spot_img
Home Blog Page 5905

ଇସ୍ତଫା ଦେଇପାରନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ

ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ । ଆଜି ଅପରାହ୍ନ ୪ଟାରେ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୋର୍ଯ୍ୟଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ତତପରେ ସେ ଏସମ୍ପର୍କରେ ପ୍ରେସ୍‌ମିଟ୍ କରି ସେ ସବିଶେଷ ସୂଚନା ଦେବେ ବୋଲି ଜଣାପଡିଛି ।

ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କୁ ହଟାଇବାକୁ ବିଜେପି ହାଇକମାଣ୍ଡ ନିଷ୍ପତ୍ତି ନେଇଥିଲେ । ୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ବିଦ୍ରୋହୀଙ୍କୁ ଖୁସି କରିବାକୁ ଯାଇ ହାଇକମାଣ୍ଡ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପଟେ ତ୍ରିବେନ୍ଦ୍ର ସିଂ ହଟିବା ପରେ ମୁଖ୍ୟମନ୍ତ୍ରୀ ପଦରେ ବସିବା ନେଇ ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି ।

ତେବେ ରାଜ୍ୟ ସରକାର ଓ ବିଧାୟକଙ୍କ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ହାଇକମାଣ୍ଡଙ୍କୁ ଚିଠି ଲେଖିଥିଲେ ବିଦ୍ରୋହୀ ଗୋଷ୍ଠୀ । ସେପଟେ ଦଳ ପକ୍ଷରୁ ଖୁବଶୀଘ୍ର ବିଧାୟକଙ୍କ ବୈଠକ ଡକାଯାଇ ନୂଆ ନେତା ଚୟନ କରାଯିବ ବୋଲି ସୂଚନା ମିଳିଛି।

 

ନୀତିଶଙ୍କ ବିପି ଚେକ୍ କରିବାକୁ ବିଧାନପରିଷଦକୁ ମେସିନ୍ ନେଇ ଆସିଲେ ଆରଜେଡି ଏମଏଲସି

ପାଟନା: ସାଧାରଣତଃ ଶାନ୍ତ ନୀତିଶ କୁମାର କେବେ ରାଗନ୍ତି ନାହିଁ । କିନ୍ତୁ ଗତ କିଛି ଦିନ ମଧ୍ୟରେ ବିହାର ବିଧାନପରିଷଦ ତାଙ୍କର ରୌଦ୍ର ରୂପ ଦେଖୁଛି । ନୀତିଶଙ୍କ ରାଗର ଶିକାର ହେଉଛନ୍ତି ବିରୋଧୀ ଦଳର ବିଧାୟକ  । ବିଶେଷକରି ରାଷ୍ଟ୍ରୀୟ ଜନତା ଦଳର ନେତା ନୀତିଶ କାହିଁକି ଏତେ ରାଗୁଛନ୍ତି ଓ ତାଙ୍କ ରକ୍ତଚାପ ଠିକ୍ ଅଛି କି ନାହିଁ ଜାଣିବାକୁ ଆରଜେଡିର ଜଣେ ବିଧାୟକ ମଙ୍ଗଳବାର ଦିନ ଷ୍ଟେଥୋକପ୍ ଓ ବିପି ମେସିନ୍ ସହିତ ବିଧାନସଭାକୁ ଆସିଛନ୍ତି  ।

ଆରଜେଡି ବିଧାୟକ ମୁକେଶ ରୋଶନଙ୍କୁ ଯେତେବେଳେ ବିପି ମେସିନ୍ ଆଣିବାର କାରଣ ବାବଦରେ ସାମ୍ବାଦିକ ପ୍ରଶ୍ନ କଲେ ସେତେବେଳେ ତାଙ୍କ ଉତ୍ତର ଥିଲା ଯେ, ନୀତିଶ କୁମାର ଆଜିକାଲି ଅଯଥା ରାଗିଯାଉଛନ୍ତି । କଥା କଥାରେ ସେ ଯେମିତି ରାଗୁଛନ୍ତି ଲାଗୁଛି ତାଙ୍କ ରକ୍ତଚାପ ଠିକ୍ ନାହିଁ । ତାଙ୍କ ରକ୍ତଚାପ ମାପିବାକୁ ସେ ଗୃହକୁ ବିପି ମେସିନ୍ ନେଇ ଆସିଛନ୍ତି ବୋଲି କହିଥିଲେ ।

