spot_img
Home Blog Page 6265

ଖଣି ମାଫିଆଙ୍କ ଦାଦାଗିରି: ବେଆଇନ ଖଣିରେ ଚଢାଉ ବେଳେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ନିହଳପ୍ରସାଦ କରଡ଼ାବଣି ବେଆଇନ ଖଣିରେ ବନ ବିଭାଗର ଚଢ଼ାଉ । ଚଢ଼ାଉ ବେଳେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କଲେ ଖଣି ମାଫିଆ । ଆକ୍ରମଣରେ ୫ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ବରପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି  ।

ପ୍ରାୟ ୨୫ଜଣ ଖଣି ମାଫିଆ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବନ କର୍ମଚାରୀଙ୍କଠାରୁ ମାଫିଆମାନେ ସର୍ଭିସ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଛଡାଇ ନେଇଛନ୍ତି । ତେବେ ଜଙ୍ଗଲ ଜମିରେ ଦୀର୍ଘଦିନ ଧରି ବେଆଇନ ଭାବେ ଖଣି ଖନନ ଚାଲିଥିଲା । ବନ ବିଭାଗ ପକ୍ଷରୁ ଚଢାଉ ବେଳେ କର୍ମଚାରୀଙ୍କୁ ମାଫିଆ ଆକ୍ରମଣ କରିଛନ୍ତି।

ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେଲା ବରଯାତ୍ରୀ ଗାଡ଼ି

ନୂଆପଡା: ନୂଆପଡା ତିମନପୁରରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ମୃତ । ସିନାପାଲିରୁ ବୋଡେନ ଯାଉଥିବା ବେଳେ ଭାରସାମ୍ୟ ହରାଇ ସ୍କର୍ପିଓ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ଗାଡ଼ିରେ ୩ଜଣ ଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଜଣଙ୍କୁ ଗୁରୁତର ଅବସ୍ଥା ଚିକିତ୍ସଳରେ ଭର୍ତ୍ତି କରାଯାଇଛି ।

ବରଯାତ୍ରୀ ଗା଼ଡ଼ିଯାଉଥିବା ବେଳେ ତିମନପୁରଠାରେ ଦୁର୍ଘଟଣା ଶୀକାର ହୋଇଥିଲା ଗୁରୁତର ଅବସ୍ଥାରେ ସେମାନଙ୍କୁ ସିନାପାଲି ଓ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦ୍ୱୟଙ୍କ ପରିଚୟ ମିଳିନଥିବା ବେଳେ, ପୋଲିସ ତଦନ୍ତ ଆରମ୍ଭ କରିଛି ।

ପଙ୍କରେ ଫଶିଥିଲା ଟ୍ରାକ୍ଟର: ନିମିଷକରେ ବାହାରକଲା ହାତୀ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଆଜିର ଦୁନିଆରେ ମଣିଷ ମଣିଷର ଶତ୍ରୁ ପାଲଟିଯାଇଥିବା ବେଳେ ପଶୁ ସହ କିନ୍ତୁ ଦେଖିବାକୁ ମିଳୁଛି ନିଆରା ସମ୍ପର୍କ। ପୂର୍ବରୁ ବି ଆପଣ ମଣିଷ ଓ ପଶୁର ବନ୍ଧୁତା ବିଷୟରେ ଅନେକ କାହାଣୀ ଶୁଣିଥିବେ। ତେବେ ସୋଶାଲ୍ ମିଡିଆରେ ଏବେ ଏମିତି ହିଁ ଏକ ଭି୍ଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ମଣିଷକୁ ହାତୀ ବିପଦରୁ ଉଦ୍ଧାର କରୁଛି। ଏହି ଭିଡିଓ ଦେଖିବାପରେ ସମସ୍ତଙ୍କ ମୁହଁରେ ବାସ୍ ଗୋଟିଏ କଥା ‘ହାତୀ ମେରେ ସାଥୀ’।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଟ୍ରାକଟର୍ ପଙ୍କରେ ଫଶିଯାଇଛି। ଗାଡ଼ିଟିକୁ ବାହାର କରିବାକୁ ଅନେକ ସଂଘର୍ଷ କରିବାକୁ ପଡ଼ୁଛି, ହେଲେ କୌଣସି ଲାଭ ମିଳୁ ନାହିଁ । ଶେଷରେ ଗାଡ଼ିଟିକୁ ଉଦ୍ଧାର କରିବାକୁ ଏକ ହାତୀର ସାହାଯ୍ୟ ନିଆଯାଉଛି। ସମସ୍ତଙ୍କୁ ଲାଗୁଛି ଯେ ଟ୍ରାକ୍ଟର ଯେଉଁଭଳି ଭାବେ ଫଶିଛି, ହାତୀକୁ ତାକୁ ବାହାର କରିବାରେ ବହୁତ ସଂଘର୍ଷ କରିବାକୁ ପଡ଼ିବ। ହେଲେ ହାତୀ  ନିମିଷକରେ ଅତି ସହଜରେ ଟ୍ରାକ୍ଟରଟିକୁ ପଙ୍କରୁ କାଢ଼ିଆଣୁଛି, ଯାହାକୁ ଦେଖି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି।

