spot_img
Home Blog Page 6

ଆମେରିକା କଂଗ୍ରେସ ଦଖଲ କରିବ କିଏ? ଟ୍ରମ୍ପଙ୍କ ପାଇଁ ଅଗ୍ନିପରୀକ୍ଷା, ଡେମୋକ୍ରାଟଙ୍କ ବଡ଼ ଚ୍ୟାଲେଞ୍ଜ!

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ କିଏ ହାତେଇବ କଂଗ୍ରେସର ନିୟନ୍ତ୍ରଣ? ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ଓ ରାଜନୈତିକ ଶକ୍ତିର ହେବ ବଡ଼ ପରୀକ୍ଷା। ରିପବ୍ଲିକାନ୍ ପାର୍ଟି ନିଜର ସଂଖ୍ୟାଗରିଷ୍ଠତା ବଜାୟ ରଖିବ ନା ଡେମୋକ୍ରାଟିକ୍ ପାର୍ଟି କଂଗ୍ରେସରେ ପୁଣି ଶକ୍ତିଶାଳୀ ହେବ? ଏହି ନିର୍ବାଚନର ଫଳାଫଳ କେବଳ ଆମେରିକାର ରାଜନୀତି ନୁହେଁ, ବିଶ୍ୱ ରାଜନୀତି ଓ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ଟ୍ରମ୍ପଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ନିର୍ବାଚନ?

ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ରାଷ୍ଟ୍ରପତିଙ୍କ ଦୁଇ ବର୍ଷର ଶାସନ ପରେ ଜନସାଧାରଣଙ୍କ ମନୋଭାବକୁ ପ୍ରତିଫଳିତ କରେ। ଏଥିରେ ରାଷ୍ଟ୍ରପତି ନିଜେ ପ୍ରାର୍ଥୀ ନଥିଲେ ମଧ୍ୟ ତାଙ୍କ ନୀତି, ନିଷ୍ପତ୍ତି ଓ ଶାସନ ଶୈଳୀ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇଥାଏ। ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ଗୋଟିଏ ପଟେ ଥିବାବେଳେ ଅନ୍ୟପଟେ ରହିଛି ଡେମୋକ୍ରାଟିକ୍ ପାର୍ଟି। ଉଭୟ ଦଳଙ୍କ ମଧ୍ୟରେ କଂଗ୍ରେସର ନିୟନ୍ତ୍ରଣ ପାଇଁ କଡ଼ା ଲଢ଼େଇ ହେଉଛି।

କଂଗ୍ରେସର କେଉଁ ଗୃହରେ କାହାର କେତେ ଶକ୍ତି?

ଆମେରିକାର କଂଗ୍ରେସ ଦୁଇଟି ଗୃହକୁ ନେଇ ଗଠିତ। ଗୋଟିଏ ହେଉଛି ପ୍ରତିନିଧି ସଭା ବା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଏବଂ ଅନ୍ୟଟି ହେଉଛି ସିନେଟ୍।

ପ୍ରତିନିଧି ସଭା: ମୋଟ ୪୩୫ଟି ଆସନ। ସଂଖ୍ୟାଗରିଷ୍ଠତା ପାଇଁ ୨୧୮ଟି ଆସନ ଆବଶ୍ୟକ।

ସିନେଟ୍: ମୋଟ ୧୦୦ଟି ଆସନ। ସାଧାରଣତଃ ୫୧ଟି ଆସନକୁ ସଂଖ୍ୟାଗରିଷ୍ଠତା କୁହାଯାଏ।

ଏହି ନିର୍ବାଚନରେ ହାଉସ୍‌ର ସମସ୍ତ ୪୩୫ଟି ଆସନ ଏବଂ ସିନେଟ୍‌ର ୩୫ଟି ଆସନ ପାଇଁ ମତଦାନ ହେଉଛି। ଏହା ସହିତ ୩୬ଟି ରାଜ୍ୟରେ ଗଭର୍ଣ୍ଣର ନିର୍ବାଚନ ମଧ୍ୟ ରହିଛି। ଯଦି ରିପବ୍ଲିକାନ୍ ପାର୍ଟି ଉଭୟ ଗୃହରେ ବହୁମତ ହରାଏ, ତେବେ ଟ୍ରମ୍ପଙ୍କ ପାଇଁ ନିଜ ଏଜେଣ୍ଡାକୁ ଆଗକୁ ବଢ଼ାଇବା କଷ୍ଟକର ହୋଇପାରେ।

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ବୟାନ

ନିର୍ବାଚନକୁ ନେଇ ଟ୍ରମ୍ପ କହିଛନ୍ତି ଯେ ଏହା ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ। ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀମାନଙ୍କୁ ସେ କଡ଼ା ସମାଲୋଚନା କରିବା ସହ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ନୀତି ଆମେରିକାର ସୁରକ୍ଷା, ସୀମା ନିୟନ୍ତ୍ରଣ ଓ ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରିପାରେ। ଅନ୍ୟପଟେ ଡେମୋକ୍ରାଟମାନେ ଟ୍ରମ୍ପଙ୍କ ନୀତି ଓ ଶାସନକୁ ନେଇ ଜନସାଧାରଣଙ୍କ ଅସନ୍ତୋଷକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛନ୍ତି।

ଡେମୋକ୍ରାଟଙ୍କ ପଲ୍ଲା ଭାରୀ ନା ରିପବ୍ଲିକାନ୍ ଫେରାଇବେ ବାଜି?

