spot_img
Home Blog Page 5900

କଂଗ୍ରେସକୁ ପୁଣି ଝଟ୍‌କା, ଦଳ ଛାଡ଼ିଲେ ଭେଟେରାନ୍‌ ଲିଡର ପିସି ଚାକୋ

ନୂଆଦିଲ୍ଲୀ: ସୁଧୁରିବାର ନାଁ ଧରୁନି କଂଗ୍ରେସର ସ୍ଥିତି । ଦିନକୁ ଦିନ ଆହୁରି ତଳକୁ ଖସୁଛି ଦଳ । ବୁଧବାର ପୁଣି ଜଣେ ଭେଟରାନ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଖାଲି ଇସ୍ତଫା ନୁହେଁ ସେ କଂଗ୍ରେସ ହାଇକମାଣ୍ଡକୁ ଏଥିପାଇଁ ଦୋଷ ମଧ୍ୟ ଦେଇଛନ୍ତି ।

କଂଗ୍ରେସର ଭେଟେରାନ୍‌ ଲିଡର ପିସି ଚାକୋ ବୁଧବାର ଦଳରୁ ଇସ୍ତଫା ଦେଇଥିବା ନେଇ ନିଜେ ଘୋଷଣା କରିଛନ୍ତି । ସେ ନିଜ ଇସ୍ତଫା ପତ୍ର ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ କନ୍ଦଳ ସେତିକି ପଦାକୁ ଆସୁଛି । ଗୋଟିଏ ପଟେ ଜି-୨୩ ନେତା ଏକ ସିଣ୍ଡିକେଟ୍‌ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ଭେଟେରାନ୍‌ ନେତାମାନେ ଦଳ ଛାଡ଼ୁଛନ୍ତି । ଯାହାକି ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ବଡ଼ ଘାଟା ବୋଲି କୁହାଯାଇପାରେ । ସେହିଭଳି କେରଳ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବରିଷ୍ଠ ନେତା ପିସି ଚାକୋଙ୍କ ଇସ୍ତଫା ଦଳ ପାଇଁ ଏକ ଶକ୍ତ ଧକ୍କା କୁହାଯାଉଛି । ଏହା ଦ୍ୱାରା କଂଗ୍ରେସକୁ ଏକ ବଡ଼ ପ୍ରାପ୍ୟ ଦେବାକୁ ପଡ଼ିପାରେ ଆଶଙ୍କା ରହିଛି ।

ତେବେ ଚାକୋ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ‘ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି । କିନ୍ତୁ, ଏବେ କେରଳ କଂଗ୍ରେସ ତାଙ୍କୁ ଗୁରୁତ୍ୱ ଦେଉନାହିଁ । ଏଠାରେ ଗୋଷ୍ଠିବାଦ ରାଜନୀତି ଚାଲିଛି । ହାଇକମାଣ୍ଡଙ୍କ ବାରଣ ସତ୍ତ୍ୱେ ଏହା ଚାଲିଛି । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଏନେଇ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । କେରଳ କଂଗ୍ରେସ ରାଜନୀତିରେ ଏବେ ଓମେନ ଚାଣ୍ଡି ଏବଂ ରମେଶ ଚେନ୍ନାଇଥାଲାଙ୍କ କଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସେମାନେ ଏକ ଗୋଷ୍ଠି କରି ରାଜନୀତି କରୁଛନ୍ତି । ତେବେ ସବୁ ଜାଣି ମଧ୍ୟ ହାଇକମାଣ୍ଡ ଚୁପ୍‌ ରହିଥିବାରୁ ଦଳ ଏଭଳି ଦୁର୍ଦଶା ଭୋଗୁଛି ।

କାଟ୍ ଖାଇଲା ବିଜେପି-ଜେଜେପି ସରକାର ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: କାଟ୍ ଖାଇଲା କଂଗ୍ରେସର ଅନାସ୍ଥା ପ୍ରସ୍ତାବ । ହରିୟାଣାର ବିଜେପି-ଜେଜେପି ମେଣ୍ଟ ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ବିଧାନସଭାରେ କାଟ୍ ଖାଇଛି ।

