spot_img
Home Blog Page 5640

ଫାଇନାନ୍ସିଆଲ ଏକ୍ସପ୍ରେସ ସମ୍ପାଦକ ସୁନିଲ ଜୈନଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: ଫାଇନାନ୍ସିଆଲ ଏକ୍ସପ୍ରେସ ମ୍ୟାନେଜିଂ ଏଡିଟର ସୁନିଲ ଜୈନଙ୍କର କରୋନା ସଂକ୍ରମଣ କାରଣରୁ ଶନିବାର ଦିନ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ସୁନିଲଙ୍କୁ ୫୮ ବର୍ଷ ହୋଇଥିଲା । ନୂଆଦିଲ୍ଲୀ ଏମ୍ସରେ ସେ ଚିକିତ୍ସିତ ହେଉଥିଲେ । ମେ’ ୩ ତାରିଖରେ ତାଙ୍କ ସ୍ଥିତି ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୁନିଲଙ୍କ ଭଉଣୀ ସଂଧ୍ୟା ଟ୍ୱିଟ୍ କରି ଏସଂପର୍କରେ ସୂଚନା ଦେଇଛନ୍ତି । ସନ୍ଧ୍ୟାଙ୍କ ଅନୁସାରେ ସୁନିଲ କରୋନାରୁ ସୁସ୍ଥ ହୋଇ ଘରେ ଥିଲେ । ତେବେ ଶନିବାର ଦିନ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ଏମ୍ସ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ଉଦ୍ୟମରୁ ସେ ଠିକ୍ ହୋଇଥିଲେ କିନ୍ତୁ ରାତି ୮.୩୦ରେ ଦ୍ୱିତୀୟ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନିଲ ଜୈନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ, ଭାରତ ଜଣେ ଉତ୍ତମ ସାମ୍ବାଦିକଙ୍କୁ ହରାଇଛି । ମୁଁ ତୁମର ନିବନ୍ଧର ଅଭାବ ଅନୁଭବ କରିବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସୁନିଲ ଜୈନଙ୍କ ପରଲୋକରେ ଶୋକବ୍ୟକ୍ତ କରି ଟ୍ୱିଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ଲକଡାଉନ ଓ ସଟଡାଉନ ଯୋଗୁଁ ରାଜ୍ୟରେ ୪୦ ପ୍ରତିଶତ କମିଲା ବ୍ୟବସାୟ

ଭୁବନେଶ୍ୱର: ରାଜ୍ୟରେ କମିଲା ବ୍ୟବସାୟ । ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁ କମିଲା ବ୍ୟବସାୟ । ମୋଟ୍‌ ବ୍ୟବସାୟର ୪୦ ପ୍ରତିଶତ କମିଥିବା ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି । ପୂର୍ବରୁ ମାସିକ ୧୨ ହଜାର କୋଟି ଟର୍ଣ୍ଣଓଭର ଥିଲା । ଏବେ ଏହା କମି ୮ ହଜାର କୋଟି ଟଙ୍କାରେ ପହଞ୍ଚିଛି । ବ୍ୟବସାୟୀ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଲୋକଙ୍କ କ୍ରୟ ଶକ୍ତି କମିବାରୁ କମିଛି ବ୍ୟବସାୟ ।

ବ୍ୟବସାୟ କମିବାରୁ ସରକାରଙ୍କ ରାଜସ୍ୱ ମଧ୍ୟ କମିଛି । ହଷ୍ଟେଲ, ହୋଟେଲ, ସାମାଜିକ କାର୍ଯ୍ୟକ୍ରମ ବନ୍ଦ ପାଇଁ ବିକ୍ରି ହେଉନି ଅତ୍ୟାବଶ୍ୟକ ସାମଗ୍ରୀ । କ୍ଷୁଦ୍ର ବ୍ୟବସାୟୀ ସରକାରଙ୍କ ଆର୍ଥିକ ସହାୟତା ପାଇ ବର୍ତ୍ତିଯାଇଛନ୍ତି । ମଧ୍ୟ ବ୍ୟବସାୟୀ ଙ୍କ ଆର୍ଥିକ ସ୍ଥିତି ବିଗିଡିଛି । ବ୍ୟାଙ୍କରୁ ଋଣ ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀ ଘାଟାରେ ପଡିଛନ୍ତି । କଟକଣା ବଳବତ୍ତର ପର୍ଯ୍ୟନ୍ତ ଋଣ ଛାଡ କରିବାକୁ ବ୍ୟବସାୟୀ ସଂଘ ଦାବି କରିଛି । ଏନେଇ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଆଲୋଚନା କରନ୍ତୁ ବୋଲି ସଂଘ କହିଛି ।

