spot_img
Home Blog Page 5540

ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା: ୫ ଜିଲ୍ଲାକୁ ରେଡ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହେବ ପ୍ରବଳ ବର୍ଷା । ଉତ୍ତର- ପଶ୍ଚିମ ବଙ୍ଗୋସାଗରରେ ସକ୍ରିୟ ରହିଛି ଲଘୁଚାପ । ମୋସୁମୀ ବାୟୁ ପ୍ରବେଶ କରିବା ଯୋଗୁ ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ୪ଦିନ ପର୍ଯ୍ୟନ୍ତ ଲାଗି ରହିବ ତୁହାକୁ ତୁହା ବର୍ଷା । ଆଜି ପାଇଁ ୬ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଲଗାଣ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୭ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼, ଅନୁଗୁଳରେ ପ୍ରବଳ ବର୍ଷା ହେବା ନେଇ ସୂଚନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଘରୋଇ ହସ୍ପିଟାଲ ପାଇଁ କରୋନା ଟିକାର ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଘରୋଇ ହସ୍ପିଟାଲ ପାଇଁ ତିନୋଟି ଟିକାର ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର । କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ୍‌ ଭି ପାଇଁ ଦର ଧାର୍ଯ୍ୟ କରାଯାଇଛି । ଡୋଜ ପିଛା ୧୪୧୦ ଟଙ୍କାରେ ମିଳିବ କୋଭାକ୍ସିନ । ୭୮୦ ଟଙ୍କାରେ ମିଳିବ କୋଭିସିଲ୍ଡ । ୧୧୪୫ ଟଙ୍କାରେ ମିଳିବ ସ୍ପୁଟ୍‌ନିକ୍‌-ଭି । ଟିକା ଉତ୍ପାଦନକାରୀଙ୍କୁ ଠାରୁ ୬୦୦ ଟଙ୍କାରେ ଘରୋଇ ମେଡିକାଲ କିଣିବ କୋଭିସିଲ୍ଡ । କୋଭାକ୍ସିନ ୧୨ ଶହ ଟଙ୍କା ଏବଂ ସ୍ପୁଟନିକ୍‌ ଭି ୯୪୮ ଟଙ୍କାରେ କିଣିବେ ଘରୋଇ ହସ୍ପିଟାଲ । ମୂଳ ଦର ଠାରୁ ଜିଏସଟିକୁ ଛାଡ଼ି ୧୫୦ ଟଙ୍କା ପର୍ଯ୍ୟନ୍ତ ସର୍ଭିସ ଚାର୍ଜ ନେଇ ପାରିବେ ମେଡିକାଲ ।

ଏଥିସହିତ ପଢ଼ନ୍ତୁ: ୨୩ ଜିଲ୍ଲାରେ ସଂକ୍ରମଣ ତଳମୁହାଁ, ୧୭ ପରେ ଅନଲକ୍ ପ୍ରକ୍ରିୟା

ଲୁଡୁ ଖେଳରେ ଜିତିବା ପାଇଁ ଭାଗ୍ୟ ନା କୌଶଳ ଅଧିକ ସହାୟକ

ମୁମ୍ୱାଇ: ଆପଣ ଅନ୍‌ଲାଇନ୍‌ରେ ଲୁଡୁ ଖେଳିଛନ୍ତି କି? ଯଦି ଖେଳିଛନ୍ତି ତେବେ ଆପଣ ହାରିଥିବେ କିମ୍ୱା ଜିତିଥିବେ । ଆପଣ ଯଦି ଲୁଡୁ ଖେଳରେ ଜିତିଛନ୍ତି ତେବେ ଜିତବାର କାରଣ କ’ଣ? ବାଇ ଲକ୍ ନା ବାଇ ସ୍କିଲ୍ । ଲୁଡୁ ଖେଳରେ ଜିତିବା ପାଇଁ ଭାଗ୍ୟ ଅଧିକ ସହାୟକ ନା କୌଶଳ । ଏ ସମ୍ପର୍କିତ ଦାୟର ଏକ ପିଟିସନର ଶୁଣାଣି କରିବେ ବମ୍ୱେ ହାଇକୋର୍ଟ ।