ହରିୟାଣା ବିଧାନସଭାର ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ହୁଡା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ହୁଡା ଅଭିଯୋଗ କରିଥିଲେ, ଶାସନ କଳ ଲୋକଙ୍କ ଆସ୍ଥା ହରାଇଛି । ଜାରି ରହିଥିବା ଚାଷୀ ଆନ୍ଦୋଳନ ଓ ସୀମାରେ ୨୫୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା ହୁଡା ବିଧାନସଭାରେ ଅଭିଯୋଗ କରିଥିଲେ ।

ଆଜି ବିଧାନସଭା ପ୍ରଶ୍ନକାଳ ପରେ ଅନାସ୍ଥା ପ୍ରସ୍ତାବ ଉପରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ହୋଇଥିବା ଭୋଟରେ ପ୍ରସ୍ତାବ ସପକ୍ଷରେ ୩୨ ଭୋଟ୍ ପଡ଼ିଥିବା ବେଳେ ଖଟ୍ଟରଙ୍କ ସପକ୍ଷରେ ୫୫ ଖଣ୍ଡ ଭୋଟ୍ ପଡ଼ିଥିଲା ।

No confidence motion against Haryana government defeated in the Assembly

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଏବେ ୮୮ ଜଣ ସଦସ୍ୟ ଅଛନ୍ତି । ଶାସକ ବିଜେପିର ୪୦ ସଦସ୍ୟ ଥିବାବେଳେ ଜେଜେପିର ୧୦ ଜଣ ଏବଂ କଂଗ୍ରେସର ୩୦ ଜମ ବିଧାୟକ ଅଛନ୍ତି । ୭ ଜଣ ସ୍ୱାଧୀନ ବିଧାୟକ ଥିବାବେଳେ ସେଥିରୁ ୫ ଜଣ ମେଣ୍ଟ ସରକାରକୁ ସମର୍ଥନ କରୁଛନ୍ତି । ହରିୟାଣା ଲୋକହିତ ପାର୍ଟିର ଜଣେ ବିଧାୟକ ଥିବାବେଳେ ସେ ବିଜେପିକୁ ସମର୍ଥନ କରୁଛନ୍ତି ।

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତୀରଥ ସିଂହ ରାଓ୍ୱତ

ନୂଆଦିଲ୍ଲୀ: ତ୍ରିବେନ୍ଦ୍ରଙ୍କ ଜାଗାରେ ତୀରଥ । ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନଲେ ତୀରଥ ସିଂ ରାଓ୍ୱତ । ଗଡ଼ଓ୍ୱାଲର ଲୋକସଭା ସାଂସଦ ତୀରଥ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଧାୟକ ଦଳ ବୈଠକରେ ତୀରଥ ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମଙ୍ଗଳବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବ୍ରିଦ୍ରୋହୀ ଗୋଷ୍ଠୀଙ୍କ ଦାବି ପରେ ତ୍ରିବେନ୍ଦ୍ରଙ୍କୁ ପଦରୁ ହଟାଇବାକୁ ବିଜେପିର ହାଇକମାଣ୍ଡ ନିଷ୍ପତ୍ତି ନେଇଥିଲେ ।ଡେରାଡୁନର ରାଜ ଭବନରେ ତୀରଥ ସିଂ ରାୱତଙ୍କୁ ଶପଥ ଗ୍ରହଣ କରାଇଛନ୍ତି ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତୀରଥ ସିଂ ରାୱତଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ନିଜ ଟ୍ୱିଟ୍‌ରେ କହିଛନ୍ତି ଯେ, ତୀରଥ ନିଜ ସହ ବିସ୍ତୃତ ପ୍ରଶାସନିକ ଏବଂ ସାଂଗଠନିକ ଅଭିଜ୍ଞତା ଆଣିଛନ୍ତି । ତାଙ୍କ ନେତୃତ୍ୱରେ ରାଜ୍ୟ ପ୍ରଗତିର ନୂତନ ଉଚ୍ଚତା ଛୁଇଁବ । ବୁଧବାର ତାଙ୍କୁ ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳର ନେତା ଭାବେ ମନୋନିତ କରାଯାଇଥିଲା ।