ରାଜ୍ୟରେ ପର୍ଯ୍ୟାପ୍ତ ଅତ୍ୟାବଶ୍ୟକ ଜିନିଷ ମହଜୁଦ ଅଛି । ବାହାରୁ ଆମଦାନୀ ହେଉଥିବାରୁ ଖାଇବା ତେଲ ଦର ଅହେତୁକ ବୃଦ୍ଧି ହୋଇଛି । ଅନ୍ୟାନ୍ୟ ସାମଗ୍ରୀ ଦର ନିୟନ୍ତ୍ରଣରେ ରହିଛି । ତେବେ କରୋନାକୁ ନେଇ ଆସୁଥିବା ସବୁ ଗୁଜବକୁ ବିଶ୍ୱାସ ନକରିବା ସହ କାହା କଥାରେ ପ୍ୟାନିକ ନହେବାକୁ ଅପିଲ କଲା ରାଜ୍ୟ ବ୍ୟବସାୟୀ ମହାସଂଘ ।

ଘରେ ବିଲେଇ ପଶିବାରୁ ବିଲେଇକୁ ପିଟି ବଞ୍ଚିଥିବା ଅବସ୍ଥାରେ କୁକୁର ମୁହଁକୁ ଫିଙ୍ଗିଦେଲେ

ଭୁବନେଶ୍ୱର: ରାଜଧାନୀରେ ମଣିଷ ଭୁଲିଲା ମାନବିକତା । ଘରେ ବିଲେଇ ପଶିବାରୁ ବିଲେଇକୁ ପିଟିବା ସହ ବଞ୍ଚିଥିବା ଅବସ୍ଥାରେ କୁକୁର ମୁହଁକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଭୁବନେଶ୍ୱରର ପ୍ରଶାନ୍ତ ବିହାର ଅଂଚଳରେ ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ବିଲେଇକୁ ବ୍ୟକ୍ତି ଜଣକ ବାଡାଉଥିବା ବେଳେ ସିସିଟିଭିରେ କଏଦୀ ହୋଇଥିଲା ଏହି ଦୃଶ୍ୟ ।

 

ମୟୂରଭଞ୍ଜ: କରୋନା ମୃତକଙ୍କ ଶବଦାହକୁ ନେଇ ଉତ୍ତେଜନା, ପୋଲିସ- ଗ୍ରାମବାସୀ ମୁହାଁମୁହିଁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ସୁନାରିପୋଷିରେ ପୋଲିସ -ଗ୍ରାମବାସୀ ମୁହାଁମୁହିଁ । କରୋନା ମୃତକଙ୍କ ଶବଦାହ କରିବାକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନାମୂଳକ ପରିସ୍ଥିତି । ପ୍ରଶାସନିକ ଅଧିକାରୀ ଏବଂ ପୋଲିସକୁ ଲୋକ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଭିଡିଓ ଭାଇରାଲ ହୋଇଛି । ଭିଡିଓ ଆଧାରରେ ନିଜଆଡୁ ମାମଲା ରୁଜୁ କରି ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗିରଫ ଭୟରେ ସୁନାରିପୋଷି ଏବଂ କେଲପସି ଗାଁ ଜନଶୂନ୍ୟ ହୋଇପଡ଼ିଛି । ସୂଚନା ଅନୁସାରେ ହାଣ୍ଡିଫୁଟା ଗାଁର ଜଣେ ବୃଦ୍ଧାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଯାଇଥିଲା। ସେଠାରେ ବୃଦ୍ଧାଙ୍କର କୋଭିଡ୍‌ ପରୀକ୍ଷା ହୋଇଥିଲା ଏବଂ କିଛି ସମୟ ପରେ ସେ ପ୍ରାଣ ହରାଇଥିଲେ। ମୃତଦେହକୁ ସତ୍କାର ପାଇଁ ପାଖ ଗାଁ ସୁନାରିପୋଷିକୁ ନେଇଥିଲା ପ୍ରଶାସନ । ସେଠାରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେବାକୁ ପଡିଥିଲା ପ୍ରଶାସନିକ ଓ ପୋଲିସ କର୍ମଚାରୀଙ୍କୁ । ଠାକୁରମୁଣ୍ଡା ଥାନା ଅଧିକାରୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ବିଡିଓ ଏବଂ ତହସିଲଦାର ମଧ୍ୟ ଆକ୍ରମଣ ଶିକାର ହୋଇଛନ୍ତି ।

