spot_img
Home Blog Page 5832

‘ମୁଁ କ୍ଷମତାରେ ଥିବା ଯାଏଁ ଚୀନ ବିଶ୍ୱର ଶକ୍ତିଶାଳୀ ଦେଶ ହୋଇପାରିବ ନାହିଁ’- ଜୋ ବିଡେନ

ଓ୍ଵାସିଟନ୍‌: ଉଦ୍ଭାବନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଟପି ଚୀନ୍‌ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ହୋଇ ପାରିବ ନାହିଁ ବୋଲି ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ହ୍ଵାଇଟ୍‌ ହାଉସ୍‌ରେ ବାଇଡେନ୍‌ କହିଛନ୍ତି, ଚୀନ୍‌ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବା ମୁଁ ଦେଖୁଛି। ବିଶ୍ୱର ଅଗ୍ରଣୀ, ବିତ୍ତଶାଳୀ ଏବଂ ସର୍ବଶକ୍ତିମାନ ରାଷ୍ଟ୍ରରେ ପରିଣତ ହେବା ହେଉଛି ସେମାନଙ୍କର ସାମଗ୍ରିକ ଲକ୍ଷ୍ୟ। କିନ୍ତୁ, ମୁଁ କ୍ଷମତାରେ ଥିବାଯାଏଁ ତାହା ହୋଇପାରିବ ନାହିଁ। କାରଣ ଯୁକ୍ତରାଷ୍ଟ୍ର ଆମେରିକା ସମୃଦ୍ଧ ଓ ପ୍ରସାରିତ ହେବା ଆରମ୍ଭ କରିଛି।

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଚୀନ୍‌ ବିପକ୍ଷରେ କଟକଣା ଜାରି କରିବା ସହ କରୋନାଭାଇରସ୍‌ ସଂକ୍ରମଣ ପାଇଁ ଚୀନ୍‌କୁ ଦାୟୀ କରିଥିଲେ। ଏବେ ମଧ୍ୟ ବାଇଡେନ୍‌ଙ୍କ ଟିମ୍‌ ବେଜିଙ୍ଗ୍‌ର ଅର୍ଥନୀତି ଏବଂ ମାନବିକ ଅଧିକାର କାର୍ଯ୍ୟକଳାପ ଉପରେ ଟ୍ରମ୍ପ୍‌ ଜାରି କରିଥିବା କଠୋର କଟକଣା ବଜାୟ ରଖିଛି।

କିନ୍ତୁ, ଚୀନ୍‌ରୁ ଆମଦାନି ହେଉଥିବା ପ୍ରମୁଖ ସାମଗ୍ରୀ କିଂବା ବାଧ୍ୟବାଧ୍ୟକତାରେ ସେଠାକାର ଶ୍ରମିକମାନେ ଉତ୍ପାଦନ କରୁଥିବା ସାମଗ୍ରୀ ଉପରେ ନିଷେଧାଦେଶ କାଏମ ରଖିବା ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ବାଇଡେନ୍‌ ଅଗ୍ରାହ୍ୟ କରିଦେଇଛନ୍ତି।

ମାସ୍କ ଓ ପିପିଇ କିଟ୍ କିଣା ତ୍ରୁଟି ମାମଲାରେ ଲୋକାୟୁକ୍ତଙ୍କ କ୍ଲିନଚିଟ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍ କିଣା ତ୍ରୁଟି ମାମଲାରେ କ୍ଲିନଚିଟ ଦେଲେ ଲୋକାୟୁକ୍ତ। ଏହାପରେ ଲୋକାୟୁକ୍ତରେ ମାମଲାରେ ଶୁଣାଣି ସରିଛି। ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଲୋକାୟୁକ୍ତ କହିଛନ୍ତି। ମାସ୍କ ଓ ପିପିଇ କିଣିବାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ହୋଇନାହିଁ ବୋଲି ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି। ଲୋକାୟୁକ୍ତରେ ଅଭିଯୋଗ ଦାଖଲ ହେଲା ପରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ଏହାର ତଦନ୍ତ କରି ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଭିଜିଲାନ୍ସ ରିପୋର୍ଟ ଆଧାରରେ ଲୋକାୟୁକ୍ତରେ ଆଜି ମାମଲାର ଶୁଣାଣି ହୋଇଥିଲା।

