spot_img
Home Blog Page 5620

ଟିକା କିଣା ସର୍ତ୍ତାବଳୀକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ

ଭୁବନେଶ୍ୱର: ଗ୍ଳୋବାଲ୍ ଟେଣ୍ଡର ପ୍ରକ୍ରିୟାରେ ରାଜ୍ୟ ସରକାର କିଣିବାକୁ ଚାହିଁଥିବା ବେଳେ ଏ ନେଇ ଆବଶ୍ୟକ ସର୍ତ୍ତାବଳୀରେ ପରିବର୍ତ୍ତନ କରାଯାଇଛି । ଯାହାକୁ ଆଜି କ୍ୟାବିନେଟ୍ ମଞ୍ଜୁର କରିଛି । ଗ୍ଳୋବାଲ ଟେଣ୍ଡରରେ ଭାଗ ନେବାକୁ ଥିବା ଉତ୍ପାଦନକାରୀ କମ୍ପାନୀଙ୍କୁ ୩ ପ୍ରତିଶତ ପରଫରମାନ୍ସ ସିକ୍ୟୁରିଟି, ଇଏମ୍‌ଡି, ଲିକ୍ୟୁଡିଟି ଡ୍ୟାମେଜ୍ ଭଳି ସର୍ତ୍ତାବଳୀରୁ ସରକାର ଆଶ୍ୱସ୍ତି ଦେଇଛନ୍ତି  ।

ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକରେ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସମସ୍ତଙ୍କ ଟିକାକରଣ ମାଧ୍ୟମରେ କରୋନାକୁ ନିୟନ୍ତ୍ରଣକୁ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ କରିଛନ୍ତି। ଏଥିପାଇଁ ରାଜ୍ୟ ଔଷଧ ନିଗମ ଗତ ୧୪ତାରିଖରେ କୋଭିଡ୍ ଟିକା କ୍ରୟ ନିମନ୍ତେ ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି। ୧୯ତାରିଖରେ ଏହି ଗ୍ଲୋବାଲ ଟେଣ୍ଡରରେ ସାମିଲ ହେବାକୁ ଥିବା ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସହ ପ୍ରି-ବିଡ୍ ଆଲୋଚନା ହୋଇଛି । ତେବେ କୋଭିଡ୍ ଟିକା କ୍ରୟ ପ୍ରକ୍ରିୟାରେ ସମସ୍ତ ଉତ୍ପାଦନକାରୀ ଅବା ଯୋଗାଣକାରୀଙ୍କ ଅଂଶଗ୍ରହଣକୁ ଅଧିକ ସରଳୀକୃତ କରିବା ନିମନ୍ତେ ଟେକନିକାଲ କମିଟିର ପରାମର୍ଶରେ ଟେଣ୍ଡର ଦସ୍ତାବିଜ ସଂଶୋଧନର ଆବଶ୍ୟକତା ଅନୁଭବ ହୋଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏନେଇ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛନ୍ତି।