ଗତ କିଛି ଦିନ ତଳେ ମହାରାଷ୍ଟ୍ର ନବ ନିର୍ମାଣ ସେନାର କେଶବ ମୁଲେ କିଛି ପିଲାଙ୍କୁ ମୋଇବାଲରେ ଖେଳୁଥିବା ଦେଖିବାକୁ ପାଇଥିଲେ । ସେ ପାଖକୁ ଯାଇ ସେମାନଙ୍କ ସହ କଥା ହୋଇଥିଲେ । ଏବଂ ସେ ଜାଣିବାକୁ ପାଇଥିଲେ ଯେ, ସେମାନେ ଏକ ଅନ୍‌ଲାଇନ୍‌ ଆପ୍ ମାଧ୍ୟମରେ ଲୁଡୁ ଖେଳୁଛନ୍ତି । ତେବେ ଆଶ୍ଚର୍ଯ୍ୟ କଥା ଯେ, ଅନ୍‌ଲାଇନ୍‌ରେ ଲୁଡୁ ଖେଳୁଥିବା ଛୋଟ ପିଲାମାନେ ଏଥିରେ  ଟଙ୍କା ମଧ୍ୟ ଲଗାଇଥିଲେ । ଅର୍ଥାତ ସେମାନେ ଲୁଡୁ ଖେଳିବା ପାଇଁ ବ୍ୟବହାର କରୁଥିବା ଆପ୍‌ରେ ଏକ ଏଣ୍ଟ୍ରି ଫି’ ଦେଇଥିଲେ । ଏବଂ ଯିଏ ବିଜେତା ହେଉଥିଲା ସେ ସମସ୍ତ ଅଂଶଦାରୀ ଦାଖଲ କରିଥିବା ଟଙ୍କା ପାଉଥିଲା । ଆବଶ୍ୟ ଏଥିରୁ କିଛି ଟଙ୍କା ଆପ୍ ପକ୍ଷରୁ କମିଶନ ବାବଦରେ ମଧ୍ୟ କଟାଯାଉଥିଲା । କିନ୍ତୁ ଏହା ମହାରାଷ୍ଟ୍ର ପ୍ରିଭେନ୍ସନ୍ ଅଫ୍ ଗେମ୍ୱଲିଂ ଆକ୍ଟ ୧୮୮୭ ଉଲ୍ଲଂଘନ । ଏଣୁ କେଶବ ଏ ନେଇ ନିକଟସ୍ଥ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଥାନା କର୍ତ୍ତୃପକ୍ଷ ଏହାକୁ ଗ୍ରହଣ ନ କରିବାରୁ ପରେ ମେଟ୍ରୋ ପଲିଟାନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯେଉଁଥିରେ ଆବେଦନକାରୀ କେବଶ ମୁଲେ ଏହାକୁ ଗେମ୍ ଅଫ୍ ଚାନ୍ସ ବା ଭାଗ୍ୟର ଖେଳ ବୋଲି ବିବେଚିତ କରିବାକୁ ଉଲ୍ଲେଖ କରିଛନ୍ତି । କିନ୍ତ ମାନ୍ୟବର କୋର୍ଟ ଏହାକୁ ଗେମ୍ ଅଫ୍ ସ୍କିଲ୍ ବା ଏହାକୁ କୌଶଳର ଖେଳ ବୋଲି କହିବା ସହ ଆବେଦନକୁ ଖାରଜ କରିଦେଇଥିଲେ । ଏଥିରେ କିନ୍ତୁ ଆବେଦନକାରୀ ସନ୍ତୁଷ୍ଟ ହୋଇନଥିଲେ ଏବଂ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆବେଦନକାରୀ କେଶବଙ୍କ ଯୁକ୍ତି ହେଉଛି ଯେ, ଲୁଡୁରେ କୌଶଳ ଅପେକ୍ଷା ଭାଗ୍ୟର ଅଧିକ ଆବଶ୍ୟକତା ପଡ଼ିଥାଏ । ଗୋଟି ଚଳାଇବା ବେଳେ ଏଥିରେ କେଉଁ ସଂଖ୍ୟା ଆସିବ ଏହା ଭାଗ୍ୟ ଉପରେ ନିର୍ଭର କରେ । ଏହାକୁ ୩ ବର୍ଷ ଛୁଆ ମଧ୍ୟ ଭାଗ୍ୟ ବଳରେ ଜିତିପାରିବ । ଏଣୁ ଏହାକୁ ଗେମ୍ ଅଫ୍ ଲକ୍ ଭାବେ ଘୋଷିତ କରିବା ସହ ଏଭଳି ଆପ୍‌କୁ ବେଆଇନ୍ ଘୋଷଣା କରିବାକୁ ପ୍ରାର୍ଥନା କରିଛନ୍ତି । ତେବେ ବମ୍ୱେ ହାଇକୋର୍ଟ ଏହି ମାମଲାକୁ ଗ୍ରହଣ କରିବା ସହ ଶୁଣାଣି ନେଇ ଦିନ ଧାର୍ଯ୍ୟ କରିଛନ୍ତି ।

