spot_img
Home Blog Page 3203

ସାମାନ୍ୟ ବଚସାରୁ ସାଙ୍ଗକୁ ସାଙ୍ଗର ଗୁଳିମାଡ଼

କେନ୍ଦୁଝର: ସାଙ୍ଗକୁ ଗୁଳି ମାରିଲା ସାଙ୍ଗ । କେନ୍ଦୁଝର ହରିଚନ୍ଦନପୁର ଥାନା ସିଂହବିଲା ଗାଁରେ ଗୁଳିକାଣ୍ଡ । ସାମାନ୍ୟ ବଚସାରୁ ସାଙ୍ଗକୁ ସାଙ୍ଗର ଗୁଳିମାଡ଼ । ଫାୟାରିଂରେ ପୂର୍ଣ୍ଣଚନ୍ଦ୍ର ଦାସ ଗୁରୁତର ହୋଇଛନ୍ତି  । ତାଙ୍କୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗୁଳି ମାରିଥିବା ବିନୋଦ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଅଭିଯୋଗ ଅନୁସାରେ ପୂର୍ଣ୍ଣଚନ୍ଦ୍ର ଓ ବିନୋଦ ବେଙ୍ଗାଲୁରୁରେ କାମ କରୁଥିବା ବେଳେ, ଛୁଟିରେ ଘରକୁ ଆସିଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗିଥିଲା  । ଉତ୍ୟକ୍ତ ହୋଇ ହଠାତ୍ ବିନୋଦ ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡକୁ ଗୁଳିକରି ଫେରାର୍ ହୋଇଯାଇଛି  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି  ।

ରାଉରକେଲା ପୁରୁଣା ବିଶ୍ରା ରୋଡରେ ଯୁବକଙ୍କ ଉପରକୁ ଗୁଳିମାଡ

ରାଉରକେଲା: ରାଉରକେଲା ପୁରୁଣା ବିଶ୍ରା ରୋଡରେ ଯୁବକଙ୍କ ଉପରକୁ ଗୁଳିମାଡ । ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ  । ସାମାନ୍ୟ ବଚସାକୁ କେନ୍ଦ୍ର କରି ଭିକି ସିଂଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି  ।

ଦିଲ୍ଲୀରେ ଚାଲିପାରିବନି ଟୁ-ହୁଇଲର ଟାକ୍ସି

ନୂଆଦିଲ୍ଲୀ: ବର୍ତ୍ତମାନ ଲାଗି ଦିଲ୍ଲୀରେ ଚାଲିପାରିବନି ଟୁ-ହୁଇଲର ଟାକ୍ସି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଟାକ୍ସି ଚାଲିବାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ । ନୂଆ ନୀତି ତିଆରି ନହେବା ଯାଏ କୌଣସି ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ଆସନ୍ତା ୩୦ ତାରିଖ ସୁଦ୍ଧା ଏକ ନୂଆ ନୀତି ଆଣିବା ଲାଗି ଅଦାଲତରେ କହିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ସରକାରଙ୍କ ପ୍ରସ୍ତାବ ସମ୍ପର୍କରେ ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଥିଲେ କୋର୍ଟ । ଓଲା, ରାପିଡୋ ଆଦି ସଂସ୍ଥା ମୋଟର ଯାନ ଆଇନ ୧୯୮୮ର ଉଲ୍ଲଂଘନ କରୁଛନ୍ତି ବୋଲି ଦିଲ୍ଲୀ ସରକାର ଏକ ନୋଟିସ ଜାରି କରିଥିଲେ । ପ୍ରଥମେ ୫ ହଜାର ଟଙ୍କା, ଦ୍ବିତୀୟ ଥର ଲାଗି ୧୦ ହଜାର ଟଙ୍କା ଓ ବର୍ଷେ ଯାଏ ଜେଲଦଣ୍ଡ ବ୍ୟବସ୍ଥା ଏହି ଆଇନରେ ରହିଛି । ଦିଲ୍ଲୀ ସରକାରଙ୍କ ନୋଟିସ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ରାପିଡୋ ।

ବାହାନଗାରେ କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ନାମ ସଂକୀର୍ତ୍ତନ ଟେଣ୍ଟ

