spot_img
Home Blog Page 6480

NEET-JEE ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟ

ନୂଆଦିଲ୍ଲୀ: ସଂକ୍ରମଣ ବେଳେ ପରୀକ୍ଷାକୁ ବିରୋଧ । ରାଜନୈତିକ ମେଳିରେ ହେଲା ବଡ଼ ନିଷ୍ପତ୍ତି । କରୋନା ସଂକ୍ରମଣ ବେଳେ NEET-JEE ପରୀକ୍ଷାକୁ ବିରୋଧ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ରାଜ୍ୟ । ଅନ୍ତରୀଣ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏହାର ନେତୃତ୍ୱ ନେଇ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏଥିରେ ବକେୟା ଜିଏସଟି ଅର୍ଥ ଓ ନିଟ-ଜେଇଇ ପରୀକ୍ଷା ଉପରେ ଆଲୋଚନା କରାଯାଇଛି । ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବାକୁ ବୈଠକରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି ।

ନିଟ୍-ଜେଇ ପରୀକ୍ଷା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ । ତେବେ, ଏହି ନିଷ୍ପତ୍ତି ବେଳକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ମତ ରଖି ଉଠି ଯାଇଥିଲେ । ତେଣୁ, ତାଙ୍କ ସହମତିକୁ ଅପେକ୍ଷା କରାଯାଇଛି ।

ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଗ ନେଇଥିଲେ ।

କଣ କହିଲେ ସୋନିଆ ?

ବୁଧବାର ବସିଥିବା ବୈଠକରେ ପ୍ରଥମେ ସୋନିଆ ଗାନ୍ଧି ଜିଏସଟି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ- ସମୟରେ ରାଜ୍ୟ ସରକାରଙ୍କୁ ଜିଏସଟି ଅର୍ଥ ମିଳିବା ଉଚିତ୍ । ଜିଏସଟି ଅର୍ଥ ଏକ ବଡ଼ ପ୍ରସଙ୍ଗ । ଏହା ରାଜ୍ୟକୁ ନମିଳିବା ଦ୍ୱାରା ଆର୍ଥିକ ସ୍ଥିତି ପ୍ରଭାବିତ ହେଉଛି । ରାଜ୍ୟକୁ ଅର୍ଥ ନଦେବା ମୋଦି ସରକାରଙ୍କ ବିଶ୍ୱାସଘାତକତା । ସୋନିଆ ଗାନ୍ଧି କହିଥିଲେ- ନିଟ୍ ଓ ଜେଇଇ ପରୀକ୍ଷା ନେଇ ଛାତ୍ରଙ୍କ ସମସ୍ୟା ଓ ପରୀକ୍ଷା ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଦ୍ୱାରା ସମାଧାନ ହେବା ଉଚିତ୍ ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ ପାଇଁ ସୋନିଆଙ୍କୁ ଧନ୍ୟବାଦ ଦେଇଥିଲେ । ନିଟ୍-ଜେଇଇ ପରୀକ୍ଷା ପ୍ରସଙ୍ଗ ଉଠାଇ କହିଥିଲେ- ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ର ପରୀକ୍ଷା ଦେବାକୁ ଥିବାବେଳେ ଲକଡାଉନ୍ ପାଇଁ ଯାତାୟାତ ବନ୍ଦ ରହିଛି । ଛାତ୍ର ଚିନ୍ତିତ ଥିବାବେଳେ ଆମେ ସେମାନଙ୍କ ସହିତ ଛିଡ଼ା ହେବା ଦରକାର । ଯଦି, କେନ୍ଦ୍ର ସରକାର କିଛି ନ କରନ୍ତି ତେବେ ଆମକୁ ଜନତା ନିର୍ବାଚିତ କରିଛନ୍ତି, ଆମେ କୋର୍ଟ ଯିବା ଉଚିତ୍ ।

କେବେ ବସିବ ବିଧାନସଭାର ମୌସୁମୀ ଅଧିବେଶନ ?

