spot_img
Home Blog Page 5129

ଦିନିକିଆ ଟେଷ୍ଟରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହେଲେ ସ୍ମୃତି ମନ୍ଧାନା, ବିରାଟଙ୍କ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଖେଳାଯାଉଥିବା ଦିବା-ରାତ୍ରି ଟେଷ୍ଟ ମ୍ୟାଚ୍ ରେ ଭାରତର ସ୍ମୃତି ମଂଧାନା ସୃଷ୍ଟି କରିଛନ୍ତି ନୂଆ ଇତିହାସ । ଦିନିକିଆ ଟେଷ୍ଟରେ ଶତକ ହାସଲ କରିଥିବା ସ୍ମୃତି ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି । କେବଳ ଏତିକି ନୁହେଁ, ସ୍ମୃତି ମନ୍ଧାନାଙ୍କ ଶତକ ବଳରେ ଭାରତୀୟ ଦଳ ବହୁତ ଭଲ ସ୍ଥିତିରେ ଅଛି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ଗତକାଲି ଠାରୁ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା । ତେବେ ଅଷ୍ଟ୍ରେଲୀୟ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଭାରତର ଓପନର୍ ସ୍ମୃତି ମଂଧାନା ଏବଂ ଶେଫାଲୀ ବର୍ମା ଭୁଲ ପ୍ରମାଣିତ କରିଥିଲେ । ସ୍ମୃତି ମଂଧାନା ୧୭୦ ଟି ବଲ ଖେଳି ୧୯ ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଶତକ ପୂରଣ କରିଥିଲେ । ଟେଷ୍ଟ କ୍ରିକେଟରେ ଏହା ସ୍ମୃତି ମନ୍ଧାନାଙ୍କର ଏହା ପ୍ରଥମ ଶତକ ।

ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲର ପରୀକ୍ଷଣ କଲା ଉତ୍ତର କୋରିଆ

ପୋଙ୍ଗୟାଙ୍ଗ: ନୂତନ ହାଇପରସୋନିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରିବାର କିଛି ଦିନ ପରେ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲର ପରୀକ୍ଷଣ କରିଛି ଉତ୍ତର କୋରିଆ। ଏହି କ୍ଷେପଣାସ୍ତ୍ର ପରମାଣୁ କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ସାରାବିଶ୍ବ, ବିଶେଷକରି ଆମେରିକାକୁ ନିଜର ଶକ୍ତି ଦେଖାଇବା ପାଇଁ ଉତ୍ତର କୋରିଆ ଏହି ପରୀକ୍ଷଣ କରିଛି।

ଆମେରିକା ସହ ଆଣବିକୀକରଣ ନେଇ ସଦ୍ୟତମ କଥାବାର୍ତ୍ତା ପରେ ଉତ୍ତରକୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଅଧିକ ତ୍ବରାନ୍ବିତ କରିଛି ବୋଲି ଉତ୍ତରକୋରିଆର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଦେଇଛି । ଚଳିତ ସପ୍ତାହରେ ଉତ୍ତରକୋରିଆର ଏହା ଦ୍ବିତୀୟ କ୍ଷେପଣାସ୍ତ୍ର ପରୀକ୍ଷା । ଆତ୍ମରକ୍ଷା ପାଇଁ ଏହି ପରୀକ୍ଷଣ ଆବଶ୍ୟକ ବୋଲି ଷ୍ଟେଟ ସେକ୍ରେଟାରୀ ଆନ୍ଥୋନୀ ବ୍ଲିକେନ କହିଛନ୍ତି । ଆମେରିକାର କଟକଣା ଓ ବିଭିନ୍ନ ଚାପ ନେଇ ଉତ୍ତରକୋରିଆ ସର୍ବଦା ନିଜର ପ୍ରତିରକ୍ଷାକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଚେଷ୍ଟା ଜାରି ରଖିଛି।

