spot_img
Home Blog Page 5248

‘ଗୃହରେ ଯେଉଁ ପ୍ରସଙ୍ଗ ଆଲୋଚନା କରିବା କଥା ସେଥିରୁ ନିବୃତ ରହୁଛନ୍ତି ବିରୋଧୀ’: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ମୌସୁମି ଅଧିବେଶନରେ ବାରମ୍ବାର ହଟ୍ଟଗୋଳ ପରେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ଲୋକଙ୍କ ପ୍ରସଙ୍ଗରୁ ବିଜେପି ଦୂରେଇ ଯାଉଛି। ଯେଉଁ ପ୍ରସଙ୍ଗକୁ ଗୃହରେ ଆଲୋଚନା କରିବା କଥା ସେଥିରୁ ନିବୃତ ରହୁଛି ବିଜେପି। କେବଳ ୨ଟି ଅପରାଧିକ ମାମଲା ପ୍ରସଙ୍ଗ ଉଠାଇ  ବିଧାନସଭାକୁ ଅଚଳ କରୁଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆତ୍ମ ପ୍ରଚାର ପାଇଁ ବିଜେପି ଏପରି କରୁଛି। ଓଡ଼ିଶାବାସୀଙ୍କ ପାଇଁ ସେମାନଙ୍କର କିଛି ଦାୟିତ୍ୱ ନାହିଁ। କୋଭିଡ୍‌, ଚାଷୀ, ଧାନ ଆଦି ଅନେକ ପ୍ରସଙ୍ଗ ଗୃହରେ ଆଲୋଚନା ହେବା କଥା। ହେଲେ ତାହା କରାଇ ଦେଉନି ବିଜେପି।

ବିଜେପିର ଦୁଇଟି ଆଭିମୁଖ୍ୟ ରହୁଛି, କେନ୍ଦ୍ରରେ ଗୋଟିଏ, ରାଜ୍ୟରେ ଗୋଟିଏ। ଅନେକ ସାଂସଦ ଓ ମନ୍ତ୍ରୀଙ୍କ ନାଁରେ ମାମଲା ହେଉଛି। ସେକଥା ବିଜେପି ବିଧାୟକ ଉଠାଉ ନାହାନ୍ତି। ସଂସଦ ଚାଲିବା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ବିରୋଧୀଙ୍କୁ ଅନୁରୋଧ କରୁଥିବା ବେଳ ବିଜେପି ଏଠାରେ ବିଧାନସଭା ଚଳାଇ ଦେଉ ନାହିଁ। ମୋଦି ଓ ଶାହାଙ୍କ ନୀତିରେ ବିଜେପି ବିଧାୟକ ଚାଲୁ ନାହାନ୍ତି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

ସଂସଦ ଚାଲିବା ପାଇଁ ଉପରାଷ୍ଟ୍ରପତି କାନ୍ଦି ପକାଇଥିଲେ। ହେଲେ ସେ କଥା ବିଜେପି ବିଧାୟକ ଭୁଲି ଯାଉଛନ୍ତି। ରାଜ୍ୟ ବିଜେପି କେଉଁ ନୀତିରେ ଯାଉଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି। ସେପଟେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି ମୌସୁମି ଅଧିବେଶନ ହେଉଛି ଏକ ସ୍ୱଳ୍କକାଳୀନ ଅଧିବେଶନ। ତେଣୁ ଏହି ଗୃହ ଠିକ୍‌ ଭାବରେ ଚାଲିବା ପାଇଁ ସାରା ଓଡ଼ିଶାର ଜନସାଧାରଣ ଚାହିଁ ବସିଛନ୍ତି। ସେଥିପାଇଁ ଗୃହକୁ ବାରମ୍ବାର ହଟ୍ଟଗୋଳରେ ବନ୍ଦ ନକରି ଭଲସେ ଚାଲିବାକୁ ଦିଆଯାଉ ବୋଲି ସେ କହିଛନ୍ତି।

ତବଲିଗି ରିପୋର୍ଟିଂକୁ ନେଇ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ, ‘ନିୟନ୍ତ୍ରଣରେ ନାହାଁନ୍ତି ୱେବ ପୋର୍ଟାଲ’

ନୂଆଦିଲ୍ଲୀ: ତବଲିଗି ଜମାତ ମାମଲାରେ ଗଣମାଧ୍ୟମର ରିପୋର୍ଟିଂକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ମାମଲାକୁ ସାମ୍ପ୍ରଦାୟିକ କରିବା ନେଇ କୋର୍ଟ ସମାଲୋଚନା କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣା ମଧ୍ୟ କିଛି ଗଣମାଧ୍ୟମର ରିପୋର୍ଟିଂକୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ବୁଝାପଡ଼ୁନି କାହିଁକି ପ୍ରତିଟି ଜିନିଷକୁ ସାମ୍ପ୍ରଦାୟିକତାର ରଙ୍ଗ ଦିଆଯାଉଛି ।