ତେବେ ଏହାକୁ ନେଇ ସୋସିଆଲ୍ ମିଡିଆରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ୪.୬୪ ଲକ୍ଷ ମାମଲା ହାଇକୋର୍ଟରେ ଲମ୍ୱିତ ଥିବା ବେଳେ ଏଭଳି ମାମଲାର ଶୁଣାଣିକୁ କଟାକ୍ଷ କରିଛନ୍ତି ନେଟିଜନ୍ ।

୨୩ ଜିଲ୍ଲାରେ ସଂକ୍ରମଣ ତଳମୁହାଁ, ୧୭ ପରେ ଅନଲକ୍ ପ୍ରକ୍ରିୟା

ଭୁବନେଶ୍ୱର: ଖୋର୍ଦ୍ଧା, କଟକ, ବାଲେଶ୍ୱା, କେନ୍ଦ୍ରାପଡା, ଯାଜପୁର ପରି ୭ ଜିଲ୍ଲାକୁ ଛାଡିଦେଲେ ବାକି ୨୩ ଜିଲ୍ଲାରେ କଣ୍ଟ୍ରୋଲରେ କରୋନା । ଜୁନ୍ ୧୭ ପରେ ଏସବୁ ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯିବ । ସଂକ୍ରମଣ କମୁଥିଲେ ମଧ୍ୟ ବିପଦ ଏଯାଏ ଟଳିନାହିଁ । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢୁଛି ସେଠାରେ ସର୍ଭେଲାନ୍ସକୁ ବଢାଇ ଦିଆଯାଇଛି । ଟେଷ୍ଟିଂ ଅଧିକ କରାଯିବା ସହ ସଂକ୍ରମିତଙ୍କୁ ଚିହ୍ନଟ କରି ଆଇସୋଲେଟ୍ କରାଯାଉଛି । ଆଗାମୀ ଦିନରେ ଏସବୁ ଜିଲ୍ଲାରେ କଟକଣା କଡାକଡି କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ, କମୁଛି ପଜିଟିଭିଟି ହାର । ଅଧିକାଂଶ ଜିଲ୍ଲାରେ ଦୈନିକ ସଂକ୍ରମଣ ୫ଶହ ତଳେ ରହୁଛି । ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍ । ପୂର୍ବରୁ ସଂକ୍ରମିତ ହୋଇଥିବା ଗୁରୁତର ରୋଗୀଙ୍କର ମୃତ୍ୟୁ ହେଉଥିବା ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି । ସେପଟେ ସଂକ୍ରମଣ କମୁଥିବାରୁ ଆଗକୁ ଲକ୍‌ଡାଉନ୍ ଆବଶ୍ୟକ ହେବନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ରାଜ୍ୟରେ ତୃତୀୟ ଲହର ସେତେଟା ଘାତକ ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି । ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରନ୍ତ ହେଲେବି ମୃତ୍ୟୁ କମ୍ ରହିବ ବୋଲି ବିଭିନ୍ନ ଗବେଷଣାରୁ ଜଣାପଡିଛି । ତେବେ ପରିସ୍ଥିତି ଅନୁକୂଳ ହେଲେ ସରକାର ଅନଲକ୍ ପ୍ରକ୍ରିୟାକୁ ଯିବେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