ଭୁବନେଶ୍ୱର(ଚିନ୍ମୟ ମହାପାତ୍ର): ସେପ୍ଟେମ୍ବର ମାସରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ସଂସଦ ଢାଞ୍ଚାରେ ଅଧିବେଶନ ବସିବ ନା ଆଉ କିଛି ପନ୍ଥାକୁ ଆପଣାଯିବ ସେନେଇ ବିଚାରବିମର୍ଷ କରୁଛନ୍ତି ବାଚସ୍ପତି । ତେବେ, କରୋନା ପାଇଁ ବିଧାନସଭା ଭିତରେ କି ଲୋକସେବା ଭବନର ନୂତନ କକ୍ଷରେ ଅଧିବେଶନ ବସିବ ତାହା ଏପର୍ଯ୍ୟନ୍ତ ସ୍ଥିର  ହୋଇନାହିଁ । ତାରିଖ ସ୍ଥିର ହେବା ପରେ ସବୁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଅନ୍ୟପଟେ ତୁରନ୍ତ ଅଧିବେଶନ ଆରମ୍ଭ କରିବାକୁ ବିରୋଧୀ ଦାବି କରିଛନ୍ତି ।

କେବେ ବସିବ ବିଧାନସଭାର ମୌସୁମୀ ଅଧିବେଶନ ?

ବିଧାନସଭା ପରିସର ନା ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ହେବ ଅଧିବେଶନ । ଏନେଇ ପୁଣି ଆରମ୍ଭ ହୋଇଛି ବିଚାରବିମର୍ଷ । ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ସ୍ଥିର ହେବା ପରେ ଏ ଚର୍ଚ୍ଚା ଜୋର ଧରିଛି । କୋଭିଡ୍ ନିୟମ ଓ ସାମାଜିକ ଦୂରତା ବଜାୟ ରଖି ତୁରନ୍ତ ବିଧାନସଭା ଅଧିବେଶନ ଡକାଯାଉ ବୋଲି ବିରୋଧୀ ଦାବି କରିଛନ୍ତି । ତାରିଖ ସ୍ଥିର ହୋଇନଥିଲେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ପ୍ରସଙ୍ଗ ତାଲିକା ସହ  ଗୃହରେ ଶାସକ ଦଳକୁ ଘେରିବା ପାଇଁ ସଜବାଜ ଆରମ୍ଭ କରିଛନ୍ତି । ସେପଟେ ନିୟମ ଅନୁସାରେ ଅଧିବେଶନ ହେବ ଓ ବିରୋଧୀ ଯାହା ପ୍ରସଙ୍ଗ ଆଣିବେ ତାହା ଗୃହରେ ଆଲୋଚନା କରିବାକୁ ଶାସକ ଦଳ ପ୍ରସ୍ତୁତ ବୋଲି କହିଛି ବିଜେଡି ।

ସେପଟେ ବିଧାନସଭା ଅଧିବେଶନ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ତେବେ ତାରିଖ ସ୍ଥିର ହେବା ପରେ ଅଧିବେଶନ ବିଧାନସଭା ଭିତରେ ବସିବ କି ବାହାରେ ବସିବ ତାହା ସ୍ଥିର ହେବ । ଏହାସହ ଅଧିବେଶନରେ ଗଣମାଧ୍ୟମକୁ ଅନୁମତି ଦିଆଯିବ କି ନାହିଁ ସେ ନିଷ୍ପତ୍ତି ନିଆଯିବ ।

କୋଭିଡ୍ ୧୯ ଯୋଗୁଁ ପ୍ରଥମଥର ଲାଗି ବଜେଟ୍ ଅଧିବେଶନ ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ବସିଥିଲା । ତେବେ ସେଠାରେ ୧୩୭ ଜଣ ବସିବାର ବ୍ୟବସ୍ଥା ଅଛି । ଯଦି ଆବଶ୍ୟକ ପଡ଼ିବ ସେଠାରେ ଅଧିବେଶନ ବସିପାରେ । ସେହିପରି କୋଭିଡ଼ ନିୟମ ଭିତରେ ଅଧିବେଶନ କରିବାକୁ ହେଲେ ବିଧାନସଭାର ପ୍ରେସ୍ ଗ୍ୟାଲେରୀ ଓ ଦର୍ଶକ ଗ୍ୟାଲେରୀ ବ୍ୟବହାର କରି ବିଧାୟକ ବସିବାର ବ୍ୟବସ୍ଥା ହୋଇପାରେ ବୋଲି କହିଛନ୍ତି ବାଚସ୍ପତି । ବର୍ଷକୁ ୬୦ ଦିନ ବିଧାନସଭା ବସିବାର ନିୟମ ଥିବାରୁ ସେପ୍ଟେମ୍ବର ୩୦ ତାରିଖ ଭିତରେ ଅଧିବେଶନ ବସିବା ନିଶ୍ଚିତ ।