ଆସନ୍ତା ୪ମାସ ମଧ୍ୟରେ ରାଜ୍ୟର ସମସ୍ତଙ୍କୁ ଟିକାକରଣ କରିବା ପାଇଁ ଓ ଟିକା ଉତ୍ପାଦନକାରୀଙ୍କ ମଧ୍ୟରେ ଏକ ସକରାତ୍ମକ ସନ୍ଦେଶ ଦେଇ ସେମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଟେଣ୍ଡର ଇଏମଡି, ବିଡ୍ ସିକ୍ୟୁରିଟି, ଲିକ୍ୟୁଡିଟି ଡ୍ୟାମେଜ୍ ଆଦି ସର୍ତ୍ତକୁ ଛାଡ଼୍ କରାଯାଇଛି । ସେହିପରି -୨୦ ଡିଗ୍ରୀ ସେଲସିୟସ ତାପମାତ୍ରରେ ରହି ପାରୁଥିବା ଟିକାଗୁଡ଼ିକ ୨ଡିଗ୍ରୀରୁ ୮ଡିଗ୍ରୀ ତାପମାତ୍ରରେ ୧୨ଘଣ୍ଟା ପର୍ଯ୍ୟନ୍ତ ନିଜର ଗୁଣବତ୍ତା ଅପରିବର୍ତ୍ତନ କରି ରହୁଥବ ସେହି ଟିକା ଉତ୍ପାଦନକାରୀଙ୍କୁ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ସମ୍ମତି ମିଳିଛି।  ଅପରପକ୍ଷରେ ରେଙ୍ଗାଲୀ ବାମ କେନାଲ୍ ପାଇଁ ୨୪୭ କୋଟି ଟଙ୍କାର ଟେଣ୍ଡର, ଓଡ଼ିଶା ଆଇନ ସେବା ପ୍ରାଧିକରଣର ନିଯୁକ୍ତି ନିୟମ ସଂଶୋଧନ ଓ IMFL ଅନ୍ ସପ୍ ଲାଇସେନ୍ସ ଫି’ ଆଂଶିକ ଛାଡ଼ ପାଇଁ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

ଏଥିସହିତ ପଢ଼ନ୍ତୁ: କରୋନାରେ ମୃତ ବୃଦ୍ଧାଙ୍କ ମରଶରୀରକୁ ଶ୍ମଶାନରୁ ଉଠାଇ ଆଣିଲା ପ୍ରଶାସନ: ନୟାଗଡ଼କୁ କଲା ସ୍ଥାନାନ୍ତର

ବିପଦର ସଂକେତ: ଆଣ୍ଟାର୍କଟିକାରେ ତରଳୁଛି ଗ୍ଳାସିୟର, ଦିଲ୍ଲୀଠାରୁ ୩ ଗୁଣା ବଡ଼ ବରଫ ଚଟାଣ ହେଲା ଅଲଗା

ନୂଆଦିଲ୍ଲୀ: ଭୂପୃଷ୍ଠ ଆଡ଼କୁ ମାଡ଼ି ଆସିବ ସମୁଦ୍ର । ବଢ଼ିବ ସମୁଦ୍ରର ଜଳସ୍ତର । ସାରା ପୃଥିବୀରେ ମୋଟ ୩ ଭାଗ ଜଳଭାଗ ଥିବା ବେଳେ ଏହା ଆହୁରି ବଢ଼ିବ । ପୃଥିବୀ ପୃଷ୍ଠରେ ପାନୀୟ ଜଳର ସମସ୍ୟା ଦେଖାଯିବ । ଏଭଳି କି କିଛି ଦେଶ ମଧ୍ୟ ବୁଡ଼ିଯିବ । ଜଳବାୟୁ ପରିବର୍ତ୍ତନ ଓ ଗ୍ଳୋବାଲ୍ ଓ୍ୱାର୍ମିଂ ଏହାର କାରଣ କୁହାଯାଉଥିବା ବେଳେ ଏହାର ଏକ ଉଦାହରଣ ଆଣ୍ଟାର୍କଟିକାରେ  ଦେଖିବାକୁ ମିଳିଛି ।

ବିଶ୍ୱର ସବୁଠାରୁ ବଡ଼ ବରଫ ପାହାଡ଼ର ଦକ୍ଷିଣ ପାର୍ଶ୍ୱରୁ ଏକ ବିଶାଳ ବରଫ ଚଟାଣ  ଅଲଗା ହୋଇଛି । ଯାହାର କ୍ଷେତ୍ରଫଳ ରାଜଧାନୀ ଦିଲ୍ଲୀର କ୍ଷେତ୍ରଫଳର ୩ ଗୁଣା । ଅଲଗା ହୋଇଥିବା ବରଫ ଚଟାଣର କ୍ଷେତ୍ରଫଳ ୪ ହଜାର ୩୨୦ ବର୍ଗ କିଲୋମିଟର ରହିଥିବା ବେଳେ ରାଜଧାନୀ ଦିଲ୍ଲୀର କ୍ଷେତ୍ରଫଳ ହେଉଛି ୧ହଜାର ୪୮୪ ବର୍ଗ କିଲୋମିଟର ।

