର ୪୩ ହଜାର ୮୦୦ରେ ପହଞ୍ଚିଛି । ଯେତେବେଳେକି ସୋମବାର ଦିନ ଏହାର ଦାମ୍ ୪୩ ହଜାର ୯୨୦ ରହିଥିଲା ।

ସେହିପରି ଯଦି ୨୪ କ୍ୟାରେଟର କଥା କହିବା ତାହେଲେ ୧୦ ଗ୍ରାମ୍ ପ୍ରତି ରେଟ୍ ୧୨୦ ଟଙ୍କା କମିଛି । ଯାହା ପରେ ଏହାର ମୂଲ୍ୟ ୪୪ ହଜାର ୮୦୦ ରହିଥିବା ବେଳେ ଗତକାଲି (ମାର୍ଚ୍ଚ ୨୨) ଏହାର ଦାମ୍ ୪୪ ହଜାର ୯୨୦ ରହିଥିଲା ।

ତେବେ ପ୍ରମୁଖ ମହାନଗର ମଧ୍ୟରେ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ରେଟ୍ ୧୦ ଗ୍ରାମ୍ ପ୍ରତି ୪୪ ହଜାର ୨୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୮ ହଜାର ୨୨୦ ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ରେଟ୍ ୧୦ ଗ୍ରାମ୍ ପ୍ରତି ୪୩ ହଜାର ୮୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୪ ହଜାର ୮୦୦ ରହିଛି ।

From peak of Rs 56,000 in August, gold plunges to near Rs 43,000

ସେହିପରି ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ରେଟ୍ ୧୦ ଗ୍ରାମ୍ ପ୍ରତି ୪୨ ହଜାର ୧୨୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୫ ହଜାର ୯୫୦ ରହିଛି । କୋଲକାତାରେ ୨୨ କ୍ୟାରେଟ୍ ସୁନା ରେଟ୍ ୧୦ ଗ୍ରାମ୍ ପ୍ରତି ୪୪ ହଜାର ୫୪୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୭ ହଜାର ୨୧୦ ରହିଛି ।

ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ମିଳିବ ୧୫ % ସଂରକ୍ଷଣ, ବିଧାନସଭାରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ପାଇଁ ସଂରକ୍ଷଣ । ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଏଣିକି ମିଳିବ ୧୫ % ସଂରକ୍ଷଣ । ବିଧାନସଭାରେ ଏନେଇ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା । ସଂରକ୍ଷଣ ପାଇଁ କ୍ୟାବିନେଟରେ ଆସିଥିଲା ପ୍ରସ୍ତାବ ।

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ଏହି କମିଟିର ଆଜି ବିଧାନସଭାରେ ରିପୋର୍ଟ ପ୍ରଦାନ କରିଥିଲା । ଏହା ଉପରେ ସଙ୍କଳ୍ପ କରାଯାଇ ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଏଣିକି ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ନୀତି ଲାଗୁ ହେବ ବୋଲି ସଙ୍କଳ୍ପ ପାରିତ ହୋଇଛି ।

‘ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶା ଏକ ବିଶେଷ ସ୍ଥାନ ଅଧିକାର କରିଥିଲା’- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶା ଏକ ବିଶେଷ ସ୍ଥାନ ଅଧିକାର କରିଥିଲା । ମହାତ୍ମା ଆଠଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ତାଙ୍କର ଓଡ଼ିଶା ଗସ୍ତର ଶହେ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭା ତାଙ୍କୁ ସ୍ମରଣ କରୁଛି । ୨୩ ମାର୍ଚ୍ଚ ୧୯୨୧ରେ ସେ ଓଡ଼ିଶା ଆସିଥିବାର ସ୍ମୃତିଚାରଣ କରି ସେ ଖୁବ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପଦଯାତ୍ରା କରି ଗାନ୍ଧୀଜୀ ଓଡିଶାର ଲୋକଙ୍କ ହୃଦୟର ଅତି ନିକଟତର ହୋଇପାରିଥିଲେ । ତାଙ୍କର ଏହି ଗସ୍ତ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଦେବା ବ୍ୟତୀତ ବିଭିନ୍ନ ସାମାଜିକ ସମସ୍ୟା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ମତ ରଖିଛନ୍ତି । ବିଶ୍ୱକୁ ଗାନ୍ଧୀ ଦର୍ଶନ ଏବଂ ତାଙ୍କ ବାର୍ତ୍ତା ଭାରତର ବିଶେଷ ଅବଦାନ ।

