ଭୁବନେଶ୍ବର : ଜଳୁଛି ପଶ୍ଚିମ ଓଡିଶା । ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛି ଉପକୂଳ । ଆସନ୍ତା ୪ଦିନ ଯାଏଁ ଆହୁରି କଲବଲ କରିବ ତାତି । ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ । ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କମିବ । ୨୧ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମାଲକାନାଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଗଞ୍ଜାମ, ପୁରୀ, ଜଗସିଂହପୁର ଓ ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ଜାରି ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଳବୈଶାଖୀ ଓ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଲୋକଙ୍କୁ ଗ୍ରୀଷ୍ମପ୍ରବାହ ନେଇ ସଚେତନ କରିବା ସହ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସେହିପରି କାଳବୈଶାଖୀ ବର୍ଷାରେ କୌଣସି କ୍ଷୟକ୍ଷତି ହେଲେ ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି
ଓଡ଼ିଶାରେ ହେବ ଜି-୨୦ ସମ୍ମିଳନୀ, ସମୀକ୍ଷା କଲେ ପୋଲିସ କମିଶନର
ଭୁବନେଶ୍ୱର: ଓଡ଼ିଶାରେ ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶ । ଦେଶ ବାହାରୁ ଆସୁଥିବା ଭିଆଇପିଙ୍କ ଗସ୍ତ, ସୁରକ୍ଷା ବ୍ୟବସ୍ଥା, ପାଇଲଟିଂ ବ୍ୟବସ୍ଥାର ମନିଟରିଂ ସିଷ୍ଟମ କରିବ ସିକ୍ୟୁରିଟି ଡିଭିଜନ । ଜି-୨୦ ସମ୍ମିଳନୀ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ଆସିଥିବା ଗାଇଡଲାଇନ ଅନୁସାରେ ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ ।
ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ପୋଲିସ କମିଶନର ଅମ୍ରିତସର ଯିବା ସହ ଜି-୨୦ ଆୟୋଜନର ସମସ୍ତ ବ୍ୟବସ୍ଥା ଦେଖିଆସିଛନ୍ତି । ଏ ନେଇ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ସରିଛି । ଏପ୍ରିଲ ଓ ମେ’ ରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ କହିଛନ୍ତି ପୋଲସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ବିଜୁ ବାବୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ, ନବୀନ ବଖାଣିଲେ ସ୍ମୃତି…
