spot_img
Home Blog Page 5954

ଚିତ୍ରକୋଣ୍ଡାରେ ଯବାନଙ୍କୁ ସଫଳତା, ମାଓବାଦୀଙ୍କ ଯୋଜନା ପଣ୍ଡ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ହାନ୍ତାଳଗୁଡା ଠାରେ ଯବାନଙ୍କୁ ମିଳିଛି ବଡ଼ ସଫଳତା । ଗୁଇନ୍ଦା ସୂତ୍ରରୁ ଖବର ପାଇ ସର୍ଚ୍ଚ ଅପରେସନ କରିଥିଲେ ବିଏସଏଫ ଯବାନ । କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଗୋଟେ ବ୍ୟାଗ ଜବତ କରିଥିଲେ ଯବାନ ।

ସେପଟେ ଜବତ ହୋଇଥିବା ବ୍ୟାଗରୁ ୨ଟି ପ୍ରେସର ମାଇନ୍ ବୋମା, ଗୋଟାଏ ଟିଫିନ ବୋମା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ । ଘଟଣାସ୍ଥଳରେ ବିଏସଏଫ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ । ଗତ କିଛିଦିନ ଧରି ସ୍ଵାଭିମାନ ଅଞ୍ଚଳରେ ବିଏସଏଫ ଯବାନ ବିଭିନ୍ନ ସମୟରେ ମାଓବାଦୀଙ୍କ ଯୋଜନା ପଣ୍ଡ କରୁଥିବା ଦେଖିବାକୁ ମିଳିଛି ।

ଆଜିଠୁ ଜେଇଇ ମେନ୍, ୩୩୧ଟି ସହରରେ ପରୀକ୍ଷା

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଆରମ୍ଭ ହେଉଛି ଜେଇଇ ମେନ୍ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦେଶର 331ଟି ସହରରେ ପରୀକ୍ଷା ହେବ। ସେପଟେ ଏହି ପରୀକ୍ଷାକୁ ଏନଟିଏ ପରିଚାଳନା କରୁଥିବାବେଳେ, ଚଳିତ ବର୍ଷ ୪ଥର ଜେଇଇ ମେନ୍ ହେବ ।

ଆସନ୍ତା ମାର୍ଚ୍ଚ, ଅପ୍ରେଲ୍ ଓ ମେ ମାସରେ ମଧ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ଫେବୃଆରୀରେ ପରୀକ୍ଷା ଦେବାକୁ 6 ଲକ୍ଷ 61ହଜାର 761 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କରୋନା ମହାମାରୀ ଯୋଗୁ ଶିକ୍ଷାବର୍ଷର ସମୟସୀମା ବଦଳି ଯାଇଛି। ସେହିପରି ପାଠପଢ଼ାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।

ତାହାକୁ ଦୃଷ୍ଟିରେ ରଖି ଏହି ନୂଆ ବ୍ୟବସ୍ଥା ଆପଣାଯାଇଛି । ଶିକ୍ଷାର୍ଥୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ପରୀକ୍ଷାର୍ଥୀ ଯେମିତି କୌଣସି ସୁଯୋଗ ହାତ ଛଡ଼ା ନ କରିବେ, ସେଥିପାଇଁ ୪ଥର ଜେଇଇ ମେନ୍‌ ପରୀକ୍ଷା ଅନୁଷ୍ଠିତ ହେଉଛି ।

ମଙ୍ଗଳବାର କୃଷକ ପାଳିବେ ‘ପଗ୍‌ଡି ସମ୍ଭାଲ ଦିବସ’

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆର୍‌-ପାର୍ ନୀତିରେ ଚାଷୀ । ତିନି ନୂଆ କୃଷି ଆଇନକୁ ବିରୋଧ କରି ୩ ମାସ ହେଲା ଚାଷୀ ଦିଲ୍ଲୀ ସୀମାରେ ବସି ରହିଛନ୍ତି । ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଆସନ୍ତା ସପ୍ତାହ ପାଇଁ ପ୍ରସ୍ତୁତ ବିବରଣୀ ଚାଷୀ ସଂଗଠନ ପକ୍ଷରୁ ଜାରି କରାଯାଇଛି ।

୨୩ ଫେବୃୟାରୀରେ ସାରାଦେଶରେ ‘ପଗ୍‌ଡି ସମ୍ଭାଲ ଦିବସ’ ପାଳିବେ ଚାଷୀ । ୨୪ ଫେବୃୟାରୀରେ ଦମନ ବିରୋଧୀ ଦିବସ ପାଳନ କରିବା ସହ ୨୫ ଫେବୃୟାରୀରେ ଦେଶବ୍ୟାପୀ ଚାଷୀମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ । ସେହିପରି ୨୬ ତାରିଖରେ ଯୁବ କିଷାନ ଦିବସ ପାଳିବେ ଚାଷୀ । ଏହାପରଦିନ ଅର୍ଥାତ୍ ୨୭ ଫେବୃୟାରୀରେ ମଜଦୁର କିଷାନ ଦିବସ ପାଳନ କରାଯିବ ବୋଲି ଚାଷୀ ନିଷ୍ପତ୍ତି ନେଇଛନ୍ତି ।