ରାଜ୍ୟରେ ଜୋରଦାର ହୋଇଛି ଟିକାକରଣ, ମୋଟ ୮୮୨ଟି କେନ୍ଦ୍ରରେ ଟିକାକରଣ କରାଯାଉଛି

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣକୁ ଜୋରଦାର କରାଯାଇଛି। ଗତକାଲି ୭୩ ହଜାର ୧୮୦ ଜଣଙ୍କୁ ଦିଆଯାଇଛି ଟିକା। ବର୍ତ୍ତମାନ ରାଜ୍ୟରେ ମୋଟ ୮୮୨ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ଆଗକୁ ଟିକାକରଣ କେନ୍ଦ୍ର ୧ହଜାରରୁ ଅଧିକ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଦୈନିକ ଦେଢ଼ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏବେ ରାଜ୍ୟରେ ମହଜୁଦ ଅଛି ୫ ଲକ୍ଷରୁ ଅଧିକ ଟିକା। ଆଜି ସନ୍ଧ୍ୟା ସୁଦ୍ଧା ୫ ଲକ୍ଷ ୪୦ ହଜାର କୋଭିସିଲ୍ଡ ଟିକା ଆସିବ।

ଏପ୍ରିଲ ୨ ତାରିଖରେ ୯ ଲକ୍ଷ ୮୮ ହଜାର ୨୫୦ ଡୋଜ ଆସିବ। ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୯୫ ହଜାର ୨୦୯ ଜଣ ଟିକା ନେଇସାରିଲେଣି। ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବୟସ ଲୋକ ରୋଗରେ ପୀଡିତ ଥିଲେ ଟିକା ନେଉଛନ୍ତି। ଏପ୍ରିଲ ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତ ଲୋକ ଟିକା ନେବେ। ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକଙ୍କୁ ଟିକା ଦିଆଯିବ।

ରାଜ୍ୟରେ ପ୍ରାୟ ୧ କୋଟି ଲୋକଙ୍କୁ ଟିକାକରଣ କରାଯିବ। ୧୮ରୁ ୪୫ ବର୍ଷ ବୟସ ଲୋକଙ୍କ ପାଇଁ କୌଣସି ନିଷ୍ପତ୍ତି ହୋଇନି। ଟିକାକରଣ ନେଇ ଆଜି ରାଜ୍ୟ ଷ୍ଟିୟରିଂ କମିଟି ବୈଠକ ଅଛି। ଏଥିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି  ।

