ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଫଳରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ତେବେ ଆଗାମୀ ଏକ ମାସ ମଧ୍ୟରେ ଗ୍ରାମାଞ୍ଚଳରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କିନ୍ତୁ ଭାରତରେ ହାଇବ୍ରିଡ୍ ଇମ୍ୟୁନିଟି ଯୋଗୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହେବେନାହିଁ । ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିବ ନାହିଁ ବୋଲି ପୁଲମୋନୋଲୋଜିଷ୍ଟ ଅନୁରାଗ ଅଗ୍ରୱାଲ କହିଛନ୍ତି । ଅନ୍ୟପକ୍ଷରେ ସେ ଆହୁରି କହିଛନ୍ତି ଯେ ମୁମ୍ବାଇ ଓ ଦିଲ୍ଲୀରେ କୋଭିଡ-୧୯ ମହାମାରୀର ତୃତୀୟ ଲହରର ପିକ୍ ଅତିକ୍ରମ କରିସାରିଛି । ଜାନୁଆରୀ ଶେଷରୁ ଫେବୃଆରୀ ପ୍ରଥମ ସପ୍ତାହ ମଧ୍ୟରେ ସାରା ଦେଶରେ ଓମିକ୍ରନ୍ ଲହରର ପ୍ରଭାବ ହ୍ରାସ ପାଇବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।
ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଆଗ ଫୁଲମାଳ ଅର୍ପଣକୁ ନେଇ ଫୁଟିଲା ଗୁଳି
କୋଲକାତା: ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଅର୍ପଣକୁ ନେଇ ଗୁଳିମାଡ଼ । ପଶ୍ଚିମବଙ୍ଗରେ ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଉତ୍ତର ୨୪ ପ୍ରଗଣା ଭାଟପଡ଼ାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେବା ନେଇ ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ସମର୍ଥକ ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ସଂଘର୍ଷ ସହ ବୋମାମାଡ଼ ଓ ଗୁଳି ଚାଳନା କରାଯାଇଛି ।
ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ସୁରକ୍ଷାକର୍ମୀ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି । ପରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଲାଗି ବିଜେପି ସାଂସଦ ଅର୍ଜୁନ ସିଂହ ପହଞ୍ଚିବା ମାତ୍ରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅର୍ଜୁନ ସିଂହଙ୍କୁ ଲକ୍ଷ୍ୟ କରି ପଥର ଫିଙ୍ଗିଥିଲେ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ଗୁଳି ଫୁଟାଇଥିଲେ ସୁରକ୍ଷାକର୍ମୀ ।
ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଛି । ସାଂସଦଙ୍କ ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ କରିଛି ବିଜେପି । ଉତ୍ତେଜନାକୁ ଦେଖି ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅର୍ଜୁନ ସିଂହଙ୍କ ସୁରକ୍ଷାକର୍ମୀ ୭ ରାଉଣ୍ଡ ଗୁଳି କରିଥିବା ଟିଏମସି ଅଭିଯୋଗ କରିଛି ।
