ନାଗୁଣୀ କ’ଣ ସତରେ ନାଗ ମୃ୍ତ୍ୟୁର ପ୍ରତିଶୋଧ ନିଏ ?

ଭୁବନେଶ୍ବର: ଭାରତୀୟ ସମାଜରେ ସାପକୁ ପୂଜା କରାଯାଏ । ନାଗକୁ ଦେବତା ତୁଲ୍ୟ ମାନିଥାନ୍ତି ଲୋକେ । କିଏ ଦୁଧ ପିଆଏ ତ କିଏ ସେମାନଙ୍କ ରହିବା ସ୍ଥାନରେ ପୂଜାର୍ଚ୍ଚନା କରିଥାଏ । ନାଗ ସାପକୁ ନେଇ ଭାରତୀୟ ସମାଜରେ ବହୁତ କିଛି ମାନ୍ୟତା ରହିଛି । ବିଶ୍ବାସ ରହିଛି ନାଗ ସାପକୁ ମାରିବାର ଅର୍ଥ ମୃତ୍ୟୁକୁ ଆମନ୍ତ୍ରଣ କରିବା । କାରଣ ନାଗକୁ ହତ୍ୟା କରିବା ପରେ ନାଗୁଣୀ ଏହାର ପ୍ରତିଶୋଷ ନେଇଥାଏ ଓ ହତ୍ୟାକାରୀକୁ ଖୋଜି ଖୋଜି ମାରିଥାଏ ।

ଅଷ୍ଟ୍ରେଲିଆର ପ୍ରସିଦ୍ଧ ଭିକ୍ଟୋରିଆ ମ୍ୟୁଜିୟମରେ ରହିଛି ସବୁଠାରୁ ଅଧିକ ପ୍ରଜାତୀର ସପା । ବହୁ ସମୟରେ ସାପକୁ ନେଇ ଏଠାରେ ସର୍ଭେ କରାଯାଇଥାଏ । ଯାହାର ରିପୋର୍ଟ ଏହାର ଓ୍ବେବସାଇଟରୁ ଆପଣଙ୍କୁ ମିଳିଯିବ । ମ୍ୟୁଜିୟମ ପକ୍ଷରୁ ନାଗ ହତ୍ୟାର ନାଗୁଣୀ ପ୍ରତିଶୋଧ ନେବାକୁ ନେଇ ମଧ୍ୟ ସର୍ଭେ କରାଯାଇଛି । ଯେଉଁଥିରେ ଏପରି ଭାବନାକୁ ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି କୁହାଯାଇଛି । ସର୍ଭେ ରିପୋର୍ଟ ଅନୁସାରେ, ସାପଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ନଥାଏ । ସେମାନଙ୍କ ପାଖରେ ହତ୍ୟାକାରୀକୁ ଚିହ୍ନିବା ଭଳି ମେମୋରୀ ପାଓ୍ବାର ନଥାଏ ।

କେବଳ ସାପଙ୍କୁ ନେଇ ଏହି ଗୋଟିଏ ବିଶ୍ବାସ ନୁହେଁ, ଅନେକ କଥା ରହିଛି । ଯାହା ଉପରେ ମ୍ୟୁଜିୟମ ପକ୍ଷରୁ ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ କରାଯାଇଛି । ଆସନ୍ତୁ ଜାଣିବା ସାପକୁ ନେଇ ଲୋକଙ୍କ ମଧ୍ୟରେ ଥିବା ବିଶ୍ବାସ, କେତେ ସତ କେତେ ମିଛ ।

ସାପ ଖିର ପିଇଥାଏ

କେବଳ ଭାରତ ନୁହେଁ ସାରା ଦୁନିଆରେ ବିଶ୍ବାସ ରହିଛି ସାପ ଖିର ପିଇଥାଏ । ବାସ୍ତବରେ ଏହା ସମ୍ପୂର୍ଣ୍ଣ ମିଛ । ରିପୋର୍ଟ ଅନୁସାରେ ସାପଙ୍କ ପାଖରେ ଦୁଗ୍ଧ ଜାତୀୟ ପଦାର୍ଥ ହଜମ କରିବାର ଶକ୍ତି ନଥାଏ । ସେମାନେ ଏହାକୁ ହଜମ କରିପାରି ନଥାନ୍ତି । ତେଣୁ ସେମାନେ ଦୁଗ୍ଧ ଜାତୀୟ ପାନୀୟ ପିଇବାକୁ ଇଚ୍ଛା କରିନଥାନ୍ତି । ହେଲେ ଯଦି ସେମାନେ ଶୋଷିଲା ଥିବେ ଯାହା ମିଳେ ପିଇ ନେଇଥାନ୍ତି ।