Supreme Court Tablighi Jamaat Media Reporting Communal Angle Digital Media

ତବଲିଗି ଜମାତ ମାମଲାରେ କିଛି ଗଣମାଧ୍ୟମରେ ଅଶାଳୀନ ଭାଷା ସହ ଭୁଲ୍ ଖବର ନେଇ ଦାଏର ଆବେଦନର ଶୁଣାଣି ବେଳେ ଏଭଳି ଟିପ୍ପଣୀ ରଖିଛନ୍ତି ପ୍ରଧାନ ବିଚାରପତି । ସେ କହିଛନ୍ତି, ‘ମୋତେ ଜଣାନାହିଁ ଏସବୁ କାହିଁକି ହେଉଛି । ପ୍ରତିଟି ଜିନିଷକୁ ସାମ୍ପ୍ରଦାୟିକତା ଆଡ଼କୁ ଟଣା ଯାଉଛି । ୱେବ ପୋର୍ଟାଲ କାହା ନିୟନ୍ତ୍ରଣରେ ନାହିଁ । ୟୁଟ୍ୟୁବରେ ଲକ୍ଷ ଲକ୍ଷ ମିଛ ଖବର ଚାଲୁଛି । ଯିଏ ଚାହୁଁଛି ସିଏ ଚଳାଉଛି । ସେମାନେ କାହା ପାଖେ ଉତ୍ତରଦାୟୀ ନାହାଁନ୍ତି । ଅନେକଙ୍କ ବିରୋଧରେ ଅଶ୍ଲୀଳ ଭାଷାରେ ମଧ୍ୟ ଲେଖୁଛନ୍ତି । ଲୋକଙ୍କ କଥା ଛାଡ଼ନ୍ତୁ ବିଚାରପତିଙ୍କ ବାବଦରେ ବି ମନ ଇଚ୍ଛା ଲେଖୁଛନ୍ତି ।’

Supreme Court Tablighi Jamaat Media Reporting Communal Angle Digital Media

ଏଥିରୁ ମୁକୁଳିବା ଲାଗି କ’ଣ ବ୍ୟବସ୍ଥା ରହିଛି ବୋଲି ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବୈଦ୍ୟୁତିକ ଗଣମାଧ୍ୟମ ଓ ସମ୍ବାଦପତ୍ର ଲାଗି ବ୍ୟବସ୍ଥା ଥିବା ବେଳେ ୱେବ ପୋର୍ଟାଲ ଲାଗି କିଛି କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି । ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ମିଡିଆ ଉପରେ ନଜର ରଖିବାକୁ ଆୟୋଗ ଗଠନ ପରେ କ’ଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ।

ଜାଣନ୍ତୁ ନେପାଳର ଏହି ବିବାହ ଫଟୋ କାହିଁକି ହେଉଛି ଭାଇରାଲ…

ନେପାଳ: ଆଜିକାଲି ସୋସିଆଲ ମିଡିଆରେ ଅନେକ ବିବାହ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର, କନିଆ ବହୁତ ମଜା କରୁଥିବା ଦେଖିବାକୁ ମିଳୁଛି । କେତେବେଳେ ଉଭୟ ବର କନିଆ ବିବାହ ମଞ୍ଚରେ ପୁସ୍-ଅପ୍ କରୁଥିବା ଦେଖାଯାଏ ତ ପୁଣି କେତେବେଳେ ଗାର୍ଲଫ୍ରେଣ୍ଡ୍ ବିବାହ ମଝିରେ ପଶି ପରସ୍ପରକୁ ଅସୁବିଧାରେ ପକାଉଥିବା ଦେଖିବାକୁ ମିଳିଛି । କିନ୍ତୁ ନିକଟରେ ଭାଇରାଲ ହେଉଥିବା ଭିଡିଓରେ ଯାହା ଦେଖାଯାଇଛି ତାହା ଟିକିଏ ଅଲଗା ଅଟେ । ବାସ୍ତବରେ ଏହି ଭିଡିଓରେ କନ୍ୟା ବିବାହର ଏକ ପରମ୍ପରା ଅନୁଯାୟୀ ବରର ପାଦ ଧରି ମୁଣ୍ଡିଆ ମାରୁଛି ଏବଂ ଯେପର୍ଯ୍ୟନ୍ତ ବର ତାଙ୍କୁ ଟଙ୍କା ନଦେଇଛନ୍ତି ସେପର୍ଯ୍ୟନ୍ତ ସେ ଉଠୁନଥିବା ଭିଡିଓ ଭାଇରାଲ ହେଉଛି ।

