spot_img
Home Blog Page 5217

ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୭ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି ବଢ଼ୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୭୧ କରୋନା ସଂକ୍ରମିତ। ଶୂନରୁ ୧୮ ବର୍ଷ ମଧ୍ୟରେ ଶିଶୁ ୧୧୭ ଜଣ ସରକ୍ରମିତ ହୋଇଛନ୍ତି। ସେହିଭଳି କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୨୩ ଜଣ ସଂକ୍ରମିତଙ୍କର ରହିଛି ଲୋକାଲ କଣ୍ଟାକ୍ଟ। ଖୋର୍ଦ୍ଧାରୁ ସର୍ବାଧିକ ୩୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୧୬, ବାଲେଶ୍ୱରରୁ ୪୧, ବରଗଡ଼ରୁ ୩, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨, କଟକ ୭୧, ଦେବଗଡ଼ରୁ ୫, ଢ଼େଙ୍କାନାଳରୁ ୧୨, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୬, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୫, କୋରାପୁଟରୁ ୧୧, ମାଲକାନାଗିରିରୁ ୩, ମୟୂରଭଞ୍ଜରୁ ୧୯, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୧, ପୁରୀରୁ ୨୧, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୭, ସୁନ୍ଦରଗଡ଼ରୁ ୧୩ ଏବଂ ଷ୍ଟେଷ୍ଟପୁଲରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି।

ହେଲମେଟ୍ ଚେକିଂ ବେଳେ ମୁହାଁମୁହିଁ ପୋଲିସ ଓ ପୂର୍ବତନ ସାମରିକ କର୍ମଚାରୀ

କେନ୍ଦ୍ରାପଡ଼ା: ମାସ୍କ ଓ ହେଲମେଟ୍ ଚେକିଂ ବେଳେ ବିଚ୍‌ ରାସ୍ତାରେ ମୁହାଁମୁହିଁ ପୋଲିସ ଓ ପୂର୍ବତନ ସାମରିକ କର୍ମଚାରୀ। ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ତିନିମୁହାଣୀ ଛକ ନିକଟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମାସ୍କ ଓ ହେଲମେଟ୍ ଚେକିଂ ବେଳେ ପୂର୍ବତନ ସେନା କର୍ମଚାରୀ ମନୋରଞ୍ଜନ ରାଉତଙ୍କ ସହ ପୋଲିସର କଥା କଟାକଟି ହୋଇଥିଲା। ପରେ ବିବାଦ ବଢି ମାରପିଟ୍ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। କାର୍ଯ୍ୟରେ ଥିବା ମହିଳା କନେଷ୍ଟବଳ ଓ ଏଏସଆଇଙ୍କୁ ମନୋରଞ୍ଜନ ଦୁର୍ବ୍ୟବହାର ସହିତ ମରଣାନ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ଅନ୍ୟ ଏକ ପୋଲିସ ଟିମ୍ ପୂର୍ବତନ ସେନା କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ମନୋରଞ୍ଜନକୁ ଗିରଫ କରିଛି ପୋଲିସ।

ଆହୁରି ସଶକ୍ତ ହେବ ବାୟୁସେନା, କିଣାଯିବ ୫୬ ଟି ଅତ୍ୟାଧୁନିକ ବିମାନ

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ବାୟୁସେନା। କିଣାଯିବ ୫୬ ଟି ଅତ୍ୟାଧୁନିକ ବିମାନ। ଏନେଇ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ଦେଇଛି। ଦେଶର ସୁରକ୍ଷା ମାମଲାକୁ ନେଇ ବସିଥିବା ବୈଠକରେ ବାୟୁସେନା ପାଇଁ ୫୬ଟି ସି-୨୯୫ ଏମ୍‌ଡବ୍ଲୁ ପରିବହନ ବିମାନ କିଣିବା ପ୍ରସ୍ତାବରେ ମୋହର ଲାଗିଛି। କିଛି ମାଲ୍‌ବାହୀ ବିମାନ ଭାରତୀୟ କମ୍ପାନୀ ଦ୍ୱାରା ନିର୍ମାଣ କରାଯିବ।