ବାହାନଗା: ବାହାନଗାରେ କାଳବୈଶାଖୀର ତାଣ୍ଡବ। ଭାଙ୍ଗିଲା ନାମ ସଂକୀର୍ତ୍ତନ ଏବଂ ରୋଷେଇ ଟେଣ୍ଟ । କରମଣ୍ଡଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ଆତ୍ମାର ସଦଗତି ପାଇଁ ଏଠାରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ସହ ବିଶ୍ବଶାନ୍ତି ମହାଯଜ୍ଞ ଚାଲିଥିଲା । ତେବେ ଏହି ସମୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଓ ବଜ୍ରପାତ ହୋଇଥିଲା । ଫଳରେ ନାମ ସଂକୀର୍ତ୍ତନ ପାଇଁ ବନ୍ଧା ଯାଇଥିବା ଟେଣ୍ଟ ଉଡ଼ିବା ସହ ରୋଷେଇ ଟେଣ୍ଟ ମଧ୍ୟ ଭାଙ୍ଗି ପଡିଥିଲା ।

୧୫ ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା, ଗୁଜରାଟରୁ ପାକିସ୍ତାନ ଯାଏଁ ହାଇଆଲର୍ଟ

ନୂଆଦିଲ୍ଲୀ: ସାଇକ୍ଲୋନ ପାଇଁ ସତର୍କତା । ଗୁଜରାଟରୁ ପାକିସ୍ତାନ ଯାଏଁ ହାଇଆଲର୍ଟ । କେରଳ, ମହାରାଷ୍ଟ୍ରରେ ବି ବିପର୍ଯ୍ୟୟର ପ୍ରଭାବ ପଡ଼ିବ। ସମୁଦ୍ରରେ ଉଚ୍ଚ ଜୁଆର ସାଙ୍ଗକୁ ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ଆସନ୍ତା ୧୫ ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା ବିପର୍ଯ୍ୟୟ ।

ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନରେ ପରିଣତ ହୋଇ ଆରବ ସାଗରରେ ସ୍ଥଳଭାଗ ଆଡକୁ ବଢୁଛି ବାତ୍ୟା । ସମୁଦ୍ର ଉପକୂଳ ଛୁଇଁବା ବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇଯିବ । ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଲ୍ୟାଣ୍ଡ ଫଲ କରିବ ବାତ୍ୟା ବିପର୍ଯ୍ୟୟ । ସୌରାଷ୍ଟ୍ର-କଚ୍ଛ ଉପକୂଳ ତଥା ପାକିସ୍ତାନର କରାଚି ଉପକୂଳରେ ସାଇକ୍ଲୋନ ମାଡ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଏବେ ପୋରବନ୍ଦରଠାରୁ ପ୍ରାୟ ୩ଶହ କିମି ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି ବାତ୍ୟା । ଏହା ଘଣ୍ଟା ପ୍ରତି ୫କିମି ବେଗରେ ସ୍ଥଳଭାଗ ଆଡକୁ ବଢୁଛି । ଲ୍ୟାଣ୍ଡଫଲ ପରେ ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୧୨୫ରୁ ୧୩୦ କିମି ବେଗରେ ପବନ ବହିବା ସହ ଅତି ପ୍ରବଳ ବର୍ଷା ହେବ। ୧୫ ତାରିଖରେ ସୌରାଷ୍ଟ୍ର, କଚ୍ଛ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ୨୦ ମିମିରୁ ଅଧିକ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ।

ବାତ୍ୟା ଉପକୂଳ ଛୁଇଁବା ସମୟରେ ସମୁଦ୍ରରେ ୨ରୁ୩ ମିଟର ଉଚ୍ଚ ଜୁଆର ଆସିପାରେ । ୧୬ ତାରିଖରେ ବାତ୍ୟା ନର୍ଥ ଗୁଜରାଟ ଓ ସାଉଥ ରାଜସ୍ଥାନ ଆଡ଼କୁ ଗତି କରିବ । ଫଳରେ ବିଭିନ୍ନ ଜିଲ୍ଲାରେ ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ ଓ ପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ଯୋଗୁ ଗୁଜରାଟର ତଳିଆ ଅଞ୍ଚଳଗୁଡ଼ିକରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଓ ଆବଶ୍ୟକ ବ୍ୟବସ୍ଥା କରିବାକୁ ପିଏମଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମହାରାଷ୍ଟ୍ରରେ ସମୁଦ୍ର ଅଶାନ୍ତ ସାଙ୍ଗକୁ ବର୍ଷା ଜାରି ରହିଥିବା ବେଳେ ପାଗ ଅନୁକୂଳ ନଥିବାରୁ ମୁମ୍ବାଇ ବିମାନବନ୍ଦରରୁ ଅନେକ ବିମାନ ବାତିଲ କରିଦିଆଯାଇଛି । ବାତ୍ୟା ପାଇଁ ରେଳବାଇ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ କଣ୍ଟ୍ରୋଲ ରୁମ ଆକ୍ଟିଭେଟ କରାଯାଇଛି ବୋଲି ପଶ୍ଚିମ ରେଳବାଇ ସିପିଆରଓ ସୂଚନା ଦେଇଛନ୍ତି ।

