spot_img
Home Blog Page 5682

ଲକଡାଉନରେ ରେଲୱେ ଷ୍ଟେସନରୁ ସଟଲ୍ ସେବା ଯୋଗାଇବ ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତାକାଲି ବୁଧବାର ଠାରୁ ରାଜ୍ୟବ୍ୟାପୀ ୧୪ ଦିନିଆ ଲକଡାଉନ୍ ଆରମ୍ଭ ହେଉଛି । ଏହି ସମୟରେ ନିୟମିତ ‘ମୋ ବସ୍’ ସେବା ବନ୍ଦ ରହିବ । ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମେ’ ୫ ତାରିଖ ଠାରୁ ମେ’ ୧୯ ତାରିଖ ଯାଏ ‘ମୋ ବସ୍’ର ନିୟମିତ ସେବା ବନ୍ଦ ରହିବ ।

ଏହି ସମୟରେ ରେଲୱେ ଷ୍ଟେସନରେ ଓହ୍ଲାଉଥିବା ଯାତ୍ରୀଙ୍କ ଲାଗି ସେବା ଯୋଗାଇ ଦେବ ‘ମୋ ବସ୍’ । କଟକ ଓ ଖୋର୍ଦ୍ଧା ରେଲୱେ ଷ୍ଟେସନରୁ ‘ମୋ ବସ୍’ ସେବା ଜାରି ରହିବ । ଏଥିସହ ଏୟାରପୋର୍ଟରୁ ରେଲୱେ ଷ୍ଟେସନ୍ ଯାଏ ସଟଲ୍ ସେବା ‘ମୋ ବସ୍’ ଯୋଗାଇ ଦେବ ।

ତେବେ, ବସରେ କେହି ବିନା ମାସ୍କରେ ଚଢ଼ି ପାରିବେ ନାହିଁ । କେହି ଯାତ୍ରୀ ମଧ୍ୟ ଛିଡ଼ା ହୋଇ ଯାଇପାରିବେ ନାହିଁ ବୋଲି କ୍ରୁଟ୍ ସ୍ପଷ୍ଟ କରିଛି । ବସରେ ଯାତାୟତ ବେଳେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରିବାକୁ କୁହାଯାଇଛି ।

କରୋନା ପାଇଁ JEE ମେନ୍ ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ JEE ମେନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ମେ’ ମାସର ସେସନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏପ୍ରିଲ ସେସନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏନଟିଏ କହିଛି ଯେ ଫେବୃଆରୀ ଏବଂ ମାର୍ଚ୍ଚରେ ଜେଇଇ-ମେନ ପରୀକ୍ଷା ହୋଇଛି।  ଗତ ଏପ୍ରିଲ୍ ୨୭, ୨୮ ଏବଂ ୩୦ରେ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏବେ କରୋନା ପରିସ୍ଥିତି ଆହୁରି ଖରାପ ହୋଇଥିବାରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ସଂକ୍ରମଣକୁ ଦେଖି ୫ଟି ଟ୍ରେନକୁ ରଦ୍ଦ କଲା ରେଲୱେ

ଭୁବନେଶ୍ୱର: ମହାମାରୀ କୋଭିଡ୍ ପାଇଁ ଚାଲୁଥିବା ୫ ଯୋଡ଼ା ବିଶେଷ ଟ୍ରେନକୁ ବାତିଲ୍ କରାଯାଇଛି । ଯାତ୍ରୀ ନହେବା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି କଟକଣା ପାଇଁ ପୂର୍ବତଟ ରେଳପଥ ୫ଟି ଟ୍ରେନକୁ ବାତିଲ୍ କରିଛି ।

ଟ୍ରେନ୍ ନମ୍ବର 08417/08418 ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ୍ ପୁରୀରୁ ମେ’ ୫ ତାରିଖ ଠାରୁ ଏବଂ ଗୁଣୁପୁରରୁ ମେ ୬ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ ।

ଟ୍ରେନ୍ ନମ୍ବର 08303/08304 ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ୍ ଉଭୟ ପାର୍ଶ୍ୱରୁ ମେ ୫ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ ।

ଟ୍ରେନ୍ ନମ୍ବର 08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ ମେ ୫ ଠାରୁ ଏବଂ ଦୁର୍ଗରୁ ମେ ୬ ଠାରୁ ପରବର୍ତ୍ତୀ ଆଦେଶ  ପର୍ଯ୍ୟନ୍ତ ବାତିଲ୍ କରାଯାଇଛି ।

ଟ୍ରେନ୍ ନମ୍ବର 09371/09372 ଇନ୍ଦୋର-ପୁରୀ-ଇନ୍ଦୋର ସ୍ପେଶାଲ୍ ଇନ୍ଦୋରରୁ ମେ ୪ ଠାରୁ ଏବଂ ପୁରୀରୁ ମେ ୬ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ହୋଇଛି ।

ଟ୍ରେନ୍ ନମ୍ବର 02204/02203 ସିକନ୍ଦରାବାଦ-ଭିଶାଖାପାଟ୍ଟଣମ-ସିକନ୍ଦରାବାଦ ସ୍ପେଶାଲ୍ ସିକନ୍ଦରାବାଦ ଠାରୁ ମେ ୩ ତାରିଖରୁ ଏବଂ ଭିଶାଖାପାଟ୍ଟଣମ ଠାରୁ ମେ ୪ରୁ ଜୁନ୍ ୧ ତାରିଖ ଯାଏ ବାତିଲ୍ କରାଯାଇଛି ।

