spot_img
Home Blog Page 3204

ଡ୍ରାଇଭରଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ, କଲ୍ୟାଣ ବୋର୍ଡ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି

ଭୁବନେଶ୍ବର: ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା । କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ୨୦୨୩କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଜନା କାର୍ଯ୍ୟକାରୀ କରିବା ପାଇଁ କଲ୍ୟାଣ ବୋର୍ଡ ଗଠନକୁ ସ୍ବୀକୃତି ପ୍ରଦାନ କରାଯାଇଛି।

ମୋଟର ଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ବ୍ୟାପକ ଭାବେ ଉପକୃତ ହେବେ। କାମ କରୁଥିବା ବେଳେ ଡ୍ରାଇଭର ଓ କର୍ମଚାରୀଙ୍କର ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଟଙ୍କା। ଅତିଗଭୀର ଆଘାତ କ୍ଷେତ୍ରରେ ୮୦ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ।

ସ୍ଥାୟୀ ଅକ୍ଷମତା ମାମଲାରେ ଦେଢ ଲକ୍ଷ ଟଙ୍କା ସହାୟତା ମିଳିବ । ସେହିପରି ସାଧାରଣ ମୃତ୍ୟୁ ମାମଲାରେ ୨ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଡ୍ରାଇଭର ଓ କର୍ମଚାରୀଙ୍କୁ ମିଳିବ ସୁବିଧା। ଯୋଗ୍ୟତା ଅନୁସାରେ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ବାରା ୫ଲକ୍ଷରୁ ଅଧିକ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ।

କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟର ପରିବହନ ଡ୍ରାଇଭର ରହିବେ। କର୍ମଚାରୀ ମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବା ବ୍ୟବସ୍ଥା ରହିଛି । ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ, ବୋର୍ଡ, ପଞ୍ଜୀକରଣ ଶୁକ୍ଳ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବେ। ଗତ ମାର୍ଚ୍ଚ ମାସରେ ଆନ୍ଦୋଳନକୁ ଓହ୍ଲାଇଥିଲା ଡ୍ରାଇଭର ମହାସଂଘ। ରାଜ୍ୟ ସରକାର ସମସ୍ୟାର ସମାଧାନ ପାଇଁ ୩ମାସର ମହଲତ ମାଗିଥିଲେ। ୩ମାସ ମଧ୍ୟରେ ପ୍ରତିଶ୍ରୁତି ପୂରଣ କରିଛନ୍ତି ରାଜ୍ୟ ସରକାର।

ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଯୁବତୀ

କଟକ: ବଲିଉଡର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ନାଁରେ ସାଂଘାତିକ ଅଭିଯୋଗ । କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି । ମୁମ୍ବାଇର ଏହି କଣ୍ଠଶିଳ୍ପୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି କଟକର ଜଣେ ଯୁବତୀ ।

ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା, ମାନସିକ ଓ ଶାରୀରିକ ଶୋଷଣର ଅଭିଯୋଗ ହୋଇଛି। ବିବାହ କରିବାକୁ କହି ଟଙ୍କା ହଡ଼ପ କରିଛନ୍ତି କଣ୍ଠଶିଳ୍ପୀ । ଏ ନେଇ ଏତଲା ପରେ ଘଟଣାକୁ ପୋଲିସ୍ ଗୁରୁତର ସହ ନେଇଛି । ଯୌନ ନିର୍ଯାତନା, ମାନସିକ ନିର୍ଯାତନା ଦେବା ସହ ଟଙ୍କା ହଡ଼ପ ନେଇ ଅଭିଯୋଗ ହୋଇଛି । ଏତଲା ଆଧାରରେ 376 2n, 493, 341, 417, 323, 506 ଧାରାରେ ମାମଲା ରୁଜୁ ହୋଇଛି ।

ଯୁବତୀ ଜଣଙ୍କ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି । କଣ୍ଠଶିଳ୍ପୀଙ୍କ ସହିତ ତାଙ୍କର ପ୍ରଥମେ କଟକରେ ଦେଖା ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯୁବତୀ ଜଣଙ୍କ ପରେ ମୁମ୍ବାଇରେ ଥିବା ତାଙ୍କ ବ୍ୟାଙ୍କ ଶାଖାକୁ ବଦଳି ହୋଇଯାଇଥିଲେ ।

