spot_img
Home Blog Page 1812

ଅଭାବୀ ପରିବାର ପାଇଁ ଦେବଦୂତ ସାଜିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ଅଭାବୀ ପରିବାର ପାଖରେ ଦେବଦୂତ ସାଜିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଖବର ଶୁଣିବା ମାତ୍ରେ ତୁରନ୍ତ ସମାଧାନ କଲେ । କୁଆଁ କୁଆଁ ରାହା ଧରି ଦୁନିଆକୁ ଆସିଲା । ମାଆ କୋଳର ସ୍ପର୍ଶ ପାଇବା ପୂର୍ବରୁ ଏତେ ୟନ୍ତ୍ରଣା ପାଇବ ଭାବି ନଥିଲା । ମାଆର ପଣତ ନସିବ ହେଲାନି । ହସ୍ପିଟାଲ ବିଛଣାରେ ୯ ଦିନ ଧରି ପଡିରହିଲା । ସନ୍ତାନର କଷ୍ଟକୁ ଦେଖି ଭାଙ୍ଗିପଡିଥିଲା ପରିବାର । ନିଜ ଭାଗ୍ୟକୁ ନିନ୍ଦି, ଆଖିରୁ ଲୁହ ଗଡାଇ ଦିନ କାଟୁଥିଲେ ବାପା ମାଆ । ହେଲେ ଅଭାବୀ ପରିବାର ପାଖରେ ଦେବଦୂତ ଭଳି ଉଭାହେଲେ ବିଜେଡିର ବରିଷ୍ଠ ନେତା ତଥା ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏବେ ନିର୍ବାଚନର ବ୍ୟସ୍ତ ବହୁଳ ସିଡ୍ଯୁଲ ମଧ୍ଯରେ ବି ନିଷ୍ପାପ ଶିଶୁର ଦାୟିତ୍ବ ନେଲେ । ଶୀଘ୍ର ଚିକିତ୍ସା କରାଇବାକୁ ବ୍ୟବସ୍ଥା କରାଇଲେ  । ଏ କାହାଣୀ ଏକ ଗରିବ ପରିବାରର ।  ଗର୍ଭ ଯନ୍ତ୍ରଣା ହେବାରୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବେଗୁନିଆ ଅଞ୍ଚଳର ଭାରତୀ ନାୟକ । ଶିଶୁଟି ଜନ୍ମ ଦେବା ପରେ ବିଭିନ୍ନ ସମସ୍ୟା ଥିବା ଜାଣିବାକୁ ପାଇଥିଲେ । ସେଠାରୁ ସଙ୍ଗେ ସଙ୍ଗେ ଉଭୟ ମାଆ ଓ ଶିଶୁକୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ମଧ୍ୟ ନିରାଶ ଖବର ଶୁଣିବାକୁ ପଡିଥିଲା । ଶିଶୁଟିର ହୃଦୟରେ ସମସ୍ୟା ଥିବାରୁ ବଡ଼ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଖଟିଖିଆ ପରିବାର ପାଇଁ ଏହା ସମ୍ଭବ ହୋଇପାରିନଥିଲା ।

ଶେଷରେ ନିରୁପାୟ ହୋଇ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବଦେନ କରିଥିଲେ ଅସହାୟ ବାପା, ମାଆ । ଏ ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଶିଶୁଟିର ଚିକିତ୍ସା ପାଇଁ ଆଗେଇ ଆସିଥିଲେ କାର୍ତ୍ତିକ ପାଣ୍ଡିଆନ । ପରିବାର ସହ ଆଲୋଚନା କରିଥିଲେ ଏହା ପରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଥିଲେ । ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୁଅର ଜୀବନ ବଞ୍ଚିଯିବା ଆଶରେ ଏବେ ମାଆ, ବାପାଙ୍କ ମୁହଁରେ ଫୁଟିଛି ହସ । ହୃଦୟରୁ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଜଣାଇଛନ୍ତି ଧନ୍ୟବାଦ । ମଣିଷ ପଣିଆର ସବୁଠୁ ବଡ ଉଦାହରଣ ଏହି ଘଟଣା । ଜଣେ ଅଭାବୀ ମଣିଷର ସହାୟତା କରି କୋଟି କୋଟି ଜନତାଙ୍କ ହୃଦୟ ଜିତିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହି ଗୋଟିଏ ଘଟଣା ନୁହଁ ପୂର୍ବରୁ ମଧ୍ୟ ଅନେକ ଗରିବ ପରିବାରକୁ ସହାୟତା କରି ସେ ସାଉଁଟିଛନ୍ତି ପ୍ରଶଂସା ।