୨ଦିନ ଭିତରେ ବ୍ରହ୍ମପୁରରେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ୍ ପ୍ଲାଣ୍ଟ

ବ୍ରହ୍ମପୁର: ୨ଦିନ ଭିତରେ ବ୍ରହ୍ମପୁରରେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଏମ୍‌କେସିଜିରେ ଲିକ୍ୟୁଇଡ୍‌ ଅକ୍ସିଜେନ ପ୍ଲାଣ୍ଟର କାମ ସରିଛି । ସିଧାସଳଖ ପାଇପ୍‌ ଯୋଗେ ଅକ୍ସିଜେନ୍ ଯୋଗାଇଦିଆଯିବ । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ବିଭିନ୍ନ ସ୍ଥାନକୁ ୨ ହଜାର ସିଲିଣ୍ଡର ଯୋଗାଇ ଦିଆଯାଇପାରିବ । ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଲିକ୍ୟୁଇଡ ଅକ୍ସିଜେନ୍ ପ୍ଲାଣ୍ଟ ହେବ ବୋଲି ଏସିଏସ୍ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ରାଜ୍ୟରେ ଅକ୍ସିଜେନ୍ ଅଭାବ ଦୂର କରିବାରେ ଏହି ପ୍ଲାଣ୍ଟ ସହାୟକ ହେବ । ସେହିପରି କେନ୍ଦ୍ର ସରକାର ଅକ୍ସିଜେନ୍ ଉତ୍ପାଦନ ପ୍ଲାଣ୍ଟ କରିବାକୁ ଯେଉଁ ପ୍ରସ୍ତାବ ମାଗିଥିଲେ ସେନେଇ ରାଜ୍ୟ ସରକାରଙ୍କ କେନ୍ଦ୍ରକୁ ତାଲିକା ପଠାଇଛନ୍ତି । ୩୦ଟି ଜିଲ୍ଲା, ଆଇଜିଏଚ୍, କ୍ୟାପିଟାଲ ହସ୍ପିଟାଲ ଓ ୮ ମେଡିକାଲ କଲେଜକୁ ମିଶାଇ ମୋଟ୍ ୪୦ଟି ସ୍ଥାନରେ ଅକ୍ସିଜେନ୍ ଉତ୍ପାଦନ ପ୍ଲାଣ୍ଟ କରିବା ପାଇଁ କେନ୍ଦ୍ରକୁ ରାଜ୍ୟ ତାଲିକା ଦେଇଛି ।

ଚଳଚଞ୍ଚଳ ପୁରୀ ରଥଖଳା: ଆରମ୍ଭ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ

ପୁରୀ: ଚଳଚଞ୍ଚଳ ହୋଇଛି ପୁରୀ ରଥଖଳା । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଆଜି ପ୍ରାଥମିକ ପର୍ଯ୍ୟାୟରେ ୨୭ ଜଣ ସେବାୟତ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେମାନଙ୍କ ରହିବା ପାଇଁ ଭକ୍ତ ନିବାସରେ ବ୍ୟବସ୍ଥା କରାଯାଇଛି । ଗତକାଲି ଅକ୍ଷୟ ତୃତୀୟ ଅବସରରେ ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା ।

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ମଣି ବିମାନରେ ମଦନ ମୋହନ, ରାମକୃଷ୍ଣ ଓ ପଞ୍ଚ ମହାବୀର ସ୍ୱତନ୍ତ୍ର ପଟୁଆରରେ ଶ୍ରୀମନ୍ଦିରରୁ ଆସି ରଥଖଳାରେ ପହଞ୍ଚିଛନ୍ତି । ପୂର୍ବରୁ ରଖାଯାଇଥିବା ତିନି ରଥର ତିନିଖଣ୍ଡ କାଠରେ ଆଜ୍ଞା ମାଳ ଲାଗି ହେବା ପରେ ପଞ୍ଚପଚାରରେ ସୁନା କୁରାଢ଼ିରେ ସ୍ୱତନ୍ତ୍ର ନୀତିରେ ରଥ ନିର୍ମାଣର ଶୁଭାରମ୍ଭ ହୋଇଛି ।