ଦେଶ ଏବେ ମହାମାରୀ କରୋନାରୁ ମୁକୁଳିବାକୁ ସଂଗ୍ରାମ ଚଳାଇଛି । ତେବେ ଗାନ୍ଧୀଜୀଙ୍କ ନୀତି ଅନୁସାରେ ଯଦି ଜନସଂଖ୍ୟାର ବଡ଼ ଭାଗ ଦାରିଦ୍ର୍ୟ ତଥା ଦୁର୍ବଳତା ଭିତରେ ବସବାସ କରନ୍ତି ତେବେ ଧନ ଏବଂ ଅଭିବୃଦ୍ଧିର କୌଣସି ମୂଲ୍ୟ ନାହିଁ । ବ୍ୟକ୍ତିଗତ ଲୋଭରୁ ଦୂରେଇ ରହିବା ଏବଂ ସମ୍ପ୍ରଦାୟ ବିଷୟରେ ଭାବିବା ପାଇଁ ତାଙ୍କର ବାର୍ତ୍ତା ଏବେ ବି ଆବଶ୍ୟକ କରୁଛି । ବିଶ୍ୱରେ ବିଭାଜନ ବୃଦ୍ଧି ପାଉଥିବାରୁ ମହାତ୍ମାଙ୍କ ଅହିଂସା ଅସ୍ତ୍ର ଆଜି ବି ଜରୁରୀ ହୋଇପଡିଛି । ଅହିଂସ ପ୍ରତିରୋଧ ହେଉଛି ଏକ ସ୍ପାର୍କ ଯାହା ସାରା ବିଶ୍ୱରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପ୍ରଜ୍ୱଳିତ କରିଛି ବୋଲି ନବୀନ କହିଛନ୍ତି ।