ଚୀନ ସୀମାରୁ ମିଳିଲେ ଅରୁଣାଚଳରୁ ନିଖୋଜ ଯୁବକ
ନୂଆଦିଲ୍ଲୀ: ଭାରତୀୟ ସେନାର ହସ୍ତକ୍ଷେପ ପରେ ଅପହୃତ ଭାରତୀୟ ଯୁବକଙ୍କୁ ସାତ ଦିନ ଭିତରେ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଲା ପିପୁଲ୍ସ ଲିବରେସନ ଆର୍ମି । ତିନି ଦିନ ତଳେ ୧୭ ବର୍ଷ ବୟସ୍କ ମିରାମ ତାରୋନଙ୍କ ଅପହରଣ ଖବର ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏନେଇ ଅରୁଣାଚଳ ପ୍ରଦେଶ ସାଂସଦ ସୂଚନା ଦେବା ପରେ ଭାରତୀୟ ସେନା ହସ୍ତକ୍ଷେପ କରିଥିଲା । ତାରୋନଙ୍କୁ ପିଏଲଏ ଅପହରଣ କରି ନେଇ ଥିବାବେଳେ ତାଙ୍କ ସାଙ୍ଗ ଜନି ୟାୟିଙ୍ଗ ଖସି ଆସିବାକୁ ସକ୍ଷମ ହୋଇଥିଲେ ।
ଅରୁଣାଚଳ ପ୍ରଦେଶର ଅପରସିଆଙ୍ଗ ଜିଲ୍ଲାରୁ ଅପହରଣ କରାଯାଇଥିବା ନେଇ ସୂଚନା ଦେଇଥିଲେ ସ୍ଥାନୀୟ ସାଂସଦ ତାପିର ଗାଓ । ସେ କହିଥିଲେ ଲୁଙ୍ଗଟା ଯୋରରୁ ମିରାମ ତାରୋନ ନାମକ ଉକ୍ତ ଯୁବକଙ୍କୁ ପିଏଲଏ ଅପହରଣ କରି ନେଇଛି । କିଛି ବର୍ଷ ତଳୁ ସେହି ଅଞ୍ଚଳରେ ଚୀନ ପ୍ରାୟ ୪ କିଲୋମିଟର ରାସ୍ତା ବି ତିଆରି କରିଛି । ଉକ୍ତ ବାଳକକୁ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କ ବିଭିନ୍ନ ସଂସ୍ଥାଙ୍କୁ ସେ ଅନୁରୋଧ କରିଥିଲେ । ଅପହରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହରାଷ୍ଟ୍ରମନ୍ତ୍ରୀ ଓ ଭାରତୀୟ ସେନା ପଦାଧିକାରୀଙ୍କୁ ବି ସାଂସଦ ସୂଚନା ଦେଇଥିଲେ ।
ଟସ୍ ଜିତି ବୋଲିଂ କରିବ ଭାରତ
କେପଟାଉନ୍: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ତୃତୀୟ ତଥା ଶେଷ ଦିନିକିଆ । ଶେଷ ଦିନିକିଆରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ସିରିଜକୁ ହାତଛଡା କରି ସାରିଛି ଟିମ୍ ଇଣ୍ଡିଆ । ତେବେ ତୃତୀୟ ଦିନିକିଆରେ ସମ୍ମାନ ରକ୍ଷା କରିବାକୁ ପଡ଼ିଆକୁ ଓହ୍ଲାଉଛି ଟିମ୍ ଇଣ୍ଡିଆ । ଆଜି ଭାରତ ପକ୍ଷରୁ ଦଳରେ ଚାରୋଟି ପରିବର୍ତ୍ତନ ହୋଇଛି । ତୃତୀୟ ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ, ଜୟନ୍ତ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ଦିପକ ଚହରଙ୍କୁ ସୁଯୋଗ ମିଳିଥିବାବେଳେ ରବି ଚନ୍ଦ୍ରନ ଅଶ୍ୱିନୀ, ଶାର୍ଦ୍ଦୁଳ ଠାକୁର, ଭେଙ୍କଟେଶ ଆୟର ଓ ଭୁବନେଶ୍ୱର କୁମାର ଚୁଡାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି ।
Four changes for #TeamIndia in the final ODI.