ଦୀର୍ଘଦିନର ସମ୍ପର୍କ ମଧ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ନେଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ବିବାହ କରିବାକୁ ଯୁବତୀଙ୍କୁ କଣ୍ଠଶିଳ୍ପୀ ପ୍ରତିଶ୍ରୁତି ଦେଇ ସମୟ ଗଡ଼ାଇ ଚାଲିଥିଲେ । କଣ୍ଠଶିଳ୍ପୀ ବିବାହିତ ବୋଲି ଯୁବତୀ ଜାଣିନଥିଲେ । ଜାଣିବା ପରେ ସେ କଣ୍ଠଶିଳ୍ପୀଙ୍କ ସହ ସମ୍ପର୍କ ତୁଟାଇବାକୁ କହିବା ସହ ଟଙ୍କା ଫେରାଇବାକୁ କହିଥିଲେ । ତେବେ କଣ୍ଠଶିଳ୍ପୀ ଟଙ୍କା ନ ଫେରାଇ ତାଙ୍କୁ ଧମକ ଦେଉଥିବା ଯୁବତୀ ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ଥାନାରେ ଏତଲା ଦେଇଛନ୍ତି ।

ଏହି ମାମଲାକୁ ଗୁରୁତର ସହ ନେଇ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ତଦନ୍ତ ଆରମ୍ଭ କରିଛି କଟକ ମହିଳା ଥାନା ପୋଲିସ୍ ।

ଭଦ୍ରକରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ବିକାଶ ସମୀକ୍ଷା, ଖୁବଶୀଘ୍ର ଦାବି ପୂରଣ ନେଇ ଦେଲେ ପ୍ରତିଶ୍ରୁତି

 

ଭଦ୍ରକ: ଭଦ୍ରକ ଦେଖିବ ବିକାଶର ନୂଆ ସକାଳ । ଜିଲ୍ଲାର ରୂପାନ୍ତରଣ ପାଇଁ ପଡ଼ିଲା ମୂଳଭିତ୍ତି । ଦୁଇଦିନିଆ ଗସ୍ତରେ ସାମଗ୍ରିକ ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି 5T ସଚିବ  ।

ଧାମରାର ବହୁପ୍ରତୀକ୍ଷିତ ମନ୍ତେଇ ବ୍ରିଜ୍ କାମ ଦ୍ରୁତଗତିରେ ଚାଲିଥିବା ବେଳେ ସକାଳୁ ସକାଳୁ ଅଗ୍ରଗତିର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ୍। ଖୁବଶୀଘ୍ର କାମ ସରିବା ପରେ ଚାନ୍ଦବାଲିରୁ ଧାମରା ଯାତାୟତ ସମୟ ଘଣ୍ଟାଏକୁ ହ୍ରାସ ପାଇବ। ପରେ ବୈତରଣୀ ନଦୀ ନିକଟରେ ଭିତରକନିକାକୁ ପ୍ରବେଶ ପଥ ଏବଂ ନଦୀବନ୍ଧର ଅନୁଧ୍ୟାନ କରି କ୍ରିଉ ଟ୍ରେନିଂ ସେଣ୍ଟର ପରିଦର୍ଶନ ପରେ ମିଶନ ଶକ୍ତି କାଫେରେ ଜଳଖିଆ କରିଥିଲେ। କାଳିପଡ଼ିଆରେ ଲୋକଙ୍କ  ସମସ୍ଯା ଶୁଣିବା ସହ ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ 5T ସଚିବ।

ଲୁଣିପାଣି ଯନ୍ତ୍ରଣାର ଯୁଗଶେଷ ହେବ। ଘର ଦୁଆରେ ପହଞ୍ଚିବ ସ୍ବଚ୍ଛପାନୀୟ ଜଳ। ଚାନ୍ଦବାଲିରେ ୯୦୦ କୋଟି ଟଙ୍କାରେ ମେଗା ପାଇପ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ 5T ସଚିବ। ନଭେମ୍ବର ସୁଦ୍ଧା କାମ ସରିବାକୁ ଥିବାବେଳେ ରକ୍ଷଣାବେକ୍ଷଣା ପାଇଁ ଲୋକଙ୍କୁ ଆହ୍ବାନ ଦେଇଥିଲେ ।

