ଢେଙ୍କାନାଳ: ଢେଙ୍କାନାଳ ବିଜେପିକୁ ଧକ୍କା। ଦଳରୁ ଇସ୍ତଫା ଦେଲେ ମହିଳା ମୋର୍ଚ୍ଚା ସମ୍ପାଦିକା ସସ୍ମିତା ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ନିରୋଜ ନଳିନୀ ମହାଳିକ, ଜିଲ୍ଲା ସମ୍ପାଦିକା ଅନିତା ଦାସ। ବିଜେପି ନେତୃତ୍ବଙ୍କ ଅଣଦେଖା ସହିତ ମହିଳାମାନଙ୍କୁ ଅସମ୍ମାନ ଦଳ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ବିଜେପିର ପରିବାରବାଦ ଚାଲିଥିବାବେଳେ ମହିଳାଙ୍କୁ ସମ୍ମାନ ଦିଆଯାଉନାହିଁ। ଦଳରେ ନାରୀନେତ୍ରୀ ସୁରକ୍ଷିତ ନୁହନ୍ତି। ଗୋଟିଏ ପରିବାର ହାତରେ ଦଳକୁ ୩୦ ବର୍ଷ ଧରି ଟେକିଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ପାଞ୍ଚ ପାଞ୍ଚ ଥର ହାରିଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଉଛି। ପୂର୍ବରୁ ୨୦ ହଜାର ଭୋଟରେ ବିଜେପି ହାରିଥିବା ବେଳେ ଚଳିତ ବର୍ଷ ୪୦ ହଜାର ଭୋଟରୁ ଅଧିକ ଭୋଟରେ ହାରିବେ ବୋଲି ସେମାନେ କହିଛନ୍ତି।
ଜଳୁଛି ସାରା ଓଡିଶା
ଭୁବନେଶ୍ବର: ଜଳୁଛି ସାରା ଓଡିଶା। ଆଜିଠୁ ୬ତାରିଖ ପର୍ଯ୍ୟନ୍ତ ହିଟ ୱେବ ଜାରିକଲା ପାଣିପାଗ କେନ୍ଦ୍ର । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ତାପମାତ୍ରା ୪୩ ଡିଗ୍ରୀ ଛୁଇଁ ପାରେ ବୋଲି ଅନୁମାନ କରାଯାଇଛି । ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି । ରାଜ୍ୟରେ ଗରମ ସହ ଅନେକ ସ୍ଥାନରେ ୫୦ ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି । ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ରୁ ୪ ଦିନ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। । ଆସନ୍ତା ୨୪ ଘଣ୍ଟା ପାଇଁ ବଲାଙ୍ଗୀର , କଳାହାଣ୍ଡି, ବୌଦ୍ଧ ମାଲକାନଗିରି ଓ କେନ୍ଦୁଝର ଜିଲାରେ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର ।ସେହିପରି ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହକୁ ନେଇ ନୟାଗଡ, ବୌଦ୍ଧ ,କନ୍ଧମାଳ ,କଟକ, ଯାଜପୁର ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି ଓ ନୟାଗଡରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଛୋଟପିଲା, ବୟସ୍କ,ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି ।ଅନ୍ୟପଟେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ୬ ,୭, ୮ ଓ ୯ ତାରିଖରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।
ସଂଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ଜାମିନ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମଦ ନୀତି ମାମଲାରେ ସର୍ତ୍ତମୂଳକ ଜାମିନ ପରେ ଜେଲରୁ ବାହାରିଲେ ଆପ ନେତା ସଂଜୟ ସିଂହ। ଗତକାଲି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବାବେଳେ ଆଜି ଟ୍ରାଏଲ କୋର୍ଟ ସର୍ତ୍ତ ସ୍ଥିର କରିଥିଲେ। ଏହି ସବୁ ସର୍ତ୍ତକୁ ମାନି ଜାମିନରେ ମୁକୁଳିଛନ୍ତି ସଂଜୟ ସିଂହ। ଅଦାଲତଙ୍କ ସର୍ତ୍ତ ମଧ୍ୟରେ ମୁଖ୍ୟ ସର୍ତ୍ତ ରହିଛି ସଂଜୟ ସିଂହଙ୍କୁ ତାଙ୍କର ପାସପୋର୍ଟ ସରେଣ୍ଡର କରିବାକୁ ପଡିବ। କେଉଁ ସ୍ଥାନକୁ ଯିବା ପୂର୍ବରୁ ଇଡିକୁ ଖବର ଦେବାକୁ ପଡିବ। ସଂଜୟ ସିଂହ ଯଦି ଏନସିଆର ବାହାରକୁ ଯାଉଛନ୍ତି ତେବେ ତାଙ୍କୁ ପ୍ରଥମେ ଇଡିକୁ ନିଜର କାର୍ଯ୍ୟକ୍ରମ ବିଷୟରେ କହିବାକୁ ହେବ। ଯେତେଦିନ ସଂଜୟ ସିଂହ ଜାମିନରେ ବାହାରେ ରହିବେ ସେତେ ଦିନ ପର୍ଯ୍ୟନ୍ତ ସେ ଇଡି ବିରୋଧରେ କୌଣସି ଟିପ୍ପଣୀ କରିବେ ନାହିଁ। କୋର୍ଟରେ ସଂଜୟ ସିଂହଙ୍କ ପତ୍ନୀ ଦୁଇ ଲକ୍ଷ ଟଙ୍କାର ବ୍ଯକ୍ତିଗତ ମୁଚାଳିକା ଜରିଆରେ ଏହି ଜାମିନ ପାଇଛନ୍ତି। ଗତକାଲି ସୁପ୍ରିମକୋର୍ଟ ସଂଜୟ ସିଂହଙ୍କୁ ଜାମିନ ଦେବା ସମୟରେ ଟ୍ରାଏଲ କୋର୍ଟ ଜାମିନ ସର୍ତ୍ତ ସ୍ଥିର କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ସଂଜୟ ସିଂହଙ୍କ ଜାମିନର ବିରୋଧ କରିନଥିଲା ଇଡି। ବିରୋଧ କରିନଥିବାରୁ ସଂଜୟ ସିଂହଙ୍କୁ ଜାମିନ ମିଳିଥିଲା। ସଂଜୟ ସିଂହ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୋଇପାରିବେ। ଦିଲ୍ଲୀ ମଦ ନୀତି ମାମଲାରେ ଗତ ୬ ମାସ ଧରି ଜେଲରେ ରହିବା ପରେ ସୁପ୍ରିମକୋର୍ଟରୁ ମିଳିଥିଲା । ଗତ ୪ ଅକ୍ଟୋବର ୨୦୨୩ରେ ସଂଜୟ ସିଂହଙ୍କୁ ଗିରଫ କରିଥିଲା ଇଡି। ଏବେ ପୁଣିଥରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସଂଜୟ ସିଂହ।
ଟିକେଟ ବଣ୍ଟାକୁ ନେଇ ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀର ବିଜେପିରେ ବିଦ୍ରୋହ