ହରିଆଣା ଗୁରୁଗ୍ରାମରେ ହାଇଭୋଲଟେଜ ଲଢେଇ

ନନ୍ଦିଘୋଷ ବ୍ୟୁରୋ : ହରିଆଣା ଗୁରୁଗ୍ରାମରେ ଏଥରେ ଦେଖିବାକୁ ମିଳିବ ହାଇଭୋଲଟେଜ ଲଢେଇ । ସେଠାରୁ ଭାଗ୍ଯ ପରୀକ୍ଷା କରୁଛନ୍ତି ଅଭିନେତା ରାଜ ବବର । ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ । ୨୦୦୯ରୁ ବର୍ତ୍ତମାନ ଯାଏ ସାଂସଦ ଅଛନ୍ତି ରାଓ ଇନ୍ଦ୍ରଜିତ ସିଂ । ସେ ୨୦୨୧ରୁ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଆସିଛନ୍ତି । ତାଙ୍କୁ ଟକ୍କର ଦେବା ଅଭିନେତା ରାଜ ବବର ଲାଗି ସହଜ ହୋଇ ନପାରେ । ଜନତା ଦଳ, ସମାଜବାଦୀ ପାର୍ଟି ପରେ କଂଗ୍ରେସରେ ଯୋଗ ଦେଇଥିଲେ ରାଜ । ୨୦୦୪ରେ ଆଗ୍ରାରୁ ସମାଜବାଦୀ ପାର୍ଟିର ଲୋକସଭା ସାଂସଦ ଥିଲେ ରାଜ ବବର । ପରେ ସେ କଂଗ୍ରେସରୁ ୨୦୦୯ରେ ଡିମ୍ପଲ ଯାଦବଙ୍କୁ ପରାସ୍ତ କରି ଫିଜୋଜାବାଦରୁ ବିଜୟୀ ହୋଇଥିଲେ । ସେ ଉତ୍ତରପ୍ରଦେଶ ପିସିସି ସଭାପତି ଥିଲେ ଏବଂ ରାଜ୍ଯସଭା ସାଂସଦ ବି ଥିଲେ ।

ସେପଟେ ହରିଆଣା ସିର୍ସାରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିଓ୍ବେଟ କୁମାରୀ ଶୈଳଜା । ସେ ଥରେ ରାଜ୍ଯସଭା ସାଂସଦ ଥିଲେ ଏବଂ କେନ୍ଦ୍ର ପର୍ଯ୍ୟଟନ, ସାମାଜିକ ନ୍ଯାୟ ବିଭାଗ ମନ୍ତ୍ରୀ ଥିଲେ । ଶୈଳଜାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ଅଶୋକ ତନଓ୍ବର । ସେ ସିର୍ସା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ଦୁଇ ଥର ହାରିଥିଲେ । ୨୦୦୯ରେ ସେ କଂଗ୍ରେସରୁ ବିଜୟୀ ହୋଇଥିଲେ । ତେଣେ ଉତ୍ତରପ୍ରଦେଶ ଫରିଦାବାଦରୁ ଭାଗ୍ଯ ପରୀକ୍ଷା କରୁଛନ୍ତି କେନ୍ଦ୍ର ଭାରୀ ଶିଳ୍ପ ଓ ଶକ୍ତିମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର । ସେ ୨୦୧୪ରେ ବି ଏହି ଆସନରୁ ବିଜୟୀ ହୋଇଥିଲେ । ଗୁର୍ଜରଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମହେନ୍ଦର ପ୍ରତାପ ସିଂ ।

ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନରେ କଡ଼ା ମୁକାବିଲା

ନୂଆଦିଲ୍ଲୀ : ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନ ଲାଗି ହେବ ଲଢେଇ । ଚାନ୍ଦିନୀଚୌକରେ ପ୍ରବୀଣ ଖଣ୍ଡେଲଓ୍ବାଲ ବିଜେପିରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଜୟ ପ୍ରକାଶ ଅଗ୍ରଓ୍ବାଲ । ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ ହର୍ଷବର୍ଦ୍ଧନ । ୨୦୦୪ରେ ବିଜୟୀ ହୋଇଥିଲେ କଂଗ୍ରେସର କପିଳ ସିବଲ । ଉତ୍ତର ପୂର୍ବ ଦିଲ୍ଲୀରେ ବିଜେପିର ମନୋଜ ତିଓ୍ବାରୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେର କହ୍ନେୟା କୁମାର । ୨୦୦୯ରେ ମନୋଜ ଗୋରଖପୁରରେ ଯୋଗୀ ଆଦିତ୍ଯନାଥଙ୍କ ବିରୋଧରେ ଲଢ଼ି ହାରିଥିଲେ । ୨୦୧୯ରେ କଂଗ୍ରେସର ଶୀଲା ଦୀକ୍ଷିତଙ୍କୁ କରିଥିଲେ ପରାସ୍ତ । କଂଗ୍ରେସର ଫାୟାର ବ୍ରାଣ୍ଡ ଲିଡର କହ୍ନେୟା କୁମାର । ସେ ସିପିଆଇରୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର । ପୂର୍ବ ଦିଲ୍ଲୀରେ ଆପରୁ ଲଢୁଛନ୍ତି କୁଳଦୀପ କୁମାର । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ହର୍ଷ ମାଲହୋତ୍ରା ।

ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ଅଛନ୍ତି ସ୍ବର୍ଗତା ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ । ତାଙ୍କୁ ଟକ୍କର ଦେଉଛନ୍ତି ଆପର ସୋମନାଥ ଭାରତୀ । ବର୍ତ୍ତମାନ ଦିଲ୍ଲୀର ବିଧାୟକ ଅଛନ୍ତି ସୋମନାଥ ଭାରତୀ । ଉତ୍ତର ପଶ୍ଚିମ ଦିଲ୍ଲୀରେ ଯୋଗେନ୍ଦ୍ର ଚାନ୍ଦୋଳିଆ ବିଜେପିରୁ ଲଢୁଥିବାବେଳେ କଂଗ୍ରେସରୁ ଲଢୁଛନ୍ତି ଉଦିତ ରାଜ । ୨୦୧୪ରେ ବିଜେପିରୁ ବିଜୟୀ ହୋଇଥିଲେ ଉଦିତ ରାଜ ।  ପରେ ବିଜେପି ଛାଡ଼ି କଂଗ୍ରେସରେ ହୋଇଥିଲେ ସାମିଲ । ଦକ୍ଷିଣ ଦିଲ୍ଲୀରୁ ସାହିରାମ ପେହେଲଓ୍ବାନ ଆପ୍ ପ୍ରାର୍ଥୀ ହୋଇଥିବାବେଳେ ରାମବୀର ସିଂ ବିଧୁରୀ ଅଛନ୍ତି ବିଜେପି ପ୍ରାର୍ଥୀ । ସେହିପରି ପଶ୍ଚିମ ଦିଲ୍ଲୀରେ କମଲଜିତ ଶେରାଓ୍ବତ ବିଜେପି ପ୍ରାର୍ଥୀ ଥିବାବେଳେ ମହାବଳ ମିଶ୍ର ହୋଇନ୍ତି ବିଜେପିରୁ ପ୍ରାର୍ଥୀ ।