ଏଥିସହ ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଟ୍ରେନ ନମ୍ବର 07030/07029 ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ ବିଶେଷ ଟ୍ରେନ ସିକନ୍ଦରାବାଦରୁ ମେ ୯ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ସକାଳ ୯ଟା ୩୦ରେ ଛାଡ଼ିବ । ଫେରିବା ମାର୍ଗରେ ଏହା ଗୌହାଟୀ ଠାରୁ ମେ ୧୨ରୁ ଜୁନ୍ ୨ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୬ଟା ୪୫ମିରେ ଛାଡ଼ିବ । ଏହି ଟ୍ରେନ୍ ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କ ସହିତ ପୂର୍ବତଟ ପରିସୀମା ମଧ୍ୟରେ ଉଭୟ ପାର୍ଶ୍ୱରୁ ବିଶାଖାପାଟ୍ଟଣମ୍, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଏବଂ ଭଦ୍ରକ ଷ୍ଟେସନ ଠାରେ ରହଣି କରିବ ।

ଏହା ବ୍ୟତୀତ, ରେଳବାଇ ପକ୍ଷରୁ ମହୀଶୂର ଓ ଭାସ୍କୋ-ଡା-ଗାମା ଠାରୁ ଦାନାପୁରକୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ଟ୍ରେନ୍ ନମ୍ବର 07313 ଭାସ୍କୋ-ଡା-ଗାମା-ଦାନପୁର ସ୍ପେଶାଲ୍ ମେ ୬ରୁ ଭାସ୍କୋ-ଦା-ଗାମା ଠାରୁ ପୂର୍ବାହ୍ନ ୧୧ ଘଟିକାରେ ଛାଡ଼ିବାକୁ ଥିବାବେଳେ 06216 ମହୀଶୂର-ଦାନପୁର ସ୍ପେସିଆଲ ମହୀଶୂର ଠାରୁ ମେ ୬ରୁ ଦିନ ପୂର୍ବାହ୍ନ ୧୧ ଘଟିକାରେ ଦାନପୁରକୁ ଯାତ୍ରା କରିବ ।

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକୁ ନେଇ ଚିନ୍ତାପ୍ରକଟ କଲେ ମୋଦି: ରାଜ୍ୟପାଳଙ୍କୁ କଲେ ଫୋନ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚଳ ଫଳାଫଳ ଆସିବା ପରେ ହିଂସା ଜାରି ରହିଛି । ରାଜ୍ୟର ଅନେକ ସ୍ଥାନରେ ଭଙ୍ଗାରୁଜା କରିବା ସହ ହିଂସା ହେଉଥିବାର ଦେକିବାକୁ ମିଳିଛି । ତେବେ ଏନେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏ ସମ୍ପର୍କରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦିପ ଧନଖଡ଼ଙ୍କ ସହ କଥା ହୋଇଛନ୍ତି।

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ମଙ୍ଗଳବାର ଅପରାହ୍ନରେ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନରେ କଥା ହୋଇ ବଙ୍ଗଳା ହିଂସାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।

ଆପଣଙ୍କୁ କହି ରଖୁଛୁ ଯେ ଆସନ୍ତା ୨ ତାରିଖ ରବିବାର ଦିନ ପଶ୍ଚିମବଙ୍ଗରେ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି, ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି। ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ଭଙ୍ଗାରୁଜା, ଅଗ୍ନିକାଣ୍ଡ, ଲୁଟ୍, ବଳାତ୍କାର ଓ ହତ୍ୟା ଅଭିଯୋଗ ଆସିଛି।

https://twitter.com/jdhankhar1/status/1389496563916025857?s=20

ବିଜେପି ଅଭିଯୋଗ କରିଛି ଯେ ନିର୍ବାଚ ଫଳ ପ୍ରକାଶ ପାଇବା ପରେ ନନ୍ଦିଗ୍ରାମ, କୋଲକାତା, ଆସନସୋଲ ପ୍ରଭୃତି ସ୍ଥାନରେ ତାଙ୍କ ସମର୍ଥକଙ୍କ ଦୋକାନରେ ଲୁଟ କରାଯାଇଛି, ଘରେ ନିଆଁ ଲଗାଇଦିଆଯାଇଛି। କେବଳ ଏତିକି ନୁହେଁ ମହିଳା ସମର୍ଥଙ୍କ ସହ ଦୁଷ୍କର୍ମ ମଧ୍ୟ କରାଯାଇଛି। ଏହାବ୍ୟତୀତ କିଛି ବିଜେପି କର୍ମୀଙ୍କ ହତ୍ୟା ବି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଅନ୍ୟପଟେ ଟିଏମସି ମଧ୍ୟ ଅଭିଯୋଗ କରିଛି ଯେ ତାଙ୍କ ଦଳର କର୍ମୀମାନଙ୍କୁ ତ୍ରିନାଥ କଂଗ୍ରେସ ମଧ୍ୟ ଟାର୍ଗେଟ କରାଯାଇଛି ଏବଂ ସେମାନଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି ।

ତେବେ ପଶ୍ଚିବଙ୍ଗରେ ଚାଲିଥିବା ଏହି ହିଂସା ମଧ୍ୟରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖିବାକୁ ଦାବି କରିଛି। ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି ଯେ ହିଂସା ବନ୍ଦ ନହେବା ପର୍ଯ୍ୟନ୍ତ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ନ କରିବାକୁ ବିଜେପି ରାଜ୍ୟପାଳ ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି।