ଚାନ୍ଦବାଲି ଇନଡୋର ଷ୍ଟାଡିୟମରେ ବିଭିନ୍ନ ବିକାଶମୂଳକ କାମ, ବାସୁଦେବପୁରରେ ବସଣ୍ଟାଣ୍ଡ ନିର୍ମାଣ ଏବଂ ସିଏଚସିରେ ଆମ ହସପିଟାଲ ରୂପାନ୍ତରଣର ଅନୁଧ୍ୟାନ ପରେ ଏ ବି ହାଇସ୍କୁଲରେ ସାଧାରଣ ଲୋକ ଏବଂ BCCUBB ହାଇସ୍କୁଲରେ 5Tରେ ହୋଇଥିବା ରୂପାନ୍ତରଣ କାମର ଅନୁଧ୍ୟାନ କରି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସପ୍ତାହେ ଭିତରେ ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ 5T ସଚିବ  ।

ବିଶ୍ବବିଦିତ ହେବ ରକ୍ତତୀର୍ଥ ଇରମ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ 5T ଅଧିନରେ ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଭି. କେ. ପାଣ୍ଡିଆନ୍। ଇରମର ଇତିହାସ ଜାଣିବାକୁ ସନ୍ଧ୍ୟାରେ ଅଧଘଣ୍ଟା ପାଇଁ ହେବ ଲାଇଟ-ଆଣ୍ଡ ସାଉଣ୍ଡ ଶୋ’। କୋଣାର୍କ ପରି ଏହାର ଉନ୍ନତିକରଣ କରାଯିବ। ଏଥିପାଇଁ ଖୁବଶୀଘ୍ର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୬ରୁ ୮ମାସ ମଧ୍ୟରେ ନବକଳେବର ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହା ପରେ ଧାମନଗର ଇନଡୋର ଷ୍ଟାଡିୟମ ଓ ସିଏସଚିରେ ବିକାଶ କାମର ଅନୁଧ୍ୟାନ କରିଥିଲେ 5T ସଚିବ। ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସରେ ଉନ୍ନୟନ କାମର ଅନୁଧ୍ୟାନ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ ପରେ ଭଣ୍ଡାରିପୋଖରୀ ବ୍ଲକ ତହସିଲ ନିକଟରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଭଣ୍ଡାରିପୋଖରୀରେ ହେଉଥିବା ଶିଳ୍ପର ବିକାଶ ପାଇଁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ 5T ସଚିବ ।

ଆଖୁଆପଦାରେ ମେଗାପାଇପ ପାନୀୟ ଜଳଯୋଗାଣ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ 5T ସଚିବ। ପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏଥିପାଇଁ ୭୮୦କୋଟି ଟଙ୍କା ଖର୍ଚ୍ଚହେବ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ 5T ସଚିବ ।

ଶୀର୍ଷ ଛୁଇଁବ ଭଦ୍ରକର ସାମଗ୍ରିକ ବିକାଶ  । ଗ୍ରାଉଣ୍ଡରେ ସମୀକ୍ଷା ପରେ ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ମିଳିଛି ପ୍ରତିଶ୍ରୁତି । ଲୋକଭିମୂଖୀ ପଦକ୍ଷେପ ପାଇଁ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଭଦ୍ରକବାସୀ ।

ଅଘୋଷିତ ବିଦ୍ୟୁତ କାଟ, ରାଜରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା

ଯାଜପୁର: ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା। ଯାଜପୁର ଦଶରଥପୁର ବ୍ଳକ ଅସନପୁର ପଂଚାୟତ କଇଥପଡ଼ିଆ ଛକରେ ଯାଜପୁର ବିରିପଟା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଉପଭୋକ୍ତା ।

ଏପରିକି ଚାରିଜଣ ଟାଟା ପାୱାର କର୍ମଚାରୀଙ୍କୁ ଅଟକ ରଖିଥିଲେ ବିରୋଧ ପ୍ରଦର୍ଶନକାରୀ । ସୂଚନା ମୁତାବକ ଯାଜପୁର ଦଶରଥପୁର ବ୍ଳକ ଅନ୍ତର୍ଗତ ଅସନପୁର ସମେତ ଛତ୍ରପଡ଼ା, ନନ୍ଦିପୁର ଆଦି ଅଞ୍ଚଳରେ ବିଦ୍ୟୁତ କାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଟାଟା ପାୱାରର ଖାମଖିଆଲି ମନୋଭାବ ଯୋଗୁ ଦିନକୁ ଘଣ୍ଟା ଘଣ୍ଟା ବିଦୂତ କାଟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହାର ପ୍ରତିବାଦ କରି  ଉପଭୋକ୍ତା ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ  ।

ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅତନୁ

ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅତନୁ ସବ୍ୟସାଚୀ ନାୟକ । ଦାୟିତ୍ବ ଗ୍ରହଣ କଲା ପରେ ଲୋକସେବା ଭବନରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅରବିନ୍ଦ  ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି । ବିଭାଗର କାର୍ଯ୍ୟକୁ କିଭଳି ସୂଚାରୁ ରୂପେ କରାଯିବ ସେନେଇ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ  ।

ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡ଼ିଥିଲେ ରୋହିତ ପୂଜାରୀ । ମନ୍ତ୍ରିମଣ୍ଡଳରୁ ରୋହିତଙ୍କୁ ବାଦ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ଯୋଗୁ ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବାକୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ ।

ଜୁନ୍ ୧୯ରୁ ଜୁଲାଇ ୪ ଯାଏ ଯୁକ୍ତ ୩ ଅନଲାଇନ୍ ଫର୍ମପୂରଣ

ଭୁବନେଶ୍ବର: ଆସନ୍ତା ୧୯ ତାରିଖରୁ ଯୁକ୍ତ ତିନି ପାଇଁ ଆବଦେନ କରିପାରିବେ ଛାତ୍ରଛାତ୍ରୀ  । ୧୯ରୁ ଜୁଲାଇ ୪ ଯାଏ ଅନଲାଇନରେ ଆବେଦନ କରିବାର ସୁଯୋଗ ରହିଛି । ଜୁଲାଇ ୧୪ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଜୁଲାଇ ୨୭ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଓ ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।

ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ପରେ ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ମେଧା ତାଲିକା ପ୍ରକାଶ ପାଇବା ନେଇ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ କରିଛି ।

ସାରା ରାଜ୍ୟରେ ନିଆଁ ବର୍ଷା, ଫିକା ପଡ଼ିପାରେ ରଜ ମଉଜ

ଭୁବନେଶ୍ବର: ସାରା ରାଜ୍ୟରେ ନିଆଁ ବର୍ଷା । ଦିନ ସାଢେ ଦୁଇଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ସମ୍ବଲପୁର । ସମ୍ବଲପୁରରେ ୪୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ହୀରାକୁଦରେ ୪୪.୪ ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ବରରେ ୪୩.୮ ରହିଛି ତାପମାତ୍ରା  ।

ସେହିପରି ଝାରସୁଗୁଡ଼ାରେ ୪୨.୪ ଓ କେନ୍ଦୁଝରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଚାନ୍ଦବାଲିରେ ୩୯, ବାଲେଶ୍ୱରରେ ୩୭.୪, ପୁରୀରେ ୩୬.୪, ଗୋପାଳପୁରରେ ୩୪.୬ ଓ ପାରାଦୀପରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ପାରାଦୀପରେ ୭୨ପ୍ରତିଶତ ଆଦ୍ରତା ଥିବା ବେଳେ ୬୦ ପ୍ରତିଶତ ଉପରେ ରହିଛି ୪ସହରର ଆଦ୍ରତା ।

ସମ୍ବଲପୁରରେ ସର୍ବାଧିକ ତାତି ଥିବା ବେଳେ ଗୁଳୁଗୁଳି ୨୧ପ୍ରତିଶତ ରହିଛି । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପ୍ରବଳ ଖରା  । ୧୬ ତାରିଖ ଯାଏ ତାତିରୁ ମିଳିବନି ନିସ୍ତାର ।  ଆଜି ପାଇଁ ୧୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଓ ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ଡିଗ୍ରୀ ଅଧିକ ଅନୁଭୂତ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଫିକା ପଡ଼ିବ ରଜ ମଉଜ ।

