spot_img
Home Blog Page 5930

ଟିଆରପି ସ୍କାମ୍: ପାର୍ଥ ଦାସଗୁପ୍ତାଙ୍କୁ ସର୍ତ୍ତମୂଳକ ଜାମିନ

ମୁମ୍ୱାଇ: ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ (BARC)ର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ଜାମିନ ମଞ୍ଜୁର । ଟିଆରପି ସ୍କାମ୍‌ରେ ଗିରଫ ହୋଇଥିଲେ ଶ୍ରୀ ଦାସଗୁପ୍ତା । ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ୨ ଜାମିନଦାରଙ୍କ ବଦଳରେ ଜଷ୍ଟିସ୍ ପି.ଡି ନାଏକ ଦାସଗୁପ୍ତାଙ୍କ ଜାମିନ ମଞ୍ଜୁର କରିଛନ୍ତି ।

ତେବେ ପୋଲିସ ନିକଟରେ ପାସପୋର୍ଟ ଦାଖଲ କରିବା ସହ ଭାରତ ଛାଡ଼ି ନଯିବାକୁ କୋର୍ଟ ପକ୍ଷରୁ ଦାସଗୁପ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ପ୍ରତି ସପ୍ତାହର ପ୍ରଥମ ଶନିବାର ଥାନାରେ ହାଜିରା ଦେବାକୁ ମଧ୍ୟ କୁହାଯାଇଛି । ଏଥିସହିତ ଟ୍ରାଏଲ ସମୟରେ କୋର୍ଟରେ ଉପସ୍ଥିତ ରହିବା ସହ ସାକ୍ଷ୍ୟ ପ୍ରମାଣ ନଷ୍ଟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ,  ଟେଲିଭିଜନ୍ ରେଟିଂ ପଏଣ୍ଟ ବା ଟିଆପରପିକୁ ନେଇ ବଡ଼ ଘୋଟାଲା ସାମ୍ନାକୁ ଆସିବା ପରେ ବାର୍କ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୩ ମାସ ପାଇଁ ଦେଶର ସମସ୍ତ ଇଂରାଜୀ, ହିନ୍ଦୀ ଓ ଆଞ୍ଚଳିକ ନ୍ୟୁଜ୍ ସହ ବ୍ୟବସାୟିକ ଚ୍ୟାନେଲର ସାପ୍ତାହିକ ରେଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବ୍ରଡକାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନସିଲ୍ । ସୂଚନା ମୁତାବକ ଏଣିକି ଓଡ଼ିଶା ସମେତ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ନ୍ୟୁଜ ଚ୍ୟାନେଲର ସାପ୍ତାହିକ ରେଟିଂ ରିପୋର୍ଟ ଆସନ୍ତା ୩ ମାସ ପାଇଁ ସାର୍ବଜନୀନ କିମ୍ବା ସଂପୃକ୍ତ ସଂସ୍ଥାକୁ ପ୍ରଦାନ କରାଯିବ ନାହିଁ ।

ଏଥିସହିତ ପଢ଼ନ୍ତୁ: ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ, କାଲି ଝାରପଡ଼ା ଜେଲରେ TI ପରେଡ୍

ଜନଜାତି ପିଲାଙ୍କ ଶିକ୍ଷା ଉପରେ ଗୁରୁତ୍ୱ, ସଂହତି ଓ ପ୍ରୟାସ ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଂହତି ଓ ପ୍ରୟାସ ଯୋଜନାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୮ଟି ନୂଆ ଛାତ୍ରାବାସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଓ ଛାତ୍ରୀ ନିବାସ ରହିଛି । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି- ଏସସି, ଏସଟି ଓ ଓବିସି କଲ୍ୟାଣ ବିଭାଗ ପକ୍ଷରୁ ଶିକ୍ଷା କୌଶଳ ଉନ୍ନତି ଏବଂ ଜୀବନ ଜୀବିକା ପାଇଁ ନୂଆ ଯୋଜନା ଆରମ୍ଭ ହୋଇଛି ।

CM Naveen Patnaik Inaugurated 68 Hostel Through VC

ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର । ଜନଜାତି ଭାଇଭଉଣୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି । ଆଜି ଆରମ୍ଭ ହେଉଥିବା ନୂଆ ନୂଆ କାର୍ଯ୍ୟକ୍ରମ ଏସସି, ଏସଟି ପିଲାଙ୍କ ଭିତରେ ନୂଆ ଜାଗରଣ ଆଣିଛି । ସେହିଭଳି ପ୍ରୟାସ ଯୋଜନା ଏସସି, ଏସଟି ଓ ଓବିସି ପିଲାଙ୍କ ସ୍କିଲ୍ ଡେଭଲପମେଣ୍ଟରେ ବେଶ୍ ସହାୟକ ହେବ ।

