spot_img
Home Blog Page 5203

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ

ଭବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ। ଦିନ ସାଢ଼େ ୧୧ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସାମସ୍ ଓ୍ୱେବସାଇଟରେ ତାଲିକା ପାଇପାରିବେ ଛାତ୍ରଛାତ୍ରୀ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତାକାଲିଠୁ ୨୧ ତାରିଖ ମଧ୍ୟରେ ଧାର୍ଯ୍ୟ କଲେଜରେ ନାମ ଲେଖାଇ ପାରିବେ।

ପରେ ଆସନ୍ତା ୨୭ରେ ଦ୍ୱିତୀୟ କଟ୍ ଅଫ ମାର୍କ ପ୍ରକାଶ ପାଇବ। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ହେବ। ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବଳକା ସିଟ୍ ତାଲିକା ଅନୁସାରେ ସ୍ପଟ ଆଡମିଶନ ହେବ। ଏଥିପାଇଁ ଅକ୍ଟୋବର ୪ ତାରିଖରେ ମେରିଟ ଲିଷ୍ଟ ଆସିବ।

ଚଳିତ ବର୍ଷ ମାଟ୍ରିକରେ ରେକର୍ଡ ପାସ୍ ହାର ହୋଇଛି। କରୋନା ପାଇଁ ବିନା ପରୀକ୍ଷାରେ ସ୍ୱତନ୍ତ୍ର ପ୍ରଣାଳୀରେ ଫଳ ପ୍ରକାଶ ପାଇଥିଲା। ଅଧିକ ପାସ ହାରକୁ ଦେଖି କେତେକ କଲେଜରେ ସିଟ୍ ବଢାଇବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଲଘୁଚାପ ଜନିତ ଲଗାଣବର୍ଷାରେ ଅଧା ବୁଡ଼ିଗଲେ ବାବା ଆଖଣ୍ଡଳମଣି

ଆରଡ଼ି: ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ପାଣି। ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁ ବାବାଙ୍କ ଗର୍ଭଗୃହରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି। ଯାହାର ପ୍ରଭାବରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ।


ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚରୁ ପାଣି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି ନୀତିକାନ୍ତୀରେ ମଙ୍ଗଳ ଆଳତୀ, ପୂଜାର୍ଚ୍ଚନା ବିଳମ୍ବ ହୋଇଛି। ଏବେ ମଟର ଚାଳିତ ପମ୍ପ ଦ୍ୱାରା ଜଳନିଷ୍କାସନ କରାଯାଉଥିବା ମନ୍ଦିର ପ୍ରଶାସନିକ ଅଧିକାରୀ କହିଛନ୍ତି।

ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା, ଜଳକା ନଦୀରେ ବିପଦ ସଂକେତ ତଳେ ଜଳସ୍ତର

ଜଳେଶ୍ୱର: ଲଘୁଚାପର ତୁହାକୁ ତୁହା ବର୍ଷାରେ ଭିଜୁଛି ପୁରା ରାଜ୍ୟ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ନଦୀ ମାନଙ୍କରେ ଜଳସ୍ତର ବଢ଼ିବାକୁ ଲାଗିଛି। ତେବେ ଗତକାଲି ଜଳକା ନଦୀରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଥିବା ବେଳେ ଆଜି ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର। ମଥାନି ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୫.୪୦ ମିଟରରେ ଜଳ ପ୍ରବାହିତ ହେଉଛି।

ଲଗାଣ ବର୍ଷା  ଫଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ଯଦି ଏହିଭଳି ବର୍ଷା ଲାଗିରୁହେ, ତାହାହେଲେ ବସ୍ତା ବ୍ଳକର ମଥାନି, ବାହାର୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗାଡ଼ିଆ, ଚକୁରାଇ, ଦରିଡ଼ା , ଗଡ଼ିପଦା, ରାଉତପଡ଼ା ସମେତ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ସେପଟେ ସ୍ଥାନୀୟ ଲୋକେ ଏପରି ସ୍ଥିତିକୁ ଦେଖି ଭୟଭୀତ ହୋଇ ପଡିଛନ୍ତି।