ତେବେ ଚଳିତ ମାସରେ ଏହା ଉତ୍ତରକୋରିଆର ୪ର୍ଥ କ୍ଷେପଣାସ୍ତ୍ର ପରୀକ୍ଷଣ ବୋଲି କୁହାଯାଉଛି। ଆମେରିକାର ବୖେଦେଶିକ ସଚିବ ଆନ୍ଥୋନୀ ବ୍ଲିଙ୍କେନ୍ କହିଛନ୍ତି ଯେ ଉତ୍ତର କୋରିଆର ପରୀକ୍ଷଣ ଏହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିଛି। ଏନେଇ ପୋଙ୍ଗୟାଙ୍ଗ ପକ୍ଷରୁ କୁହାଯାଇଛି ଯେ ନିଜର ସୁରକ୍ଷା ପାଇଁ ଏହିସବୁ ଅସ୍ତ୍ରଶସ୍ତ୍ର ରହିଛି ।

SBM-U ୨.୦ ଓ ଅମୃତ ୨.୦ ଯୋଜନାର ଶୁଭାରମ୍ଭ: ୩ବର୍ଷ ହେଲା ଶୀର୍ଷରେ ରହିଛି ଓଡ଼ିଶା

ନୂଆଦିଲ୍ଲୀ: ସହରାଞ୍ଚଳକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଓ ଆବର୍ଜନାମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଟାର୍ଗେଟ୍‌ ହାସଲ କରିବା ପାଇଁ ୨୦୧୫ରୁ ଓଡ଼ିଶାରେ ଅମୃତ ମିଶନ୍ କାର୍ଯ୍ୟକାରୀ ହେଉଛି। ରାଜ୍ୟର ୯ଟି ସହରରେ ଏହି ଯୋଜନାରେ ପାନୀୟ ଜଳ ବ୍ୟବସ୍ଥାର ଉନ୍ନତି କରାଯାଉଛି । ଏଥିସହ ରାଜ୍ୟ ସରକାର ସହରାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ ୧୬ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଅମୃତ ମିଶନ୍ କାର୍ଯ୍ୟକାରିତାରେ ଓଡ଼ିଶା କ୍ରମାଗତ ଭାବେ ଗତ ୩ ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରୁଛି । ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିଜସ୍ୱ ବସୁଧା ଯୋଜନା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୭ଟି ସହରରେ ଶତ ପ୍ରତିଶତ ଘରକୁ ପାଇପ୍‌ ପାଣି ଯୋଗାଇ ଦିଆଯାଇଛି । ପାଇପ୍ ପାଣି ସହ ଆବର୍ଜନାମୁକ୍ତ ସହରାଞ୍ଚଳ ପାଇଁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ଏଥିରେ ତୃଣମୂଳସ୍ତରରେ ଜଳସାଥୀମାନେ ସହଯୋଗ କରିଛନ୍ତି । 5-T କାର୍ଯ୍ୟକ୍ରମରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍ ମିଶନ୍ ଆରମ୍ଭ ହୋଇଛି । ସାରା ଦେଶରେ ପୁରୀ ପ୍ରଥମ ସହର ଭାବେ ପ୍ଲାଷ୍ଟିକମୁକ୍ତ ଓ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ୍‌ କାର୍ଯ୍ୟକାରୀ କରି ଲଣ୍ଡନ, ଟୋକିଓ ଓ ୟୁକେ ସହ ସମାନ ହୋଇପାରିଛି । କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ୧୭ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟକାରୀ ହେଉଛି । ଆବର୍ଜନାମୁକ୍ତ ପାଇଁ ୫୫ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ହୋଇଛି । ଏଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ସହଭାଗୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏସବିଏମ୍‌ୟୁ-୨.୦ ଓ ଅମୃତ ୨.୦ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଓଡ଼ିଶାରେ ଏସବୁ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୃଷକ ମହାପଞ୍ଚାୟତକୁ ସୁପ୍ରିମକୋର୍ଟଙ୍କ ତାଗିଦ, କହିଲେ ‘ଆପଣମାନେ ସହରର ତଣ୍ଟି ଚିପୁଛନ୍ତି’