ମୁକେଶ ରୋଶନ କହିଥିଲେ ଯେ, ଆମ ଦାଦା ନୀତିଶ କୁମାରଙ୍କ ବ୍ଲଡ୍ ପ୍ରେସର ସବୁବେଳେ ବଢିକି ରହୁଛି । ଗତକାଲି ମଧ୍ୟ ସେ ବିଧାନ ପରିଷଦରେ ଆରଜେଡି ବିଧାୟକ ସୁବୋଧ ରାୟଙ୍କ ଉପରେ ରାଗିଥିଲେ । ସାମ୍ବାଦିକଙ୍କ ଉପରେ ମଧ୍ୟ ସେ ରାଗୁଛନ୍ତି । ବିହାରରେ ବାସ୍ତବରେ କ’ଣ ଚାଲିଛି ବୋଲି ଯଦି ତାଙ୍କୁ କୁହାଯାଉଛି ତେବେ ସେ ରାଗି ଯାଉଛନ୍ତି । ମୁଁ ଏଥିପାଇଁ ବ୍ଲଡ୍ ପ୍ରେସର ମେସିନ୍ ନେଇକି ଆସିଛି ଯେ, ଯେମିତି ତାଙ୍କ ବିପି ସାମାନ୍ୟ ରହିବ ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ନୀତିଶ ସୁବୋଧ ଗୃହର ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଥିଲେ ।

କରୋନାର ଦ୍ୱିତୀୟ ଲହରି, ପୁଣି ଲକଡାଉନକୁ ନେଇ ମାନସ ମନ୍ଥନ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ସଂକ୍ରମଣ ଉପରେ କାବୁ ପାଇବା ପାଇଁ ରାଜ୍ୟରେ ଆଗାମୀ କିଛି ଦିନ ମଧ୍ୟରେ କଟକଣା ବଢାଯାଇ ପାରେ କିମ୍ବା ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ମହାରାଷ୍ଟ୍ର ସରକାର ଏନେଇ କଠୋର ପଦକ୍ଷେପ ଭାବେ ପୁଣି ଥରେ ଲକଡାଉନ୍ ଲାଗୁ କରିପାରନ୍ତି ବୋଲି କୁହାଯାଉଛି।

ତେବେ ମିଳୁଥିବା ସୂଚନା ଅନୁସାରେ ଏବେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ କରିବାର କୌଣସି ପ୍ରସ୍ତାବ ନାହିଁ । ତେବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ସବୁ ପ୍ରକାରର ବିକଳ୍ପକୁ ଖୋଲା ରଖିଛନ୍ତି । ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିବେ ବୋଲି କୁହାଯାଉଛି ।

କରୋନା ପ୍ରୋଟୋକଲ ଭାଙ୍ଗିଲେ ଫାଇନ୍
ରାଜ୍ୟରେ କରୋନା କଟକଣାକୁ ଏବେ କଠୋରତାର ସହ ଲାଗୁ କରାଯାଉଛି । କଟକଣା ଭାଙ୍ଗୁଥିବା ବ୍ୟକ୍ତିଙ୍କଠାରୁ ଫାଇନ୍ ଆଦାୟ ହେଉଛି । ରାଜ୍ୟ ସରକାର ସ୍ଥାନୀୟ ଅଧିକାରୀଙ୍କୁ ଆବଶ୍ୟକତା ପଡିଲେ ଲକଡାଉନ୍ ଲାଗୁ କରିବା ଅଧିକାର ମଧ୍ୟ ଦେଇଛନ୍ତି । ମୁମ୍ବାଇରେ ଯେଉଁ ଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ତାକୁ ଦେଖି ଆଗାମୀ ଦିନରେ ସହରର ନାଇଟ୍ କ୍ଲବ ଗୁଡିକ ବନ୍ଦ କରି ଦିଆଯାଇପାରେ ବୋଲି କୁହାଯାଉଛି ।