‘ଓଡ଼ିଶା ମୋ ପରିବାର’ ଓ ‘ଜୀବନ ବିନ୍ଦୁ’ ପକ୍ଷରୁ ରକ୍ତ ଦାନ ଶିବିର: ତୃତୀୟ ଦିନରେ ୧୩୦ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଓଡ଼ିଶା ମୋ ପରିବାର -ଜୀବନ ବିନ୍ଦୁ ଆନୁକୁଲ୍ୟରେ ଯୁବ ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଯୁବ ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଏବଂ ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ ନେତୃତ୍ୱ ନେଇଥିଲେ। ଏହି ରକ୍ତଦାନ ଶିବିରରେ ୧୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର,  ପ୍ରତାପ ଦେବ, ବିଜେଡି ସାଧାରଣ ସମ୍ପାଦକ (ଯୁବ ବ୍ୟାପାର)ତଥା  ବିଧାୟକ ପ୍ରଣବ କୁମାର ବଳବନ୍ତରାୟ,  ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା,  ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେଡି ସମ୍ପାଦକ (ଯୁବ ବ୍ୟାପାର) ରଞ୍ଜିତ ମହାପାତ୍ର, ବିଜେଡି ସମ୍ପାଦକ (ଯୁବ ବ୍ୟାପାର) ତଥା ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରି, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ବିଜେଡି ସଂପାଦକ ଦୁର୍ଗା ସାମନ୍ତରାୟ, ଓଡ଼ିଶା ମୋ ପରିବାର ସଂଯୋଜକ ରୁଦ୍ର ସାମନ୍ତରାୟ, ବିଜେଡି ଯୁଗ୍ମ ସଂପାଦକ(ଯୁବ ବ୍ୟାପାର) ଜ୍ୟୋତି ରଞ୍ଜନ ଜେନା, ଯୁଗ୍ମସଂପାଦକ (ଛାତ୍ର ବ୍ୟାପାର) ଅମରଜିତ୍ ସେନାପତି,ବିଜେଡି ସଂପାଦକ (ଛାତ୍ର ବ୍ୟାପାର)  ତନ୍ମୟ ସ୍ୱାଇଁ , ଯୁବ ନେତା ପ୍ରକାଶ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତଦାନ ଶିବିରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ମହାସଚିବ ଏଲିନା ଦାଶ, ବରିଷ୍ଠ ଉପସଭାପତି ଧୃତି ରଞ୍ଜନ ମାର୍ଥା, ରାଜ୍ୟ ଉପସଭାପତି ସୋଫିଆ ଆଲମ୍,ସୁନିଲ୍ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ କନିଷ୍କ ଜେନା ,ଆଶିଷ ରଞ୍ଜନ ମିଶ୍ର, ତାରିଣୀ ପ୍ରସାଦ ନାୟକ, ରାଜ୍ୟ ସମ୍ପାଦକ ଅଫତାବ୍ ଆଲମ ଖାନ୍, ରଶ୍ମି ରଞ୍ଜନ ଦାସ୍ ,ଲଗ୍ନଦିପା ମିଶ୍ର, ଅମରଜିତ୍ ଗୈଡ଼,ସ୍ୟୋମ୍ୟ ସାର୍ଥକ ରାୟ,ଅରୁଣ ମହାନ୍ତି, ମନୋଜ ମହାନ୍ତି, ଛାତ୍ର ବିଜେଡି କାର୍ଯ୍ୟକାରି ସଭାପତି ରାଜେଶରାଜ୍ ସ୍ୱାଇଁ , ମହାସଚିବ ଇପ୍ସିତା ସାହୁ, ବିଜୟଲକ୍ଷ୍ମୀ ଦାସ୍,ସୁଚିସ୍ମିତା ବେହେରା, ଏବଂ ଦେବାଶିଷ ସାମଲ ପ୍ରମୁଖ ସହଯୋଗ କରିଥିଲେ ।