ଭେଣ୍ଡା ପୁଅକୁ ମାରି ଶୋଇବା ଘରେ ପୋତିଦେଲେ ମା ଓ ଭାଇ

ବାଲେଶ୍ବର: ବାହାନଗାରେ ବିଭତ୍ସ ହତ୍ୟାକାଣ୍ଡ । ପୁଅକୁ ମାରି ଶୋଇବା ଘରେ ପୋତିଦେଲେ ମା ଓ ବଡ଼ ପୁଅ। ଜନ୍ମଦାତ୍ରୀ ମା ଓ ରକ୍ତର ଭାଇ ଘଟାଇଛନ୍ତି ଏପରି ନାରକୀୟ କାଣ୍ଡ । ସେପଟେ ଏହି ଘଟଣା ବିଷୟରେ ଜାଣିବା ପରେ ସୋର ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ଗତ ୧୨ ତାରିଖ ରାତିରେ ବଳରାମ ଜେନା ମଦ ପିଇ ଘରକୁ ଆସିବା ପରେ ବଡ଼ ଭାଇ ଜଗବନ୍ଧୁଙ୍କ ସହ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମା ଶୁକୁରୀ ଏବଂ ଜଗବନ୍ଧୁ ଶାବଳରେ ବଳରାମକୁ ଆକ୍ରମଣ କରିଥିଲେ। ଫଳରେ ବଳରାମ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ସେପଟେ ମୃତ୍ୟୁ ବିଷୟରେ କାଳେ କେହି ଜାଣିନେବେ କିମ୍ବା ପୋଲିସ ହାତରେ ଧରାପଡିବା ଭୟରେ ବଳରାମଙ୍କ ମୃତଦେହକୁ ଶୋଇବା ଘରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ ମା-ଭାଇ। ତେବେ ପିଣ୍ଡଦାନ କରି ଘରକୁ ଫେରିବା ପରେ ଘଟଣା ପଦାକୁ ଆସିଥିଲା । ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଆ ଏବଂ ବଡ଼ପୁଅକୁ ଗିରଫ କରିଛି।

ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ୍-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଜେଟ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ ନୂଆ ଓ ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବଜେଟ ଲୋକାଭିମୁଖୀ, ଓଡ଼ିଶା ବିକାଶରେ ସହାୟକ ହେବ ଏବଂ ଏହା ଏକ ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆମ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଯାତ୍ରା ପଥରେ ଚଳିତ ବଜେଟ ସହାୟକ ହେବ। ଗତ ବର୍ଷର ଅଧିକାଂଶ ସମୟ କୋଭିଡ ପରିଚାଳନାରେ ବିତାଇଥିଲୁ। ସେହିଭଳି କୋଭିଡ ସ୍ଥିତିରୁ ରାଜ୍ୟ ମୁକୁଳି, ବର୍ତ୍ତମାନ ୧ଲକ୍ଷ ୭୬କୋଟି ଟଙ୍କାର ବଜେଟ ଉପସ୍ଥାପନା କରିଛି । ବଜେଟ୍‌ରେ ସମ୍ପୃକ୍ତ ସମସ୍ତ ମନ୍ତ୍ରୀ,କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମାର୍ଚ୍ଚ ୩ରୁ ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଓପନ ଟେନିସ୍‌ ଚାମ୍ପିୟନସିପ୍

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳ ଗୁରୁକୂଳ ଟେନିସ ରିସୋର୍ଟରେ ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଅଲ ଇଣ୍ଡିଆ ଓପନ ଟେନିସ୍‌ ଚାମ୍ପିୟନସିପ ଖେଳାଯିବ। ପ୍ରଥମ ଥର ପାଇ ଗୁରୁକୂଳ ଟେନିସ ରିସୋର୍ଟରେ ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଟେନିସ୍‌ ଚାମ୍ପିୟନସିପ ଖେଳାହେବାକୁ ଯାଉଛି। ମାର୍ଚ୍ଚ ୩ ତାରିଖରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତି ଏହି ପ୍ରତିଯୋଗିତା ଖେଳାଯିବ।

ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ପ୍ରତିଯୋଗୀ ଆଶଂଗ୍ରହଣ କରିବେ। ପାଖାପାଖି ୧୦୦ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ସାମିଲ ହେବେ। ଗୁରୁକୁଳ ଟେନିସ ରିସୋର୍ଟରେ ରହିବା ଖାଇବା ସହ ଜିମ୍ ଓ ଅନ୍ୟାନ ସମସ୍ତ ସୁବିଧା ଥିବାରୁ ରାଜ୍ୟ ବାହାରୁ ଏହି ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଅନେକ ଖେଳାଳି ନିଜ ନାଁ ପଞ୍ଜିକୃତ କରିଛନ୍ତି। ୫ଟି କ୍ୟାଟେଗୋରୀ ଯଥା, ପୁରୁଷ ଏକକ, ମହିଳା ଏକକ, ୧୬ ବର୍ଷରୁ କମ ବାଳକ, ୧୬ ବର୍ଷରୁ କମ ବାଳିକା, ପୁରୁଷ ଡବଲ୍ସରେ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତାରେ ମୋଟ୍ ପୁରସ୍କାର ରାଶି ୧ ଲକ୍ଷ ୭୦ ହାଜାର ଟଙ୍କା ରହିଛି।

