spot_img
Home Blog Page 5792

ପିପିଲିରେ ୫୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ପିପିଲି: ୫୦ ଲକ୍ଷ ଟଙ୍କା ଜବତ କଲା ପିପିଲି ପୋଲିସ । ତାରାକାଜ ଛକ ନିକଟରେ ଏହି ଟଙ୍କା ସିଜ୍ କରିଛି ପୋଲିସ । ନୀଳ ରଙ୍ଗର ପଲସର  ସହ ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ ।  ନିୟମିତ ଯାଞ୍ଚ ବେଳେ ଟୋଲଗେଟ୍ ଚେକିଂ ପଏଣ୍ଟରେ ଅଟକ ବାଇକ ଆରୋହୀଙ୍କୁ ଅଟକାଇଥିଲା ପୋଲିସ  । ସେମାନେ କିନ୍ତୁ ପୋଲିସ ନିର୍ଦ୍ଦେଶ ମାନିନଥିଲେ । ପରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାରକାଜ ଛକ ନିକଟରେ କାବୁ କରିଥିଲା ପୋଲିସ । ସୂଚନା ଯୋଗ୍ୟ ଯେ, ଆଗାମୀ ଉପ-ନିର୍ବାଚନ ନେଇ ତାରିଖ ପାଖେଇ ଆସୁଥିବା ବେଳେ ଟଙ୍କା ବଣ୍ଟି ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଣୁ ସହର ମଧ୍ୟକୁ ଯେଭଳି ବାହାରୁ ଟଙ୍କା ନ ଆସେ  ଏ ନେଇ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ପୋଲିସ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି ।

ଏଥିସହିତ ପଢ଼ନ୍ତୁ: ବିଜେପି-ବିଜେଡ଼ିର ସିଏଜି କଳି; ଲେଖାଶ୍ରୀଙ୍କ ଅଭିଯୋଗକୁ ଲେନିନଙ୍କ ଖଣ୍ଡନ

ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମୁମ୍ବାଇ: ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଅନୀଲଙ୍କ ବିରୋଧରେ ଚାନ୍ଦା ଆଦାୟ ଅଭିଯୋଗ ଆଣିଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବିର ସିଂହ।  କିଛି ସମୟ ପୂର୍ବରୁ ଏହି ଚାନ୍ଦା ଆଦାୟ ମାମଲାର ସିବିଆଇ ଯାଞ୍ଚ କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ଏଭଳି ନିର୍ଦ୍ଦେଶର ତୁରନ୍ତ ପରେ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବିର ସିଂହ ବମ୍ବେ ହାଇକୋର୍ଟରେ ଅନିଲ ଦେଶମୁଖଙ୍କ ବିରୋଧରେ କରିଥବା ଆବେଦନର ଶୁଣାଣି କରି ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ନିର୍ଦ୍ଦେଶ ଅନୁସାରେ ମାମଲାର ଆରମ୍ଭରୁ ତଦନ୍ତ କରିବ ସିବିଆଇ। ଏଥିରେ ସମସ୍ତେ ସିବିଆଇକୁ ସହଯୋଗ କରିବାର ଆବଶ୍ୟକତା ରହିଛି । ୧୫ ଦିନ ମଧ୍ୟରେ ସିବିଆଇ ଟିମ୍ ସିବିଆଇ ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦେବେ।ଯଦି ତଦନ୍ତ ସମୟରେ ଦେଶମୁଖଙ୍କ ବିରୋଧରେ ସତ୍ୟତା ପ୍ରମାଣିତ ହୁଏ ତେବେ ସିବିଆଇ ମାମଲା ରୁଜୁ କରିପାରିବ । ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ହୋଇଥିବାରୁ ପୋଲିସ ଠିକଠାକ୍ ତଦନ୍ତ କରିପାରିବ ନାହିଁ ବୋଲି କୋର୍ଟ ହୃଦବୋଧ କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଚିଠି ଲେଖି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଗୃହମନ୍ତ୍ରୀ ମାସକୁ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲେ। ଏଭଳି ଅଭିଯୋଗ ପରେ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାରେ ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବି କରିଥିଲା ବିରୋଧୀ ବିଜେପି। ଅନ୍ୟପଟେ ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶିବସେନା ମଧ୍ୟ ବିଜେପିକୁ ସମାଲୋଚନା କରିଛି।