ତିବ୍ବତୀୟ ଭାଷା ଲୋପ ପାଇଁ ଚୀନର ଉଦ୍ୟମ, ବନ୍ଦ କରୁଛି ଘରୋଇ ତିବ୍ବତ ବିଦ୍ୟାଳୟ

ନୂଆଦିଲ୍ଲୀ: ସୀମା ପରେ ଭାଷା ଉପରେ ନଜର । ସୀମାରେ ପରି ଶାସନ କରୁଥିବା ଚୀନ ଏବେ ଭାଷା ବିଲୋପ କରିବାକୁ ଚକ୍ରାନ୍ତ କରିଛି । ସମ୍ବିଧାନକୁ ଦଳି ଚକଟି ତିବ୍ବତରେ ସଂସ୍କୃତି ଓ ଭାଷାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଚେଷ୍ଟା କରୁଛି । ଖବର ଅନୁସାରେ, ଚୀନ କବଜାରେ ଥିବା ତିବ୍ବତରେ ଯେଉଁ ସ୍କୁଲରେ ଶିକ୍ଷାଦାନର ଭାଷା ତିବ୍ବତି ତାକୁ ବନ୍ଦ କରି ଦିଆଯାଉଛି ।

ପଶ୍ଚିମୀ ଚୀନର ସିଚୁଆନ୍ ପ୍ରାନ୍ତରେ ସରକାରୀ ଅଧିକାରୀ ତିବ୍ବତର ଘରୋଇ ସ୍କୁଲକୁ ବନ୍ଦ କରି ସରକାରୀ ସ୍କୁଲରେ ପାଠ ପଢ଼ିବା ଲାଗି ବାଧ୍ୟ କରୁଛନ୍ତି । ସେଠରେ ସରକାରୀ ସ୍କୁଲରେ ଛୁଆଙ୍କୁ ମଣ୍ଡାରିନ ଭାଷାରେ ଶିକ୍ଷା ଦିଆଯାଇଥାଏ । ଚୀନ୍ ଦ୍ୱାରା ଏଭଳି ଘରୋଇ ସ୍କୁଲ ବନ୍ଦ କାର୍ଯ୍ୟ ୨୦୨୦ ଶେଷରୁ ଆରମ୍ଭ ହୋଇଛି । ଚୀନ ନିଜ ସଂସ୍କୃତି ସହ ଭାଷାକୁ ଲୋକଙ୍କ ଉପରେ ଜବରଦସ୍ତ ଭାବେ ଲଦିବାରେ ଲାଗିଛି । ସୂଚନା ଅନୁସାରେ, ଚୀନର ସିଚୁଆନ୍ ଦଜାଚୁଖା ଅଞ୍ଚଳରେ ଥିବା  ତିବ୍ବତି ଭାଷା ବିଦ୍ୟାଳୟକୁ ବିନା କାରଣରେ ବନ୍ଦ କରି ଦିଆଯାଇଛି ।

ସୂତ୍ର ଅନୁସାରେ, ସେଠାରେ ଶିକ୍ଷାଦାନରେ ଉନ୍ନତି ନାଁରେ ଏଭଳି ପଦକ୍ଷେପ ନେଉଛି ଚୀନ । ଚୀନ ଉକ୍ତ ଅଞ୍ଚଳର ରେଲୱେ ଷ୍ଟେସନ୍ ହେଉ ଅବା ବସଷ୍ଟାଣ୍ଡ ଅଥବା କୌଣସି ହୋର୍ଡିଂ ସେଠାରେ ଇଂରାଜୀ ସହିତ ମଣ୍ଡାରିନ୍ ଭାଷାରେ ସବୁକିଛି ଲେଖୁଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ୨୦୩୫ ଶିକ୍ଷା ନୀତି ପ୍ରକାରେ, ଚୀନରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ପାଠ୍ୟକ୍ରମ ସାମଗ୍ରୀର ବ୍ୟାପକ ସୁଧାର ନାଁରେ ଯୋଡ଼ିବାକୁ ଚାହୁଁଛି ।