ପୁରୁଷ ଏକକରେ ସବୁଠୁ ଅଧିକ ପୁରୁସ୍କାର ରାଶି ରହିଛି। ପୁରୁଷ ଏକକରେ ବିଜେତାଙ୍କୁ ୩୦ ହଜାର ଓ ରନର୍ସପକୁ ୧୫ ହଜାର ଟଙ୍କା ଦିଆଯିବ। ଆଜିର ସମ୍ବାଦିକ ସମ୍ମିଳନୀରେ ଗୁରୁକୁଳ ଟେନିସ ରିସୋର୍ଟର ମୁଖ୍ୟ ଚନ୍ମିୟ ପ୍ରଧାନ, ଗୁରୁକୁଳ ଟେନିସ ଏକାଡେମୀର ନିର୍ଦ୍ଦେଶକ ସନ୍ତୋଷ ମଲ୍ଲିକଙ୍କ ସହ ମେଜର ସନ୍ଦୀପ ମହାପାତ୍ରଙ୍କ ପିତା ଜେ.ବି ମହାପାତ୍ର ଉପସ୍ଥିତ ଥିଲେ ।

ସୁଶାନ୍ତଙ୍କୁ ସମ୍ମାନ ଦେବେ ଭାରତ ସରକାର: ଦିବଙ୍ଗତ ଅଭିନେତାଙ୍କ ନାଁ’ରେ ଜାତୀୟ ପୁରସ୍କାର

ମୁମ୍ବାଇ:    ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁର ୯ ମାସ ବିତି ଯାଇଛି, କିନ୍ତୁ ତାଙ୍କ ମୃତ୍ୟୁର ରାଜ୍‌ଏବେ ମଧ୍ୟ ରାଜ୍‌ହୋଇ ରହିଯାଇଛି । ଦିନେ ସାରା ବିଶ୍ୱରେ ଏହି ମାମଲା ଗମ୍ଭୀର ରୂପ ନେଇଥିଲା ଏବଂ ଶେଷରେ ସୁଶାନ୍ତଙ୍କ ମାମଲା ଡ୍ରଗ୍ସ ଆଡ଼କୁ ଚାଲିଗଲା । ସୁଶାନ୍ତଙ୍କ ଏକାଧିକ ପ୍ରଶଂସକ ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ ଅନେକ ଚେଷ୍ଟା କଲେ । ଏଥିପାଇଁ ସୋସିଆଲ ମିଡିଆର ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା । କିନ୍ତୁ ଏବେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।

ଯଦିଓ ଅନେକ ପ୍ରଚେଷ୍ଟା ପରେ ସୁଶାନ୍ତଙ୍କ ପାଇଁ କେହି କିଛି କରିପାରିଲେନି ତଥାପି ଭାରତ ସରକାର ସୁଶାନ୍ତ ସିଂ ରାଜପୂତଙ୍କ ନାମରେ ଏକ ଆଓ୍ୱାର୍ଡ଼ ନାମକରଣ ପାଇଁ ବିଚାର କରୁଛନ୍ତି । ଏଭଳି ହେଲେ ସବୁଦିନ ପାଇଁ ସୁଶାନ୍ତଙ୍କ ନାମ ନ୍ୟାସନାଲ ଆଓ୍ୱାର୍ଡ଼ରେ ପଞ୍ଜିକୃତ ହୋଇଯିବ । କେବଳ ସେତିକି ନୁହେଁ ଯଦି ଏଭଳି ହୁଏ ତେବେ ସୁଶାନ୍ତଙ୍କୁ ଭଲ ପାଉଥିବା ତାଙ୍କର ଅଗଣିତ ପ୍ରଶଂସକ ନିହାତି ଭାବରେ ଖୁସି ହେବେ ।

ରିପୋର୍ଟ କହୁଛି ସୁଶାନ୍ତ ସିଂ ରାଜପୂତଙ୍କ ନାଁରେ ଏକ ଚଳଚ୍ଚିତ୍ର ପୁରସ୍କାର ରଖିବା ପାଇଁ ଭାରତ ସରକାରଙ୍କର ଆଲୋଚନା ଜାରି ରହିଛି । ଆଲୋଚନା ସଫଳ ହେଲେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁଶାନ୍ତଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ।

କିନ୍ତୁ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁଶାନ୍ତଙ୍କ ମୃତ୍ୟୁ ପରେ ଏକାଧିକ କଥାକୁ ନେଇ ଆଲୋଚନା ହେଲା ଏବଂ କୌଣସି ଫଳାଫଳ ସାମ୍ନାକୁ ଆସିଲାନାହିଁ । କେବଳ ସେତିକି ନୁହେଁ ସୁଶାନ୍ତଙ୍କୁ ନେଇ ଏକ ବାୟୋପିକ ନିର୍ମାଣ ହେବ ବୋଲି ଘୋଷଣା ହେବାପରେ ମଧ୍ୟ ତାହାକୁ ନେଇ କୌଣସି ଅପଡେଟ୍‌ସାମ୍ନାକୁ ଆସିଲାନାହିଁ ।