ଭିନ୍ନ ଭିନ୍ନ ଅଞ୍ଚଳରେ ବିବାହକୁ ନେଇ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଏହି ଭିଡିଓରେ କନ୍ୟା ଯାହା କରୁଛି ତାହା ଏକ ପୁରୁଣା ପରମ୍ପରା ଅଟେ । ଏହି ଭିଡିଓ ଏକ ନେପାଳୀ ବିବାହ ମହୋତ୍ସବର ଅଟେ । ଏହି ଭିଡିଓରେ ଆପଣ ଦେଖିପାରିବେ କି, ବର ଜଣଙ୍କ ବାରମ୍ବାର ଟଙ୍କା ଦେଇ କନ୍ୟାକୁ ଠିଆ ହେବା ପାଇଁ କହୁଛନ୍ତି କିନ୍ତୁ କନ୍ୟା ଏମିତି କରିବାପାଇଁ ମନା କରୁଛି । ଅନେକ ସମୟ ଘରି ଏମିତି ହେବା ପରେ ଶେଷରେ ବର ହାରିଯାଇ ପର୍ସଟିକୁ କନ୍ୟା ହାତରେ ଧରେଇ ଦେଉଛି ।   

ଏହି ଭିଡିଓ ଟିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି ଯାହାକୁ ୧ ଲକ୍ଷ ୪୪ ହଜାର ଲୋକ ଦେଖିସାରିଛନ୍ତି । ଏହି ବିବାହ ଭିଡିଓକୁ ନିରଞ୍ଜନ ମହାପାତ୍ର ନାମକ ଜଣେ ଯୁବକ ଇନଷ୍ଟାଗ୍ରାମ ରିଲରେ ପୋଷ୍ଟ କରିଛନ୍ତି । ଅବଶ୍ୟ କିଛି ଲୋକଙ୍କ କହିବା ଅନୁଯାୟୀ ନେପାଳୀ ବିବାହରେ ଏମିତି କୌଣସି ପରମ୍ପରା ନାହିଁ, କିନ୍ତୁ ଏହାକୁ ବାଦ ଦେଲେ ଏହି ଭିଡିଓଟି ଖୁବ ମଜାଗାର ଅଟେ ଏବଂ ଲୋକ ଏହି ଭିଡିଏକୁ ଦେଇ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।   

ପୀଡ଼ିତଙ୍କୁ ନ୍ୟାୟ ନାଁରେ ମିଡିଆ ଟ୍ରାଏଲ୍

ଭୁବନେଶ୍ୱର: ରାଜ୍ୟରେ ସମସ୍ୟା ଅନେକ । ସମସ୍ୟାର ସମାଧାନ ଦିଗରେ ତତ୍ପର ସରକାର । କିପରି ରାଜ୍ୟର ଅଭିବୃଦ୍ଧି ଘଟିବ, ଲୋକଙ୍କ ଆର୍ଥିକ ସ୍ୱଚ୍ଛଳତା ବଢ଼ିବ ସେ ନେଇ ଯୋଜାନ ପରେ ଯୋଜନା କରୁଛନ୍ତି । ବିରୋଧୀଙ୍କୁ କିନ୍ତୁ ଏହା ଦିଶୁ ନାହିଁ । କିପରି ସରକାରଙ୍କୁ ବଦନାମ କରିବେ ସେ ନେଇ ଅହରହ ଚେଷ୍ଟା ଚଳାଇଛନ୍ତି । ମୁଖ୍ୟ ମୁଦ୍ଦାରୁ ଓହରି ଅଖବରକୁ ଖବରରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । କିଛି ଗଣମାଧ୍ୟମ ମଧ୍ୟ କିଛି ନବୁଝି ନସୁଝି ମାତି ଉଠୁଛନ୍ତି । ଗଣମାଧ୍ୟମକୁ ଅସ୍ତ୍ର କରି ଗୋଟି ଚଳାଉଛନ୍ତି । ନିଜର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ଲାଗି ମିଡିଆକୁ ମୋହରା କରୁଛନ୍ତି । ନିଜକୁ କୋର୍ଟ ଭାବି ରାୟ ଶୁଣାଉଛନ୍ତି ।