୩୩୦୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ, କ୍ୱାରେଣ୍ଟାଇନରେ ୪ ହଜାର ୬ ଶହ

ୱାଶିଂଟନ୍: ସଂକ୍ରମଣ ଭିତରେ ଶିକ୍ଷାଦାନ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା ଭାଇରସ୍ ସଂକ୍ରମଣର ଶିକାର ହୋଇଛନ୍ତି ସଂଖ୍ୟାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ । ମହାମାରୀ କରୋନା ସଂକ୍ରମଣ ଭିତରେ ଆମେରିକାରେ ସ୍କୁଲ, କଲେଜ ଖୋଲିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଷ୍ପତ୍ତି ନେଇଥିଲେ । ଶିକ୍ଷାଦାନ ଆରମ୍ଭ ହେବା ପରେ ଆମେରିକାର ୨୪ ରାଜ୍ୟର ସ୍କୁଲ, କଲେଜରୁ ପଜିଟିଭ୍ ମାମଲା ଆସୁଛି । ପ୍ରାୟ ୩ ହଜାର ୩ ଶହ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । କେବେଳ ମିସିସିପି ରାଜ୍ୟରେ ୪ ହଜାର ଛାତ୍ରଛାତ୍ରୀ ଓ ୬ ଶହ ଶିକ୍ଷକଙ୍କୁ ସଂଗରୋଧରେ ରଖାଯାଇଛି ।

ମିସିସିପିରେ ଅଗଷ୍ଟ ୧୭ରୁ ୨୧ ଅଗଷ୍ଟ ମଧ୍ୟରେ ବିଦ୍ୟାଳୟରେ ୧୪୪ ଶିକ୍ଷକ ଏବଂ ୨୯୨ ଛାତ୍ର ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଥାମଁସ ଇ ଡଁବ୍ସଙ୍କ କହିବା ଅନୁସାରେ ୩୧ଟି ବିଦ୍ୟାଳୟରେ ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ପରିସ୍ଥିତିକୁ ନଜରରେ ରଖି ଛାତ୍ର, ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି ।

ଅଲବାମା ବିଶ୍ୱବିଦ୍ୟାଳୟରେ କ୍ଲାସ ଆରମ୍ଭ ହେବାର ମାତ୍ର ଏକ ସପ୍ତାହ ମଧ୍ୟରେ କରୋନାରେ ୫୬୬ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମାର୍ଚ୍ଚ ଖରା ଛୁଟି ଶେଷ ହେବା ପରେ ୨୦ ହଜାର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟକୁ ଆସିବା ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଦକ୍ଷିଣ କୋରିଆର ସିୟୋଲରେ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖାଯାଇଛି ।

ଝିଅ ଘରକୁ ରାଧାଷ୍ଟମୀ ଭାର ନେଇ ଯାଉଥିଲେ, ଅଧାବାଟରେ ଭସାଇ ନେଲା ପାହାଡ଼ ପାଣି

ବାଲେଶ୍ୱର: ଲଗାଣ ଲଘୁଚାପ ବର୍ଷାରେ ଉବୁଟୁବୁ ଓଡ଼ିଶା । ତୁହାକୁ ତୁହା ବର୍ଷା ଛେଚୁଛି । ବର୍ଷା ଭୟକୁ ଖାତିର୍ ନକରି ଧାର ଟଙ୍କାରେ ଝିଅ ଘରକୁ ରାଧାଷ୍ଟମୀ ଭାର ବାନ୍ଧିଥିଲେ । ଝିପି ଝିପି ବର୍ଷାରେ ଭାର ଧରି ସାଇକେଲରେ ଝିଅ ଘରକୁ ଖୁସି ଖୁସିରେ ବାହାରିଥିଲେ କରୁଣାକର । ହେଲେ, ଅଧାବାଟରେ ଘଟିଗଲା ଅଘଟଣ । ହଠାତ୍ ବନ୍ୟାପାଣି ସୁଅରେ ଭାସିଗଲେ ବାପା, ଭାସିଗଲା ଭାର ।