ଭିଡ଼ ବଢ଼ାଇଲା ଦର, ୩୦ ତଳେ ନାହିଁ କୌଣସି ପନିପରିବା

ଭୁବନେଶ୍ୱର: ଲକଡାଉନ ପୂର୍ବରୁ ଆକାଶ ଛୁଆଁ ହେଲା ପରିବା ଦର । ଗତକାଲି ଅପେକ୍ଷା ଆଜି ସବୁ ପରିବାର ଦର ବୃଦ୍ଧି ହୋଇଛି । ରାଜଧାନୀର ପ୍ରତି ହାଟରେ ଭିନ୍ନ ଭିନ୍ନ ଦର ଦେଖିବାକୁ ମିଳିଛି । ଭୁବନେଶ୍ୱର ଏକ ନମ୍ବର ହାଟରେ ବିଭିନ୍ନ ପନିପରିବାର ଦର ଯେତିକି ରହିଛି ଚାରି ନମ୍ବର ହାଟରେ ଦର ତା’ଠୁ ଦୁଇଗୁଣା । ସେହିପରି ଗାନ୍ଧି ମାର୍କେଟରେ ମଧ୍ୟ ଦର ଉଚ୍ଚା ରହିଛି । ଆସନ୍ତାକାଲି ଠାରୁ ରାଜ୍ୟରେ ଲକଡାଉନ ଆରମ୍ଭ ହେବାକୁ ଥିବାରୁ ଲୋକମାନେ ଆଜି ବଜାରରେ ଅତ୍ୟଧିକ ଭିଡ଼ କରି ପନିପରିବା କିଣି ନେଇଛନ୍ତି ।

Vegetable Rates Increased In City Before Day Of Lockdown

ଘରେ ଯେତିକି ଆବଶ୍ୟକ ତା’ଠାରୁ ଯଥେଷ୍ଟ ଅଧିକ ନେଇ ମହଜୁଦ୍ ରଖିଛନ୍ତି । କମ୍ ଆମଦାନୀ ସାଙ୍ଗକୁ ଅଧିକ ବିକ୍ରିକୁ ଦେଖି କେତେକ ନ୍ୟସ୍ତ ସ୍ବାର୍ଥ ବ୍ୟବସାୟୀ ଫାଇଦା ଉଠାଇ କଳାବଜାରୀ କରିବା ଦେଖିବାକୁ ମିଳିଛି । ଏହାକୁ ନେଇ ବ୍ୟବସାୟୀ ସଂଘ କହିଛି ମାର୍କେଟ ଉପରେ ନିୟନ୍ତ୍ରଣ ରହିଛି । କିନ୍ତୁ ଗଳିକନ୍ଦିରେ କିଏ କଞ୍ଚା ପରିବା ଅଧିକ ଦରରେ ବିକ୍ରି କଲେ ସେମାନଙ୍କ ଉପରେ ରୋକ୍ ଲଗାଇବା ଅସମ୍ଭବ ।

Vegetable Rates Increased In City Before Day Of Lockdown

ଆଜି ରାଜଧାନୀରେ ବାଇଗଣ କେଜି ପିଛା ୫୦ ଟଙ୍କା, କାକୁଡି ୬୦ ଟଙ୍କା, ପୋଟଳ ୧୦୦ ଟଙ୍କା, ଭେଣ୍ଡି ୬୦ ଟଙ୍କା, ଗାଜର ୬୦ ଟଙ୍କା, ଟମାଟୋ ୩୦ ଟଙ୍କା, କଲରା ୬୦ ଟଙ୍କା, ଅମୃତ ଭଣ୍ଡା ୪୦ ଟଙ୍କା, ବନ୍ଧା କୋବି ୬୦ ଟଙ୍କା, ଆଳୁ ୧୮ ଟଙ୍କା, ପିଆଜ ୨୫ ଟଙ୍କା, ଝୁଡୁଙ୍ଗ ୬୦ ଟଙ୍କା, ବିନ୍ସ ୬୦ ଟଙ୍କା, ସଜନା ଛୁଇଁ ୮୦ ଟଙ୍କା,  ଫୁଲକୋବି ଗୋଟା ୫୦ ଟଙ୍କା ରହିଛି ।

ଅନଲାଇନ୍ ପାଠପଢ଼ା ଯୋଗୁଁ କମିଛି ସ୍କୁଲ୍ ଖର୍ଚ୍ଚ, ଫି’ କମାଇବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ସ୍କୁଲ୍ ଖୋଲୁନାହିଁ । ଏବେ ଅନଲାଇନ୍ କ୍ଲାସ୍ ଚାଲିଛି । ଏହାରି ଭିତରେ ଅଭିଭାବକଙ୍କ ପାଇଁ ଆଶ୍ୱସ୍ତିର ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ସ୍କୁଲ୍ ବନ୍ଦ ରହିଛି । କ୍ୟାମ୍ପସରେ ଦିଆଯାଉଥିବା ସୁବିଧା ଲାଗି ଖର୍ଚ୍ଚ କରିବାକୁ ପଡ଼ୁନାହିଁ । ଏଥିପାଇଁ ପରିଚାଳନା ଖର୍ଚ୍ଚ କମ୍ ହୋଇଛି । ଏଥିପାଇଁ ସ୍କୁଲକୁ ଅନଲାଇନ୍ କ୍ଲାସେସ୍ ଫି’ ହ୍ରାସ୍ କରିବା ଉଚିତ୍ ।

ରାଜସ୍ଥାନ ସରକାର ଘରୋଇ ସ୍କୁଲକୁ ୩୦ ପ୍ରତିଶତ ଫି’ ଛାଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି କେତେକ ସ୍କୁଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ୍ ଏଏମ୍ ଖାନାବିଲକର ଓ ଜଷ୍ଟିସ୍ ଦିନେଶ ମାହେଶ୍ୱରୀ ଖଣ୍ଡପୀଠ ଆବେଦନର ଶୁଣାଣି କରି କହିଛନ୍ତି- ଏମିକି କୌଣସି ଆଇନ୍ ନାହିଁ, ଯାହା ରାଜ୍ୟ ସରକାରଙ୍କୁ ଏମିତି ଆଦେଶ ଜାରି କରିବାକୁ ଅନୁମତି ଦେଉଛି । ତେବେ, ଆମେ ଭାବୁଛୁ ସ୍କୁଲି ଫି’ ହ୍ରାସ୍ ହେବା ଆବଶ୍ୟକ ।