ତୃତୀୟ ପର୍ଯ୍ୟାୟର ଓଡ଼ିଶାର ସବୁଠୁ ଚର୍ଚ୍ଚିତ ଆସନରେ ହେବ ଭୋଟିଂ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାଜ୍ଯରେ ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଆଜି ସନ୍ଧ୍ଯାରେ ପ୍ରଚାର ସରିବ । ଏଣୁ ଶେଷଦିନରେ ଘମାଘୋଟ ପ୍ରଚାର କରୁଛନ୍ତି ସବୁଦଳ । ଆସନ୍ତା ଶନିବାର ଏହି ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ବି ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ହେଉଥିବା ସମ୍ବଲପୁର, ଭୁବନେଶ୍ବର, ପୁରୀ ଓ କଟକ ଲୋକସଭା ଉପରେ ସମସ୍ତଙ୍କର ନଜର ରହିଛି । ସମ୍ବଲପୁରରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଲଢୁଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଏହାଛଡ଼ା ଏଠାରେ କଂଗ୍ରେସ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ସେହିପରି ପୁରୀରେ ଏଥର ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକଙ୍କ ମଧ୍ଯରେ ବଡ଼ ଲଢେଇ ଦେଖିବାକୁ ମିଳିବ । ଅନ୍ଯପଟେ ଅନ୍ଯତମ ଚର୍ଚ୍ଚିତ ଆସନ ପାଲଟିଛି ଭୁବନେଶ୍ବର । ଏଠାରେ ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ରିପିଟ କରିଥିବାବେଳେ ବିଜେଡି ମନ୍ମଥ ରାଉତରାୟଙ୍କୁ ମଇଦାନକୁ ଓହ୍ଲାଇଛି । କଂଗ୍ରେସ ତରଫରୁ ୟାସିର ନଓ୍ବାଜ୍ ଲଢେଇ କରୁଛନ୍ତି ।

ଅନ୍ଯପଟେ କଟକ ଆସନ ଉପରେ ବି ନଜର ରହିଛି । ଏଠାରେ ଭର୍ତ୍ତୃହରି ମହତାବଙ୍କୁ ବିଜେପି ଟିକେଟ ଦେଇଥିବାବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର । ଏହି ଲୋକସଭା ବ୍ଯତୀତ ଢେଙ୍କାନାଳ ଓ କେନ୍ଦୁଝରରେ ବି ସଭିଙ୍କର ନଜର ରହିଛି । ଅନ୍ଯପଟେ ତୃତୀୟ ପର୍ଯ୍ୟାୟରେ ଅନେକ ହାଇପ୍ରୋଫାଇଲ ବିଧାନସଭା ଆସନରେ ବି ଭୋଟିଂ ହେଉଛି । କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର, କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ରେ ଭୋଟ୍ ଗ୍ରହଣ ହେବ।

କଣ୍ଟାମାଳ ବିଧାନସଭା କ୍ଷେତ୍ରର ୨ଟି ବୁଥରେ ଚାଲିଛି ପୁନଃମତଦାନ

କନ୍ଧମାଳ : ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥରେ ହେଉଛି ପୁନଃମତଦାନ । କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କଣ୍ଟାମାଳ ବିଧାନସଭା କ୍ଷେତ୍ରର ୨୬ ନମ୍ବର ଏବଂ ୨୮ ନମ୍ବର ବୁଥରେ ରିପୋଲିଂ ହେଉଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୪ଟା ଯାଏଁ ମତଦାନ ହେବ । ପୁନଃମତଦାନ ନେଇ ପୂର୍ବରୁ ରାଜ୍ଯ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ଗତ ମେ’ ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଏହି ବୁଥ ଦ୍ବୟରେ ଉତ୍ତେଜନା ଓ ଗଣ୍ଡଗୋଳ ହୋଇଥିଲା । ଏଣୁ ନିର୍ବାଚନ ଆୟୋଗ ଏଠାରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେଇଥିଲେ।