ଧାନର ଏମ୍ଏସ୍‌ପି ବୃଦ୍ଧି ନେଇ ନାହିଁ ଆନ୍ତରିକତା: ପୁଣି ଥରେ କେନ୍ଦ୍ରକୁ ଚିଠି ଲେଖିଲେ କୃଷି ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ନିଷ୍ପତ୍ତିରେ ରାଜ୍ୟ ଖପ୍ପା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧିକୁ ତୀବ୍ର ସମାଲୋଚନା କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସାଙ୍ଗକୁ ଅନ୍ୟ କ୍ଷେତ୍ରରେ ରୋଜଗାରକୁ ତୁଳନା କଲେ ଚାଷୀ ହତାଶ ହେଉଛନ୍ତି । ବାରମ୍ବାର କେନ୍ଦ୍ରକୁ ଚିଠି ଲେଖାଯିବା ପରେ ବି ସୁଫଳ ମିଳୁନି । ଏଭଳି ଚାଲିଲେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ଲକ୍ଷ୍ୟ କିପରି ପୂରଣ ହୋଇପାରିବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଧାନର ଏମ୍‌ଏସ୍‌ପି ୨୯ ଶହ ୩୦ଟଙ୍କା କରିବାକୁ ପୁଣି ଥରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ କୃଷିମନ୍ତ୍ରୀ  ।

ରାଜ୍ୟର କୃଷକ ମାନଙ୍କ ମଧ୍ୟରୁ ଏକ ବୃହତ ସଂଖ୍ୟା କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଫି ବର୍ଷ ବାତ୍ୟା ବନ୍ୟା ଯୋଗୁଁ କ୍ଷତି ମଧ୍ୟ ସହୁଛନ୍ତି । ଗତ କୋଡିଏ ବର୍ଷ ମଧ୍ୟରେ ସାତଥର ବାତ୍ୟା, ଅନେକଥର ବନ୍ୟା, ମରୁଡି ଓ ରୋଗପୋକ ସମସ୍ୟାର ସାମ୍‌ନା କରିଛନ୍ତି ଚାଷୀ । ଏହାଦ୍ୱାରା ଧାନର ଉତ୍ପାଦନ ଖର୍ଚ୍ଚ ବଢିଛି । ଏବେ କ୍ୱିଣ୍ଟାଲ ପିଛା ୨୩୪୪ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାର ଏମ୍‌ଏସ୍‌ପି ୨୯୩୦ଟଙ୍କା କରିବାକୁ ଦାବି କରିଛନ୍ତି । ବିଧାନସଭାରେ ଦୁଇ ଦୁଇ ଥର ସର୍ବସମ୍ମତ ପ୍ରସ୍ତାବ ପାରିତ ପରେ ଏନେଇ ବାରମ୍ବାର ଚିଠି ଲେଖାଗଲାଣି । ହେଲେ କେନ୍ଦ୍ର ସରକାର ଶୁଣୁନାହାନ୍ତି । ଏମ୍‌ଏସ୍‌ପି ନ ବଢିଲେ, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ କେନ୍ଦ୍ର ସରକାରଙ୍କ ଟାର୍ଗେଟ କେମିତି ପୂରଣ ହେବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରଶ୍ନ ଉଠାଇଛନ୍ତି ।

ପ୍ରତିବର୍ଷ ବଢିଚାଲିଛି ଧାନ ସଂଗ୍ରହର ଆକାର । ୨୦୧୯-୨୦ରେ ୧୨ ହଜାର ୮୭ କୋଟି ଟଙ୍କାର ୭୦ଲକ୍ଷ ୫୬ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା । ସେହିଭଳି ୨୦୨୦-୨୧ରେ ୧୩ହଜାର ୫୧୪କୋଟି ଟଙ୍କାର ୭୨ଲକ୍ଷ ୩୫ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଏବେ ରବି ଧାନ ସଂଗ୍ରହ ଚାଲିଛି । ଏବେ ଧାନର ଏମ୍‌ଏସ୍‌ପି ମାତ୍ର ୭୨ଟଙ୍କା ବୃଦ୍ଧି ଚାଷୀଙ୍କୁ କିଛି ସାହଯ୍ୟ କରିବ ନାହିଁ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ତେଣୁ ଧାନର ଏମ୍‌ଏସ୍‌ପି ବୃଦ୍ଧିର ଆବଶ୍ୟକତା ଉଲ୍ଲେଖ କରି ପୁଣି କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଗତ ୯ ତାରିଖରେ କେନ୍ଦ୍ର ସରକାର ଧାନ ସମେତ ଅନ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନର ଏମ୍‌ଏସ୍‌ପି ୧୮୬୮ରୁ ୧୯୪୦ ଟଙ୍କା ହୋଇଥିବା ବେଳେ ଗ୍ରେଡ-ଏ ଧାନର ଏମ୍‌ଏସ୍‌ପି ୧୯୬୦କୁ ବୃଦ୍ଧି ହୋଇଛି । ଏହାକୁ ନେଇ ରାଜନୀତି ସରଗରମ ହୋଇଛି ।

