spot_img
Home Blog Page 5349

ଦୁଇ ଓଡ଼ିଆ ହକି ଖେଳାଳିଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓରେ ଭାରତୀୟ ହକି ଟିମ୍‌ର ଦମଦାର ବିଜୟ । ଟିମରେ ଥିବା ଓଡିଆ ଖେଳାଳିଙ୍କ ପାଇଁ ଗର୍ବିତ ରାଜ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2 ଓଡ଼ିଆ ଖେଳାଳିଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ଅମିତ ରୋହିଦାସଙ୍କ ପରିବାର ସହ କଥା ହେଲେ ନବୀନ । ଅମିତଙ୍କ ଭାଇ ଓ ମା’ଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ପରିବାର ସହ କଥା ହୋଇ ବଧେଇ ଜଣାଇଲେ ନବୀନ ।

ଅମିତଙ୍କ ପରିବାର ଖୁବ୍ ଖୁସି ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା ବେଳେ ଅମିତ ଖୁବ ଭଲ ପ୍ରଦର୍ଶନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବୀରେନ୍ଦ୍ର ଲାକ୍ରାଙ୍କ ପରିବାର ସହ ଖୁସି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଲାଠିକଟା ବ୍ଲକ କାର୍ଯ୍ୟାଳୟରୁ ବିରେନ୍ଦ୍ର ଲାକ୍ରା ଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ କଥାବାର୍ତ୍ତା ହୋଇଥିଲେ।

ବ୍ରିଲିଆଣ୍ଟ ଇନ୍ ବ୍ଲୁ କହି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହି ବିଜୟ ଆଗାମୀ ପିଢିକୁ ନିଶ୍ଚିତ ପ୍ରେରଣା ଦେବ

ଭୁବନେଶ୍ୱର: ୪୧ ବର୍ଷ ପରେ ଅଲିମ୍ପିକ୍ସରେ ହକି ବ୍ରୋଞ୍ଜ ବିଜୟରେ ସାରା ଦେଶ ଉତ୍ସବ ମୁଖର ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବ୍ରିଲିଆଣ୍ଟ ପ୍ରଦର୍ଶନକୁ ନେଇ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। କହିଛନ୍ତି, ହକିର ଏହି ବିଜୟ ଆଗାମୀ ପିଢିକୁ ନିଶ୍ଚିତ ପ୍ରେରଣା ଦେବ। ହକି ଓ କ୍ରୀଡାକୁ କ୍ୟାରିଅର କରିବାକୁ ହଜାର ହଜାର ପିଲାଙ୍କୁ ଉତ୍ସାହିତ କରିବ। ଶକ୍ତିଶାଳୀ ଜର୍ମାନୀ ସହ ଯେପରି ଭଲ ପ୍ରଦର୍ଶନ କରି ଭାରତ ଇତିହାସ ରଚିଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ, କୋଚ  ଓ ସପୋର୍ଟ ଷ୍ଟାଫଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଟିମ୍ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି। ଟିମକୁ ଅଭିନନ୍ଦନ ଜଣାଇଛନ୍ତି ନବୀନ। ପୂରା ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଦେଶ ଓ ରାଜ୍ୟ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ମାସ ୧୬ ତାରିଖରେ ଟିମ୍‌କୁ ଭୁବନେଶ୍ୱରରେ ଶୁଭେଚ୍ଛାର ସହ ସ୍ୱାଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଟ୍ୱିଟ୍‌ କରି ହକି ଦଳକୁ ବ୍ରିଲିଆଣ୍ଟ ଇନ୍ ବ୍ଲୁ ଲେଖି ଭାରତୀୟ ହକି ଟିମକୁ ପ୍ରଶଂସା କରିଛନ୍ତି ନବୀନ।

ଯେତେବେଳେ ବେସାହାରା ଥିଲା ହକି, ସେତେବେଳେ ‘ସାହାରା’ପାଲଟିଥିଲେ ନବୀନ

ଭୁବନେଶ୍ୱର: ଟୋକିଓରେ ଭାରତୀୟ ହକି ଟିମର ବିଜୟ । ଟ୍ୱିଟରର ଟ୍ରେଣ୍ଡରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜର୍ମାନୀକୁ ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ହରାଇବା ପରେ ଏବେ ସମସ୍ତଙ୍କ ମୁହଁରେ ନବୀନଙ୍କ ନାଁ । ୪୧ ବର୍ଷ ପରେ ଭାରତ ଅଲମ୍ପିକରେ ପଦକ ପାଇଛି । ଜର୍ମାନୀକୁ ହରାଇ ବ୍ରୋଞ୍ଜ ହାତେଇଛି ଭାରତ । ଯାହାପରେ ନବୀନଙ୍କ ପ୍ରଶଂସାରେ ଶତମୁଖ ସମସ୍ତେ ।

ଟୋକିଓରେ ଭାରତୀୟ ହକି ଟିମର ସଫଳତା ପରେ ଓଡ଼ିଶା ସରକାରଙ୍କୁ ସମସ୍ତେ ଧନ୍ୟବାଦ ଜଣାଉଛନ୍ତି । ୨୦୧୮ ମସିହାରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ବୁଝାମଣା ସ୍ୱାକ୍ଷର କରିଥିଲେ । ହକିର ସମସ୍ତ ଜାତୀୟ ଦଳ ଯଥା ଜୁନିୟର, ସିନିୟର ସହ ପୁରୁଷ ଓ ମହିଳା ଦଳ ପାଇଁ ପ୍ରାୟ ୧୫୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା । ବୁଝାମଣା ଅନୁସାରେ ୨୦୨୩ ମସିହା ଯାଏଁ ଓଡ଼ିଶା ହକି ଇଣ୍ଡିଆର ପ୍ରାୟୋଜକ ରହିବେ ।

ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ଆସିଛି । ନିର୍ବାଚନ ବେଳେ ନବୀନଙ୍କ ଡାଏଲଗ୍ ଆପଣ ମାନେ ଖୁସି ତ ? ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲା । ଏବେ ଉକ୍ତ ଡାଏଲଗକୁ ମନେ ପକାଇଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ । ଟୋକିଓରେ ହକି ଇଣ୍ଡିଆର ବିଜୟ ପରେ ଆପଣମାନେ ଖୁସି ତ ଲେଖି ରୁବେନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏଡିଟରଜୀର ସଂସ୍ଥାପକ ଟ୍ୱିଟ୍ କରି ଲେଖିଛନ୍ତି- ନବୀନ ଏମିତି ଜଣେ ରାଜନେତା ଯାହାଙ୍କୁ ନେଇ ଗର୍ବ କରି ହେବ । ହକିକୁ ଓଡ଼ିଶା ସରକାର କରିଥିବା ସହାୟତା ଅନ୍ୟ ରାଜ୍ୟ ସରକାରଙ୍କ ପାଇଁ ଉଦାହରଣ । ଅନ୍ୟ ରାଜ୍ୟମାନେ ସହାୟତା ପାଇଁ ଆଗେଇ ଆସନ୍ତୁ ବୋଲି ଲେଖିଛନ୍ତି ବିକ୍ରମ ଚନ୍ଦ୍ର ।

ସେହିଭଳି ଜଣାଶୁଣା ସାମ୍ବାଦିକ ସାହିଲ ଯୋଶୀ ନବୀନଙ୍କୁ ପ୍ରଶଂସା କରି ଲେଖିଛନ୍ତି- ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦଳ ଓ ଖେଳରେ ବିଶ୍ୱାସ କରନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ଦେଶର ଅନ୍ୟ ରାଜ୍ୟ ଗୋଟିଏ ଗୋଟିଏ ଖେଳକୁ ସହାୟତା ଯୋଗାଇ ଅଲମ୍ପିକ ମେଡାଲ ପାଇଁ ପ୍ରୋତ୍ସାହନ ଦିଅନ୍ତୁ । ସଂଘୀୟ ବ୍ୟବସ୍ଥାରେ ଖେଳ ପ୍ରତି ଏହା ଭଲ ଆଭିମୁଖ୍ୟ ବୋଲି ଲେଖିଛନ୍ତି ବରିଷ୍ଠ ସାମ୍ବାଦିକ ସୁଗାତା ଶ୍ରୀନିବାସରାଜୁ ।

ଇଣ୍ଡିଆ ଟୁଡେର ସାମ୍ବାଦିକ ଶିବ ଆରୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି- ହକି ଟିମକୁ ନିରନ୍ତର ପ୍ରୋତ୍ସାହନ ଯୋଗାଇ ନବୀନ ବଡ଼ ପଦକ୍ଷେପ ନେଇଛନ୍ତି ।

ସେହିଭଳି କିର୍ତ୍ତୀ ଆଜାଦ, ସ୍ମିତା ପ୍ରକାଶ, ରାଜଦୀପ ସରଦେଶାଇ, ଅଂଶୁଲ ସକ୍ସେନା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଜାତୀୟ ଗଣମାଧ୍ୟମ ନବଭାରତ ଟାଇମ୍ସ ଲେଖିଛି- ‘ଯେତେବେଳେ ହକିର କେହି ସାହାରା ନଥିଲେ । ସେତେବେଳେ ସେ ଚୁପଚାପ୍ ହାତ ଧରିଥିଲେ ।’

୨୦୧୩ ମସିହାରୁ ଓଡ଼ିଶା ସରକାର ହକିକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ୨୦୧୩ରେ ହକି ଇଣ୍ଡିଆ ଲିଗ୍ (HIL) ଆୟୋଜନ ହୋଇଥିଲା । ରାଜ୍ୟର ୨ଟି ଶିଳ୍ପସଂସ୍ଥା ମିଶି କଳି୍ଗ ଲାନ୍ସର୍ସ ଫ୍ରାଞ୍ଚାଇଜ୍ ନେଇଥିଲେ । ୨୦୧୪ରେ ଓଡ଼ିଶା ହକି ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିଥିଲା । ଏହା ପରେ ୨୦୧୭ରେ ଏବଂ ୨୦୧୮ରେ ଓଡ଼ିଶା ହକି ବିଶ୍ୱକପ୍ ଆୟୋଜନ କରିଥିଲା । ୨୦୨୩ରେ ହକି ବିଶ୍ୱକପ୍ ଭୁବନେଶ୍ୱର ସହ ରାଉରକେଲାର ଆୟୋଜନ କରିବ ଓଡ଼ିଶା ।

ରାଉରକେଲାରେ ଆତଙ୍କ ଖେଳାଇଛି ଡେଙ୍ଗୁ, ନିୟନ୍ତ୍ରଣ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ

ରାଉରକେଲା: ରାଉରକେଲା ସହରର ବିଭିନ୍ନ ସ୍ଥାନରେ ୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସ୍ଵାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ଆଜି ରାଉରକେଲା ସହରର ବିଭିନ୍ନ ସ୍ଥାନ ଗସ୍ତ କରି ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଛନ୍ତି। ରାଉରକେଲା ସହରରେ ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଥିବା କମିଶନର ସୂଚନା ଦେଇଛନ୍ତି।

ରାଉରକେଲା ସହରର ସେକ୍ଟର ଅଞ୍ଚଳ ସହିତ ରାଉରକେଲା ମହାନଗର ନିଗମ ଅଧୀନରେ ଥିବା ୪୦ ଟି ୱାର୍ଡରେ ଡ୍ରେନ ସଫେଇ କାର୍ଯ୍ୟ କରାଯିବା ସହ MLO  ଔଷଧ ସ୍ପ୍ରେ କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ସାଫ ସଫେଇ କାର୍ଯ୍ୟକୁ ଜୋରଦାର କରାଯାଇଛି।

ରାଉରକେଲା ସହରର ରେଲୱେ କଲୋନୀ ଅଞ୍ଚଳରେ ୧୬ ଜଣ, ସେକ୍ଟର ଅଞ୍ଚଳରୁ ୮ ଜଣ ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଵା ପରେ ରାଉରକେଲା ମହାନଗର ନିଗମ, ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଥିବା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡା ସୂଚନା ଦେଇଛନ୍ତି।