Schools Must Reduce Fees For Online Classes Supreme Court

ଖଣ୍ଡପୀଠ କହିଛନ୍ତି, ଶିକ୍ଷାନୁଷ୍ଠାନ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ସମ୍ବେଦନଶୀଳତା ଦେଖାଇବା ଦରକାର । ଲୋକ ମହାମାରୀ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କୁଲ ଗୁଡ଼ିକ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେଲା ଭଳି ପଦକ୍ଷେପ ନେବା ଉଚିତ୍ ।

ଏଥିସହ ସୁପ୍ରିମକୋର୍ଟ କହିଛନ୍ତି, କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସୁବିଧା ଏବେ ମିଳୁନାହିଁ । କିନ୍ତୁ ସେନେଇ ମିଳୁଥିବା ଦେୟରୁ ସ୍କୁଲକୁ ଲାଭ ମିଳୁଛି । ଆଇନ୍ ଅନୁସାରେ ଛାତ୍ରଛାତ୍ରୀଙ୍କୁ ମିଳୁନଥିବା ସୁବିଧା ପାଇ ସ୍କୁଲ୍ ଟଙ୍କା ନେଇ ପାରିବ ନାହିଁ ।

କାଳବୈଶାଖୀ ନେଇ ଆସନ୍ତାକାଲି ସକାଳ ଯାଏ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ତାତିରୁ ଆଶ୍ୱସ୍ତି ମିଳିଥିବା ବେଳେ ରାଜ୍ୟରେ କାଳବୈଶାଖୀ ଲାଗି ରହିଛି । ୫ ତାରିଖ ସକାଳ ୮ଟା ୩୦ ଯାଏ ୧୯ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବଜ୍ରପାତ ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ କାଳବୈଶାଖୀ ହେବ । ଏଥିସହ ଗଜପତି, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ସେହିଭଳି ୬ ତାରିଖ ସକାଳ ୮ଟା ୩୦ ଯାଏ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, କୋରାପୁଟ, ରାୟଗଡ଼ା, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

୭ ତାରିଖ ସକାଳ ୮ଟା ୩୦ ଯାଏ କାଳବୈଶାଖୀ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।

୮ ତାରିଖ ସକାଳ ୮ଟା ୩୦ ଯାଏ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ସମ୍ଭାବନା ରହିଛି । ସେହିଭଳି ୯ ତାରିଖ ସକାଳ ୮ଟା ୩୦ ଯାଏ କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, ବୌଦ୍ଧ, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

ଭ୍ୟାକସିନ ନେବା ସମୟରେ ଏମିତି ନଖରା କଲେ ଯୁବତୀ, ଡାକ୍ତର କହିଲେ ‘ଚାଲିଯାଅ ଏଠୁ’…

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି । ପ୍ରତିଦିନ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହାରି ଭିତରେ ମେ’ ୧ରୁ ୧୮ ବର୍ଷରୁ ଅଧିକଙ୍କୁ ଭ୍ୟାକସିନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏସବୁ ଭିତରେ ଇଞ୍ଜକେ୍ସନ ନବୋ ପାଇଁ ଡରୁଥିବା ଲୋକଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀ ଭ୍ୟାକସିନ ନେବା ପାଇଁ ଏମିତି ନାଟକ କରିଥିଲେ ଯେ, ଡାକ୍ତର ମଧ୍ୟ ରାଗି ଯାଇଥିଲେ। ଯୁବତୀ ଜଣକ ବାରମ୍ବାର ମମି ମମି ବୋଲି ଚିତ୍କାର କରିବା ସହ ସଠୋରୁ ପଳାଇ ଯିବା ପାଇଁ ଚଷ୍ଟା କରୁଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ବଶେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବତୀ ଜଣଙ୍କ ଚେୟାର ଉପରେ ବସିଛନ୍ତି । ଏହି ସମୟରେ ଡାକ୍ତର ହାତରେ ଇଞ୍ଜକେ୍ସନ ଧରି  ତାଙ୍କ ନିକଟକୁ ଆସିଥିଲେ । ଇଞ୍ଜକେ୍ସନ ଦଖେି ସମ୍ପୃକ୍ତ ଯୁବତୀ ଡରି ଯାଇ ଗୋଟିଏ ମିନିଟ ଗୋଟିଏ ମିନିଟ ରୁହନ୍ତୁ ବୋଲି ଡାକ୍ତରଙ୍କୁ କହିଥିଲେ। ର୍ନସ ଆସି ତାଙ୍କୁ ଧରିପକାଇଲେ । ଏହାପରେ ଯୁବତୀ ଜଣକ ମମି ମମି ବୋଲି ଚିତ୍କାର କରିଥିଲେ। ଏଥିରେ ରାଗିଯାଇ ଚାଲି ଯିବାକୁ ଡାକ୍ତର ତାଙ୍କୁ କହିଥିଲେ । ଏହାପରେ ସେ ଡାକ୍ତରଙ୍କୁ ଭ୍ୟାକସିନ ଲଗାଇବା ଲାଗି କହିଥିଲେ। ଡାକ୍ତର ବି ତାଙ୍କୁ ପାଟି ଚୁପ କରି ବସିବାକୁ କହିଥିଲେ । ଡାକ୍ତର ଯମେିତି ତାଙ୍କୁ ଇଞ୍ଜକେ୍ସନ ଲଗାଇଥିଲେ, ଯୁବତୀ ଜଣକ କହିଥିଲେ, ‘ମମି ତ ଡାକିପାରିବି’ ନା । ଏହାଶୁଣି ଡାକ୍ତର କହିଥିଲେ, ‘କିଛି କୁହ ନାହିଁ, ଆରାମରେ ବସ’। ଭ୍ୟାକସିନ ଲଗାଇ ସାରିବା ପରେ ରାଗି ଯାଇ ଡାକ୍ତର କହିଥିଲେ, ଏଠାରୁ ଚାଲି ଯାଅ ।