ଅଲଗା ହୋଇଥିବା A-76 ବରଫ ଚଟାଣକୁ ଦକ୍ଷିଣ ମହାସାଗରର ଓ୍ୱେଡଲ ସାଗରରେ ଆଡ଼କୁ ଭାସି ଯାଉଥିବା ଦେଖିବାକୁ ମିଳିଛି । ଏହା ତରଳିବାର ବଡ଼ କାରଣ ହେଉଛି ଗ୍ଳୋବାଲ ଓ୍ୱାର୍ମିଂ । ସମଗ୍ର ବିଶ୍ୱ ଯେତେବେଳେ କରୋନା ଭାଇରସ ସହିତ ସଂଘର୍ଷ କରୁଛି, ଏବେ ଏହା ବିଶ୍ୱ ତାପମାତ୍ରା ପାଇଁ ଏହା ବଡ଼ ବିପଦ ହୋଇପାରେ । ଏହାଦ୍ୱାରା ପୃଥିବୀର ତାପମାତ୍ରା ପ୍ରାୟ ୬୦ ଡିଗ୍ରୀ ଯାଏଁ ବଢ଼ିପାରେ। ଜଣେ ବ୍ୟକ୍ତି ଏହି ଉତ୍ତାପକୁ ସହଜରେ ସହ୍ୟ କରିପାରିବ ନାହିଁ  । ଫଳରେ ଦୁନିଆର ବିଶୁଦ୍ଧ ପାନୀୟ ଜଳର ଅଭାବ ହେବ । ମଣିଷମାନେ ମଧ୍ୟ ପାନୀୟ ଜଳ ପାଇଁ ସଂଘର୍ଷ କରିବେ ଏବଂ କିଛି ବର୍ଷ ପରେ ପୃଥିବୀରେ ମନୁଷ୍ୟର ଜୀବନ ସମ୍ପୂର୍ଣ୍ଣ ସମାପ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

କରୋନାରେ ମୃତ ବୃଦ୍ଧାଙ୍କ ମରଶରୀରକୁ ଶ୍ମଶାନରୁ ଉଠାଇ ଆଣିଲା ପ୍ରଶାସନ: ନୟାଗଡ଼କୁ କଲା ସ୍ଥାନାନ୍ତର

ନୟାଗଡ଼: ଶ୍ମଶାନରୁ ବୃଦ୍ଧାଙ୍କ ଶବକୁ ଉଠେଇନେଲା ପ୍ରଶାସନ । କରୋନାରେ ମୃତ୍ୟୁବରଣ କରିଥିବା ବୃଦ୍ଧାଙ୍କ ତରବରିଆ ଭାବେ ଗାଁ ଶ୍ମଶାନରେ ଦାହ କରିବାକୁ ଉଦ୍ୟମ ଚାଲିଥିଲା l ଏ ନେଇ ପ୍ରଶାସନ ଜାଣିପାରି ଶ୍ମଶାନରୁ ଶବକୁ ଉଠାଇ ଆଣି କୋଭିଡ ନିୟମ ଅନୁସାରେ ଅନ୍ତିମ ସତ୍କାର କରିଛି l ନୟାଗଡ଼ ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ କାଦୁଆର ଏ ଘଟଣା  ।  ପରିବାର ୫ ଜଣ ସଦସ୍ୟ କରୋନା ଆକ୍ରାନ୍ତ ଥିବାରୁ ସମସ୍ତେ ଗୃହ ସଙ୍ଗରୋଧରେ ଥିଲେ l ଗତକାଲି ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା l ତେବେ ପ୍ରଶାସନକୁ ନଜଣାଇ ପରିବାର ଲୋକ, ରାତିରେ ଗାଁ ଶ୍ମଶାନରେ ଶବଦାହ ପାଇଁ ପ୍ରସ୍ତୁତି କରୁଥିଲେ l ଏପରିକି ଶବକୁ କାଠ ଦ୍ୱାରା ଆବଦ୍ଧ ସରିଥିଲା l ଶବରେ ନିଆଁ ଲାଗିବା ପୂର୍ବରୁ ଗଣିଆ ବ୍ଲକ ପ୍ରଶାସନ ପହଞ୍ଚି ଜବତ କରିଥିଲା l ଗଣିଆ ଅତିରିକ୍ତ ତହସିଲଦାରଙ୍କ ତତ୍ତ୍ବାବଧାନରେ ପୋଲିସ, କୋଭିଡ ଆମ୍ବୁଲାନ୍ସରେ ଯୋଗେ ନୟାଗଡ଼କୁ ସ୍ଥାନାନ୍ତରିତ କରିଛି  ।