ମହାରାଷ୍ଟ୍ରରେ କରୋନା ସଂକ୍ରମଣର ୮ ହଜାର ୭୪୪ ନୂଆ ମାମଲା, ୨୨ ମୃତ
ମହାରାଷ୍ଟ୍ରରେ ଗତ ତିନି ଦିନ ମଧ୍ୟରେ ପ୍ରତିଦିନ କରୋନା ସଂକ୍ରମଣର ୧୦ ହଜାର ନୂଆ ମାମଲା ସାମ୍ନାକୁ ଆସିଥିଲା । ସୋମବାର ଦିନ ୮ ହଜାର ୭୪୪ ମାମଲା ସାମ୍ନାକୁ ଆସିଛି । ଏହା ସହିତ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ୨୨ ଲକ୍ଷ ୨୮ ହଜାର ୪୭୧ କରୋନା ସଂକ୍ରମଣର ମାମଲା ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୫୨ ହଜାର ୫ଶହ ରହିଛି ।

ପୁଣି ରାଜ୍ୟସଭାରେ ସସ୍ମିତ ଉଠାଇଲେ ମହିଳାଙ୍କ ସଂରକ୍ଷଣ ପ୍ରସ୍ତାବ

ନୂଆଦିଲ୍ଲୀ: ନେତୃତ୍ବ ଦେବାରେ ମହିଳାଙ୍କ ଭୂମିକାକୁ ପ୍ରାଧାନ୍ୟ ଦେବା ନେଇ ରାଜ୍ୟ ସଭାରେ ପୁଣି ପ୍ରସ୍ତାବ ଉଠାଇଲେ ସାଂସଦ ସସ୍ମିତ । ମହିଳାଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଉ । ନେତୃତ୍ବ ନେବା ପାଇଁ ମହିଳାଙ୍କୁ ସୁଯୋଗ ଦିଆଯାଉ । ଏନେଇ ରାଜ୍ୟସଭାର ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର ।

ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବା ସହ ମହିଳାଙ୍କୁ 33% ସଂରକ୍ଷଣ ଦାବି ରଖିଛନ୍ତି ସସ୍ମିତ । ଉଭୟ ସଂସଦ ଓ ରାଜ୍ୟ ବିଧାନସଭାରେ ସଂରକ୍ଷଣ ଦାବି କରିଛନ୍ତି ସସ୍ମିତ । ସଂରକ୍ଷଣ ମିଳିଲେ ରାଜନୀତିରେ ମହିଳାଙ୍କ ନେତୃତ୍ୱ ବୃଦ୍ଧି ପାଇବ । ଏହା ଦ୍ୱାରା ଲିଙ୍ଗଗତ ବୈଷମ୍ୟ ଦୂର ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର । ଏଥିସହ ମାନବ ଚାଲଣ ନିରୋଧ ବିଲକୁ ତୁରନ୍ତ ପାସ୍‌ କରିବାକୁ ଦାବି କରିଛନ୍ତି ।

ମହିଳାଙ୍କୁ ସଂରକ୍ଷଣ ନେଇ 2018ରେ ଏହି ବିଲ ଲୋକସଭାରେ ପାସ୍‌ ହୋଇଥିଲା । ତେବେ 2019ରେ ଲୋକସଭା ଭାଙ୍ଗିବା ସହ ବିଲ୍‌ଟି ଅକାମୀ ହୋଇଯାଇଛି । ଏହାକୁ ଲାଗୁକଲେ ନେତୃତ୍ବ ଭୂମିକାରେ ମହିଳାମାନଙ୍କର ଅଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯାଇପାରିବ । ସେହିପରି ଏହି ବିଲକୁ ଗୃହରେ ପାସ କରାଯାଉ ବୋଲି ସଂସଦରେ ଅନୁରୋଧ କରିଥିଲେ ସସ୍ମିତ ।