‘କୋଭାକ୍ସିନ୍’ର ଜରୁରୀ ପ୍ରୟୋଗକୁ ଅନୁମତି ଦେଲାନି ଆମେରିକା, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ଭାରତ ବାୟୋଟେକ ଓ ଆଇସିଏମଆର୍ ମିଳିତ ଭାବେ ପ୍ରସ୍ତୁତ କୋଭିଡ୍ ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଆମେରିକା ଅନୁମତି ଦେଇନାହିଁ । ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ପ୍ରତି ଦେଶର ନିୟମ ବ୍ୟବସ୍ଥାକୁ ଭାରତ ସମ୍ମାନ କରେ । ଆମେରିକା ଅନୁମତି ନଦେବା ଭାରତରେ ଚାଲିଥିବା ଟିକାକରଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ଆମେରିକାର ଏଫଡିଏ ଭାରତ ବାୟୋଟେକର ଆମେରିକୀୟ ଚୁକ୍ତିବଦ୍ଧ କମ୍ପାନୀ ଓକ୍ୟୁଜେନ୍ ଇଙ୍କକୁ ପରାମର୍ଶ ଦେଇଛି ଯେ, ଭାରତୀୟ ଭ୍ୟାକ୍ସିନର ବ୍ୟବହାରକୁ ଅନୁମିତ ପାଇଁ ଅତିରିକ୍ତ ତଥ୍ୟ ସହ ଜୈବିକ ଲାଇସେନ୍ସ (ବିଏଲଏ) ପାଇଁ ଆବେଦନ କରୁ ।

ଓକ୍ୟୁଜେନ୍ ପକ୍ଷରୁ ଗୁରୁବାର ଏକ ବୟାନରେ କୁହାଯାଇଥିଲା, ଏଫଡିଏ ପରାମର୍ଶ ଅନୁସାରେ କୋଭାକ୍ସିନର ବିଏଲଏ ଆବେଦନ କରିବ । ବିଏଲଏ ହେଉଛି ଏଫଡିଏର ପୂର୍ଣ୍ଣ ଅନୁମୋଦନ ବ୍ୟବସ୍ଥା । ଯେଉଁଥିରେ ଔଷଧରୁ ନେଇ ଟିକା ସବୁକିଛିକୁ ମଞ୍ଜୁରୀ ମିଳିଥାଏ ।

କମ୍ପାନୀ କହିଛି, ଏବେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇଁ ଚେଷ୍ଟା କରିବ ନାହିଁ । ବରଂ କମ୍ପାନୀ ଏଫଡିଏର ମାଷ୍ଟର ଫାଇଲ୍ ବିଏଲ୍ଏ ଆବେଦନ କରିବ । ଏଥିପାଇଁ ଆମେରିକାରେ କୋଭାକ୍ସିନ୍ ଆସିବାରେ ବିଳମ୍ବ ହେବ ।

କୋଭିଡ ମୁକାବିଲା ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଆଉ ୨୫ କୋଟି ଅନୁଦାନ

ସମ୍ୱଲପୁର: କୋଭିଡ୍ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଆଉ ୨୫କୋଟି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାରେ ୨୫କୋଟିର ପ୍ରକଳ୍ପ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହାଦ୍ୱାରା ଉପକୃତ ହେବେ ୧୧ ପଶ୍ଚିମ ଓଡ଼ିଶା ଜିଲ୍ଲାବାସିନ୍ଦା । ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ବାସୀଙ୍କ ସହ ନୂଆପଡା, ଝାରସୁଗୁଡା, ବୌଦ୍ଧ, ଦେବଗଡ଼ ସୋନପୁର ଓ ସୁନ୍ଦରଗଡ, ଅନୁଗୁଳବାସୀ ଉପକୃତ ହେବେ ।