ଏଥିସହିତ ପଢ଼ନ୍ତୁ: ୪ ଦିନ ପୂର୍ବେ କରାଇଥିଲେ କରୋନା ଟେଷ୍ଟ: ଆଜି ବାହା ବେଦୀରୁ ଉଠାଇ ନେଲା ପୋଲିସ

ଜନ୍ମଗତ ତ୍ରୁଟି ଥିବା ୧୨ ଦିନର ଶିଶୁର ଜୀବନ ବଞ୍ଚାଇଲେ ସମ୍ ଡାକ୍ତର

ଭୁବନେଶ୍ୱର:  ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ  ଆଣ୍ଡ ସମ୍ ହସ୍ପିଟାଲ ଡାକ୍ତର । ଶିଶୁଟିର ଜନ୍ମରୁ ହିଁ ନିଶ୍ୱାସ ନେବାରେ ସମସ୍ୟା ରହିଥିଲା | ଶିଶୁ ଶରୀରର ଛାତି ଓ ପେଟ ମଧ୍ୟରେ ଥିବା ଡାୟାଫ୍ରାମରେ ଏକ ବଡ଼ ଛିଦ୍ର ଥିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା | ଏହା ଏକ ଜନ୍ମଗତ ତ୍ରୁଟି ହୋଇଥିବା ବେଳେ ତଳିପେଟରେ ଥିବା ଅନ୍ତ୍ର ଇତ୍ୟାଦି ଛାତିକୁ ଚାଲିଯାଉଥିଲା ବୋଲି ଏହି ବିରଳ ଅସ୍ତ୍ରୋପଚାର ସମ୍ପାଦନ କରିଥିବା ହସ୍ପିଟାଲର ପେଡିଆଟ୍ରିକ୍ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ସୂଚନା ଦେଇଛନ୍ତି | ଡକ୍ଟର ପ୍ରଧାନ କହିଛନ୍ତି ଯେ ସମ୍‌କୁ ଆସିବା ପୂର୍ବରୁ ଶିଶୁଟିର ୧୦ ଦିନ ଧରି ବାହାରେ ଚିକିତ୍ସା ହୋଇଥିଲେ ମଧ୍ୟ ହସ୍ପିଟାଲକୁ ଆସିବା ସମୟରେ ତାର ଅବସ୍ଥା ଖୁବ ସଂକଟାପନ୍ନ ଥିଲା | ମେ’ ୧୦ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ସେ ନିଶ୍ୱାସ ନେବାରେ ଖୁବ କଷ୍ଟ ଅନୁଭବ କରୁଥିଲା ବୋଲି ଡକ୍ଟର ପ୍ରଧାନ କହିଛନ୍ତି | ଶିଶୁଟିର ଅମ୍ଳଜାନ ସ୍ତର ୪୦ ପ୍ରତିଶତକୁ ଖସିଆସିଥିବାରୁ ଏଭଳି ପରିସ୍ଥିତିରେ ଶିଶୁର ଜୀବନ ବଞ୍ଚାଇବା ଏକ ବଡ଼ ଆହ୍ବାନ ଥିଲା | ଶିଶୁଟିକୁ ଈଂଟ୍ୟୁବ୍ୱେଟେଡ଼ କରାଯାଇ ତାର ଅବସ୍ଥା ସ୍ଥିର କରାଯିବା ପରେ ମେ ୧୨ ତାରିଖ ଦିନ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଥିଲେ | ଅପରେସନ ଦ୍ୱାରା ଶିଶୁର ଜୀବନ ବଞ୍ଚି ଯାଇଥିବା ବେଳେ ସେ ସୁସ୍ଥ ହୋଇ ଗୁରୁବାର ଦିନ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛି |

ଏଥିସହିତ ପଢ଼ନ୍ତୁ: ରାଜ୍ୟର ୮୦ ପ୍ରତିଶତ ଆଇସିୟୁ, ୫୦ ପ୍ରତିଶତ ଭେଣ୍ଟିଲେଟରରେ ରୋଗୀ,

ଜିଲ୍ଲା ପରିଷଦ ଓ ମଣ୍ଡଳ ପରିଷଦ ନିର୍ବାଚନକୁ ରଦ୍ଦ କଲେ ଆନ୍ଧ୍ର ହାଇକୋର୍ଟ

ଜୟପୁର: ଆନ୍ଧ୍ର ସରକାରଙ୍କୁ ବଡ଼ ଝଟକା । ଆନ୍ଧ୍ର ହାଇକୋର୍ଟ ରଦ୍ଦ କଲେ ଜେଡପିଟିସି  ଓ ଏମପିଟିସି ତଥା ଜିଲ୍ଲା ପରିଷଦ ଓ ମଣ୍ଡଳ ପରିଷଦ ନିର୍ବାଚନ । ଆନ୍ଧ୍ର ସରକାର ୪ ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଦଳ ହାଇକୋର୍ଟର ଦ୍ଵାରାସ୍ତ ହୋଇ ଥିଲେ । ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି । ସେହି କ୍ରମରେ କୋଟିଆରେ ବି ଆନ୍ଧ୍ର ନିର୍ବାଚନ କରିଥିବା ବେଳେ କୋଟିଆର ନିର୍ବାଚନ ବେଆଇନ ପ୍ରମାଣିତ ହୋଇଛି  ।

ସୂଚନା ଯୋଗ୍ୟ ଯେ, ଫେବ୍ରୁଆରୀ ୧୩ ତାରିଖରେ  କୋଟିଆ  ପଞ୍ଚାୟତ ଫାଟୁସିନେରୀ ଗାଁରେ ଆରମ୍ଭ ନିର୍ବାଚନ କରାଇଥିଲା ଆନ୍ଧ୍ର ।  ଫାଟୁସିନେରୀ ପାଇଁ ୨ ଜଣ ପ୍ରାର୍ଥୀ ହୋଇଥିବା ବେଳେ  ପୋଲିଂ ବୁଥ ମଧ୍ୟ ସେଠାରେ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି। ଏହାର ପ୍ରାୟ ୧୫ବର୍ଷ ପରେ ୧୯୫୬ ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହୋଇଛି।

ଏଥିସହିତ ପଢ଼ନ୍ତୁ: କୋଟିଆ ବିବାଦ: ଆନ୍ଧ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