Live – https://t.co/dUN5jhH06v #SAvIND pic.twitter.com/Ml02ISfjSE
— BCCI (@BCCI) January 23, 2022
ଦିନିକିଆ ସିରିଜର ଦୁଇଟି ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରି ସିରିଜ ହାତଛଡ଼ା କରିଥିଲା ଟିମ୍ ଇଣ୍ଡିଆ । ଖାସ କରି ଭାରତ ଲଗାତର ଦୁଇଟି ମ୍ୟାଚରେ ଭାରତ ପକ୍ଷରୁ ନୈରାଶଜନକ ପ୍ରର୍ଦଶନ କରିଥିଲା । ଖେଳାଯାଇଥିବା ଦୁଇଟି ମ୍ୟାଚରେ ଭାରତୀୟ ବୋଲର ମାତ୍ର ୭ଟି ଓ୍ୱିକେଟ ନେବାରେ ସଫଳ ହୋଇଥିଲେ । ତେଣୁ ଶେଷ ମ୍ୟାଚରେ ଭାରତୀୟ ଦଳରେ ଚାରୋଟି ପରିବର୍ତ୍ତନ କରିଛି । ଅନ୍ୟପଟେ ଟେଷ୍ଟ ସିରିଜକୁ ହାତେଇବା ପରେ ଦିନିକିଆ ସିରିଜ୍ ଜିତି ଦୃଢ ସ୍ଥିତିରେ ଅଛି ଦକ୍ଷିଣ ଆଫ୍ରିକା । ଲଗାତାର ଦୁଇଟି ମ୍ୟାଚ୍ ଜିତି ଖେଳାଳିଙ୍କ ମନୋବଳ ମଧ୍ୟ ଦୃଢ ଅଛି । ତେଣୁ ଶେଷ ମ୍ୟାଚରେ ବିଜୟ ଲାଭ କରି ଦିନିକିଆ ସିରିଜକୁ କ୍ଲିନ୍ ସୁଇପ କରିବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା ।
ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା
ଭୁବନେଶ୍ୱର: ବଢ଼ୁଛି ବିଜେଡିର ବଳ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁମ୍ମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ମରିୟମ ରଇତ ବିଜେପି ଛାଡି ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମରିୟମଙ୍କ ସହିତ ତାଙ୍କ ସମର୍ଥକ ଦେବଚନ୍ଦ୍ର ପ୍ରଧାନ ଅନ୍ୟମାନେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଆସନ୍ତାକାଲି ତାଙ୍କର ଶତାଧିକ ସମର୍ଥକ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲାରେ ବିଜେଡିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଥିବା ମରିୟମ କହିଛନ୍ତି । ଅନ୍ୟପଟେ ତାଙ୍କ ଯୋଗଦାନ ଦଳକୁ ଅଧିକ ସୁଦୃଢ କରିବ ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ନାୟକ ।
ନାଇଟ କର୍ଫ୍ୟୁରେ ସିନ୍ଧିଚୋର, ଗ୍ରୋସରୀ ଦୋକାନରେ ବୁଲାଇଲେ କଳାକନା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ସମୟରେ ମାତିଲେ ସିନ୍ଧିଚୋର । ଚନ୍ଦ୍ରଶେଖରପୁର ଶ୍ରୀବିହାରର ଏକ ଗ୍ରୋସରୀ ଦୋକାନରୁ ବଡ଼ ଧରଣର ଚୋରି ହୋଇଛି । ଭେରାଇଟି ଷ୍ଟୋରର କାନ୍ଥ ଭାଙ୍ଗି ଓ ଛାତ କଣା କରି ଦୋକାନରେ କଳା କନା ବୁଲାଇଛନ୍ତି ଲୁଟେରା । ଦୋକାନର କ୍ୟାସ ବାକ୍ସ ଭାଙ୍ଗି ଟଙ୍କା ନେବା ସହ ଦୋକାନରୁ ସମସ୍ତ ସାମଗ୍ରୀ ଲୁଟେରା ବୋହି ନେଇଛନ୍ତି । ବହୁ ପରିମାଣର ଚାଉଳ, ହର୍ଲିକ୍ସ, ବିସ୍କୁଟ ଓ ଅନ୍ୟ ସାମଗ୍ରୀ ଚୋରି ହୋଇଛି । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଜାରି ରହିଛି । ସେପଟେ ଶ୍ରୀବିହାରର ଆଉ ଏକ ଦୋକାନରୁ ମଧ୍ୟ ଚୋରି ହୋଇଛି । ସେହିପରି ସମାନ ଢ଼ଙ୍ଗରେ ଆଉ ଏକ ପାନ ଦୋକାନରୁ ଚୋରି ହୋଇଛି । ପାନ ଦୋକାନରୁ ୧୫ ହଜାର ଟଙ୍କାର ସାମଗ୍ରୀକୁ ଚୋରି କରି ନେଇଛନ୍ତି ଲୁଟେରା । ଉଭୟ ଚୋରି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।