୧୬ଟି ବିମାନ ସ୍ପେନ୍‌ରୁ ଅର୍ଡର କରାଯିବାକୁ ଥିବା ବେଳେ ୪୦ଟି ସ୍ୱଦେଶୀ ହେବ ଏବଂ ଏହାକୁ ଟାଟା କନ୍‌ସୋରଟିୟମ୍‌ ନିର୍ମାଣ କରିବ। ଦେଶରେ ପ୍ରଥମ କରି ଏକ ବେସରକାରୀ ସଂସ୍ଥା ମିଲିଟାରୀ ଏୟାରକ୍ରାଫ୍ଟ ପ୍ରସ୍ତୁତ କରିବାକୁ ଯାଉଛି। ଏହି C-295 MW ବିମାନ ୫ରୁ ୧୦ ଟନ୍‌ କାପାସିଟି ବିଶିଷ୍ଟ। ଏହାକୁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ପ୍ରସ୍ତୁତ କରାଯିବ। ସ୍ପେନ୍‌ରୁ ଆସିବାକୁ ଥିବା ୧୬ଟି ବିମାନ ୪୮ ମାସ ଭିତରେ ଏବଂ ସ୍ୱଦେଶୀ ୪୦ଟି ବିମାନ ଆଗାମୀ ୧୦ ବର୍ଷ ଭିତରେ ପ୍ରସ୍ତୁତ ହେବ ବୋଲି ହୋଇଥିବା ଚୁକ୍ତିରେ ଦର୍ଶାଯାଇଛି।

ଚିନ୍ତା ବଢ଼ାଉଛି କେରଳରେ କରୋନା ସଂକ୍ରମଣ, ସେପଟେ ମୁମ୍ବାଇରେ ତୃତୀୟ ଲହର ଆଶଙ୍କା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଚିନ୍ତା ବଢାଉଛି କେରଳ। ଗତ ୨୪ ଘଣ୍ଟାରେ କେରଳରେ ୩୦ ହଜାର ଉପରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେପଟେ କରୋନାକୁ ନେଇ ପୁଣି ଚିନ୍ତା ବଢାଇଛି ମୁମ୍ବାଇ। ମୁମ୍ବାଇରେ କରୋନା ତୃତୀୟ ଲହରର ଆଶଂକା ଦେଖାଦେଲାଣି।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୧୮ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ଗତ କିଛିମାସ ପରେ ମୁମ୍ବାଇରେ ୫୦୦ ଉପରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେପ୍ଟେମ୍ବର ୧ରୁ ଲଗାତାର ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଆଗାମି ୧୫ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଶାସନ ପକ୍ଷରୁ କହାଯାଇଛି।

ଏହାସହ ସଂକ୍ରମଣକୁ ନଜରରେ ରଖି ଗଣେଶ ଚତୁର୍ଥୀ ପାଳନ ଉପରେ କଟକଣା ଲଗାଯାଇଛି। ମଣ୍ଡପ ବୁଲିବାକୁ ଭକ୍ତଙ୍କୁ ବାରଣ ହୋଇଥିବାବେଳେ ଘରେ ରହି ଗଣେଶ ଚତୁର୍ଥୀ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସରକାର। ସେହିପରି  ମହାରାଷ୍ଟ୍ରର ନାଗପୁରରେ ବଢୁଥିବା ସଂକ୍ରମଣକୁ ଦେଖି ଜାରି କରାଯାଇଛି କଟକଣା। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୩ ହଜାର ୮୯୮ନୂଆ ମାମଲା ଚିହ୍ନଟ ହୋଇଛନ୍ତି।

ଦୁଇ ଓଡ଼ିଆ ମହିଳା ହକି ଖେଳାଳିଙ୍କୁ କାର୍ ଉପହାର ଦେଲା ଟାଟା କମ୍ପାନୀ

ରାଉରକେଲା: ଦୁଇ ଓଡ଼ିଆ ମହିଳା ହକି ଖେଳାଳିଙ୍କୁ କାର ଉପହାର । ଅଲିମ୍ପିଆନ ନମିତା ଟପ୍ପୋ ଓ ଦୀପଗ୍ରେସ ଏକ୍କାଙ୍କୁ ଟାଟା କମ୍ପାନୀ ଦୁଇଟି ALTROZ କାର ପ୍ରଦାନ କରିଛି । ରାଉରକେଲାରେ ଟାଟାର ବରିଷ୍ଠ ଅଧିକାରୀଙ୍କ ସହ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଖେଳାଳିଙ୍କୁ କାର ପ୍ରଦାନ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ସ୍ଥାନରେ ୧୭ଟି ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ୍ ସହ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କରାଯାଉଛି । ଏହାସହ ସହରରେ ଫୁଟବଲ ଷ୍ଟାଡିୟମ୍ ଓ ଆଥଲେଟିକ ଟ୍ରାକ ନିର୍ମାଣ ପ୍ରକ୍ରିୟା ଆଗେଇ ଚାଲିଛି । ବ୍ୟାଡମିଣ୍ଟନ, ଟେନିସ ଓ ଭଲିବଲ ପାଇଁ ଅନ୍ତର୍ଜାତୀୟ ସ୍ତରର ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ଦୁଇ ମହିଳା ହକି ଖେଳାଳି ।