ସୁଶାନ୍ତଙ୍କ ବାୟୋପିକ୍‌ଉପରେ ଯଦି ନଜର ପକାଇବା ତେବେ ସୁଶାନ୍ତଙ୍କ ବାୟୋପିକର ନାଁ ‘ନ୍ୟାୟ ଦ ଜଷ୍ଟିସ୍‌’ ରଖାଯାଇଛି । ଏହାକୁ ନେଇ ଘୋଷଣା ମଧ୍ୟ ହୋଇ ସାରିଛି । ଏହାକୁ ବିକାଶ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ କରାଯିବ । ଯାହାର ପ୍ରଯୋଜନା କରିବେ ରାହୁଲ ଶର୍ମା ।
ସୁଶାନ୍ତଙ୍କୁ ସବୁଦିନ ପାଇଁ ଦର୍ଶକଙ୍କ ହୃଦୟରେ ଜୀବିତ ରଖିବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଯଦି ବାସ୍ତବରେ ପରିଣତ ହୁଏ ତେବେ ଏହା ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉପହାରଠାରୁ କମ୍‌ହେବନାହିଁ ।

ଅଞ୍ଜନା ମିଶ୍ରଙ୍କୁ ଦୁଷ୍କର୍ମର ଅଭିଯୋଗ ପରେ କାହିଁକି ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ, ଜାଣନ୍ତୁ

ଅଞ୍ଜନା ମିଶ୍ର। ଜଣେ ସାଧାରଣ ମହିଳା ନୁହନ୍ତି, ବରଂ ଓଡ଼ିଶା  ରାଜନୀତି ଓ ଅପରାଧିକ ଇତିହାସର ଏକ ମୋଡ଼ ପରିବର୍ତ୍ତନକାରୀ ଘଟଣାର ନାଁ। ଏହି ଘଟଣାକୁ କେନ୍ଦ୍ରକରି ଓଡ଼ିଶାରେ ଖାଲି ଜାନକୀ ବଲ୍ଲଭଙ୍କ ସରକାର ନୁହେଁ, କଂଗ୍ରେସ ପରାକ୍ରମର ଅବସାନ ହୋଇଥିଲା। ୧୧ ବର୍ଷ ସମୟର ଆଇନ-ପ୍ରଶାସନ-ପୁଲିସ ଟଣାଓଟରା ଭିତରେ ହାଇକୋର୍ଟଙ୍କ ତତ୍କାଳୀନ ବିଚାରପତି ତଳକୋର୍ଟର ରାୟକୁ କାଏମ ରଖି ଦୋଷୀ ଦ୍ବୟଙ୍କୁ ଆଜୀବନ ଦଣ୍ଡ ସିନା ଶୁଣାଇଲେ କିନ୍ତୁ ତଦନ୍ତ ବ୍ୟବସ୍ଥା ଉପରେ ଏକ ଅମୀମାଂସିତ ପ୍ରଶ୍ନବାଚୀ ଛାଡ଼ି ଦେଇଗଲେ।

ଆଜି ସେ ବିଚାରପତି ଅବସର ନେଇ ସାରିଲେଣି। ଅଞ୍ଜନା ଓଡ଼ିଶା ରାଜନୀତିକ ରଙ୍ଗମଞ୍ଚରୁ ଅପସରି ଗଲେଣି, ଘଟଣାକୁ ଏ ଭିତରେ ୨୨ ବର୍ଷ ବିତିଗଲାଣି କିନ୍ତୁ ସେ କଟା ଘା’ ପୁଣିଥରେ ନସା ଦେବାକୁ ଆରମ୍ଭ କରିଛି। କାରଣ ଭୁବନେଶ୍ବର-କଟକ ପୁଲିସ କମିଶନରେଟ୍ ଏହି ଘଟଣାର ‘ନୀରବ ବୋଡ଼ା’ ତଥା ମୁଖ୍ୟ ଆସାମୀକୁ ଗିରଫ କରି ସିବିଆଇ କୋର୍ଟଙ୍କ ହେପାଜତକୁ ପଠାଇଛନ୍ତି।

୯ ଜାନୁୟାରୀ, ୧୯୯୯। ସ୍ବାମୀଙ୍କଠାରୁ ଅଲଗା ହୋଇଥିବା ଅଞ୍ଜନା ମିଶ୍ର କଟକରୁ ଫେରୁଥିଲେ। ସାଙ୍ଗରେ ଅଞ୍ଜନାଙ୍କ ଇଣ୍ଟରଭ୍ୟୁ ନେବା ପାଇଁ ଯାତ୍ରା କରୁଥିଲେ ଟିଭି ସାମ୍ବାଦିକ ସୁତନୁ ଗୁରୁ।  ଏକ ଆମ୍ବାସଡର କାର୍ ଯୋଗେ ଏହି ଦୁଇଜଣ ଫେରିବା ସମୟରେ ରାତି ହୋଇଯାଇଥାଏ। ଚା’ ପିଇବା ପାଇଁ ଅଟକି ଥିଲେ ବାରଙ୍ଗ ନିକଟସ୍ଥ ଏକ ଢାବାରେ । ପ୍ରଦୀପ ସାହୁ ଓରଫ ପଦିଆ,  ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆ ଏବଂ ବିବନ ବିଶ୍ବାଳ ଓରଫ ବିକେ ବା ବାରଙ୍ଗ କିଙ୍ଗ ତାଙ୍କୁ ଦେଖି ଅପରାଧର  ଜାଲ ବିଛାଇଥିଲେ।