ପରେ ରଥ ନିର୍ମାଣରେ ସଂପୃକ୍ତ ସେବାୟତଙ୍କୁ ଶାଢ଼ି ବନ୍ଧା ଯାଇଛି । ଭୋଇ ସେବକମାନେ ମହାପ୍ରସାଦ ଓ ନଡ଼ିଆ ରଖି ଶାବଳ ପୂଜା କରିଥିଲେ । ରଥ ନିର୍ମାଣ ଅନୁକୂଳ ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ନରେନ୍ଦ୍ର ପୁଷ୍କରିଣୀ ଯାଏଁ ୧୪୪ ଧାରା ଜାରି କରାଯାଇଛି ।

ରାଜ୍ୟରେ ସୁଟିଂ ଉପରେ ଲାଗିଲା କଟକଣା, ଫିଲ୍ମ ଓ ସିରିଅଲ ସୁଟିଂ ପାଇଁ ଆଉ ମିଳିବନି ଅନୁମତି

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ସୁଟିଂ ଉପରେ ଲାଗିଲା କଟକଣା । ଫିଲ୍ମ ଓ ସିରିଏଲ ସୁଟିଂ ପାଇଁ ଆଉ ମିଳିବନି ଅନୁମତି । ଉଭୟ ଆଉଟଡୋର୍ ଓ ଇନଡୋର୍ ସୁଟିଂ ଉପରେ କଟକଣା ଲାଗିଛି । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏସ୍‌ଆରସିଙ୍କ ପକ୍ଷରୁ ଚିଠି ଜାରି ହୋଇଛି । ଗତବର୍ଷ ମଧ୍ୟ କରୋନା କାରଣରୁ ସବୁ ପ୍ରକାର ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ କରାଯାଇଥିଲା । ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ରାଜ୍ୟରେ ଫିଲ୍ମ ଏବଂ ସିରିଏଲ ସୁଟିଂ ଉପରେ କଟକଣା ଜାରି କରାଯାଇଛି ।

ସେହିପରି ରାଜ୍ୟରେ କରୋନା ସଂକ୍ରମଣ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଆଜି ରାଜ୍ୟରେ ଆଉ ୧୧ହଜାର ୭୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୧୯ଜଣଙ୍କ ଜୀବନ ନେଇଛି କରୋନା । କ୍ୱାରେଣ୍ଟାଇନରୁ ୬୫୬୯ ଲୋକାଲ କେସ୍ ୫୧୬୩ । ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୮୭୦, ଅନୁଗୁଳରୁ ୭୦୦, ସୁନ୍ଦରଗଡ଼ରୁ ୬୪୧ ସଂକ୍ରମିତ ଚିହନଟ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୧୨ହଜାର ୨୨୪ ଥିବା ବେଳେ ସୁସ୍ଥ ହେଲେଣି ୫ଲକ୍ଷ ୨ହଜାର ୪୫୫ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସହ ତାଳ ଦେଇ ବଢିଚାଲିଛି ସୁସ୍ଥ ସଂଖ୍ୟା । ଦୈନିକ ପ୍ରାୟ ୧୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ସମାନ ଅନୁପାତରେ ବଢିଚାଲିଛି । ରାଜ୍ୟରେ ୫ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ଅଧିକ ଟେଷ୍ଟିଂ କରାଯାଉଥିବାରୁ ଅଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଉଛି । ରାଜ୍ୟରେ ସଂକ୍ରମଣ ଏବେ ପ୍ଲାଟ୍ୟୁ ଷ୍ଟେ୍‌ଜରେ ରହିଛି । ତେବେ ଲକ୍‌ଡାଉନ୍‌ ହଟାଗଲେ ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ପାରା ଧରିବାକୁ ଯାଇ ପୋଡ଼ିଗଲେ ନାବାଳକ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ପାରା ଧରିବାକୁ ଯାଇ ପୋଡ଼ିଗଲେ ନାବାଳକ । ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନର ଇଲେକ୍ଟ୍ରି ଖୁଣ୍ଟରେ ଲାଗିଯାଇ ନାବାଳକ ଜଣକ ପୋଡ଼ି ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ନାବାଳକ ଜଣକ ଷ୍ଟେସନରେ ଥିବା ଓଭରବ୍ରିଜ ଉପରେ ଚଢି ପାର ଧରୁଥିଲେ । ପାରା ଧରିବା ସମୟରେ ଟ୍ରେନ ଉପରେ ଲାଗିଥିବା ହାଇ ଭୋଲଟେଜ କରେଣ୍ଟ ଲାଗି ପୋଡ଼ି ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ତାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ନାବାଳକ ଜଣଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି ।