ନୂଆଦିଲ୍ଲୀ : ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଷୀମାନେ ପାଖାପାଖି ବର୍ଷେ ହେଲା ଆନ୍ଦୋଳନ ଚଳାଇଛନ୍ତି। ଏଥିଯୋଗୁ ରାସ୍ତା ବନ୍ଦ ରହିଛି। ଦୀର୍ଘଦିନ ରହି ରାସ୍ତା ବନ୍ଦ ଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ସୁପ୍ରିମ କୋର୍ଟ କହିଛନ୍ତି। ନ୍ୟାୟିକ ଫୋରମ୍ କିମ୍ବା ସଂସଦୀୟ ବିତର୍କ ମାଧ୍ୟମରେ ଏଭଳି ପ୍ରସଙ୍ଗର ସମାଧାନ କରାଯାଇ ପାରିବ। ରାଜପଥକୁ କିଭଳି ଦୀର୍ଘ ଦିନ ଧରି ବନ୍ଦ କରାଯାଇ ପାରିବ ଏବଂ ଏହାର ଅନ୍ତ କେଉଁଠି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

ଦିଲ୍ଲୀ ସୀମାରୁ ରାସ୍ତା ଅବରୋଧ ହଟାଇବା ପାଇଁ କରାଯାଇଥିବା ଆବେଦନର ଶୁଣାଣି ସୁପ୍ରିମ କୋର୍ଟର ବିଚାରପତି ସଞ୍ଜୟ କିଷାନ କୌଲ୍ ଏବଂ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ କରିଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି, ଅଦାଲତଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ବ କାର୍ଯ୍ୟପାଳିକାର। ଏଥିସହିତ ଉତ୍ତର ପ୍ରଦେଶ ଗେଟ୍ ନିକଟରେ ଆନ୍ଦୋଳନ ଯୋଗୁ ବନ୍ଦ ଥିବା ରାସ୍ତାକୁ ଖୋଲିବା ଲାଗି ଉକ୍ତ ମାମଲାରେ କେତେକ କୃଷକ ସଂଗଠନକୁ ପକ୍ଷଭୁକ୍ତ କରିବା ନିମନ୍ତେ ଔପଚାରିକ ଭାବେ ଆବେଦନ ପାଇଁ ମଧ୍ୟ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଆବେଦନ ଦାଖଲ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ।

 

ମୋନିକା ଅଗ୍ରୱାଲ ନାମ୍ନୀ ଜଣେ ନଏଡା ବାସିନ୍ଦା ରାସ୍ତା ଅବରୋଧ ହଟାଇବା ପାଇଁ ପ୍ରାର୍ଥନା କରି ଏକ ପିଟିସନ ଦାଖଲ କରିଛନ୍ତି। ସେ ଦର୍ଶାଇଛନ୍ତି ଆନ୍ଦୋଳନ ପୂର୍ବରୁ ତାଙ୍କୁ ତାଙ୍କ ଅଞ୍ଚଳରୁ ଦିଲ୍ଲୀରେ ପହଞ୍ଚିବା ଲାଗି ୨୦ ମିନିଟ ସମୟ ଲାଗୁଥିଲା। କିନ୍ତୁ ରାସ୍ତା ବନ୍ଦ ଯୋଗୁ ଏବେ ତାଙ୍କୁ ୨ ଘଣ୍ଟା ସମୟ ଲାଗୁଛି। ଏହି ପ୍ରସଙ୍ଗରେ ସରକାର କ’ଣ କରୁଛନ୍ତି ବୋଲି ସୁପ୍ରିମ କୋର୍ଟ ଅତିରିକ୍ତ ସଲିସିଟର ଜେନେରାଲ କେ ଏମ ନଟରାଜଙ୍କୁ ପଚାରିଥିଲେ। ‌ ନଟରାଜ କହିଥିଲେ, ଆନ୍ଦୋଳନରତ କୃଷକଙ୍କ ସହିତ ବୈଠକ ଡକାଯାଇଥିଲା। ଏ ସଂପର୍କିତ ବିସ୍ତୃତ ରିପୋର୍ଟ ସତ୍ୟପାଠରେ ଉଲ୍ଲେଖ ରହିଛି। ଖଣ୍ଡପୀଠ କହିଥିଲେ ଯେ ଆମେ ଏକ ନିର୍ଦ୍ଦେଶନାମା ଦେଇପାରୁ। କିନ୍ତୁ ତାହାକୁ ଅଦାଲତ କାର୍ଯ୍ୟକାରୀ କରିପାରିବ ନାହିଁ। ଆଇନକୁ କାର୍ଯ୍ୟକାରୀ କରିବା କାମ କାର୍ଯ୍ୟପାଳିକାର। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ବ କାର୍ଯ୍ୟପାଳିକାର ବୋଲି ଖଣ୍ଡପୀଠ ସହ ଏକମତ ହୋଇଥିଲେ।