ମନକୁ ବିବ୍ରତ କରି ଦେଉଥିବା ଏ ଖବର ବାଲେଶ୍ୱର ଜିଲ୍ଲାର । ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ବାଙ୍କିଶୋଳ ଗାଁର କରୁଣାକର ବର୍ଷାକୁ ଖାତିର୍ ନକରି ଝିଅ ପାଇଁ ଭାର ବାନ୍ଧିଥିଲେ । ୨ ହଜାର ଟଙ୍କା ଯୋଗାଡ଼ କରି ଆମ୍ବ, ପିଠା, ଶାଢ଼ି ଆଦି ରାଧାଷ୍ଟମୀ ଭାରରେ ରଖିଥିଲେ । ତାପରେ ସାଇକେଲରେ ଭାରକୁ ଧରି ବାହାରିଥିଲେ ଝିଅ ଘର ବରହମପୁର । ଲଗାଣ ବର୍ଷା ହେଉଥିବାରୁ ପାହାଡ଼ରୁ ପାଣି ଆସି ରାସ୍ତାରେ ଚାଲୁଥିଲା । ସେହି ପାଣିକୁ କାଟି ଆଗକୁ ଝିଅ ଘରକୁ ଗଡ଼ୁଥିଲା କରୁଣାକରଙ୍କ ସାଇକେଲର ଚକ ।

ହଠାତ୍ ପାହାଡ଼ରୁ ଜୋରରେ ପାଣି ସୁଅ ଆସିଲା । ଆଉ ସେଇ ବନ୍ୟାପାଣି ସୁଅରେ ଭାର ସାଇକେଲ ସହ ଭାସିଗଲେ କରୁଣାକର । ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଲୋକ ଏହା ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଲୋକଙ୍କ ଦ୍ୱାରା କରୁଣାକର କୌଣସି ମତେ ବଞ୍ଚିଯାଇଛନ୍ତି । ହେଲେ ଭାସିଯାଇଛି ଝିଅ ଘରକୁ ନେଇ ଯାଉଥିବା ଭାର ଓ ସାଇକେଲ ।

ଦାଉଦର ଏକ ଛୋଟିସି ଲଭ୍ ଷ୍ଟୋରି, ୨୭ ବର୍ଷ ସାନ ପାକ୍ ହିରୋଇନଙ୍କ ପ୍ରେମରେ ଉବୁଟୁବୁ ମାଫିଆ ଡନ୍

ନୂଆଦିଲ୍ଲୀ: ମାଫିଆ ଡନ୍ ଦାଉଦ୍ ଇବ୍ରାହିମ୍ ପୁଣି ଥରେ ନିଜ ରଙ୍ଗିଲା ମିଜାଜ୍ ପାଇଁ ଚର୍ଚ୍ଚା ଭିତରକୁ ଆସିଛି । ଫିଲ୍ମ ହିରୋଇନଙ୍କ ସହ ଆଫେୟାର୍ସକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ଦାଉଦ୍ ଏବେ ନିଜଠାରୁ ୨୭ ବର୍ଷ ଶାନ ଜଣେ ପାକିସ୍ତାନୀ ହିରୋଇନଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି । ଏହି ହିରୋଇନଙ୍କ ନାମ  ମହବିଶ ଖାନ୍ । ମହବିଶ ପାକିସ୍ତାରନେ ’ଗ୍ୟାଙ୍ଗଷ୍ଟର ଗୁଡିଆ’ ନାମରେ ପରିଚିତ ।