ଟ୍ୱିଟରରେ ଲଜିକାଲ ଥିଙ୍କର ନାମରେ ଏକ ଆକାଉଣ୍ଟ ଏହି ଭିଜିଓକୁ ମେ ୩ ତାରିଖ ଦିନ ସେୟାର କରିଛନ୍ତି । ଯାହାକୁ ଏଯାବତ ଏକ ଲକ୍ଷରୁ ଅଧିକ ୟୁଜର୍ସ ଦେଖି ସାରିଛନ୍ତି । ଏହା ସହ ୭ ଜହାରରୁ ଅଧିକ ଲାଇକ୍ସ ଏବଂ ୩ ହଜାରରୁ ଅଧିକ ରି ଟ୍ୱିଟ କରାଯାଇଛି ।

ଜଗମୋହନ: କାଶ୍ମୀର ଆତଙ୍କବାଦୀ ଯାହାଙ୍କୁ ଡରୁଥିଲେ, ପୁରୁଣା ଦିଲ୍ଲୀ ଲୋକ ଏବେବି ତାଙ୍କୁ କାହିଁକି ମନେ ପକାନ୍ତି

ନୂଆଦିଲ୍ଲୀ: ଜଗମୋହନ । ଏମିତି ଗୋଟିଏ ନାଁ ଯାହା ଏକାଥରକେ ପ୍ରସଂଶା ଓ ବିବାଦ ଦାବି କରିଥାଏ ଜମମୋହନ ଓ ବିବାଦ ଏକାଠି ଚାଲୁଥିଲେ । ଇନ୍ଦିରାଗାନ୍ଧୀଙ୍କ ଅମଳରେ ଜରୁରୀକାଳିନ ପରିସ୍ଥିତି କାଳରେ ଯଦି ପ୍ରଶାସନିକ ଅଧିକାରୀ ଜଗମୋହନଙ୍କ କଠୋରତାକୁ ସମାଲୋଚନା କରାଯାଏ ତେବେ ପ୍ରଶଂସା ମଧ୍ୟ କରାଯାଏ । ଜମ୍ମୁକାଶ୍ମୀର ଯେତେବେଳେ ରାଜ୍ୟ ଥିଲା,ସେତେବେଳେ ୧୯୯୦ ଦଶକର ଘଟଣାବହୁଳ,ଇତିହାସ ପରିବର୍ତ୍ତନକାରୀ ସମୟରେ ସେ ଥିଲେ ସେହି କନଫ୍ଲିକ୍ଟ ଜୋନର ରାଜ୍ୟପାଳ । ରାଜ୍ୟପାଳ ଭାବେ ମଧ୍ୟ ଜଗମୋହନଙ୍କ କାର୍ଯ୍ୟକୁ ନିଜ ନିଜ ହିସାବରେ ତଉଲନ୍ତି ସମୀକ୍ଷକ । କେହି କାଶ୍ମୀରରୁ ହିନ୍ଦୁ ପଣ୍ଡିତଙ୍କ ପଳାୟନ ପାଇଁ ଜଗମୋହନଙ୍କୁ ଦାୟୀ କରନ୍ତି ତ’ କାହା ନଜରରେ କାଶ୍ମୀର କେବଳ ତାଙ୍କ ପାଇଁ ରକ୍ଷା ପାଇଥିଲା । ତେବେ ଜଗମୋହନ କିଏ ? ପୁରା ନାମ ହେଉଛି ଜଗମୋହନ ମାଲହୋତ୍ରା । କିନ୍ତୁ ଦୁନିଆ ତାଙ୍କୁ କେବଳ ଜଗମୋହନ ଭାବେ ଜାଣେ । ମଙ୍ଗଳବାର ଦିନ ସେହି ଜଗମୋହନଙ୍କ ଦେହାନ୍ତ ହୋଇ ଯାଇଛି ।

ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନ ମଧ୍ୟ ଦିଲ୍ଲୀର ଉପ ରାଜ୍ୟପାଳ ଥିଲେ । ଯେମିତି କାଶ୍ମୀରକୁ ନେଇ ତାଙ୍କର ବିବାଦୀୟ ଛବି ରହିଛି ସେମିତି ଦିଲ୍ଲୀରେ ମଧ୍ୟ ଜଗମୋହନଙ୍କ ଦୁଇଟି ବ୍ୟକ୍ତିତ୍ୱ ଦେଖିବାକୁ ମିଳେ । ଇନ୍ଦିରାଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି ହୁଏ । ଏହି ସମୟରେ ଦେଶର ପ୍ରକୃତ ଶାସନ ଡୋର ସଂଜୟ ଗାନ୍ଧୀଙ୍କ ହାତରେ ଥିଲା ବୋଲି କୁହାଯାଏ । ସଂଜୟ ଓ ତାଙ୍କ ୟୁଥ୍ ବ୍ରିଗେଡର ଇଶାରାରେ ଦେଶ ଚାଲୁଥିଲା । ସଂଜୟ ଦିଲ୍ଲୀର କାୟାକଳ୍ପ ଚାହୁଁଥିଲେ । ଦିଲ୍ଲୀ ବିକାଶ ପ୍ରାଧିକରଣ ବା ଡିଡିଏର ଚେୟାରମ୍ୟାନ୍ ଥିବା ଜଗମୋହନଙ୍କୁ ଏହି ଦାୟିତ୍ୱ ମିଳିଥିଲା । କାରଣ ଜଗମୋହନ ଥିଲେ ସଂଜୟଙ୍କ ଫେଭରେଟ୍ ଅଫିସରଙ୍କ ମଧ୍ୟରୁ ଜଣେ । ଏମରଜେନ୍ସୀ ପିକ୍ ଉପରେ ଥିବା ବେଳେ ସଂଜୟ ତାଙ୍କ ନିଜ ଅଫିସକୁ ଡାକିଥିଲେ । ଆଉ କହିଥିଲେ ,ମୁଁ ସଫାସୁତୁରା ଦିଲ୍ଲୀ ଚାହୁଁଛି । ଏହାପରେ ଜଗମୋହନ କାମକୁ ଓହ୍ଲାଇଥିଲେ । ଆଉ ଏପର୍ଯ୍ୟନ୍ତ ପୁରୁଣା ଦିଲ୍ଲୀର ଲୋକ ଜଗମୋହନଙ୍କୁ ମନେ ପକାଉଛନ୍ତି ।