ଏଥିସହିତ ପଢ଼ନ୍ତୁ: ସ୍ୱର୍ଣ୍ଣ ପଦକ ବିଜେତା ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ୬କୋଟି ଟଙ୍କାର ଆର୍ଥିକ ପୁରସ୍କାର

ନକଲି ଡିଜେଲ କାରଖାନା ଠାବ: ୨ହଜାର ୮ଶହ ଲିଟର ଅପମିଶ୍ରିତ ଡିଜେଲ ଜବତ

ଯାଜପୁର: ବଇରୀ ଥାନା ଅନ୍ତର୍ଗତ ବୁଢାକେନ୍ଦୁଆ ବଜାରରୁ ନକଲି ଡିଜେଲ କାରଖାନା ଠାବ । କାରାଖାନାର ମାଲିକ ଜୁମର ଖଟୁଆ ଗିରଫ । ଚଢାଉ ବେଳେ ୧୩ଟି ବ୍ୟାରେଲ ଥିବା ୨ ହଜାର ୮ଶହ ଲିଟର ଅପମିଶ୍ରିତ ଡିଜେଲ, କେମିକାଲ ଓ ଏଥିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ଦୀର୍ଘଦିନ ଧରି ଜୁମର ନକଲି ଡିଜେଲ କାରବାରରେ ଲିପ୍ତ ଥିଲେ । ଡିଜେଲ ଅପମିଶ୍ରଣ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ କରୁଥିଲେ । ଏନେଇ ଅଭିଯୋଗ ପାଇବା ପରେ ପୋଲିସ ଚଢାଉ କରିଛି ।

ଏଥିସହିତ ପଢ଼ନ୍ତୁ: ବରୋବାହାଲ ଛକରେ ସଡ଼କ ଦୁର୍ଘଟଣା: ମାଆ ସାମ୍ନାରେ ଚାଲିଗଲା ପୁଅର ଜୀବନ

ରାଜ୍ୟରେ କମିବ ଷ୍ଟାମ୍ପ ଡ୍ୟୁଟି: ବିଧାନସଭାରେ ପାରିତ ହେଲା ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍

ଭୁବନେଶ୍ୱର: ରାଜ୍ୟରେ ରିୟଲ ଇଷ୍ଟେଟକୁ ବୁଷ୍ଟର ଡୋଜ । ଏଣିକି ଜମି କିଣାବିକା ଅଧିକ ସହଜ ହେବ । କମିବ ଷ୍ଟାମ୍ପ ଡ୍ୟୁଟି । ଏନେଇ ଆଜି ବିଧାନସଭାରେ ପାସ ହୋଇଛି ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍‌ । ଏହି ବିଲ ଗତ ୨୦୧୬ରୁ ବିଧାନସଭାର ଅନୁମୋଦନ ଅପେକ୍ଷାରେ ରହିଥିଲା । ଏହାଦ୍ୱାରା ନିଜ ପରିବାରର ସଦସ୍ୟଙ୍କ ବ୍ୟତିତ ଅନ୍ୟ ଲୋକଙ୍କୁ ପ୍ରାଧିକୃତ କରାଉଥିବା ଦଖଲ ପ୍ରଦାନ ସହ ବିକ୍ରି ପାଇଁ ପାୱାର ଅଫ ଆଟର୍ଣ୍ଣି ଏବଂ ରାଜିନାମା ଉପରେ ଷ୍ଟାମ୍ପ ଡ୍ୟୁଟି ୫ ପ୍ରତିଶତରୁ ୨ ପ୍ରତିଶତକୁ ହ୍ରାସ କରାଯାଇଛି । ପାୱାର ଅଫ ଆଟର୍ଣ୍ଣି ଓ ଉନ୍ନୟନ ରାଜିନାମା ସମାନ ପକ୍ଷ ମଧ୍ୟରେ ସମାନ ସମ୍ପତ୍ତି ପାଇଁ କରାଗଲେ ଷ୍ଟାମ୍ପ ଡ୍ୟୁଟି ଗୋଟିଏ ଦଲିଲ ଉପରେ ପ୍ରଦାନ କରାଯିବ ।