ଭୁଲରେ ବି ଗୁଗୁଲରେ ଏସବୁ କରନ୍ତୁ ନାହିଁ ସର୍ଚ୍ଚ, ନହେଲେ…

ବର୍ତ୍ତମାନ ଚାଲିଛି ଡିଜିଟାଲ ଯୁଗ । ପ୍ରାୟ ସମସ୍ତେ ଏବେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଆଜିର ଯୁଗରେ ଯେତେବେଳେ ବି ଆମକୁ କିଛି ସୂଚନା ଆବଶ୍ୟକ ହୁଏ ଆମେ କେବଳ ଗୁଗୁଲ୍ ସର୍ଚ୍ଚ ଉପରେ ନିର୍ଭର କରୁ। ସେ କୌଣସି ଠିକଣା ହେଉ, ଇତିହାସ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ହେଉ କିମ୍ବା କୌଣସି ଫିଲ୍ନ ବି ହେଉନା କାହିଁକି । ସବୁ କିଛି ଆମକୁ ଗୁଗୁଲରେ ମିଳିଯାଏ। ବର୍ତ୍ତମାନର ଲାଇଫ ଷ୍ଟାଇଲେ ଗୁଗୁଲ୍ ସର୍ଚ୍ଚ ଆମର ସବୁଠୁ ଭଳ ବନ୍ଧୁ। ହେଲେ କେବଳ ଗୁଗୁଲ୍ ସର୍ଚ୍ଚ ଉପରେ ନିର୍ଭର କରିବା ଆପଣଙ୍କୁ ବେଳେବେଳେ ଅସୁବିଧାରେ ବି ପକାଇପାରେ । କାରଣ ଗୁଗୁଲରେ ଆପଣ ପାଇଥିବା ଅଧିକାଂଶ ସୂଚନା ଯାଞ୍ଚ କରାଯାଏ ନାହିଁ । ଆଉ ସାଇବର ଠକମାନେ ଏହାର ଫାଇଦା ଉଠାନ୍ତି। ଗୁଗୁଲରେ ମିଳୁଥିବା ବିଷୟବସ୍ତୁର ସତ୍ୟତା ଯାଞ୍ଚ କରିବା କଷ୍ଟକର । କାରଣ ଗୁଗୁଲ ସର୍ଚ୍ଚ କେବଳ ଏକ ଅନଲାଇନ୍ ପ୍ଲାଟଫର୍ମ ଯେଉଁଠାରେ ଆପଣ ୱେବସାଇଟ୍ ଖୋଜନ୍ତି ଯାହା ଆପଣଙ୍କୁ ଆବଶ୍ୟକ କରୁଥିବା ସୂଚନା ପ୍ରଦାନ କରିଥାଏ। ବିଷୟବସ୍ତୁଠାରୁ ଅଧିକ, ଗୁଗୁଲ୍ ସର୍ଚ୍ଚରେ ଆପଣ କେଉଁ ଫଳାଫଳ ଦେଖିବାକୁ ପାଇବେ ଏହା ପଛରେ SEO ବା ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେଶନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଗୁଗୁଲ ସର୍ଚ୍ଚର ରେଜଲ୍ଟ ଉପରେ ସମ୍ପୂର୍ଣ୍ଣ ଭରୋସା କରନ୍ତୁ ନାହିଁ । ତେବେ ଆପଣ ଯଦି ଗୁଗୁଲ ସର୍ଚ୍ଚ କରି ସବୁ ସୂଚନା ପାଉଛନ୍ତି ତେବେ ସର୍ଚ୍ଚ ସମୟରେ ଏହି  ୮ଟି ଜିନିଷ ପ୍ରତି ବହୁତ ସତର୍କ ରୁହନ୍ତୁ ।

୧)  କଷ୍ଟମର କେୟାର ନମ୍ବର: ଗୁଗୁଲରେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କଲାବେଳେ ସତର୍କ ରୁହନ୍ତୁ। ସାଇବର ଠକମାନେ ଅନେକ ଫେକ୍ ନମ୍ବର ସବୁ ପୋଷ୍ଟ କରି ଫାଇଦା ଉଠାନ୍ତି । ଆପଣଙ୍କୁ ଜଣାଇଦେଉଛୁ ଯେ କେବେ ହେଲେ କୌଣସି କଷ୍ଟମରକେୟାର ମୋବାଇଲ ନମ୍ବର ନଥାଏ । ଏହା ସବୁବେଳେ ଟୋଲଫ୍ରି ଲ୍ୟାଣ୍ଡଲାଇନ୍ ନମ୍ବର ହିଁ ରହିଥାଏ । ଆଜିକାଲି ପ୍ରାୟ ଆପ୍ କେବେଳ ୱିଣ୍ଡୋ ଚ୍ୟାଟିଂ ମାଧ୍ୟମରେ ଗ୍ରାହକଙ୍କ ସହ କଥା ହେଉଛନ୍ତି ଏମିତିକି କୌଣସି ଫୋନ୍ ନମ୍ବର ବି ଦେଉନାହାଁନ୍ତି। ତେଣୁ ସବୁବେଳେ ସତର୍କ ରୁହନ୍ତୁ।