ସୋଶାଲ୍ ମିଡିଆରେ ଏହି ଭିଡିଓଟି ବେଶ୍ ଭାଇରାଲ୍ ହେଉଛି। ଏବେ ସୁଦ୍ଧା ଏହାକୁ ୬୨ ହଜାରରୁ ଅଧିକଥର ଦେଖାସରିଲାଣି। ଭିଡିଓଟିକୁ ଲୋକମାନେ ପସନ୍ଦ କରିବା ସହ ନାନା କମେଣ୍ଟ ମଧ୍ୟ କରୁଛନ୍ତି। ପ୍ରାୟ ସମସ୍ତଙ୍କୁ ହାତୀ ଓ ମଣିଷର ଏଭଳି ସମ୍ପର୍କ ବେଶ୍ ପସନ୍ଦ ଆସୁଛି।

 

ଦେଶର କୃଷି କ୍ଷେତ୍ରକୁ ମଜଭୁତ କରିବା ଲାଗି କାର୍ଯ୍ୟ କରାଯାଉଛି: ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଏଫଆଇସିସିଆଇର ୯୩ ତମ ବାର୍ଷିକ ଜେନେରାଲ୍ ମିଟିଂର ଉଦଘାଟନ୍ କରିଛନ୍ତି ।

ଏହି ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ମୋଦି କହିଛନ୍ତି ଯେ ଦେଶର କୃଷି କ୍ଷେତ୍ରକୁ ମଜଭୁତ କରିବା ଲାଗି ତୀବ୍ର ଗତିରେ କାର୍ଯ୍ୟ କରାଯାଉଛି । ଯାହା ଫଳରେ ଭାରତର ଏଗ୍ରିକଲଚର ସେକ୍ଟର ପୂର୍ବ ଅପେକ୍ଷା ଅଧିକ ଉନ୍ନତ ହେବ । ଆଜି ଭାରତର କୃଷକ ମାନଙ୍କ ପାଖରେ ନିଜର ଫସଲ ମଣ୍ଡି ସହ ବାହାରେ ବିକ୍ରି କରିବାର ବିକଳ୍ପ ରହିଛି ।

ଏଥିସହିତ ଭାରତର ମଣ୍ଡି ଗୁଡିକର ଆଧୁନିକୀକରଣ ହେଉଥିବା ବେଳେ କୃଷକ ମାନଙ୍କ ପାଖରେ ଡିଜିଟାଲ୍ ପ୍ଲାଟଫର୍ମରେ ଫସଲ ବିକ୍ରି ଏବଂ କ୍ରୟର ବିକଳ୍ପ ରହିଛି । ଏସବୁ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷକଙ୍କ ଆୟ ବଢିବ ଏବଂ ଦେଶରେ ସେମାନଙ୍କର ସମୃଦ୍ଧି ହେବ ।

ତେବେ  କୃଷକଙ୍କର ସମୃଦ୍ଧି ହେଲେ ଦେଶ ମଧ୍ୟ ସମୃଦ୍ଧ ହେବ ବୋଲି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

୧୦ ଦୁର୍ଦ୍ଦାନ୍ତ ମାଓବାଦୀ କଲେ ଆତ୍ମସମର୍ପଣ: ଜଣଙ୍କ ନାଁରେ ଥିଲା ୮ଲକ୍ଷ ଟଙ୍କାର ପୁରସ୍କାର

ଦାନ୍ତେବଡା:  ସୀମାରେ ଭୁଶୁଡୁଛି ଲାଲ ସଂଗଠନ । ମାଓ ସଂଗଠନରୁ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଛନ୍ତି ୧୦ ଦୁର୍ଦ୍ଦାନ୍ତ ମାଓବାଦୀ । ଛତିଶଗଡ଼ ଦାନ୍ତେବଡା ଜିଲ୍ଲା ପୋଲିସ ନିକଟରେ ସମସ୍ତେ ଆତ୍ମସମର୍ପଣ କରିଥିବା ଜିଲ୍ଲା ଏସ ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ୧୦ ଜଣଙ୍କ ମଧ୍ୟରୁ ବୋମାନ ସୋରୀଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।

