spot_img
Home Blog Page 3058

ସଉରା ଭାଷାକୁ ସମ୍ବିଧାନିକ ମାନ୍ୟତା ପାଇଁ କ୍ୟାବିନେଟ ମଞ୍ଜୁରୀ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଗୁଣୁପୁର: ପୂରଣ ହୋଇଛି ଅନେକ ଦିନର ଦାବି । ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ । ପ୍ରସ୍ତାବରେ ମେହାର ମାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶତାଧିକ ଆଦିବାସୀ ।

ଦାବି ପୂରଣ ହେଲେ ସଉରା ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ । ବିଭିନ୍ନ ବିଷୟରେ ଲେଖା ସୃଷ୍ଟି ସହ ପ୍ରକାଶନ ହୋଇପାରିବ । ସଉରା ଭାଷାର ବିକାଶ, ସଂରକ୍ଷଣ, ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ ହୋଇପାରିବ । ସଉରା ଭାଷାକୁ ମାନ୍ୟତା ଦେବା ଦ୍ବାରା ୫ ଲକ୍ଷ ଆଦିବାସୀ ଉପକୃତ ହେବେ ।

ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପରେ ଗୁଣପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର ବ୍ଲକ୍ ମରିଚଗୁଡା ମାତାରବନମ୍ ମନ୍ଦିର ପରିସରରେ ସଉରା ସଂମ୍ପ୍ରଦାୟର ଉତ୍ସବ ସଭା ଅନୁଷ୍ଠିତ । ଏଥିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାସ, ରାୟଗଡା ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଅନୁସୟା ମାଝୀ ପ୍ରମୁଖ ସାମିଲ ହୋଇଥିଲେ । ନାଚଗୀତ ବାଜା ଓ ବାଣ ଫୁଟାଇ ଉତ୍ସବ ମନାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଶତାଧିକ ଆଦିବାସୀ ।

ଗତ ୮ ତାରିଖରେ 5T ସଚିବ ଭି.କେ. ପାଣ୍ଡିଆନ ରାୟଗଡା ଗସ୍ତ ସମୟରେ ସଉରା ସଂପ୍ରଦାୟର ଲୋକଙ୍କୁ ଦୀର୍ଘ ଦିନର ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଥିଲେ ।

ଚିନ୍ତା ବଢ଼ାଇଛି ପିଙ୍କ ହ୍ଵାଟ୍ସଆପ ସ୍କାମ: ଗୋଟିଏ କ୍ଲିକରେ କାଙ୍ଗାଳ, ଚାଲିଯିବ ସବୁ ଗୋପନୀୟ ତଥ୍ୟ

ନୂଆଦିଲ୍ଲୀ: ସାଇବର ଠକଙ୍କ ନୂଆ ଫଣ୍ଡା । ଥରେ ମାତ୍ର ଲିଙ୍କ କ୍ଲିକ କଲେ ଲୁଟେରାଙ୍କ ନିକଟକୁ ଯିବ ଫଟୋ, ଭିଡିଓ ଓ ବ୍ୟାଙ୍କ ଡାଟା । ପିଙ୍କ ହ୍ଵାଟ୍ସଆପ ସ୍କାମ ଏବେ ସାରା ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏ ନେଇ ଆଡଭାଇଜରି ଜାରି କରିଛି କ୍ରାଇମବ୍ରାଞ୍ଚ ।

ଫସିବା ପୂର୍ବରୁ ପିଙ୍କ ହ୍ଵାଟ୍ସଆପକୁ ବେଳହୁଁ ସାବଧାନ । ମୁମ୍ବାଇ ପରେ ଏବେ ଆଡଭାନ୍ସ ଆଡ଼ଭାଇଜରି ଜାରି କରିବ ଓଡିଶା ପୋଲିସ । ଆପଣଙ୍କ ମୋବାଇଲକୁ ଅପଡେଟେଡ଼ ହ୍ଵାଟ୍ସଆପ ଡାଉନଲୋଡ କରିବାକୁ କିଛି ଲିଙ୍କ ଆସୁଛି କି ? ଭୁଲରେ ବି ସେହି ଲିଙ୍କରେ କ୍ଲିକ କରନ୍ତୁ ନାହିଁ । କ୍ଲିକ କରିବା ମାତ୍ରେ ହ୍ୟାକର ପଠାଇଥିବା ପିଙ୍କ ହ୍ବାଟ୍ସଆପ୍ ଅପଲୋଡ଼ ହୋଇଯିବ । ଏହି ଭାଇରସ ସଫ୍ଟୱେର ଜରିଆରେ ଫୋନର ସମସ୍ତ ଗୁରୁତ୍ବପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେଇଯିବ । ଆପଣଙ୍କ କଣ୍ଟାକ୍ଟରେ ଥିବା ଲୋକଙ୍କୁ ମଧ୍ୟ ସ୍କାନରକୁ ନେଇଯିବ ହ୍ୟାକର । ଏପରିକି ଆପଣଙ୍କ ହ୍ଵାଟ୍ସଆପ୍ ନମ୍ବରରୁ ବିଭିନ୍ନ ଗ୍ରୁପକୁ ଅଶ୍ଳୀଳ ମେସେଜ ପଠାଇବ । ଏଭଳି ସ୍କାମକୁ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ।