ଆଠଗଡ଼ରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: କଟକର ଆଠଗଡ ବିଧାନସଭା ଆସନରେ ଏଥର ତ୍ରିମୁଖୀ ଲଢେଇ। ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ନୂଆ ମୁହଁ ଅଭୟ କୁମାର ବାରିକଙ୍କ ଉପରେ ଭରସା କରିଛି । ଏପଟେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଛନ୍ତି ଆଠଗଡର ପୂର୍ବତନ ବ୍ଲକ ସଭାପତି ସୁଦର୍ଶନ ସାହୁ। ସମସ୍ତ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କୁ ଧରି ଜୋରସୋରରେ ଚଲାଇଛନ୍ତି ପ୍ରଚାର ।

ରାଜ୍ଯ ରାଜନୀତିର ଗୁରୁତ୍ଵପୂର୍ଣ୍ଣ ନିର୍ବାଚନ ମଣ୍ଡଳି ମଧ୍ଯରୁ ଅନ୍ଯତମ ଆସନ ହେଉଛି ଆଠଗଡ଼। କାହାର ହେବ ଆଠଗଡ ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେଡିର ହେବ କି ବିଜୟ ନା ବିଜେପି କିମ୍ବା  କଂଗ୍ରେସର ଉଡିବ ବାନା । ଏଥର ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୧୧ ହଜାର ୪୯୦ଜଣ ଭୋଟର । ତିନି ପ୍ରମୁଖ ରାଜନୈତିକ ଦଳ ନିର୍ବାଚନୀ ବୈତରଣୀ ପାର ହେବାକୁ ଜୋରଦାର ଚଲାଇଛନ୍ତି ପ୍ରଚାର । ବାଇକ ରାଲି, ରୋଡ ଶୋ, କର୍ମୀ ସମ୍ମିଳନୀ ସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ  । ବିଜେଡି ପକ୍ଷରୁ ମଇଦାନରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଜେପିରୁ ଅଭୟ କୁମାର ବାରିକ ଓ କଂଗ୍ରେସରୁ ସୁଦର୍ଶନ ସାହୁ ପ୍ରାର୍ଥୀ ହୋଇଛନ୍ତି ।

୧୯୯୦ ପରଠାରୁ ଆଠଗଡ ବିଧାନସଭା ନିର୍ବାଚନମଣ୍ଡଳିରୁ ୭ ଥର ଲଢେଇ କରି ବିଜୟ ମୁକୁଟ ପିନ୍ଧିଛନ୍ତି ବିଜେଡିର ରଣେନ୍ଦ୍ର। ୨୦୦୯ ମସିହାରେ ରଣେନ୍ଦ୍ରଙ୍କ ପ୍ରାର୍ଥୀପତ୍ର ନାକଚ ହେବାରୁ ତାଙ୍କ ସମର୍ଥନରେ ରମେଶ ରାଉତ ବିଜୟ ଲାଭ କରିଥିଲେ । ୨୦୧୨ ଉପନିର୍ବାଚନରେ ପୁଣି ରଣେନ୍ଦ୍ର ବିଜେଡିରୁ ଲଢି ବିଧାୟକ ହୋଇଥିଲେ। ୨୦୧୯ ରେ ମଧ୍ଯ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ୯୮ ହଜାର ୧୧୪ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିରୁ ବଜେନ୍ଦ୍ର କୁମାର ରାୟ ୪୦ ହଜାର ୧୧୯, କଂଗ୍ରେସରୁ ଉମା ବଲ୍ଲଭ ରଥ ୧୦ ହଜାର ୯୩୪, ସ୍ଵାଧୀନ ପ୍ରାର୍ଥୀ ଅଭୟ କୁମାର ବାରିକ ୧୦ ହଜାର ୩୨୪ ଭୋଟ ପାଇଥିଲେ । ଏଥର ମଧ୍ଯ ବିଜେଡି ସପକ୍ଷରେ ଅଛି ହାୱା ।

 

 

ନବୀନଙ୍କ ରୋଡ୍ ଶୋ’ରେ ନାହିଁ ନଥିବା ଭିଡ଼,ମୁଖ୍ୟମନ୍ତ୍ରୀ ପଚାରିଲେ ’ଆପଣ ମାନେ ଖୁସି ତ ?

ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱରରେ ବୁଧବାର ରୋଡ୍ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଉତ୍ତର ବିଧାନସଭା ସୁଶାନ୍ତ ରାଉତ ଓ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ କରିଥିବା ରୋଡ୍ ଶୋ’ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ସାଲିଆ ସାହି ହେଉ କି ରେଣ୍ଟାଲ କଲୋନି ରାସ୍ତା ସବୁଠାରେ ଦେଖିବାକୁ ମିଳିଥିବା ଭିଡ଼ ।

ରୋଡ୍ ଶୋ’ ମଧ୍ୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମ୍ବୋଧନ କରିଥିଲା । ସମ୍ବୋଧନ କାଳରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣ ମାନେ ଭଲ ଅଛନ୍ତି ତ ? ଜୁଲାଇ ମାସରୁ ବିଲ୍ ଆସିବ ନାହିଁ । ବିଏସକେୱାଇ କାର୍ଡ୍ ସମସ୍ତଙ୍କୁ ମିଳିବ । ଆପଣ ମାନେ ଖୁସି ତ ? ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ ।

ଏହା ସହିତ ମୁଖ୍ୟମନ୍ତ୍ରୀ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ୨୦୧୯ରେ ଯେଉଁଭଳି ମୁଖ୍ୟମନ୍ତ୍ରୀଙ୍କ ଚିର ପରିଚିତ ଆପଣ ମାନେ ଖୁସି ତ ଭୋଟରଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା,୨୦୨୪ରେ ମଧ୍ୟ ତାହା ସେହିଭଳି ଥିବା ଲାଗୁଛି ।

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ହେବ ବଡ଼ ଲଢ଼େଇ

ନନ୍ଦିଘୋଷ ବ୍ୟୁରୋ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳିରେ ବିଗ୍ ଫାଇଟ୍ । କିଏ ହାତେଇବ ଆଠମଲ୍ଲିକ ଆସନ ? କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଆସନ୍ତା ୨୫ରେ ଏଠାରେ ପଡିବ ଭୋଟ । ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ଯରେ କଡା ଟକ୍କର ହୋଇପାରେ। ତେବେ ଜନତାଙ୍କ ମତ ହେଲା-ବିକାଶ ଯେଉଁଠି,ଭୋଟ ସେଇଠି ।

ସଭା, ସମିତି ଶୋଭାଯାତ୍ରା । ବିଶାଳ ବାଇକ ରାଲି ସାଙ୍ଗକୁ ଜିନ୍ଦାବାଦ ନାରାରେ କମ୍ପୁଛି ଗାଁ ଦାଣ୍ଡ । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳିରେ ବଢିବାରେ ଲାଗିଛି ନିର୍ବାଚନୀ ପାରଦ । ୨୦୦୦ ମସିହାରୁ ବିଜେଡିର ଅଭେଦ୍ଯ ଗଡ ରହିଛି ଏହି ଆସନ । ଏଥର ମୁଖ୍ଯତଃ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ଯରେ ହେଉଛି ଲଢେଇ । ବିଜେଡିରୁ ନଳିନୀ କାନ୍ତ ପ୍ରଧାନ, ବିଜେପିରୁ ସଂଜୀବ ସାହୁ, କଂଗ୍ରେସରୁ ହିଂମାଶୁ ଚାଉଳିଆ ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ପ୍ରାର୍ଥୀ ବିକାଶକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯାଇ କରୁଛନ୍ତି ଆଶୀର୍ବାଦ ଭିକ୍ଷା ।