ଭାଦ୍ରବରେ ବୁଡ଼ାଉଛି ଲଘୁଚାପର ତୁହାକୁ ତୁହା ବର୍ଷା, ଗଭୀର ଅବପାତ କାରଣରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷାରେ ଭିଜୁଛି ପୁରା ରାଜ୍ୟ। ଆକାଶ ଦିନ ତମାମ ମେଘାଛନ୍ନ ହୋଇ ରହୁଛି। ଘରୁ ବାହାରିବା ପାଇଁ ଲୋକେ ଅନିଚ୍ଛା ପ୍ରକାଶ କରୁଛନ୍ତି। ଗତକାଲିଠୁ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଗଭୀର ଅବପାତର ରୂପ ନେଲା ବଙ୍ଗପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ଉତ୍ତର ପୂର୍ବ ବଙ୍ଗପସାଗର ଓ ଓଡ଼ିଶା ଉପ କୂଳରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଉତ୍ତର ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି।

ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୫ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ଗତି କରୁଛି ଲଘୁଚାପ। ଧିରେ ଧିରେ ଏହା ପୂର୍ବ  ପଶ୍ଚିମ ଓ ଉତ୍ତର ପଶ୍ଚିମକୁ ଗତି କରି ଉତ୍ତର ଓଡ଼ିଶା ଉତ୍ତର ଛତିଶଗଡ଼ ଦେଇ ଯିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ମଧ୍ୟ ପ୍ରଦେଶ ଆଡ଼କୁ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଵୋଲି ସୂଚନା ଦେଇଛି ପାଣି ପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଉପକୂଳରୁ ଉପାନ୍ତ ସବୁଠି ଲାଗି ରହିଛି ବର୍ଷା।

ପ୍ରବଳ ବର୍ଷା ହେବା ନେଇ ଉପକୂଳ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଏବଂ ନୟାଗଡ। ଏହା ସହିତ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଓଡ଼ିଶା ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। କେତେକ ନଦୀରେ ଜଳସ୍ତର ବଢୁଥିବାବେଳେ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।

ତେଣୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଏସଆରସି। ଅନ୍ୟପଟେ ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ ହୋଇଛି। ପାରାଦୀପରେ ୧୨୯ ମିମି, ଭୁବନେଶ୍ୱରରେ ୧୯୫ ମିମି ଗୋପାଳପୁରରେ ୬୬ ମିମି, ଚାନ୍ଦବାଲିରେ ୪୬ମିମି ଓ ବାଲେଶ୍ଵରରେ ୨୪ ମିମି ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ଼ ଆଲର୍ଟ ଜାରି କରାଯାଇଛି। ଏହି ୨୪ ଘଣ୍ଟା ମଧ୍ୟରେ ୧୨୦ ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବଲାଙ୍ଗୀର ଝାରସୁଗୁଡା ସୁନ୍ଦରଗଡ଼ ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଏବଂ କଟକ ରେ ପ୍ରବଳ ବର୍ଷା ପାଇଁ ଇଲୋ ଆଜି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମନା କରାଯାଇଛି।

୧୯ରୁ ପୁଣି ହେବ ଆଇପିଏଲ, ଭାରତ-ଇଂଲଣ୍ଡ ଟେଷ୍ଟ ବାତିଲ ପରେ ଦୁବାଇରେ ଖେଳାଳି

ଭୁବନେଶ୍ୱର: ଆସନ୍ତା ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବାକି ମ୍ୟାଚ୍ । ହେଲେ ଏବେବି ଅବଶିଷ୍ଟ ମ୍ୟାଚ ଉପରେ କରୋନାର କଳା ବାଦଲ ଘୁରିବୁଲିଲାଣି । ନିକଟରେ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ୍ ସମେତ କିଛି ସଦସ୍ୟ କରୋନା ପଜିଟିଭ ହେବା ପରେ ଭାରତ-ଇଂଲଣ୍ଡ ମଧ୍ୟରେ ୫ମ ଟେଷ୍ଟ ବାତିଲ କରାଯାଇଥିଲା । ସମସ୍ତ ପଜିଟିଭ ସଦସ୍ୟ ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି । ୟୁଏଇରେ ମଧ୍ୟ ଖେଳାଳିମାନଙ୍କୁ ଅତିକମରେ ୬ ଦିନ ହୋମ୍ ଆଇସୋଲେସନରେ ରହିବାକୁ ହେବ ।  ଯଦି କୌଣସି ଖେଳାଳି ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ଏହାର ପ୍ରଭାବ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଉପରେ ପଡିବ ।