ଘରୋଇ ସ୍କୁଲରେ ମାର୍କ ହେରଫେର ପ୍ରସଙ୍ଗ, CBSE ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଥିଲା ଭୁବନେଶ୍ୱର ଜୋନ୍ ଆଞ୍ଚଳିକ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର ଘରୋଇ ସ୍କୁଲରେ ମାର୍କ ହେରଫେର ପ୍ରସଙ୍ଗ। ଅଭିଭାବକଙ୍କ ଅଭିଯୋଗ ପାଇବା ପରେ ଏନେଇ ସିବିଏସଇ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇଛନ୍ତି ଭୁବନେଶ୍ୱର ଜୋନ୍‌ ଆଞ୍ଚଳିକ ଅଧିକାରୀ। ଅଭିଭାବକଙ୍କ ଅଭିଯୋଗ ସେ ଦିଲ୍ଲୀ ପଠାଇବେ। ସେମାନେ ନିଷ୍ପତ୍ତି ନେବେ। ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଅସଲ ପରୀକ୍ଷା ଫଳ ଦାଖଲ କରିବାକୁ କୁହାଯିବ। ସ୍କୁଲ ସ୍ୱାଧୀନ ଭାବେ ଏହି ସବୁ କାମ କରୁଛି। ସିବିଏସଇ ଅଫିସ ପାଖରେ ଏସମ୍ପର୍କରେ କିଛି ସୂଚନା ନଥିବା ଭୁବନେଶ୍ୱର ଜୋନ୍‌ ଆଞ୍ଚଳିକ ଅଧିକାରୀ କହିଛନ୍ତି। ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ଭାଇରାଲ ହୋଇଥିଲା। ସଂପୃକ୍ତ ସ୍କୁଲରେ ଏକାଦଶରେ ନାମ ନ ଲେଖାଇବାରୁ ପିଲାଙ୍କୁ କମ୍ ମାର୍କ ଦେଇଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ଘରୋଇ ସ୍କୁଲର ମାଲିକ ବଦ୍ରି ପଟ୍ଟନାୟକଙ୍କ ନାଁରେ ଅଭିଯୋଗ ଆଣି ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ପାଖରେ ଫେରାଦ୍ ହୋଇଥିଲେ ଶହେରୁ ଅଧିକ ଅଭିଭାବକ। ଏହାପରେ ଏନେଇ ସିବିଏସଇ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇଛନ୍ତି ଭୁବନେଶ୍ୱର ଜୋନ୍‌ ଆଞ୍ଚଳିକ ଅଧିକାରୀ। ସେପଟେ ଆଜି ସ୍କୁଲ ଆଗରେ ଅଭିଭାବକଙ୍କ ଆନ୍ଦୋଳନ ଚାଲିଛି।

ସେପଟେ ଯେକୌଣସି ତଦନ୍ତ ପାଇଁ ପ୍ରସ୍ତୁତ। CBSE ମାଗିଲେ ସବୁ ତଥ୍ୟ ଦେବେ। କାଲି ଯେଉଁ ୩୬ ଜଣଙ୍କ ସମସ୍ୟା ଥିଲା, CBSEକୁ ଜଣାଯାଇଛି। କମ୍ପ୍ୟୁଟରରେ ଭୁଲ ହୋଇଥାଇପାରେ। ସଂଶୋଧନ ପାଇଁ ଆସିଲେ, ନିଶ୍ଚୟ କରିବୁ। ଆମେ ସତ ପ୍ରତିଶତ ଠିକ ବୋଲି କହୁନୁ। ସବୁ କଥା CBSE ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇଛୁ। ଅସଲ ମାର୍କ ସିଟ ଆସିବାକୁ ୧୫ ଦିନ ଲାଗିବ। ଅନ୍ୟ ଘରୋଇ ଶିକ୍ଷାନୁଷ୍ଠାନ ଅଭିଭାବକଙ୍କୁ ମତେଇ ପ୍ରତିବାଦ କରୁଛନ୍ତି ବୋଲି ସେଣ୍ଟ ଜାଭିଆରସ ଇଣ୍ଟରନେନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ କହିଛନ୍ତି। ସେ ନିଜେ ଘରୋଇ ସ୍କୁଲ ସଂଘ ସଭାପତି। ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଦରମା ହ୍ରାସ ନେଇ ରାଜ୍ୟ ସରକାର, ଘରୋଇ ସ୍କୁଲ ଓ ଅଭିଭାବକଙ୍କ ମଧ୍ୟରେ MOU କରେଇଥିଲେ। ସେଥିପାଇଁ ଅନ୍ୟ ଶିକ୍ଷାନୁଷ୍ଠାନ ଏପରି କରୁଛନ୍ତି। ବିନା ପରୀକ୍ଷା ପାସ ହୋଇଛନ୍ତି। ମାର୍କ ନବମ, ଦଶମଏ ହାପ ୟରଲି, ପିରିଅଡିକ ଟେଷ୍ଟ ଓ ପ୍ରି ବୋର୍ଡ ଆଧାରରେ ଦିଆଯାଇଛି। ଯେଉଁମାନେ ପ୍ରିବୋର୍ଡ ଦେଇ ନଥିଲେ, ସେମାନଙ୍କ ପାଇଁ ଅନଲାଇନ ପରୀକ୍ଷା ହୋଇଥିଲା। CBSE ସବୁ ସ୍କୁଲ ପାଇଁ ରେଫରେନ୍ସ ୟର ଦେଇଛି। ଅନ୍ୟ ସ୍କୁଲ ଛାତ୍ରଛାତ୍ରୀ ୪୨ରୁ ୪୩ ପ୍ରତିଶତ ମାର୍କ ରଖିଥିବା ବେଳେ ତାଙ୍କ ସ୍କୁଲରେ କେହି ବି ୫୫ ପ୍ରତିଶତ ତଳକୁ ରଖି ନାହାନ୍ତି। ସର୍ବାଧିକ ୯୮ ପ୍ରତିଶତ ମାର୍କ ଅଛି। ସ୍କୁଲ ପରିଚାଳନା କେବେ ଛାତ୍ରଙ୍କ ଖରାପ ଫଳାଫଳ କରିବାକୁ ଚାହିଁବ ନାହିଁ ବୋଲି ବଦ୍ରି ପଟ୍ଟନାୟକ କହିଛନ୍ତି।