୨୦୦୯ ମସିହାରେ ବିଜେଡି  ପ୍ରାର୍ଥୀ ସଂଜୀବ ସାହୁ ୬୧ ହଜାର ୩୮୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ଭାଗିରଥି ପ୍ରଧାନ ୧୨ ହଜାର ୬୭୪, କଂଗ୍ରେସର ମୌସୁମୀ ପ୍ରଧାନ ୪୨ ହଜାର ୪୦୭ ଭୋଟ ପାଇଥିଲେ । ୨୦୧୪ ମସିହାରେ ପୁଣି ବିଜେଡି କବଜାକୁ ଯାଇଥିଲା ଏହି ଆସନ । ବିଜେଡିରୁ ସଂଜୀବ ସାହୁ ୬୩ ହଜାର ୨୨୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିରୁ ଭାଗିରଥି ପ୍ରଧାନ ୨୨ ହଜାର ୪୬୩, କଂଗ୍ରେସର ସୁରେନ୍ଦ୍ର ପ୍ରଧାନ ୪୩ ହଜାର ୬୮୯ ଭୋଟ ପାଇଥିଲେ । ୨୦୧୯ରେ ବିଜେଡି ସଂଜୀବ ସାହୁଙ୍କ ବଦଳରେ ରମେଶ ସାଏଙ୍କୁ ପ୍ରାର୍ଥୀ କରିଥିଲା । ରମେଶ ସାଏ ୮୬ ହଜାର ୨୫୪ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ଭାଗିରଥି ପ୍ରଧାନ ୩୯ ହଜାର ୭୦, କଂଗ୍ରେସର ବିଜୟାନନ୍ଦ ଚାଉଳିଆ ୩୦ ହଜାର ୯୨୫ ଭୋଟ ପାଇଥିଲେ ।

ଚଳିତ ନିର୍ବାଚନରେ ୨ ଲକ୍ଷ ୮ ହଜାର ୭୭୧ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ଯସ୍ତ କରିବେ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୫ ହଜାର ୯୨୦, ମହିଳା ୧ ଲକ୍ଷ ୨ ହଜାର ୮୪୩ ଏବଂ ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୮ ଜଣ ଅଛନ୍ତି । ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ଅଞ୍ଚଳରେ ରାସ୍ତାଘାଟ, ସ୍କୁଲ, କଲେଜ ସମେତ ଷ୍ଟାଡିୟମ ଓ ପାର୍କ ଆଦିର ହୋଇଛି ଉନ୍ନତିକରଣ । ତେଣୁ ବିକାଶ ହିଁ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ପୱନ ଖେରା