CM Naveen Patnaik Inaugurated 68 Hostel Through VC

ଏସବୁ କାର୍ଯ୍ୟକ୍ରମ ଅନୁସୂଚିତ ଜାତି ଓ ଅନୁସୂଚିତ ପିଲାମାନଙ୍କ କୌଶଳ ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ନୂଆ ୬୮ଟି ଛାତ୍ରାବାସ ଉଦଘାଟିତ କରିଛନ୍ତି । 5T କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି, ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏଥିରେ ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ ଟି ଅନ୍ୟ ଛତ୍ରାବାସ ଉଦଘାଟନ, ହଷ୍ଟେଲରେ ରହୁଥିବା ୫.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ, ୫୦ ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି, ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହିସବୁ କାର୍ଯ୍ୟକ୍ରମ ଗୁଡିକ ବିଭାଗର କାର୍ଯ୍ୟକ୍ରମ ରେ ଅଧିକ ଦକ୍ଷତା ଓ ସ୍ବଚ୍ଛତା ଆଣିବାରେ ସହାୟକ ହେବ । ସୂଚନାଯୋଗ୍ୟ ଯେ ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ସଂହତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ୧.୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସେହିପରି ହଷ୍ଟେଲ ମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ମୋ ଛାତ୍ରାବାସ କାର୍ଡ ବ୍ୟବସ୍ଥା ଆରମ୍ଭ କର ଯାଇଛି । ଏହା ଦ୍ଵାରା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ୬,୭୦୦ ହଷ୍ଟେଲର ୫.୭୫ ଲକ୍ଷ ଛାତ୍ରଛାତ୍ରୀ ଉପକାର ପାଇବେ । ସେହିପରି ଓଡ଼ିଶା ଷ୍ଟେଟ ସ୍କଲାରସିପ୍ ପୋର୍ଟାଲ ଜରିଆରେ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ୧୦୧ କୋଟି ଟଙ୍କା ପରିମାଣର ବୃତ୍ତି ପିଲାମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସିଧାସଳଖ ପ୍ରଦାନ କରାଯାଇଛି ।

ଆପଦଗ୍ରସ୍ଥ ଜନଜାତିଙ୍କ ପାଇଁ ଆଜି ଆରମ୍ଭ ହୋଇଥିବା ପୁଷ୍ଟି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ Ajim Premji Philanthropic Initiativeର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା ଆମର ୩,୫୦୦ PVTG ଚାଷୀ, ୨୩ ହଜାର ଶିଶୁ ଏବଂ ୨୫ ହଜାର ମାଆ ଉପକୃତ ହେବେ । ଏହି କାର୍ଯ୍ୟକ୍ରମ ରାଜ୍ୟର ୧,୧୩୮ଟି PVTG ଗ୍ରାମରେ କାର୍ଯ୍ୟକାରୀ ହେବ । ଏହି କାର୍ଯ୍ୟକ୍ରମ ଗୁଡିକ ଦ୍ଵାରା ଆମର ଜନଜାତି , ଜାତି ପିଲାମାନେ ଆଗକୁ ବଢିବା ସହିତ ସେମାନଙ୍କର ପ୍ରକୃତ ସଶକ୍ତିକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁରରୁ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଆଜିର କାର୍ଯ୍ୟକ୍ରମ ଦ୍ଵାରା ଜନଜାତି , ଜାତି ଛାତ୍ରଛାତ୍ରୀ ମାନେ ଆଗକୁ ବଢିବା ସହିତ ଓଡ଼ିଶାର ବିକାଶରେ ଯୋଗଦାନ ରଖିପାରିବେ ବୋଲି କହିଥିଲେ । ସେହିପରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ରାଉରକେଲା ବିଧାୟକ ସାରଦା ନାୟକ ମଧ୍ୟ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ଆପଦଗ୍ରସ୍ଥ ଜନଜାତିଙ୍କ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ନବରଙ୍ଗପୁର ଓ କେନ୍ଦୁଝରର ଦୁଇଜଣ ବୃତ୍ତି ପାଇଥିବା ଛାତ୍ରଛାତ୍ରୀ ଭିଡିଓ କନଫରେନସିଂ ଜରିଆରେ ନିଜର ମତାମତ ରଖି ଏହାଦ୍ବାରା ସେମାନଙ୍କର ଉଚ୍ଚଶିକ୍ଷା ରେ ସୁବିଧା ହେବ ବୋଲି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସ୍ଵାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଉଚ୍ଚ ପଦସ୍ଥ ଅଫଧିକାରୀ ମାନେ ଯୋଗ ଦେଇଥିଲେ।