ଅଞ୍ଜନା ଓ ସୁତନୁ ପୁଣିଥରେ ଯେତେବେଳେ ଗାଡ଼ିରେ ବସି ଯାତ୍ରା କରିବା ଆରମ୍ଭ କରନ୍ତି ଏହି ଦୁଇଜଣ ତାଙ୍କୁ ପିଛା କରି ପରେ ଗାଡ଼ିକୁ ଅଟକାଇ ତାଙ୍କୁ ଅପହରଣ କଲେ। ଗାଡ଼ି ଚଳାଇବା ଜାଣି ନଥିବାକୁ ଜଣେ ସ୍କୁଟର ଡ୍ରାଇଭରଙ୍କୁ ଆମ୍ବାସଡର ଗାଡ଼ି ଚଳାଇବାକୁ ସାଙ୍ଗରେ ନେଇଥିଲେ। ଗାଡ଼ି ବାରଙ୍ଗ ନିକଟସ୍ଥ ବେଲଗାଚ୍ଛିଆ ମହଲାର ଶୂନ୍ ଶାନ୍ ଅଞ୍ଚଳରେ ପହଞ୍ଚିଥିଲା। ଆଉ ସେଇଠି ଆରମ୍ଭ ହେଲା ବିବନ ବିଶ୍ବାଳର ସଇତାନୀ କାରବାର।

ପ୍ରାୟ ୩ରୁ ୪ ଘଣ୍ଟା ଧରି ପ୍ରଥମେ ବିବନ ଓ ପରେ ପଦିଆ ଏବଂ ଧୀରେନ୍ଦ୍ର ତାଙ୍କୁ ସମ୍ପୃକ୍ତ ସାମ୍ବାଦିକଙ୍କ ଆଖି ସାମ୍ନାରେ ବାରମ୍ବାର ଦୁଷ୍କର୍ମ କରିବାରେ ଲାଗିଲେ। ଖାଲି ସେତିକି ନୁହେଁ, ବେଲଗାଛିଆରୁ ତାଙ୍କୁ ଭାଲୁକା ଜଙ୍ଗଲକୁ ନେଇ ସେଠାରେ ମଧ୍ୟ ଦୁଷ୍କର୍ମ କରିଲେ। ଏହି ଲଜ୍ଜାକର ଘଟଣା ପରଦିନ ସକାଳୁ ପଦାକୁ ଆସିଗଲା ଯେତେବେଳେ ସାହସ ଜୁଟାଇ ଅଞ୍ଜନା କଟକ ମହିଳା ଥାନାର ଦ୍ବାରସ୍ଥ ହେଲେ ଏବଂ ସେଠାରେ ମାମଲା ଦାୟର କଲେ। କଟକ ମହିଳା ଥାନାର ଏହା ତୃତୀୟ ମାମଲା ଥିଲା। କିନ୍ତୁ ରାଜ୍ୟ ରାଜନୀତିକୁ ହଲଚଲ କରିବାରେ ଲାଗିଲା।

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଓ ତା ସହ ତତ୍କାଳୀନ ଆଡଭୋକେଟ୍ ଜେନରୋଲ୍ ଇନ୍ଦ୍ରଜିତ ରାୟଙ୍କୁ ଏହି ମାମଲାରେ ଯୋଡ଼ା ଗଲା। ଫଳରେ ଦିଲ୍ଲୀଯାଏ ଓଡ଼ିଶା ବଦନାମ ହେଲା। ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଜାନକୀବାବୁ ମାମଲାର ତଦନ୍ତ କରିବା ଏବଂ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଲାଗି କ୍ରାଇମ ବ୍ରାଞ୍ଚକୁ ମାମଲା ହସ୍ତାନ୍ତର କଲେ। ୧୨ ଜାନୁୟାରୀରୁ ୨୫ ଜାନୁୟାରୀ ଯାଏ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରି ପ୍ରଥମେ ସ୍କୁଟରକୁ ଚିହ୍ନଟ କରିବା ଓ ପରେ ପରେ ପଦିଆ ଓ ଟୁନିଆକୁ ଗିରଫ କଲେ। କିନ୍ତୁ ମୂଳ ଆସାମୀ ଧରା ପଡ଼ିଲା ନାହିଁ। ଏହାକୁ ପୁଲିସ ଓ ତଦନ୍ତ ବ୍ୟବସ୍ଥାର ଏକ ଅପରାଗପଣିଆ ଭାବେ ରାଜ୍ୟ ବିଚାର କଲା। ହାଇକୋର୍ଟ ବି  ରାଜ୍ୟ ପୁଲିସ ଉପରୁ ଆସ୍ଥା ଉଠାଇ ସିବିଆଇକୁ ତଦନ୍ତ ଭାର ପ୍ରଦାନ କଲେ। ଏହା ପରେ ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ। ତାଙ୍କ ସ୍ଥାନରେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେଲେ।