ବୋମାନ ବିଜାପୁର ଜିଲ୍ଲାରେ ଅନେକ ଯବାନ ମାନଙ୍କୁ ଟାର୍ଗେଟ କରି ବିସ୍ଫୋରକ ଖଞ୍ଜିଥିଲେ । ଏହା ସହିତ  ୨୦୦୭ ପାମୁଲୱା ଏବଂ  ୨୦୦୮ ତାଡେକେଲ ବିସ୍ଫୋରଣରେ ବୋମାନର ସଂପୃକ୍ତି ଥିଲା । କେବଳ ସେତିକି ନୁହେଁ କିଛି ମାସ ଧରି ଗଙ୍ଗାଲୁର ଅଞ୍ଚଳରେ ୧୪ ଜଣ ଅଧିବାସୀ ଲୋକଙ୍କୁ ସେ ହତ୍ୟା ମଧ୍ୟ କରିଥିବା ପୋଲିସ ସୂଚନା ଦେଇଛି ।

ସେହିପରି ଅନ୍ୟ ଜଣେ ଆତ୍ମସମର୍ପଣକାରୀ ନନ୍ଦରାମ୍ ସୋରି ନାଁରେ ଏକାଧିକ ମାମଲା ରହିଥିବା ସୂଚନା । ୨୦୦୮ ମସିହାରେ ଭାରତୀୟ ବାୟୁ ସେନା ହେଲିକପ୍ଟର ଫାଇରିଙ୍ଗରେ ତାଙ୍କ ସଂପୃକ୍ତି ଥିବା ମଧ୍ୟ ଜଣା ପଡିଛି । ସେହିପରି ଦୁର୍ଦ୍ଦାନ୍ତ ଅପରାଧୀ ଭୀମା ମଣ୍ଡାଭି ୩ ଯବାନଙ୍କୁ ହତ୍ୟା କରିଥିଲା ।

ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ଅନୁମତି

ଓ୍ୱାଶିଂଟନ୍: କରୋନା ଟିକା ଫାଇଜରର ବ୍ୟବହାର ନେଇ ଶୁକ୍ରବାର ଦିନ ଅନୁମତି ପ୍ରଦାନ କରିଛି ଆମେରିକା ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରସନ୍ (ଏଫଡିଏ) ।

ରିପୋର୍ଟ ଅନୁଯାୟୀ ଆମେରିକାରେ ୨ ଲକ୍ଷ ୯୨ ହଜାର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଗାମୀ କିଛି ଦିନ ଭିତରେ ପ୍ରଥମ ଟିକାଦାନ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ସ୍ୱଦେଶୀ କମ୍ପାନୀ ଫାଇଜର ଓ ଜର୍ମାନ କମ୍ପାନୀ ବାୟୋଏନଟେକ ଦ୍ୱାରା ବିକଶିତ ଏହି କରୋନା ଭ୍ୟାକସିନକ ଏଫଡିଏ ପକ୍ଷରୁ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦିଆଯାଇଥିବା ବେଳେ ଏହା ୯୫% ଫଳପ୍ରଦ ବୋଲି ଅନ୍ତିମ ପର୍ଯ୍ୟାୟ ଟ୍ରାଏଲରେ ଜଣାପଡିଥିଲା ।

ଏହି ଭ୍ୟାକସିନକୁ ୧୬ ବର୍ଷରୁ ଅଧିକ ଲୋକଙ୍କୁ ପ୍ରଦାନ କରାଯିବ । ତେବେ ୨.୯ ମିଲିୟନ୍ ଡୋଜ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଏଫଡିଏ ପକ୍ଷରୁ ସୂଚନା ମିଳିଛି ।

ସଂଘର୍ଷ ଭିତରେ ମାନବତାକୁ ଭୁଲି ନାହିଁ ଓଡ଼ିଶା ପୋଲିସ, ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଂଶସା

ଭୁବନେଶ୍ୱର: ମାଲକାନଗିରିର ମାଓବାଦୀ ପ୍ରବଣ ଅଂଚଳରେ ଅପରେସନ କାଳରେ ଓଡ଼ିଶା ପୋଲିସ ଓ ସ୍ପେଶାଲ ଅପରେସନ ଗ୍ରୁପ ଯେଉଁଭଳି ମାନବୀୟ ଭାବାବେଗ ପ୍ରଦର୍ଶନ କରୁଛନ୍ତି ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଂଶାସ କରିଛନ୍ତି । ଜାତୀୟ ପତ୍ରିକା ଓପନରେ ପ୍ରକାଶିତ ଏକ ରିପୋର୍ଟର ଲିଙ୍କକୁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସ, ସ୍ପେଶାଲ ଅପରେଶନ ଗ୍ରୁପ୍ ଓ ବିଏସଏଫକୁ ମାନବିକତା ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି ।

ନଭେମ୍ବର ୨୬ରେ ଏକ ଅପରେସନ ସମୟରେ ଓଡ଼ିଶା ପୋଲିସ, ଏସଓଜି ଓ ବିଏସଏଫର ମିଳିତ ଟିମ୍ ଜଣେ ଆହତ ମାଓବାଦୀଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ତୁରନ୍ତ ହସ୍ପିଟାରେ ପହଂଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଥିଲେ । ରିପୋର୍ଟ ଅନୁସାରେ ନଭେମ୍ବରତ ୨୩ ତାରିଖ ଦିନ ମିଳିତ ଟିମ୍ ମାଲକାନଗିରିର ଟୋଟାଗୁଡା ଜଂଗଲରେ ଅଭିଯାନ ଚଳାଇଥିଲା । ଚିତ୍ରକୋଣ୍ଡାରେ ବ୍ଲକରେ ଆସୁଥିବା ଏହି ଜଂଗଲ ମାଓବାଦୀ ପ୍ରବଣ ଭାବେ ଜଣାଶୁଣା । ୧୯୯୦ ମସିହାରୁ ଏହି ଅଂଚଳରେ ମାଓବାଦୀ ସକ୍ରୀୟ ଅଛନ୍ତି ।

ନଭେମ୍ବର ୨୬ ତାରିଖ ଦିନ ଏସଓଜି ଗ୍ରୁପ ଉପରେ ମାଓବାଦୀ ଆକ୍ରମଣ କରିଥିଲେ । ବର୍ଷା କାରଣରୁ ଏସଓଜିର ଯବାନ ଆକ୍ରମଣର ଉତ୍ତର ଦେଇ ନଥିଲେ । ସେଠାରୁ କିଛି ବାଟ ଯିବା ପରେ ପୁଣିଥରେ ମାଓବାଦୀ ସ୍ପେଶାଲ ଅପରେଶନ ଗ୍ରୁପର ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏଥରକ ଯବାନ ପାଲଟା ଆକ୍ରମଣ କରିଥିଲେ । ପାଲଟା ଆକ୍ରମଣରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ସେଠାରୁ ସୁରକ୍ଷାବଳ କିଶୋର ନାମକ ମାଓ ପ୍ଲାଟୁନ କମାଣ୍ଡରର ଶବ ଉଦ୍ଧାର କରିଥିଲେ । ଏହା ପରେ ପରେ ପଛକୁ ଫେରୁଥିବା ମାଓବାଦୀ ପୁଣିଥିରେ ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିଥିଲେ । କମାଣ୍ଡୋଙ୍କ ପାଲଟା ଆକ୍ରମଣରେ ତିଷ୍ଟି ନପାରି ମାଓବାଦୀ ପଳାୟନ କରିଥିଲେ । ୪୦ ମିନିଟର ସଂଘର୍ଷ ପରେ ମାଓବାଦୀଙ୍କ ଆଡୁ ଗୁଳିମାଡ ବନ୍ଦ ହୋଇଥିଲା । ସେହି ସମୟରେ ଏସଓଜି ଯବାନ ଜଣେ ବ୍ୟକ୍ତିଙ୍କ ସ୍ୱର ଶୁଣିବାକୁ ପାଇଥିଲେ । ବ୍ୟକ୍ତି ଜଣକ ଆତ୍ମସମର୍ପଣ ପାଇଁ ରାଜି ଥିବା କହିଥିଲେ । ଏସଓଜିଠାରୁ ଭରସା ପାଇବା ପରେ ସେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କ ନାମ ଲକ୍ଷ୍ମଣ ଗୋଲାର ଓ ତାଙ୍କ ଘର ଜୋଡମ୍ବା ଗାଁ ।