୪୧ ବର୍ଷ ପରେ ହକିରେ ଭାରତକୁ ପଦକ, ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ମୁମ୍ବାଇ: ୧୯୮୦ ପରେ ଭାରତକୁ ମିଳିଛି ବଡ ସଫଳତା । ଖେଳରେ ସାରା ବିଶ୍ୱ ଆଗରେ ନିଜର ପରିଚୟ ସୃଷ୍ଟି କରିବାପାଇଁ ଭାରତୀୟ ହକି ଦଳ ଖୁବ କଠିନ ପରିଶ୍ରମ କରିଥିଲା । ସେଥିପାଇଁ ତ ସେମାନଙ୍କ ପରିଶ୍ରମର ଫଳ ପାଇଁ ଆଜି ଭାରତ ୪୧ ବର୍ଷ ପରେ ସଫଳତା ପାଇଛି । ହକି ଇଣ୍ଡିଆକୁ ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ୍ ମିଳିଛି । ବିଜୟ ସାଙ୍ଗକୁ ଏହି ମେଡାଲ୍ ସାରା ଦେଶବାସୀଙ୍କ ଛାତିକୁ ଗର୍ବରେ ଭରି ଦେଇଛି । ଭାରତୀୟ ପୁରୁଷ ହକି ଟିମ୍ ଏହି ବ୍ରୋଞ୍ଜ ପାଇଁ ଶକ୍ତିଶାଳୀ ଜର୍ମାନୀ ବିରୋଧରେ ଲଢେଇ କରିଥିଲା । ଆରମ୍ଭରୁ ଗୋଲ୍ ଦେଇଥିଲା ଟିମ୍ ଜର୍ମାନୀ ହେଲେ ପରବର୍ତ୍ତୀ ସମୟରେ ଗୋଲ୍ ବର୍ଷା କରିଥିଲେ ଭାରତୀୟ ଖେଳାଳି । ଏହି ଐତିହାସିକ ବିଜୟ ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । କେବଳ ସେତିକି ନୁହେଁ ବଲିଉଡ୍ ସେଲିବ୍ରିଟି ମାନଙ୍କ ତରଫରୁ ବି ଅଗଣିତ ଶୁଭେଚ୍ଛାର ସୁଅ ଛୁଟୁଛି । ସମସ୍ତେ ସୋସିଆଲ ମିଡିଆରେ ଭାରତୀୟ ଦଳ ପାଇଁ ପୋଷ୍ଟ କରୁଛନ୍ତି । ଏଥିରେ ଶାରୁଖାନଙ୍କ ଠାରୁ ଆରମ୍ଭ କରି ସନି ଦେୱାଲ ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି ।

ପୁରୁଷ ହକି ଦଳର ଏହି ଜବରଦସ୍ତ ବିଜୟ ପରେ ସନି ଦେୱାଲ ଟ୍ୱିଟ୍ କରି ଲେଖିଛନ୍ତି- ‘ଆମେ ଜିତିଗଲୁ, କେତେ ସାନଦାର ଜିତ୍ ଥିଲା, ଆମ ଦଳକୁ ଢେର ସାରା ଶୁଭେଚ୍ଛା, ବ୍ରୋଞ୍ଜ ପଦକ ପାଇଁ…

ସେହିଭଳି ଶାରୁଖାନ୍ ମଧ୍ୟ ଟ୍ୱିଟ୍ କରି ଲେଖିଛନ୍ତି- ବହୁତ ସୁନ୍ଦର, ଭାରତୀୟ ହକି ଦଳକୁ ଶୁଭେଚ୍ଛା, ବଢିଆ କୌଶଳର ସହିତ ଦଳ ମଇଦାନରେ ପ୍ରଦର୍ଶନ ଦେଖାଇଛନ୍ତି ଯାହା ଉଚ୍ଚକୋଟୀର ଥିଲା,ଖୁବ୍ ସାନଦାର୍ ମ୍ୟାଚ ଥିଲା…

ଆପଣମାନେ ତ ଜାଣନ୍ତି ହକି ପ୍ରତି ଦେଶବାସୀଙ୍କର ଅନେକ ଆତ୍ମୀୟତା ରହିଛି । ଚଳଚିତ୍ରରେ ବି ହକି ପ୍ରତି ଦେଶପ୍ରେମ ଆମେ ପରଦାରେ ଦେଖିଛୁ । ଶାରୁଖାନଙ୍କର ଚକ୍ ଦେ ଇଣ୍ଡିଆ ଚଳଚିତ୍ର ବି ଆପଣମାନଙ୍କର ମନେଥିବ । କିଭଳି ନିଜ ଦେଶକୁ ବିଶ୍ୱ ଆଗରେ ସକ୍ଷମ କରି ଛିଡା କରିବାରେ ପୂରା ଦଳ ସତ ଚେଷ୍ଟା କରୁଥିବେ । ଆଉ ସେହି ଚେଷ୍ଟା ହିଁ ତାଙ୍କୁ ସଫଳ କରାଇବ । ଠିକ୍ ସେହିଭଳି ଟୋକିଓ ଅଲମ୍ପିକ୍ସରେ ବି ଭାରତୀୟ ଦଳ ରୋମାଞ୍ଚକର ପ୍ରଦର୍ଶନ କରିଛନ୍ତି ।

ସାରୁଖାନଙ୍କ ପରେ ଅକ୍ଷୟ କୁମାର ମଧ୍ୟ ସୋସିଆଲ ମିଡିଆରେ ଶୁଭେଚ୍ଛା ଦେଇ ଲେଖିଛନ୍ତି- ଇତିହାସକୁ ଦ୍ୱିତୀୟଥର ଲେଖିବା ପାଇଁ ଭାରତୀୟ ଦଳ ସଫଳ ହୋଇଛି । ୪୧ ବର୍ଷ ପରେ ଅଲମ୍ପିକ ମେଡାଲ୍ ହାତେଇଛି । କଣ ମ୍ୟାଚ ଥିଲା, କଣ କମବ୍ୟାକ୍ ଥିଲା ଭାରତୀୟ ଦଳର..

ସେହିଭଳି ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଭାରତୀୟ ଦଳର ପ୍ରଦର୍ଶନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ତାପସୀ ନିଜ ଟ୍ୱିଟରେ ଲେଖିଛନ୍ତି-ଓଃ ମିଳିଲା ବ୍ରୋଞ୍ଜ !