ଅନ୍ୟ ଦଲିଲ ଉପରେ ମାତ୍ର ହଜାରେ ଟଙ୍କା ଆଦାୟ କରାଯିବ । ପୂର୍ବରୁ ରେଜିଷ୍ଟ୍ରୀ ହୋଇଥିବା ଦସ୍ତାବିଜର ପ୍ରମାଣପତ୍ର ନକଲ ପାଇଁ ୧୦ ଟଙ୍କା ପରିବର୍ତ୍ତେ ୧୦୦ ଟଙ୍କା ଷ୍ଟାମ୍ପ ଶୁଳ୍ପ ଆଦାୟ କରାଯିବ । ସେହିଭଳି ସ୍ଥାବର ସମ୍ପତ୍ତିର ବିକ୍ରି ପାଇଁ ବାପା, ମା, ପତ୍ନୀ, ପତି, ପୁଅ, ଝିଅ, ଭାଇ, ଭଉଣୀ, ବୋହୁ, ନାତୀ, ନାତୁଣୀ କିମ୍ବା ଜେଜେ ବାପା ଜେଜେ ମାଆଙ୍କୁ ପାୱାର ଅଫ ଆଟର୍ଣ୍ଣି ପାଇଁ ମାତ୍ର ୧୦୦୦ ଟଙ୍କା ଷ୍ଟାମ୍ପ ଶୁଳ୍ପ ଦେବାକୁ ପଡିବ । ସେହିଭଳି ସରକାରୀ ଜମିର ଉତ୍ତମ ପରିଚାଳନା ପାଇଁ ସରକାରୀ ଜମି ବନ୍ଦୋବସ୍ତ ଅଧିନିୟମ ୧୯୬୨ରେ ସଂଶୋଧନ କରାଯାଇଛି । ଏହା ଅନୁଯାୟୀ ନଜୁଲ, ଗ୍ରାମକଣ୍ଠ ପରମ୍ବୋକ ଏବଂ ଆବାଦୀ ଜମି, ଯେକୌଣସି ସହରାଞ୍ଚଳରେ ବାସପଯୋଗୀ ଭାବେ ପାଞ୍ଚ ବର୍ଷ ପାଇଁ ବ୍ୟବହୃତ ହୋଇଥିଲେ ବ୍ୟବସ୍ଥା ଅନୁଯାୟୀ ଉତ୍ତରାଧିକାରୀ ଏବଂ ହସ୍ତାନ୍ତର ଅଧିକାର ସହିତ ସ୍ଥାୟୀ ଭିତ୍ତିରେ ବନ୍ଦୋବସ୍ତ କରାଯିବ ।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ନିୟମ ୧୯୮୩ର ସଂଶୋଧନ କରାଯାଇଛି । ଏହାଦ୍ୱାରା ୨୦୦୯ ଫେବୃଆରୀ ୨୬ର ୩ ବର୍ଷ ପୂର୍ବରୁ ଖାସମାହଲ, ନଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦୀ ବର୍ଗର ଯେକୌଣସି ଜମି ଯେଉଁଠାରେ ଏବଂ ଯେକୌଣସି ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲେ ବି ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ସ୍ଥାୟୀ ବନ୍ଦୋବସ୍ତ କରାଯିବ । କିନ୍ତୁ ୨୦୦୬ ପରେ ଅନେକ କିଣାବିକା ଓ ହସ୍ତାନ୍ତର ହୋଇଥିଲେ ମଧ୍ୟ ସେଗୁଡିକର ବନ୍ଦୋବସ୍ତ ହୋଇପାରୁନି । ତେଣୁ ଏହି ଆଇନରେ ପୁନର୍ବାର ସଂଶୋଧନ କରାଯାଇ ସଂଶୋଧିତ ଆଇନ ଲାଗୁ ହେବା ଦିନଠାରୁ ତିନି ବର୍ଷ ପୂର୍ବରୁ ଦଖଲ କରୁଥିବା ବ୍ୟକ୍ତିଙ୍କ ସପକ୍ଷରେ ସ୍ଥାୟୀ ବନ୍ଦୋବସ୍ତ କରାଯିବ ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ପଞ୍ଚାୟତ ସଂଶୋଧନ ବିଲ୍-୨୦୨୧ ବିଧାନସଭାରେ ପାରିତ