ମହବିଶା ପ୍ରଥମ ପାକିସ୍ତାନୀ ଆକ୍ଟ୍ରେସ ନୁହଁ ଯାହାର ନାମ ଦାଉଦ ସହ ଯୋଡା ଯାଇଛି । ଦାଉଦର ବୟସ ୬୭ ହୋଇଥିବା ବେଳେ ମହବିଶଙ୍କ ବୟସ ୪୦ । ମାନେ ଦାଉଦଠାରୁ ସେ ୨୭ ବର୍ଷ ସାନ । ମହବିଶଙ୍କ ଫିଲ୍ମକୁ ଦାଉଦ୍ ଫାଇନାନ୍ସ କରୁଛି । ମହବିଶଙ୍କର ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଭଲ ସଂପର୍କ ରହିଛି ।

ଦାଉଦ ସହ ମହବିଶଙ୍କ ନାମ ଯୋଡା ହେବା ପରେ ତାଙ୍କୁ ଅନଲାଇନରେ ଟ୍ରୋଲ୍ କରାଯାଉଛି ।  ତେବେ ମହବିଶଙ୍କ କହିବା ହେଲା ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ନିକଟରେ ମହବିଶଙ୍କୁ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ତମଗା-ଏ-ପାକିସ୍ତାନ ଦିଆଯାଇଥିଲା ।

ମହବିଶ ପୂର୍ବରୁ ଦାଉଦର ନାମ ପାକ୍ ଅଭିନେତ୍ରୀ ଅନିତା ଆୟୁବଙ୍କ ସହ ଯୋଡା ଯାଉଥିଲା । ଅନିତା ଆୟୁବ ସହ ଦାଉଦର ସମ୍ପର୍କ ସେତେବେଳେ ଜଣା ପଡିଥିଲା ଯେତେବେଳେ ପ୍ରଡ୍ୟୁସର ଜାବେଦ ସିଦ୍ଦିକିଙ୍କ ହତ୍ୟା ହୋଇଥିଲା । ଜାବେଦ ଅନିତାଙ୍କୁ ଫିଲ୍ମ ଦେଇ ନଥିବାରୁ ତାଙ୍କର ହତ୍ୟା ହୋଇଥିଲା ।

ଆଇଟମ ନମ୍ବରରୁ କ୍ୟାରିୟର ଆରମ୍ଭ କରିଥିବା ମହବିଶ ବଲିଉଡ୍ ବିରୋଧରେ ବୌଦ୍ଧିକ ସମ୍ପତି ଚୋରିର ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ । ଏବେ କିନ୍ତୁ ତାଙ୍କ ନାମ ଛୋଟକାଟିଆ ଚୋର ନୁହେଁ ଦୁନିଆର ସବୁଠୁ ବଡ ଡ୍ରଗ୍ ମାଫିଆ ଓ ଆତଙ୍କବାଦୀ ସହ ଯୋଡି ହୋଇଛି ।

ଏପଟେ ଛେଚୁଛି ସେପଟେ ଆଶ୍ୱାସନା: ରାଜ୍ୟରେ ବନ୍ୟା ଆଶଂକା ନଥିବା କହିଲେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ହାରାହାରି ୬ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା  । ଜୁନ ୧ରୁ ଅଗଷ୍ଟ ୨୬ ମଧ୍ୟରେ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି । ୪ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୧୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ବାକି ୨୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ବୋଲି କହିଛନ୍ତି ଏସଆରସି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୭୬.୬ ମିମି ବର୍ଷା ହୋଇଥିବା ବେଳେ ୯ଟି ଜିଲ୍ଲାରେ ୧୦୦ ମିମିଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୮.୩ ମିମି ବର୍ଷା ହୋଇଛି । ୪ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି ୯୨ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି ବୋଲି ସୂଚନା ଦେଇଛନ୍ତି ଏସଆରସି ।