୫ ମେ ୧୯୯୯ ମସିହାରେ ସିବିଆଇ ଚାର୍ଜଶିଟ୍ ଦାଖଲ କଲା। ହେଲେ ଏହି ଅଭିଯୋଗଫର୍ଦ୍ଦରେ ବିବନ ନଥିଲା। ଭୁବନେଶ୍ବର ଜିଲ୍ଲା ଜଜ୍ ମହେନ୍ଦ୍ର ପଟ୍ଟନାୟକ ଏପ୍ରିଲ୍ ୨୯, ୨୦୦୨ ମସିହାରେ ଶୁଣାଣି ସାରି ରାୟ ଦେଲେ। ପଦିଆ ଓ ଟୁନିଆକୁ ଆଇପିସି ଧାରା ୩୪୧, ୩୬୬ ଏବଂ ୩୭୨ ବଳରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଲେ। ଟୁନିଆ ବିରୁଦ୍ଧରେ ଆଇପିସିର ଧାରା ୩୯୪ ବି ଲାଗିଥିଲା। ପରେ ମାମଲା ହାଇକୋର୍ଟରେ ବି ଶୁଣାଣି ହୋଇଥିଲା।

ତତ୍କାଳୀନ ବିଚାରପତି ଜଷ୍ଟିସ୍ ଏଏସ୍ ନାଇଡ଼ୁ ଏବଂ ଜଷ୍ଟିସ୍ ସୁବାସ ପରିଡ଼ାଙ୍କ ଖଣ୍ଡପୀଠ ଜିଲ୍ଲାଜଜଙ୍କ ରାୟକୁ କାଏମ ରଖିଥିଲେ ମଧ୍ୟ ଭୁବନେଶ୍ବର ପୁଲିସ ପାଇଁ ଏକ ପ୍ରଶ୍ନବାଚୀ ଦେଇ ରାୟର ପାରାଗ୍ରାଫ୍ ୨୩ରେ ଉଲ୍ଲେଖ କଲେ। ଏହା ଥିଲା ପୁଲିସ ଅପରାଗପଣିଆର ନିଦର୍ଶନ। ଏହାକୁ ପୁଲିସ ଗଲା ୧୧ ବର୍ଷ ହେଲା ମୁଣ୍ଡେଇ ଚାଲି ଆଜି ବୋଝମୁକ୍ତ ହେବାକୁ ଦମ୍ଭ ବାନ୍ଧିଛି।

ଭୁବନେଶ୍ବର ପୁଲିସର ଏକ ୪ ଜଣିଆ ଦଳ ଅତ୍ୟନ୍ତ ଗୋପନରେ ମାତ୍ର ୩ ମାସ ସମୟ ଭିତରେ ମହାରାଷ୍ଟ୍ରର ପୁନାୱାଲାଠାରେ ଥିବା ଆମ୍ବିଭାଲିରେ ପାଣିମିସ୍ତ୍ରୀ ଭାବେ କାର୍ଯ୍ୟରତ ଜଳନ୍ଧର ସ୍ବାଇଙ୍କ ଅସଲ ଚେହେରାକୁ ଖୋଲିବାରେ ସକ୍ଷମ ହୋଇଛନ୍ତି। ଆଧାର କାର୍ଡ଼, ପ୍ୟାନରେ ସେ ଜଳନ୍ଧର ହୋଇଥିଲେ ବି ସେ ଯେ, ଅଞ୍ଜନା ଦୁଷ୍କର୍ମ ଘଟଣାର ମୁଖ୍ୟ ଆସାମୀ ତଥା ତଥାକଥିତ ବାରଙ୍ଗ କିଙ୍ଗ୍ ବିବନ ବିଶ୍ବାଳ ତାହାକୁ ଉନ୍ମୋଚନ କରିଛନ୍ତି। ଏଥିରେ ତାଙ୍କୁ ମୁମ୍ବାଇ ପୁଲିସ ବିଶେଷ ସହାୟକ ହୋଇଥିଲେ। ଖାଲି ସେତିକି ନୁହେଁ ଜଳନ୍ଧର ଏ ଭିତରେ ଅନେକଥର ଓଡ଼ିଶା ଆସିଛି, ନିଜର ପୁରୁଣା ନାଁକୁ ଆଇନଖାତାରୁ ହଟାଇବାକୁ ଚେଷ୍ଟା କରିଥିଲେ ।

ବିବନର ଗିରଫତାରୀ ପୁଣିଥରେ ଅଞ୍ଜନା ମାମଲାର ପୁରୁଣା ନଥିକୁ ଖୋଲିବ। ହାଇକୋର୍ଟରେ ଅଞ୍ଜନା ମାମଲା ପୁଣିଥରେ ଶୁଣାହେବ। ପୁଣି ସିବିଆଇ ପରୁଣା ସାକ୍ଷୀଙ୍କୁ ଖୋଜିବେ। ସାକ୍ଷୀ ହାଇକୋର୍ଟରେ ହାଜର ହୋଇ ଓଡ଼ିଶା ପୁଲିସ ଉପରେ ଲାଗିଥିବା ଅପାରଗ ପଣିଆର ଟିକାକୁ ହଟାଇବେ।

ହ୍ୱିଲଚେୟାରରେ କପିଲ ଶର୍ମା, ଫ୍ୟାନ୍ସ ପଚାରୁଛନ୍ତି କ’ଣ ହେଲା?