NRSC ଜାରି କଲା ସାଟେଲାଇଟ୍ ଫଟୋ, ଆୟତ୍ତରେ ଶିମିଳିପାଳରେ ଲାଗିଥିବା ନିଆଁ

ଭୁବନେଶ୍ୱର: ଆୟତ୍ତରେ ଶିମିଳିପାଳ ନିଆଁ । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣରେ ରହିଛି । ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟର (NRSC) ହାଇଦ୍ରାବାଦ ସାଟେଲାଇଟ୍ ଫଟୋଚିତ୍ର ଜାରି କରିଛି । ଯେଉଁଥିରେ ଶିମିଳିପାଳରେ ଲାଗିଥିବା ନିଆଁ ଆୟତ୍ତକୁ ଆସି ସାରିଥିବା ଦେଖାଯାଇଛି । ଏନେଇ ଫରେଷ୍ଟ ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ସକାଳୁ କୋହଲା ପାଗ ରହିବା ସହ ଆକାଶ ମେଘାଚ୍ଛନ ଥିଲା । ଶିମିଳିପାଳର ଗୁଡୁଗୁଡ଼ିଆ, ପୀଠାବଟା, ସମେତ ବାରିପଦା, କରଞ୍ଜିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି । କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଅଳ୍ପ ସମୟ ପାଇଁ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁ ଲିଭାଇବାରେ ଅଳ୍ପକେ ହେଲେ ମଧ୍ୟ ଏହି ବର୍ଷା ସହାୟକ ହୋଇଛି ।

 Forest fire contained in Similipal Shown NRSC Satelite Image

ଗୋଟିଏ ପଟେ ସାଟେଲାଇଟ୍ ଇମେଜ ନିଆଁ ଆୟତ୍ତ ହୋଇଥିବା ଦର୍ଶାଉଥିବା ବେଳେ ଶିମିଳିପାଳ ପାଦଦେଶର ବର୍ଷା ଆଶ୍ୱସ୍ତ ଆଣିଛି । ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତେବେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଯୋଗୁଁ ଆକାଶ ଧୂଆଁଳିଆ ରହିଛି ।

ଏଥିସହ ପଢ଼ନ୍ତୁ- ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ୍

ଦଲାଇ ଲାମାଙ୍କ ଉତ୍ତରାଧିକାରୀ କିଏ ହେବ ? ଚିନ୍‌ ମୁଣ୍ଡ ଖେଳାଇବା ଆବଶ୍ୟକ ନାହିଁ: ଆମେରିକା

ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବାରେ ଚୀନ୍ ସରକାରଙ୍କର କୌଣସି ଭୂମିକା ରହିବା ଉଚିତ ନୁହେଁ । ଏନେଇ ମଙ୍ଗଳବାର ବାଇଡେନ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି । ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ ତାଙ୍କ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ମନ୍ତବ୍ୟ ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି ଯେ, ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବାରେ ଚୀନ୍ ସରକାରଙ୍କର କୌଣସି ଭୂମିକା ରହିବା ଉଚିତ ନୁହେଁ ।