ରଣବୀର କପୁରଙ୍କୁ କରୋନା,କ୍ୱାରେଣ୍ଟାଇନରେ ଘରେ

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ କରୋନା । ରଣବୀରଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ମା’ ନିତୁ କପୁର ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରଣବୀରଙ୍କ ପୂର୍ବରୁ ନିତୁ କପୁରଙ୍କୁ କରୋନା ହୋଇଥିଲା । ନିତୁ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ରଣବୀରଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇ ଲେଖିଛନ୍ତି ଯେ, ରଣବୀର ଏବେ ସୁସ୍ଥ ଅଛନ୍ତି ଓ ତାଙ୍କ ଚିକିତ୍ସା ଚାଲିଛି ।

ନିତୁ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ‘ଆପଣ ସମସ୍ତଙ୍କ ପ୍ରାର୍ଥନା ଓ ଚିନ୍ତା ପାଇଁ ଧନ୍ୟବାଦ । ରଣବୀର କରୋନା ସଂକ୍ରମିତ । ସେ ଏବେ ଚିକିତ୍ସାଧିନ ଓ ସୁସ୍ଥ ଅଛନ୍ତି । ସେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି’’ । ରଣବୀରଙ୍କୁ କରୋନା ହୋଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ବଡବାପା ରଣଧିର କପୁର ଏକ ସାକ୍ଷାତକାରରେ କହିଥିଲେ ଯେ, ରଣବିରଙ୍କୁ କରୋନା ହୋଇଛି ଓ ସେ ସୁସ୍ଥ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ମୁମ୍ବାଇରେ ସଂକ୍ରମଣର ଦ୍ୱିତୀୟ ଲହରି ଆରମ୍ଭ ହୋଇଥିବା କୁହାଯାଉଛି । କରୋନା ସଂକ୍ରମଣରେ ବୃଦ୍ଧି କାରଣରୁ ମୁମ୍ବାଇର ଅନେକ ଅଂଚଳରେ ଲକଡାଉନ୍ ଲାଗୁ ହୋଇଛି । ମୁମ୍ବାଇ ନିକଟରେ ଥିବା ଥାନେ ମଧ୍ୟ ଲକଡାଉନ୍ ଲାଗୁ ହୋଇଛି ।

ପଞ୍ଜାବ ଓ ମହାରାଷ୍ଟ୍ରର ହଟ୍‌ସ୍ପଟ୍‌ ଅଞ୍ଚଳରେ ପୁଣି କଟକଣା

ନୂଆଦିଲ୍ଲୀ: ପଞ୍ଜାବ ଓ ମହାରାଷ୍ଟ୍ରରେ ଦୈନିକ କରୋନା ସଂକ୍ରମଣ ବଢୁଛି । ପ୍ରଶାସନ ପକ୍ଷରୁ ହଟ୍‌ସ୍ପଟ୍‌ ଅଞ୍ଚଳରେ ଲଗାଯାଇଛି କଟକଣା । ସଂକ୍ରମଣକୁ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇର ଠାଣେ ଓ ନାସିକ୍ ଜିଲାରେ ପୁଣି କଟକଣା ଲାଗୁ କରାଯାଇଛି ।

ସେହିପରି ଠାଣେର ଯେଉଁ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି, ସେହି ଅଞ୍ଚଳରେ ଲକ୍‌ଡାଉନ୍ ଜାରି କରାଯାଇଛି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରୋନା କଟକଣା ଜାରି ରହିବା ନେଇ ନିଷ୍ପତି ନେଇଛି ସ୍ଥାନୀୟ ପ୍ରଶାସନ।

ଗୋଟିଏ ଦିନରେ ୬୭୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ନାସିକର କେତେକ ସ୍ଥାନରେ କଟକଣା ଲଗାଇଛି ଜିଲା ପ୍ରଶାସନ । ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ । କିନ୍ତୁ କଟକଣାରୁ ବାଦ ପଡିଛି ଜରୁରିକାଳୀନ ସେବା । ସମସ୍ତ ଜରୁରିକାଳୀନ ବ୍ୟବସ୍ଥା ପୂର୍ବ ପରି ଜାରି ରହିବ ବୋଲି କହିଛି ପ୍ରଶାସନ କହିଛି ।