ଯାହା ନାମରେ ଅଭିଯୋଗ ହେଉଛି ତାକୁ ଆଗପଛ ନବିଚାରି ବାନ୍ଧିବାକୁ ଦାବି କରୁଛନ୍ତି । ଏଇ ନିକଟରେ ଘଟିଥିବା ରାଜ୍ୟର କିଛି ସମ୍ବେଦନଶୀଳ ଘଟଣାକୁ ନେଇ ବିରୋଧୀ ଏବେ ସରକାରଙ୍କୁ କାଠଗଡ଼ାକୁ ଟାଣିବାକୁ ଚେଷ୍ଟା କରୁଛନ୍ତି । ନିଜ ଢଙ୍ଗରେ ମୋଡ଼ିବା ଲାଗି ଅପଚେଷ୍ଟା କରୁଛନ୍ତି । ଥାନା, ବିଚାର ବିଭାଗ ଉପରୁ ଲୋକଙ୍କ ବିଶ୍ୱାସ ତୁଟାଇବା ଲାଗି ଷଡ଼ଯନ୍ତ୍ର କରୁଛନ୍ତି । ପରୀ ପ୍ରସଙ୍ଗରେ କିଛି ଦିନ ଗର୍ଜିବା ପରେ କ୍ରାଇମବ୍ରାଞ୍ଚ ସତ ପଦାକୁ ଆଣିଥିଲା । ତାପରେ ବିରୋଧୀ ଚୁପ୍ । ଏହାପରେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାଠାରୁ ଆରମ୍ଭ କରି ଯାଜପୁର ପିହୁ ଅପରହରଣ, ବେଗୁନିଆ ମାନବବାଦୀ ସଂଗଠନ ମୁଖିଆଙ୍କୁ ବିନା ଦୋଷରେ ଟାର୍ଗେଟ କରିବା ଏବେ ବିରୋଧୀଙ୍କ ଫ୍ୟାସନ ପାଲଟିଗଲାଣି । ଆଇନପ୍ରତି ଥିବା ଲୋକଙ୍କ ବିଶ୍ୱାସ ଭାଙ୍ଗିବାକୁ ଗୋଟି ଚଲାଉଛନ୍ତି ବିରୋଧୀ । ଅଭିଯୋଗକାରୀଙ୍କୁ ମୋହରା ସଜେଇ ବିନା ଦୋଷରେ ଗିରଫ କରିବାକୁ ଫମ୍ପା ବୟାନବାଜି କରୁଛନ୍ତି ।

ଅଭିଯୋଗକାରୀ ବ୍ୟବସ୍ଥା ଉପରେ ଭରସା ରଖି କିପରି ନ୍ୟାୟ ପାଇବେ ସେନେଇ ଉଦ୍ୟମ କରୁନାହାଁନ୍ତି । ବରଂ ଏହାକୁ ପ୍ରସଙ୍ଗ କରି ବିଧାନସଭା ଭଳି ପବିତ୍ର ଗୃହକୁ ଚଳାଇ ନଦେବାକୁ ପ୍ଲାନ ତିଆରି ହେଉଛି । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ଓ ସମଭାବାପନ୍ନ ସଂଗଠନ ଗୁଡ଼ିକର ଏପରି ସ୍ୱାର୍ଥପର ମନୋବୃତ୍ତିକୁ ନେଇ ବୁଦ୍ଧିଜୀବୀ ତାଜୁବ । ପୋଲିସ କାହାକୁ ଆଖିବୁଜା ବାନ୍ଧି ପାରିବ ନାହିଁ । ସେଥିପାଇଁ କୋର୍ଟ କଚେରୀ ରହିଛି । ଯେକୌଣସି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୈତିକ ଗୋଟି ଭାବେ ବ୍ୟବହାର କଲେ ସମ୍ପୃକ୍ତ ଦଳ ବା ନେତାଙ୍କ କାମ ହାସଲ ହୋଇପାରେ ହେଲେ ପୀଡ଼ିତ କି ଅଭିଯୋଗକାରୀ ନ୍ୟାୟ ପାଇବେ ତ ?

ଜାତିଆଣ ଆକ୍ଷେପ ଏବଂ କମେଣ୍ଟ ମରାକୁ କେନ୍ଦ୍ର କରି ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର: କମେଣ୍ଟ ମରାକୁ କେନ୍ଦ୍ର କରି ବିଜେବି କଲେଜ ପରିସରରେ ଗୋଷ୍ଠୀ ସଂଘର୍ଷ। ଗତକାଲି ସନ୍ଧ୍ୟାରେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ଘଟଣାକୁ ୨୪ ଘଣ୍ଟା ପୁରିନଥିବା ବେଳେ ଆଜି ପୁଣି ବିଜେବି କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ଦୁଇ ହଷ୍ଟେଲ ଆମ୍ବେଦକର ଓ ଖାରବେଳ ହଷ୍ଟେଲର ଛାତ୍ର ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି।

ଏଥିରେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି। ବଡଗଡ଼ ଥାନା ପକ୍ଷରୁ ୩୦ ଜଣଙ୍କୁ ଅଟକ ରଖାଯାଇଛି। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି ହୋଇଥିବା ଜଣାପଡିଛି। ଏହାସହ ଜାତିଆଣ ଆକ୍ଷେପ ଯୋଗୁ ସଂଘର୍ଷ ତୀବ୍ରତର ହୋଇଛି। କଲେଜ ସାମ୍ନାରେ ଧାରଣାରେ ବସି ରହିଛନ୍ତି ଶତାଧିକ ଛାତ୍ରଛାତ୍ରୀ।