କାରଣ ପୂର୍ବରୁ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରୁ ଆଇପିଏଲକୁ ବାତିଲ କରାଯାଇଥିଲା । ଏପଟେ ମାଞ୍ଚେଷ୍ଟରେ ଟେଷ୍ଟ ବାତିଲା ହେବା ପରେ ଆଇପିଏଲ୍ ଫ୍ରାଞ୍ଚାଇଜି ତା’ର ଖେଳାଳିମାନଙ୍କୁ ଲଣ୍ଡନରୁ ୟୁଏଇକୁ ଡକାଇବା ଆରମ୍ଭ କରିଦେଇଛି । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ୍ ଶର୍ମା, ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ଓ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆବୁଧାବିରେ ପହଞ୍ଚିସାରିଛନ୍ତି । ଆସନ୍ତାକାଲି ଆରସିବିର ଅଧିନାୟକ ବିରାଟ କୋହଲି ଓ ବୋଲର ସିରାଜଙ୍କ ସହ ଅନ୍ୟ କିଛି ଖେଳାଳି ୟୁଏଇରେ ପହଞ୍ଚିବେ ।

ସେପଟେ ଇଲଂଣ୍ଡର ୩ ଖେଳାଳି ଜୋନି ବେୟାରଷ୍ଟୋ, ଡେଭିଡ୍ ମଲାନ ଏବଂ ଓ୍ବକ୍ସ ଆଇପିଏଲର ଦ୍ଵିତୀୟ ପର୍ଯ୍ୟାୟରୁ ଓହରି ଯାଇଛନ୍ତି । ଏହି ତିନି ଖେଳାଳିଙ୍କ ନିଷ୍ପତ୍ତି ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀକୁ ଝଟକା ଦେଇଛି । କରୋନା ଏବଂ କ୍ବାରେଣ୍ଟାଇନ୍ ନିୟମ ଯୋଗୁ ଖେଳାଳି ମାନେ ଓହରି ଯାଇଥିବା କୁହାଯାଉଛି । ଦ୍ବିତୀୟ ପର୍ଯ୍ୟାୟର ବାକି ୩୧ ମ୍ୟାଚ୍ ମଧ୍ୟରୁ ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ । ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୫ରେ ଖେଳାଯିବ ।

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିଶାସକ୍ତ ଯୁବକଙ୍କ ଆକ୍ରମଣ

ବାଲେଶ୍ୱର: ମେଡିକାଲ କଲେଜରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିଶାସକ୍ତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ । ଖଣ୍ଡାରେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆମ୍ବୁଲାନ୍ସର କାଚ ଭାଙ୍ଗି ଟାୟାର କାଟିଦେଇଛନ୍ତି ଯୁବକ । ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ କାଚ ଭାଙ୍ଗିବାରୁ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ସାମାନ୍ୟ ଆହତ ହୋଇଥିବା ଡ୍ରାଇଭର କହିଛନ୍ତି । ଘଟଣାସ୍ଥଳରୁ ଯୁବକଜଣକ ଫେରାର ହୋଇଯାଇଥିବାବେଳେ ଖଣ୍ଡା ଜବତ କରି ତଦନ୍ତ କରୁଛି ପୋଲିସ୍ ।