ପ୍ରାଇସ ଆହୁରି କହିଛନ୍ତି ଯେ, ୨୫ ବର୍ଷରୁ ଅଧିକ ସମୟ ପୂର୍ବରୁ ମଧ୍ୟ ପାଞ୍ଚେନ୍‌ ଲାମାଙ୍କ ଉତ୍ତରାଧିକାରୀ ବାଛିବା ପ୍ରକ୍ରିୟାରେ ଚୀନ୍‌ର ହସ୍ତକ୍ଷେପ ଧାର୍ମିକ ସ୍ୱତନ୍ତ୍ରତାକୁ ଉଲ୍ଲଂଘନ କରିଥିବା ଦର୍ଶାଉଛି । ଏଥିରେ ପିଲାଦିନେ ପଞ୍ଚେନ୍ ଲାମାଙ୍କୁ ‘ଗାୟବ’ କରିବା ଏବଂ ତାଙ୍କୁ PRC (ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା) ସରକାରଙ୍କ ଦ୍ୱାରା ମନୋନୀତ ଉତ୍ତରାଧିକାରୀଙ୍କ ସହ ବଦଳାଇବା କଥା ମଧ୍ୟ ଜଡ଼ିତ ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ଡିସେମ୍ବରରେ ଏକ ଆଇନରେ ହସ୍ତାକ୍ଷର କରିଥିଲେ । ତିବ୍ଦତରେ ଆମେରିକୀୟ ବାଣିଜ୍ୟ ଦୂତାବାସ ପ୍ରିତିଷ୍ଠା କରିବା ଏବଂ ଅନ୍ତରାଷ୍ଟ୍ରୀୟ ମେଣ୍ଟ ନେଇ ଏଥିରେ ଦର୍ଶାଯାଇଥିଲା । ଏହା ଦ୍ୱାରା ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଚୟନରେ ଚିନ୍‌ର ହସ୍ତକ୍ଷେପକୁ ରୋକାଯାଇ ପାରିବ ଏବଂ ତୀବ୍ଦତୀୟ ମାନେ ହିଁ ସେମାନେ ନିଜର ଧର୍ମଗୁରୁ ଚୟନ କରିପାରିବେ ।

ଗତ ଏକ ଦଶନ୍ଧି ଧରି ଚୀନ୍‌ ଦଲାଇ ଲାମା (୧୫ ତମ ଦଲାଇ ଲାମା)ଙ୍କ ପରବର୍ତ୍ତୀ ଅବତାର ନେଇ ଦାବି କରିଆସୁଛି । ଦଲାଇ ଲାମା ଏବଂ ନିର୍ବାଚିତ ତିବ୍ଦତ ସରକାର ଡ୍ରାଗନର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ସେ କହିଛନ୍ତି ପରବର୍ତ୍ତୀ ଅବତାର କେବଳ ତିବ୍ଦତୀୟ ସମ୍ପ୍ରଦାୟର ନିୟମ ଅନୁଯାୟୀ ଚୟନ କରାଯିବ ।

ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର: ଗ୍ରୀଷ୍ମର ଆଗମନ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟୁଛି । ପାଗ ମୁଖ୍ୟତଃ ଶୁଖିଲା ରହୁଥିବା ବେଳେ ତାପମାତ୍ରା ଅଧିକ ରହୁଛି । ଜଙ୍ଗଲ ନିଆଁ ଆୟତ୍ତ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ସହ ପ୍ରତିଷେଧକ ବ୍ୟବସ୍ଥା ନେଇ ନେଇଛି ବନ ବିଭାଗ । କର୍ମଚାରୀ ମଧ୍ୟ ୨୪ ଘଣ୍ଟା ଆଲର୍ଟ ମୋଡରେ ଅଛନ୍ତି ଏବଂ ରାଜ୍ୟସ୍ତରରେ ସ୍ଥିତିର ମନିଟରିଂ କରାଯାଉଛି ।

Odisha Govt Cancels leave of field forest officials in all divisions

ଗ୍ରାଉଣ୍ଡରେ କାର୍ଯ୍ୟ କରୁଥିବା ବନ କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦିଆଯାଇଛି । କୌଣସି ବି କର୍ମଚାରୀ ବିନା ଅନୁମତିରେ ଛୁଟିରେ ରହି ପାରିବେ ନାହିଁ । ଛୁଟି ନେବା ଲାଗି ଡିଏଫଓ ରାଙ୍କ କିମ୍ବା ତା’ଠାରୁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ । ଛୁଟି ନେଇ ପିସିସିଏଙ୍କୁ ଅବଗତ କରାଯିବ । ନିର୍ଦ୍ଦେଶନାମାର ଅନୁପାଳନ ନକଲେ ଏହାକୁ ଗୁରୁତର ସହ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କହିଛି ।

ଖେଳୁଥିବା ବେଳେ ଭୁଶୁ଼ଡ଼ିଲା ସ୍କୁଲ ପାଚେରି, ଛାତ୍ରୀ ମୃତ

ଫୁଲବାଣୀ: ସ୍କୁଲ ନିକଟରେ ଖେଳୁଥିବା ବେଳେ ଅଘଟଣ । ସ୍କୁଲ ପାଚେରି ଭୁଶୁଡ଼ି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପେଟାପାଙ୍ଗାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