କଟକ: ଟିକେଟ ବଣ୍ଟାକୁ ନେଇ ବିଜେପିରେ ବିଦ୍ରୋହ। ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କୁ ଟିକେଟ ମିଳିବା ପରେ ଆଶାୟୀ ପ୍ରାର୍ଥୀ ନମିତା ମଞ୍ଜରୀ ସାହୁଙ୍କ ଶହଶହ ମହିଳା ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଛନ୍ତି। ଦଳୀୟ ନେତୃତ୍ବ ବିରୋଧରେ ମହିଳାମାନେ ଗେଟରେ ପକାଇଛନ୍ତି ତାଲା। ୫ ଥର ହାରିବା ପରେ ନୟନ କିଶୋର ମହାନ୍ତିଙ୍କୁ ବିଜେପି କିପରି ଚୌଦ୍ବାର କଟକରୁ ଟିକେ ଦେଉଛି ବୋଲି ମହିଳା ମାନେ ପ୍ରଶ୍ନ କରିଛନ୍ତି। ନମିତା ମଞ୍ଜରୀ ସାହୁଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିକ୍ଷୋଭ ଜାରି ରହିବ ବୋଲି ନମିତା ମଞ୍ଜରୀ ସାହୁଙ୍କ ସମର୍ଥକମାନେ କହିଛନ୍ତି।
ମାହାଙ୍ଗାରେ ପ୍ରତାପ ଜେନାଙ୍କ ସ୍ଥାନରେ ପୁଅ ଅଙ୍କିତଙ୍କୁ ମିଳିଲା ଟିକେଟ୍
ଭୁବନେଶ୍ବର: ବୁଧବାର ପ୍ରକାଶ ପାଇଛି ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ୨୭ ବିଧାନସଭା ଏବଂ ୫ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ଏହି ତାଲିକାରେ ବିଧାନସଭା ପାଇଁ ୯ ନୂଆ ଚେହେରା ଦେଖିବାକୁ ମିଳିଛି । ଏଥି ମଧ୍ୟରେ ରହିଛନ୍ତି ମାହାଙ୍ଗାର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତ । ବିଜେଡି ବାପାଙ୍କ ସ୍ଥାନରେ ପୁଅଙ୍କୁ ଏହି ଆସନରେ ଟିକେଟ ଦେଇଛି ।
ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ୧୩ ନୂଆ ମୁହଁ
ଭୁବନେଶ୍ବର: ପ୍ରକାଶ ପାଇଛି ବିଜେଡିର ନୂଆ ପ୍ରାର୍ଥୀ ତାଲିକା । ବିଧାନସଭାର ୨୭ ଓ ଲୋକସଭାର ୫ ଆସନ ପାଇଁ ବୁଧବାର ଦିନ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଏହି ତାଲିକାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ନାମ ଭିତରେ ୧୩ ନୂଆ ଚେହେରା ଅଛନ୍ତି । ଆସନ୍ତୁ ନଜର ପକାଇବା ବିଧାନସଭା ଓ ଲୋକସଭା ପାଇଁ ପ୍ରଥମଥର ନିମନ୍ତେ କିଏ କିଏ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।
ବିଧାନସଭା ପାଇଁ ଲଢ଼ିବେ ୯ ନୂଆ ମୁହଁ