https://openthemagazine.com/feature/walking-with-the-enemy/

ଲକ୍ଷ୍ମଣ ଆହତ ଥିବାରୁ ତାଙ୍କୁ ଯବାନ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ । ତେବେ ଅପରେସନ ସ୍ଥାନରୁ ମାଲକାନଗିରି ହସ୍ପିଟାଲ ୧୬୦ କିଲୋମିଟର ଥିଲା । ଏହା ସହ ମାଓ ଆକ୍ରମଣର ଭୟ ମଧ୍ୟ ଥିଲା । ତଥାପି ଯବାନ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଅଣ଼୍ଟା ଭିଡିଥିଲେ । ଘଟଣାସ୍ଥଳରୁ ୩୦ କିଲୋମିଟର ଚାଲି ଚାଲି ଯିବା ପରେ ଲକ୍ଷ୍ମଣଙ୍କୁ ଗୋଟିଏ ମଟର ସାଇକେଲରେ ଆଉ ୩୦ କିଲୋମିଟର ନିଆଯାଇଥିଲା । ସେଠାରୁ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।

ଯବାନଙ୍କ ଏଭଳି ମାନବୀୟ କାର୍ଯ୍ୟ ବିଶୟରେ ଓପନ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଯାହାକୁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଯବାନଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ କାର୍ଯ୍ୟକ୍ଷମ ହେବା ପରଠାରୁ ମାଓବାଦୀ ପ୍ରବଣ ଅଂଚଳ ରାଜ୍ୟର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିଛି । ଏହି ପୋଲ କାମ ୨୬ ବର୍ଷ ଧରି ଅଟକି ରହିଥିଲା ।

 

ଟୋଲଗେଟ ସାମ୍ନାରେ ନୂଆ କୃଷି ବିଲକୁ ଉଚ୍ଛେଦ ଦାବିରେ ଆନ୍ଦୋଳନ

ପିପିଲି/ଯାଜପୁର: ଦିନକୁ ଦିନ ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ଦିଲ୍ଲୀ ପରେ ଏବେ ବିଭିନ୍ନ ରାଜ୍ୟରେ ମଧ୍ୟ ଆନ୍ଦୋଳନା ତେଜିବାରେ ଲାଗିଛି । ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ରାଜ୍ୟର ବିଭିନ୍ନ କୃଷକ ସଂଗଠନ । ପୁରୀ ଜିଲ୍ଲା ପିପିଲି ଟୋଲ୍‌ଗେଟ୍‌ରେ ମେଳି କରି ନୂଆ କୃଷି ଆଇନ ଉଚ୍ଛେଦ ଦାବି କରିଛନ୍ତି ବିଭିନ୍ନ ସଂଗଠନ । ସମାଜବାଦୀ ପାର୍ଟି, ସିପିଆଇ, ସିପିଏମ, ସିପିଆଇଏମଏଲ, ହିନ୍ଦୁ ମଜଦୁର ସଙ୍ଗଠନ ଭଳି ଏକାଧିକ ସଂଗଠନ ଆନ୍ଦୋଳନରେ ସାମିଲ ହୋଇ ଚାଷୀଙ୍କୁ ସମର୍ଥନ କରିଛନ୍ତି ।

ଯାଜପୁର ଜିଲ୍ଲାର ସମସ୍ତ ଟୋଲଗେଟରେ ଆନ୍ଦୋଳନ କରିଛି ନବନିର୍ମାଣ କୃଷକ ସଂଗଠନ । ସଂଗଠନ ପକ୍ଷରୁ ଟୋଲ ଗେଟରେ ସମସ୍ତ ଗାଡିକୁ ମାଗଣାରେ ଛାଡିଛନ୍ତି ଚାଷୀ । ସେପଟେ ଶାନ୍ତଶୃଙ୍ଖଳା ରକ୍ଷା ପାଇଁ ଟୋଲଗେଟରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ଯାଜପୁର ଜିଲ୍ଲା ଶ୍ରୀରାମପୁର ଟୋଲ ଗେଟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ର ବିରୋଧୀ ନାରା ବାଜି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମସ୍ତ ଗାଡ଼ିକୁ ଟୋଲଗେଟରେ ଛାଡି ଦିଆ ଯାଉଛି । ନବନିର୍ମାଣ କୃଷକ ସଂଗଠନର ସହ- ସଂଯୋଜକ ଅଶୋକ ଶାନ୍ତିଙ୍କ ନେତୃତ୍ୱରେ ବହୁ ଚାଷୀ ଟୋଲଗେଟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ।

ଶିବସେନା ସାଂସଦ ରାଜେନ୍ଦ୍ର ଗବିତଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