 5 Class Student Dies After School Boundary Collapsed In Raikia Kandhamal

ସ୍କୁଲ୍ ବନ୍ଦ ରହିଥିବା ବେଳେ କିଛି ପିଲା ବେଲକଟି ୟୁପି ସ୍କୁଲ ମୁଖ୍ୟ ଫାଟକ ନିକଟରେ ଖେଳୁଥିଲେ । ପୂର୍ବରୁ ଦୁର୍ବଳ ଥିବା ପାଚେରିଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏଥିରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଗୁରୁତର ଆହତ ହୋଇଥିବା ଦୁଇ ଜଣଙ୍କୁ ଜି.ଉଦୟଗିରି ମେଡିକାଲ ଓ ପରେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଏପ୍ରିଲରୁ ଆଉ ରବିବାର ସ୍କୁଲରେ ହେବନାହିଁ ପାଠପଢ଼ା

ଭୁବନେଶ୍ୱର: ପାଖେଇ ଆସୁଛି ପରୀକ୍ଷା । ମାଟ୍ରିକ୍ ଓ ପ୍ଲସ ଟୁ ପରୀକ୍ଷା ପାଖେଇ ଆସୁଥିବା ବେଳେ ସ୍କୁଲରେ ପ୍ରାୟତଃ ପାଠ୍ୟକ୍ରମ ଶେଷ ହୋଇ ଆସିଲାଣି । ନିୟମିତ ଶ୍ରେଣୀଗୃହ ଶିକ୍ଷାଦାନର ଆଉ ଆବଶ୍ୟକତା ନାହିଁ । ମାର୍ଚ୍ଚ ସରୁ ସରୁ ସବୁ ପାଠ୍ୟକ୍ରମ ଶେଷ ହୋଇଯିବ । ଏପ୍ରିଲରୁ ରିଭିଜନ କ୍ଲାସ୍ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

From April No Class Will Held In Sunday In Schools Says Education Minister

ତେଣୁ ରିଭିଜନ୍ କ୍ଲାସ୍ ବେଳେ ରବିବାର ଆଉ ସ୍କୁଲରେ ପାଠପଢ଼ା ହେବନାହିଁ । ରବିବାର ଛୁଟି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲରେ ଏବେ ଧୀରେ ଧୀରେ କମିବାକୁ ଲାଗିଥିବାରୁ ଏବେ ସେଲ୍ଫ ଷ୍ଟଡି ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ମାଧ୍ୟମିକ ଶିକ୍ଷା ପରିଷଦର ବିଜ୍ଞପ୍ତି ଅନୁସାରେ ମେ’ ୩ରୁ ୧୫ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ହେବା ନେଇ କାର୍ଯ୍ୟସୂଚୀ ଜାରି ହୋଇଛି । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ପ୍ରଶ୍ନପତ୍ର ରହିଥିବା ନେଇ ମଧ୍ୟ ସ୍ପଷ୍ଟ କରିଛି ବିଭାଗ । ନିର୍ଦ୍ଦେଶନାମା ଅନୁଯାଯୀ ୭ଟା ୪୫ରେ ପରୀକ୍ଷା କକ୍ଷରେ ପ୍ରବେଶ କରିବେ ଛାତ୍ରଛାତ୍ରୀ । ପରେ ସେମାନଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ । ପ୍ରଥମେ ଛାତ୍ରଛାତ୍ରୀ ୮ଟାରୁ ୯ଟା ପର୍ଯ୍ୟନ୍ତ ଅବଜେକ୍ଟିଭ ପରୀକ୍ଷା ଦେବେ । ଏବଂ ପରବର୍ତ୍ତୀ ସମୟ ଅର୍ଥାତ ୯ଟାରୁ ୧୦ଟା ଭିତରେ ସବଜେକ୍ଟିଭ ପରୀକ୍ଷା ଦେବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ଜାରି କରିଛି ।

