spot_img
Home Blog Page 1851

ଘରେ ପଶି ଲୁଟିଲେ ୩୦ ଭରି ସୁନା ସହ ଟଙ୍କା ଓ ୨୪ ଲକ୍ଷ ଟଙ୍କାର ଆସବାବ ପତ୍ର

ତାଳଚେର: ବାଘମରାରେ ପୁଣି ମାତିଲେ ଲୁଟେରା । ଘରେ କେହି ନଥିବା ବେଳେ ଲୁଟି ନେଲେ ଭରି ଭରି ସୁନା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ନଗଦ ଟଙ୍କା । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ବାଘମରାର ମାନସ ବିଶ୍ବାଳ ମାଆଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଯାଇଥିଲେ । ଏହାର ସୁଯୋଗ ନେଇ ଲୁଟେରା ଦଳ ଘରର କବାଟ ତାଡ଼ି ଲୁଟ କରିଛନ୍ତି । ଦୁଇଟି ଆଲମାରୀରୁ ଲୁଟେରା ଦଳ ୩୦ ଭରି ସୁନା ନେଇ ଯାଇଥିବା ବେଳେ ପ୍ରାୟ ୨୭ ହଜାର ଟଙ୍କା ଚଳୁ କରିଛନ୍ତି । ଏହାସହ ବହୁ ଆସବାବ ପତ୍ର ମଧ୍ୟ ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୨୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ମାନସ କହିଛନ୍ତି ।

୫୦ ବର୍ଷ ହେଲା ରଜରେ ପାଳିତ ହେଉଛି ପାଲା ମହୋତ୍ସବ

ଟାଙ୍ଗୀ: ଓଡ଼ିଶାରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବ ଭିତରେ ରଜ ପର୍ବର ବେଶ ମହତ୍ବ ରହିଛି । ଜୁନ ୧୪ରୁ ୧୬ ରଜ ପର୍ବ ପ୍ରତିଟି ଓଡ଼ିଆ ବେଶ ଧୂମଧାମରେ ପାଳନ କରିଥାନ୍ତି । ତେବେ ଟାଙ୍ଗୀ ଅଞ୍ଚଳରେ ଦୀର୍ଘ ୫୦ ବର୍ଷ ହେଲା ନିଆରା ଢଙ୍ଗରେ ରଜ ପର୍ବ ପାଳନ କରାଯାଉଛି । ଲୋକଙ୍କ ମନୋରଞ୍ଜନ ପାଇଁ କୈବର୍ତ୍ତ ସଙ୍ଘ ପକ୍ଷରୁ ବଳରାମ ଦେବ ମନ୍ଦିର ପରିସରରେ ପାଲା ମହୋତ୍ସବ ଆୟୋଜିତ ହୋଇ ଆସୁଛି ।

ମୃଦଙ୍ଗ ମାଡ଼, ଝାଞ୍ଜର ଝଙ୍କାର, ଘୁଙ୍ଗୁରର ଝଣ ଝଣ ଶବ୍ଦ ପରିବେଶକୁ କରୁଛି ପ୍ରକମ୍ପିତ । ଲୋକାନାଟ୍ୟ ଦେଖିବାକୁ ଲାଗୁଛି ଲୋକଙ୍କ ଖଚାଖଚ ଭିଡ଼ । ପୁରୁଣା ଲୋକକଳାକୁ ଉଜ୍ଜିବିତ ରଖିବାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାସୀଙ୍କ ନିଆରା ପ୍ରୟାସ । ରଜ ଉପଲ୍ଲକ୍ଷେ ବଳରାମ ଦେବ କୈବର୍ତ୍ତ ସଙ୍ଘ ପକ୍ଷରୁ ବଳରାମ ଦେବ ମନ୍ଦିର ପରିସରରେ ଆୟୋଜିତ ହୋଇଛି ପାଲା ମହୋତ୍ସବ ।