0

ମୁମ୍ବାଇ: ମହାରାଷ୍ଟ୍ରର ଶିବସେନା ସାଂସଦ ରାଜେନ୍ଦ୍ର ଗବିତଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ପାଲଘରର ଜଣେ ମହିଳା ସାଂସଦଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ କରିଛନ୍ତି। ଏ ନେଇ ନୟା ନଗର ପୁଲିସ୍ ଷ୍ଟେସନରେ ସେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଇଛନ୍ତି। ଅନ୍ୟପଟେ ସାଂସଦ ରାଜେନ୍ଦ୍ର ଗବିତ କିନ୍ତୁ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା କହିଛନ୍ତି।

ମହିଳା ଜଣକ ରାଜେନ୍ଦ୍ରଙ୍କ ମାଲିକାନାରେ ଥିବା ମୀରା ରୋଡସ୍ଥିତ ଏକ ଗ୍ୟାସ ଏଜେନ୍ସିରେ କାମ କରୁଥିଲେ। ସେ ଅଭି୍ଯୋଗ କରିଛନ୍ତି ଯେ ରାଜେନ୍ଦ୍ର ତାଙ୍କ ସହ ଖରାପ ବ୍ୟବହାର କରିବାକୁ ପ୍ରୟାସ କରିଛନ୍ତି। ତେବେ ମହିଳାଙ୍କ ଅଭିଯୋଗକୁ ସମ୍ପୁର୍ଣ୍ଣ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି ରାଜେନ୍ଦ୍ର। ସେ କହିଛନ୍ତି ଯେ ମହିଳା ଜଣକ ଏଜେନ୍ସିରୁ ଟଙ୍କା ହଡ଼ପ କରିଥିଲେ, ଯାହାପରେ ତାଙ୍କୁ ଚାକିରୀରୁ ବହିଷ୍କୃତ କରିଦିଆଯାଇଥିଲା। ତେଣୁ ସେ ଏହାର ପ୍ରତିଶୋଧ ନେବାକୁ ଏପରି ଭିତ୍ତିହୀନ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏନେଇ ନୟା ନଗର ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଆଧାର କାର୍ଡରେ ପାନ କାର୍ଡ ଲିଙ୍କ ବାଧ୍ୟତାମୂଳକ: କେବଳ ଜରିମାନା ନୁହେଁ ଜାଣନ୍ତୁ ଆଉ କଣସବୁ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ:  ଆଧାର କାର୍ଡରେ ପାନ କାର୍ଡ ଲିଙ୍କ ବାଧ୍ୟତାମୂଳକ । ଲିଙ୍କ ନ କରିଥିଲେ ଦେବାକୁ ପଡିବ ୧୦ ହଜାର ଟଙ୍କାର ଜୋରିମାନା । କେବଳ ସେତିକି ନୁହେଁ । ଏହାସହ ରଦ୍ଦ ହୋଇପାରେ ଆପଣଙ୍କ ପାନ କାର୍ଡ । ତେବେ ଇନକମ ଟ୍ୟାକ୍ସ ଆକ୍ଟ ଆଧାରରେ ହେବ ଫାଇନ୍ । ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି ଡେଡଲାଇନ୍ । ଆଧାର କାର୍ଡରେ ପାନ୍ କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ କରିଛନ୍ତି ସରକାର  ।

ଯଦି ଆପଣ ଏହା ନ କରିଛନ୍ତି ତେବେ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ  । ଏ ନେଇ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି  । ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯଦି କେହି ଆଧାର କାର୍ଡରେ ପାନ୍ କାର୍ଡ ଲିଙ୍କ କରି ନାହାଁନ୍ତି, ତେବେ ଇନକମ ଟ୍ୟାକ୍ସ ଆକ୍ଟ ଆଧାରରେ ଜୋରିମାନା ଦେବାକୁ ପଡିବ  । ଏଥିସହ ପାନ୍ କାର୍ଡ ରଦ୍ଦ ହୋଇଯିବାର ସମ୍ଭାବନା ରହିଛି  । ପାନ୍ କାର୍ଡ ଅକାମି ହୋଇଗଲେ ସମସ୍ୟାରେ ପଡିବେ ଗ୍ରାହକ  । ଆଧାର କାର୍ଡରେ ପାନ କାର୍ଡ ଲିଙ୍କ କରିବାକୁ ହେଲେ ଇନକମ ଟ୍ୟାକସର ଅଫିସିଆଲ ସାଇଟରେ ଏହା କରିବାକୁ ପଡିବ ।