ସାମ୍ବାଦିକ ତଲଭିନ୍ ସିଂହ ଏମରଜେନ୍ସୀ କାଳରେ ଜଗମୋହନଙ୍କ କାମ ବିଶୟରେ ଅନେକ କିଛି ଲେଖିଛନ୍ତି । ଦିଲ୍ଲୀର ପ୍ରସିଦ୍ଧ ଫ୍ଲୋର ରେସ୍ତୋରାଁ ତାଙ୍କରି ଆଦେଶରେ ଭାଙ୍ଗି ଦିଆଯାଇଥିଲା ।

କୁହାଯାଏ ଯେ, ସଂଜୟଙ୍କ ଆଦେଶର ଜଗମୋହନ ୧୯୭୫ରୁ ୧୯୭୭ ମଧ୍ୟରେ ଦିଲ୍ଲୀର ଅନେକ ମୁସଲିମ ବହୁଳ ବସ୍ତିକୁ ଉଛେଦ କରିଥିଲେ । ପରେ ନିର୍ବାଚନରେ ଏହା ସଂଜୟଙ୍କୁ ମହଙ୍ଗା ପଡିଥିଲା । ୧୯୭୭ ନିର୍ବାଚନରେ ଏଥିପାଇଁ କଂଗ୍ରେସ ମୁସଲିମ୍ ଭୋଟ୍ ହରାଇଥିଲା । ତେବେ ୧୯୮୨ ମସିହାରେ ଦିଲ୍ଲୀର ଉପରାଜ୍ୟପାଳ ଭାବେ ଏସିଆନ ଗେମ୍ସ ଆୟୋଜନରେ ତାଙ୍କ ଭୂମିକାକୁ ପ୍ରଶଂସା କରାଯାଇଥିଲା ।
ତେବେ ଜମ୍ମୁକାଶ୍ମୀରର ରାଜ୍ୟପାଳ ଭାବେ ତାଙ୍କର ଦୁଇଥରର କାର୍ଯ୍ୟକାଳ ବେସ ବିବାଦୀୟ ଥିଲା । ୧୯୮୪ ମସିହାରେ ଜମ୍ମୁକାଶ୍ମୀରର ରାଜ୍ୟପାଳ ଭାବେ ଜଗମୋହନ ପ୍ରଥମଥର ପାଇଁ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହି ସମୟରେ ନ୍ୟାସନାଲ କନଫେରନ୍ସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଫରୁକ ଅବଦୁଲାଙ୍କ ବିରୋଧରେ ବିଦ୍ରୋହ କରିଥିଲେ ତାଙ୍କ ଭିଣୋଇ ଜି.ଏମ୍ ଶାହା । କଂଗ୍ରେସ ସମର୍ଥନରେ ଶାହା ,ଫାରୁକ ଅବଦୁଲାଙ୍କୁ ବିଦା କରି ନିଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଫାରୁକ ଏଥିପାଇଁ ଜଗମୋହନଙ୍କୁ କେବେ ମଧ୍ୟ କ୍ଷମା କରିନଥିଲେ । ଫାରୁକଙ୍କ ଅଭିଯୋଗ ଥିଲା ଯେ, କଂଗ୍ରେସ ହାଇକମାଣ୍ଡ୍ ଓ ଜଗମୋହନ ମିଶିକରି ପରିବାର ଭିତରେ ବିଦ୍ରୋହ କରାଇଥିଲେ । ତେବେ ଦୁଇ ବର୍ଷ ପରେ ଅନନ୍ତନାଗ ସାମ୍ପ୍ରଦାୟୀକ ଦଙ୍ଗା ରୋକିବାରେ ବିଫଳତା ଅଭିଯୋଗରେ ଶାହାଙ୍କ ସରକାରକୁ କେନ୍ଦ୍ର ବରଖାସ୍ତ କରିଥିଲା ।