ଖଣ୍ଡପୀଠ ଏହା ମଧ୍ୟ କହିଥିଲେ ଯେ ଆମେ ନିର୍ଦ୍ଦେଶ ଦେଲେ ତୁମେ କହିବ କାର୍ଯ୍ୟପାଳିକାର କାମ ଭିତରକୁ ନ୍ୟାୟପାଳିକା ଅନୁପ୍ରବେଶ କରୁଛି। ଏହାର ଅନ୍ୟାନ୍ୟ ପରିଣାମ ମଧ୍ୟ ରହିଛି। କିନ୍ତୁ ଅଭିଯୋଗର ସମାଧାନ ହେବା ମଧ୍ୟ ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ମେହେଟ୍ଟା କହିଥିଲେ ଯେ କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ ୩ ଜଣିଆ କମିଟି ଗଠନ ହୋଇଛି। କିନ୍ତୁ କୃଷକ ସଂଘଗୁଡ଼ିକ ଆଲୋଚନାରେ ଯୋଗଦେବାକୁ ମନା କରୁଛନ୍ତି। କୃଷକ ସଂଘକୁ ପକ୍ଷଭୁକ୍ତ କରିବା ଲାଗି କୋର୍ଟ ଆବେଦନକାରୀଙ୍କୁ ଉକ୍ତ ଆବେଦନରେ ଅନୁମତି ଦିଅନ୍ତୁ। ଏହାହେଲେ ପରେ ସେମାନେ କହିପାରିବେ ନାହିଁ ଯେ ସେମାନଙ୍କୁ ପକ୍ଷ କରାଯାଇ ନଥିଲା। ଏହାପରେ ଖଣ୍ଡପୀଠ ମେହେଟ୍ଟାଙ୍କୁ କହିଥିଲେ କୃଷକ ପ୍ରତିନିଧିମାନଙ୍କୁ ପକ୍ଷ କରିବା ପାଇଁ ତାଙ୍କୁ ହିଁ ଆବେଦନ କରିବାକୁ ହେବ। କାରଣ ଜଣେ ସାଧାରଣ ବ୍ୟକ୍ତି କୃଷକ ସଂଗଠନର ନେତା କିଏ ତାହା ଜାଣିପାରିବେ ନାହିଁ। କୃଷକମାନଙ୍କୁ ପକ୍ଷଭୁକ୍ତ କରିଲେ ସମସ୍ୟାର କିଭଳି ସମାଧାନ ହୋଇପାରିବ ତାହା ଜଣାଇବା ପାଇଁ କହିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୪ ତାରିଖରେ କରିବାକୁ ଧାର୍ଯ୍ୟ କରିଛନ୍ତି। ଶୁକ୍ରବାର କୃଷକ ମାନଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଆବଦେନ କରାଯିବ ବୋଲି ମେହେଟ୍ଟା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ଦିଲ୍ଲୀର ପଡ଼ୋଶୀ ରାଜ୍ୟ ସରକାରଙ୍କ ସହ ମିଶି ରାସ୍ତା ବନ୍ଦ ସମସ୍ୟାର ସମାଧାନ ବାହାର କରିବାକୁ ସୁପ୍ରିମ କୋର୍ଟ ଗତ ଅଗଷ୍ଟ ୨୩ ତାରିଖରେ କହିଥିଲେ।

ବସ୍‌-ଡମ୍ପର ମୁହାଁମୁହିଁ ଧକ୍କା; ୭ ମୃତ ଓ ୧୩ ଆହତ

ଭିଣ୍ଡ: ମଧ୍ୟପ୍ରଦେଶର ଭିଣ୍ଡ-ଗ୍ୱାଲିଅର ହାଇୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ବସ୍‌ ଓ ଡମ୍ପର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ମହିଳାଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗୋହଦା ଥାନା ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଗୁରୁତର ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଆହତଙ୍କ ପରିବାରକୁ ୫ହଜାର ଲେଖାଏଁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

ତେବେ ଦୁର୍ଘଟଣା ସ୍ଥଳରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।.