ନାବାଳକ ଜଣଙ୍କ ରେଳ ଷ୍ଟେସନ ଉପରେ ଚଢ଼ି ପାରା ଧରିବାକୁ ଉଦ୍ୟମ କରୁଥିଲେ । ଠିକ ସେତିକି ବେଳେ ବଗି ଉପର ଦେଇ ଯାଇଥିବା ହାଇଭେଲଟେଜ ତାର ସଂସ୍ପର୍ଶରେ ଆସି ନାବାଳକ ଜଣଙ୍କ ପୋଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୧୧ହଜାର ୧୭୦ କରୋନା ପଜିଟିଭ ଚିହ୍ନଟ, ୪୦୭୭ ମୃତ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୧୧ହଜାର ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪ହଜାର ୭୭ଜଣ ସଂକ୍ରମିତଙ୍କ ଜୀବନ ନେଇଛି ଭାଇରସ୍ । ଦିନକରେ ୩ଲକ୍ଷ ୬୨ହଜାର ୪୩୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ରାନ୍ତହ୍କ ସଂଖ୍ୟା ୨କୋଟି ୪୬ଲକ୍ଷ ୮୪ହଜାର ୭୭, ମୋଟ୍ ସୁସ୍ଥ ହେଲେଣି ୨କୋଟି ୭ଲକ୍ଷ ୯୫ହଜାର ୩୩୫ । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ୭୦ହଜାର ୨୮୪ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩୬ଲକ୍ଷ ୧୮ହଜାର ୪୫୮ । ଦେଶରେ ୧୮କୋଟି ୨୨ଲକ୍ଷ ୨୦ହଜାର ୧୬୪ଜଣଙ୍କୁ ଟିକାକରଣ କରାଗଲାଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଲିଛି ।

ଦେଶରେ କରୋନା ସଙ୍କଟ ଉତ୍କଟ ହେଉଥିବା ଦେଖି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ସ୍ୱାଧୀନତା ପରେ କରୋନା ମହାମାରୀ ଦେଶ ପାଇଁ ସବୁଠୁ ବଡ଼ ଆହ୍ୱାନ ବୋଲି କହିଛନ୍ତି ରଘୁରାମ ରାଜନ । ସେ ଏହା ମଧ୍ୟ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକଙ୍କୁ ସାହାଯ୍ୟ କରୁନାହାନ୍ତି ସରକାର । ମହାମାରୀ ଭାରତ ପାଇଁ ବହୁତ ବଡ ଦୁଃଖଦ ଘଟଣା । ମହାମାରୀ ସମୟରେ ତାଲାବନ୍ଦ ପାଇଁ ଦେଶର ଅର୍ଥନୈତିକ ବ୍ୟବସ୍ଥା ଠିକ୍ ନଥିଲା । କିନ୍ତୁ ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଖାଦେଇଛି, ଏଥପାଇଁ ଉଭୟ ଅର୍ଥନୈତିକ ସହ ଜୀବନ ଜୀବିକା ଦୁଇଟି ଯାକ ପ୍ରଭାବିତ ହୋଇଛି ।

ଦେଶରେ ପ୍ରତିଦିନ ୩ ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରାଯାଉଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ଅନେକ କ୍ଷେତ୍ରରେ ସହଯୋଗ କରୁନଥିବାରୁ ଦେଶରେ ଦେଶରେ ଉତ୍କଟ ରୂପ ନେଉଛି ମହାମାରୀ ।

କେନ୍ଦୁଝରରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସତ୍ୟପାଳ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ହେଲେ ଦୁଃଖୀ ପାତ୍ର । ସୂଚନା ଅନୁସାରେ, ଗତକାଲି ରାତିରେ ଉଭୟ ସ୍ୱାମୀ ସ୍ତ୍ରୀ ଖାଇସାରି ଶୋଇଥିଲେ । ପରେ ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଉତକ୍ଷୀପ୍ତ ହୋଇ ସ୍ୱାମୀ ବିମ୍ବାଧର ପାତ୍ର ତାଙ୍କ ସ୍ତ୍ରୀ ଦୁଃଖୀ ପାତ୍ରକୁ ପିଟିପିଟି ହତ୍ୟା କରିଥିଲା । ପଡୋଶୀ ଲୋକ ମହିଳା ଜଣଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହରିଚନ୍ଦନପୁର ପୋଲିସ୍ ଅଭିଯୁକ୍ତ ବିମ୍ବାଧରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।