ବୁଧବାର ଘୋଷିତ ବିଧାନସଭା ପ୍ରାର୍ଥୀ ତାଲିକାରେ ମୋଟ ୨୭ ଜଣଙ୍କ ନାମ ଥିବାବେଳେ ଏଥିରେ ଅଛନ୍ତି ୯ ନୂଆ ପ୍ରାର୍ଥୀ । ପ୍ରଥମଥର ପାଇଁ ଏହି ୯ ଜଣ ବିଧାନସଭା ନିର୍ବାଚନ ଲଢ଼ିବେ । ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅଛନ୍ତି ଫୁଲବାଣୀ ଜୟଶ୍ରୀ କହଁର, ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲରୁ ରମାକାନ୍ତ ଭୋଇ, ପାରଳାଖେମୁଣ୍ଡିରୁ ରୂପେଶ ପାଣିଗ୍ରାହୀ, ରାଜଗାଙ୍ଗପୁରରୁ ଅନୀଲ ବରୁଆ, ଯଶିପୁରରୁ ଚକ୍ରଧର ହେମ୍ବ୍ରମ, ତଳସରାରୁ ଅନୂସୟା ପାତ୍ର, ମୋରଡାରୁ ପ୍ରତିନିନ୍ଦନା କାନୁନଗୋ ଓ ସୋରରୁ ମାଧବ ଧଡ଼ା ।
ଲୋକସଭା ପାଇଁ ବିଜେଡିର ନୂଆ ମୁହଁ
ଲୋକସଭା ପାଇଁ ବିଜେଡି ବୁଧବାର ଦିନ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହାସହ ମୋଟ୍ ପ୍ରାର୍ଥୀଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଏହି ୫ ପ୍ରାର୍ଥୀଙ୍କ ମଧ୍ୟରେ ୪ ନୂଆ ଚେହେରା ଅଛନ୍ତି । ପ୍ରଥମଥର ଲାଗି ୪ ପ୍ରାର୍ଥୀ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ବରଗଡ଼ରୁ ପରିଣିତା ମିଶ୍ର, ଭୃଗୁବକ୍ସି ପାତ୍ର, ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ ଏବଂ କେନ୍ଦୁଝରରୁ ଧନୁର୍ଜୟ ସିନ୍ଧୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ୯ ମହିଳା
ଭୁବନେଶ୍ବର: ବୁଧବାର ପ୍ରକାଶ ପାଇଛି ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ଏହାସହ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଛି । ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ବେଳେ ଯେଭଳି ମହିଳାଙ୍କୁ ଦଳ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଥିଲା ଏଥରକ ମଧ୍ୟ ମହିଳାଙ୍କ ଉପରେ ଭରସା କରି ଟିକେଟ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଦିଲ୍ଲୀ ପାଇଁ ମଧ୍ୟ ମହିଳା ଯୋଦ୍ଧାଙ୍କ ନାମ ଘୋଷଣା କରାଯାଇଛି । ଲୋକସଭା ପାଇଁ ୨ ଜଣ ମହିଳା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ବ୍ରଜରାଜନଗରରୁ ଅଳକା ମହାନ୍ତି, ଝାରସୁଗୁଡ଼ାରୁ ଦୀପାଳି ଦାସ, ତଳସରାରୁ ଅନୁସୟା ପାତ୍ର, ମୋରଡାରୁ ପ୍ରିତିନନ୍ଦା କାନୁନଗୋ, ଫୁଲବାଣୀରୁ ଜୟଶ୍ରୀ କହଁର, ଖଲ୍ଲିକୋଟରୁ ସୂର୍ଯ୍ୟମଣୀ ବୈଦ୍ୟ ଓ ଆସ୍କାରୁ ମଞ୍ଜୁଳା ସ୍ବାଇଁ । ବିଧାନସଭାର ଦ୍ବିତୀୟ ପ୍ରାର୍ଥୀ ତାଲିକାରେ ସର୍ବମୋଟ ୭ଜଣ ମହିଳା ପ୍ରାର୍ଥୀଙ୍କ ନାମ ରହିଛି ।