ପିଙ୍କ ହ୍ଵାଟ୍ସଆପ ହେଉଛି ଅସଲି ହ୍ଵାଟ୍ସଆପର ଅବିକଳ ନକଲ । ଏହାର ରଙ୍ଗ କିନ୍ତୁ ଗୋଲାପୀ । ୨୦୨୧ ମସିହାରେ ଏହି ଭାଇରସ ସମ୍ପର୍କରେ ଜଣାପଡିଥିଲା । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛି ଓଡିଶା ପୋଲିସ । କାରଣ ଅଧିକାଂଶ ଭିଭିଆଇପି, ରାଜନେତା, କର୍ପୋରେଟ ମୁଖ୍ୟଙ୍କୁ ଟାର୍ଗେଟ କରୁଛନ୍ତି ହ୍ୟାକର । ଯଦି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ସଫ୍ଟୱେରକୁ ଅନ ଇନଷ୍ଟଲ କରିବା ସହ ସାଇବର ଥାନାରେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ସାଇବର ଥାନା ଅଧିକାରୀ ରଶ୍ମିତା ଜେନା ।

ଦୁଇ ଦିନରେ ଆସିବ ମୌସୁମୀ: ଆଗମନରେ ବିଳମ୍ବ ଯୋଗୁଁ ରାଜ୍ୟରେ ନିଆଣ୍ଟିଆ ବର୍ଷା, ଚାଷ କାର୍ଯ୍ୟ ପ୍ରଭାବିତ

ଭୁବନେଶ୍ବର: ତାତିରୁ ମିଳିବ ତ୍ରାହି । ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ପ୍ରବେଶ କରିବ ମୌସୁମୀ । କିଛି ଜିଲ୍ଲାରେ ହୋଇଥିବା ପ୍ରାକ୍ ମୌସୁମୀ ବର୍ଷା ଓ ପବନ ଯୋଗୁଁ ମୌସୁମୀ ଅନୁକୂଳ ପାଗ ଦେଖା ଦେଇଛି। ହେଲେ ଚଳିତବର୍ଷ ବିଳିମ୍ବିତ ମୌସୁମୀ ଯୋଗୁଁ ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନରେ ସ୍ବାଭାବିକଠାରୁ ଢେର କମ୍ ବର୍ଷା ହୋଇ ଚାଷକୁ ପ୍ରଭାବିତ କରିଛି । ଏହା ଭିତରେ ଆସନ୍ତା ଜୁନ୍ ୨୪ରେ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାୟୁମଣ୍ଡଳର ନିମ୍ନ ଭାଗରେ ଦୃଶ୍ୟମାନ ହେଉଥିବା ବାୟୁର ଚଳାଚଳ ପଶ୍ଚିମ ଦିଗରୁ ପ୍ରବାହିତ ହେଉଛି । ଦିନେ ଦୁଇ ଦିନ ମଧ୍ୟରେ ଏହାର ପରିମାଣ ବଢିବା ନେଇ ଆକଳନ କରାଯାଇଛି । ଏହା ମୌସୁମୀ ଆଗମନ ପାଇଁ ଅନୁକୂଳ ପାଗ । ଜୁନ ୨୨ତାରିଖରୁ ହାଲୁକା ମଧ୍ୟମ ଧରଣର ବର୍ଷା ରହିବ । କିଛି ଜିଲ୍ଲାରେ ଜୁନ୍ ୨୩ ଓ ୨୪ରୁ ପ୍ରବଳ ବର୍ଷା ସମ୍ଭାବନା ।