ଗୋରଖପୁର କାଣ୍ଡ: ପୋଲିସର ନୃଶଂସତାକୁ ନେଇ ମୁହଁ ଖୋଲିଲେ ମନୀଷଙ୍କ ଦୁଇ ସାଙ୍ଗ, ବଖାଣିଲେ ପୂରା ଘଟଣା

କାନପୁର: କାନପୁର ବ୍ୟବସାୟୀ ମୃତ୍ୟୁ ଘଟଣା । ଜାତୀୟ ଗଣମାଧ୍ୟମ ଆଗରେ ଚଢ଼ାଉ ସମୟର ଘଟଣା ବଖାଣିଛନ୍ତି ମୃତ ମନିଷ ଗୁପ୍ତାଙ୍କ ଦୁଇ ବନ୍ଧୁ ତଥା ପ୍ରତ୍ୟେକ୍ଷଦର୍ଶୀ । ଚଢ଼ାଉ ବେଳେ ପୋଲିସ ମନିଷଙ୍କ ମୁଣ୍ଡକୁ ଜୋରରେ ପିଟିଥିଲା । ଫଳରେ ମନିଷ ତଳେ ପଡ଼ିଯିବା ସହ ତାଙ୍କର ମୁଣ୍ଡରେ ଖୁବ୍ ଜୋରରେ ରକ୍ତ ବାହାରିଥିଲା । ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ମନିଷଙ୍କ ଦୁଇ ବନ୍ଧୁ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ।

ସେପଟେ ମନିଷଙ୍କ ପତ୍ନୀ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ୬ପୋଲିସ ଅଧିକାରୀଙ୍କ ନାଁରେ ଅଭିଯୋଗ କରିଥିଲେ ବି ୩ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ହେଲେ ଏ ଯାଏଁ ଜଣଙ୍କୁ ବି ଗିରଫ କରାଯାଇନାହିଁ । ପୋଲିସ ଏ ପର୍ଯ୍ୟନ୍ତ ଦୋଷୀଙ୍କୁ ଗିରଫ କରି ନଥିବା ବେଳେ ଅଯଥା ବୟାନବାଜୀ କରୁଛି ବୋଲି ମିନାକ୍ଷୀ କହିଛନ୍ତି । ଏହାଛଡ଼ା ୟୁପି ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଲିଖିତ ଭାବେ କିଛି ଦିଆଯାଇନାହିଁ ।