ବିଜେପି-ବିଜେଡ଼ିର ସିଏଜି କଳି; ଲେଖାଶ୍ରୀଙ୍କ ଅଭିଯୋଗକୁ ଲେନିନଙ୍କ ଖଣ୍ଡନ

ଭୁବନେଶ୍ୱର: ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନା ହେବା ପରେ ଜୋର ଧରିଛି ରାଜନୀତି । ରିପୋର୍ଟକୁ ନେଇ ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେପଟେ ଲେଖାଶ୍ରୀଙ୍କ ଅଭିଯୋଗକୁ ନେଇ ଟାର୍ଗେଟ କରିଛନ୍ତି ବିଜେଡ଼ି ନେତା ଲେନିନ୍ ମହାନ୍ତି। ବିଜେପି ଲଗାଉଥିବା ଆରୋପ ସମ୍ପୂର୍ଣ୍ଣ କପୋଳକଳ୍ପିତ ଓ ଭିତ୍ତିହୀନ । ନିଜର ରାଜନୈତିକ ଅସ୍ତିତ୍ୱ ବଜାୟ ରଖିବାକୁ ଲେଖଶ୍ରୀ ଉଦ୍ୟମ କରିଛନ୍ତି ବୋଲି କହିଛି ଶାସକ ଦଳ ।

ସିଏଜି ରିପୋର୍ଟ ବିଧାନସଭାରେ ଗୃହୀତ ହେବା ପରେ ପିଏସି କମିଟିକୁ ଯାଏ । ପିଏସି କମିଟିରେ ବିରୋଧୀଦଳ ନେତା ସଦସ୍ୟ ଅଛନ୍ତି । କମିଟିରେ ତର୍ଜମା ପରେ ଏପରି ମନ୍ତବ୍ୟ ଦେଇଥିଲେ ଗ୍ରହଣ ଯୋଗ୍ୟ ହୋଇଥାନ୍ତା । ସିଏଜି କେନ୍ଦ୍ର ଓ ଅନ୍ୟ ଅନ୍ୟ ରାଜ୍ୟରେ ବି ଏପରି ରିପୋର୍ଟ ଦେଇଥାନ୍ତି । କିନ୍ତୁ ତର୍ଜମା ପୂର୍ବରୁ ଲେଖାଶ୍ରୀ ତରବରିଆ ଭାବେ ସରକାରଙ୍କୁ ସମାଲୋଚନା କରିବା ଯୁକ୍ତିଯୁକ୍ତି ନୁହେଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଲେନିନ ମହାନ୍ତି ।

ସେହିପରି ଲେନିନ କହିଛନ୍ତି, ବିଜେପି ନିଜର ରାଜନୈତିକ ସ୍ତରରେ ପ୍ରାସଙ୍ଗିକତା ପାଇଁ ଉଦ୍ୟମ କରିଛନ୍ତି । ଅଭିଯୋଗ ଆଣିବା ପୂର୍ବରୁ ଅନୁଧ୍ୟାନ କରୁ ନାହାଁନ୍ତି । ତର୍ଜମା କରି ଏହା ଉପରେ ପ୍ରତିକ୍ରିୟା ଦେବାର ଆବଶ୍ୟକତା ରହିଥିଲା । ଆଜି ବିଜେପି ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ସିଏଜି ରିପୋର୍ଟ ନେଇ ସରକାରଙ୍କୁ ସମାଲୋଚନା ପରେ ପ୍ରତିକ୍ରିୟାରେ କହିଛନ୍ତି ଲେନିନ ମହାନ୍ତି ।

ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

ଭୁନେଶ୍ୱର: ଆନ୍ଧ୍ରର ଜଲିଆତି ବିରୋଧରେ ସରକାର ଯିବେ ସୁପ୍ରିମ କୋର୍ଟ । କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର । ଆନ୍ଧ୍ର ବିରୋଧରେ ସୁପ୍ରିମେକୋର୍ଟରେ ମାମଲା ଦାୟର ହେବ । ଆଇନ ବିଭାଗ ଆଡଭୋକେଟ ଅନ ରେକର୍ଡଙ୍କୁ ଏନେଇ ଅବଗତ କରାଯାଇଛି । ସୁପ୍ରିମକୋର୍ଟରେ ଆବେଦନ ଦାୟର କରିବେ ଆଇନଜୀବୀ ଶିବ ଶଙ୍କର ମିଶ୍ର । ସୁପ୍ରିମକୋର୍ଟରେ ମାମଲା ଥିବା ସତ୍ତ୍ୱେ କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର ।