କେରଳକୁ ବିଳମ୍ବରେ ମୌସୁମୀ ଛୁଇଁଥିବାରୁ, ଓଡ଼ିଶାରେ ବି ଏହା ବିଳମ୍ବରେ ପ୍ରବେଶ କରିବ । ମୌସୁମୀର ଏହି ବିଳମ୍ବ, ବର୍ଷାର ପରିମାଣ କମାଇ ଦେଇଛି । ଜୁନ ମାସରେ ଅତି କମରେ ୧୫୧.୬ ମିଲିମିଟର ବର୍ଷା ହେବା କଥା । ହେଲେ ଜୁନ ୨୧ ସୁଦ୍ଧା ମାତ୍ର ୩୧.୨ ମିଲିମିଟର ବର୍ଷା ହୋଇଛି । ଯାହା ୭୯.୪ ପ୍ରତିଶତ କମ୍ । ଚାଷ ବୁଣା ସମୟ ହୋଇଥିବାରୁ ବର୍ଷା ଅଭାବ ସମସ୍ୟା ସୃଷ୍ଟି କରିଛି ।

ସେପଟେ ଆସନ୍ତା ଜୁନ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ବାର୍ଷିକ ସମୀକ୍ଷା ବୈଠକ ନେବେ । ବୈଠକରେ ଫୋକସରେ ରହିବ ନିଅଣ୍ଟିଆ ବର୍ଷା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ରୋଡମ୍ୟାପରେ ନିଅଣ୍ଟିଆ ବର୍ଷାର ମୁକାବିଲା ପାଇଁ ପଦକ୍ଷେପ ନେବେ ରାଜ୍ୟ ସରକାର ।

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ମଝିଘରିଆଣୀ ମନ୍ଦିର ରୂପାନ୍ତରଣ ପାଇଁ ମାଗଣାରେ ଜମି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ । ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ, ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ରାସ୍ତା, ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ଜମି, ସ୍ୱତନ୍ତ୍ର ରେଣ୍ଟ ସମ୍ପର୍କୀତ ନୀତି, ମଝିଘରିଆଣୀ ମନ୍ଦିର ରୂପାନ୍ତରଣ ପାଇଁ ଜମି, ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ, ଅବଡା ଯୋଜନାରେ ସଂଶୋଧିତ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ ।

ରାୟଗଡ଼ା ମା’ ମଝିଘରିଆଣୀ ମନ୍ଦିର ରୂପାନ୍ତରଣ ପାଇଁ ଜମି ଦେବେ ସରକାର । ମାଗଣାରେ ୬ ଏକର ଜମି ଯୋଗାଇଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ବୈଠକରେ ହୋଇଥିଲା ଆଲୋଚନା । କେନ୍ଦ୍ର ପାଖକୁ ପ୍ରସ୍ତାବ ପଠାଇବାକୁ କ୍ୟାବିନେଟରେ ଅନୁମୋଦନ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାକୁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ଯୋଗାଯୋଗ ନଥିବା ରାଜ୍ୟର ସବୁ ଗାଁକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହେବ ରାସ୍ତା । ଏହି ପ୍ରସ୍ତାବରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶୀତଳାପଲ୍ଲୀରେ ହେବ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ । ଟାଟା ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଜମି ଦେବେ ସରକାର । ବୈଠକରେ ୪୩.୦୫ ଏକର ଜମି ପାଇଁ ବାର୍ଷିକ ରେଣ୍ଟ ଛାଡ଼ କଲେ ସରକାର । ସେହିପରି ବିଭିନ୍ନ ଚାରିଟେବୁଲ ଟ୍ରଷ୍ଟ ପାଇଁ ସ୍ବତନ୍ତ୍ର ରେଣ୍ଟ ନୀତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଅନାଥାଶ୍ରମ, ଦୃଷ୍ଟିବାଧିତ ସ୍କୁଲ ଓ ଗୋଶାଳା ପାଇଁ ସ୍ୱତନ୍ତ୍ର ରେଣ୍ଟ ଧାର୍ଯ୍ୟ କରାଯାଇଛି ।

ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ଓ ଅବଢ଼ା ଯୋଜନାରେ ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ପୋକ ଲାଗି ଯାଇଥିବା ଶବ ପାଖକୁ ଆସିଲେନି ପରିବାର କି ପଡୋଶୀ, କାନ୍ଧ ହେଲେ ସରପଞ୍ଚ

ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ନୃସିଂହପୁର ଟାଙ୍ଗି ସାହି । ଦୁର୍ଗନ୍ଧରେ ଫାଟି ପଡୁଥିଲା ପୂରା ଗାଁ । ପଚା ଗନ୍ଧ କରୁଥିଲା ଅଥୟ । କାରଣ, ପଡ଼ି ରହିଥିଲା ଗାଁର ଜଣେ ବ୍ୟକ୍ତିଙ୍କ ଶବ । ମୃତ୍ୟୁ ପରେ ପରିବାର ଲୋକେ ଆସି ନଥିବାରୁ ଶବ ସତ୍କାର ହୋଇପାରି ନଥିଲା । ଶବ ପଡ଼ି ରହି ପୋକ ଲାଗି ଯିବାରୁ ଗାଁ ଲୋକେ ବି ଆସିଲେନି । ବିକୃତ ମାନସିକତା ଆଗରେ ହାରି ଯାଇଥିଲା ମାନବିକତା ।  ଶେଷରେ ଶବ ପାଇଁ ଦେବଦୂତ ସାଜି ଆଗେଇ ଆସିଲେ ରାଜ ସୁନାଖେଳା ଅଞ୍ଚଳର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ଆର୍ତ୍ତତ୍ରାଣ ପ୍ରଧାନ । ମୃତକଙ୍କୁ କେବଳ ସମ୍ମାନ ଦେଇ ନଥିଲେ, କାନ୍ଧ ଦେଇ ଶ୍ମଶାନ ନେଲେ ଓ ଶବ ଦାହ କରିଥିଲେ ।

ମୃତକ ଜଣଙ୍କ ହେଲେ କୃଷ୍ଣ । ଘର ନେପାଳରେ । ଯୁବାବସ୍ଥାରୁ ନୃସିଂହପୁର ଟାଙ୍ଗି ସାହିରେ ରହି ଆସୁଥିଲେ । କୌଣସି କାରଣରୁ ଗୋଡ଼ ପଚି ଯିବାରୁ ସବୁ କିଛି ଉଲଟ ପାଲଟ ହୋଇଯାଇଥିଲା । କୃଷ୍ଣଙ୍କୁ ଏକା ଏକା ଛାଡ଼ି ଚାଲିଯାଇଥିଲେ ପରିବାର ଲୋକେ । ମୃତ୍ୟୁ ପରେ ବି ପହଞ୍ଚିନଥିଲେ ଆତ୍ମୀୟ । ଗୋଟିଏ ପଟେ ସମ୍ପର୍କୀୟ ପର କରି ଦେଇଥିବା ବେଳେ ପଡ଼ୋଶୀ ବି ଆସିଲେନି । କାରଣ ମନରେ ଧାରଣା ଥିଲା ପୋକ ଲଗା ଶବକୁ ଛୁଇଁଲେ ପାପ ହେବ । ଆଜିର ଦିନରେ ଏମିତି ବିକୃତ ମାନବିକତା ରଖୁଥିବା ଲୋକଙ୍କୁ ଯୁବ ସରପଞ୍ଚଙ୍କ ସେବା ଉଚିତ ଜବାବ କହିଲେ ଭୁଲ ହେବନାହିଁ ।

ଜାତୀୟ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ପୁରସ୍କାର ପାଇଁ ଦିଲ୍ଲୀ ଗଲେ ମଞ୍ଜୁଲତା, ମହାମହିମ କରିବେ ସମ୍ମାନିତ

ନୂଆଦିଲ୍ଲୀ: ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା ପାଇବେ ଚଳିତବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ପୁରସ୍କାର । ଆସନ୍ତାକାଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରିବେ ସମ୍ମାନିତ । ବନ୍ୟାରେ ପୁରୀ ଜିଲ୍ଲା କଣାସ ଅଞ୍ଚଳ ଜଳମଗ୍ନ ଥିବା ସମୟରେ ପ୍ରସବ ବେଦନା ପାଉଥିବା ଚାରି ଜଣ ଗର୍ଭବତୀ ମହିଳାଙ୍କୁ ମଞ୍ଜୁଲତା ପ୍ରସବ କରାଇ ସେମାନଙ୍କର ଜୀବନ ବଞ୍ଚାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଥିଲେ ।