ରାମ୍ପ ଓ୍ବାକ ବେଳେ ମଡେଲଙ୍କ ମୁଣ୍ଡରେ ପଡ଼ିଲା ଲୁହା ପିଲାର୍‌

ନୂଆଦିଲ୍ଲୀ: ରାମ୍ପ ଓ୍ବାକ କରୁଥିବା ମଡେଲଙ୍କ ମୁଣ୍ଡରେ ପଡ଼ିଲା ଲୁହା ପିଲାର୍‌ । ୨୪ବର୍ଷୀୟ ମହିଳା ମଡେଲଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ମଡେଲ ଗୁରୁତର ହୋଇଛନ୍ତି । ନୂଆ ଦିଲ୍ଲୀ ନୋଏଡ଼ା ଫିଲ୍ମ ସିଟିରେ ଏହି ଅଘଟଣ ଘଟିଛି । ଗତକାଲି ରାତି ପ୍ରାୟ ସାଢ଼େ ୧ଟାରେ ଫ୍ୟାସନ ଶୋ’ ଚାଲିଥିବା ବେଳେ ମଡେଲମାନେ ଭଳି କି ଭଳି ଡ୍ରେସପିନ୍ଧି ରାମ୍ପ ଓ୍ବାକ କରୁଥିଲେ ।

ଷ୍ଟେଜରେ ଲାଇଟ ଲଗାଯାଇଥିବା ଏକ ଲୁହା ପିଲର ଜଣେ ମଡେଲ ବଂଶିକା ଚୋପ୍ରାଙ୍କ ଉପରେ ପଡ଼ିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁରୁତର ମଡେଲଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ କହିଛି । ଶୋ’ ଆୟୋଜକ ଓ ଷ୍ଟେଜରେ ଲାଇଟ ଲଗାଇଥିବା ବ୍ୟକ୍ତିଙ୍କୁ ଜେରା କରୁଛି ପୋଲିସ ।

ନର୍ମଦାଙ୍କୁ ପୂଜା କରି ମଧ୍ୟପ୍ରଦେଶରେ ମହାବିଜୟ ଲକ୍ଷ୍ୟରେ ପ୍ରଚାର କରୁଛନ୍ତି ପ୍ରିୟଙ୍କା

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି । କର୍ଣ୍ଣାଟକ ବିଜୟ ପରେ ମଧ୍ୟପ୍ରଦେଶରେ ମହାବିଜୟ ଲକ୍ଷ୍ୟରେ କ୍ୟାମ୍ପେନ ଆରମ୍ଭ କରିଛି କଂଗ୍ରେସ । ଆଦିବାସୀ ବହୁଳ ଜବଲପୁର ଗୌରୀ ଘାଟରେ ନର୍ମଦା ପୂଜା କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏହି ସ୍ମାରକୀଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରିୟଙ୍କା ।

ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ମଧ୍ୟପ୍ରଦେଶର ମହାକୋଶଲ ଅଞ୍ଚଳର ମଧ୍ୟଭାଗରେ ରହିଛି ଜବଲପୁର । ଏହି ଅଞ୍ଚଳରେ ଅଧିକାଂଶ ଆଦିବାସୀ ଲୋକ ବସବାସ କରନ୍ତି । ୨୦୧୮ ନିର୍ବାଚନରେ ଏହି ଅଞ୍ଚଳର ୧୩ଟି ଏସଟି ସଂରକ୍ଷିତ ଆସନରୁ କଂଗ୍ରେସ ୧୧ ଆସନରେ ବିଜୟୀ ହୋଇଥିଲା । ଅବଶିଷ୍ଟ ୨ଟି ଆସନ ବିଜେପି ହାତକୁ ଯାଇଥିଲା ।

ମଧ୍ୟପ୍ରଦେଶରେ ୬ଟି ଅଞ୍ଚଳ ମହାକୋଷଳ, ଗ୍ବାଲିୟର-ଚମ୍ବଲ, କେନ୍ଦ୍ରୀୟ ଭାରତ, ନିମାର-ମାଲଓ୍ବା, ବିନ୍ଧ ଓ ବୁନ୍ଦେଲଖଣ୍ଡ ରହିଥିବାବେଳେ ସବୁ ଅଞ୍ଚଳରେ କଂଗ୍ରେସ ଭଲ କରିବ ବୋଲି ଦଳ ଆଶା ରଖିଛି ।