କୋରାପୁଟ ଜିଲ୍ଲାର ତଲଗଂଜେଇପଦରରେ ନିର୍ବାଚନ କରିବାକୁ ଆନ୍ଧ୍ର ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତଲଗଂଜେଇପଦରକୁ ଗଂଜେଇଭାଦ୍ର ଭାବେ ନାମିତ କରି ସମିତି ସଭ୍ୟ ନିର୍ବାଚନ କରୁଛି ଆନ୍ଧ୍ର । ସେହିପରି ପାଟୁ ସିନାରୀ ପଞ୍ଚାୟତକୁ ପାଟୁ ଚିନ୍ନାରୁ, ଫଗୁ ସିନାରୀ ପଞ୍ଚାୟତକୁ ପଗଲୁ ଚିନ୍ନାରୁ ଓ ତନାମ ପଞ୍ଚାୟତକୁ ତନାମ ନାଁରେ ନାମିତ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ କରୁଛି ।

ଆସନ୍ତା ଏପ୍ରିଲ ୮ରେ ଭୋଟଗ୍ରହଣ କରାଯିବାକୁ ଥିବା ବେଳେ, ୧୦ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ପୂର୍ବରୁ କୋଟିଆରେ ପଞ୍ଚାୟତ ନିର୍ବାଚନକୁ ନେଇ ସୁପ୍ରିମକୋର୍ଟରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ଏହା ଏବେବି ବିଚାରାଧୀନ ରହିଛି ।

‘ମୋ ସ୍ୱାମୀଙ୍କୁ ଝିଅ ଯୋଗାଇବାକୁ ପ୍ରେସର ଦେଉଥିଲେ କମାଣ୍ଡାଣ୍ଟ ଡିସିପି’

ଭୁବନେଶ୍ୱର: ସ୍ୱାମୀକୁ ଝିଅ ଯୋଗାଇବାକୁ ପ୍ରେସର ଦେଉଥିଲେ କମାଣ୍ଡାଣ୍ଟ ଡିସିପି । ଆର୍ମଡ ବିଜୟ କୁମାର ସାହୁଙ୍କ ନାଁରେ ସିପାହୀଙ୍କ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ । ଝିଅ ନଦେବାରୁ ବଦଳି କରିଦେବା ନେଇ ଧମକ ଦେଉଥିଲେ, ଫଳରେ ସ୍ବାମୀ ମାନସିକ ଭାବେ ଚାପଗ୍ରସ୍ତ ରହୁଥିବା ନେଇ ଅଭିଯୋଗ ଆଣିଲେ ଜଣେ ସିପାହୀଙ୍କ ପତ୍ନୀ ।

ଅଭିଯୋଗ ଅନୁସାରେ, ମହିଳାଙ୍କ ସ୍ବାମୀ ନିହାର ରଞ୍ଜନ ନାୟକ OSAP ସପ୍ତମ ବାଟାଲିଅନରେ ଫ୍ୟାମିଲି ଓ୍ବେଲଫେୟାର ସେଣ୍ଟରରେ ଟେଲରିଂ ସିପାହୀ ଭାବେ କାର୍ଯ୍ୟ କରନ୍ତି । ସିପାହୀ ଜଣକ ମହିଳାଙ୍କୁ ଟେଲରିଂ ଶିଖାନ୍ତି । ତେବେ OSAP ସପ୍ତମ ବାଟାଲିଅନ ଡିସିପି- ଆର୍ମଡ ବିଜୟ ତାଙ୍କ ସ୍ବାମୀଙ୍କୁ ଝିଅ ଯୋଗାଇଦେବାକୁ ବାରମ୍ବାର ଜିଦ୍‌ କରନ୍ତି ବୋଲି ଅଭିଯୋଗ ହୋଇଛି ।

ସେପଟେ ଝିଅ ନଯୋଗାଇଲେ ତାଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରିବାକୁ ଧମକ ଦେଉଥିଲେ । ଫଳରେ ଦୀର୍ଘ ମାସ ଧରି ନିର୍ଯାତିତ ହେବା ପରେ ଶେଷରେ ସିପାହୀ ଜଣକ ଦୁଇ ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପତ୍ନୀ ଅଭିଯୋଗ କରିଛନ୍ତି । ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି ସିପାହୀଙ୍କ ପତ୍ନୀ।

ଶହେ ଲୋକରେ ବିବାହ, ଭୋଜି ନୁହେଁ ବଣ୍ଟାଯିବ ଖାଦ୍ୟ ପୁଡିଆ

ବ୍ରହ୍ମପୁର: ଗଞ୍ଜାମରେ କଡାକଡି ହୋଇଛି କୋଭିଡ୍ ନିୟମ । ମୋଟ୍ ୧୦୦ ଜଣ ଲୋକଙ୍କୁ ନେଇ ବିବାହ ଉତ୍ସବ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ସେହିପରି ବାହାଘର ଭୋଜିରେ ଆଉ ବାହାର ଖାଦ୍ୟ ନୁହେଁ, ଏଥର ଦିଆଯିବ ଖାଦ୍ୟ ପୁଡିଆ । ଯଦି ଏଥିରେ ବ୍ୟତ୍ରିକମ ଦେଖାଯାଏ ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି ।