ଭୁବନେଶ୍ୱର: ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି ଯେ ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ । ଏହି ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁବାବୁଙ୍କ ଜୀବନୀ ହେଉଛି ଆଧୁନିକ ଓଡ଼ିଶାର ବିକାଶର ଇତିହାସ । କୃଷିରୁ ଶିଳ୍ପ, ଶିକ୍ଷାରୁ ସଶକ୍ତିକରଣ ସବୁକ୍ଷେତ୍ରରେ ତାଙ୍କର ବିପୁଳ ଅବଦାନ ରହିଛି । ସେ ଥିଲେ ତାଙ୍କ ସମୟଠାରୁ ବହୁତ ଆଗରେ । ଶିଳ୍ପ ବିକାଶ ହେଉ ବା ଭିତ୍ତିଭୂମି, ଗରିବ ଲୋକଙ୍କ କଲ୍ୟାଣ ହେଉ ବା ମା’ମାନଙ୍କ ସଶକ୍ତିକରଣ ସବୁକ୍ଷେତ୍ରରେ ସେ ଜଣେ ଦୂରଦ୍ରଷ୍ଟା ପରି କାମ କରିଯାଇଛନ୍ତି ।
ଗରିବ ଲୋକଙ୍କ ସଶକ୍ତିକରଣ ତଥା ମା’ମାନଙ୍କ ସଶକ୍ତିକରଣ ତାଙ୍କର କାର୍ଯ୍ୟକ୍ରମ ସଶକ୍ତ ଓଡ଼ିଶାର ଲକ୍ଷ୍ୟକୁ ସୁଦୃଢ଼ କରିଛି । ଜଣେ ଓଡ଼ିଆ ଭାବରେ ସେ ଗର୍ବ କରୁଥିଲେ । ଆଜି ତାଙ୍କରି ପାଇଁ ଓଡ଼ିଆ ଜାତି ଗର୍ବିତ । ସାହସ ଓ ସ୍ୱାଭିମାନ ଥିଲା ତାଙ୍କର ପରିଚୟ । ସେବା ଓ ସଂଗ୍ରାମ ଥିଲା ତାଙ୍କ ଜୀବନର ବ୍ରତ । ଓଡ଼ିଶା ପାଇଁ, ଓଡ଼ିଆ ଜାତିର
ଉନ୍ନତି ପାଇଁ ଓ ଓଡ଼ିଆ ଜାତିର ଗୌରବ ପାଇଁ ସେ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ । ଜଣେ ରାଜନେତା ନୁହେଁ ପରିବାରର ମୁରବୀ ପରି ଓଡ଼ିଶାବାସୀଙ୍କ ପାଇଁ ବିଜୁବାବୁ କାମ କରୁଥିଲେ । ରାଜନୀତିରେ ହାରଜିତ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ସେଥିପାଇଁ ସେ ସବୁବେଳେ ଓଡ଼ିଶାବାସୀଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ।
ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜି ଜୟଦେବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଲେ ଯେ ପ୍ରବାଦପୁରୁଷ ବିଜୁବାବୁ ଥିଲେ ଓଡ଼ିଶାର ସ୍ୱାଭିମାନ, ସ୍ପର୍ଦ୍ଧା ଓ ସମୃଦ୍ଧିର ପ୍ରତୀକ । ଓଡ଼ିଶା ବାହାରେ ଓଡ଼ିଶାର ଅନନ୍ୟ ପରିଚୟ । ପାରାଦୀପ ବନ୍ଦର, ମହିଳା ସଶକ୍ତିକରଣ, ଅନେକ ବିଶ୍ୱବିଦ୍ୟଳୟ ସ୍ଥାପନ, ୧୩ରୁ ୩୦ ଜିଲ୍ଲା ସଂଖ୍ୟା ବୃଦ୍ଧି, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆଜି ଅନେକ ଅବଦାନ ମଧ୍ୟରୁ କେତେକ ଉଦାହରଣ ମାତ୍ର । ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅଗ୍ରଗଣ୍ୟ ବୋଲି ମନ୍ତ୍ରୀ
ଅମାତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ବିଜୁବାବୁ ଥିଲେ ସାହସିକତା ଓ ସ୍ୱାଭିମାନର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ।
ସେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଯେଉଁ ନକ୍ସା ଆଙ୍କିଥିଲେ, ତାକୁ ଆମେ ସମୟର ଆବଶ୍ୟକତା ଭିତ୍ତିରେ ଅନୁସରଣ କରୁଛୁ । ଗରିବି ହଟାଓ ଅଭିଯାନ କ୍ଷେତ୍ରରେ ବିଜୁବାବୁ ସର୍ବଦା ସ୍ମରଣୀୟ ରହିବେ । ଦୀର୍ଘ ୩୦ ବର୍ଷ ଧରି ବିରୋଧୀ ରାଜନୀତିରେ ରହି ସେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ ।ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁୟ୍ୟୁ ସଂପାଦିକା କସ୍ତୁରୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, କୃତି ଓ କୀର୍ତ୍ତି ଉପରେ ଆଲୋକପାତ କରିଥିଲେ । ମହିଳା ସମବାୟ ବିକାଶ ନିଗମ ଓ ମହିଳା କମିଶନ ଗଠନ କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ସେ ଯେଉଁ ଯୋଗଦାନ ଦେଇଯାଇଛନ୍ତି ତାହା ରାଜ୍ୟ ତଥା ଦେଶର ରାଜନୀତିରେ ବିରଳ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।
ଜର୍ମାନୀରେ ଓଡ଼ିଶା ଦିବସ, ଉତ୍କଳ ସମାଜ – ରାଇନ ମାଇନ୍ ଉଦଘାଟିତ
ଫ୍ରାଙ୍କଫୁର୍ଟ: ଜର୍ମାନୀରେ ମହାସମାରୋହରେ ୮୮ ତମ ଓଡ଼ିଶା ଦିବସ ପାଳନ କରାଯାଇଛି। ଏହି ଶୁଭ ଅବସରରେ ଫ୍ରାଙ୍କଫୁର୍ଟ ଇଲାକାରେ ପ୍ରଥମ ପଞ୍ଜୀକୃତ ଓଡ଼ିଆ ସଂଗଠନ, ” ଉତ୍କଳ ସମାଜ – ରାଇନ ମାଇନ୍” କୁ ଉଦଘାଟନ କରାଯାଇଛି। ଏହି ଦ୍ଵେତ ମହୋତ୍ସବ ପାଳନ ଉପଲକ୍ଷେ ପର୍ବାଣୀ ସ୍ଥଳ ଫ୍ରାଙ୍କଫୁର୍ଟ ସ୍ଥିତ ଜାଇକା ରେଷ୍ଟୁରାଣ୍ଟର କମ୍ୟୁନିଟି ହଲକୁ ସୁନ୍ଦର ଭାବେ ସଜ୍ଜାଯାଇ, ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଉପସ୍ଥିତ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ, ଉଲ୍ଲାସ, ଉତ୍ସାହ ଏବଂ ଉଦ୍ଦୀପନା ଦେଖିବାକୁ ମିଳିଥିଲା।
ଅତିଥିମାନଙ୍କ ଦ୍ଵାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍ୱାଗତ ଭାଷଣ ପ୍ରଦାନ କରି ନବଗଠିତ “ଉତ୍କଳ ସମାଜ- ରାଇନ୍ ମାଇନ୍”ର ସଭାପତି ବିଭୁ ଆଶିଷ ମହାନ୍ତି, ତାଙ୍କ ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟକୁ ଜର୍ମାନୀରେ ପ୍ରଚାର ଓ ପ୍ରସାର କରିବା ବୋଲି ଦର୍ଶାଇଥିଲେ। ଓଡ଼ିଶା ମାଟିର ମହକ ଏବଂ ଉତ୍କଳୀୟ ପରମ୍ପରାର ମହନୀୟତାକୁ ବିଦେଶ ଭୂମିରେ ବିସ୍ତାର କରିବା ନେଇ ତାଙ୍କ ସମାଜର ପ୍ରୟାସକୁ ସମର୍ଥନ ଏବଂ ସହଯୋଗ କରିବା ପାଇଁ ମହାନ୍ତି ସମସ୍ତଙ୍କୁ ନିବେଦନ କରିଥିଲେ। ନିଜର ବକ୍ତବ୍ୟ ପ୍ରଦାନ କରି ଉତ୍କଳ ସମାଜର ଯୁବ ଉପ- ସଭାପତି ଅମିତ କୁମାର ରାୱଲ, ଜର୍ମାନୀରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କୁ ଏକଜୁଟ କରି ଓଡ଼ିଶାର ବୃହତ୍ତର ହୀତସାଧନ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବା, ତାଙ୍କ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚାଇଥିଲେ। ଉତ୍କଳ ସମାଜର କୋଷାଧ୍ୟକ୍ଷ ନମ୍ରତା ମହାପାତ୍ର, ଏହି ଦାତବ୍ୟ ଅନୁଷ୍ଠାନର ଆର୍ଥିକ ସ୍ଥିତି ସମର୍କରେ ଉଲ୍ଲେଖ କରି ପ୍ରବାସୀ ଓଡ଼ିଆମାନଙ୍କୁ ସହୃଦୟତା ସହିତ ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ।
ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିବା ଭାରତୀୟ କନସୁଲେଟ ଜେନେରାଲର ପ୍ରତିନିଧି ଅମର ପାଲ ମୀନା ଏବଂ ରିଏଲ୍ ଟିମ୍ ଇଣ୍ଡିଆ ଏଣ୍ଡ ଫ୍ରେଣ୍ଡସର ସହ ସଂସ୍ଥାପକ କମଲ ବତ୍ସାୟନ, ସେମାନଙ୍କର ଅଭିଭାଷଣରେ ଜର୍ମାନୀରେ ଉତ୍କଳ ସମାଜ ଗଠନକୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଓଡ଼ିଶାର ବିଶେଷତ୍ଵକୁ ସମ୍ମିଳିତ ଭାବେ ପ୍ରଦର୍ଶନ କରିବାରେ ନୂଆ କରି ଗଠିତ ସଂଘର ସାଧୁ ଉଦ୍ୟମକୁ ସେମାନେ ସମ୍ପୁର୍ଣ୍ଣ ଭାବରେ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ତଥା ଓଡ଼ିଶାର କଳା, ଚଳଚ୍ଚିତ୍ର, ସାହିତ୍ୟ, ଚିକିତ୍ସା ଏବଂ ଗଣମାଧ୍ୟମ ଜଗତର କିଛି ପ୍ରଖ୍ୟାତ ବ୍ୟକ୍ତିଙ୍କର ଶୁଭକାମନା ସମ୍ପନ୍ନ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଉତ୍ସବର ସ୍ବତନ୍ତ୍ର ଆକର୍ଷଣ ଭାବରେ ଉତ୍କଳ ସମାଜର ମହିଳା ସଦସ୍ୟା ମାନଙ୍କ ଦ୍ଵାରା ସଭାର ପ୍ରାରମ୍ଭରେ ମାତୃ ପ୍ରଦେଶ ଓଡ଼ିଶାର ଗୁଣଗାନ କରାଯାଇ ଗାୟନ କରାଯାଇଥିବା “ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତ ବେଶ୍ ମର୍ମସ୍ପର୍ଶୀ ଥିଲା ଏବଂ ଦର୍ଶକ ମାନଙ୍କ ଦ୍ଵାରା ଖୁବ ଆଦୃତ ହୋଇଥିଲା।
ସୁଦୃଢ ହେଉଛି କମିଶନରେଟ ପୋଲିସ, କଣ୍ଟ୍ରୋଲ ହେବ ଆଇନ୍ ଶୃଙ୍ଖଳା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ଭିଭିଆଇପି, ଭିଆଇପିଙ୍କ ବଢ଼ୁଥିଲା ସୁରକ୍ଷା ଚିନ୍ତା । କମିଶନରେଟ ପୋଲିସ ଅଧୀନରେ ପୂର୍ବରୁ ଏକ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ମଧ୍ୟ ରହିଛି । ଭୁବନେଶ୍ବର କଟକ ଦ୍ୱୈତ ନଗରୀରେ ସିକ୍ୟୁରିଟି ଆରଞ୍ଜମେଣ୍ଟକୁ ସୁଗମ କରିବା ପାଇଁ ଯେଉଁ ପ୍ରସ୍ତାବ ଥିଲା, ତାହାକୁ ସରକାର ଗ୍ରହଣ କରିବା ପରେ ଆଜି ଏହାର ଶୁଭାରମ୍ଭ କରିଛନ୍ତି ପୋଲିସ କମିଶନର ।
ଏମରଜେନ୍ସି ରେସ୍ପନ୍ସ ଘଟଣା ମନିଟର ହେବ । ପୁରା ରାଜ୍ୟ ପାଇଁ ଯେଭଳି ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଧୀନରେ ସିକ୍ୟୁରିଟି ଉଇଙ୍ଗ ରହିଛି, ଠିକ ସେହିଭଳି ଏହି ସିକ୍ୟୁରିଟି ଡିଭିଜନ କମିଶନରଙ୍କ ଅଧୀନରେ କାମ କରିବ । ଭୁବନେଶ୍ବର ବର୍ତ୍ତମାନ ସାରା ଭାରତରେ କ୍ରୀଡା ରାଜଧାନୀ ହୋଇଛି । ପ୍ରତେକ ଦିନ ଦେଶ ଓ ଦେଶ ବାହାରୁ ଭୁବନେଶ୍ବରକୁ ଭିଆଇପି, ଭିଭିଆଇପି ମାନେ ଆସୁଛନ୍ତି । ଏଥିପାଇଁ ସେମାନଙ୍କ ସୁରକ୍ଷା, ଯାତାୟାତ ଏହିଠାରୁ କଣ୍ଟ୍ରୋଲ ହେବ । ଏହାର ଦାୟିତ୍ୱରେ ଜଣେ କମାଣ୍ଡାଣ୍ଟ ରହିବେ । ଇଣ୍ଟେଲିଜେନ୍ସ ଉଇଙ୍ଗ ସହିତ ଏହାର ଲିଙ୍କ ରହିବ ବୋଲି କହିଛନ୍ତି ପୋଲିସ କମିଶନର।