Scrub Typhus: ୟୁପିରେ ରହସ୍ୟମୟ ରୋଗରେ ୬୦ ଆକ୍ରାନ୍ତ, ୧୦ ମୃତ

 କରୋନା ସଙ୍କଟ ମଧ୍ୟରେ ଉତ୍ତର ପ୍ରଦେଶରେ ଏକ ରହସ୍ୟମୟ ରୋଗ ଚିନ୍ତା ବଢ଼ାଇଛି । ଏହି ଜ୍ୱରର ନାଁ ରଖାଯାଇଛି ସ୍କ୍ରବ ଟାଇଫ୍ସ ( Scrub Typhus ) । ତେଣୁ ଏହି ଜ୍ୱର କିପରି ବ୍ୟାପିଥାଏ ଏବଂ ସ୍କ୍ରବ ଟାଇଫ୍ସର ଲକ୍ଷଣ ଓ ନିରାକରଣ ବିଷୟରେ ଜାଣିବା ମଧ୍ୟ ନିହାତି ଆବଶ୍ୟକ । ବୁଧବାର ଦିନ ମଥୁରାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ରଚନା ଗୁପ୍ତା କହିଛନ୍ତି ଯେ ‘କୁହ’ ନାମକ  ଗାଁରେ ପ୍ରାୟ ୨୬ ଜଣ ଶିଶୁ ଏହି ରୋଗରେ ସଂକ୍ରମିତ ହୋଇଥିଲେ। ଏଥି ସହିତ ପିପରୋଥ, ରାଲ ଏବଂ ଜାସୋଦାରେ ଯଥାକ୍ରମେ ୩ , ୧୪ ଏବଂ ୧୭ ଟି ମାମଲା ସାମ୍ନାକୁ ଆସିଛି ।

ସ୍କ୍ରବ୍ ଟାଇଫସ୍ ଯୋଗୁଁ ଏହି ଅଞ୍ଚଳରେ ସମୁଦାୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି, ଏଥିରୁ ୮ ଜଣ ଶିଶୁ ଥିଲେ । ଏହା ବ୍ୟତୀତ ପଶ୍ଚିମ ୟୁପି ଜିଲ୍ଲାରେ ଆଗ୍ରା, ଫିରୋଜାବାଦ, ମେନ୍ପୁରୀ, ଏଟା ଏବଂ କାସଗଞ୍ଜ ଭଳି ସଂକ୍ରମଣ ଏବଂ ମୃତ୍ୟୁ ମାମଲା ମଧ୍ୟ ରିପୋର୍ଟ କରାଯାଇଛି, ଯାହାର ନମୁନା ଯାଞ୍ଚ ଚାଲିଛି।

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଅନୁଯାୟୀ ସ୍କ୍ରବ୍ ଟାଇଫସ୍ କିପରି ବ୍ୟପିଥାଏ, ଏହା ଓରିଏଣ୍ଟିଆ ସୁଟସୁଗାମୁସି ନାମକ ଏକ ଜୀବାଣୁ ଦ୍ୱାରା ହୋଇଥାଏ । ସଂକ୍ରମିତ ଚିଗର୍ସ (ଲାର୍ଭା ମାଇଟ୍ସ ) ଦ୍ୱାରା କାମୁଡ଼ିବା ସମୟରେ ଏହି ଜୀବାଣୁ ଲୋକମାନଙ୍କ ନିକଟରେ ବ୍ୟାପିଥାଏ ।

ସ୍କ୍ରବ୍ ଟାଇଫସ୍ ର ଲକ୍ଷଣଗୁଡିକ ଚିଗର୍ସ (ଲାର୍ଭା ମାଇଟ୍) କାମୁଡ଼ିବାର ୧୦ ଦିନ ମଧ୍ୟରେ ସ୍କ୍ରବ୍ ଟାଇଫସ୍ ର ଲକ୍ଷଣ ଦେଖାଯାଏ | ଏହାର ଲକ୍ଷଣ ହେଉଛି ଜ୍ୱର, ନାକରୁ ପାଣି ବାହାରିବା, ମୁଣ୍ଡବିନ୍ଧା, ଶରୀର ଏବଂ ମାଂସପେଶୀ ଯନ୍ତ୍ରଣା, ଉତ୍ତେଜନା, ଶରୀର ଉପରେ ଦାଗ ଇତ୍ୟାଦି ।