ମୁମ୍ବାଇ:    କମେଡିଆନ କପିଲ ଶର୍ମା ପ୍ରତିଦିନ କୌଣସି କାରଣକୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଯାନ୍ତି । ୧ ଫେବୃୟାରୀକୁ ସେ ଦ୍ୱିତୀୟ ଥର ବାପା ହୋଇଥିବା କଥା ଫ୍ୟାନ୍ସଙ୍କ ସହିତ ଶେୟାର କରିଥିଲେ । ଏବେ ହ୍ୱିଲଚେୟାରରେ ବସିଥିବା କପିଲଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଦର୍ଶକଙ୍କୁ ଦ୍ୱନ୍ଦରେ ପକାଇଛି । ସୋମବାରକୁ କପିଲ ଏୟାରପୋର୍ଟରେ ହ୍ୱିଲଚେୟାରରେ ବସି ବାହାରକୁ ବାହାରୁଥିବା ନଜର ଆସିଛି ।

 

ଏହି ଫଟୋ ଦେଖିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା । ଏହାକୁ ଦେଖିବା ପରେ ଲୋକ ଭିନ୍ନ ଭିନ୍ନ ଟୁଇଟ ମଧ୍ୟ କରୁଛନ୍ତି । କିଏ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ କରୁଛି ତ କିଏ ପ୍ରୋଫେସନାଲ ଜୀବନକୁ ନେଇ ପ୍ରଶ୍ନ କରୁଛି । ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରଶ୍ନ କପିଲଙ୍କୁ ପଚରା ଯାଉଛି । ଏହା ପଛର କାରଣ ମଧ୍ୟ ରହିଛି । ଗତ ଦୁଇ ସପ୍ତାହ ହେବ କପିଲଙ୍କୁ ଶୋ’ରେ ଦେଖିବାକୁ ମିଳିନାହିଁ । ଯେଉଁଥିପାଇଁ ଦର୍ଶକଙ୍କ ମନରେ ଏକାଧିକ ପ୍ରଶ୍ନ ।

କିନ୍ତୁ ଏପର୍ଯ୍ୟନ୍ତ କପିଲ ହ୍ୱିଲଚେୟାରରେ ବସିଥିବା କାରଣ ସାମ୍ନାକୁ ଆସିନାହିଁ । କିନ୍ତୁ କାରଣ ଜାଣିବା ପାଇଁ ପ୍ରଶଂସକ କପିଲଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ଅନୁରୋଧ କରୁଛନ୍ତି ।

ମେ ୧୫ ଭିତରେ ହ୍ୱାଟସ୍‌ଆପ୍‌ର ନୂଆ ପଲିସି ଗ୍ରହଣ ନକଲେ ସାମ୍ନା କରିବେ ଏହି ସବୁ ସମସ୍ୟା

କିଛି ଦିନ ପୂର୍ବରୁ ହ୍ୱାଟସ୍‌ଆପ୍ ତାର ନୂଆ ପଲିସି ଜାରି ରଖିଛି। ଦେଶରେ ନୂଆ ହ୍ୱାଟସ୍‌ଆପ୍ ପଲିସି ପରେ ଅନେକ ବିବାଦ ଆସି ଛିଡ଼ା ହୋଇଛି। କିନ୍ତୁ ବିବାଦ ପରେ ମଧ୍ୟ ସେହି ପଲିସିକୁ ଲାଗୁ ରଖିବା ପାଇଁ କହିଛି ହ୍ୱାଟସ୍‌ଆପ୍। ରିପୋର୍ଟ ଅନୁଯାୟୀ, ଯଦି ନୂଆ ଗ୍ରାହର ନୂଆ ହ୍ୱାଟସଆପ୍‌ ପଲିସି ଗ୍ରହଣ  ନ କରନ୍ତି ତେବେ ହ୍ୱାଟସଆପ କାମ କରିବା ବନ୍ଦ ହୋଇଯିବ। ମେସେଜ ସେଣ୍ଡ କଲେ ମଧ୍ୟ ତାହା ଡେଲିଭର ହେବ ନାହିଁ।