ପ୍ରତିବର୍ଷ ପହିଲି ରଜରୁ ଆରମ୍ବ ହୋଇଥାଏ ଏହି ପାଲା ମହୋତ୍ସବ । ପ୍ରତି ସନ୍ଧ୍ୟାରେ ରାଜ୍ୟର ପ୍ରତିଷ୍ଠିତ ପାଲା କଳାକାରମାନେ ପରିବେଷଣ କରଥାନ୍ତି ପାଲା । ସନ୍ଧ୍ୟା ୬ଟା ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହୋଇଥାଏ ପାଲା । ରଜ ୩ ଦିନ ପରେ ମଧ୍ୟ ଅଧିକ ଗୋଟିଏ ଦିନ ଏଠାରେ ପାଲା ପରିବେଷଣ କରାଯାଇଥାଏ ।

ବିବାହ ଉତ୍ସବଙ୍କୁ ସ୍ମରଣୀୟ କରିବାକୁ ନବ ଦମ୍ପତିଙ୍କ ନିଆରା ପ୍ରୟାସ; ରକ୍ତଦାନ ଶିବିରକୁ ଅତିଥିଙ୍କୁ ଗଛ ଉପହାର

ବାଲେଶ୍ବର: ଜୀବନରେ ଥରେ ବିବାହ ହୋଇଥାଏ । ଆଉ ଏହାକୁ ସ୍ମରଣୀୟ କରିବାକୁ ସବୁ ଦମ୍ପତି ଚାହିଁଥାନ୍ତି । ଏଥିପାଇଁ କିଏ କେତେ ଉପାୟ ଅବଲମ୍ବନ କରିଥାନ୍ତି । କିଏ କିଏ ସ୍ବାଦିଷ୍ଟ ବ୍ୟଞ୍ଜନ କରି ଅତିଥିଙ୍କୁ ନିମନ୍ତ୍ରିତ କରିଥାଏ ତ ଆଉ କିଏ ସାଂସ୍କୃତିକ କାର୍ଯ୍ୟକ୍ରମ କରି ନିମନ୍ତ୍ରିତ କରିଥାଏ । ହେଲେ ଆଜି ଆମେ ଏମିତି ଏକ ନବ ଦମ୍ପତିଙ୍କ କଥା କହିବାକୁ ଯାଉଛୁ, ଯିଏ ନିଜ ବିବାହ ଉତ୍ସବକୁ ସ୍ମରଣୀୟ କରିବାକୁ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି ।

ବାଲାଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଚୌମୁଖ ଗ୍ରାମର ନବ ଦମ୍ପତି କ୍ରୀଷ୍ନାକାନ୍ତ ପାତ୍ର ଏବଂ ସସ୍ମିତା ପାତ୍ର ଏମିତି କରିଛନ୍ତି । ରିସେପସନ ପାର୍ଟିରେ ନବ ଦମ୍ପତି ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଉଭୟ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ଏହି ମହତ କାମରେ ସାମିଲ ହେବାକୁ ଉତ୍ସାହିତ କରିଥିଲେ ।

ବିବାହ ଉତ୍ସବକୁ ଯାକ ଜମକ ନକରି ସମାଜର ଆବଶ୍ୟକତାକୁ ଅନୁଭବ କରି ନବ ଦମ୍ପତି ନେଇଛନ୍ତି ଏହି ନିଆରା ପଦକ୍ଷେପ । ନିଶ୍ବାସ ପାଇଁ ଗଛଟିଏ ଆଉ ରକ୍ତ ଅଭାବ ପାଇଁ ରକ୍ତଦାନ ଶୀର୍ଷକରେ ଶିବିର ଆୟୋଜନ କରିଛନ୍ତି । ଏହି ରକ୍ତଦାନ ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଗୃହିତ ହୋଇଥିଲା । ବର୍ତ୍ତମାନ ଅମ୍ଳଜାନ ଅଭାବରୁ ପରିବେଶ ଅସନ୍ତୁଳିତ ହୋଇପଡିଛି । ସମୟ ଅସମୟରେ ପ୍ରାକୃତିକ ଦୁର୍ବିପାକ ଘଟୁଛି । ପରିବେଶର ସୁରକ୍ଷା ପାଇଁ ସମସ୍ତେ ଗଛ ଲଗାଇବାର ଆବଶ୍ୟକତା ରହିଛି । ତେଣୁ ବିବାହ ଭୋଜିରେ ଯୋଗ ଦେଉଥିବା ଅତିଥିଙ୍କୁ ୧୦୦ ରୁ ଅଧିକ ଚାରା ଗଛ ବଣ୍ଟନ କରିବା ସହିତ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ ନବ ଦମ୍ପତି ।