କରୋନା ସମୟରେ ସଂକଟମୋଚକ ସାଜିଥିଲା ଓଡ଼ିଶା ପୋଲିସ: ଶ୍ୱେତପତ୍ର

ଭୁବନେଶ୍ୱର: କରୋନା ସମୟରେ ସଂକଟମୋଚକ ସାଜିଥିଲା ଓଡ଼ିଶା ପୋଲିସ। ଗୃହ ବିଭାଗର ଶ୍ବେତପତ୍ରରେ ଏହା ଉଲ୍ଲେଖ ରହିଛି। କୋଭିଡ୍‌ ମହାମାରୀ ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ସାରା ରାଜ୍ୟରେ ତାଲାବନ୍ଦ ଘୋଷଣା କରିଥିଲେ ରାଜ୍ୟ ସରକାର। ତାଲା ବନ୍ଦକୁ ସଫଳତାର ସହ ପୋଲିସ ସୁପରିଚାଳନା କରିଥିଲା। କରୋନାରେ ୮ହଜାର ୯୦୨ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କର୍ତ୍ତବ୍ୟରତ ଅବସ୍ଥାରେ ୪୮ ଜଣଙ୍କର ଦେହାନ୍ତ ହୋଇଥିଲା। ବିଶେଷକରି ଲକଡାଉନ ସମୟରେ ପ୍ରବାସୀ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲା ଓଡ଼ିଶା ପୋଲିସ୍। ପାଦଚଲା ଶ୍ରମିକଙ୍କ ପାଇଁ ୫୨୯ଟି ଗାଡ଼ିର ବ୍ୟବସ୍ଥା କରାଯିବା ସହିତ ୨୪ ହଜାର ୭୫୪ଜଣଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ଲକଡାଉନରେ ପାରିବାରିକ ହିଂସାକୁ ରୋକିବାକୁ ଫୋନ୍ ଆପ୍ ପ୍ରୋଗ୍ରାମ ଆରମ୍ଭ କରାଯାଇଥିଲା। ଏଥିରେ ପୋଲିସକୁ ମିଳିଥିଲା ବଡ଼ ସଫଳତା। ପ୍ଲାଜମା ଦାନ କରି ଉଦାହରଣ ସୃଷ୍ଟି କରିଥିଲା ଓଡ଼ିଶା ପୋଲିସ। କରୋନାରୁ ସୁସ୍ଥ ହେଲା ପରେ ୧ ହଜାର ୨ଜଣ ପୋଲିସ୍ ପ୍ଲାଜମା ଦାନ କରିଥିଲେ।

ପ୍ରକାଶ ପାଇଲା ରାଜ୍ୟ ଗୃହ ବିଭାଗର ଶ୍ବେତପତ୍ର, ୨୦୨୦ବର୍ଷରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ଥିଲା

ଭୁବନେଶ୍ୱର: ପ୍ରକାଶ ପାଇଲା ରାଜ୍ୟ ଗୃହ ବିଭାଗର ଶ୍ବେତପତ୍ର। ରାଜ୍ୟ ସରକାର ୨୦୨୦ର ଶ୍ବେତପତ୍ର ପ୍ରକାଶ କରିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥତି ୨୦୨୦ବର୍ଷରେ ଶାନ୍ତିପୂର୍ଣ୍ଣ ଥିଲା। ଗତବର୍ଷ ୫ଟି ଜିଲ୍ଲା ମାଓମୁକ୍ତ ହୋଇଥିବାବେଳେ ୨୧ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ସେହିପରି ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖାଯାଇନଥିଲା ବୋଲି ଶ୍ବେତପତ୍ରରେ ଉଲ୍ଲେଖ କରାଯାଇଛି । ରାଜ୍ୟରେ ୨୦୨୦ରେ ରୁଜୁ ହୋଇଥିବା ୫୧୪ଟି ଡକାୟତି ମାମଲା ମଧ୍ୟରୁ ୨୫୪ଟି ମାମଲାରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି ।

ସେହିପରି ୧୨ଜଣ ଆନ୍ତଃରାଜ୍ୟ ଡକାୟତଙ୍କ ସମେତ ୧ ହଜାର ୮୭୬ ଜଣଙ୍କ ଡକାୟତଙ୍କୁ ଗିରଫ କରାଯାଇଛି। ୨୦୨୦ ବର୍ଷରେ ୨ ହଜାର ୧୬୬ଟି ଲୁଣ୍ଠନ ମାମଲା ରୁଜୁ ହୋଇଥିଲା। ସିନ୍ଧିଚୋରି ୪ ହଜାର ୫୦୦ ଓ ଦୁଷ୍କର୍ମ ମାମଲା୨ ହଜାର ୯୮୪ଟି ରୁଜୁ ହୋଇଛି। ସେହିପରି ୯ ହଜାର ୮୧୭ଟି ମୋଟରଯାନ ଦୁର୍ଘଟଣା ଘଟିଥିବା ଶ୍ବେତପତ୍ରରେ ଉଲ୍ଲେଖ ଅଛି। ଗଞ୍ଜେଇ ଓ ବ୍ରାଉନସୁଗାର ଜବତରେ ରାଜ୍ୟକୁ ବଡ଼ ସଫଳତା ମିଳିଛି। ନିଶା ଦ୍ରବ୍ୟ କାରବାର ରୋକିବାରେ ସରକାରଙ୍କୁ ମିଳିଛି ବଡ ସଫଳତା।