ଜଗା ଜେଡି କ୍ରିଏସନ୍‌ର ନୂଆ ଆଲବମ୍: ‘ଖଡ଼ି ଛୁଆଁରୁ ତୁମ ସହ ହୋଇଛି ଭାବ’

0

ଭୁବନେଶ୍ୱର: ଗଣେଶ ପୂଜା ଅବସରରେ ଜଗା ଜେଡି କ୍ରିଏସନ୍ ପକ୍ଷରୁ ପ୍ରସ୍ତୁତ ହୋଇଛି ଏକ ସୁନ୍ଦର ଭଜନ । ଯେଉଁଥିରେ ହସ୍ୟ ଅଭିନେତା ପ୍ରଜ୍ଞା, ଶଙ୍କର, ମିଲି ମହାନ୍ତି ଓ ଜୁନିଅର ଜେଡି ଜଗଦିଶ ଅଭିନୟ କରିଛନ୍ତି । ଭିଡିଓଟିରେ ଛୋଟ ପିଲାଟି ପ୍ରଭୁ ଗଣେଶଙ୍କ ନିକଟରେ ଭଜନ ଗାଉଥିବା ଦେଖିବାକୁ ମିଳିଛି । ଭଜନରେ ପିଲାଟି ଗଣେଶ ମହାପ୍ରଭୁ ଲଡ଼ୁ ଖାଆନ୍ତି । ଆଉ ଅବାଟରେ ଗଲେ ସେ ବାଟ ଦେଖାଇବେ । ହେ ଗଣେଶ ଦିଅଁ ଯେବେଠୁ ଖଡ଼ିଛୁଆଁ ହେଲା ସେବେଠୁ ତୁମ ସହିତ ମୋର ଭାବ ହୋଇଛି, ଏମିତି ବହୁତ କଥା କହୁଥିବା ଦେଖିବାକୁ ମିଳିଛି । । ଏହି ଭଜନରେ କଣ୍ଠଦାନ କରିଛନ୍ତି ଜୁନିଅର ଜେଡି ଜଗଦିଶ୍, ପ୍ରଯୋଜକ ଭରତ ବେହେରା, ଜଗାଜେଡି କ୍ରିଏସନ୍‌ର ମୁଖ୍ୟ ଜଗନ୍ନାଥ ଦାଶ ମହାନ୍ତି, ଗୀତିକାର ଅରୁଣ ସାହୁ ଓ ଉପଦେଷ୍ଟା ଓଡ଼ିଶା ବରିଷ୍ଠ କଣ୍ଠଶିଳ୍ପୀ ଦିବାକର ମହାନ୍ତି ପ୍ରଥମେ ଭଗବାନ ବିଘ୍ନ ବିନାଶକଙ୍କ ଶ୍ଲୋକଗାନ କରିବା ସଙ୍ଗେ ସଙ୍ଗେ ନିଜେ ଉପସ୍ଥିତ ରହି ସମସ୍ତ କଳାକାରମାନଙ୍କୁ ଆଶୀର୍ବାଦ କରିଥିଲେ । ହାପି ମିଶ୍ର ସଙ୍ଗୀତରେ ସଜାଇଥିବା ବେଳେ, ଭିଜୁଆଲ ଡାଇରେକ୍ଟର ଥିଲେ ସଚ୍ଚିଦାନନ୍ଦ ସାମଲ, ସହ ପ୍ରଯୋଜକ ଥିଲେ ମାଧବ ମହାରଣା ।

T-20 ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଧୋନୀ ରହିବେ ମେଣ୍ଟର

ମୁମ୍ବାଇ: ଟି-୨୦ ବିଶ୍ୱକପ୍‌ ପାଇଁ ବୁଧବାର ଦିନ ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ ।ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ମୁମ୍ବାଇରେ ଆୟୋଜିତ ଏକ ବୖଠକରେ ଏହି ଘୋଷଣା କରିଛି ।

ଟି-୨୦ ବିଶ୍ୱକପ୍‌ ଅକ୍ଟୋବର ୧୭ ତାରିଖରୁ ଓମାନ ଓ ୟୁଏଇରେ ଖେଳାଯିବ । ଯାହାର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ । ବିରାଟ କୋହଲି ଅଧିନାୟିକତ୍ୱ ଦାୟିତ୍ୱ ସମ୍ଭାଳିବାକୁ ଥିବା ବେଳେ ଉପ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା । ଖାସ୍ କରି ଭାରତୀୟ ଟିମ୍‌ର ମେଣ୍ଟର ରହିବେ ମହେନ୍ଦ୍ର ସିଂହ ଧୋନୀ । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି ।