କଣ୍ଟାବାଞ୍ଜିରେ ଆୟୁବ ଖାଁ ମଲଟି ସ୍ପେଶିଆଲିଟି ହସ୍ପିଟାଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଆୟୁବ ଖାଁ ମଲଟି ସ୍ପେଶିଆଲିଟି ହସ୍ପିଟାଲ୍ ଉଦଘାଟନ କରିଛନ୍ତି । ଏହାଦ୍ୱାରା ବଲାଙ୍ଗୀର ଜିଲ୍ଲା ବିଶେଷ କରି କଣ୍ଟାବାଞ୍ଜି ଓ ଟିଟିଲାଗଡ ଅଞ୍ଚଳର ଲୋକମାନେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ପାଇ ପାରିବେ ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଜନନେତା ତଥା ସମାଜସେବୀ ଆୟୁବ ଖାଁଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ସରକାରର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହି ଆଦର୍ଶରେ ଆମେ କାମ କରୁଛୁ ଏବଂ ସମାଜର ସବୁଠାରୁ ଗରିବ ଲୋକକୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ କାମ କରୁଛୁ । ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆସିଛି । ନୂଆ ନୂଆ ମେଡିକାଲ କଲେଜ ସ୍ଥାପନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ନିରାମୟ ଆଦି ଯୋଜନାର କାର୍ଯ୍ୟକାରିତା ଯୋଗୁ ଗରିବ ଲୋକମାନେ ବିନା ମୂଲ୍ୟରେ ଉତ୍ତମ ଚିକତ୍ସା ଓ ଔଷଧ ପାଇ ପାରୁଛନ୍ତି ।

ବଲାଙ୍ଗୀରରେ ସନ୍ଥ ଭୀମଭୋଇ ମେଡିକାଲ କଲେଜ ସହିତ ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ ସ୍ଥାପନ ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତ ହୋଇଛି । ପ୍ରତି ବର୍ଷ ରାଜ୍ୟରୁ ୨ହଜାରରୁ ଅଧିକ ଡାକ୍ତର ବାହାରୁଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଡାକ୍ତର ପଦବୀ ପୂରଣ କରାଯିବ। ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ସାଂସଦ ବସନ୍ତ ପଣ୍ଡା, ସାଂସଦ ନିରଞ୍ଜନ ବିଶି ପ୍ରମୁଖ ଯୋଗ ଦେଇଥିଲେ ।

ଗାର୍ଲଫ୍ରେଣ୍ଡ ପାଇଁ ହାଇଡ୍ରାମା, ହୋଟେଲରେ ଗାର୍ଲଫ୍ରେଣ୍ଡ ଥିବା ଖବର ପାଇ ପହଞ୍ଚିଗଲେ ପୁରୁଣା ପ୍ରେମିକ

ଭୁବନେଶ୍ବର: ଗାର୍ଲଫ୍ରେଣ୍ଡ ପାଇଁ ପବ୍ ନିକଟରେ ହାଇଡ୍ରାମା। ରାତିଅଧରେ ହୋଟେଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତକାଲି ମଧ୍ୟରାତିରେ ଏଭଳି ଅଘଟଣ ଘଟିଛି ।

ନନ୍ଦିଘୋଷ ଟିଭି ହାତରେ ଲାଗିଛି ଘଟଣା ବେଳର ଏକ୍ସକ୍ଲୁସିଭ୍ ସିସିଟିଭି ଫୁଟେଜ୍। ଜଣେ ଯୁବତୀ ପ୍ରେମିକଙ୍କ ସହ ନିଶାସକ୍ତ ଅବସ୍ଥାରେ ହୋଟେଲରେ ଥିଲେ। ଖବର ପାଇ ପୁରୁଣା ପ୍ରେମିକ ୧୦ ରୁ ଉର୍ଦ୍ଧ୍ବ ଯୁବକଙ୍କୁ ଧରି ସେଠାରେ ପହଞ୍ଚିଥିଲେ।

ଯୁବତୀଙ୍କୁ ହୋଟେଲ ବାହାରକୁ ଡାକି ଟଣାଓଟରା କରିଥିଲେ । ହୋଟେଲ କର୍ତ୍ତୃପକ୍ଷ ଏହାକୁ ବିରୋଧ କରିବାରୁ ପାର୍କିଂରେ ଥିବା ଗାଡି ଭାଙ୍ଗିଥିଲେ । ଏପରିକି ହୋଟେଲ ଷ୍ଟାଫଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।