ନିର୍ବାଚନ ସମ୍ପର୍କିତ ମତାମତ ସର୍ଭେରେ ଡେମୋକ୍ରାଟମାନେ ଆଗରେ ଥିବା ଦାବି କରାଯାଉଛି। ଦିଆଯାଇଥିବା ଆକଳନ ଅନୁସାରେ:

ଡେମୋକ୍ରାଟଙ୍କ ସମର୍ଥନ: ୫୧-୫୪ ପ୍ରତିଶତ।

ରିପବ୍ଲିକାନଙ୍କ ସମର୍ଥନ: ୪୨-୪୫ ପ୍ରତିଶତ।

ଡେମୋକ୍ରାଟଙ୍କ ହାଉସ୍ ଆସନ ଆକଳନ: ୨୩୦-୨୪୩।

ତେବେ ଏହା ସର୍ଭେ ଓ ଆକଳନ ମାତ୍ର। ପ୍ରକୃତ ନିର୍ବାଚନ ଫଳାଫଳ ଭିନ୍ନ ହୋଇପାରେ।

ଭୋଟରଙ୍କ ପାଇଁ କେଉଁ ପ୍ରସଙ୍ଗ ସବୁଠାରୁ ବଡ଼?

ଆମେରିକୀୟ ଭୋଟରଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିପାରୁଥିବା ପ୍ରମୁଖ ପ୍ରସଙ୍ଗଗୁଡ଼ିକ ହେଲା:

ମୁଦ୍ରାସ୍ଫୀତି ଓ ଦୈନନ୍ଦିନ ଜୀବନର ବଢ଼ୁଥିବା ଖର୍ଚ୍ଚ।

ପେଟ୍ରୋଲ ଓ ଶକ୍ତିର ଦର।

ଟ୍ରମ୍ପଙ୍କ ଟାରିଫ୍ ନୀତି।

ଇରାନ ସହ ଯୁଦ୍ଧ ଓ ଆମେରିକାର ବୈଦେଶିକ ନୀତି।

ପ୍ରବାସନ ଓ ସୀମା ସୁରକ୍ଷା।

ନିଯୁକ୍ତି, ସ୍ୱାସ୍ଥ୍ୟସେବା ଓ ଅର୍ଥନୀତି।

ଏହି ପ୍ରସଙ୍ଗଗୁଡ଼ିକ ଉପରେ ଭୋଟରଙ୍କ ମତ ହିଁ ନିର୍ଣ୍ଣୟ କରିପାରେ ଯେ ଆଗାମୀ ଦିନରେ ଆମେରିକାର ରାଜନୈତିକ ଚିତ୍ର କେଉଁ ଦିଗକୁ ଯିବ।

ଓବାମାଙ୍କ ଚିନ୍ତା: ଇରାନ ଯୁଦ୍ଧ ଆମେରିକା ପାଇଁ ବଡ଼ ଚ୍ୟାଲେଞ୍ଜ?

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ଇରାନ ସହ ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଥିବା କୁହାଯାଇଛି। ଆମେରିକାର ସାମରିକ କ୍ଷମତା, ସହଯୋଗୀ ରାଷ୍ଟ୍ରଗୁଡ଼ିକର ସୁରକ୍ଷା ଓ ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ପରିବହନ ଉପରେ ଏହାର ପ୍ରଭାବକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗ ଆମେରିକାର ବୈଦେଶିକ ନୀତି ସହିତ ବିଶ୍ୱ ତୈଳ ବଜାର ଓ ଅନ୍ତର୍ଜାତୀୟ ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱ ବହନ କରୁଛି।

ଆଗାମୀ ଦୁଇ ବର୍ଷର ରାଜନୀତି ନିର୍ଦ୍ଧାରଣ କରିବ ନିର୍ବାଚନ

ଯଦି ରିପବ୍ଲିକାନ୍ ପାର୍ଟି ଉଭୟ ଗୃହରେ ବହୁମତ ବଜାୟ ରଖେ, ତେବେ ଟ୍ରମ୍ପଙ୍କୁ ନିଜ ନୀତି କାର୍ଯ୍ୟକାରୀ କରିବାରେ ସହଜ ହୋଇପାରେ। କିନ୍ତୁ ଯଦି ଡେମୋକ୍ରାଟମାନେ ହାଉସ୍ କିମ୍ବା ସିନେଟ୍‌ର ନିୟନ୍ତ୍ରଣ ହାତେଇ ନିଅନ୍ତି, ତେବେ ଟ୍ରମ୍ପଙ୍କ ନିଷ୍ପତ୍ତି ଓ ନୀତି ଉପରେ ଅଧିକ ନଜର ରଖିବା ସହ ତାଙ୍କ ଆଇନ ପ୍ରଣୟନ ଏଜେଣ୍ଡାକୁ ଚ୍ୟାଲେଞ୍ଜ କରିପାରିବେ। ତେଣୁ ଏହି ନିର୍ବାଚନ କେବଳ ଆସନ ଜିତିବାର ଲଢ଼େଇ ନୁହେଁ। ଏହା ଟ୍ରମ୍ପଙ୍କ ରାଜନୈତିକ ଭବିଷ୍ୟତ, ଆମେରିକାର କ୍ଷମତା ସନ୍ତୁଳନ ଓ ବିଶ୍ୱ ରାଜନୀତିର ଦିଗ ନିର୍ଦ୍ଧାରଣ କରିବାର ଏକ ବଡ଼ ପରୀକ୍ଷା।

୩୨ ଏକର ଜମି ପାଇଁ ୧୦ ଲକ୍ଷ ଟଙ୍କାର ସୁପାରି ଦେଇ ହତ୍ୟା !