ହରିଣ ଖାଇଲା ସାପ, କଣ ପାଇଁ ଏହାକୁ ବିପଜ୍ଜନକ ବୋଲି କହୁଛନ୍ତି ପରିବେଶବିତ୍ତ୍‌

ନନ୍ଦିଘୋଷ ବ୍ୟୁରୋ: ହରିଣ ସାପ ଖାଏ କି ? ଆପଣ ଭାବୁଥିବେ ଏହା କେମିତିକା ପ୍ରଶ୍ନ  । ଆମେ ପିଲାବେଳେ ପଢିଛେ ଯେ ହରିଣ ଏକ ତୃଣଭୋଜି ପ୍ରାଣୀ  । ସେ କେବଳ ଘାସପତ୍ର ଖାଇ ବଞ୍ଚିଥାଏ  । ଚିଡିଆଖାନାରେ ବି ହରିଣ ଡାଳପତ୍ର ଓ ଘାସ ଖାଉଥିବା ଦେଖିବାକୁ ମିଳେ  । କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ  । ୨୧ ସେକେଣ୍ଡର ଭିଡିଓରେ ହରିଣଟି ସାପ ଚୋବାଉଥିବା ଦେଖିବାକୁ ମିଳିଛି  । ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଭିଡିଓ ଟିକୁ ସେୟାର କରି ଲେଖିଛନ୍ତି ‘‘ପ୍ରକୃତିକୁ ଭଲ ଭାବେ ବୁଝିବା ପାଇଁ କ୍ୟାମେରା ଆମକୁ ସାହାଯ୍ୟ କରୁଛି  । ତୃଣଭୋଜୀ ପ୍ରାଣୀ ବି ବେଳେବେଳେ ସାପ ଖାଇ ପାରନ୍ତି ’’ ।

କିଛି ଦିନ ପୂର୍ବରୁ କିଙ୍ଗ କୋବରା ଭଳି ବିଷଧର ସାପକୁ ଏକ ଅସୁସ୍ଥ ଓଟକୁ ସୁସ୍ଥ କରିବା ପାଇଁ ଖାଇବାକୁ ଦିଆଯାଇଥିଲା  । ଏବେ ହରିଣର ବଦଳୁଥିବା ଅଭ୍ୟାସ ଦେଖି ଚିନ୍ତାରେ ପରିବେଶବିତ୍ତ୍‌  । କାରଣ ଏପରି ହେଲେ ଫୁଡ୍‌ ଚେନ ଅର୍ଥାତ ପରସ୍ପର ଉପରେ ନିର୍ଭରତା କ୍ରମରେ ପରିବର୍ତ୍ତନ ଆସିବ  ।

 

ତେବେ ଅସହ୍ୟ ଭୋକ କାରଣରୁ ବୋଧହୁଏ ହରିଣଟି ସାପ ଖାଇବା ପାଇଁ ବାଧ୍ୟ ହୋଇଥିବ ବୋଲି କେତେକ ପରିବେଶବିତ୍ତ୍‌ ମତ ଦିଅନ୍ତି  । କାରଣ ପ୍ରକୃତିର ଇକୋସିଷ୍ଟମରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ ହରିଣ  । ଯଦି ଏହାର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଘଟେ ଜଙ୍ଗଲର ବ୍ୟବସ୍ଥା ବିଗିଡିବା ବି ଏକ ପ୍ରକାର ନିଶ୍ଚିତ ହେବ  ।

 

ଆପଣ ଜାଣିରଖନ୍ତୁ ଯେ ହରିଣ ଘାସପତ୍ର ଛଡା ବେଳେବେଳେ ଛତୁ, ଫୁଲ, ବାଦାମ ଓ ଅଖରୋଟ ଆଗ୍ରହର ସହ ଖାଇଥାଏ  । ରାଜସ୍ଥାନର ବିଷ୍ଣୋଇ ସମାଜ ହରିଣ ଛୁଆକୁ ନିଜ ଛୁଆ ଭଳି ଲାଳନ ପାଳନ ମଧ୍ୟ କରିଥାନ୍ତି  । ବୋତଲରେ ସେମାନେ ହରିଣ ଛୁଆକୁ କ୍ଷୀର ପିଆଇଥାନ୍ତି  ।