ସ୍କ୍ରବ୍ ଟାଇଫ୍ସ ପାଇଁ କୌଣସି ଟିକା ଉପଲବ୍ଧ ନାହିଁ, କିନ୍ତୁ ପ୍ରତିରୋଧ ସମ୍ଭବ ସିଡିସି ଅନୁଯାୟୀ ସ୍କ୍ରବ୍ ଟାଇଫ୍ସ ପାଇଁ କୌଣସି ଟିକା ନାହିଁ, କିନ୍ତୁ ଏହାକୁ ଏଡ଼ାଇ ଦିଆଯାଇପାରେ । ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଉପଯୁକ୍ତ ଦୂରତା ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟତୀତ, ଏପରି ସ୍ଥାନକୁ ଯିବା ଠାରୁ ଦୂରେଇ ରହିବା ଉଚିତ ଯେଉଁଠାରେ ଚିଗର୍ସ (ଲାର୍ଭାଲ୍ ମାଇଟ୍) ଅଛନ୍ତି । ଏହା ସହିତ ଲୋକମାନଙ୍କୁ ହାତ ଓ ପାଦ ଘୋଡ଼ାଇ ରଖିବାକୁ ସିଡିସି ଦ୍ୱାରା ପରାମର୍ଶ ଦିଆଯାଇଛି । ଲୋକଙ୍କୁ ପରମେଥ୍ରିନ୍ କୀଟନାଶକ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି କାରଣ ଏହା ଲାର୍ଭା ମାଇଟ୍କୁ ମାରିଦିଏ ।

କୁଇଣ୍ଟାଲ କୁଇଣ୍ଟାଲ ନକଲି ଚା ନଷ୍ଟ କଲା କଟକ ସଦର ଥାନା ପୋଲିସ

କଟକ: କଟକ ପାଲଟିଛି ନକଲି ସାମଗ୍ରୀ ବ୍ୟବସାୟର ଆଡ୍ଡାସ୍ଥଳୀ। କେତେବେଳେ ନକଲି ତେଲ ଘିଅ ଜବତ ହେଲାଣିତ ପୁଣି କେତେବେଳେ ନକଲି ମସଲା ହେଲାଣି ଜବତ। ଯେଉଁଥିପାଇଁ ଏବେ ନକଲି ସାମଗ୍ରୀ ତିଆରି କରୁଥିବା ଲୋକଙ୍କ ପାଇଁ କଟକ ଚରାଭୂଇଁ ପାଲଟିଛି। ଏବେ ପୁଣି କଟକରୁ ଜବତ ହୋଇଛି ନକଲି ଚା। କୁଇଣ୍ଟାଲ କୁଇଣ୍ଟାଲ ନକଲି ଚା ନଷ୍ଟ କଲା କଟକ ସଦର ଥାନା ପୋଲିସ।

କିଛି ଦିନ ପୂର୍ବେ ସଦର ଥାନା ପୋଲିସ କାଜିପାଟଣା ରେ ଏକ ଗୋଦାମ ଉପରେ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ନକଲି ଚା କୁ ଜବତ କରିଥିଲା। ଆଜି କୋର୍ଟର ନିର୍ଦ୍ଦେଶ କ୍ରମେ ପୋଲିସ ଫୁଡ଼ ସେଫଟି ଅଫିସର, ମାଜିଷ୍ଟ୍ରେଟ ଉପସ୍ଥିତ ରେ ୪୦ କୁଇଣ୍ଟାଲ  ନକଲି ଚା କୁ ମୁକାମେସ୍ୱର କାଠଯୋଡି ନଦୀ କୂଳରେ ନଷ୍ଟ କଲା କମିଶନରେଟ ପୋଲିସ। ଆନୁମାନିକ ମୂଲ୍ୟ ୩୦ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ନନ୍ଦନକାନନରେ ଆତଙ୍କ, ବାଘ ଖୁଆଡ଼ରୁ ଖସିଲା ମହାବଳ

ଭୁବନେଶ୍ୱର : ନନ୍ଦନକାନନରେ ଆଜି ଏକ ବଡ଼ ଅଘଟଣ ଘଟିବା ପୂର୍ବରୁ ଟଳିଯାଇଛି । ନନ୍ଦନକାନନର ୩୩ ନମ୍ବର ଖୁଆଡ଼ରୁ ମହାବଳ ବାଘ ବାହାରି ଆସିଥିଲା । ଖୁଆଡ଼ରୁ ଖସିଥିବା ନାଲି ମହାବଳ ବାଘର ନାମ ରାଜେଶ । ଖୁଆଡ଼ରୁ ଖସି ବାଘଟି ବାଘ ସଫାରି ଭିତରକୁ ଚାଲି ଯାଇଛି । ବାଘ ଖୁଆଡ଼ ଡେଇଁବା ଖବର ପ୍ରଚାର ହେବା ମାତ୍ରେ ନନ୍ଦନକାନନରେ ଆତଙ୍କ ସୃଷ୍ଟି ହୋଇଥିଲା ।