ଲିକ୍ ହୋଇଛି କି କୋ-ୱିନ୍ ଡାଟା ? TMC ପ୍ରବକ୍ତା କଲେ ଏମିତି ଟ୍ବିଟ

ନୂଆଦିଲ୍ଲୀ: ଲିକ୍ ହୋଇଛି କି କୋ-ଓ୍ବିନ୍ ପୋର୍ଟାଲର ଡାଟା ? ଏହି ପୋର୍ଟାଲର ଡାଟା ଲିକ୍ ହୋଇଥିବା ଦାବି କରୁଛନ୍ତି TMC ପ୍ରବକ୍ତା ସକେତ ଗୋଖଲେ । ସେ ଦାବି କରିଛନ୍ତି, କରୋନା ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ତିଆରି କରାଯାଇଥିବା ଓ୍ବେବ୍ ପୋର୍ଟାଲ କୋ-ଓ୍ବିନ୍ର ଡାଟା ଲିକ୍ ହୋଇଛି ।
ଏହି ଲିକ୍ ଡାଟାରେ ସାଧାରଣ ଜନତାଙ୍କ ସହ ବଡ଼ ବଡ଼ ନେତା, ଅଫିସର୍ ଏବଂ ସାମ୍ବାଦିକଙ୍କ ନାଁ ରହିଛି ।

ସକେତ ଗୋଖଲେ ନିଜ ଟ୍ବିଟର ଆକାଉଣ୍ଟରେ ଏଭଳି ଲିକ୍ ହୋଇଥିବା ତଥ୍ୟ ସେୟାର କରିଛନ୍ତି । ଯେଉଁଥିରେ ଲୋକଙ୍କ ନାମ, ଠିକଣା, ଆଧାର ନମ୍ବର ଇତ୍ୟାଦି ରହିଛି ।

ଗୋଖଲେଙ୍କ ଏହି ଟ୍ବିଟକୁ ନେଇ କେନ୍ଦ୍ରସରକାରଙ୍କ ସୂଚନା ମନ୍ତ୍ରଣାଳୟ ଜବାବ ରଖିଛି । ମନ୍ତ୍ରଣାଳୟ କହିଛି ଏହା ପୂରୁଣା ଡାଟା । ଏହି ଡାଟାର ଏବେ ଯାଞ୍ଚ ଚାଲିଛି । ଏହା କୋ-ଓ୍ବିନରୁ ଲିକ୍ ହୋଇଛି କି ଅନ୍ୟ କେଉଁଠୁ ତାହା ଏବେ ଯାଞ୍ଚ କରାଯାଉଛି । ଏ ନେଇ ପୋର୍ଟାଲ ଅଧିକାରୀଙ୍କଠାରୁ ରିପୋର୍ଟ ମଗାଯାଇଛି ।

ଲିକ୍ ହୋଇଥିବା ଡାଟାରେ ରାଜସ୍ଥାନ ସାଂସଦ , ଟିଏମସି ନେତା, ପୂର୍ବ କେନ୍ଦ୍ରମନ୍ତ୍ରୀ, କଂଗ୍ରେସ ନେତାଙ୍କ ନାମ ରହିଛି । ଏବେ ନୁହେଁ ୨୦୨୧ ଏବଂ ୨୨ରେ ମଧ୍ୟ କୋ-ଓ୍ବିନ୍ ପୋର୍ଟାଲରୁ ଲୋକଙ୍କ ଡାଟା ଲିକ୍ ହୋଇଥିବା କୁହାଯାଇଥିଲା  ।

ଡ୍ରାଇଭରଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ, କଲ୍ୟାଣ ବୋର୍ଡ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି

ଭୁବନେଶ୍ବର: ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା । କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ୨୦୨୩କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଜନା କାର୍ଯ୍ୟକାରୀ କରିବା ପାଇଁ କଲ୍ୟାଣ ବୋର୍ଡ ଗଠନକୁ ସ୍ବୀକୃତି ପ୍ରଦାନ କରାଯାଇଛି।

ମୋଟର ଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ବ୍ୟାପକ ଭାବେ ଉପକୃତ ହେବେ। କାମ କରୁଥିବା ବେଳେ ଡ୍ରାଇଭର ଓ କର୍ମଚାରୀଙ୍କର ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଟଙ୍କା। ଅତିଗଭୀର ଆଘାତ କ୍ଷେତ୍ରରେ ୮୦ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ।