ପୁରୀ ଜିଲ୍ଲା କଣାସ ବ୍ଲକ ସାହାସପୁର ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା । ଚଳିତବର୍ଷର ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଭାରତୀୟ ନର୍ସିଂ କଉନସିଲ ପକ୍ଷରୁ ମଞ୍ଜୁଲତା ମହାମହିମ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ପାଇଁ ଦିଲ୍ଲୀ ଯାଇଛନ୍ତି ।

ବନ୍ୟାରେ ସମଗ୍ର କଣାସ ଅଞ୍ଚଳ ଜଳମଗ୍ନ ଥିବା ସମୟରେ ପ୍ରସବ ବେଦନା ପାଉଥିବା ୪ ଗର୍ଭବତୀଙ୍କୁ ମଞ୍ଜୁଲତା ନିଜ ଉପକେନ୍ଦ୍ରରେ ପ୍ରସବ କରାଇ ସେମାନଙ୍କର ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଥିଲେ । ମଞ୍ଜୁଲତା ଏଏନଏମ ତାଲିମ ସମାପ୍ତ କରିବା ପରେ ୨୦୦୭ରେ ଜାତୀୟ ସ୍ବାସ୍ଥ୍ୟ ମିଶନରେ ପ୍ରଥମେ ଚାକିରି କରିଥିଲେ । ପରେ ଗତ ୨୦୧୯ ମସିହାରେ ନିୟମିତ ହୋଇ ମହିଳା ସ୍ବାସ୍ଥ୍ୟକର୍ମୀ ଭାବରେ ନିଜର କର୍ମ ଜାରି ରଖିଛନ୍ତି ।

ଅନେକ ସମୟରେ ଗର୍ଭବତୀ ମହିଳାଙ୍କୁ ରେଫର ନକରି ସାହାସର ସହିତ ନିଜ ଉପକେନ୍ଦ୍ରରେ ପ୍ରସବ କରାଇଛନ୍ତି ମଞ୍ଜୁଲତା । ବିନା କୌଣସି ଅସୁବିଧାରେ ଶହେରୁ ଅଧିକ ପ୍ରସମ କରାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଏବେ ସୁଦ୍ଧା ୧୦୬ ପ୍ରସବ କରାଇ ସମଗ୍ର ରାଜ୍ୟର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । କେବଳ ଗର୍ଭବତୀଙ୍କୁ ନୁହେଁ କୁଷ୍ଠରୋଗୀ, ଯକ୍ଷ୍ମାରୋଗୀ ଓ ବୃଦ୍ଧବୁଦ୍ଧାଙ୍କୁ ସେ ଅତି ଆପଣାର ଭାବି ସେବା ଯୋଗାଇ ଆସିଛନ୍ତି । ଏବେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଁ ବିବେଚିତ ହୋଇଥିବାରୁ ସବୁ ମହଲରୁ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ବିଶେଷ କରି କଣାସ ବ୍ଲକର ଗର୍ଭବତୀ ମହିଳାଙ୍କ ପାଇଁ ଭଗବାନ ସଦୃଶ ପାଲଟିଛନ୍ତି ମଞ୍ଜୁଲତା । ଏବେ ମିଳୁଥିବା ସମ୍ମାନ ସେବା କ୍ଷେତ୍ରରେ କାମ କରିବାକୁ ଅଧିକ ସାହାସ ଯୋଗାଇବ ବୋଲି ସେ ମଞ୍ଜୁଲତା ।

ଖୋଲିଲା ବାହାନଗା ସ୍କୁଲ: ପିଲାଙ୍କ ମନରେ ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ, କାନ୍ଧରେ ସ୍କୁଲ ବ୍ୟାଗ