୨) ଅନଲାଇନ୍ ବ୍ୟାଙ୍କିଙ୍ଗ୍ ୱେବସାଇଟ୍: ଯଦି ଆପଣ ପ୍ରକୃତ ଅଫିସିଆଲ୍ URL ଜାଣି ନାହାଁନ୍ତି ତେବେ ଆପଣଙ୍କର ବ୍ୟାଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ୱେବସାଇଟ୍ ଖୋଜିବା ପାଇଁ ଗୁଗୁଲ୍ ସର୍ଚ୍ଚ ନକରିବା ଅତ୍ୟନ୍ତ ଭଲ। କାରଣ ସ୍କାମରମାନେ ବିଭିନ୍ନ ଫେକ ୱେବସାଇଟ୍ କରି ଆପଣଙ୍କର ଲଗଇନ୍ ବିବରଣୀରୁ ଆପଣଙ୍କ ସମସ୍ତ ବ୍ୟକ୍ତିଗତ ଡାଟା ଟ୍ରାକ୍ କରିନିଅନ୍ତି । ତେଣୁ  ସର୍ବଦା, ବ୍ୟାଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ ପୋର୍ଟାଲର ଅଫିସିଆଲ୍ URLରେ ହିଁ ପ୍ରବେଶ କରନ୍ତୁ ।

୩) ଆପ୍ ଓ ସଫ୍ଟୱେର୍ ଡାଉନଲୋଡ୍: କେବେ ହେଲେ କୌଣସି ଆପ୍ କିମ୍ବା ସଫ୍ଟୱେର୍ ଡାଉନଲୋଡ କରିବାକୁ ଗୁଗୁଲରେ ସର୍ଚ୍ଚ କରନ୍ତୁ ନାହିଁ । ସବୁବେଳେ ଅଫିସିଆଲ୍ ଆପ୍ ଷ୍ଟୋର୍‌ଗୁଡିକରୁ ହିଁ ଡାଉନଲୋଡ କରନ୍ତୁ । ଆଣ୍ଡ୍ରଏଡ୍ ୟୁଜର ପ୍ଲେଷ୍ଟୋର୍ ଏବଂ ଆଇଫୋନ୍ ୟୁଜର ଆପ୍ ଷ୍ଟୋର୍ରୁ ଆପ୍ ଡାଉନଲୋଡ କରିପାରିବେ । କାରଣ ଗୁଗୁଲ ବହୁତ ଫେକ୍ ସଫ୍ଟୱେର୍ ଏବଂ ଆପ୍ସର ଲିଙ୍କ୍ ସହିତ ଜଡ଼ିତ ଥାଏ।

୪) ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା: ଯଦି ଆପଣ ଅସୁସ୍ଥ ଅଛନ୍ତି, ତେବେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ଔଷଧ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧିୟ ପରାମର୍ଶ ପାଇଁ ଗୁଗୁଲ୍ ଏକ ଉଚିତ ମାଧ୍ୟମ ନହେଁ। ଯଦି ଆପଣ ଆପଣ ଅସୁସ୍ଥ ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ । କେବେ ହେଲେ ବିନା ଡାକ୍ତରଙ୍କ ପରାମର୍ଶରେ ଗୁଗୁଲ୍ ରୁ ଖୋଜି ଔଷଧ ଖାଆନ୍ତୁ ନାହିଁ। ଏପରି କରିବା ଶରୀର ପକ୍ଷେ ଅତ୍ୟନ୍ତ ବିପଜ୍ଜନକ ।

୫) ହେଲ୍ଥ ଟିପ୍ସ: ପ୍ରତ୍ୟେକ ମଣିଷର ଶରୀର ଅଲଗା ଏବଂ ଏହା ଭିନ୍ନ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ। ତେଣୁ, ଗୁଗୁଲରୁ ଓଜନ ହ୍ରାସ କିମ୍ବା ଅନ୍ୟାନ୍ୟ ଡାଏଟ୍ ଟିପ୍ସ ଉପରେ ପରାମର୍ଶ ନିଅନ୍ତୁ ନାହିଁ । ଯଦି ଆପଣ ନିଜ ଡାଏଟ୍ ବଦଳାଇବାକୁ ଚାହୁଁଛନ୍ତି ତେବେ ଡାଏଟିସିଆନ୍ ବା ନ୍ୟୁଟ୍ରିସିଆନଙ୍କ ସହ ପରାମର୍ଶ୍ୟ କରନ୍ତୁ । ଯଦି ଆପଣ ଓଜନ ହ୍ରାସ  କିମ୍ବା ବଢ଼ାଇବାକୁ  ଚାହୁଁଛନ୍ତି, ତେବେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ତା’ପରେ ଆଗକୁ ବଢ଼ନ୍ତୁ।