୫ ଘଣ୍ଟା ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଛୁଆ ସହ ମାଆ ହାତୀ

ଛେଣ୍ଡିପଦା: ପରିତ୍ୟକ୍ତ କୂଅରେ ପଡିଥିଲା ହାତୀ । ସାଙ୍ଗରେ ଛୁଆ ମଧ୍ୟ ପଡିଥିଲା । ନିଜ ବଞ୍ଚିବା ଓ ଛଆକୁ ବଞ୍ଚାଇବାକୁ ସଂଘର୍ଷ କରୁଥିଲା । ଘଟଣା ଜଣାପଡ଼ିବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛନ୍ତି । ଏଥିପାଇଁ ବନ କର୍ମଚାରୀଙ୍କ ୫ ଘଣ୍ଟାରୁ ଅଧିକ ସମୟ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି ।

ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର ଗୋଠ ତଇଳା ଅଞ୍ଚଳରେ । ଗତକାଲି ବିଳମ୍ବିତ ରାତିରେ ୯ ଟିକିଆ ହାତୀପଲ ବୁଲୁଥିବାବେଳେ ଏକ ପରିତ୍ୟକ୍ତ କୂଅରେ ମାଆ ଓ ଛୁଆ ହାତୀ ଖସି ପଡ଼ିଥିଲେ । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । କୂଅକୁ ଖୋଳି ସୁରକ୍ଷିତ ଭାବେ ମାଆ ଓ ଛୁଆ ହାତୀକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଉଭୟ ଜଙ୍ଗଲକୁ ଯାଇଛନ୍ତି । ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି ।

ସାଂସଦଙ୍କ ଶଳା ମୋବାଇଲ ଓଟିପିରେ ଖୋଲିଥିଲା ଇଭିଏମ୍, ମାମଲା ରୁଜୁ

ମୁମ୍ବାଇ: ଇଭିଏମ କେତେ ସୁରକ୍ଷିତ ତାକୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଛି । ଅଭିଯୋଗ ମଧ୍ୟ ହେଉଛି । ୨୦୨୪ ନିର୍ବାଚନ ସରିଛି ଓ ଫଳାଫଳ ଆସି ସାରିଛି । ତୃତୀୟ ଥର ପାଇଁ ଏନଡିଏ କ୍ଷମତାକୁ ଫେରିଥିବା ବେଳେ ବିରୋଧୀ ଗତ ନିର୍ବାଚନ ତୁଳନାରେ ଭଲ କରିଛନ୍ତି । ତେବେ ଏହାରି ଭିତରେ ପୁଣି ଥରେ ଇଭିଏମକୁ ନେଇ ଆସିଛି ଅଭିଯୋଗ । ମୁମ୍ବାଇରେ ଜଣେ ସାଂସଦଙ୍କ ଶଳାଙ୍କ ମୋବାଇଲରୁ ଆସିଥିବା ଓଟିପିରେ ଇଭିଏମ ଖୋଲିଥିବା ଜଣାପଡିଛି । ଏହାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ମୁମ୍ବାଇ ନର୍ଥ ୱେଷ୍ଟରୁ ଜିତିଛନ୍ତି ରବୀନ୍ଦ୍ର ୱେକର୍ । ସେ ହେଉଛନ୍ତି ସିନ୍ଦେ ଗୋଷ୍ଠୀ ଶିବସେନାର ସାଂସଦ । ଅଭିଯୋଗ ଅନୁସାରେ ରବୀନ୍ଦ୍ରଙ୍କ ଶଳା ମଙ୍ଗେଶ ପାଣ୍ଡିଲକରଙ୍କ ମୋବାଇଲକୁ ଆସିଥିବା ଓଟିପି ଜରିଆରେ ଖୋଲିଥିଲା ଗୋଟିଏ ଇଭିଏମ୍ । ଗୋଟିଏ ଗଣତି କେନ୍ଦ୍ରରେ ଏପରି ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗେଶଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି । ଗଣତି କେନ୍ଦ୍ରରେ ମୋବାଇଲ ବ୍ଯବହାର କରିବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି।

