କିନ୍ନରଙ୍କୁ ହକ୍ ଦେବାରେ ଓଡ଼ିଶା ପ୍ରଥମ, ସମାଜର ମୁଖ୍ୟସ୍ରୋତରେ ସାମିଲ ତୃତୀୟ ଲିଙ୍ଗୀ

ଭୁବନେଶ୍ୱର: କିନ୍ନରଙ୍କୁ ହକ୍‌ ଦେବାରେ ଓଡ଼ିଶା ପ୍ରଥମ । ସମାଜର ମୁଖ୍ୟସ୍ରୋତରେ ସାମିଲ ତୃତୀୟ ଲିଙ୍ଗୀ । ସରକାରଙ୍କ ବିଭିନ୍ନ ଯୋଜନାରେ ଭାଗିଦାର । ବଢାଇଛନ୍ତି ସହଭାଗିତାର ହାତ । ମିଳିଛି ସମ୍ମାନର ସହ ବଞ୍ଚିବାର ନ୍ୟାଯ୍ୟ ଅଧିକାର । ୨୦୧୪ରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ୧୪ ହଜାର କିନ୍ନରଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଥିଲେ । ମଧୁବାବୁ ପେନସନ୍ ଯୋଜନାରେ ମାସିକ ୫୦୦ ଟଙ୍କା ସହାୟତା ମିଳୁଛି । ଏହାସହିତ ବିଦ୍ୟାଳୟ ସ୍ତରରେ ପାଠ ପଢିବା ପାଇଁ ତୃତୀୟ ଲିଙ୍ଗୀଙ୍କୁ ମିଳୁଛି ମାସିକ ୩ ହଜାର ଟଙ୍କା । ଉଚ୍ଚଶିକ୍ଷା ପାଇଁ ବି ଦିଆଯାଉଛି ବୃତ୍ତି । ‘ ସ୍ବୀକୃତି’ ଯୋଜନା ଅନ୍ତର୍ଗତ  କିନ୍ନରଙ୍କ ଆର୍ଥିକ ବିକାଶ ଓ ସେମାନଙ୍କ ସଦସ୍ୟତାରେ ରାଜ୍ୟରେ ଗଢିଉଠିଛି ସ୍ବୟଂ ସହାୟକ ଗୋଷ୍ଠୀ । ଏବେ ପ୍ରତ୍ୟେକ ଏସଏଚଜିଙ୍କୁ ଆବର୍ତ୍ତନ ପାଣ୍ଠି ବାବଦରେ ମିଳୁଛି ୫୦ ହଜାର ଟଙ୍କା । ଆଗକୁ ଏହି ରାଶିର ପରିମାଣ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ ।

କିନ୍ନରଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ହୋଲ୍ଡିଂ ଟିକସ ଆଦାୟଠାରୁ ଆରମ୍ଭ କରି ଆବର୍ଜନା ପରିଚାଳନା, ପାର୍କିଂ ଫି ଆଦାୟ, ବସ୍ କଣ୍ଡକ୍ଟର୍ ଭଳି ନିଯୁକ୍ତି ମିଳିଛି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିଥିବା ବଡ଼ ବଡ଼ କର୍ପୋରେଟ୍ କମ୍ପାନୀରେ କିନ୍ନରଙ୍କୁ ମିଳିଛି ଲୋକୋ ପାଇଲଟ୍ ନିଯୁକ୍ତି । କିନ୍ନରଙ୍କୁ ସାମାଜିକ ନ୍ୟାୟ ଯୋଜନାରେ ଆର୍ଥିକ ବିକାଶ କ୍ଷେତ୍ରରେ ଅଗ୍ରଣୀ କରିବାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି କିନ୍ନର ସମାଜ । ତୃତୀୟ ଲିଙ୍ଗୀ ଓଡ଼ିଶାରେ ପାଇଛନ୍ତି ମଣିଷ ପରି ବଞ୍ଚିବାର ଅଧିକାର । ସବୁ ବର୍ଗର ଆର୍ଥିକ ଓ ସାମାଜିକ ବିକାଶ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଯେଭଳି ଭାବେ ଓଡ଼ିଶା ସରକାର କିନ୍ନରଙ୍କୁ ସରକାରୀ ଯୋଜନା ସହିତ ସାମିଲ କରିଛନ୍ତି ତାହା ଅନ୍ୟ ରାଜ୍ୟ ପାଇଁ ସୃଷ୍ଟି କରିଛି ଉଦାହରଣ ।