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ହକି ଦଳକୁ ଶୁଭେଚ୍ଛା ଦେଇଛନ୍ତି । ବଲିଉଡ ଅଭିନେତା ଅନିଲ କପୁର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅନିଲ କପୁର ଲେଖିଛନ୍ତି- ଅଦ୍ଭୁତ ଜିତ୍, ଯଦି ମୋ ବାପା ଜୀବିତ ଥାଆନ୍ତେ ଏହି ଐତିହାସିକ ଦିନକୁ ଦେଖି ଖୁବ୍ ଖୁସି ହୋଇଥାନ୍ତେ । ପୁରୁଷ ହକି ଦଳକୁ ଅନେକ ଅନେକ ଶୁଭେଚ୍ଛା । ଏହିଭଳି ବଲିଉଡର ଅନେକ କଳାକାର ଅଲମ୍ପିକରେ ପୁରୁଷ ହକି ଦଳର ବିଜୟ ପରେ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଶେଷ କ୍ୱାର୍ଟରର ଶେଷ ୬ ସେକେଣ୍ଡରେ ଜର୍ମାନୀକୁ ମିଳିଥିଲା ପେନାଲ୍‌ଟି ସୁଟ୍‌, ଶ୍ରୀଜେସ୍ ଏବଂ ଢିଫେଣ୍ଡର କରିଦେଲେ କମାଲ

ଭୁବନେଶ୍ୱର: ପୂରଣ ହେଲା ୪୧ ବର୍ଷର ସ୍ୱପ୍ନ। ହକି ଇଣ୍ଡିଆକୁ ଟୋକିଓ ଅଲିମ୍ପିକ୍ସରେ ମିଳିଲା ବ୍ରୋଞ୍ଜ ମେଡାଲ୍। ବିଜୟ ସହ ମେଡାଲ୍ ହାତେଇବାରେ ସକ୍ଷମ ହୋଇଛନ୍ତି ଭାରତୀୟ ପୁରୁଷ ହକି ଟିମ୍‌। କୋଟି କୋଟି ଭାରତୀୟଙ୍କର ଆଜି ସ୍ୱପ୍ନ ପୁରଣ ହୋଇଛି। ସମସ୍ତଙ୍କ ଆଖିରୁ ଝରୁଛି ଖୁସିର ଲୁହ ଆଉ ଶୁଭୁଛି ଚକ୍‌ଦେ ଇଣ୍ଡିଆ। କାରଣ ଜର୍ମାନୀଙ୍କୁ ୫-୪ରେ ମାତ୍ ଦେଇଛି ଭାରତୀୟ ଟିମ୍। ଏହି ବିଜୟ ସହ ବ୍ରୋଞ୍ଜ ହାତେଇଛି ଭାରତୀୟ ପୁରୁଷ ହକି ଟିମ୍। ବ୍ରୋଞ୍ଜ ପାଇଁ ଅଲମ୍ପିକ୍‌ ସ୍ୱର୍ଣ୍ଣ ବିଜେତା ଜର୍ମାନୀ ବିରୋଧରେ ହୋଇଥିଲା ଘମାସାନ ଲଢେଇ। ସବୁଠାରୁ ଲୋକ ଠାଙ୍କୁରା ଥ୍ରୀଲର ଥିଲେ ଶେଷ ୬ ସେକେଣ୍ଡ।

ଆରମ୍ଭରୁ ପ୍ରଥମ କ୍ୱାର୍ଟରରେ ଗୋଲ୍ ଦେଇଥିଲା ଟିମ୍ ଜର୍ମାନ। ଯାହାପରେ ଭାରତ ଉପରେ ଚାପ ପକାଇଥିଲା ଜର୍ମାନ। ହେଲେ ଏହା ପରେ ପ୍ରଥମ କ୍ୱାର୍ଟରର ଶେଷ ସମୟ ମଧ୍ୟ ଭାରତ ଦେଇଥିଲା ଗୋଟିଏ ଗୋଲ ଯାହା ପରେ ପ୍ରଥମ କ୍ୱାର୍ଟରର ସରିବା ବେଳକୁ ୧-୧ ରେ ସମାନ ରହିଥିଲା ଗୋଲ୍। ଏହା ପରେ ୨୪ ମିନିଟରେ ନିକୋଲାସ ୱେଲେନ ଜର୍ମାନୀ ପାଇଁ ଗୋଲ ସ୍କୋର କରିଥିଲେ ଏବଂ ୨୫ ମିନିଟରେ ବେନେଡିଟ ଫର୍କ ଗୋଲ ସ୍କୋର କରି ଦଳକୁ ୩-୧ରେ ଆଗକୁ ନେଇଯାଇଥିଲା। ଯାହାପରେ ଭାରତ ଉପରେ ବଢ଼ିବାକୁ ଲାଗିଥିଲା ଚାପ। କିନ୍ତୁ ଭାରତୀୟ ଖେଳାଳି ନିଜର ରଣ କୌଶଳରେ ପରିବର୍ତ୍ତନ ଆଣି ମ୍ୟାଚ୍‌କୁ ନିଜ ଅଧିନକୁ ଆଣିଥିଲେ।

ଗୋଲ ପରେ ଗୋଲ କରିଥିଲା ଭାରତୀୟ ଦଳ। ଆଟାକ ପରେ ଆଟାକ କରିଚାଲିଥିଲା। ଦୁଇଟି ଗୋଲରେ ପଛରେ ପଡ଼ିଯିବା ପରେ ଭାରତୀୟ ଦଳ ଖେଳରେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ମୋଟ ୪ଟି ଗୋଲ୍ ସ୍କୋର କରାଯାଇଥିଲା। ଯେଉଁଥିରେ ଭାରତ ଦେଇଥିଲା ଦୁଇଟି ଗୋଲ ଏବଂ  ଜର୍ମାନୀ ମଧ୍ୟ ୨ ଗୋଲ ସ୍କୋର କରିଥିଲା। ୨୭ ମିନିଟରେ ହାର୍ଦ୍ଦିକ ସିଂ କର୍ଣ୍ଣରରେ ବଲ୍‌କୁ ରୋକିବା ପରେ ଏକ ଚମତ୍କାର ଗୋଲ ସ୍କୋର କରିଥିଲେ। ତା’ପରେ ୨୯ ମିନିଟରେ ହରମାନ ପ୍ରୀତ ଏକ ଗୋଲ ସ୍କୋର କରି ସ୍କୋରକୁ ୩-୩ରେ ପରିଣତ କରିଥିଲେ।