୩ ଜଣ ଖେଳାଳି ଷ୍ଟାଣ଼୍ଡବାଏରେ ରହିବେ । ସେମାନଙ୍କ ମଧ୍ୟରେ ରହିଛନ୍ତି ଶ୍ରେୟସ୍ ଆୟର, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ୮ଟି କ୍ୱାଲିଫାଇଂ ଟିମ୍ ଭାଗ ନେବେ । ଯେଉଁଥିରେ ୪ଟି ଟିମ୍ ସୁପର ୧୨ରେ ପହଞ୍ଚିବେ । ପ୍ରାରମ୍ଭିକ ସ୍ତରରେ ୮ଟି ଟିମ୍ ମଧ୍ୟରେ ବାଂଲାଦେଶ, ଶ୍ରୀଲଙ୍କା, ଆୟରଲ୍ୟାଣ୍ଡ, ନେଦରଲାଣ୍ଡ, ସ୍କଟଲାଣ୍ଡ, ନାମିବିୟା, ଓମାନ ଓ ପାପୁଆ ନ୍ୟୁ ଗିନି ସାମିଲ ହେବ ।

ତେବେ ଟି-୨୦ ବିଶ୍ୱକପ୍‌ ରେ ଭାରତକୁ ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ସହ ସୁପର ୧୨ର ଗ୍ରୁପ୍-୨ରେ ରଖାଯାଇଛି । ସେହିପରି ଗ୍ରୁପ୍-୧ରେ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସାମିଲ ରହିଛନ୍ତି । କ୍ୱାଲିଫାଇଂ ରାଉଣ୍ଡରୁ ପ୍ରତ୍ୟେକ ଗ୍ରୁପରେ ୨-୨ ଟିମ୍ ଏହି ଗ୍ରୁପରେ ଯୋଡି ହେବେ ।

 

ଓଓ୍ୱେସିଙ୍କୁ ଝଟକା, ବାରାବଙ୍କିରେ ସଭା ପାଇଁ ମିଳିଲାନି ପ୍ରଶାସନ ଅନୁମତି

ଲକ୍ଷ୍ନୗେ: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠୁ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି । ଖାଲି ଏତିକି ନୁହେଁ ବିଭିନ୍ନ ସ୍ଥାନରେ ରାଲି ଓ ଜନସଭା ଏକପ୍ରକାର ଆରମ୍ଭ ହୋଇଯାଇଛି।

ଏହି ଅବସରରେ AIMIM ଚିଫ୍ ଅସଦୁଦ୍ଦିନ ଓଓ୍ୱେସି ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ରହିଛନ୍ତି । ହେଲେ ଏଠାରେ ତାଙ୍କୁ ସଭା କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ମିଳିନାହିଁ । ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ଆମେ କାର୍ଯ୍ୟକ୍ରମର ସୂଚନା ଜିଲ୍ଲା ପ୍ରଶାସନକୁ ଦେଇଛୁ । ସେ ଯଦି ଅନୁମତି ନଦିଅନ୍ତି ତାହେଲେ ଆମେ କୌଣସି ଘରୋଇ ସ୍ଥାନରେ କାର୍ଯ୍ୟକ୍ରମ କରିବୁ । AIMIM ଚିଫ୍ ଗୁରୁବାର ଦିନ ବାରାବଙ୍କିର କଟରା ମୋହଲ୍ଲାରେ ସଭା କରିବେ ।

ଏହା ପୂର୍ବରୁ ମଙ୍ଗଳବାର ଦିନ ଓଓ୍ୱେସି ଲକ୍ଷ୍ନୗେରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ଅବସରରେ ସେ ଆଗାମୀ ବିଧାନସଭା ନିର୍ବାଚନ ନେଇ ନିଜର ରଣନୀତି ସମ୍ପର୍କରେ କହିଥିଲେ । ଆଉ ତାଙ୍କ ଦଳ ୧୦୦ ସିଟରେ ଜିତିବ । ଆମେ ନିର୍ବାଚନ ଲଢିବୁ ଆଉ ଜିତିବୁ । ଆମେ କାହା ଗୁଲାମ ନୁହେଁ ବୋଲି ଓଓ୍ୱେସି କହିଥିଲେ ।