ଏପ୍ରିଲ ୧ ରେ ବଡ଼ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମୋ ମୋ ସିନ୍ଦୂର”

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ପରିସରରେ ଓଡ଼ିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର”ର ଥିଏଟ୍ରିକାଲ୍ ରିଲିଜ୍ ଡେଟ୍ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ ବଦ୍ରିନାଥ ପଟ୍ଟନାୟକ, ନିର୍ଦ୍ଦେଶକ ରଂଜିତ ବାରିକ, ଚଳଚ୍ଚିତ୍ର ର ନାୟକ ଅଭିଷେକ ରଥ, ନାୟିକା ଅଙ୍କିତା ଓ ମହିମାଙ୍କ ସମେତ ଅଭିନେତା ଶକ୍ତି ବରାଳ ସହ ଅନ୍ୟ କଳାକାର ଉପସ୍ଥିତ ଥିଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଫିଲ୍ମର ଥିଏଟ୍ରିକାଲ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ।

ଫିଲ୍ମର ମୁଖ୍ୟ ଭୂମିକାରେ ଅଭିଷେକଙ୍କ ବିପକ୍ଷରେ ଉଭୟ ମହିମା ଓ ଅଙ୍କିତା ନଜର ଆସିବେ। ବର୍ଣ୍ଣ ସ୍ୱର୍ଣ୍ଣ ଟେଲିଭିଜିନ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମକୁ ସମସ୍ତ ବର୍ଗର ଦର୍ଶକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହ୍ୟମାନ ସାଗର, ସ୍ୱୟମ୍ ପାଢୀ, ଇରା ମହାନ୍ତି, ରୋଜାଲିନ୍‌, ରିଙ୍କି, ନେହା ଓ ନିହାରିକାଙ୍କ ଭଳି ଜଣାଶୁଣା କଣ୍ଠଶିଳ୍ପୀ ଏହି ଫିଲ୍ମରେ ଥିବା ଗୀତଗୁଡିକୁ ନିଜ ସ୍ୱରରେ ସଜାଇଛନ୍ତି।

ରୋମାନ୍ସ, ଫ୍ୟାମିଲି ଡ୍ରାମା ଓ ଆଇଟମ୍ ନମ୍ବରକୁ ନେଇ ଫିଲ୍ମଟି ଆସନ୍ତା ଏପ୍ରିଲ ୧ ତାରିଖରେ ଦର୍ଶକଙ୍କ ସାମ୍ନାକୁ ଆସିବ। ଓଡ଼ିଶାର ୨୫ଟି ସିନେମା ହଲରେ ଫିଲ୍ମଟି ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରାଯାଇଛି।

୨୦୨ କୋଟି ଟଙ୍କା ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି, ରଥ ଯାତ୍ରା ପାଇଁ ୧୧ କୋଟିର ବ୍ୟୟ ବରାଦ

ପୁରୀ: ୨୦୨ କୋଟି ଟଙ୍କା ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି । ଆଗାମୀ ପରିଚାଳନା କମିଟିରେ ହେବ ବଜେଟ୍ ଅନୁମୋଦିତ। ରଥ ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ୫୦ ଲକ୍ଷ। ୫ କୋଟି ଟଙ୍କା ସେବାୟତଙ୍କ ସହାୟତା ପାଇଁ ବ୍ୟବରାଦ ହୋଇଛି। ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ ହୋଇଛି। ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହେଲାଣି। ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ ବୋଲି ଅର୍ଥ ସବକମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଖଣି ଖାଦାନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ। ଭକ୍ତଙ୍କ ଦାନ ଅର୍ଥ ବଢେଇବା ପାଇଁ ବ୍ୟବସ୍ଥା କରାଯିବ। ୨୩ ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ୧୦୦୦ କୋଟି କରିବା ପାଇଁ ଉଦ୍ୟମ କରାଯିବ। ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ନିଆଯିବ। ଏନଏସଜି କୁ ସୁରକ୍ଷା ବ୍ୟବସ୍ଥା ନେଇ ଅବଗତ କରାଯିବ। ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଅର୍ଥ ସବକମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।