ସେପଟେ ରାଜ୍ୟର ତଳି ଅଞ୍ଚଳରେ ପାଣି ଜମିଛି । ଚାଷ ଜମିରେ ବି ପାଣି ଜମିଛି । ସେ ସମସ୍ତ ଅଞ୍ଚଳକୁ ଏନିଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ୍ ପଠାଯାଇଛି । ଶୁଖିଲା ଖାଦ୍ୟ ମହଜୁଦ ଅଛି । ଆବଶ୍ୟକ ହେଲେ ଯୋଗାଇ ଦିଆଯିବ । ବୈତରଣୀରେ ବନ୍ୟା ଆଶଙ୍କା ରହିଛି । ଜିଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଅମାବାସ୍ୟା କି ପୂର୍ଣ୍ଣିମା ନାହିଁ । ତେଣୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇଯିବ । ଅତି ବେଶୀରେ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳର ତଳି ଅଞ୍ଚଳରେ ପାଣି ଜମି ରହିବ । ମହାନଦୀରେ ପାଣି ଆସିବ କିନ୍ତୁ ବନ୍ୟା ଆଶଙ୍କା ନାହିଁ । କି ଏବେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ । ଲଗାଣ ବର୍ଷା ନେଇ ଏପରି ଆଶ୍ୱାସନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ଉପକୂଳ ଓଡ଼ିଶାରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି । ଅବିଭକ୍ତ କୋରାପୁଟ ଓ ଗଂଜାମ ଜିଲ୍ଲାକୁ ଛାଡ଼ି ସବୁଠି ୧୦୦ ମିଲିମିଟର ବର୍ଷା ହୋଇଛି । କୋଷ୍ଟାଲ ଅଞ୍ଚଳରେ ୧୫୦ ମିଲିମିଟର ବର୍ଷା ହୋଇଛି । ବୈତରଣୀ ଉପରମୁଣ୍ଡ ଚମ୍ପୁଆରେ ୨୦୧ ମିଲିମିଟର, ଠାକରୁମୁଣ୍ଡା ୧୯୩ ମିଲିମିଟର, ସ୍ୱୟଂପାଟଣାରେ ୧୭୬.୪  ମିଲିମିଟର ବର୍ଷା ହୋଇଛି । ଆଖୁଆପଦାଠାରେ ବିପଦ ସଂକେତ ଉପରକୁ ଯାଇଛି । ଦୁଇ ଦିନ ବର୍ଷା ଯୋଗୁ ନିଷ୍କାସନ ଅସୁବିଧା ହୋଇପାରେ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ତେବେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା ରହିଛି । ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଅଛି । ବୈତିରଣୀରେ ସବୁ ଜାଗାରେ ବନ୍ଧ ସୁଦୃଢ ଅଛି । ବ୍ରାହ୍ମଣୀ ନଦୀରେ ବି ପାଣି ଆସିବ କିନ୍ତୁ ବନ୍ୟା ଆଶଙ୍କା ଏ ପର୍ଯ୍ୟନ୍ତ ନାହିଁ । ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳ ସ୍ତର । ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ଅନ୍ୟପଟେ ହୀରାକୁଦର ୧୨ଟି ଗେଟ ଖୋଲା ଅଛି । ୨ ଲକ୍ଷ ୨୮ହଜାର ୮୮୮ କ୍ୟୁସେକ ଜଳ ହୀରାକୁଦରେ ପ୍ରବେଶ କରୁଛି । ୨ ଲକ୍ଷ ୧୯ ହଜାର ୩୫୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଜାଣନ୍ତୁ MDMA ଡ୍ରଗ୍ସ କ’ଣ ? ଯାହାକୁ ରିୟା ସୁଶାନ୍ତଙ୍କୁ ଦେଇଥିବା କୁହାଯାଉଛି..

ମୁମ୍ବାଇ: ହ୍ୱାଟ୍ସାଆପ ଚ୍ୟାଟରେ MDMA ଡ୍ରଗ୍ସ ବିଷୟରେ ରିୟା ଆଲୋଚନା କରିଥିବା କୁହାଯାଉଛି । ମୁମ୍ବାଇରେ ସେଲିବ୍ରିଟୀଙ୍କ ମଧ୍ୟରେ ଏବଂ ପାର୍ଟିରେ MDMA ଡ୍ରଗ୍ସ ପ୍ରଚୁର ମାତ୍ରାରେ ନିଆଯାଏ । ଏହା ପାର୍ଟି ଡ୍ରଗ୍ସ ଭାବରେ ମଧ୍ୟ ଜଣାଶୁଣା । ଏହାର ସର୍ଟ ଫର୍ମ MD । ଗୋଟିଏ ବଟିକାର ମୂଲ୍ୟ ୧ ହଜାର ଟଙ୍କା, କିନ୍ତୁ ପାର୍ଟି ହିସାବରେ ଏହାର ମୂଲ୍ୟ ଧାର୍ଯ୍ୟ  କରାଯାଏ ।ଏହା ଇଉରୋପରୁ ମୁମ୍ବାଇ ଚୋରା ଚାଲାଣ ହୋଇଥାଏ ।