ପୁରା ମାମଲାର ସିବିଆଇ ଯାଞ୍ଚ କରିବାକୁ ମୃତ ବ୍ୟବସାୟୀଙ୍କ ପତ୍ନୀ ଦାବି କରିଛନ୍ତି । ମନିଷଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବା ଉଲ୍ଲେଖ ଥିଲେ ବି ପୋଲିସ ମାଡ଼ ମାରିବା ଅଭିଯୋଗକୁ ଖଣ୍ଡନ କରିଛି । ଯେଉଁଥିପାଇଁ ମାମଲାର ସିବିଆଇ ତଦନ୍ତ କରିବାକୁ ମିନାକ୍ଷୀ ଦାବି କରିଛନ୍ତି । ସେପଟେ ରେଡ୍‌ ବେଳେ ମନିଷଙ୍କ ସହ ହୋଟେଲରେ ଥିବା ଦୁଇ ବନ୍ଧୁ ବା ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ସାମ୍ନାକୁ ଆସିଛି । ଯାହାପରେ ଯୋଗୀ ରାଜ୍‌ରେ ପୋଲିସ ଅଧିକାରୀ ଆଇନକୁ ହାତକୁ ନେଇ ଘଟାଉଥିବା ନୃଶଂସ କାଣ୍ଡକୁ ଚାରିଆଡୁ ନିନ୍ଦା କରାଯାଉଛି ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆସନ୍ତା ୧୫ ଦିନ ମଧ୍ୟରେ ଗଢିବେ ନୂଆ ଦଳ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗଢିବେ ନୂଆ ଦଳ । ଆସନ୍ତା ୧୫ ଦିନ ମଧ୍ୟରେ ସେ ନୂଆ ଦଳ ଗଢିବେ ବୋଲି ସୂଚନା ମିଳିଛି । ଅମରିନ୍ଦରଙ୍କ ମହଲରୁ ପ୍ରକାଶ ଯେ, କ୍ୟାପଟେନ ଖୁବ୍ ଶୀଘ୍ର ଏକ ନୂଆ ଦଳ ଗଠନ କରିବେ । ସେପଟେ ନବଜୋତ ସିଂ ସିଦ୍ଧୁ ପୁଣି ଥରେ ପିସିସି ସଭାପତି ରହିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ମନ୍ତ୍ରିମଣ୍ଡଳରେ ବିଭିନ୍ନ ଦୁର୍ନୀତିଗ୍ରସ୍ତଙ୍କୁ ସାମିଲ କରିବା, ଆଡଭୋକେଟ ଜେନରାଲ ଭାବେ ଏପିଏସ ଦେଓଲଙ୍କୁ ନିଯୁକ୍ତି ଦେବା ଓ ଇକବଲ ପ୍ରୀତ ସିଂହ ସାହୋତାଙ୍କୁ ଅତିରିକ୍ତ ଡିଜିପି ଦାୟିତ୍ବ ଦେବା ପ୍ରତିବାଦରେ ସିଦ୍ଧୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

ସିଦ୍ଧୁଙ୍କ ସହ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ହାଇକମାଣ୍ଡଙ୍କ ସହ ଆଲୋଚନା କରିବା ଲାଗି ଚନ୍ନୀ ଦିଲ୍ଲୀ ଯାଇଛନ୍ତି । ସେଠାରେ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନେବା ଆଶା ରହିଛି । ତେଣେ ରାଜ୍ୟରେ କଂଗ୍ରେସର ଏହି ଦୁରବସ୍ଥା ନେଇ ରାଦୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂ । ସେ କହିଛନ୍ତି- ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦରଙ୍କ ଇସ୍ତଫା ଘଟଣା ଦେଶକୁ ଚମକାଇ ଦେଇଥିଲା । ବିଜେପିରୁ ଆସି କଂଗ୍ରେସରେ ସାମିଲ ହୋଇଥିବା ନବଜୋତ ସିଂ ସିଦ୍ଧୁ ଦଳ ଲାଗି ଅଧିକ ସଙ୍କଟ ସୃଷ୍ଟି କରିଥିଲେ । ଏପରିକି ସରକାରରେ ବ୍ୟାପକ ଅସ୍ଥିରତା ସୃଷ୍ଟି କରିଥିଲେ ।

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ପେଟ୍ରୋଲ ଲିଟର ପିଛା ୨୫ ଓ ଡିଜେଲ ୩୦ ପଇସା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ଥରେ ବଢିଲା ଗ୍ୟାସ ଦର । ବ୍ୟାବସାୟିକ ଗ୍ୟାସ ଦର ସିଲିଣ୍ଡର ପିଛା ବଢିଛି ୪୩ ଟଙ୍କା । ଦରବୃଦ୍ଧି ଫଳରେ ଏଣିକି ୧୯ କେଜି ସିଲିଣ୍ଡର ଦର ହୋଇଛି ୧୭୩୬ ଟଙ୍କା ୫୦ ପଇସା । ପୂର୍ବରୁ ସେପ୍ଟେମ୍ବର ୧ରେ ଏଲପିଜି ଦର ବଢିଥିଲା ୭୫ଟଙ୍କା । ସେପଟେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବଢିଛି । ବାରମ୍ବାର ଦରବୃଦ୍ଧି ଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ଦରବୃଦ୍ଧି ଯୋଗୁ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କା ୮୯ ପଇସା ହୋଇଥିବାବେଳେ ମୁମ୍ବାଇରେ ୧୦୭ଟଙ୍କା ୯୫ ପଇସା, ଚେନ୍ନାଇରେ ୯୯ ଟଙ୍କା ୫୮ ପଇସା,, କୋଲକାତାରେ ୧୦୨ଟଙ୍କା ୪୭ ପଇସା ହୋଇଛି । ସେହିପରି ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୯୦ ଟଙ୍କା ୧୭ ପଇସା, ମୁମ୍ବାଇରେ ୯୭ଟଙ୍କା ୮୪ ପଇସା, ଚେନ୍ନାଇରେ ୯୪ଟଙ୍କା ୭୪ ପଇସା, କୋଲକାତାରେ ୯୩ଟଙ୍କା ୨୭ ପଇସା ହୋଇଛି ।