ସ୍ଥାୟୀ ଅକ୍ଷମତା ମାମଲାରେ ଦେଢ ଲକ୍ଷ ଟଙ୍କା ସହାୟତା ମିଳିବ । ସେହିପରି ସାଧାରଣ ମୃତ୍ୟୁ ମାମଲାରେ ୨ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଡ୍ରାଇଭର ଓ କର୍ମଚାରୀଙ୍କୁ ମିଳିବ ସୁବିଧା। ଯୋଗ୍ୟତା ଅନୁସାରେ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ବାରା ୫ଲକ୍ଷରୁ ଅଧିକ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ।

କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟର ପରିବହନ ଡ୍ରାଇଭର ରହିବେ। କର୍ମଚାରୀ ମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବା ବ୍ୟବସ୍ଥା ରହିଛି । ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ, ବୋର୍ଡ, ପଞ୍ଜୀକରଣ ଶୁକ୍ଳ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବେ। ଗତ ମାର୍ଚ୍ଚ ମାସରେ ଆନ୍ଦୋଳନକୁ ଓହ୍ଲାଇଥିଲା ଡ୍ରାଇଭର ମହାସଂଘ। ରାଜ୍ୟ ସରକାର ସମସ୍ୟାର ସମାଧାନ ପାଇଁ ୩ମାସର ମହଲତ ମାଗିଥିଲେ। ୩ମାସ ମଧ୍ୟରେ ପ୍ରତିଶ୍ରୁତି ପୂରଣ କରିଛନ୍ତି ରାଜ୍ୟ ସରକାର।

ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଯୁବତୀ

କଟକ: ବଲିଉଡର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ନାଁରେ ସାଂଘାତିକ ଅଭିଯୋଗ । କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି । ମୁମ୍ବାଇର ଏହି କଣ୍ଠଶିଳ୍ପୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି କଟକର ଜଣେ ଯୁବତୀ ।

ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା, ମାନସିକ ଓ ଶାରୀରିକ ଶୋଷଣର ଅଭିଯୋଗ ହୋଇଛି। ବିବାହ କରିବାକୁ କହି ଟଙ୍କା ହଡ଼ପ କରିଛନ୍ତି କଣ୍ଠଶିଳ୍ପୀ । ଏ ନେଇ ଏତଲା ପରେ ଘଟଣାକୁ ପୋଲିସ୍ ଗୁରୁତର ସହ ନେଇଛି । ଯୌନ ନିର୍ଯାତନା, ମାନସିକ ନିର୍ଯାତନା ଦେବା ସହ ଟଙ୍କା ହଡ଼ପ ନେଇ ଅଭିଯୋଗ ହୋଇଛି । ଏତଲା ଆଧାରରେ 376 2n, 493, 341, 417, 323, 506 ଧାରାରେ ମାମଲା ରୁଜୁ ହୋଇଛି ।

ଯୁବତୀ ଜଣଙ୍କ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି । କଣ୍ଠଶିଳ୍ପୀଙ୍କ ସହିତ ତାଙ୍କର ପ୍ରଥମେ କଟକରେ ଦେଖା ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯୁବତୀ ଜଣଙ୍କ ପରେ ମୁମ୍ବାଇରେ ଥିବା ତାଙ୍କ ବ୍ୟାଙ୍କ ଶାଖାକୁ ବଦଳି ହୋଇଯାଇଥିଲେ ।

ଦୀର୍ଘଦିନର ସମ୍ପର୍କ ମଧ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ନେଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ବିବାହ କରିବାକୁ ଯୁବତୀଙ୍କୁ କଣ୍ଠଶିଳ୍ପୀ ପ୍ରତିଶ୍ରୁତି ଦେଇ ସମୟ ଗଡ଼ାଇ ଚାଲିଥିଲେ । କଣ୍ଠଶିଳ୍ପୀ ବିବାହିତ ବୋଲି ଯୁବତୀ ଜାଣିନଥିଲେ । ଜାଣିବା ପରେ ସେ କଣ୍ଠଶିଳ୍ପୀଙ୍କ ସହ ସମ୍ପର୍କ ତୁଟାଇବାକୁ କହିବା ସହ ଟଙ୍କା ଫେରାଇବାକୁ କହିଥିଲେ । ତେବେ କଣ୍ଠଶିଳ୍ପୀ ଟଙ୍କା ନ ଫେରାଇ ତାଙ୍କୁ ଧମକ ଦେଉଥିବା ଯୁବତୀ ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ଥାନାରେ ଏତଲା ଦେଇଛନ୍ତି ।

ଏହି ମାମଲାକୁ ଗୁରୁତର ସହ ନେଇ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ତଦନ୍ତ ଆରମ୍ଭ କରିଛି କଟକ ମହିଳା ଥାନା ପୋଲିସ୍ ।