ପାଞ୍ଚ ଦିନ ଧରି ଜଳୁଛି ବାରିହାପୁର ଜଙ୍ଗଲ, ଗାଁ ମୁହାଁ ଜୀବଜନ୍ତୁ

କାମାକ୍ଷାନଗର: ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଥିବା ବାରିହାପୁର ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ । ଆଜିକୁ ପାଞ୍ଚ ଦିନ ଧରି ଜଙ୍ଗଲରେ ଜଳୁଛି ନିଆଁ । ନିଆଁ ଲାଗିବା ଯୋଗୁଁ ଫଳରେ ପ୍ରାୟ ୫୦ ଏକର ଗ୍ରାମ୍ୟ ଜଙ୍ଗଲ ଜଳିବାରେ ଲାଗିଛି ।

ସରକାର ପ୍ରାକୃତିକ ଜଙ୍ଗଲର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବନ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ଜଙ୍ଗଲ ସବୁ ନଷ୍ଟ ହେବାକୁ ବସିଲାଣି ବୋଲି ଅଭିଯୋଗ ହୋଇଛି । ଯାହା ଫଳରେ ପରିବେଶ ପ୍ରଦୂଷିତ ହେଉଥିବା ବେଳେ ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି ।

ମହାବିରୋଡ଼ ରେଞ୍ଜରେ ନିଆଁ ଲିଭାଇବା ପାଇଁ ଅତ୍ୟାଧୁନିକ ସୁବିଧା ସହ ଦମକଳ ବାହିନୀ ନିୟୋଜିତ ଅଛନ୍ତି । କିନ୍ତୁ ଆଜିକୁ ପାଞ୍ଚ ଦିନ ହେବ ବାରିହାପୁର ଜଙ୍ଗଲରେ ନିଆଁ ଲାଗି ଏକର ଏକର ଜଙ୍ଗଲ ପୋଡି ପାଉଁଶ ହେଉଥିବା ବେଳେ ଜଙ୍ଗଲ ବିଭାଗର ନିଷ୍କ୍ରିୟତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ ମାନେ ।

ଯାତାୟାତ ସୁବିଧା ନଥିବାରୁ ୧୦ କିମି. ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

ଗୁଣୁପୁର: ପୁଣି ୧୦ କମି ଷ୍ଟ୍ରେଚର ରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସି ଡାକ୍ତରଖାନାରେ ଭର୍ତ୍ତି ହେଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଡିମିରିଗୁଡା ପଞ୍ଚାୟତରେ। ଉଚେତପାରୁ ଗାର ୭ ବର୍ଷ ର ଝିଅ ତ୍ରିପ୍ତୀ ଉର୍ଲିକିଆ କିଛିଦିନ ହେବ ପେଟ ଯନ୍ତ୍ରଣାରେ ପିଡିତ ଥିଲେ ଆଜି ଡାକ୍ତରଖାନା ନେବା ପାଇ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା ।

ହେଲେ ଘାଟି ରାସ୍ତା ଓ ଆମ୍ବୁଲାନ୍ସ ର ଯାନ୍ତ୍ରିକ ତ୍ରୁଟିଥିବାରୁ ଆମ୍ବୁଲାନ୍ସ ଟି ଘାଟି ରାସ୍ତାରେ ଯାଇ ପାରିନଥିଲା । ତେଣୁ ଷ୍ଟ୍ରେଚର ରେ ୧୦ କିମି. ବୋହି ଆଣିବା ପରେ ତ୍ରିପ୍ତୀ ଙ୍କୁ ଅମ୍ବାଦଳା ଡାକ୍ତରଖାନା କୁ ଅଣାଯାଇଥିଲା ।

ତେବେ ବ୍ଳକର ରଘୁବାରି ଓ ଡିମିରିଗୁଡା ପଞ୍ଚାୟତର ବହୁ ଅଞ୍ଚଳର ରେ ଏବେବି ଅନେକ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ । ତେଣୁ ପ୍ରାୟ ଅନେକ ସମୟରେ ଏପରି ଘଟଣା ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ବାସିନ୍ଦା ମାନେ ଏକପ୍ରକାର ଅଭିଯୋଗ କରିଛନ୍ତି।

ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ, କାଲି ଝାରପଡ଼ା ଜେଲରେ TI ପରେଡ୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ ଟିଆଇ ପରେଡ୍ (TIP) । ଆସନ୍ତାକାଲି ବୁଧବାର ଝାରପଡ଼ା ଜେଲରେ ଟେଷ୍ଟ ଆଇଡେଣ୍ଟିଫିକେସନ୍ ପରେଡ୍ ହେବ (TIP) ହେବ । JMFC ସୃଜାଲିନ୍ ମହାନ୍ତି TI ପରେଡ୍ କରାଇବେ ।