ନନ୍ଦିଘୋଷ ବ୍ୟୁରୋ : ମାତ୍ର ୩୨ ଏକର ଜମି ପାଇଁ ଦୀର୍ଘ ୩୪ ବର୍ଷର ବିବାଦ ଶେଷରେ ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଛି। ଜମି ବିବାଦର ପ୍ରତିଶୋଧ ନେବାକୁ ୧୦ ଲକ୍ଷ ଟଙ୍କାର ସୁପାରି ଦେଇ କଲ୍ପି ବାର୍ ଆସୋସିଏସନର ସଭାପତି ତଥା ୬୭ ବର୍ଷୀୟ ଆଇନଜୀବୀ ଗୟାଦିନ ଅହିରୱାରଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏହି ହତ୍ୟା ଷଡ଼ଯନ୍ତ୍ରର ଚେର ଜାଲୌନରୁ ଆରମ୍ଭ ହୋଇ କାନପୁର ପର୍ଯ୍ୟନ୍ତ ଲମ୍ବିଥିଲା। ଘଟଣାରେ ଜମି ବିବାଦ ସହ ଜଡ଼ିତ ଜଣେ ସନ୍ଦିଗ୍ଧ ଏବଂ ତିନିଜଣ ସୁଟରଙ୍କୁ ପୋଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ମୋନୁ ଯାଦବ ଏବେ ବି ଫେରାର ଅଛି।

୧୯୯୦ରୁ ଆରମ୍ଭ ହୋଇଥିଲା ଜମି ବିବାଦ

ପୋଲିସର ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ପଛରେ କଦୌରା ଅଞ୍ଚଳର ଚାଟେଲା ଗାଁର ମାଧବ ସିଂହଙ୍କ ସମ୍ପତ୍ତିକୁ ନେଇ ଦୀର୍ଘଦିନର ବିବାଦ ରହିଛି। ମାଧବ ସିଂହଙ୍କ ପାଖରେ ପ୍ରାୟ ୧୦୦୦ ଏକର ଜମି ଥିଲା। ସେ ହଂସା ଗାଁରେ ଥିବା ୩୨ ଏକର ଜମି ନିଜ ନାତୁଣୀ ଅପର୍ଣ୍ଣା ସିଂହଙ୍କ ନାମରେ ଇଚ୍ଛାପତ୍ର କରିଥିଲେ। ୧୯୯୦ରେ ମାଧବ ସିଂହ ଓ ତାଙ୍କ ପୁଅ ରାମଗୋପାଳଙ୍କ ମୃତ୍ୟୁ ପରେ ଆଇନଜୀବୀ ଗୟାଦିନ ଅହିରୱାର ଉକ୍ତ ଇଚ୍ଛାପତ୍ର ଆଧାରରେ ଜମି ଉପରେ ମାଲିକାନା ଦାବି କରିଥିଲେ। ଏହାକୁ ନେଇ ଅପର୍ଣ୍ଣା ସିଂହ ଓ ଗୟାଦିନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଦୀର୍ଘ ଆଇନଗତ ଲଢ଼େଇ। ଶେଷରେ ଅଦାଲତରୁ ଅପର୍ଣ୍ଣାଙ୍କୁ ଆଶ୍ୱସ୍ତି ମିଳିଥିଲା।

୨୦୧୯ରେ ଅପର୍ଣ୍ଣା ଉକ୍ତ ବିବାଦୀୟ ଜମିକୁ ମୈନପୁରୀର କରହାଲ ଅଞ୍ଚଳର କଥୌଲି ନିବାସୀ ଇନ୍ଦ୍ରପାଲ ସିଂହଙ୍କୁ ବିକ୍ରି କରିଥିଲେ। ସେ ଇନ୍ଦ୍ରଜିତ ସିଂହ ଯାଦବ ନାମରେ ମଧ୍ୟ ପରିଚିତ ଥିଲେ ଏବଂ ଦୀର୍ଘଦିନ ଧରି କାନପୁରରେ ରହୁଥିଲେ। ତଥାପି ଜମି ବିବାଦର ସମାଧାନ ହୋଇନଥିଲା। ଚଳିତ ବର୍ଷ ଜୁନ୍‌ ମାସରେ ଗୟାଦିନ ଇନ୍ଦ୍ରଜିତ, ତାଙ୍କ ପତ୍ନୀ ସବିତାଙ୍କ ସମେତ ଅନ୍ୟ ସାତଜଣଙ୍କ ବିରୋଧରେ ଆକ୍ରମଣ ମାମଲା ରୁଜୁ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଶତ୍ରୁତା ଆହୁରି ବଢ଼ିଥିବା ପୋଲିସ କହିଛି।