ବାଘ ରାଜେଶ ଉପରେ ନନ୍ଦନକାନନ କର୍ତ୍ତୁପକ୍ଷ ନଜର ରଖିଥିବା ଜଣା ପଡିଛି । ପ୍ରଶାସନ ଅନୁସାରେ ସ୍ଥିତି ବର୍ତ୍ତମାନ ସ୍ୱଭାବିକ ହୋଇଛି । ସକାଳ ୯.୧୫ରେ ବାଘ ଖୁଆଡ଼ ଡେଇଁଥିଲା । ବାଘ ତାର ଜାଲିକୁ ମୁଣ୍ଡରେ ପିଟିଥିଲା,କଳଙ୍କି ଲାଗିଥିବା ଜାଲି ଭାଙ୍ଗିଯିବା ପରେ ବାଘ ସଫାରି ଆଡକୁ ପଳାଇଥିଲା ।
ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ଅନୁସାରେ ବାଘ ସଫାରୀ ଭିତରକୁ ପ୍ରବେଶ କରିଥିବାରୁ ବିପଦ ଟଳିଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ନନ୍ଦନକାନନ ମଧ୍ୟରେ ପାଖାପାଖି ୨ ହଜାର ପର୍ଯ୍ୟଟକ ଥିଲେ । ସବୁ ପର୍ଯ୍ୟଟକ ସୁରକ୍ଷିତ ଥିବା ଜଣା ପଡିଛି ।


ତେବେ କଳଙ୍କି ଲଗା ତାର ଜାଲି ଭିତରେ କେମିତି ବାଘକୁ ରଖା ଯାଇଥିଲା ତାକୁ ନେଇ ପ୍ରଶ୍ନ ଉଠିଛ । ଖୁଆଡର ଉଚ୍ଚତା ୧୮ ଫୁଟ ଥିବାରୁ ବାଘ ପକ୍ଷରେ ଲମ୍ଫ ପ୍ରଦାନ କରି ପଳାୟନ କରିବା ସମ୍ଭବ ନଥିଲା । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

ବିଧାନସଭା ଗୃହରେ ବିରୋଧୀଙ୍କ ଦୁଇଦୁଇଥର ହଟ୍ଟଗୋଳ, ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବି ହଟ୍ଟଗୋଳ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ହୋ ହଲ୍ଲା ଆରମ୍ଭ କରି ଦେଇଛନ୍ତି । ନାରାବାଜି ଓହଙ୍ଗାମା ଯୋଗୁଁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ଆଜି ଅଧିବେଶନ ଆରମ୍ଭରୁ ମାହାଙ୍ଗା ଡବଲ ମର୍ଡର ଓ ଚାଷୀ ପ୍ରସଙ୍ଗରେ ପୋଡିୟମରେ ଚଢି ହୋ ହଲ୍ଲା କରିଥିଲେ କଂଗ୍ରେସ ଓ ବିଜେପି ବିଧାୟକ । ଫଳରେ ବାଚସ୍ପତି ପ୍ରଥମେ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ । ଏହାପରେ ପୁଣି ଗୃହ ଆରମ୍ଭ ହୋଇଥିଲା ।

opposition-groups-called-for-a-boycott-of-the-assembly-which-was-adjourned-until-4-p-m

ଶୂନ୍ୟକାଳ ଭଳି ପ୍ରଶ୍ନକାଳକୁ ଚଲାଇ ଦେଇନଥିଲେ ବିରୋଧୀ । ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି । ମରୁଡି ପ୍ରସଙ୍ଗରେ ପୁଣି ଥରେ ଆଲୋଚନା ହେବ ବୋଲି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଗୃହକୁ ସୂଚନା ଦେଇଛନ୍ତି । ଆଲୋଚନା ପାଇଁ କଂଗ୍ରେସ ଗୃହରେ ଦାବି କରିଥିଲା । ସରକାର ଆଲୋଚନା କରି ଏନେଇ ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ବାଚସ୍ପତି । ଆଜି ଜଳସମ୍ପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, ସୂଚନା ଓ ଲୋକସମ୍ପର୍କ, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି, ପରିବହନ ବିଭାଗର ପ୍ରଶ୍ନକାଳ ଥିଲା ।

opposition-groups-called-for-a-boycott-of-the-assembly-which-was-adjourned-until-4-p-m

ବିଧାନସଭାର ମୌସୁମୀ ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟ ଦିବସ ରହିଛି। ଦୁଇ ଦିନ ହେଲା ବିରୋଧୀମାନେ ପ୍ରଶ୍ନକାଳ ଚଲାଇ ଦେଉନାହାନ୍ତି । ଫଳରେ ବହୁ ବିଧାୟକ ହତାସ ହୋଇଛନ୍ତି । ଦୀର୍ଘଦିନରୁ ସେମାନେ ଯେଉଁ ପ୍ରଶ୍ନର ଉତ୍ତର ଚାହୁଁଥିଲେ, ତାହା ମିଳିପାରିଲା ନାହିଁ । ପ୍ରଶ୍ନକାଳକୁ ଚଲାଇ ତାପରେ ନିଜ ନିଜ ଦାବି ଉପସ୍ଥାପନ କରିବାରେ କିଛି ଅସୁବିଧା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ବିରୋଧୀଙ୍କ ଏଭଳି ଆଭିମୁଖ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି ।

ଆଲାହାବାଦ ହାଇକୋର୍ଟର ପ୍ରଶ୍ନ, ଏକ ଧର୍ମନିରପେକ୍ଷ ରାଜ୍ୟ ମାଦ୍ରାସା ଗୁଡ଼ିକୁ ପାଣ୍ଠି ଦେଇପାରିବ କି ?