ଏହା ପରେ ତୃତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଦଳ ଆକ୍ରମଣ ଜାରି ରଖିଥିଲେ। ରୁପିନ୍ଦର ପାଲ ସିଂ ଏକ ପେନାଲ୍ଟି ଷ୍ଟ୍ରୋକ୍ କରି ୪-୩ରେ ଗୋଲ ସ୍କୋର କରିଥିଲେ। ୩୪ ମିନିଟରେ ସିମରନଜିତ୍ ତାଙ୍କର ଦ୍ୱିତୀୟ ଗୋଲ୍ ସ୍କୋର କରି ସ୍କୋରକୁ ୫-୩ ରେ ଆଗକୁ ନେଇଯାଇଥିଲେ। ତୃତୀୟ କ୍ୱାର୍ଟର ପରେ ଭାରତ ୫-୩ ଗୋଲରେ ଆଗୁଆ ହୋଇସାରିଥିଲା। କିନ୍ତୁ ରୋମାଞ୍ଚ ବଢ଼ିଚାଲିଥିଲା ଆଖିର ପତା ସ୍କ୍ରିନ୍‌ର ତଳକୁ ଖସିବାକୁ ନାରାଜ ଥିଲା। କାରଣ ଅଲମ୍ପିକ୍‌ରେ ଜର୍ମାନୀ ହେଉଛି ସ୍ୱର୍ଣ୍ଣ ପଦକ ବିଜେତା ଟିମ୍‌। ଆଉ ଗୋଟିଏ ଗୋଟିଏ ମିନିଟରେ ସବୁ ବଦଳିଯାଏ। ଶେଷ କ୍ୱାର୍ଟରେ କିଛିବି ହୋଇପାରିଥାନ୍ତା।

ମ୍ୟାଚର ଅନ୍ତିମ କ୍ୱାର୍ଟରରେ ଉଭୟ ଭାରତ ଏବଂ ଜର୍ମାନୀ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲେ। ୪୮ ମିନିଟରେ ଲୁକା ୱିନଫେଡର୍ ଭାରତ ବିପକ୍ଷରେ ଗୋଲ ସ୍କୋର କରି ଦଳକୁ ୪-୫ ସ୍କୋର କରିଥିଲେ। ସବୁଠାରୁ ରୋମାଞ୍ଚକର ଥିଲା ଶେଷ ୬ ସେକେଣ୍ଡ। କାରଣ ଶେଷ ୬ ସେକେଣ୍ଡରେ ଜର୍ମାନୀକୁ ମିଳିଥିଲା ପେନାଲଟି ସୁଟ୍‌। ସେତେବେଳକୁ ଭାରତ ପାଖରେ ନଥିଲା ରିଭ୍ୟୁ। ଆଉ ଜର୍ମାନୀକୁ ମିଳିଥିଲା ପେନାଲଟି ସୁଟ। କିନ୍ତୁ ଭାରତୀୟ ହକି ଟିମ୍‌ର ଗୋଲ କିପର ଶ୍ରୀଜେସ୍ ଗୋଲକୁ ରକ୍ଷଣାତ୍ମକ ଢ଼ଙ୍ଗରେ ରୋକି ଦେଇଥିଲେ ଏବଂ ଭାରତ ରଚିଥିଲା ଇତିହାସରେ ନିଜର ନାମ। ଯଦି ଦେଖିବା ତେବେ ଆଜି ଶ୍ରୀଜେସ୍ ବହୁଲ ଭଲ ପ୍ରଦର୍ଶନ କରିଛନ୍ତି ।

ସିମରନଜୀତ ସିଂହ ଦୁଇଟି ଗୋଲ୍ ଦେବାରେ ସକ୍ଷମ ହୋଇଛନ୍ତି। ଏଥିସହ ହରମନପ୍ରିତ୍ ସିଂହ , ଭୁପିନ୍ଦର ସିଂ ପାଲ୍ ଓ ହାର୍ଦିକ ସିଂ ଗୋଟିଏ ଲେଖାଏଁ ଗୋଲ୍ ଦେବାରେ ସକ୍ଷମ ହୋଇଛନ୍ତି। ଗୋଲକିପର ଶ୍ରୀଜେସ୍ ଦମଦାର୍ ପ୍ରଦର୍ଶନ କରି ବିରୋଧୀ ଦଳକୁ ନିରାଶ କରିଥିଲେ। ଏହି ଐତିହାସିକ ବିଜୟ ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତ୍ତନ ହକି ଖେଳାଳି ଦିଲୀପ୍‌ ତିର୍କି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ହକିକୁ ଆଗେଇ ନେବା ପଛରେ ଓଡ଼ିଶା ସରକାରଙ୍କ ରହିଛି ଅତୁଳନୀୟ ଅବଦାନ। କିଭଳି ହକି ଇଣ୍ଡିଆ ଆଗକୁ ଯିବ ଓ ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିବେ ସେ ନେଇ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଆଜି ହକି ଇଣ୍ଡିଆ ଅଲିମ୍ପିକ୍ସରେ ମେଡାଲ୍ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁଠି ପ୍ରଂଶସା କରାଯାଉଛି।

ଶେଷ ଥର ପାଇଁ ୧୯୮୦ ରେ ଭାରତୀୟ ହକି ଦଳ ପଦକ ଜିତିଥିଲା। ଯେଉଁଥିରେ ଦଳକୁ ସ୍ୱର୍ଣ୍ଣ ପଦକ ମିଳିଥିଲା। ଅଲମ୍ପିକର ଇତିହାସ ବିଷୟରେ କହି ଭାରତ ୧୨ତମ ପଦକ ଜିତିଛି।

 

ଅଲମ୍ପିକ ହକି ଇତିହାସରେ ଭାରତ ଅଧ୍ୟାୟ

ଭୁବନେଶ୍ୱର: ଟୋକିଓରେ ଇତିହାସ ରଚିଛି ଭାରତୀୟ ହକି ଟିମ୍ । ୪୧ ବର୍ଷ ପରେ ଭାରତକୁ ଅଲମ୍ପିକରେ ପଦକ ମିଳିଛି । ଜର୍ମାନୀ ସହ ରୋମାଞ୍ଚକର ମୁକାବିଲାରେ ବ୍ରୋଞ୍ଜ ହାତେଇଛି ଭାରତ । ଟୋକିଓରେ ୫-୪ ଗୋଲରେ ଭାରତ ବିଜୟୀ ହୋଇଛି ।

These Are The Other Olympics In Which India Have Won Medals

ଏହା ପୂର୍ବରୁ ଭାରତୀୟ ହକି ଟିମ୍ ୧୯୮୦ ମସିହାରେ ବାସୁଦେବନ ଭାସ୍କରନଙ୍କ ଅଧିନାୟକତ୍ୱରେ ମସ୍କୋ ଅଲମ୍ପିକରେ ସ୍ୱର୍ଣ୍ଣ ଜିତିଥିଲା । ଏବେ ଟୋକିଓରେ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତର ଅଲମ୍ପିକ ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଅଲମ୍ପିକରେ ଭାରତ ଜିତିଥିବା ୧୨ ପଦକ ଭିତରେ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ସହ ୩ଟି କାଂସ୍ୟ ରହିଛି । ଏଭଳି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ଏକମାତ୍ର ଦଳ ।