କାଗଜପତ୍ର ଦେବା ବାହାନାରେ ଅପହରଣ

ପୋଲିସ ତଦନ୍ତ ଅନୁଯାୟୀ, ଶନିବାର ଗୟାଦିନ ଓରାଇ କୋର୍ଟରେ ଶୁଣାଣି ସାରି କଲ୍ପି ଫେରିଥିଲେ। ତାଙ୍କ ପୁଅ ହର୍ଷନାଥ ସ୍କୁଟରରେ ତାଙ୍କୁ ଘରକୁ ନେଉଥିବା ସମୟରେ ରାସ୍ତାରେ ମୋନୁ ଯାଦବଙ୍କ ସହ ସାକ୍ଷାତ ହୋଇଥିଲା। ମୋନୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦେବା ଓ ଜଳଖିଆ ଖାଇବାର ପ୍ରଲୋଭନ ଦେଖାଇ ଗୟାଦିନଙ୍କୁ କାର୍‌ରେ ବସାଇଥିଲା। କାର୍‌ରେ ପୂର୍ବରୁ ଆଉ ତିନିଜଣ ଥିଲେ। ପରେ ଗୟାଦିନଙ୍କୁ ପୁଅଠାରୁ ଅଲଗା କରି ଜବରଦସ୍ତି କାର୍‌ରେ ନେଇଯାଇଥିବା ଅଭିଯୋଗ ହୋଇଛି।ତାଙ୍କୁ କାନପୁର ନିଆଯାଇ ଗୁଜୈନୀ ଅଞ୍ଚଳର ଗମ୍ଭୀରପୁର ନିକଟ କେନାଲ କୂଳରେ ହତ୍ୟା କରାଯାଇଥିଲା। ପରେ ମୃତଦେହକୁ କେନାଲରେ ଫିଙ୍ଗି ଦିଆଯାଇଥିଲା।

୧୦ ଲକ୍ଷ ଟଙ୍କାର ସୁପାରି, ତିନି ସୁଟର ଗିରଫ

ଏହି ମାମଲାରେ ପୋଲିସ ଇନ୍ଦ୍ରଜିତ ସିଂହ ଯାଦବଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ହତ୍ୟା ପାଇଁ ମୋନୁ ଯାଦବ ଓ ତାଙ୍କ ବାପା ଅଜୟ ଯାଦବଙ୍କୁ ସୁପାରି ଦିଆଯାଇଥିବା ସୂଚନା ମିଳିଥିବା ପୋଲିସ କହିଛି। ଏହା ସହିତ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ସର୍ବେଶ ଶୁକ୍ଳା ଓରଫ ସାବ୍ବୁ, ଆଶିଷ ବିଶ୍ୱକର୍ମା ଓ କେଶବ କଟିୟାରଙ୍କୁ ମଧ୍ୟ ଗିରଫ କରାଯାଇଛି। ପୋଲିସର କାର୍ଯ୍ୟାନୁଷ୍ଠାନ ସମୟରେ ଦୁଇଜଣ ସୁଟରଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଅନ୍ୟପଟେ ମୋନୁ ଯାଦବ ଫେରାର ଥିବାରୁ ତାକୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।

ଓକିଲଙ୍କ ଦୁଇଦିନିଆ ଧର୍ମଘଟ, ୫ କୋଟି କ୍ଷତିପୂରଣ ଦାବି

ଆଇନଜୀବୀ ଗୟାଦିନ ଅହିରୱାରଙ୍କ ହତ୍ୟାକୁ ନେଇ କାନପୁରର ଓକିଲମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଓକିଲମାନେ ମଙ୍ଗଳବାର ଓ ବୁଧବାର ଦୁଇଦିନିଆ ଧର୍ମଘଟ ଘୋଷଣା କରିଛନ୍ତି। ପୀଡ଼ିତ ପରିବାରକୁ ୫ କୋଟି ଟଙ୍କାର କ୍ଷତିପୂରଣ, ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଏବଂ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି କରିବାକୁ ସେମାନେ ଦାବି କରିଛନ୍ତି।

ଟାଇଗର ଶ୍ରଫ୍ ଗୁଳିକାଣ୍ଡ ମାମଲା: ହରିୟାଣାରୁ ୨୨ ବର୍ଷୀୟା ମହିଳା ଗିରଫ

ନନ୍ଦିଘୋଷ ବ୍ୟୁରୋ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ମିଳିଛି ଆଉ ଏକ ବଡ଼ ସଫଳତା। ଏହି ମାମଲାରେ ହରିୟାଣାର କର୍ଣ୍ଣାଲ ଜିଲ୍ଲାରୁ ଜଣେ ୨୨ ବର୍ଷୀୟା ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଗିରଫଦାରୀ ପରେ ମାମଲାରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି।

ଅକ୍ଟୋବର ୧୮ରେ ଘଟିଥିଲା ଗୁଳିକାଣ୍ଡ

ସୂଚନା ଅନୁଯାୟୀ, ୧୮ ଅକ୍ଟୋବର ୨୦୨୬ ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫ୍‌ଙ୍କ ଘର ବାହାରେ ଏକ ମୋଟରସାଇକେଲରେ ଆସିଥିବା ଦୁର୍ବୃତ୍ତମାନେ ଗୁଳିଚାଳନା କରିଥିଲେ। ଏହି ସମୟରେ ଅଭିନେତାଙ୍କ BMW କାରକୁ ଲକ୍ଷ୍ୟ କରି ଏକାଧିକ ରାଉଣ୍ଡ ଗୁଳି ଚଳାଯାଇଥିଲା। ସୌଭାଗ୍ୟବଶତଃ ଟାଇଗର ଶ୍ରଫ୍ ଏହି ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଗୁଳିକାଣ୍ଡରେ ତାଙ୍କ ଡ୍ରାଇଭର ଏବଂ ଜଣେ ପଥଚାରୀ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା।