ବର୍ଷକ ମଧ୍ୟରେ ୧ହଜାର ୩୭୪ କୁଇଣ୍ଟାଲ ଗଞ୍ଜେଇ ଓ ୩୪ କେଜି ବ୍ରାଉନସୁଗାର ଜବତ ସହିତ ୧୮ହଜାରରୁ ଅଧିକ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସେହିପରି ୨୦୨୦ରେ ଅଗ୍ନିଶମ ବିଭାଗ ମଧ୍ୟ ବଡ଼ ସସଫଳତା ପାଇଛି । ୩୧୩କୋଟି ୯୬ଲକ୍ଷ ୨୪ ହଜାର ୯୦୦ଟଙ୍କା ମୂଲ୍ୟର ସମ୍ପତ୍ତି ନିଆଁ କବଳରୁ ରକ୍ଷା କରାଯାଇଛି । ୨୦୨୦ ବାତ୍ୟା ଅମ୍ପାନକୁ ମଧ୍ୟ ସଫଳତାର ସହିତ ମୁକାବିଲା କରାଯାଇଛି । ଯାହା ଶ୍ବେତପତ୍ରରେ ପ୍ରତିଫଳିତ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ପୁଣି ଚାଲିଲା NTPC TTPSର ଗୋଟିଏ ୟୁନିଟ୍

ଅନୁଗୁଳ: ଚାଲୁହେଲା NTPC TTPS ର ଗୋଟିଏ ୟୁନିଟ୍। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବନ୍ଦ ଥିବା ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟ ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ଲାଣ୍ଟର ୩ ନମ୍ବର ୟୁନିଟ ଚାଲିବା ସହ ୬୦ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହେଉଛି। ଗତ ମଙ୍ଗଳବାର ପ୍ଲାଣ୍ଟର ସମସ୍ତ ୬ଟି ୟୁନିଟ ବନ୍ଦ କରାଯାଇଥିଲା। ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ରକୁ ଚିଠି ଲେଖି ପ୍ଲାଣ୍ଟ ବନ୍ଦ ନକରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ଏନଟିପିସିର ଷ୍ଟେଜ୍ ୩ ସଂପ୍ରସାରଣକୁ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ।

 

ଏନେଇ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର କେ ସିଂହଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୀଘ୍ର ଏନଟିପିସି ଷ୍ଟେଜ-ଥ୍ରୀ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। NTPC ଷ୍ଟେଜ୍ ଥ୍ରୀ ପ୍ରକଳ୍ପର ସଂପ୍ରସାରଣ କରିବାକୁ ଅନୁରୋଧ କରିଥିଲେ ନବୀନ। ଯାହାଦ୍ବାରା ୧ ହଜାର ୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ। TTPS ହେଉଛି NTPC ଷ୍ଟେଜ୍-ଥ୍ରୀର ପ୍ରକଳ୍ପ।

ନବୀନ ଲେଖିଥିଲେ, ଏଥିରେ ୬୬୦ ମେଗାୱାଟର ୨ଟି ୟୁନିଟ୍ ସ୍ଥାପନ ସହିତ ଷ୍ଟେସନର ଦକ୍ଷତା ବୃଦ୍ଧି କରାଯାଉ। ୨୦୧୦ରୁ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଥିଲା ରାଜ୍ୟ। ହେଲେ ଏଯାଏଁ ଏହା କାର୍ଯ୍ୟକାରୀ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଥିଲେ। ରାଜ୍ୟ ସରକାର TTPS ଷ୍ଟେଜ- ଥ୍ରୀ ପ୍ରକଳ୍ପକୁ ଅନୁମୋଦନ ଦେଇସାରିଛନ୍ତି। ତେବେ ଆଜି ଗୋଟିଏ ୟୁନିଟ ଚାଲୁ ହୋଇଛି ।