ସୋର: ଖରା ଛୁଟି ପରେ ଖୋଲିଛି ସ୍କୁଲ । ରାଜ୍ୟର ଅନ୍ୟ ସ୍କୁଲ ଭଳି ବାହାନଗା ସ୍କୁଲ ବି ଖୋଲିଛି । ହେଲେ ଅନ୍ୟ ସ୍କୁଲଠାରୁ କିଛି ଭିନ୍ନ ଥିଲା ବାହାନଗା ସ୍କୁଲର ପ୍ରଥମ ଦିନ । ଏ ହେଉଛି ସେହି ସ୍କୁଲ ଯେଉଁଠି କରମଣ୍ଡଳ ଏକ୍ସପ୍ରେସରେ ମୃତାହତଙ୍କୁ ରଖା ଯାଇଥିଲା । ୧୯ ଦିନ ପୂର୍ବେ ଏଠାରେ ଘଟି ଯାଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଏ ସ୍କୁଲ ଛାତ୍ରଛାତ୍ରୀ ଥିଲେ ମୁକସାକ୍ଷୀ । ସେଦିନ ତାଙ୍କ ସ୍କୁଲରେ ଭର୍ତ୍ତି ହୋଇଯାଇଥିଲା କୁଢ଼ କୁଢ଼ ଶବ । ଏହା ଭିତରେ ୧୯ ଦିନ ବିତି ଯାଇଛି, ପିଲାଙ୍କ ମନରୁ ଭୟ ବି ଚାଲି ଯାଇଛି । ଆଉ ଖରା ଛୁଟି ପରେ ସ୍କୁଲ ଖୋଲି ଥିବାରୁ ପ୍ରଥମ ଦିନ ଖୁସି ଖୁସିରେ ନିଜ ପ୍ରିୟ ସ୍କୁଲକୁ ବସ୍ତାନୀ ଧରି ଫେରି ଆସିଛନ୍ତି ଛାତ୍ରଛାତ୍ରୀ ।

ପ୍ରଥମ ଦିନରେ ସୁରଖୁରରେ କ୍ଲାସରୁମରେ ବସି ପାଠ ପଢ଼ିଛନ୍ତି ଛାତ୍ରଛାତ୍ରୀ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୫୬୨ ଛାତ୍ରଛାତ୍ରୀ ଥିବା ଏହି ସ୍କୁଲରୁ ୧୧୨ ଜଣ ପିଲା ସ୍କୁଲ ଆସିଥିଲେ । ଅନ୍ୟ ଦିନ ପରି ପିଲାମାନେ ପ୍ରଥମେ ପ୍ରାର୍ଥନା କରିବା ସହିତ ଯୋଗ ଦିବସ ଥିବାରୁ ଯୋଗ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପାଠପଢ଼ା । ଲେବୁଲ କ୍ରସିଂରେ କାମ ଚାଲୁଥିବାରୁ କିଛି ପିଲା ସ୍କୁଲ ଆସିପାରି ନଥିଲେ ।  ଅନ୍ୟପକ୍ଷରେ ଅଭିବାବକଙ୍କ ସହ ଆଲୋଚନା କରି ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲା ଶିକ୍ଷାଧିକାରୀ ବିଦ୍ୟାଳୟରେ ଉପସ୍ଥିତ ରହି ପଢା କାର୍ଯ୍ୟର ତଦାରଖ କରିଥିଲେ ।

ସୂଚନାଯୋଗ୍ୟ, ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ଆଣି ବାହାନଗା ସ୍କୁଲ ଘରେ ରଖାଯାଇଥିଲା । ଯେଉଁଥି ପାଇଁ ଆସିବା ନେଇ ଭୟ ପ୍ରକାଶ କରିଥିଲେ ଅଭିବାବକ ଓ ଛାତ୍ରଛାତ୍ରୀ । ଏଥିପାଇଁ ପ୍ରଶାସନିକସ୍ତରରେ ଆଲୋଚନା ପରେ ମୃତଦେହ ରଖାଯାଇଥିବା ଶ୍ରେଣୀଗୃହକୁ ଭଙ୍ଗାଯାଇଥିଲା । ନୂଆ ଶ୍ରେଣୀ ଗୃହ ହେବା ସହ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ବିଶ୍ବ ଶାନ୍ତି ମହାଯଜ୍ଞର ମଧ୍ୟ ଆୟୋଜନ କରାଯାଇଛି । ପିଲାମାନେ କେମିତି ଭୟ ନକରି ବିଦ୍ୟାଳୟକୁ ଆସିବେ ଓ ପାଠ ପଢିବେ ସେଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ସିଂହନାଥଙ୍କ ଦର୍ଶନ ସହ 5T ସ୍କୁଲ ପରିଦର୍ଶନ କଲେ ସାଂସଦ ମାନସ ମଙ୍ଗରାଜ

ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗସ୍ତରେ ବିଜେଡି ସାଂସଦ ମାନସ ମଙ୍ଗରାଜ । ସିଂହନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ । ଏହାସହ ମନ୍ଦିର ବିକାଶ ପାଇଁ ସ୍ଥାନୀୟ ଲୋକ ଓ ପୂଜକଙ୍କ ସହିତ ଆଲୋଚନା କରିଥିଲେ । ମନ୍ଦିର ଚାରିପାଖର ଉନ୍ନତିକରଣ ସହିତ ଆଲୋକୀକରଣର କରିଥିଲେ ଅନୁଧ୍ୟାନ । ଏଠାରେ ପର୍ଯ୍ୟଟନକୁ କିପରି ବିକଶିତ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାସହ ସାଂସଦ 5T ସ୍କୁଲ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ । 5T ଉପକ୍ରମରେ ରୂପାନ୍ତରିତ ହୋଇଥିବା ସ୍କୁଲ ପରିଦର୍ଶନ କରି ସ୍ମାର୍ଟ କ୍ଲାସରୁମ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

ସାଂସଦଙ୍କ ଗସ୍ତ ସମୟରେ ବିଧାୟକ ଦେବୀ ମିଶ୍ର, ସ୍ଥାନୀୟ ସରପଞ୍ଚ ଏବଂ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ରୋଗୀ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ବିଜେପି ନେତା ଗିରଫ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଗୁରୁତର ଅବସ୍ଥାରେ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର କୃଷ୍ଣଚନ୍ଦ୍ର ପାଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ । ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ବିଜେପି ନେତା ଗିରଫ ।

ଗତକାଲି ରାତିରେ ଟିଟିଲାଗଡ଼ ସ୍ବାଧୀନପଡାର ନାରାୟଣ ହୋତା ନାମକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନାରାୟଣଙ୍କ ମୃତ୍ୟୁ ଘଟିଥିଲା । ନାରାୟଣଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କୁ ଦାୟୀ କରିଥିଲେ ପରିବାର ଲୋକେ । ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିବା ସହ ପାଟିତୁଣ୍ଡ କରିଥିଲେ ପରିବାର ଲୋକେ । କାର୍ଯ୍ୟରତ ଡାକ୍ତର କୃଷ୍ଣଚନ୍ଦ୍ର ପାଲ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ତେବେ ପରିବାର ଲୋକେ ତାଙ୍କର କୌଣସି କଥା ନ ବୁଝି ଠେଲାପେଲା କରିଥିଲେ । ଏହି ସମୟରେ ଜଣେ ବିଜେପି ନେତା ମୁରାରି ମିଶ୍ର ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ମେଡିକାଲ କର୍ମଚାରୀ ରୋଗୀ ସେବା ବନ୍ଦ କରି ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଟିଟିଲାଗଡ଼ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି ।

ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିବା ସହ ବିଜେପି ନେତା ମୁରାରିକୁ ଗିରଫ କରିଛି । ବଲାଙ୍ଗୀର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା କୁବେର ଚନ୍ଦ୍ର ମହନ୍ତ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ।

ବାସନ ମାଜୁଥିଲେ ମହିଳା, ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି କୁମ୍ଭୀର ଆତଙ୍କ । ତାହା ପୁଣି ନଦୀରେ ନୁହେଁ ପୋଖରୀରେ । ବାସନ ମାଜୁଥିବା ଜଣେ ମହିଳାଙ୍କୁ ପୋଖରୀରେ ଟାଣି ନେଲା କୁମ୍ଭୀର । ଘଟଣା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର ।

ମହିଳା ଜଣଙ୍କ ପୋଖରୀରେ ବାସନ ମାଜୁଥିବା ବେଳେ ଏକ କୁମ୍ଭୀର ତାଙ୍କୁ ଟାଣି ଚରଡ଼ିଆ ଦଳ ଭିତରକୁ ନେଇ ଯାଇଥିବା ଜଣାପଡିଛି । ଖବର ପାଇଁ ଅଗ୍ନଶମ ବାହାନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି ।

ତେବେ ପୋଖରୀରେ କୁମ୍ଭୀର ଥିବା ଜଣାପଡ଼ିବା ପରେ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି । କୁମ୍ଭୀରଟି କେମିତି ପୋଖରୀକୁ ଆସିଲା ତାହା ସ୍ବଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଜଣେ ବାଳକଙ୍କୁ ଟାଣି ନେଇଥିଲା । ସ୍ଥାନୀୟ ଲୋକେ ଖୋଜାଖୋଜି କରି ବାଳକର ମୃତଦେହ ଉଦ୍ଧାର କରିଥିଲେ ।