ପୂର୍ବରୁ ଗିରଫ ହୋଇଥିଲେ ୧୨ ଅଭିଯୁକ୍ତ

ଏହି ଘଟଣା ପରେ ମୁମ୍ବାଇ ପୋଲିସ ୧୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। କ୍ରାଇମବ୍ରାଞ୍ଚ ପୂର୍ବରୁ ରାଜସ୍ଥାନର କୋଟା, ଦିଲ୍ଲୀ ଏବଂ ହରିୟାଣାର ସୋନିପତରୁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ଅକ୍ଟୋବର ୨୭ ତାରିଖରେ ମାମଲାରେ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ (MCOCA)ର ବିଭିନ୍ନ ଧାରା ମଧ୍ୟ ଲାଗୁ କରାଯାଇଥିଲା।

ହରିୟାଣାରୁ ମହିଳା ଅଭିଯୁକ୍ତ ଗିରଫ

ତଦନ୍ତ ସମୟରେ ଏକ ସଂଗଠିତ ଅପରାଧୀ ଗ୍ୟାଙ୍ଗର କାର୍ଯ୍ୟକଳାପରେ ହରିୟାଣାର ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ୍ ହରିୟାଣା ପୋଲିସର ସହାୟତାରେ ନଭେମ୍ବର ୧ ତାରିଖରେ କର୍ଣ୍ଣାଲ ଜିଲ୍ଲାରୁ ୨୨ ବର୍ଷୀୟା ମହିଳାଙ୍କୁ ଗିରଫ କରିଥିଲା। ଏହି ଗିରଫଦାରୀ ସହିତ ଟାଇଗର ଶ୍ରଫ୍‌ଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି। ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଗୁଳିକାଣ୍ଡ ପଛରେ ଥିବା ଷଡ଼ଯନ୍ତ୍ର ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ତଦନ୍ତରୁ ଆହୁରି ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।

ପରଲୋକରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର

ପରଲୋକରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର। ୭୪ ବର୍ଷ ବୟସରେ ଅଶୋକ ମହାପାତ୍ରଙ୍କ ପରଲୋକ ହୋଇଛି। ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମସ୍ତିସ୍କ କର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ ଡାକ୍ତର ଅଶୋକ ମହାପାତ୍ର। ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କର ଅବଦାନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣି ଦେଇଥିଲା। ୧୯୫୨ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିବା ଡାକ୍ତର. ମହାପାତ୍ର ୧୯୭୦ ମସିହାରେ ଏମ୍କେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ। ସେଠାରୁ ଏମ୍ବିବିଏସ ସମ୍ପୂର୍ଣ୍ଣ କରିବା ପରେ ଏମ୍ସ, ନୂଆଦିଲ୍ଲୀରୁ ନ୍ୟୁରୋ ସର୍ଜରିରେ ଏମ୍ଏସ୍ ଓ ଏମ୍ସିଏଚ୍ କରିଥିଲେ। ୧୯୮୩ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଏମ୍ସରେ ନ୍ୟୁରୋ ସର୍ଜରିର ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ଦିଲ୍ଲୀ ଏମ୍ସରେ ପ୍ରାୟ ୪୨ ବର୍ଷ ଅତିବାହିତ କରିବା ପରେ ରିସର୍ଚ୍ଚ ଡିନ୍ ଭାବେ ଅବସର ଗ୍ରହଣ କରିଥିଲେ। ସେହିପରି ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଭୁବନେଶ୍ବର ଏମସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଡାକ୍ତର ମହାପାତ୍ର। ନିଜର କାର୍ଯ୍ୟକାଳ ଭିତରେ ସେ ୮୦ଟି ଗବେଷଣାପତ୍ର ପ୍ରକାଶ କରିଛନ୍ତି। ୧୨ରୁ ଅଧିକ ପିଏଚ୍ଡି ଛାତ୍ରଙ୍କୁ ମାର୍ଗଦର୍ଶନ କରିଥିଲେ। ୧୯୯୮-୨୦୦୮ ମସିହା ମଧ୍ୟରେ ଦେଶରେ ତୃତୀୟ ସର୍ବୋଚ୍ଚ ଚିକିତ୍ସା ପ୍ରକାଶନ ଓ ଏମ୍ସରେ ସର୍ବାଧିକ ସଂଖ୍ୟକ ପ୍ରକାଶନ ତାଙ୍କର ନାଁରେ ରହିଥିଲା। ନୂଆଦିଲ୍ଲୀ, ଏମ୍ସରେ ଥିବା ସମୟରେ ୨୦୧୭ ମସିହାରେ ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଜଟିଳ ଅସ୍ତ୍ରୋପଚାର ଜରିଆରେ ଅଲଗା କରିବାରେ ଡାକ୍ତର ମହାପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ୨୦୨୦ ମସିହା ଲିମକା ବୁକ୍ ଅପ୍ ରେକର୍ଡରେ ତାଙ୍କୁ ସ୍ଥାନ ମିଳିଥିଲା। ସେହିପରି ଡାକ୍ତର ମହାପାତ୍ର ଭୁବନେଶ୍ୱର ଏମସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ। ୨୦୧୨ ରୁ ୨୦୧୬ ଅବଧି ମଧ୍ୟରେ ଏମବିବିଏସ, ବିଏସସି ନର୍ସିଂ ଅନର୍ସ, ପିଜି ଓ ଡିଏମ୍, ଏମଚିଏଚ୍ ଆରମ୍ଭ କରାଯାଇଥିଲା। ୨୦୧୫ ମସିହାରେ ଏମ୍ସ ଭୁବନେଶ୍ୱରରେ ବିଏସ୍ସି ଅନର୍ସ ମେଡିକାଲ ଟେକ୍ନୋଲୋଜି ମଧ୍ୟ ଆରମ୍ଭ ହୋଇଥିଲେ। ଦେଶରେ ଶିଶୁରୋଗ ନ୍ୟୁରୋ ସର୍ଜରି, ନ୍ୟୁରୋ ଟ୍ରମା ଓ ସ୍କଲ୍ ବେସ ସର୍ଜନ ସୋସାଇଟି ଓ ପେରିଫେରାଲ ନର୍ଭ ସର୍ଜରୀ ବିକାଶରେ ତାଙ୍କର ବହୁତ ବଡ଼ ଯୋଗଦାନ ରହିଥିଲା। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅସାଧାରଣ ସଫଳତା ପାଇଁ କେନ୍ଦ୍ର ସରକାର ଗତବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଡାକ୍ତର ଅଶୋକ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜ। ମେଡିକାଲ ବିଜ୍ଞାନ, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଡାକ୍ତର ମହାପାତ୍ରଙ୍କ ଅବଦାନ ବେଶ ଅତୁଳନୀୟ ବୋଲି କହିଛନ୍ତି ମାନସ ମଙ୍ଗରାଜ।

ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ମୁରାସୁ, ଓଡ଼ିଶାର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ!

ଭୁବନେଶ୍ବର : ସରିଲା ବାତ୍ୟା ମୁରାସୁର ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳଭାଗ ଛୁଇଁଲା ବାତ୍ୟା ମୁରାସୁ । ଆନ୍ଧ୍ରରେ ସ୍ଥଳ ଭାଗ ଛୁଇଁଲା ବାତ୍ୟା ମୁରାସୁ।  ନେଲୋର – ନରସାପୂର୍ ମଝି ଓଙ୍ଗୋଲ ନିକଟରେ ହେଲା ଲ୍ୟାଣ୍ଡଫଲ। ଦୁଇ ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ରାତି ଗୋଟାଏରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ଲ୍ୟାଣ୍ଡ ଫଲ ବେଳେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ଥିଲା। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  ଗଞ୍ଜାମ,ଗଜପତି,ରାୟଗଡ଼ା ,କୋରାପୁଟ ଓ ମାଲକାନଗିରି ଜିଲ୍ଲା ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ରେ ପବନ ର ବେଗ ୪୦ ରୁ ୫୦ କିମି ଓ ଝଟକା ପବନ ୬୦ କିମି ଛୁଇଁପାରେ। ବାତ୍ୟା ମୁରାସୁ ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା। ବର୍ଷା ଲାଗି ଚେନ୍ନାଇ ସମେତ ବହୁ ସ୍ଥାନରେ ସ୍କୁଲ ବନ୍ଦ କରାଯାଇଛି। ଚେନ୍ନାଇରେ ବହୁ ବିମାନକୁ ବାତିଲ କରାଯାଇଛଇ। ପ୍ରବଳ ବର୍ଷା ଯୋଗୁ ଏହି ସବୁ ରାଜ୍ୟରେ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବାତ୍ୟା ଲାଗି ଏହି ସବୁ ରାଜ୍ୟରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବିଭିନ୍ନ ବିପଜ୍ଜନକ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରାଯାଇଛି।

ଇରାନ ଉପରେ ଆମେରିକାର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଇରାନ ଉପରେ ଆମେରିକାର ଆକ୍ରମଣ । ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଚାଲିଥିବାବେଳେ ଆକ୍ରମଣ । ଇରାନ ଅଧୀନସ୍ଥ କେସମ ଦ୍ବୀପ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ। ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି ସତ୍ୟ। ତେହରାନ ସହ ଚୁକ୍ତି ହୋଇପାରେ ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିବା ପରେ ପରେ ହୋଇଛି ହମଲା। ହର୍ମୁଜ ପ୍ରଣାଳୀ ସଂଲଗ୍ନ ଅଞ୍ଚଳରେ ରହିଛି କେସମ ଦ୍ବୀପ। ଏହି ହମଲା ପରେ ପରେ ହର୍ମୁଜ ପୁଣି ଅଶାନ୍ତ ବଳୟକୁ ଠେଲି ହୋଇଯାଇଛି। ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। କେସମ ଦ୍ବୀପର ସୁଜା ସହର ନିକଟରେ ଆମେରିକାର ମିସାଇଲ ହମଲା ହୋଇଛି। ହମଲା ପରେ କ୍ଷୟକ୍ଷତିର ଆକଳନ କରୁଛନ୍ତି ଇରାନ କର୍ତ୍ତୃପକ୍ଷ। ପାରସ୍ୟ ଉପସାଗରରେ କେସମ ହେଉଛି ସବୁଠାରୁ ବଡ଼ ଦ୍ବୀପ। ହର୍ମୁଜ ପ୍ରଣାଳୀର ପ୍ରବେଶ ପଥ ବି କେସମ। ବିଶ୍ବରୁ ସବୁଠାରୁ ଷ୍ଟ୍ରାଟେଜିକାଲ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ହେଉଛି କେସମ। ଏହି ଦ୍ବୀପ ଦେଇ ବିଶ୍ବର ଏକ ପଞ୍ଚମାଂଶ ତୈଳ ଯୋଗାଣ ହୋଇଥାଏ। ଏହି ଦ୍ବୀପରେ ବି ରହିଛି ଇରାନର ବହୁ ସାମରିକ ଦୃଷ୍ଟିରୁ ପ୍ରମୁଖ ସ୍ଥଳ। ଆମେରିକାର ଏହି ହମଲାକୁ ସମାଲୋଚନା କରିଛନ୍ତି ଇରାନ ସରକାର।