୪ ଦିନ ପୂର୍ବେ କରାଇଥିଲେ କରୋନା ଟେଷ୍ଟ: ଆଜି ବାହା ବେଦୀରୁ ଉଠାଇ ନେଲା ପୋଲିସ

ଦିଗପହଣ୍ଡି: ସ୍ଥଗିତ ହେଲା ବାହାଘର, ଫେରିଗଲା କନ୍ୟା । କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଚଢ଼ାଉ କରି ବାହାଘରକୁ ସ୍ଥଗିତ ରଖିଛି ଜିଲ୍ଲା ପ୍ରଶାସନ । ବରକୁ ଆଇସୋଲେସନରେ ପଠାଇବା ସହ କନ୍ୟାକୁ ଘରକୁ ପଠାଇ ଦେଇଛି ସ୍ଥାନୀୟ ପ୍ରଶାସନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଦସେଇପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଘଟଣାନୁଯାୟୀ ବର ଜଣଙ୍କ ଗତ ୧୭ ତାରିଖରେ କରୋନା ଟେଷ୍ଟ କରାଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । କିନ୍ତୁ ଏହା ସତ୍ତ୍ୱେ ପରିବାର ଲୋକେ ତାଙ୍କ ବାହାଘର ପାଇଁ ପ୍ରସ୍ତୁତି ଚଳାଥିଲେ । ଏ ନେଇ ଅନ୍ୟ କାହାକୁ ଅବଗତ ନ କରାଇ ବାହାଘର ରୀତିନୀତି ମଧ୍ୟ ଆରମ୍ଭ କରିଥିଲେ । ତେବେ ଘଟଣା ନେଇ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ବାହାଘରକୁ ସ୍ଥଗିତ ରଖିଛନ୍ତି। ଏବଂ ବର ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେବାର ୩୦ ଦିନ ପରେ ସମ୍ପୂର୍ଣ୍ଣ ପରିବାର କରୋନା ଟେଷ୍ଟ କରାଇ ବାହାଘର କରାଇବା ନେଇ ପରିବାର ଲୋକଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ରଖିଛି ପ୍ରଶାସନ । ତେବେ ବର ଜଣଙ୍କ କରୋନା ରିପୋର୍ଟ ସମ୍ପର୍କରେ କନ୍ୟା ଘର ଲୋକଙ୍କୁ ଅବଗତ ନଥିବା କୁହାଯାଇଛି ।

ସୂଚନା ଥାଉ କି, ଗ୍ରାମାଞ୍ଚଳରେ ଦିନକୁ ଦିନ ସଂକ୍ରମଣ ହାର ବଢ଼ିଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଅବଧି ଜୁନ୍ ୧ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ବାହାଘର ଭୋଜି ନିମନ୍ତେ ୫୦ ଜଣଙ୍କୁ ପୂର୍ବରୁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ କେବଳ ୨୫ ଜଣଙ୍କୁ ନେଇ ଆୟୋଜନ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଏହାସହ ଭୋଜି ଆୟୋଜନକାରୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହାଘର ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ବାହାଘର ସମୟରେ ଭୋଜି ସମ୍ପୂର୍ଣ୍ଣ ବନ୍ଦ ଓ ଅତିଥିଙ୍କୁ ଘରେ ନ ପୁରାଇବା, ଗହଳି ଚହଳି ନକରିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ଖାଦ୍ୟ ପାର୍ସଲ ଦେବାକୁ କୁହାଯାଇଛି । ତଥାପି ମାନୁ ନାହାଁନ୍ତି ଅମାନିଆ । ଯାହାର ଏକ ଉଦାହରଣ ହେଉଛି ସାନଖେମୁଣ୍ଡି ବ୍ଲକ୍ ଦସେଇପୁର ଗାଁ ଘଟଣା ।

ଏଥିସହିତ ପଢ଼ନ୍ତୁ: ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ କରୋନା ସଂକ୍ରମିତ ଚିହ୍ନଟ

ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କରୋନା । ଏଥିସହିତ ପ୍ରଦୀପଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍‌ଏସ୍ ଅଧିକାରୀ ଅଭୟ ପାଠକ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟ ଆଇସୋଲେସନ୍‌ରେ ରହିଛି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଉଭୟ ଠକେଇ ମାମଲାରେ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି । ୨ ଦିନ ତଳେ ଝାରପଡ଼ା ଜେଲରେ ଥିବା ଅନ୍ତେବାସୀଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ୯୬ ଜଣଙ୍କ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ତଳେ ସେମାନଙ୍କୁ ସାମାନ୍ୟ ଜର ଓ ଥଣ୍ଡା ହୋଇଥିଲା । ତେବେ ସେମାନେ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି । ଆଗକୁ ଯଦି ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟେ ତେବେ ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ହେଲା ମୌସୁମୀ ବାୟୁ