ଅନ୍ୟ ପକ୍ଷରେ ଲୋକସଭା ପାଇଁ ଆଜି ଘୋଷିତ ପ୍ରାର୍ଥୀ ତାଲିକାରେ ୨ ଜଣ ମହିଳାଙ୍କ ନାମ ରହିଛି ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ ଓ ବରଗଡ଼ରୁ ପରିଣିତା ମିଶ୍ର ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ । ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ମୋଟ ୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ, ପୂର୍ବରୁ ଘୋଷିତ ପ୍ରାର୍ଥୀ ତାଲିକାରେ ମଧ୍ୟ ବିଜେଡି ମହିଳାଙ୍କୁ ପ୍ରାଥମିକତା ଦେଇଛି । ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୧୨ ଜଣ ମହିଳା ସାମିଲ ଥିଲେ ।
ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା
ଭୁବନେଶ୍ବର: ବିଜେଡିର ପ୍ରାର୍ଥୀ ଘୋଷଣା । ବିଜେଡିର ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।
ବିଧାନସଭା ପ୍ରାର୍ଥୀ ତାଲିକା
ସୁନ୍ଦରଗଡ- ଯୋଗେଶ ସିଂହ
ରାଜଗାଙ୍ଗପୁର- ଅନିଲ ବରୁଆଁ
ବଣାଇ- ଭୀମସେନ ଚୌଧୁରୀ
ଯଶିପୁର- ଚକ୍ରଧର ହେମ୍ବ୍ରମ
ଉଦଳା- ଶ୍ରୀନାଥ ସୋରେନ
ବାରିପଦା- ସାନାନ୍ଦ ମାରାଣ୍ଡି
ବ୍ରଜରାଜନଗର- ଅଳକା ମହାନ୍ତି
ବଡସାହି- ଅନୁସୟା ପାତ୍ର
ତଳସରା- ବିନୟ କୁମାର ଟପ୍ପୋ
ମହୁରା- ପ୍ରିତିନନ୍ଦ କାନୁନଗୋ
ସୋରୋ- ମାଧବ ଧଡା
ଆଠମଲ୍ଲିକ- ନଳିନୀକାନ୍ତ ପ୍ରଧାନ
ବୀରମହାରାଜପୁର- ପଦ୍ମନାଭ ବେହେରା
ଖରିଆର- ଅଧିରାଜ ପାଣିଗ୍ରାହୀ
ଭୁବନେଶ୍ୱର (ଏକାମ୍ର)- ଅଶୋକ ଚନ୍ଦ୍ର ପଣ୍ଡା
ଭୁବନେଶ୍ୱର (ଉତ୍ତର)- ସୁଶାନ୍ତ କୁମାର ରାଉତ
ଫୁଲବାଣୀ- ଜୟଶ୍ରୀ କହଁର
ମାହାଙ୍ଗା- ଅଙ୍କିତ ପ୍ରତାପ ଜେନା
ତିର୍ତ୍ତୋଲ- ରମାକାନ୍ତ ଭୋଇ
ଜଗତସିଂହପୁର- ପ୍ରଶାନ୍ତ କୁମାର ମୁଦୁଲି
ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ
ଆସ୍କା- ମଞ୍ଜୁଳା ସ୍ୱାଇଁ
ବ୍ରହ୍ମପୁର- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ
ମୋହନା- ଅନ୍ତର୍ଯାମୀ ଗମାଙ୍ଗୋ
ପଟାଙ୍ଗୀ- ପ୍ରଫୁଲ୍ଲ କୁମାର ପାଙ୍ଗୀ
ଲୋକସଭା ପ୍ରାର୍ଥୀ
ବଲଙ୍ଗୀର- ସୁରେନ୍ଦ୍ର ସିଂ ଭୋଇ
ଭଦ୍ରକ- ମଞ୍ଜୁଲତା ମଣ୍ଡଳ
ବରଗଡ଼- ପରିଣିତା ମିଶ୍ର
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
କେନ୍ଦୁଝର- ଧନଞ୍ଜୟ ସିଦ୍ଧୁ