ସାମାନ୍ତବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏ ଦିଗରେ ସଜାଗ ରହିବା ପାଇଁ ସମସ୍ତ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଦିନକୁ ଦିନ ସଂକ୍ରମଣ ବଢିଚାଲିଛି । ସେପଟେ ଆଜି ଠାରୁ ୧୦ ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଫ୍ୟାମିଲି କୋର୍ଟରେ ହାଜର ହେଲେ ସେଲିବ୍ରେଟି ଦମ୍ପତ୍ତି

କଟକ: ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ । ପାରିବାରିକ ବିବାଦ ମାମଲା ଦିଲ୍ଲୀରୁ କଟକ ଫ୍ୟାମିଲି କେର୍ଟକୁ ସ୍ଥାନାନ୍ତର ହୋଇଛି । ଏନେଇ ପୂର୍ବରୁ ନୋଟିଜ ଜାରି କରାଯାଇଥିବାବେଳେ ଆଜି ଉଭୟେ କୋର୍ଟରେ ହାଜର ହୋଇଛନ୍ତି ।

ପାରିବାରିକ ବିବାଦ ମାଲାରେ ପତ୍ନୀ ବର୍ଷା କଟକ ଫ୍ୟାମିଲି କୋର୍ଟରେ ଆବେଦନ କରିଥିବା ବେଳେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ କରିଥିଲେ ଆବେଦନ । ପରେ ଏହି କେସକୁ କଟକ ସ୍ଥାନାନ୍ତର ନେଇ ମଧ୍ୟ କୋର୍ଟର ଦ୍ବାରସ୍ଥ ହୋଇଥିଲେ ବର୍ଷା ।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମାମଲା କଟକ ସ୍ଥାନାନ୍ତର ହୋଇଥିଲା । ସେପଟେ ଆଜି ପ୍ରଥମ ଥର ପାଇଁ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ଆଜି ହାଜର ହେବାକୁ ଉଭୟଙ୍କୁ ଜାରି କରାଯାଇଥିଲା ନୋଟିସ ।

ଜମୁଛି ପିପିଲି ପ୍ରଚାର, ମୈଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ୱର: ପିପିଲି ଯିବେ ନମ୍ବର ୱାନ ଷ୍ଟାର ପ୍ରଚାରକ । ଉପନିର୍ବାଚନ ପାଇଁ ଏବେ ଜମିଛି ପିପିଲି ପ୍ରଚାର। ସବୁ ଦଳ ପ୍ରାର୍ଥୀ ଓ ନେତା ଘର ଘର ବୁଲି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି । ବିଜେଡି ପକ୍ଷରୁ ଏକ ନମ୍ବର ଷ୍ଟାର ପ୍ରଚାରକ ସୁପ୍ରିମୋ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇବେ ନେଇ ସୂଚନା ଦେଇଛନ୍ତି ପିପିଲି ବିଜେଡ଼ି ପର୍ଯ୍ୟବେକ୍ଷକ।

ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ କ୍ୟାମ୍ପେନିଂ କରିବେ । ଏନେଇ ବିଜେଡିର ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସୂଚନା ଦେଇଛନ୍ତି । ତେବେ ପ୍ରଚାର ପାଇଁ ନବୀନ କେବେ ପିପିଲି ଯିବେ ତାହା ସ୍ଥିର ହୋଇନାହିଁ । ଆସନ୍ତା ୧୫ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ହେବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ଉପର ମୁହାଁ ଆକ୍ରାନ୍ତ ସଂଖ୍ୟା, ୫ଶହ ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ୫ଶହ ଡେଇଁଲା ଦୈନିକ କରୋନା ସଂକ୍ରମଣ । ଆଜି ଦିନକରେ ୫୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୩୩୭ ଓ ଲୋକାଲ କେସ୍ ରହିଛି ୨୩୬ । ଖୋର୍ଦ୍ଧାରୁ ସର୍ବାଧିକ ୯୬, ସୁନ୍ଦରଗଡ଼ରୁ ୮୦, ନୂଆପଡାରୁ ୬୦, ବରଗଡ଼ରୁ ୪୩, ଝାରସୁଗୁଡାରୁ ୩୯, ଅନୁଗୁଳରୁ ୩୨, କଟକରୁ ୨୮, କଳାହାଣ୍ଡିର ୨୪ ଜଣ ଚିହ୍ନଟ ହୋଇଛନ୍ତି ।