୬) ଷ୍ଟକ୍ ମାର୍କେଟ ଟିପ୍ସ: ସ୍ୱାସ୍ଥ୍ୟ ଭଳି ପର୍ସନାଲ ଫାଇନାନ୍ସ ବି ସମସ୍ତଙ୍କ ପାଇଁ ଅଲଗା ହୋଇଥାଏ । ମନେରଖନ୍ତୁ ଏମିତି କୌଣସି ଫାଇନାନ୍ସ ବା ଇନଭେଷ୍ଟମେଣ୍ଟ ପ୍ଲାନ ନାହିଁ ଯାହା ସମସ୍ତଙ୍କୁ ଧନୀ କରିଦେବ। ତେଣୁ ଆପଣ ଯଦି ନିଜର ଟଙ୍କା କୌଣସି କ୍ଷେତ୍ରରେ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି କିମ୍ବା କୌଣସି ବାମା କରିବାକୁ ଚାହୁଁଛନ୍ତି। ତେବେ କେବେ ହେଲେ ଏଥିପାଇଁ ଗୁଗୁଲ ସର୍ଚ୍ଚ ଉପରେ ବିଶ୍ୱାସ କରନ୍ତୁ ନାହିଁ।

୭) ସରକାରୀ ୱେବସାଇଟ୍: ବ୍ୟାଙ୍କିଙ୍ଗ୍ ୱେବସାଇଟ୍ ପରି, ମ୍ୟୁନିସିପାଲିଟି ଟ୍ୟାକ୍ସ, ଡାକ୍ତରଖାନା ଇତ୍ୟାଦି ସରକାରୀ ୱେବସାଇଟ୍ ବି ସାଇବର ଠକଙ୍କ ଅିକ ଟାର୍ଗେଟରେ ରୁହେ । ଏଭଳି ୱେବସାଇଟ ଗୁଡ଼ିକ କେଉଁଟା ଅସଲି କେଉଁଟା ନକଲି ଚିହ୍ନଟ କଷ୍ଟକର । ତେଣୁ ଗୁଗୁଲରେ ଖୋଜିବା ପରିବର୍ତ୍ତେ ସର୍ବଦା ନିର୍ଦ୍ଦିଷ୍ଟ ସରକାରୀ ୱେବସାଇଟ୍ ହିଁ ପରିଦର୍ଶନ କରନ୍ତୁ।

୮) କୁପନ୍, ଅଫର୍: ବିଭିନ୍ନ ଇ-କମର୍ସ ୱେବସାଇଟର ଅଫର ଯୁକ୍ତ ନକଲି ୱେବ୍ ପେଜଗୁଡ଼ିକ ଗୁଗୁଲ୍ ସର୍ଚ୍ଚରେ୍ ଭର୍ତ୍ତି ହୋଇ ରହିଛି। ଏହା ହେଉଛି ଅନ୍ୟ ଏକ କ୍ଲାସିକ୍ ସ୍କାମ । ଯେଉଁଥିରେ ବସାଇବର କ୍ରିମିନାଲ ମାନେ ଲୋକମାନଙ୍କୁ ବିଭିନ୍ନ ଲୋଭନୀୟ ଅଫର୍ ଓ କୁପନ ଦେଇ ଗ୍ରାହକଙ୍କ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଲଗ୍ଇନ୍ ବିବରଣୀ ଚୋରି କରିଥାନ୍ତି।