ଉପ ଜିଲ୍ଲାପାଳଙ୍କ ବୁଝାସୁଝା ପରେ ୯୮ ଜଣ ଡଙ୍ଗରିଆ କରାଇଲେ କରୋନା ଟେଷ୍ଟ

ରାୟଗଡ଼ା: ଶୁକ୍ରବାର ନିୟମଗିରି ଅଞ୍ଚଳରେ ରହୁଥିବା ଡଙ୍ଗରିଆ ଜନଜାତି ସମ୍ପ୍ରଦାୟର ଲୋକଙ୍କ ହେଲା ସ୍ୱାବ୍ ଟେଷ୍ଟ କରାଯାଇଛି । ସ୍ଥାନୀୟ ବିଡିଓ କାଳୁଚରଣ ନାୟକଙ୍କ ଉପସ୍ଥିତିରେ କାଡ୍ରାକ ବଣ୍ଡେଲି ଓ ପାରାମାଳି ଗାଁର ମୋଟ ୯୮ ଡଙ୍ଗରିଆଙ୍କ କରୋନା ଟେଷ୍ଟ ହୋଇଛି । କିଛି ଦିନ ପୂର୍ବେ ନିୟମଗିରି ଅଞ୍ଚଳରେ କିଛି ଡଙ୍ଗରିଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନ୍ୟ କେହିଁ କେଭିଡ ଟେଷ୍ଟ କରାଇବାକୁ ମନା କରିଦେଇଥିଲେ । କିନ୍ତୁ ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ନିୟମଗିରି ଅଞ୍ଚଳରେ ବୁଝାସୁଝା କରିବାପରେ ସୁନାଖଣ୍ଡି ପଞ୍ଚାୟତର ଡଙ୍ଗରିଆ କନ୍ଧ ମାନେ ସ୍ବାବ ଟେଷ୍ଟ କରିବାକୁ ରାଜି ହୋଇଥିଲେ । ଅନ୍ୟ ଗାଁଗୁଡିକୁ ଅଙ୍ଗନାଡିକର୍ମୀ ଓ ଆଶାକର୍ମୀ ମାନେ ଯାଇ ସ୍ବାବ ଟେଷ୍ଟ କରିବାକୁ ବୁଝାଉଛନ୍ତି । ସ୍ଥାନୀୟ ବିଡିଓ କାଳୁଚରଣ ନାୟକକୁ ପଚାରିବାରୁ ସେ କହିଛନ୍ତି  ଉପଜିଲାପାଳ ଗତ କାଲି ନିୟମଗିରି ଅଞ୍ଚଳର ବୁଝାଇବା ପରେ ଏହି ଦୁଇ ଗାଁ ଲୋକେ ରାଜି ହୋଇଥିବାରୁ ଆଜି ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ସ୍ବାବ ଟେଷ୍ଟ ହୋଇଛି । ବାକି ଗାଁ ଗୁଡିକୁ ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀ ମାନେ ଯାଇ ଘର ଘର ବୁଲି ବୁଝାଉଛନ୍ତି । ଯେଉଁ ଗାଁ ଲୋକେ କୋଭିଡ ଟେଷ୍ଟ କରାଇବା ପାଇଁ ରାଜି ହେବେ ସେଠାକୁ ଯାଇ ସ୍ବାବ ଟେଷ୍ଟ କରାଯିବ ।

ଏଥିସହିତ ପଢ଼ନ୍ତୁ: କରୋନା କବଳରେ ବିରଳ ଜନଜାତି ଡଙ୍ଗରିଆ : ୧୩ ସଂକ୍ରମିତ ଚିହ୍ନଟ

 

ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ହେଲା ମୌସୁମୀ ବାୟୁ

ଭୁବନେଶ୍ୱର: ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ବଙ୍ଗୋପସାଗରରେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଦକ୍ଷିଣ ଆଣ୍ଡାମାନ୍ ଏବଂ ନିକୋବର ଦ୍ୱୀପରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି । ୪୮ ଘଣ୍ଟାରେ ଆହୁରି ଅଗ୍ରସର ହେବ । ଦକ୍ଷିଣପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ।

Monsoon Active Over South Bay Of Bengal

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୩୧ ତାରିଖରେ କେରଳ ଛୁଇଁବା ସମ୍ଭାବନା ରହିଛି । ୨୭ରୁ ଜୁନ୍ ୩ ତାରିଖ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ କେରଳରେ ପହଞ୍ଚିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ନେଇ ଆଲର୍ଟରେ ଓଡ଼ିଶା, ସ୍ଥାନାନ୍ତରଣରେ ସାମିଲ୍ ହେବ ପଞ୍ଚାୟତ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ଆସନ୍ତାକାଲି ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ତାରିଖ ବେଳକୁ ସେଇ ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇ ୨୪ରେ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆଲୋଚନା ହୋଇଛି ।

Probable Cyclone, Low Pressure Area Likely To Form In Bay Of Bengal

୨୬ ତାରିଖ ବେଳକୁ ବାତ୍ୟା ସ୍ଥଳଭାଗମୁହାଁ ହୋଇ ଉତ୍ତର ଓଡ଼ିଶା ଉପକୂଳର୍ବୀ ଅଞ୍ଚଳ ଠାରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ । କିନ୍ତୁ ଏବେ ସୁଦ୍ଧା ଆଇଏମଡି ପକ୍ଷରୁ ବାତ୍ୟା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇନାହିଁ ବୋଲି ଏସଆରସି କହିଛନ୍ତି ।

Probable Cyclone, Low Pressure Area Likely To Form In Bay Of Bengal

ଏହାକୁ ଆଖିରେ ରଖି ଏନଡିଏମ ସବୁ ରାଜ୍ୟକୁ ପ୍ରସ୍ତୁତି ରହିବା ପାଇଁ କହିଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀ ଜିଲ୍ଲାପାଳମାନେ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ପ୍ରସ୍ତୁତ ରଖାଯାଇଛି । ଓଡ୍ରାଫ, ଏନଡିଆରଏଫ ଓ ଫାୟାର ସର୍ଭିସକୁ ପଠାଗଲାଣି । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିମ୍ ଅଛନ୍ତି । ପଞ୍ଚାୟତ ଗୁଡ଼ିକୁ ସାମିଲ୍ କରି ସ୍ଥାନାନ୍ତରଣ ପକ୍ରିୟାକୁ ସଠିକ୍ ସମୟରେ କରିବା, କୌଣସି ଲୋକ ଯେଭଳି କଚ୍ଚା ଘରେ ରହିବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଇଛି । ଆଜି ଠାରୁ ସମୁଦ୍ର ମଧ୍ୟ ଭାଗକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

Probable Cyclone, Low Pressure Area Likely To Form In Bay Of Bengal

ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି । ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ନିଜ ନିଜର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ । ହାଇମାକ୍ସ ଲାଇଟକୁ ତଳକୁ ଖସାଯିବ । ବାତ୍ୟାର କ୍ଷୟକ୍ଷତିକୁ ରୋକିବା ପାଇଁ ସମସ୍ତ ସହରାଞ୍ଚଳରେ ଏହଭଳି କରିବା ପାଇଁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିଜ୍ଞାପନ ବୋର୍ଡ ଖୋଲିବା ପାଇଁ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନଖୋଲନ୍ତି ମ୍ୟୁନିସିପାଲଟି ଖୋଲି ଦେବ ।