ସେପଟେ ଷ୍ଟେଟପୁଲରୁ ୨୨, ସମ୍ବଲପୁରରୁ ୨୧, ବଲାଙ୍ଗୀରରୁ ୨୦, ପୁରୀ ଓ ରାୟଗଡ଼ାରୁ ୧୬ଜଣ ଲେଖାଏଁ, ଯାଜପୁର ଓ ମୟୂରଭଞ୍ଜରୁ ୧୩ଜଣ ଲେଖାଏଁ, ବାଲେଶ୍ବରରୁ ୧୧, ଗଞ୍ଜାମ ଓ କେନ୍ଦୁଝରରୁ ୮ଜଣ ଲେଖାଏଁ, ଭଦ୍ରକ, ଗଜପତି ଓ କୋରାପୁଟରୁ ୩ଜଣ ଲେଖାଏ, ସୋନପୁରରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବୌଦ୍ଧ, ଦେବଗଡ଼, କନ୍ଧମାଳ ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ହଜାର ୨୬୮ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୩୭ହଜାର ୯୩୫ଜଣ ସଂକ୍ରମିତ । ଆକ୍ଟିଭ୍‌ କେସ୍ ୩ହଜାର ୩୫୮ରହିଛି ।

‘ଆବଶ୍ୟକ ପଡିଲେ ଡେ-କର୍ଫ୍ୟୁ, ସ୍ଥିତି ଉପରେ ରହିଛି ନଜର’

ଭୁବନେଶ୍ୱର: କୋଭିଡ ସଂକ୍ରମଣ ବଢିଲେ ଲାଗୁ ହେବ କର୍ଫ୍ୟୁ । ଗତକାଲି ଠାରୁ ଜାରି ରହିଥିବା କର୍ଫ୍ୟୁ ପ୍ରସଙ୍ଗରେ ପୂର୍ଣ୍ଣଛେଦ ଟାଣିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ନବଦାସ କହିଛନ୍ତି ଆବଶ୍ୟକ ପଡିଲେ ଡେ, କର୍ଫ୍ୟୁ ଲାଗୁହୋଇପାରେ । କୋଭିଡ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର । ଜିଲ୍ଲାପାଳ ମାନଙ୍କ କୋଭିଡ ତଥ୍ୟକୁ ଆଧାର କରି କର୍ଫ୍ୟୁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

କୋଭିଡ ସ୍ଥିତି ନେଇ ସୀମାବର୍ତ୍ତୀ ଅଞ୍ଚଳକୁ ପର୍ଯ୍ୟବେକ୍ଷକ ଗସ୍ତ କରିଛନ୍ତି । ସ୍ଥିତି ଅନୁଧ୍ୟାନ କରାଯାଉଛି । ଟେଷ୍ଟିଂ କେମିତି ବଢ଼ିବ, ତା ଉପରେ ଦିଆଯାଉଛି ଗୁରୁତ୍ୱ । ଶିକ୍ଷାନୁଷ୍ଠାନ, ବିମାନବନ୍ଦର, ରେଳ ଷ୍ଟେସନରରେ ପଜିଟିଭ ଚିହ୍ନଟ ହେଉଛନ୍ତି । କରୋନା ମୁକାବିଲାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

ଗତକାଲି ଏ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରତିକ୍ରିୟା ରଖିଥିଲେ । ଦିନବେଳା କର୍ଫ୍ୟୁ ଲାଗୁ ହେବା ନେଇ ପ୍ରତିକ୍ରିୟା ଦେଇଥିଲେ । ପରେ ଏନେଇ ସ୍ପଷ୍ଟୀକରଣ ରଖିଥିଲେ ଏସଆରସି । ବର୍ତ୍ତମାନ କୈଣସି କର୍ଫ୍ୟୁ ଲାଗିବା ନେଇ ଯୋଜନା ନଥିବା କହିଥିଲେ ଏସଆରସି ।

ରାଜ୍ୟରେ ଆଜି ୫ଶହ ଡେଇଁଛି ଦୈନିକ କରୋନା ସଂକ୍ରମଣ । ଦିନକରେ ୫୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୩୩୭ ଓ ଲୋକାଲ କେସ୍ ରହିଛି ୨୩୬ । ଫଳରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ହଜାର ୨୬୮ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୩୭ହଜାର ୯୩୫ଜଣ ସଂକ୍ରମିତ । ଆକ୍ଟିଭ୍‌ କେସ୍ ୩ହଜାର ୩୫୮ରହିଛି ।