ସେପଟେ ହ୍ୱାଟସଆପ ତରଫରୁ ନୂଆ ପଲିସି ଗ୍ରହଣ କରିବା ପାଇଁ ମେ ୧୫ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ନୀତିକୁ ନେଇ ଅନେକ ବିବାଦ ସତ୍ତ୍ୱେ ଏହାକୁ କାର୍ଯ୍ୟକାରୀ କରାଯାଉଛି। କମ୍ପାନୀ ପୁଣି ଥରେ ଲୋକଙ୍କୁ ଏହି ନୀତି ବିଷୟରେ ବୁଝାଇବା ଆରମ୍ଭ କରିଛି। କମ୍ପାନୀ ଏହା ମଧ୍ୟ କହିଛି ଯେ ଉପଭୋକ୍ତାମାନେ ଏହି ପଲିସିକୁ ବୁଝିବା ପାଇଁ ଏହାକୁ ସଳର କରିବେ। ଆଉ ଏଥିପାଇଁ ଉପଭୋକ୍ତାଙ୍କ ପାଖକୁ ଏକ ବ୍ୟାନର ପଠାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ସେହି ଉପଭୋକ୍ତାମାନଙ୍କ ଆକାଉଣ୍ଟରେ କ’ଣ ହେବ ଯେଉଁମାନେ ଏହି ନୀତି ଗ୍ରହଣ କରିବେ ନାହିଁ। ଟେକ୍ କ୍ରଞ୍ଚର ଏକ ରିପୋର୍ଟ ଅନୁଯାୟୀ ହ୍ୱାଟସ୍‌ଆପ୍ ଇ-ମେଲ୍ ମାଧ୍ୟମରେ କହିଛି ଯେ ଏହା ଉପଭୋକ୍ତାମାନଙ୍କୁ ଧୀରେ ଧୀରେ ନୀତି ଗ୍ରହଣ କରିବାକୁ କହିବ। ନୀତି ଗ୍ରହଣ ନକରିବା ଉପରେ କମ୍ପାନୀ କିଛି ସୂଚନା ସେୟାର କରିଛି।

କମ୍ପାନୀର FAQ ପୃଷ୍ଠା ଅନୁଯାୟୀ, ଯଦି ମେ ’୧୫ ସୁଦ୍ଧା ଉପଭୋକ୍ତାମାନେ ହ୍ୱାଟସ୍‌ଆପ୍ ନୂତନ ନୀତି ଗ୍ରହଣ ନକରନ୍ତି, ତେବେ ସେମାନଙ୍କ ହ୍ୱାଟସଆପ କାର୍ଯ୍ୟକୁ ସୀମିତ କରିଦିଆଯିବ। ଉପଭୋକ୍ତାମାନେ ହ୍ୱାଟସଆପର ସମସ୍ତ କାର୍ଯ୍ୟ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ। ଯଦି ଆପର ସମସ୍ତ କାର୍ଯ୍ୟ ବ୍ୟବହାର କରିବାକୁ ଚାହାନ୍ତି ତେବେ ନୂଆ ନୀତି ଗ୍ରହଣ କରିବାକୁ ପଡ଼ିବ।

କମ୍ପାନୀର ସୂଚନା ଅନୁଯାୟୀ, ଉପଭୋକ୍ତାମାନେ କଲ୍ ଏବଂ ନୋଟିଫିକେସନ ଗ୍ରହଣ କରିପାରିବେ। କିନ୍ତୁ ଆପଣ କାହାକୁ ମେସେଜ ପଠାଇପାରିବେ ନାହିଁ। ଯଦି ଏହି ଆକାଉଣ୍ଟକୁ କେହି ଡିଲିଟ କରନ୍ତି ତାହେଲେ ଉପଭୋକ୍ତାମାନେ ଏହାକୁ ରିଭର୍ସ କରି ପାରିବେ ନାହିଁ। ଉପଭୋକ୍ତାମାନଙ୍କର ପୂର୍ବ ଇତିହାସ ସଂପୂର୍ଣ୍ଣ ରୂପେ ଶେଷ ହୋଇଯିବ। ସବୁଠାରୁ ବଡ଼ କଥା ହେଉଛି ନୂଆ ନୀତି ଗ୍ରହଣ କରିନଥିବା ବ୍ୟକ୍ତି ମେମ୍ବର ଥିବା ଗ୍ରୁପରୁ ଅଟୋମେଟିକ ଅଲଗା ହୋଇଯିବେ।

ସେହିଭଳି ହ୍ୱାଟସଆପ ବ୍ୟବହାରକାରୀଙ୍କର ସମସ୍ତ ବ୍ୟାକଅପ୍ ଡିଲିଟ୍ ହୋଇଯିବ। ତେବେ, କମ୍ପାନୀ ଉପଭୋକ୍ତାମାନଙ୍କୁ ମେ ୧୫ ପୂର୍ବରୁ ସେମାନଙ୍କ ଆକାଉଣ୍ଟକୁ ବ୍ୟାକଅପ୍ କରିବାର ବିକଳ୍ପ ପ୍ରଦାନ କରୁଛି। ମେ ୧୫ ପୂର୍ବରୁ, ଉପଭୋକ୍ତାମାନେ ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ଫୋନରେ ଚାଟ୍ ଇତିହାସ ରପ୍ତାନି କରିପାରିବେ ଏବଂ ସେମାନଙ୍କ ଆକାଉଣ୍ଟ୍ ରିପୋର୍ଟ ଡାଉନଲୋଡ୍ କରିପାରିବେ।