Parle G Rumours: ‘ସବୁ ପୁଅ ମାନଙ୍କୁ ଖାଇବାକୁ ପଡ଼ିବ…’, ନଚେତ ହେବ ଏମିତି ଅଘଟଣ !

ପାଟଣା: ବିହାରର ସୀତାମଢ଼ୀରେ ପାର୍ଲେ ଜି ବିସ୍କୁଟ ସହ ଜଡିତ ଏକ ଗୁଜବ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ ସେଠାରେ ଉପସ୍ଥିତ ଥିବା ତେଜରାତି ଦୋକାନରେ ପାର୍ଲେ ଜି ବିସ୍କୁଟ କିଣିବାପାଇଁ ଭିଡ଼ ଜମିଗଲା । ବାସ୍ତବରେ ପାର୍ଲେ ଜୀ ବିସ୍କୁଟକୁ ଜିତିଆ ପର୍ବ ସହିତ ସଂଯୋଗ କରି ସୀତାମଢ଼ୀରେ ଏକ ଗୁଜବ ପ୍ରଚାରିତ ହୋଇଥିଲା । କୁହାଯାଇଥିଲା ଯେ ଘରର ସମସ୍ତ ପୁଅଙ୍କୁ ପାର୍ଲେ ଜି ବିସ୍କୁଟ ଖାଇବାକୁ ପଡିବ, ନଚେତ୍ ସେମାନଙ୍କ ସହ କିଛି ଅଘଟଣା ହୋଇପାରେ । ସୂଚନା ଅନୁଯାୟୀ, ପୁଅର ଦୀର୍ଘ ଆୟୁ, ସୁସ୍ଥ ଏବଂ ସୁଖମୟ ଜୀବନ ପାଇଁ ମାଆମାନେ ଏହି ଦିନ ଉପବାସ ରଖନ୍ତି ।

ତେବେ ଏମିତି କଣ ହେଲା ଯାହା ପାଇଁ ପାର୍ଲେ ଜି ବିସ୍କୁଟ କିଣିବା ପାଇଁ ଦୋକାନରେ ଭିଡ଼ ହେବାରେ ଲାଗିଲା

ଗୁଜବର ଭୟ ଏତେ ଭୟଙ୍କର ଥିଲା ଯେ ପାର୍ଲେ ଜି ବିସ୍କୁଟର ଷ୍ଟକ୍ ସେଠାକାର ଦୋକାନରୁ ଶେଷ ହୋଇଯାଇଥିଲା । ସୂଚନା ଅନୁଯାୟୀ, ଲୋକମାନେ ଏହି ଗୁଜବକୁ ବିଶ୍ୱାସ କରୁଛନ୍ତି । ଏହି ଗୁଜବ ସୀତାମଢ଼ୀ ଜିଲ୍ଲାର ବାଇରଗାନିଆ, ଡେଙ୍ଗ, ନାନପୁର, ଡୁମରା, ବାଜପାଟ୍ଟି, ମେଜରଗଞ୍ଜ ସମେତ ଅନେକ ବ୍ଲକରେ ବ୍ୟାପିଛି ।