ରାଜ୍ୟରେ ପୁଣି ୨ଶହ ପାର କରୋନା ସଂକ୍ରମଣ, ୨୩୪ ନୂଆ ମାମଲା ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ଦିନର କରୋନାରୁ ତ୍ରାହି ପରେ ଏବେ ପୁଣି କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଆଜି ପୁଣି ୨୩୪ ଟି କରୋନା ସଂକ୍ରମିତ ମାମଲା ରାଜ୍ୟରୁ ଚିହ୍ନଟ କରାଯାଇଛି। ଗତକାଲି ୨ଶହ ପାର ସଂକ୍ରମଣ ହୋଇଥିବା ବେଳେ ଆଜି ମଧ୍ୟ ୨ ଶହ ପାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବଢ଼ିବା ଯୋଗୁଁ ରାଜ୍ୟରେ ଚିନ୍ତାର କାରଣର ପାଲଟିଛି।

ତେବେ ନୂଆପଡ଼ାରୁ ସର୍ବାଧିକ ୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ରହିଛି ଦ୍ୱିତୀୟ ସର୍ବାଧି ୩୨ ଜଣ। ଅନୁଗୁଳରୁ ୩, ବାଲେଶ୍ୱରରୁ ୩, ବରଗଡ଼ରୁ ୨୪, ଭଦ୍ରକରୁ ୮, ବଲାଙ୍ଗୀରରୁ ୧୫, କଟକରୁ ୨୯, ଦେବଗଡ଼ରୁ ୧, ଢ଼େଙ୍କାନାଳରୁ ୧, ଗଞ୍ଜାମରୁ ୨, ଜଗତସିଂହପୁରରୁ ୬, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧୭, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୧, ମୟୂରଭଞ୍ଜରୁ ୫, ନୟାଗଡ଼ରୁ ୧, ପୁରୀରୁ ୬, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

ରେଭେନସା ମହାନଦୀ ହଷ୍ଟେଲରୁ ପୁଣି ୨ ଜଣ ବିଦ୍ୟାର୍ଥୀ କରୋନା ପଜିଟିଭ ଚିହ୍ନଟ

କଟକ: ରେଭେନସା ମହାନଦୀ ହଷ୍ଟେଲରୁ ପୁଣି ୨ ଜଣ ବିଦ୍ୟାର୍ଥୀ କରୋନା ପଜିଟିଭ ଚିହ୍ନଟ। ପଜିଟିଭ୍ ଚିହ୍ନଟ ପରେ ଉଭୟଙ୍କୁ ଆଇସୋଲେସନରେ ରଖାଯାଇଛି। ଏହାକୁ ମିଶାଇ ରେଭେନ୍‌ସାରେ ମୋଟ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଜଣେ ଛାତ୍ରଙ୍କ ସହିତ ମନସ୍ତତ୍ବ ବିଭାଗରେ ଦୁଇ ଅଧ୍ୟାପିକା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପିଲାଙ୍କୁ ଚିହ୍ନଟ କରାଯାଇ ଟେଷ୍ଟିଂ ଜାରି ରହିଛି। ବିଶ୍ବବିଦ୍ୟାଳୟ ପରିସରକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେପଟେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଶ୍ବବିଦ୍ୟାଳୟର ହେବାକୁ ଥିବା ପିଜି, ୟୁଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରହିବ । ୧୪ ଦିନ ପର୍ଯ୍ୟନ୍ତ ଅଫଲାଇନ କ୍ଲାସ ବନ୍ଦ କରି କେବଳ ଅନଲାଇନ କ୍ଲାସ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି।

କରୋନା କାଳରେ ୪୯୭ ଦିନ ପରେ ବିଦେଶ ଯାତ୍ରା କଲେ ପ୍ରଧାନମନ୍ତ୍ରୀ, ବାଂଲାଦେଶ ସହିତ ହେବ ଏହି ଚୁକ୍ତି