ହକିରେ ଶେଷଥର ପାଇଁ ୧୯୮୦ରେ ଭାରତ ପଦକ ଜିତିଥିଲା । ମସ୍କୋ ଅଲମ୍ପିକରେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ ବାସୁଦେବନ ଭାସ୍କରନ । ତାଙ୍କ ନେତୃତ୍ୱରେ ଭାରତୀୟ ହକି ଟିମ୍ ଗୋଲ୍ଡ ମେଡାଲ ପାଇଥିଲା । ତା’ପରେ ୧୯୮୪ରେ ଲସ୍ ଆଞ୍ଜେଲ୍ସ ଅଲମ୍ପିକରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଥିଲା । ଲସ୍ ଆଞ୍ଜେଲ୍ସ ଅଲମ୍ପିକରେ ଭାରତୀୟ ପୁରୁଷ ହକି ଦଳକୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ତା’ପର ଠାରୁ ମେଡାଲ ଆଶାରେ ଥିଲା ଭାରତୀୟ ହକି ଦଳ । ଯାହା ଟୋକିଓରେ ପୂରଣ ହୋଇଛି ।

These Are The Other Olympics In Which India Have Won Medals

ଆସନ୍ତୁ ନଜର ପକାଇବା ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସ ଉପରେ । କେବେ, କେଉଁଠି କାହା ଅଧିନାୟକତ୍ୱରେ ଭାରତୀୟ ହକି ଦଳ ହାତେଇଥିଲା ଅଲମ୍ପିକ୍ ପଦକ…

ଦିନ ଥିଲା ହକିର ସର୍ବଶ୍ରେଷ୍ଠ ଟିମ୍ କହିଲେ ଭାରତକୁ ବୁଝୁଥିଲା ଦୁନିଆ । ସେତେବେଳେ ହକିର ଯାଦୁଗର ମେଜର ଧ୍ୟାନଚନ୍ଦ ସିଂଙ୍କ ୧୧ ଜଣିଆ ଟିମ୍ ବିପକ୍ଷ ଦଳ ଉପରେ ଭାରି ପଡ଼ୁଥିଲେ । ୧୯୨୮ରୁ ୧୯୫୬ ମସିହା ଭାରତୀୟ ହକି ଟିମ୍ ପାଇଁ ଥିଲା ସ୍ୱର୍ଣ୍ଣିମ ଯୁଗ । ସେ ସମୟରେ ଭାରତ ୬ ଥର ଅଲମ୍ପିକ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।

These Are The Other Olympics In Which India Have Won Medals

ଭାରତୀୟ ହକି ଟିମ୍ ଅଲମ୍ପିକରେ ପ୍ରଥମ ଥର ପାଇଁ ୧୯୨୮ରେ ସ୍ୱର୍ଣ୍ଣ ଜିତିଥିଲା । ଏମ୍ସଟର୍ଡମ ଅଲମ୍ପିକରେ ଭାରତୀୟ ହକି ଦଳକୁ ମିଳିଥିଲା ସ୍ୱର୍ଣ୍ଣ ପଦକ । ଉକ୍ତ ଅଲମ୍ପିକରେ ମେଜର ଧ୍ୟାନଚନ୍ଦ ଏକାକୀ ୧୪ଟି ଗୋଲ୍ ଦେଇଥିଲେ । ଯେତେବେଳେ କି ୫ଟି ମ୍ୟାଚରେ ଭାରତ ମୋଟ ୨୯ଟି ଗୋଲ୍ ଦେଇଥିଲା । ଫାଇନାଲରେ ଭାରତ-ନେଦରଲାଣ୍ଡକୁ ଭେଟିଥିଲା । ଧ୍ୟାନଚନ୍ଦଙ୍କ ଲଢ଼ୁଆ ପ୍ରଦର୍ଶନ ଦଳକୁ ଭେଟି ଦେଇଥିଲା ସ୍ୱର୍ଣ୍ଣ । ସବୁଠୁ ବଡ଼ କଥା ହେଲା ଏହି ଅଲମ୍ପିକରେ ଭାରତ ବିପକ୍ଷରେ କୌଣସି ଟିମ୍ ଗୋଟିଏ ବି ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ ।

ଏହା ପରେ ଭାରତୀୟ ହକି ଦଳ ୧୯୩୨ରେ ଲସ ଆଞ୍ଜେଲ୍ସ ଅଲମ୍ପିକ, ୧୯୩୬ରେ ବର୍ଲିନ ଅଲମ୍ପିକ, ୧୯୪୮ରେ ଲଣ୍ଡନ ଅଲମ୍ପିକ, ୧୯୫୨ରେ ହେଲସିଙ୍କି ଅଲମ୍ପିକ ଓ ୧୯୫୬ରେ ମେଲବର୍ଣ୍ଣ ଅଲମ୍ପିକରେ ଲଗାତାର ୬ ଥର ସ୍ୱର୍ଣ୍ଣ ପଦକ ଜିତିଥିଲା ।

୧୯୬୦ ରୋମ୍ ଅଲମ୍ପିକରେ ଭାରତ ଫାଇନାଲକୁ ଯାଇଥିଲା । ଲଗାତାର ସପ୍ତମ ଥର ସ୍ୱର୍ଣ୍ଣ ଜିତିବା ପାଇଁ ବେଶ୍ ଦମର ସହ ଲଢ଼ିଥିଲେ ଭାରତୀୟ ଖେଳାଳି । ଆଉ ପାକିସ୍ତାନ ଠାରୁ ୦-୧ରେ ହାରିବାକୁ ପଡ଼ିଥିଲା । ଫଳରେ ଭାରତକୁ ପ୍ରଥମ ଥର ପାଇଁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଆଉ ୧୯୬୪ରେ ଟୋକିଓରେ ରୋମ୍ ଅଲମ୍ପିକର ପ୍ରତିଶୋଧ ନେଇଥିଲା ଭାରତ । ଫାଇନାଲରେ ପୁଣିଥରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଭାରତ ରୋମର ଅଲମ୍ପିକର ପ୍ରତିଶୋଧ ନେଇ ସପ୍ତମ ସ୍ୱର୍ଣ୍ଣ ଜିତିଥିଲା ।