୧୦ ଅଗଷ୍ଟକୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହାତରେ ଧରା ପଡ଼ିଥିଲା MDMA  ଡ୍ରଗ୍ସ ଚୋରା ଚାଲାଣ । ଯେଉଁଥିରେ ନିହାଲ ନାମକ ଜଣେ DJ ଗିରଫ ହୋଇଥିଲେ ।

କ’ଣ ଏହି ଏମଡିଏମଏ?

ଏହାର ଅର୍ଥ Methyl​enedioxy ​methamphetamine । ଏହା ଏକ ପାର୍ଟି ଡ୍ରଗ୍ସ ଏବଂ ଏହା ମାନସିକ ସ୍ତରରେ ପ୍ରଭାବ ପକାଇଥାଏ । ଉତ୍ସାହିତ କରିବା ସହିତ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି କରେ ଏବଂ ଶକ୍ତି ଓ ଶାନ୍ତିର ଭ୍ରମ ସୃଷ୍ଟି କରାଏ । UNODCର ଓ୍ୱର୍ଲଡ ଡ୍ରଗ ରିପୋର୍ଟ ୨୦୨୦ ଅନୁସାରେ ଏହାକୁ ପୂର୍ବରୁ ଓ୍ୱେଷ୍ଟର୍ଣ୍ଣ ଏବଂ ସେଣ୍ଟ୍ରାଲ ଇଉରୋପରେ ପ୍ରସ୍ତୁତ କରାଯାଉଥିଲା ।


ଇଉରୋପରେ ଦୁନିଆରେ ଥିବା ଦୁଇ ତୃତୀୟାଂଶ ଡ୍ରଗ୍ସ ଉତ୍ପାଦନ ହୋଇଥାଏ । ଯଦିଓ ଏବେ ଏହାକୁ ବେଲଜିୟମରୁ ମଗା ଯାଉଛି, କିନ୍ତୁ ଏହାର ସୋର୍ସ ଇଉରୋପ ବୋଲି କୁହାଯାଏ ।


ଯଦି ୨୦୦୯ରୁ ୨୦୧୮ ମଧ୍ୟରେ ଆକଳନ କରିବା ତେବେ ସାରା ବିଶ୍ୱରେ ସିଜ କରାଯାଇଥିବା ଡ୍ରଗ୍ସ ଦୁଇ ଗୁଣା ହେଉଛି MDMA । ଏଥିରୁ ଏଭଳି ସିନ୍ଥେଟିକ ଡ୍ରଗ୍ସର ଲୋକପ୍ରିୟତା ବଢୁଥିବା ଜଣାପଡ଼େ ।


ଖବର ଅନୁସାରେ ନିକଟରେ ରିୟାଙ୍କ କିଛି ହ୍ୱାଟ୍ସାଆପ ମେସେଜ ଭାଇରାଲ ହୋଇଛି, ଯେଉଁଥିରେ ରିୟା ଡ୍ରଗ୍ସ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଏହାକୁ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହିତ ଜଡ଼ିତ କରି ତର୍ଜମା କରାଯାଉଛି । କିନ୍ତୁ ରିୟାଙ୍କ ଓକିଲଙ୍କ ଦାବି ରିୟା କେବେ ମଧ୍ୟ ଡ୍ରଗ୍ସ ନେଇ ନାହାଁନ୍ତି ଏବଂ ସେ ରକ୍ତ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଗଣମାଧ୍ୟମର ଖବର ଅନୁସାରେ ୧୭ ଅପ୍ରେଲରେ ରିୟା ଚକ୍ରବର୍ତ୍ତୀଙ୍କୁ ମିରାଣ୍ଡା ସୁଶୀ ନାମକ ବ୍ୟକ୍ତି ମେସେଜ ଲେଖିଥିଲେ କି, ହାଏ ରିୟା, ମାଲ ପାଖାପାଖି ଶେଷ ହୋଇଗଲାଣି । ଏହାପରେ ଲେଖିଛନ୍ତି କି, କ’ଣ ମୁଁ ଏହାକୁ ସୌଭିକର ବନ୍ଧୁ ଠାରୁ ନେଇ ପାରିବି ? କିନ୍ତୁ ତା ପାଖରେ କେବଳ ହ୍ୟାଶ ଏବଂ ବଡ୍ ଅଛି ।