୨ବର୍ଷ ପରେ ଭାରତ- ପାକିସ୍ତାନର ଆଲୋଚନା, ସିନ୍ଧୁନଦୀର ଜଳବଣ୍ଟନ ପ୍ରସଙ୍ଗରେ ଦୁଇଦିନିଆ ବୈଠକ

ନୂଆଦିଲ୍ଲୀ: ୨ବର୍ଷ ପରେ ଭାରତ- ପାକିସ୍ତାନ କରିବେ ଆଲୋଚନା। ସିନ୍ଧୁନଦୀର ଜଳବଣ୍ଟନ ପ୍ରସଙ୍ଗରେ ଉପୁଜି ଥିବା ସମସ୍ୟା ନେଇ ଉଭୟ ଦେଶ ବୈଠକ କରିବେ । ଆଜି ଓ ଆସନ୍ତାକାଲି ୨ଦିନ ଧରି  ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ଭାରତ ଓ ପାକିସ୍ତାନର ସରକାରୀ ଅଧିକାରୀମାନେ ଆଲୋଚନା କରିବେ।

ଲଦାଖରେ ଭାରତ ମଞ୍ଜୁରି ଦେଇଥିବା କେତୋଟି ଜଳବିଦ୍ୟୁତ୍‌ ପ୍ରକଳ୍ପ ଉପରେ ପାକିସ୍ତାନ ଆପତ୍ତି ଉଠାଇଛି । ଆଜି ନୂଆଦିଲ୍ଲୀରେ ‘ପର୍‌ମାନେଣ୍ଟ୍‌ ଇଣ୍ଡସ୍‌ କମିସନ୍‌’ର ୧୧୬ତମ ବୈଠକ ହେବ ବୋଲି ପୂର୍ବରୁ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ଜାହିଦ ହଫିଜ୍‌ ଚୌଧୁରୀ ସୂଚନା ଦେଇଛନ୍ତି। ବୈଠକରେ ଯୋଗ ଦେଇ ଜଳଜନିତ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ଜଳ ବିଶେଷଜ୍ଞଙ୍କ ଏକ ଭାରତ ଗସ୍ତରେ ଆସିବେ।

ବିଲରେ କାମ କରୁଥିବାବେଳେ କାମୁଡ଼ିଲା ନାଗ, ସାପ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଉମରକୋଟ: ଜମିରେ କାମ କରୁଥିବାବେଳେ କାମୁଡିଦେଲା ନାଗସାପ । କାଳବିଳମ୍ବ ନକରି ସାହସ ଜୁଟାଇ ସାପଟିକୁ କାବୁକଲେ ପୀଡିତ । ଖାଲି କାବୁ କଲେନି ବାଇକରେ ଏହାକୁ ଧରି ପହଞ୍ଚିଗଲେ ମେଡିକାଲରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଞ୍ଚଳରେ । ଏହି ସାହସୀ ଯୁବକ ଜଣଙ୍କ ହେଲେ ଝରିଗାଁ ପଞ୍ଚାୟତ ଛୋଟାଗୁଡା ଗାଁର ସୁଧାଂଶୁ ସିଲ । ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି।

 

ସୂଚନା ଅନୁସାରେ,  ସୁଧାଂଶୁ ନିଜ ଜମିରେ କାମ କରୁଥିଲେ । ଏହି ସମୟରେ ଏକ ନାଗସାପ ତାଙ୍କୁ କାମୁଡି ଦେଇଥିଲା । ସାପଟି ଘଟଣାସ୍ଥଳରୁ ଚାଲି ଯାଉଥିବା ବେଳେ ସୁଧାଂଶୁ ଏହାକୁ ତୁରନ୍ତ ଧରି କାବୁ କରିଥିଲେ । କିଛି ଅଘଟଣ ଘଟିବା ପୂର୍ବରୁ ସୁଧାଂଶୁ ସାପଟିକୁ ଧରି ବାଇକ୍ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯାଇଥିଲେ ।