ଉତ୍ତର ପ୍ରଦେଶ: ଧାର୍ମିକ ଶିକ୍ଷା ଉପରେ ଅର୍ଥ ପ୍ରଦାନକୁ ନେଇ ଆଲାହାବାଦ ହାଇକୋର୍ଟ ବୁଧବାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ଏକ ଧର୍ମନିରପେକ୍ଷ ରାଜ୍ୟ ମଦ୍ରାସାକୁ ପାଣ୍ଠି ଯୋଗାଇ ପାରିବେ କି ନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି ? ଏହା ସହିତ, ସମ୍ବିଧାନର ଧାରା ୨୮ ଅନୁଯାୟୀ, ମଦ୍ରାସାଗୁଡ଼ିକ ଧାର୍ମିକ ଉପଦେଶ, ବାର୍ତ୍ତା ଏବଂ ପୂଜା ପଦ୍ଧତୀ ଶିଖାଇପାରିବେ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ମଦ୍ରାସା ବିଷୟରେ ଅନେକ ପ୍ରଶ୍ନ ପଚରାଯାଇଥିଲା, ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ଜାଣିବାକୁ ଚାହୁଁଥିଲେ କି ମଦ୍ରାସା ସମ୍ବିଧାନ ଅନୁଯାୟୀ ଧାର୍ମିକ ଶିକ୍ଷା ଏବଂ ଉପାସନା ଶିକ୍ଷା ଦେଇପାରିବ କି? ହାଇକୋର୍ଟ ଏହା ମଧ୍ୟ ପ୍ରଶ୍ନ ପଚାରିଛି ଯେ ଧାରା ୨୫ ରୁ ୩୦ ପର୍ଯ୍ୟନ୍ତ ଦିଆଯାଇଥିବା ମୌଳିକ ଅଧିକାର ଅଧୀନରେ ମଦ୍ରାସା ସବୁ ଧର୍ମର ବିଶ୍ୱାସକୁ ସୁରକ୍ଷା ଦେଉଛି କି ? ମହିଳାମାନେ ମାଦ୍ରାସାରେ ନାମ ଲେଖାଇ ପାରୁଛନ୍ତି କି ନାହିଁ ଆଉ ଯଦି ନାହଁ, ତେବେ ଏହା ଭେଦଭାବ ନୁହେଁ କି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି ?

ରାଜ୍ୟକୁ ହାଇକୋର୍ଟଙ୍କ ଏହି ମୁଖ୍ୟ ପ୍ରଶ୍ନ-

  1. ଧାରା ୨୮ ଅନୁଯାୟୀ ମଦ୍ରାସା ଧାର୍ମିକ ଶିକ୍ଷା ଦେଇପାରିବ କି ?
  2. ମଦ୍ରାସାରେ ମହିଳାଙ୍କ ପ୍ରବେଶ ଉପରେ କୌଣସି ପ୍ରତିବନ୍ଧକ ଅଛି କି ?
  3. ମଦ୍ରାସାଗୁଡ଼ିକ ସମସ୍ତ ଧର୍ମର ବିଶ୍ୱାସକୁ ମୌଳିକ ଅଧିକାର ଅଧୀନରେ ସୁରକ୍ଷା ଦେଉଛନ୍ତି କି ?
  4. ଧାରା ୨୧ ଏବଂ ୨୧A ଅଧୀନରେ ଖେଳ ପଡିଆ ଅଛି କି?
  5. ସରକାର ଅନ୍ୟ ଧାର୍ମିକ ସଂଖ୍ୟାଲଘୁମାନଙ୍କର ଧାର୍ମିକ ଶିକ୍ଷାନୁଷ୍ଠାନଗୁଡିକୁ ଅର୍ଥ ପ୍ରଦାନ କରୁଛନ୍ତି କି?

ଏହି ପ୍ରଶ୍ନ ପରିଚାଳନା କମିଟି ମାଦ୍ରାସା ଅଞ୍ଜୁମାନ ଇସଲାମିଆ ଫୈଜୁଲ ଉଲୁମଙ୍କ ଆବେଦନ ଉପରେ ଜଷ୍ଟିସ ଅଜୟ ଭାନୋଟ ୪ ସପ୍ତାହ ମଧ୍ୟରେ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ଏହି ମଦ୍ରାସା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଏହା ରାଜ୍ୟ ସରକାରଙ୍କଠାରୁ ସହାୟତା ପାଇଥାଏ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୬ ହେବା ସୂଚନା ରହିଛି।