ଏହି ଗୁଜବ କେବେ ଓ କେଉଁଠାରୁ ବ୍ୟାପିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ ଏହି ଗୁଜବ ଯୋଗୁଁ ବିସ୍କୁଟ ବିକ୍ରିରେ ହଠାତ୍ ବୃଦ୍ଧି ଘଟିଥିଲା। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକମାନେ ପାର୍ଲେ ଜି ବିସ୍କୁଟ କିଣୁଥିବାର ନଜର ଆସିଥିଲେ। ଯେତେବେଳେ ଲୋକଙ୍କୁ ପଚରାଗଲା ସେମାନେ କାହିଁକି କିଣୁଛନ୍ତି ? ସେମାନେ କହିଥିଲେ ଯେ, ପାର୍ଲେ ଜି ବିସ୍କୁଟ ନ ଖାଇବା ଦ୍ୱାରା ଅଘଟଣ ଘଟିପାରେ । ଦୋକାନୀ ଏହା ମଧ୍ୟ କହିଛନ୍ତି ଯେ ସମସ୍ତେ କେବଳ ପାର୍ଲ ଜି ବିସ୍କୁଟ ମାଗୁଛନ୍ତି ।

ଏୟାର ଇଣ୍ଡିଆର ନୂଆ ‘ମହାରାଜା’ ହେଲା ଟାଟା ଗ୍ରୁପ, ସବୁଠୁ ଅଧିକ ଦାମରେ ନିଲାମୀ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ଏଣିକି ଟାଟା ଗ୍ରୁପ ଅଧୀନରେ ରହିବ । ଏୟାର ଇଣ୍ଡିଆ ବିକ୍ରୟ ପ୍ରକ୍ରିୟାରେ ସର୍ବାଧିକ ମୂଲ୍ୟରେ ନିଲାମ ଜିତିଛି ରଖି ଟାଟା ଗ୍ରୁପ୍ । ଟାଟା ଗ୍ରୁପ୍‌ର ଅଜୟ ସିଂ ଏବଂ ସ୍ପାଇସଜେଟ୍‌ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ଡାକିଥିଲେ । ସରକାର ଦ୍ୱିତୀୟ ଥର ଏୟାର ଇଣ୍ଡିଆରେ ନିଜର ଅଂଶଧନ ବିକ୍ରୟ କରିବାକୁ ଚେଷ୍ଟା କରୁଛନ୍ତି ।

ଏହାପୂର୍ବରୁ ୨୦୧୮ରେ ସରକାର କମ୍ପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଟାଟା ସନ୍ସ ଏୟାର ଇଣ୍ଡିଆ ବିଡ ଜିତିଛି । ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସରକାରୀ ସୂତ୍ର ଅନୁଯାୟୀ, ଏୟାର ଇଣ୍ଡିଆର ବିକ୍ରୟ ପାଇଁ କରାଯାଇଥିବା ଦୁଇଟି ବିଡ ମଧ୍ୟରୁ ସରକାର ଟାଟା ଗ୍ରୁପକୁ ଚୟନ କରିଛନ୍ତି । ଏୟାର ଇଣ୍ଡିଆ କିଣିବା ପାଇଁ ଟାଟା ଗ୍ରୁପ୍ ଏବଂ ସ୍ପାଇସଜେଟର ଚେୟାରମ୍ୟାନ୍ ଅଜୟ ସିଂ ଶେଷ ପ୍ରସ୍ତାବ ଦେଇଥିଲେ ।

୨୦୦୭ ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆ ନିଟ୍ ଲାଭରେ ଆସିନାହିଁ । ମାର୍ଚ୍ଚ ୨୦୨୧ ଶେଷ ହେବାକୁ ଥିବା ତ୍ରୈମାସରେ ଏୟାର ଇଣ୍ଡିଆର ପ୍ରାୟ ୧୦,୦୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆଶା କରାଯାଉଛି । ୩୧ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ମୋଟ ୬୦,୬୭୪ କୋଟି ଟଙ୍କା ଋଣ ଥିଲା । କିନ୍ତୁ ବର୍ତ୍ତମାନ ଟାଟା ସନ୍ସଙ୍କୁ ଏଥିରୁ ୨୩,୨୮୬.୫କୋଟି ଟଙ୍କା ବୋଝ ସହିବାକୁ ପଡିବ ।