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ପୱନ ଖେରା। ଲଗାତର ଗୋଟିଏ ପରେ ଗୋଟିଏ ଓଡିଶାର ଅସ୍ମିତା ଉପରେ ହମଲା କରିବାରେ ଲାଗିଛି ବିଜେପି। ବିଜେପି ନେତା ସମ୍ବିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କ ଉପରେ ଏମିତି ମନ୍ତବ୍ୟ ପରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯଦି ସମ୍ବିତ ପାତ୍ର କଂଗ୍ରେସରେ ରହି ଏଭଳି ମନ୍ତବ୍ୟ ଦେଇଥାନ୍ତେ ତେବେ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥାନ୍ତା ବୋଲି କହିଛନ୍ତି ପୱନ । ଏହି ଘଟଣାରେ ତାଙ୍କୁ ବିଜେପିରୁ ବହିଷ୍କାର କରିବା ସହ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପାର୍ଥନା କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ୧୦ ବର୍ଷ ଭିତରେ ଦେଶରେ ଅରାଜକତା ବଢିବାରେ ଲାଗିଛି। ବେକାରୀ ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି। ଏହି ଘଟଣାରେ ଯେତେବେଳେ ପ୍ରଶ୍ନ କରାଯାଇଛି ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି । ଓଡିଶାବାସୀ ଜାଣିଛନ୍ତି ଉପା ସରକାର ଥିବା ବେଳେ ରାଜ୍ୟ ପାଇଁ କଣ କଣ କାର୍ଯ୍ୟ କରାଯାଇଛି ।  ଯୁଆଡେ ବି ଦେଖିବେ ଲୋକେ କଂଗ୍ରେସକୁ ଚାଁହୁଛନ୍ତି । ଆଶା କରାଯାଉଛି କଂଗ୍ରେସ ଏଥର କେବଳ ରାଜ୍ୟରେ ନୁହେଁ ଦେଶରେ ଭଲ ପ୍ରଦର୍ଶନ କରିବ। ଏବେ ସମୟ ଆସିଛି ଭୋଟରେ ଦେଶବାସୀ ଜବାବ ଦିଅନ୍ତୁ। ଯେତେବେଳେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା ସେତେବେଳେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ହାତ ଧରି ପ୍ରଧାନମନ୍ତ୍ରୀ ମୋଦି ଚାଲୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ମଧ୍ୟ ସେତେବେଳେ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଏବେ ବିଜେପିକୁ ପରାଜୟର ଭୟ ଘାରିଛି। ସେଥିପାଇଁ ବାରମ୍ବାର ଓଡିଶା ଗସ୍ତରେ ଆସି ବିଜେପି ନେତାମାନେ ଏଭଳି କହୁଛନ୍ତି। ଏଥର ନିର୍ବାଚନ ମାହୋଲ ଦେଖି ଲାଗୁଛି କଂଗ୍ରେସ ୧୨ ରୁ ୧୪ ଲୋକସଭା ଆସନ ଜିତିବ ।

ଅପରାଜିତା ଷଡ଼ଙ୍ଗୀଙ୍କୁ ସୁଲତା ଦେଓଙ୍କ କଡ଼ା ସମାଲୋଚନା

ଭୁବନେଶ୍ବର: ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ କଡ଼ା ସମାଲୋଚନା କଲେ ବିଜେଡି ସାଂସଦ ସୁଲତା ଦେଓ । ସୋସିଆଲ ମିଡିଆ ଏକ୍ସରେ ଅପରାଜିତାଙ୍କୁ କଟୁ ସମାଲୋଚନା କରିଛନ୍ତି ସୁଲତା । ସେ କହିଛନ୍ତି, ଯାହା ଜଣାପଡ଼ୁଛି ଅପରାଜିତା ଷଡ଼ଙ୍ଗୀ ଏବେଏବେ ନିଦରୁ ଉଠିଲେ । ଏକାମ୍ର ପ୍ରକଳ୍ପକୁ ସେ ବିରୋଧ କରିନାହାନ୍ତି ବୋଲି କହିବା ଏକ ହାସ୍ଯାସ୍ପଦ କଥା । ଏନେଇ ପ୍ରମାଣ ମାଗିବା ମଧ୍ଯ ଭିତ୍ତିହୀନ । ଯଦି ତାଙ୍କ ପାଖରେ ଥିବା ଫୋନ୍ କିମ୍ବା କମ୍ପ୍ଯୁଟରରେ ଇଣ୍ଟରନେଟ୍ ରହିଛି ତେବେ ଗତ ୫ବର୍ଷର ପ୍ରମାଣ ପାଇପାରିବେ ବୋଲି କହି ତାଚ୍ଛଲ୍ଯ କରିଛନ୍ତି ସୁଲତା । ଗୁଗୁଲ ସର୍ଚ୍ଚ କଲେ ତାଙ୍କ ବିରୋଧରେ ସେ ପ୍ରମାଣ ପାଇପାରିବେ । ଯଦି ତଥାପି ସିଏ ପ୍ରମାଣ ପାଇବାକୁ ଅକ୍ଷମ ତେବେ ଆମେ ତାଙ୍କୁ ସେୟାର କିମ୍ବା ଲିଙ୍କ ଦେଇପାରିବୁ ବୋଲି ସୁଲତା କହିଛନ୍ତି ।