ମୋବାଇଲରେ ଆସୁନି ଓଟିପି, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଅଜଣା କଲ ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଏବେ ଟେଲିକମ କମ୍ପାନୀ ମଧ୍ୟ ଲାଗୁ କରିଛନ୍ତି ନୂଆ ନିୟମ । ଫଳରେ ଟେଲିକମ କମ୍ପାନୀ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଗ୍ରାହକ ପ୍ରଭାବିତ ହୋଇଛନ୍ତି । ଏହାଦ୍ବାରା ଓଟିପି ଆସିବାରେ ସମସ୍ୟା ସୃଷ୍ଟି ହେଉଛି । ଏହା ଏମିତି ଆଗକୁ କିଛି ଦିନ ଜାର ରହିବ ବୋଲି ଜଣାପଡିଛି ।

ଆବଶ୍ୟକ ପଡୁଥିବା ଆଧାର ଓଟିପି, କୋଭିଡ ଭ୍ୟାକସିନ ପାଇଁ ଓଟିପି ଏବଂ ଅନ୍ୟାନ ଜରୁରୀ ଓଟିପି ମଧ୍ୟ ଆସିବାରେ ସମସ୍ୟା ସୃଷ୍ଟି ହେଉଛି । ଯଦ୍ବାରା ତତ୍କାଳ ଆବଶ୍ୟକ ପଡୁଥିବା ଓଟିପି ଆସୁନାହିଁ ଏବଂ ଗ୍ରାହକ ପ୍ରଭାବିତ ହୋଇଛନ୍ତି ।

କାହିଁକି ହେଉଛି ସମସ୍ୟା, କାରଣ କ’ଣ ?

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ମୁତାବିକ, ଦୂର ସଂଚାର ନିୟାମକ ଟ୍ରାଇ ଉପଭୋକ୍ତାଙ୍କୁ ଆସୁଥିବା ଅବାଞ୍ଚିତ କଲ ଏବଂ ମିଥ୍ୟା ମେଜେସ ପାଇଁ ଏପରି ନୂଆ ନିୟମ ଲାଗୁ କରାଯାଇଛି । କେବଳ ଉପଭୋକ୍ତାଙ୍କ ରେଜିଷ୍ଟେଡ ନମ୍ବରଙ୍କୁ ପରିସର ଭୁକ୍ତ କରାଯାଇଛି । ରିଲାଆନ୍ସ, ଜିଓ, ଏଆରଟେଲ, ଭୋଡ଼ାଫୋନ ଏବଂ ଆଇଡିଆ ଏହି ନୂଆ ନିୟମକୁ ରବିବାର ରାତିରୁ ଲାଗୁ କରି ଦିଆଯାଇଛି ।

୨୦୧୯ରୁ ଲାଗୁ ହେବାକୁ ଥିଲା ଏହି ନୂଆ ନିୟମ । କିନ୍ତୁ ଫିସିଙ୍ଗ ଆଟାକ ଏବଂ ଅବାଞ୍ଛିତ କମର୍ସିଆଲ ସଂଚାରକୁ ବଢାଇବା ମାମଲାରେ ବର୍ତ୍ତମାନ ଏହାକୁ ଲାଗୁ କରିଛି ଟ୍ରାଇ ।

ସୋମବାର ଅଧିକାଂଶ ଗ୍ରାହକଙ୍କ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥିଲା । କିନ୍ତୁ ଟେଲିକମ କମ୍ପାନୀ ଗୁଡିକ ଏହି ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଖୁବ ଜଲ୍ଦି ଏହି ସମସ୍ୟାର ସମାଧାନ କରାଯିବ । ଟ୍ରାଇ ମଧ୍ୟ ଏନେଇ ସ୍ପଷ୍ଟୀକରଣ ରଖିଛି । ଅଜଣା କଲ ଏବଂ ପ୍ରଡ କଲକୁ ରୋକିବା ଦିଗରେ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