ମୁଣ୍ଡକଟା ସାପ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବଞ୍ଚିଥାଏ

ବିଶ୍ବାସ ରହିଛି, ସାପର ମୁଣ୍ଡ କାଟି ଦେଲେ ବି ସାପ ନ ମରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବଞ୍ଚି ରହିଥାଏ । ହେଲେ, ଏହି ବିଶ୍ବାସ ଠିକ ନୁହେଁ । ମୁଣ୍ଡ କାଟିବାର କିଛି ସମୟ ପରେ ହିଁ ସାପର ମୃତ୍ୟୁ ଘଟିଥାଏ । ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମୁଣ୍ଡକଟା ସାପ ବଞ୍ଚିବ ଅସମ୍ଭବ ।

ଛୁଆଙ୍କୁ ଗିଳି ସେମାନଙ୍କ ଜୀବନ ବଞ୍ଚାଏ

ବିପଦ ପଡ଼ିଲେ ମାଆ ସାପ ପିଲାଙ୍କୁ ଗିଳି ଦେଇ ସେମାନଙ୍କ ଜୀବନ ବଞ୍ଚାଇଥାଏ ବୋଲି ବିଶ୍ବାସ ରହିଛି । ହେଲେ ବାସ୍ତବରେ ଏହି ବିଶ୍ବାସରେ କୌଣସି ସତ୍ୟତା ନାହିଁ । ସତ ହେଲା, ବିଲୁପ୍ତ ହୋଇ ସାରିଥିବା ଗାଷ୍ଟ୍ରିକ ବ୍ରୋଡିଂ ବେଙ୍ଗ ଓ ମାଉଥ ବ୍ରୋଡିଂ ମାଛ ନିଜ ପିଲାଙ୍କୁ ଗିଳି ପାରୁଥିଲେ । ସାପ କାହାକୁ ଗିଳିଲେ ତାହା ପାଚକ ରସ ସମ୍ପର୍କରେ ଆସିବା ମାତ୍ରେ ତା’ର ମୃତ୍ୟୁ ଘଟିଥାଏ ।

ସାପ ଜୋଡ଼ାରେ ରୁହନ୍ତି

ବିଶ୍ବାସ ରହିଛି ସାପ ସବୁବେଳେ ଜୋଡ଼ାରେ ରହିଥାନ୍ତି । ହେଲେ ମ୍ୟୁଜିୟମ ରିପୋର୍ଟ ଅନୁସାରେ ଏଥିରେ କୌଣସି ସତ୍ୟତା ନାହିଁ । ସର୍ଭେ ରିପୋର୍ଟ ଅନୁସାରେ ସାପ ମିଳନ ସମୟରେ ଜୋଡ଼ାରେ ବୁଲିଥାନ୍ତି । ଅନ୍ୟ ସମୟରେ ସେମାନେ ଏକାଠି ରହି ନଥାନ୍ତି । ବଡ଼ ସାପ ସବୁ ବେଳେ ଛୋଟ ସାପକୁ ମାରି ଖାଇଯାଇଥାଏ ।

ସାପ ଶୁଣିପାରି ନଥାଏ

କୁହାଯାଏ ସାପର କାନ ନାହିଁ ଓ ସେ ଶୁଣିପାରି ନଥାଏ । ଯାହାକୁ ସମ୍ପୂର୍ଣ୍ଣ ରୂପେ ଅସ୍ବୀକାର କରିଛି ଭିକ୍ଟୋରିଆ ମ୍ୟୁଜିୟମର ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ସାପର କାନ ନାହିଁ କହିବା ଭୁଲ । ସାପର କାନ ଥାଏ । ଏହା ବାହାରକୁ ନ ବାହାରି ଭିତରେ ଥାଏ । ଉକ୍ତ କାନ ସାହାଯ୍ୟରେ ସାପ ମାଟିରେ ସୃଷ୍ଟି ହେଉଥିବା ସାମାନ୍ୟରୁ ସାମାନ୍ୟତମ କମ୍ପନକୁ ଜାଣିପାରିଥାଏ ।