ଏହାସହ ଜଣେ ନିର୍ବାଚନ ଅଧିକାରୀଙ୍କ ନାଁରେ ମଧ୍ଯ ମାମଲା ରୁଜୁ ହୋଇଛି । ମୁମ୍ବାଇ ପୋଲିସର ୩ଟି ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରବୀନ୍ଦ୍ର ୱେକର ମାତ୍ର ୪୮ ଖଣ୍ଡ ଭୋଟରେ ଉଦ୍ଧବ ଗୋଷ୍ଠୀ ଶିବସେନାର ପ୍ରାର୍ଥୀଙ୍କୁ ହରାଇଛନ୍ତି । ଉଦ୍ଧବ ଗୋଷ୍ଠୀ କହିଛନ୍ତି, ଏହାକୁ ସେମାନେ କୋର୍ଟରେ ଚ୍ଯାଲେଞ୍ଜ  କରିବେ ।

ନିଟ୍ ପରୀକ୍ଷାର ୨୪ ଘଣ୍ଟା ପୂର୍ବରୁ ଲିକ୍ ହୋଇଥିଲା ପେପର୍ !

ଭୁବନେଶ୍ବର: ନିଟ୍ ବିବାଦ ଯେତେ ଘନାଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ଯାହା ଯେମିତି ଚାଞ୍ଚଲ୍ୟକର । ପରୀକ୍ଷାର ୨୪ ଘଣ୍ଟା ପୂର୍ବରୁ ନିଟ ପେପର ହୋଇଥିଲା ଲିକ୍। ପ୍ରାୟ ୩୦ରୁ ୩୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ପେପର । ଏହା ସ୍ବୀକାର କରିଛନ୍ତି ବିହାରରୁ ଗିରଫ ହୋଇଥିବା ଅଭିଯୁକ୍ତ ସିକନ୍ଦର । ସେ ନିଟ୍ ସ୍କାମରେ ଜଡ଼ିତ ଥିବା ସୂଚନା ମିଳିଛି ।

ସିକନ୍ଦର ବି ଅନ୍ଯ କେତେକ ନିଟ ପରୀକ୍ଷାର୍ଥୀଙ୍କ ସହ ଯୋଗସୂତ୍ରରେ ଥିଲା । ମେ’ ୪ରେ ସେମାନେ ପ୍ରଶ୍ନପତ୍ର ପାଇଥିଲେ । ଏହି ଘଟଣାରେ ନିଜର ସମ୍ପୃକ୍ତି ନେଇ ସ୍ବୀକାର କରିଛନ୍ତି ଅନ୍ଯ ଅଭିଯୁକ୍ତ ଅମିତ ଓ ନୀତୀଶ । ସେପଟେ ନିଟ ବିବାଦ ପରିପ୍ରେକ୍ଷୀରେ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ସେ ଏନଟିଏର ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି । ଛାତ୍ରଛାତ୍ରୀ ଏହି ଅନିୟମତିତାର ଅଯଥା ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି ।