୧୨ରୁ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ, ବୁଧବାର ସବୁ ବିଧାୟକଙ୍କ ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ । ଆସନ୍ତାକାଲିଠୁ ସବୁ ବିଧାୟକଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ସୁରକ୍ଷାକର୍ମୀ, ସାମ୍ବାଦିକ, ବିଧାନସଭା କର୍ମତାରୀଙ୍କ ମଧ୍ୟ ହେବ ଟେଷ୍ଟ ।

ଏଥିପାଇଁ ଆସନ୍ତାକାଲି ଠାରୁ କରୋନା ଟେଷ୍ଟ ହେବ ଏବଂ ୨ ଘଣ୍ଟା ମଧ୍ୟରେ ମିଳିବ ରିପୋର୍ଟ। ରିପୋର୍ଟ ନେଗେଟିଭ ଆସିଲେ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ । ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ବିଧାନସଭା ଚାଲିବ । କରୋନା କଟକଣା ପାଇଁ ବିଧାନସଭା ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଜାଗର ଯାତ୍ରାରେ କଟକଣା; ମନ୍ଦିରରେ ରହିବନି ଭିଡ, ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ ଜାଗର । ଜାଗର ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିଶନର ଜାରି କରିଛନ୍ତି ନିର୍ଦ୍ଦେଶନାମା । ଜାଗର ଭିଡକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନରେ କୋଭିଡ କଟକଣାକୁ ପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି ।

ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଜାଗର ଅବସରରେ ଭିଡ ରୁହେ । ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳନ୍ତି । ତେଣୁ କୋଭିଡ ସ୍ଥିତିରେ ଜାଗର ପାଳନ ଉପରେ ଲାଗିଛି କଟକଣା । ମନ୍ଦିର କିମ୍ବା ମନ୍ଦିର ବାହାରେ ଗହଳି ନଜମାଇବା ପାଇଁ ଗାଇଡଲାଇନରେ ଉଲ୍ଲେଖ ରହିଛି ।

ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡକୁ ମଧ୍ୟ ନଜର ରଖିବେ ସ୍ଥାନୀୟ ପ୍ରଶାସନ । ଯଦି ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇକୁ କୈଣସି ଶ୍ରଦ୍ଧାଳୁ ଅବମାନାନ କରନ୍ତି, ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ପେରେସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିନକ ପରେ ଜାଗର ଯାତ୍ରା ଥିବାବେଳେ ଏସଆରସିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଆଜି ପ୍ରକାଶ କରାଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ମନ୍ଦିର ଭିତରେ ଓ ବାହାରେ ଗହଳି ଉପରେ କଟକଣା ଲାଗୁ ହୋଇଛି । ମେଳା ବସିବା ନେଇ ନିର୍ଦ୍ଦେଶନାମରେ ଉଲ୍ଲେଖ ରହିଛି । ସେହିପରି ମନ୍ଦିର ପରିସରରେ ଏବଂ ବାହାରେ ଶ୍ରଦ୍ଧାଳୁଙ୍କ ବସିବା ଉପରେ ମଧ୍ୟ କଟକଣା ଲାଗିଛି ।

ଆଇଆଇଟି-ଜେଇଇ ମେନରେ ଗୌତମ ଟପ୍ପର, ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରକାଶ ପାଇଛି ଆଇଆଇଟି ଜେଇଇ ମେନର ପରୀକ୍ଷା ଫଳ । ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ତାଲିକାରେ ଓଡିଶାର ଗୌତମ ଦାସ ୯୯ ଦଶମିକ ୯୯ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି । ସେପଟେ ଗୌତମ ଦାସଙ୍କ ସଫଳତାରେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମେନ ପରୀକ୍ଷା ପାଇଁ ୬ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷା ଦେଇଥିଲେ । ରାଜ୍ୟରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ସେପଟେ ଗୌତମଙ୍କ ସଫଳତା ପରେ ଛୁଟିଛି ଶୁଭେଚ୍ଛାର ସୁଅ । ଆଗାମୀ ଦିନରେ ସଫଳତା ଓ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।