ବିନା ଦ୍ୱିଧାରେ ସୁଧାଂଶୁ ସାପଟିକୁ ଧରି ନିଜର ଚିକିତ୍ସା ପାଇଁ ଡାକ୍ତରଙ୍କୁ କହିଥିଲେ । ସାପଟିକୁ ଦେଖି ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ ଭୟଭୀତ ହୋଇ ପଡିଥିଲେ । ପରେ ସୁଧାଂଶୁଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସା ପରେ ସେ ବିପଦମୁକ୍ତ ଥିବା ସମ୍ପୃକ୍ତ ଡାକ୍ତର ସୂଚନା ଦେଇଛନ୍ତି କହିଛନ୍ତି ।

ଲୋନ୍ ମୋରାଟୋରିୟମ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସଂପୂର୍ଣ୍ଣ ଋଣ ଛାଡ଼ ସମ୍ଭବ ନୁହେଁ

ନୂଆଦିଲ୍ଲୀ: ଲୋନ୍ ମୋରାଟୋରିୟମ ବା ଋଣ ଆଦାୟ ବନ୍ଦ ଅବଧି ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଋଣ ନେଇଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ କରୋନା ପାଇଁ ଛାଡ଼ କରାଯିବନି ସୁଧ । ୨୦୨୦ ଅଗଷ୍ଟ ୩୧ ପରଠାରୁ ସଂସ୍ଥାଗୁଡ଼ିକୁ ଚକ୍ରବର୍ତ୍ତୀ ସୁଧ ଦେବାକୁ ହେବ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି । କରୋନା ମହାମାରୀ ପାଇଁ ସୁଧ ସମ୍ପୂର୍ଣ୍ଣ ଛାଡ଼ କରିବା ସହ ମୋରାଟୋରିୟମ ସମୟ ବଢ଼ାଇବାକୁ କେତେକ ସେକ୍ଟର ଦାବି କରିଥିଲେ ।

ମାତ୍ର ଗତ ଅଗଷ୍ଟ ୩୧ ପରଠାରୁ ସମସ୍ତ ସେକ୍ଟର ଓ ବ୍ୟକ୍ତିବିଶେଷଙ୍କୁ ଚକ୍ରବର୍ତ୍ତୀ ସୁଧ ଦେବାକୁ ପଡ଼ିବ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ସରକାରଙ୍କ ସପକ୍ଷରେ ଯାଇ କୋର୍ଟ କହିଛନ୍ତି, କେବଳ କମ୍ପାନୀ ନୁହନ୍ତି, କରୋନା ମହାମାରୀ ବେଳେ ସରକାର ମଧ୍ୟ କ୍ଷତି ସହିଛନ୍ତି । ସରକାର ଓ ରିଜର୍ଭ ବ୍ୟାଙ୍କ ଉପରେ ଆଉ ଚାପ ପକାଯାଇପାରିବ ନାହିଁ । ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର୍ ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍ ଏମ୍ ଆର୍ ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

କୋର୍ଟଙ୍କ ନିଷ୍ପତ୍ତି ପରେ ରିୟଲ ଇଷ୍ଟେଟ୍ ଭଳି କେତେକ ସେକ୍ଟରକୁ ଝଟ୍‌କା ଲାଗିଛି । ଏହାଛଡ଼ା ଦେଶର ଅର୍ଥନୀତି ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । କୌଣସି ଯାଜନା ଠିକ୍ ବା ଭୁଲ୍ ସେ ନେଇ କୋର୍ଟ ନିଷ୍ପତ୍ତି ନେବେ ନାହିଁ । ମାତ୍ର ସେହି ଯୋଜନା ଆଇନ ସମ୍ମତ କି ନୁହେଁ, ତାହା କୋର୍ଟ ସୂଚିତ କରିବେ ବୋଲି ଖଣ୍ଡପୀଠ କହିଛନ୍ତି । ପୂର୍ବରୁ ଏହି ମାମଲାରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିଲେ । ଯେଉଁଥିରେ, କମ୍ପାନୀଗୁଡ଼ିକୁ ଅଧିକ ଆର୍ଥିକ ସହାୟତା ଯୋଗାଇବା ସମ୍ଭବ ନୁହେଁ ବୋଲି ଉଲ୍ଲେଖ କରାଯାଇଥିଲା ।