ଦୀପାବଳି ପୂର୍ବରୁ ଜଟଣୀ ବାଣ ବଜାରରେ ଜମିଲାଣି ଭିଡ଼

ନନ୍ଦିଘୋଷ ବ୍ୟୁରୋ:  ଆସୁଛି ଆଲୋକର ପର୍ବ ଦୀପାବଳି। ବାଣ ଦୋକାନରେ ଜମିଲାଣି ଭିଡ଼। ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ଓ ଫ୍ୟାନ୍ସି ବାଣରେ ଭରିଛି ଦୋକାନ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଣ ଗୋଦାମରେ ବ୍ୟବସାୟୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ନିଜ ଅଞ୍ଚଳରେ ବାଣ ବିକ୍ରି କରିବା ପାଇଁ ହୋଲସେଲ୍ରେ କିଣି ନେଉଛନ୍ତି ବ୍ୟବସାୟୀ। ବିଭିନ୍ନ ପ୍ରକାରର ବାଣର ଦର ଜାଣିବା ସହ କିଣାବିକାର ମେଲିଛି ପସରା। ଆଗକୁ ସିଧାସଳଖ ଗ୍ରାହକଙ୍କ ଭିଡ଼ ଜମିବ ବୋଲି ଆଶା ରଖିଛନ୍ତି ହୋଲସେଲ୍ ବ୍ୟବସାୟୀ ।

ଚଳିତ ବର୍ଷ ବାଣ ବଜାରରେ ଆକର୍ଷଣ ପାଲଟିଛି ବିଭିନ୍ନ ପ୍ରକାରର ଫ୍ୟାନ୍ସି ବାଣ । ଏହି ବାଣଗୁଡ଼ିକ ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି । ସେପଟେ ବ୍ୟାକ ଟୁ ବ୍ୟାକ ଅର୍ଣ୍ଣବ ଓ ମୁରାସୁ ବାତ୍ୟା ପାଇଁ ଚଳିତ ବର୍ଷ ବାଣ ବ୍ୟବସାୟ ଆଶା ଠାରୁ କମ ବିକ୍ରି ହେବାର ପୂର୍ବାନୁମାନ କରିଛନ୍ତି ଖୁଚୁରା ବେପାରୀ ।

ମହାନଦୀ ଉପରେ ନିର୍ମାଣ ହେଉଛି ଆଉ ଏକ ସେତୁ, ୧୦୫ କୋଟିର ପ୍ରକଳ୍ପରେ ଜମି ଅଧିଗ୍ରହଣ ବାଧକ

ନନ୍ଦିଘୋଷ ବ୍ୟୁରୋ:  ମହାନଦୀ ଛାତିରେ ଯୋଡ଼ି ହେବ ଆଉ ଏକ ସେତୁ। ବଦଳିବ ଯୋଗାଯୋଗର ମାଧ୍ୟମ। ଗମନାଗମନ ସୁଗମ ହେବା ସହ ଅଞ୍ଚଳର ବିକାଶକୁ ମିଳିବ ନୂଆ ଗତି। ବୌଦ୍ଧ ଜିଲ୍ଲାର ବାଉଁଶୁଣିଠାରେ ନିର୍ମାଣ ଚାଲିଛି ମହାନଦୀ ଉପରେ ଜିଲ୍ଲାର ଚତୁର୍ଥ ସେତୁ। ପ୍ରାୟ ୧୦୫କୋଟି ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି ସେତୁ ଆରକେଡ଼ି ନାମକ ଠିକା ସଂସ୍ଥା ହାତକୁ ନେଇଛି l ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଅନ୍ୟପଟେ ଅଟକି ରହିଛି ଜମି ଅଧିଗ୍ରହଣ ପ୍ରକ୍ରିୟା। ଆପ୍ରୋଚ୍ ରାସ୍ତା ପାଇଁ ଆବଶ୍ୟକ ଜମି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଧିଗ୍ରହଣ ହୋଇନଥିବାରୁ ପ୍ରକଳ୍ପର ଅଗ୍ରଗତି ନେଇ ଉଠିଛି ପ୍ରଶ୍ନ ।

ବୌଦ୍ଧ ଜିଲ୍ଲା ବାଉଁଶୁଣି ଠାରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୁ ସିଧାସଳଖ ଯୋଡିବ ସେତୁ l ଦୂରତା ମଧ୍ୟ ୫୦କିଲୋମିଟର କମିଯିବ l ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ କ୍ଷେତ୍ରରେ ଲୋକେ ସୁବିଧା ପାଇବେ l ତେବେ ଜମି ଅଧିଗ୍ରହଣ କେବେ ସରିବ? ନିର୍ଦ୍ଧାରିତ ସମୟ ମଧ୍ୟରେ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତ ? ଏବେ ଏହାକୁ ନେଇ ଲାଗିରହିଛି ଅନିଶ୍ଚିତତା। ଏହି ସେତୁର ଦୂରତା ୧୭ଶହ ୮୪ ମିଟର ହୋଇଥିବାବେଳେ ୧ ଜୁଲାଇ ୨୦୨୭ ମଧ୍ୟରେ ଶେଷ ହେବାର କାଯ୍ୟ ଅବଧି ରହିଛି l ତେବେ ଏ ନେଇ କନ୍ଧମାଳ ସାଂସଦ ନିକଟରେ ବ୍ରିଜ କାମ ତଦାରଖ କରିବା ସହ ଅଗ୍ରଗତିର ସମୀକ୍ଷା କରିଛନ୍ତି l