ଶାହା ସରକାର ବରଖାସ୍ତ ପରେ ହୋଇଥିବା ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ଦଳ ବିଜୟୀ ହୋଇଥିଲା । କିନ୍ତୁ ମୁସଲିମ୍ ମୁତେହିଦା ମହଜ୍ ବା ମୁଫ୍ ଫଳାଫଳକୁ ପ୍ରତ୍ୟାଖାନ କରିଥିଲା । ନିର୍ବାଚନର ଗୋଟିଏ ବର୍ଷ ପରେ ମୁସଲିମ୍ ମୁତେହିଦାର କ୍ୟାଡର ପାକିସ୍ତାନକୁ ଟ୍ରେନିଂ ପାଇଁ ଯାଇଥିଲେ । ଏହାପରେ କାଶ୍ମୀରରେ ଧର୍ମ ଆଧାରରେ ବିଛିନ୍ନତାବାଦୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । କାଶ୍ମୀରର ପରିସ୍ଥିତି ଦିନକୁ ଦିନ ବିଗିଡିବାର ଲାଗିଥିଲା । ଏହି ସମୟରେ ୧୯୯୦ ମସିହାରେ ଦ୍ୱିତୀୟ ଥର ପାଇଁ ଜଗମୋହନ କାଶ୍ମୀରର ରାଜ୍ୟପାଳ ହୋଇଥିଲେ ।
ଜଗମୋହନଙ୍କ ନିଯୁକ୍ତିକୁ ବିରୋଧ କରି ଅବଦୁଲ୍ଲା ଇସ୍ତାଫ ଦେଇଥିଲେ । ଜଗମୋହନ ରାଜଭବନ ମଧ୍ୟକୁ ପ୍ରବେଶ କରିବାର କେଇ ଘଣ୍ଟା ପରେ ସିଆରପିଏଫ୍ ଗୁଳିରେ ଅନେକ ବିକ୍ଷୋଭକାରୀ ପ୍ରାଣ ହରାଇଥିଲେ । କାଶ୍ମୀର ନେତା ଓ ବିଛିନ୍ନତାବାଦୀ ଏଥିପାଇଁ ଜଗମୋହନଙ୍କୁ ଦାୟୀ କରନ୍ତି । ସେମାନଙ୍କ ଅଭିଯୋଗ ଯେ, ଜଗମୋହନଙ୍କ ଆଦେଶରେ ସିଆରିପିଏଫ୍ ଗୁଳିମାଡ କରିଥିଲା ।

୧୯୯୦ ଦଶକର ଆରମ୍ଭ ଥିଲା କାଶ୍ମୀର ପାଇଁ ଘଟଣାବହୁଳ । ଆଫଗାନିସ୍ତାନରେ ସୋଭିଏତ ସଂଘର ପରାଜୟ ସହ ମୁଜାହିଦ୍ଦିନ ଏହି ସମୟରେ କାଶ୍ମୀର ମୁହାଁ ହୋଇଥିଲେ । ପାକିସ୍ତାନ କାଶ୍ମୀର ମୁସଲମାନଙ୍କୁ ଜିହାଦ ପାଇଁ ଉସକାଉଥିଲା । ଯାହାର ଶିକାର ହୋଇଥିଲେ କାଶ୍ମୀରର ସଂଖ୍ୟାଲଘୁ ହିନ୍ଦୁ ପଣ୍ଡିତ । ଏହି ସମୟରେ ମସଜିଦରୁ ହିନ୍ଦୁ ପଣ୍ଡିତ କାଶ୍ମୀର ଛାଡ ବୋଲି ଘୋଷଣା ହେଉଥିଲା । ଗୋଟିଏ ଦିନରେ କାଶ୍ମୀର ଘାଟି ହିନ୍ଦୁ ପଣ୍ଡିତ ଶୁନ୍ୟ ହୋଇଥିଲା ବୋଲି କୁହାଯାଏ । ତେବେ ଏଥିପାଇଁ କାଶ୍ମୀର ବିଛିନ୍ନତାବାଦୀ ଜଗମୋହନଙ୍କୁ ଦାୟୀ କରନ୍ତି । ସେମାନେ କୁହନ୍ତି ଯେ, ସେମାନଙ୍କ ପାଇଁ ନୁହେଁ ଜଗମୋହନଙ୍କ ପାଇଁ ହିନ୍ଦୁ କାଶ୍ମୀର ଛାଡିଥିଲେ । ଜଗମୋହନ ହିନ୍ଦୁ ପଣ୍ଡିତଙ୍କୁ ଡରାଇଥିଲେ ସେଥିପାଇଁ ସେମାନେ କାଶ୍ମୀର ଘାଟି ଛାଡି ପଳାୟନ କରିଥିଲେ । ତେବେ ଏସବୁକୁ ଖାରଜ କରୁଥିଲେ ଜଗମୋହନ । ନିଜ ପୁସ୍ତକ ମାଇ ଫ୍ରୋଜେନ୍ ଟ୍ରବ୍ୟୁଲାନ୍ସ ଇନ୍ କାଶ୍ମୀରରେ ଏବାବଦରେ ଆଲୋଚନା କରିଛନ୍ତି । ଜଗମୋହନଙ୍କ ଏହି ପୁସ୍ତକ ବେଷ୍ଟ୍ ସେଲର ମାନ୍ୟତା ପାଇଥିଲା ।

ଜଗମୋହନ ପରେ ବିଜେପିରେ ସାମିଲ ହୋଇଥିଲେ । ୧୯୯୬ରେ ସେ ନୂଆ ଦିଲ୍ଲୀ ଲୋକସଭା ଆସନରୁ ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ହରାଇ ନିର୍ବାଚିତ ହୋଇଥିଲେ । ଏହା ପରେ ୧୯୯୮ ଓ ୧୯୯୯ରେ ମଧ୍ୟ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୦୪ରେ ସେ କଂଗ୍ରେସର ଅଜୟ ମାକନଙ୍କଠାରୁ ହାରିଯାଇଥିଲେ ।

ଜଗମୋହନଙ୍କ ଜନ୍ମ ୧୯୨୭ ମସିହାରେ ପାକିସ୍ତାନର ହାଫିଜାବାଦରେ ହୋଇଥିଲା । ବିଭାଜନ କାଳରେ ତାଙ୍କ ପରିବାର ଭାରତକୁ ଚାଲିଆସିଥିଲେ । ୨୦୧୯ରେ ଧାରା ୩୭୦ ହଟିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ତାଙ୍କୁ ସାକ୍ଷାତ କରିଥିଲେ ।