ସମୁଦ୍ର ମଝିରେ ଅଚଳ ବୋଟ, ୧୧ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ଜଗତସିଂହପୁର: ପାରାଦୀପ ସମୁଦ୍ରରୁ ଉଦ୍ଧାର ହୋଇଛନ୍ତି ୧୧ ମତ୍ସ୍ୟଜୀବୀ  । ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରି ସଫଳ ଭାବରେ କୂଳରେ ପହଁଚାଇଛି କୋଷ୍ଟଗାର୍ଡ । ମିଳିଥିବା ସୂଚନା ମୁତାବକ ମତ୍ସ୍ୟଜୀବୀ ମାନେ  ମାଛଧରା ବୋଟ୍‌ରେ ମଝି ସମୁଦ୍ରକୁ ଯାଇଥିଲେ  । କିନ୍ତୁ ସେହି ସମୟରେ ବୋଟ୍ ଇଞ୍ଜିନ୍ ଖରାପ ହୋଇଯାଇଥିଲା  । ଫଳରେ ମଝି ସମୁଦ୍ରରେ ଫସି ରହିଥିଲେ ଏହି ମତ୍ସ୍ୟଜୀବୀ ।

ତେବେ ଏହି ଘଟଣାବିଷୟରେ କୋଷ୍ଟଗାର୍ଡ ଟିମ ଖବର ପାଇବା ପରେ ସମୁଦ୍ର ମଝିରେ ପହଁଚିଥିଲେ  । ସେଠାରେ ଫସିରହିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କାର୍ଯ୍ୟରୋେ ନିୟୋଜିତ ହୋଇଥିଲେ  ।  କୋଷ୍ଟଗାର୍ଡର ଜାହାଜ ଅନମୋଲ ସମସ୍ତଙ୍କୁ ଉଦ୍ଧାର କରିବା ସହ ବୋଟକୁ ଟାଣି ଟାଣି କୂଳକୁ ଆଣିଥିଲା । ଫଳରେ ସୁରକ୍ଷିତ ଭାବେ କୂଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ସ୍ଥାନୀୟ ମତ୍ସ୍ୟଜୀବୀ  ।

ଜମ୍ମୁ ଓ କାଶ୍ମୀରରେ ପୋଲିସ ସବଇନ୍ସପେକ୍ଟରଙ୍କୁ ହତ୍ୟା, ସକ୍ରୀୟ ହେଲେଣି ଆତଙ୍କବାଦୀ

ଜାମ୍ମୁ ଓ କାଶ୍ମୀର: ସକ୍ରିୟ ହେଲେ ଆତଙ୍କବାଦୀ । ଶ୍ରୀନଗରର ଖାନିୟାରରେ ଜଣେ ପୋଲିସ ସବଇନ୍ସପେକ୍ଟର ଅର୍ସିଦ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କୁପଓ୍ବାରା ଜିଲ୍ଲାର ଅହମ୍ମଦ ଜଣେ ପ୍ରୋବେସନାରୀ ଅଧିକାରୀ ଭାବେ ସେ କାର୍ଯ୍ୟରତ ଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ଟିଟାଲ ନିଆଯାଇଥିଲା । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ।

ଜନଗହଳିପୂର୍ଣ୍ଣ ବଜାର ଭିତରେ ଆତଙ୍କବାଦୀ ତାଙ୍କୁ ଦୁଇଟି ଗୁଳି ମାଡ କରିଥିଲେ । ଶ୍ରୀନଗର ମେୟର ଜୁନେଦ ଅଜିମ ମାଟ୍ଟୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଗୁଳିମାଡର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ସେ କର୍ତ୍ତବ୍ୟରତ ଥିବାବେଳେ ଆତଙ୍କବାଦୀ ତାଙ୍କୁ ପଛଆଡୁ ଗୁଳି କରିଥିଲେ ।

ଆଫଗାନିସ୍ତାନରେ ଅସ୍ଥିରତା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନ ଜାମ୍ମୁ ଓ କାଶ୍ମୀରକୁ ଟାର୍ଗେଟ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନ ସମର୍ଥନ କରୁଥିବାରୁ ସେମାନେ ଏବେ ବେଶ୍ ସକ୍ରିୟ ହୋଇଥିବା କୁହାଯାଉଛି ।