ଟିକେଟ ନମିଳିବା ନେଇ କ୍ଷୋଭ ପ୍ରକାଶ କଲେ ଅମିତା
ଭୁବନେଶ୍ବର: କଂଗ୍ରେସରେ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ପରିବାରକୁ ଅବହେଳା ଅଭିଯୋଗ । ଶିଶିର ଗମାଙ୍ଗଙ୍କ ପରେ ମୁହଁ ଖୋଲିଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ଵାଳ । ଟିକେଟ ନମିଳିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅମିତା । ଅମିତା କହିଛନ୍ତି, ପ୍ରାର୍ଥୀ ତାଲିକାର ସର୍ଟଲିଷ୍ଟରେ ମୋ ନାଁ ରହିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ କାହିଁକି କାଟିଦିଆଗଲା ତାହା ଜଣାନାହିଁ । ଦଳରେ ମହିଳାଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦିଆଯିବ ବୋଲି କୁହାଯାଇଯାଇଥିଲା ତାହାବି ଦଳ ପାଳନ କଲାନି । କେବଳ ବିଶ୍ବାଳ ପରିବାର ନୁହେଁ ବରଂ ଗିରିଧର ଗମାଙ୍ଗଙ୍କ ପରିବାରକୁ ମଧ୍ଯ ଟିକେଟ ଦିଆଯାଇନାହିଁ ।
ନିର୍ବାଚନ ପାଇଁ ସରଗରମ ନୟାଗଡ ନିର୍ବାଚନ ମଣ୍ଡଳୀ
ନୟାଗଡ଼: ସାଧାରଣ ନିର୍ବାଚନ ପାଇଁ ବଢିଚାଲିଛି ରାଜନୈତିକ ଉଷ୍ମତା । ନୟାଗଡ ନିର୍ବାଚନ ମଣ୍ଡଳୀ ରାଜ୍ଯର ବହୁଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ । ନୟାଗଡ ମ୍ଯୁନିସପାଲଟି ଓ ଓଡଗାଁ ଏନଏସି ଏବଂ ୨ଟି ବ୍ଲକ,ନୟାଗଡ ଓ ଓଡଗାଁକୁ ନେଇ ଗଠିତ ନିର୍ବାଚନ ମଣ୍ଡଳୀ । ୨୪୬ଟି ବୁଥରେ ପ୍ରାୟ ୨ଲକ୍ଷ ୧୪ ହଜାର ୬୭୨ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ଯ ନିରୂପଣ କରିବେ । ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ତିନି ଦଳର ନେତା । ଏଥରେ ନିର୍ବାଚନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ଭୋଟରଙ୍କ ଦୃଢୋକ୍ତି ବିକାଶ ହିଁ ସାଜିବ ପ୍ରମୁଖ ମୁଦ୍ଦା ।
ନୟାଗଡ଼ ନିର୍ବାଚନ ମଣ୍ଡଳୀ, ରାଜ୍ୟର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ଗୋଟିଏ ନୟାଗଡ଼ ମୁନିସିପାଲିଟି ଓ ଓଡଗାଁ ଏନଏସି ଏବଂ ୨ଟି ବ୍ଲକ, ନୟାଗଡ଼ ଓ ଓଡଗାଁକୁ ନେଇ ଗଠିତ l ଏଠାରେ ଅଛନ୍ତି ୨ଲକ୍ଷ ୧୪ ହଜାର ୬୭୨ ଜଣ ଭୋଟର । ସେଥିମଧ୍ଯରୁ ୧ ଲକ୍ଷ ୧୩ ହଜାର ୩୮୭ ଜଣ ପୁରୁଷ ଭୋଟର ଅଛନ୍ତି । ସେହିଭଳି ମହିଳା ଭୋଟରଙ୍କ ସଂଖ୍ଯା ୧ଲକ୍ଷ ୧ ହଜାର ୨୭୨ ରହିଛି । ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୧୩ ଜଣ ଅଛନ୍ତି । ଏଥର ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ । ଏନେଇ ଜୋରଦାର ଅଣ୍ଟା ଭିଡିଲେଣି ନେତା । ସବୁଦଳର ଆଶାୟୀ ଗାଁକୁ ଗାଁ ବୁଲୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ୬ ରୁ ୬ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଛି ଶାସକ ଦଳ ବିଜେଡି ।
ନୟାଗଡର ବିକାଶ ବିଜେଡିର ବଡ ଅସ୍ତ୍ର । ବିଗତ ୨ ଦଶନ୍ଧିରୁ ଅଧିକ ସମୟ ଧରି ଶାସକ ବିଜେଡି ଅକ୍ତିଆରରେ ରହିଆସିଛି ଏହି କ୍ଷେତ୍ର । ରାଜ୍ୟର ଟାଣୁଆ ବିଜେଡି ନେତା ଅରୁଣ ସାହୁ ବିଗତ ୨୦ ବର୍ଷ ହେବ ବିଧାୟକ ରହି ଆସିଛନ୍ତି । ୨୦୧୯ ନିର୍ବାଚନରେ ୮୧ ହଜାର ୫୪୮ ଭୋଟ ପାଇଥିଲେ ଅରୁଣ । ସେହିପରି ଅରୁଣଙ୍କ ମୁଖ୍ଯ ପ୍ରତିଦ୍ଵନ୍ଦୀ ବିଜେପି ନେତ୍ରୀ ଇରାନୀ ରାୟ ୬୬ ହଜାର ୬୦୦ ଭୋଟ ପାଇଥିଲେ । ସେହିପରି ଭାବେ କଂଗ୍ରେସ ପ୍ରାର୍ଥୀ ମନୋଜ ସାହୁ ମାତ୍ର ୪ ହଜାର ୨୨୧ ଭୋଟ ପାଇଥିଲେ । ନବୀନଙ୍କ ପଞ୍ଚମ ପାଳି ମଧ୍ୟରେ ୪ ଥର ବିଧାୟକ ହେଲେଣି ଅରୁଣ l ୧୯୯୫ ମସିହା ନିର୍ବାଚନରେ ସୀତାକାନ୍ତ ମିଶ୍ର ,୨୦୦୦ ଉପନିର୍ବାଚନରେ ମନ୍ଦାକିନୀ ବେହେରା ଏବଂ ପରେ ଭାଗବତ ବେହେରା ବିଧାୟକ ହୋଇଥିଲେ l ୨୦୦୪ ରୁ ଅରୁଣ ସାହୁ ଲଗାତାର ବିଧାୟକ ହୋଇଆସୁଛନ୍ତି l ସେପଟେ ଚଳିତ ଥର ବିଜେପି ପକ୍ଷରୁ ଟିକେଟ ପାଇ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ଯୁଷା ରାଜେଶ୍ଵରୀ ସିଂ ବିଜେପି ପ୍ରାର୍ଥୀ ହୋଇଛନ୍ତି । ୨୦୧୯ ନିର୍ବାଚନର ବିଜେପି ପ୍ରାର୍ଥୀନୀ ଥିଲେ ଇରାନୀ ରାୟ l ହେଲେ ଇରାନୀ ଏବେ ବିଜେଡ଼ିରେ ଯୋଗଦେଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ପ୍ରେରିତ ହୋଇ ବିଜେଡ଼ି ଯୋଗଦେବା ପରେ ନୟାଗଡ଼ ବିଜେଡ଼ି ଆହୁରି ସଶକ୍ତ ହୋଇଛି ।
ମୁଖ୍ଯମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ନୟାଗଡରେ ବିକାଶ ଶିଖର ଛୁଇଁଛି । ଶିକ୍ଷା,ସ୍ଵାସ୍ଥ୍ଯ, ଗମନାଗମନ, ପାନୀୟ ଜଳ ଠାରୁ ଆରମ୍ଭ କରି ମନୋରଞ୍ଜନ କ୍ଷେତ୍ରରେ ଉନ୍ନତି ଘଟିଛି । ସେହିପରି ବିଏସକେୱାଇ କାର୍ଡ ଏବଂ ଆହାର କେନ୍ଦ୍ର ଦ୍ଵାରା ଲୋକ ହେଉଛନ୍ତି ଉପକୃତ । ବିଜେଡି ବିକାଶ ଆଦିକୁ ପ୍ରସଙ୍ଗ କରି ଭୋଟ ହାତେଇପାରେ l ୨୪ କାହାକୁ ମିଳୁଛି ସ୍ପଷ୍ଟ ଜନମତ ତାକୁ ଅପେକ୍ଷା l