ଶୁକ୍ରବାର ପଶ୍ଚିମ ଓଡ଼ିଶାରେ କୋଭିଡ୍‌ ମୁକାବିଲା ଭିତ୍ତିଭୂମି ସଂପ୍ରସାରଣ ନେଇ ଏକାଧିକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି । ସମସ୍ତ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଏହି ଅର୍ଥରେ ଅକ୍ସିଜେନ ସିଲିଣ୍ଡର, ମାସ୍କ, ଗ୍ଲୋବ୍‌ସ କିଣା ପରେ ଏବେ ହାତକୁ ନିଆଯାଇଛି ଅନେକ ଯୋଜନା । ଆର୍‌ଟି-ପିସିଆର୍ ମେସିନ କିଣାଯାଇଥିବା ବେଳେ ଟେକ୍ନସିଆନ୍ ନିଯୁକ୍ତ ହୋଇଛନ୍ତି । ଅନେକ ମେଡିକାଲରେ ଅତିରିକ୍ତ ଆଇସିୟୁ ବେଡ୍‌ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ସ୍ଥାନରେ ଲାଗିଛି ଅଟୋ-ସାନିଟାଇଜିଂ ମେସିନ୍‌ । ଏହି ଟଙ୍କାରେ ବିଭିନ୍ନ ଡାକ୍ତରଖାନାରେ ବିଶୁଦ୍ଧ ପିଇବା ପାଣିର ସମସ୍ୟା ମଧ୍ୟ ଦୂର କରାଯାଇଛି । ଏସବୁ ବ୍ୟବସ୍ଥା ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସାଧାରଣଙ୍କ ପାଇଁ ପୋଲ, ରାସ୍ତା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ହାତକୁ ନିଆଯାଇଥିବା ବେଳେ ପ୍ରଥମ ଥର ସ୍ୱତନ୍ତ୍ର ଭାବେ କୋଭିଡ୍‌ ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ନେଇ ଆବେଦନ ଅବଧି ବଢ଼ିଲା

ଅମାନିଆ ଶ୍ରୀମାନ ଶ୍ରୀମତୀ: କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍ କଲା ପ୍ରଶାସନ

ଚଣ୍ଡିଖୋଲ: ଅମାନିଆ ଶ୍ରୀମାନ ଶ୍ରୀମତି । ଲକ୍‌ଡାଉନ୍ କଟକଣା ଭାଙ୍ଗି ଚାଲିଥିଲା ଲୁଗାପଟା କିଣାକିଣି । ବାହାରୁ ସଟର ପଡ଼ିଥିବା ବେଳେ ଦୋକାନ ଭିତରେ ଚାଲିଥିଲା କିଣାବିକା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜାରକାରେ । ଏଠାରେ ଥିବା ଶ୍ରୀମାନ ଶ୍ରୀମତି ଲୁଗା ଦୋକାନର ବାହାର ପଟୁ ସଟ୍‌ର ବନ୍ଦ ଥିବା ବେଳେ ଭିତରେ ଲାଗିଥିଲା ଗରାଖଙ୍କ ଭିଡ଼ । ଆଗକୁ ରଜ ଆସୁଥିବା ବେଳେ ଗ୍ରାହକ ମାନେ ବସ୍ତ୍ର କିଣିବା ପାଇଁ ଦୋକାନ ଭିତରେ ଭିଡ଼ ଜମାଇଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଟର ଟେକି ଗ୍ରାହକଙ୍କୁ ବାହାର କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୋକାନକୁ ସିଲ କରିଥିଲା । ପୂର୍ବରୁ ମଧ୍ୟ ଜାରକା ବଜାରରେ ଲକଡାଉନ ନିୟମକୁ ଉଲଘଂନ କରି ଜଗନ୍ନାଥ କ୍ଳଥ ଷ୍ଟୋରକୁ ସିଲ କରିଥିଲା ପ୍ରଶାସନ।

ଏଥିସହିତ ପଢ଼ନ୍ତୁ: କଟକରେ ୬୯ ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ୍ ଠାବ