ସେପଟେ କେନ୍ଦ୍ର ବିରୋଧରେ ଏକ ହେବାରେ ଲାଗିଛନ୍ତି ବିରୋଧୀ । ନିଟରେ ହୋଇଥିବା ଜାଲିଆତି ଅଭିଯୋଗକୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଥିବାବେଳେ କେନ୍ଦ୍ରକୁ ଘେରିଛନ୍ତି ବିରୋଧୀ । ନିଟ ବିବାଦ ପରିପ୍ରେକ୍ଷୀରେ ନ୍ଯାସନାଲ ଟେଷ୍ଟିଂ ଏଜେନ୍ସି କେବଳ ନୀରବଦ୍ରଷ୍ଟା ସାଜିଛି ବୋଲି ଡିଏମକେ ଅଭିଯୋଗ କରିଛି । ଏପରିକି ବିଭିନ୍ନ କୋଚିଂ ସେଣ୍ଟରକୁ ଏନଟିଏ ପ୍ରୋତ୍ସାହନ ଦେଇଆସୁଛି ବୋଲି ଦଳ କହିଛି ।

ସେହିପରି କଂଗ୍ରେସ ବି ସୁପ୍ରିମକୋର୍ଟ ନେତୃତ୍ବରେ ତଦନ୍ତ କରାଯାଉ ବୋଲି ଦାବି କରିଛି । ୬୭ ଜଣ ପରୀକ୍ଷାର୍ଥୀ ୭୨୦ରୁ ୭୨୦ ରଖିବା ସହ ପେପର ଲିକ୍ ହୋଇଥିବା ଅଭିଯୋଗ ନେଇ ସାରା ଦେଶରେ ଜାରି ରହିଛି ତମ୍ବି ତୋଫାନ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ନିଟ୍ ସ୍କାମ ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ଯତକୁ ଅନ୍ଧାର କରିଦେଇଛି ।

ବିହାରରେ ବୋଟ ଦୁର୍ଘଟଣା, ୬ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ବିହାରରେ ବୋଟ ଦୁର୍ଘଟଣା। ଗଙ୍ଗାନଦୀରେ ବୋଟ ବୁଡି ୬ ନିଖୋଜ। ତେବେ ୧୧ ଜଣ ଯାତ୍ରୀ ପହଁରି ପହଁରି କୂଳକୁ ଆସିଥିବା ସୂଚନା ମିଳିଛି। ସେଠାରେ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ପାଟନା ନିକଟରେ ଘଟିଛି ଦୁର୍ଘଟଣା। ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ ଗଙ୍ଗା ନଦୀରେ ବୁଡିଯାଇଥିଲା। ପାଟନାଠାରୁ ୭୦ କିଲୋମିଟର ଦୂର ବଡ଼ ନାମକ ସ୍ଥାନରେ ଘଟିଥିଲା ଦୁର୍ଘଟଣା। ଯାତ୍ରାମୀନ ଉମାନାଥ ଘାଟରୁ ଡାୟାରାକୁ ଯିବାବେଳେ ଘଟିଥିଲା ଦୁର୍ଘଟଣା। ନଦୀରେ ବନ୍ଯାଜଳ ପ୍ରବାହିତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

ଜୁନ୍ ୨୪ ଯାଏଁ ଗରମ ଗୁଳୁଗୁଳିରୁ ବର୍ତ୍ତି ପାରିବନି ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଦିନେ ଦୁଇ ଦିନ ଯାଏଁ ରାଜ୍ୟରେ ରହିବ ଗରମ ଗୁଳୁଗୁଳିର ପ୍ରଭାବ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା କ୍ରମଶଃ ୨ ରୁ ୪ ଡିଗ୍ରୀ ଯାଏଁ କମିବ। ଏବେ ଉପକୂଳ ଓଡ଼ିଶା ଓ ଆଖପାଖ ଅଞ୍ଚଳରେ ଆକାଶ କେତେକାଂଶରେ ମେଘାଚ୍ଛନ୍ନ ରହିବା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଏହି ପରି ପାଗ ଆସନ୍ତା ୪୮ ଘଣ୍ଟା ଯାଏଁ ଜାରି ରହିବ । ୧୭ରୁ ୧୮ ତାରିଖ ବେଳକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧୀରେ ଧୀରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ପରବର୍ତ୍ତୀ ସମୟରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ଆସନ୍ତା ୩-୪ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଣିପାଗ ଅନୁକୂଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ଗୁଳୁଗୁଳିର ପ୍ରଭାବ ଅନୁଭୂତ ହେବ।