ବାପାଙ୍କୁ ବଞ୍ଚାଇବାକୁ ଯାଇ ପୁଅର ମୃତ୍ୟୁ, ଏକାଠି ଜଳିଲା ବାପା-ପୁଅଙ୍କ ଜୁଇ

ନନ୍ଦିଘୋଷ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ। ସ୍ୱାମୀକୁ ହରାଇ ବାହୁନି କାନ୍ଦୁଚି ସ୍ତ୍ରୀ। ଭାଇର ଶବ ଦେଖି ଚେତା ଶୁନ୍ୟ ହେଇଯାଉଛି ଆଉ ସ୍ମଶାନ ମାଟିରେ ଲୋଟି ପଡୁଛି ଭଉଣୀ। ଏକା ସାଙ୍ଗରେ ଜଳୁଛି ବାପା ପୁଅଙ୍କ ଜୁଇ। ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଗାଁର ଶ୍ମଶାନର ଦୃଶ୍ୟ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି କାନ୍ଦୁଛି ପୂରା ଗାଁ। ସମସ୍ତଙ୍କ ଆଖିରୁ ଝରୁଛି ଲୁହ। ଗତକାଲି ବିଦ୍ୟୁତ ଆଘାତରେ ବୃଦ୍ଧ ବାପା ରବୀନ୍ଦ୍ର ଗୁରୁ ଓ ଭେଣ୍ଡିଆ ପୁଅ ପବିତ୍ର ଗୁରୁଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପହଞ୍ଚିଥିଲା, ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ।

ଜଙ୍ଗଲି ଜନ୍ତୁଙ୍କ କବଳରୁ ଫସଲକୁ ସୁରକ୍ଷା ଦେବାପାଇଁ ବିଲ ହୁଡାରେ ଲଗାଯାଇଥିଲା ବିଦ୍ୟୁତ ତାରବାଡ଼ । ସଂନ୍ଧ୍ୟାରେ ଫସଲ ଜଗିବାକୁ ବାପା ବିଲକୁ ଯାଇଥିବାବେଳେ ଅସାବଧାନତା ବଶତଃ ବିଦ୍ୟୁତ ସଂଯୋଗ ଥିବା ତାରରେ ଲାଗି ଛଟପଟ ହେଉଥିଲେ। ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅର ମଧ୍ୟ ଜୀବନ ଯାଇଥିଲା। ନାଚୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି ।

ଖେଳାଳିଙ୍କ କାମରେ ଆସୁନି ମିନି ଷ୍ଟାଡିୟମ, ବର୍ଷା ହେଲେ ପଡ଼ିଆରେ ଜମୁଛି ପାଣି

ନନ୍ଦିଘୋଷ ବ୍ୟୁରୋ:  ଖେଳାଳିଙ୍କ କାମରେ ଆସୁନି ମିନି ଷ୍ଟାଡିୟମ । କଟକ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ଜମି ରହୁଛି ପାଣି । ଯେତେ ମାଟି ପକାଇଲେ ବି ହୋଇପାରୁନି ଖେଳ ଉପଯୋଗୀ । ପୂର୍ବ ସରକାର ଓଏମପି ନିକଟରେ ଥିବା ପୁରୁଣା ଖେଳ ପଡ଼ିଆକୁ ମିନି ଷ୍ଟାଡିୟମରେ ପରିଣତ କରିଥିଲେ । ପଡ଼ିଆର ବିକାଶ ସହ ଗ୍ୟାଲେରୀ ଓ ଖେଳାଳିଙ୍କ ପାଇଁ ଘର ନିର୍ମାଣ କରିଥିଲେ । ଅଞ୍ଚଳର ଖେଳାଳିମାନେ ଖେଳିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । ହେଲେ ଦୁଇରୁ ତିନି ବର୍ଷ ହେବ ଜାତୀୟ ରାଜପଥର ସଂପ୍ରସାରଣ ଓ ରାସ୍ତା ଉଚ୍ଚା ହୋଇଯିବା କାରଣରୁ ବର୍ଷା ପାଣି ଷ୍ଟାଡିୟମରେ ଭର୍ତ୍ତି ହୋଇଯାଉଛି । ବାରମ୍ବାର ମାଟି ପଡୁଛି ହେଲେ ଫଳ ଶୂନ ବୋଲି କହିଛନ୍ତି ପୂର୍ବତନ କର୍ପୋରେଟର ।

ଚାଉଳିଆଗଞ୍ଜ ଖେଳ ପଡ଼ିଆ ରାସ୍ତା ଅନୁପାତରେ ତଳେ ରହୁଛି । ଫଳରେ ବର୍ଷା ହେଲେ ପଡ଼ିଆରେ ପାଣି ଜମୁଛି । ମାଟି ପକାଇବା ପାଇଁ କଟକ ମହାନଗର ନିଗମ ପକ୍ଷରୁ କିଛି ଅନୁଦାନ ଆସିଛି । ହେଲେ ଫଳ ଶୂନ । ରାଜ୍ୟ ସରକାର ଚାହିଁଲେ ହିଁ ଷ୍ଟାଡିୟମ ସମସ୍ୟାର ସମାଧାନ ହୋଇପାରିବ । ବଡ ଅନୁଦାନ ନ ଆସିଲେ ପୂରା ପଡିଆକୁ ଦୁଇରୁ ତିନି ଫୁଟ ଉଚ୍ଚା କରିହେବ ନାହିଁ । ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଛନ୍ତି ମେୟର ।