୨୫ ନଭେମ୍ବର ୨୦୧୯ରେ ରିୟାଙ୍କର ଜୟା ଶାହଙ୍କ ସହିତ ହୋଇଥିବା ଏକ ଚ୍ୟାଟ ସାମ୍ନାକୁ ଆସିଛି । ଯେଉଁଥିରେ ଡ୍ରଗ୍ସକୁ କେଉଁଭଳି ନେବା ଦରକାର ତାହା ରିୟା ଜୟାଙ୍କୁ ମେସେଜ କରିଛନ୍ତି ।

ବଢ଼ିଲା JEE, NEET ପରୀକ୍ଷା ଘୁଞ୍ଚାଇବାକୁ ଦାବି: ବିରୋଧୀଙ୍କ ବୈଠକରେ ସାମିଲ ହେବେନି ଓଡ଼ିଶା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି JEE ଓ NEET ପରୀକ୍ଷା . ତେବେ ପରୀକ୍ଷା ହେଲେ ଅନେକ ସମସ୍ୟାରେ ପଡିବେ ଛାତ୍ରଛାତ୍ରୀ ତେଣୁ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଛନ୍ତି ବିରୋଧି । ଗୋଟେପଟେ ମୋଦି ସରକାର ଏହି ଦୁଇଟି ପରୀକ୍ଷାକୁ ଠିକ୍ ସମୟରେ କରିବାକୁ ଜିଦ୍ ଧରି ବସିଥିବା ବେଳେ ଅନ୍ୟପକ୍ଷରେ ପରୀକ୍ଷା ସ୍ଥଗିତ ରଖିବାକୁ କଂଗ୍ରେସ ରାଜ ରାସ୍ତାରେ ଓହ୍ଲାଇଛି । ଦିଲ୍ଲୀର ଶାସ୍ତ୍ରୀ ଭବନ ବାହାରେ, ଏନଏସୟୁଆଇ କର୍ମୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନସନରେ ବସିଛନ୍ତି।

ଏ ନେଇ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ ଡାକିଛନ୍ତି  । ଅପରାହ୍ନରେ ହେବାକୁ ଥିବା ଏହି ବୈଠକରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରମୁଖ ଯୋଗଦେବେ ବୋଲି ଜଣାପଡିଛି । ଯେଉଁଥିରେ JEE ଓ NEET ପରୀକ୍ଷା ନେଇ ଆଲୋଚନା କରାଯିବ ।

ତେବେ ଏହି ବୈଠକରେ ସାମିଲ ହେବେନି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ବିଏସପି, ଆମ ଆଦମ ପାର୍ଟି ସମେତ ଅନ୍ୟ ବିରୋଧି ଦଳ ମଧ୍ୟ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଆସୁଛନ୍ତି । କରୋନା ବିପକ୍ଷରେ ସାରା ଦେଶରେ ଲଢେଇ ଜାରି ରହିଛି । ଏଭଳି ସମୟରେ ପରୀକ୍ଷା ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡିବ ବୋଲି ବିରୋଧି କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କେନ୍ଦ୍ର ସରକାର JEE ଓ NEET ପରୀକ୍ଷା କରିବା ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ JEE ପରୀକ୍ଷା ହେବାକୁ ଥିବାବେଳେ ସେପ୍ଟେମ୍ବର ୧୩ ତାରିଖରେ ହେବ NEET ପରୀକ୍ଷା । ପ୍ରାୟ ୨୫ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିବେ । ତେବେ କରୋନା ସମୟରେ ଏହି ପରୀକ୍ଷାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଅନ୍ୟପଟେ ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି NTA ସ୍ପଷ୍ଟ କରିଛି ।