ବଡଭାଇର ଖଣ୍ଡା ଚୋଟରେ ସାନଭାଇର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ବଡଭାଇର ଖଣ୍ଡା ଚୋଟରେ ସାନଭାଇର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଲୁଣଚାଟି ଗାଁରେ। ଉକ୍ତ ଗାଁର ଦେବେନ୍ଦ୍ର ମାହାନାଙ୍କ ପାଞ୍ଚ ପୁଅ ଥିବା ବେଳେ ଜାଗାକୁ ନେଇ ଆଜି ସକାଳେ ବଡ ପୁଅ ଅରୁଣ ମାହାନା ଏବଂ ସାନ ପୁଅ ଜୟନ୍ତ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିଲା। ଆଜି  ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚି ଉଗ୍ରରୂପ ଧାରଣା କରିଥିଲା । ଘର ସାମ୍ନାରେ ପାଚେରୀକୁ କେନ୍ଦ୍ରକରି ଜୟନ୍ତ ଓ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅରୁଣଙ୍କ ରାଗ ଅତ୍ୟନ୍ତ ଉଗ୍ରରୂପ ଧାରଣା କରିଥିଲା ଯେ, ସେ ଏକ ଖଣ୍ଡାରେ ଜୟନ୍ତଙ୍କ ବେକକୁ ହାଣି ଦେଇଥିଲେ। ଫଳରେ ଅରୁଣ ଘଟଣାସ୍ଥଳରେ ଟଳି ପଡ଼ିଥିଲେ l ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିବା ବେଳେ ବଡ ଭାଇ ଫେରାର ଥିବା ଜଣାପଡିଛି।

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଡିପଫେକ୍ ଭିଡିଓ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଡିପଫେକ ଭିଡିଓ ଭାଇରାଲ। କ୍ରମାଗତ କିଛିଦିନ ଧରି ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ଡିପଫେକ ଭିଡିଓ ଭାଇରାଲ ହେଉଥିବାବେଳେ ଏବେ ଆଲିଆଙ୍କ ଭିଡିଓକୁ ନେଇ ଜୋର ଧରିଛି ଚର୍ଚ୍ଚା। `ଗେଟ ରେଡି ୱିଥ ମି’ ଟ୍ରେଣ୍ଡରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଡିପଫେକ ଭିଡିଓ ଦେଖାଯାଇଛି ଯାହାକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଭିଡିଓରେ ସେ କଳା କୁର୍ତ୍ତା ପରିଧାନ କରିଥିବା ଦେଖାଯାଇଛି। ପୂର୍ବରୁ ଆଲିଆ ଭଟ୍ଟ ଓ ଅଭିନେତା ୱାମିକା ଗାବିଙ୍କ ଫଟୋ ବି ଭାଇରାଲ ହୋଇଥିଲା। ଆର୍ଟିଫିସିଆଲ ଇଣ୍ଟେଲିଜେନସ ଜରିଆରେ ହେଉଥିବା ଡିପଫେକ ଭିଡିଓ ଏବେ ବିଭିନ୍ନ ସ୍ତରରେ ଚିନ୍ତାର କାରଣ ହୋଇଛି। ପୂର୍ବରୁ ରଶ୍ମିକା ମନ୍ଦାନ୍ନା, କାଜୋଲ, କାଟ୍ରିନ କୈଫ, ଆମିର ଖାଁ, ରଣବୀର ଓ ସାରା ତେନ୍ଦୁଲକରଙ୍କ ଡିପଫେକ ଭିଡିଓ ବି ଭାଇରାଲ ହୋଇଥିଲା।