These Are The Other Olympics In Which India Have Won Medals

୧୯୬୮ରେ ମେକ୍ସିକୋ ଅଲମ୍ପିକରେ କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲା । ଏଥିସହ ୧୯୨୮ ପରେ ଭାରତ ପ୍ରଥମଥର ପାଇଁ ଫାଇନାଲରେ ସ୍ଥାନ ପାଇ ପାରି ନଥିଲା । ସେମି ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଠାରୁ ହାରିଥିଲା । ଏହା ପରେ ପଶ୍ଚିମ ଜର୍ମାନୀ ସହ ହୋଇଥିବା ମ୍ୟାଚ୍ ଜିତି ଭାରତ ବ୍ରୋଞ୍ଜ ପଦକ ପାଇଥିଲା । ଏବେ ଟୋକିଓରେ ତାର ପୁନରାବୃତ୍ତି ହୋଇଛି । ଭାରତ-ଅଷ୍ଟ୍ରେଲିଆ ଠାରୁ ହାରି ଫାଇନାଲକୁ ଯାଇ ପାରିନଥିବା ବେଳେ ଜର୍ମାନୀକୁ ୫-୪ରେ ହରାଇ ପୁଣି ଥରେ ବ୍ରୋଞ୍ଜ ହାତେଇଛି । ଏହା ପରେ ୧୯୭୨ରେ ମ୍ୟୁନିଖ ଅଲମ୍ପିକରେ ଭାରତ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା ।

୧୯୭୬ ମାଣ୍ଟ୍ରିୟଲ ଅଲମ୍ପିକ୍ ଭାରତୀୟ ହକି ଦଳ ପାଇଁ ବହୁତ ଖରାପ ଥିଲା । ପ୍ରଥମଥର ପାଇଁ ଭାରତୀୟ ହକି ଦଳ ନକ୍ ଆଉଟ୍ ପର୍ଯ୍ୟାୟ ପୂର୍ବରୁ ଅଲମ୍ପିକରୁ ବିଦାୟ ନେଇଥିଲା । ୧୯୨୮ ପରେ ପ୍ରଥମ ଥର ପାଇଁ ଭାରତ ଅଲମ୍ପିକରୁ ଖାଲି ହାତରେ ଫେରିଥିଲା । ଏହାପରେ ୧୯୮୦ରେ ମସ୍କୋ ଅଲମ୍ପିକରେ ଭାରତ ଲଢ଼ୁଆ ପ୍ରଦର୍ଶନ କରି ସ୍ପେନକୁ ମାତ୍ ଦେଇ ହକିରେ ଅଷ୍ଟମଥର ପାଇଁ ସ୍ୱର୍ଣ୍ଣ ଜିତିଥିଲା । ଟୋକିଓ ଅଲମ୍ପିକ ପୂର୍ବରୁ ହକିରେ ମସ୍କୋରେ ଭାରତକୁ ମିଳିଥିଲା ଶେଷ ପଦକ ।

କରୋନା କଟକଣା ସହ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କରୋନାର ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଛି ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳ। ତେବେ ଅନ୍‌ଲକ୍‌ ପ୍ରକ୍ରିୟାରେ ଆରମ୍ଭ ହେବା ପରେ ରାଜ୍ୟ ସରକାର ସମସ୍ତ ପର୍ଯ୍ୟଟନ କେନ୍ଦ୍ର ଏବଂ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନିୟ ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। କରୋନା ସ୍ଥିତି ଦେଖି ପର୍ଯ୍ୟଟନ କେନ୍ଦ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କରୋନା କଟକଣା ମଧ୍ୟରେ ଆଜିଠୁ ଭିତରକନିକା ଖୋଲିଛି। ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନେ ଭ୍ରମଣ କରିବା ସମୟରେ ସାମାଜିକ ଦୂରତା ସହ ମାସ୍କ ଓ ସାନିଟାଇଜରକୁ ଗରୁତ୍ୱ ଦିଆଯାଇଛି। ଭିତରକିନିକାରେ କେବଳ ଦିନବେଳା ପର୍ଯ୍ୟଟକ ବୁଲି ପାରିବେ। ସକାଳୁ ସଂଧ୍ୟା ଯାଏ ଜାତୀୟ ଉଦ୍ୟାନ ଭିତରେ ପର୍ଯ୍ୟଟକମାନେ ବୁଲିପାରିବେ। ସଂଧ୍ୟା ପରେ ଭିତରକନିକରେ ପ୍ରବେଶ ଉପରେ କଟକଣା ରହିଛି। କୌଣସି ପର୍ଯ୍ୟଟକଙ୍କୁ ରାତ୍ରି ଯାପନ ପାଇଁ ଅନୁମତି ଦିଆଯାଇନାହିଁ। କୁମ୍ଭୀରଙ୍କ ପ୍ରଜନନ ପାଇଁ ମେ’ ପହିଲାରୁ ଭିତରକନିକା ବନ୍ଦ ଥିଲା।

ନୀଳଗିରି ଜଙ୍ଗଲରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ବଡପଡ଼ା ନୀଳଗିରି ଜଙ୍ଗଲରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଲମତାପୁଟ ଓ ସଗର MDR ରାସ୍ତା ପାର୍ଶ୍ଵରେ ଥିବା ବଡପଡ଼ା ଗାଁ ନିକଟ ନୀଳଗିରି ଜଙ୍ଗଲରୁ ମାଛକୁଣ୍ଡ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।

ବଡ଼ପଡ଼ା ନୀଳଗିରି ଜଙ୍ଗଲରେ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଗଚ୍ଛିତ କରି ରଖିଥିବା ପୋଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା। ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବଡ଼ପଡ଼ା ଗାଁ ନିକଟ ନୀଳଗିରି ଜଙ୍ଗଲରେ ଗଞ୍ଜେଇ ଜବତ କରିଥିଲେ।

୧ ହଜାର ୧୦କେଜି ୯୦୦ଗ୍ରାମ  ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୩୦ଲକ୍ଷ ଟଙ୍କାରୁ ଅଧିକ ହେବ। ପୋଲିସ ଏହି ମାମଲାରେ କାହାରିକୁ ଗିରଫ କରିନଥିବା ବେଳେ ଏହାର ଅଧିକ ତଦନ୍ତ ଜାରି ରହିଥିବା ମାଛକୁଣ୍ଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।