ଗରିଲାଙ୍କୁ କୋଭିଡ ଆଟାକ୍, ସଂକ୍ରମିତ ହୋଇଛି ୬୦ବର୍ଷୀୟ ଓଜି

ୱାସିଂଟନ୍: ଗରିଲାଙ୍କୁ  ଆଟାକ୍ କଲାଣି କୋଭିଡ । ଆମେରିକା ଆଟଲାଣ୍ଟା ଚିଡିଆଖାନାରେ ୧୩ଟି ଗରିଲା ହୋଇଛନ୍ତି କୋଭିଡ ପଜିଟିଭ । ସେମାନଙ୍କ ମଧ୍ୟରେ ଅଛି ଗୋଟିଏ ୬୦ବର୍ଷ ବୟସ୍କ ଓଜି । ଚିଡିଆଖାନାରେ ରହିଥିବା ସମସ୍ତ ଗରିଲାଙ୍କ ମଧ୍ୟରେ ଓଜି ହେଉଛି ସବୁଠାରୁ ବୟସ୍କ । ଗତ ଶୁକ୍ରବାର ଏହି ଗରିଲାମାନଙ୍କ ନିକଟରେ କାଶ ହେବା ସହ ନାକରୁ ତରଳ ପଦାର୍ଥ ନିର୍ଗତ ହେବା ପରିଲକ୍ଷିତ ହୋଇଥିଲା । ପରେ ଜର୍ଜିଆ ବିଶ୍ବବିଦ୍ୟାଳୟର ଏକ ଡାକ୍ତର ଟିମ୍ ପହଞ୍ଚି ସେମାନଙ୍କୁ ପରୀକ୍ଷା କରିଥିଲେ ।

ପରେ ସେମାନେ ପଜିଟିଭ ଥିବା ପରିଲକ୍ଷିତ ହୋଇଥିଲା । ପୂର୍ବରୁ ବିଶ୍ବର ବିଭିନ୍ନ ଭାଗରେ ଚିଡିଆଖାନାରେ କୋଭିଡ ବ୍ୟାପିବା ବି ଦେଖାଯାଇଛି । ଆଟଲାଣ୍ଟା ଚିଡିଆଖାନା କର୍ତ୍ତୃପକ୍ଷ ଏଠାରେ ଥିବା ଅନ୍ୟ ୨୦ଟି ଗରିଲାଙ୍କ ପରୀକ୍ଷା କରିଛନ୍ତି । ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ପୋଷାକ ପିନ୍ଧି ଚିକିତ୍ସା କରୁଛନ୍ତି । କୋଭିଡ ଏବେ ଆଉ ମଣିଷ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ବିଭିନ୍ନ ଜୀବଜନ୍ତୁଙ୍କୁ ଆକ୍ରମଣ କରିବା ଦେଖାଯାଉଛି ।

ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ହେଲେ ଦୁର୍ବୃତ୍ତ

ବାରିପଦା: ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଦୁର୍ବୃତ୍ତ । ମୁର୍ମୁର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କଲେ ଗୋରୁ ଜଗୁଆଳି । ଗୁରୁତ୍ତର ଅବସ୍ଥାରେ ମହିଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ନିକଟରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ମୋରଡ଼ା-ବାରିପଦା ମୁଖ୍ୟ ରାସ୍ତାରେ ଥିବା ବୁଦୁବୁଦିଆ ଜଙ୍ଗଲରେ ମହିଳାଙ୍କୁ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ ।

କିଛି ଦୂରରେ ଥିବା ଗାଇ ଜଗୁଆଳମାନେ ଦେଖି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗୁରୁତ୍ତର ଅବସ୍ଥାରେ ଅସହାୟ ମହିଳାଙ୍କୁ ଉଦ୍ଧାର କରି ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଲୋକେ । ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛି ପୋଲିସ । ମହିଳା ଜଣକ ଚେତାଶୁନ୍ୟ ଥିବା ଜଣାପଡିଛି । ଅସହାୟ ମହିଳାଙ୍କ ଏବେ ବି ପରିଚୟ ମିଳି ପାରିନଥିବା ବେଳେ ପୋଲିସ ପକ୍ଷରୁ ଅଧିକ ତଦନ୍ତଜାରି ରହିଛି ।