କରୋନା ସମୟରେ ଏହି ଔଷଧର ବ୍ୟବହାର ହୋଇପାରେ କ୍ଷତିକାରକ

ନୂଆଦିଲ୍ଲୀ: କରୋନା ଭୂତାଣୁର ଦ୍ୱିତୀୟ ପର୍ଯ୍ୟାୟ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଅକ୍ସିଜେନ୍ ଅଭାବରୁ ଚାଲିଯାଉଛି ଅନେକ କରୋନା ରୋଗୀଙ୍କ ଜୀବନ । ଡାକ୍ତରଖାନାରେ ଆଇସିୟୁ, ଶଯ୍ୟା, ଅମ୍ଳଜାନ ଏବଂ ଔଷଧର ଅଭାବ ଯୋଗୁଁ  ମୃତ୍ୟୁର ତାଣ୍ଡବ ଥମିବାର ନାଁ ନେଉନାହିଁ । ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ ସେଲ୍ଫ ଆଇସୋଲେସନରେ ରହି ଚିକିତ୍ସା କରିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ କିଛି ଲୋକେ ଶୀଘ୍ର ସୁସ୍ଥ ହେବା ପାଇଁ ଔଷଧ କିମ୍ବା ଷ୍ଟେରଏଡର ଓଭରଡୋଜ୍ ନେଉଛନ୍ତି । ଏହା କିନ୍ତୁ ରୋଗୀଙ୍କ ପାଇଁ ହୋଇପାରେ ବିପଦଜନକ।

ଦିଲ୍ଲୀ AIIMSର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ କହିବା ଅନୁସାରେ, ସିଷ୍ଟମେଟିକ୍ ଷ୍ଟେରଏଡର ଓଭରଡୋଜ୍ ରୋଗୀମାନଙ୍କ ପାଇଁ ହୋଇପାରେ କ୍ଷତିକାରକ। ବିଶେଷକରି ଯେତେବେଳେ ଏହା ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟବହାର କରାଯାଏ ସେତେବେଳେ ଏହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ । କରୋନା ସଂକ୍ରମଣ ସମୟରେ ଔଷଧର ଅପବ୍ୟବହାର ନେଇ ଚେତାବନୀ ଦେଇଛନ୍ତି ଡାକ୍ତର ଗୁଲେରିଆ । ଔକ୍ଷଧ ବାବଦରେ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି ସେ ଜଣାଇଛନ୍ତି ।

କୋଭିଡ୍ ର ଦୁଇଟି ଷ୍ଟେଜ୍ ରହିଛି । ପ୍ରଥମେ, ଯେତେବେଳେ ଶରୀରରେ ଭୂତାଣୁ ଯୋଗୁଁ ଜ୍ୱର କିମ୍ବା ସଂକ୍ରମଣ ଜନିତ ସମସ୍ୟା ଦେଖାଯାଏ। ଅନେକ ଥର ଯେତେବେଳେ ଫୁସଫୁସରେ ଭୂତାଣୁ ବିସ୍ତାର ହେବା ଆରମ୍ଭ କରେ ଏବଂ ହଠାତ୍ ଅମ୍ଳଜାନ ସ୍ତର କମିଯାଏ, ସେତେବେଳେ ଆଣ୍ଟି-ଭାଇରାଲ୍ ଔଷଧ ଦିଆଯାଏ । ଅପରପକ୍ଷରେ ସଂକ୍ରମିତଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ଇନଫ୍ଲାମେଟୋରି ରିଆକ୍ସନ ବଢିବାରେ ଲାଗେ ।

ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ କରୋନା ସଂକ୍ରମିତ ହେବା ପରେ ଲୋକମାନେ ତୁରନ୍ତ ସିଟି ସ୍କାନ୍ କରାଉଛନ୍ତି। ତେବେ ଏନେଇ ଡକ୍ଟର ଗୁଲେରିଆ କହିଛନ୍ତି ଯେ, କୋଭିଡ ଆରମ୍ଭରେ ସିଟି ସ୍କାନ କରିବାର କୌଣସି ଆବଶ୍ୟକତା ନାହିଁ। ଗୋଟିଏ ସିଟି ସ୍କାନରେ ୩୦୦ ଏକ୍ସ-ରେ ଭଳି ରେଡିଏସନ୍ ହୋଇଥାଏ । ଏହା ଦ୍ୱାରା କର୍କଟ ରୋଗର ଆଶଙ୍କା ବଢିଥାଏ । ବାୟୋ ମାର୍କର ତଥା ରକ୍ତ ପରୀକ୍ଷା ମଧ୍ୟ ନିଜ ମନ ମୁତାବକ କରିବା ଅନୁଚିତ୍ ।

ଅନେକ ଲୋକ ପ୍ରତି ତିନିମାସରେ ଥରେ ସିଟି ସ୍କାନ କରୁଛନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଶିଶୁ ଏବଂ ୧୮ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ କରୋନାର ଦ୍ରୁତ ଗତିରେ ବଢୁଛି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି । ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାରେ ରୋକ୍ ଲଗାଇବା ଜରୁରୀ। ଭାଇରସର ଚେନ୍ ଭାଙ୍ଗିବା ପାଇଁ ହେଲେ କରୋନା ସତର୍କତା ଓ ସଚେତନତା ଅବଲମ୍ୱନ କରିବା ଜରୁରୀ । ଏନେଇ ଡାକ୍ତରମାନଙ୍କୁ ମଧ୍ୟ ସ୍ପେଶାଲ ଟ୍ରେନିଂ ଦିଆଯିବା ଜରୁରୀ ।