ନୂଆଦିଲ୍ଲୀ: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତ କରିଛନ୍ତି । ସାରା ବିଶ୍ୱରେ କରୋନା ସଂକ୍ରମଣ ହେତୁ ପିଏମ ମୋଦି ୪୯୭ ଦିନ ପରେ ଏକ ବିଦେଶ ଗସ୍ତ କରିଛନ୍ତି। ଏହାପୂର୍ବରୁ ସେ ନଭେମ୍ବର ୨୦୧୯ ରେ ବ୍ରାଜିଲ ଗସ୍ତ କରିଥିଲେ। ଗତ ଏକ ବର୍ଷ ଧରି, ପ୍ରଧାନମନ୍ତ୍ରୀ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ର ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଗସ୍ତ ସମୟରେ ନୂଆଦିଲ୍ଲୀ ଏବଂ ଢ଼ାକା ମଧ୍ୟରେ ଅତି କମରେ ପାଞ୍ଚଟି ଏମଓୟୁ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି ବୋଲି ବାଂଲାଦେଶ ଗୁରୁବାର କହିଛି।

ବାଂଲାଦେଶ ତାର ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ତଥା ଏହାର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେବା ପାଇଁ ମୋଦି ବାଂଲାଦେଶ ଗସ୍ତ କରିଛନ୍ତି । ୨୬ ରୁ ୨୭ ମାର୍ଚ୍ଚ ମଧ୍ୟରେ ଦୁଇ ଦିନିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ପ୍ରତିନିଧୀ ସ୍ତରୀୟ ଆଲୋଚନା ମଧ୍ୟ କରିବେ। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡକ୍ଟର ଏ.କେ ଅବଦୁଲ ମୋମେନ କହିଛନ୍ତି ଯେ ଏମଓୟୁ ସଂଖ୍ୟା ଅଧିକ କିମ୍ବା କମ ହୋଇପାରେ, କିନ୍ତୁ ଅତି କମରେ ପାଞ୍ଚଟି ଏମଓୟୁ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ ଦୁଇ ଦିନିଆ ବାଂଲାଦେଶ ଗସ୍ତ ସମୟରେ ସେ ଶେଖ ହସିନାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ‘ଗଭୀର ଆଲୋଚନା’ କରିବେ। ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ବାଂଲାଦେଶ ଯିବା ପୂର୍ବରୁ ଜାରି ଏକ ବିବୃତ୍ତିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ଖୁସି ଯେ କୋଭିଡ -୧୯ ମହାମାରୀ ଆରମ୍ଭ ହେବା ପରେ ପଡୋଶୀ ବନ୍ଧୁ ଦେଶକୁ ଏହା ମୋର ପ୍ରଥମ ବୈଦେଶିକ ଯାତ୍ରା। ଯେଉଁଥିରେ ଭାରତର ସାଂସ୍କୃତିକ, ଭାଷା ଏବଂ ଉଭୟ ଦେଶ ମଧ୍ୟରେ ଗଭିର ସମ୍ପର୍କ ରହିଛି ।

୨୪ ଘଣ୍ଟାରେ ଦେଶରୁ ୫୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ୨୫୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ କରୋନାଭାଇରସ୍ ର ନୂଆ ଷ୍ଟ୍ରେନ୍‌ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଆକଳନରୁ ଜଣାପଡ଼ିଛି ଦେଶରେ ପ୍ରତିଦିନ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଗୁଜରାଟର ରୁ ୮୦ ପ୍ରତିଶତ ନୂତନ କରୋନା ମାମଲା ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫୯ ହଜାର ୧୧୮ କାରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୫୭ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ କୋଟି ୧୮ ଲକ୍ଷ ୪୬ ହଜାର ୬୫୨ କୁ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୧୨ ଲକ୍ଷ ୬୪ ହଜାର ୬୩୭ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ବର୍ତ୍ତମାନ ୪ ଲକ୍ଷ ୨୧ ହଜାର ୬୬ଟି ମାମଲା ସକ୍ରିୟ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୭ ଜଣଙ୍କର ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୪୯ କୁ ବୃଦ୍ଧି ପାଇଛି।