ଅନ୍ୟପଟେ  ବିବନକୁ ୨ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ସ୍ୱତନ୍ତ୍ର ସିବିଆଇ CJM କୋର୍ଟ ଏହି ଅନୁମତି ଦେଇଛନ୍ତି । ଆସନ୍ତା ୪ ଓ ୫ ତାରିଖ ୨ ଦିନ ପାଇଁ ବିବନକୁ CBI ରିମାଣ୍ଡରେ ନେବ । ବିବନକୁ ୫ଦିନିଆ ରିମାଣ୍ଡରେ ନେବାକୁ CBI ଆବେଦନ କରିଥିଲା ।

୧୯୯୯ ଜାନୁଆରୀ ୯ ତାରିଖରେ ବାରଙ୍ଗ ବେଲଗାଛିଆରେ ଅଞ୍ଜନା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଅପରାଧ ଘଟାଇବା ପରେ ବିବନ ଗାଏବ ହୋଇଯାଇଥିଲା । ଅପରାଧରେ ତାକୁ ସହଯୋଗ କରିଥିବା ଦୁଇ ଜଣ ପୋଲିସ ହାତର ଧରା ପଡ଼ିଥିଲେ । ଅପରାଧର ୨୨ ବର୍ଷ ପରେ ବିବନକୁ ମହାରାଷ୍ଟ୍ରର ଆମ୍ବିଭ୍ୟାଲିରୁ କମିଶନରେଟ୍ ପୋଲିସ୍ ଅପରେସନ୍ ସାଇଲେଣ୍ଟ୍ ଭାଇପରରେ ବିବନକୁ ଧରିବାରେ ସକ୍ଷମ ହୋଇଥିଲା ।

ପୁଣି ହାଥରସରେ ହରର୍: ଝିଅକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରୁଥିବା ବାପାକୁ ହତ୍ୟା

ହାଥରସ: ଉତ୍ତର ପ୍ରଦେଶର ହାଥରସରେ ଥମୁନି ଅପରାଧ । ନିଜ ଝିଅକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରୁଥିବା ଜଣେ ବାପାକୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିଛନ୍ତି ଅଭିଯୁକ୍ତ । ଦୁଇ ବର୍ଷର ଏକ ପୁରୁଣା ମାମଲାରେ ଅପରାଧୀ ବାପାର ମୁଣ୍ଡ ଗଡ଼ାଇ ଦେଇଛି । ବାପାଙ୍କୁ ନ୍ୟାୟ ଦେବା ପାଇଁ ଝିଅ କାନ୍ଦି କାନ୍ଦି ମିନତି କରୁଥିବାବେଳେ ପ୍ରଚାର ରାଜନୀତିରେ ମାତିଛନ୍ତି ରାଜ୍ୟ ମୁଖିଆ ଯୋଗୀ ଆଦିତ୍ୟନାଥ ।

ପୁଣି ହାଥରସରେ ହରର୍ । ଜଣେ ଝିଅର ବାପାକୁ ବିଲରେ ଗୁଳି କରି ମର୍ଡର । ଆଇନକାନୁନକୁ ଖୁନୀଙ୍କ ଖୋଲା ଚ୍ୟାଲେଞ୍ଜ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର ରାଜନୀତିରେ ମାତିଥିବାବେଳେ ରାମ ରାଜ୍ୟରେ ଘଟିଚାଲିଛି ଗୋଟେ ପରେ ଗୋଟେ ଛାତିଥରା ଅପରାଧ। କଥା କଥାକେ ଗର୍ଜୁଛି ବନ୍ଧୁକ । ନିଜ ଝିଅକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରୁଥିବା ଜଣେ ବାପାକୁ ଦିନ ଦ୍ୱିପ୍ରହରରେ ବିଲରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ।

ଏଭଳି ଭୟଙ୍କର ଘଟଣା ଘଟିଛି ଉତ୍ତର ପ୍ରଦେଶ ହାଥରସର ନିଜରପୁର ଗାଁରେ । ଏହା ଗାଁର ଅମ୍ରିଶ ଶର୍ମାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏକ ପୁରୁଣା ମାମଲାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ ଗୌରବ ଶର୍ମା ଓ ତାର ସହଯୋଗୀ। ୨୦୧୮ରେ ଅମ୍ରିଶଙ୍କ ଝିଅକୁ ଅସଦାଚରଣ କରିଥିଲା ଗୌରବ। ମାମଲାରେ ଜେଲରେ ୧୫ ଦିନ ସଜ୍ଜା କାଟିବା ପରେ ପୁଣି ବାହାରକୁ ଆସି ଅମ୍ରିଶଙ୍କ ପରିବାର ଲୋକଙ୍କୁ ଡରାଉଥିଲା ଅଭିଯୁକ୍ତ। ଆଉ ସୋମବାର ଅପରାହ୍ନରେ ଅମ୍ରିଶଙ୍କୁ ଆକ୍ରମଣ କରିଥିଲା । ମାମଲାରେ ଦୁଇ ଜଣକୁ ଗିରଫ କରାଯାଇ ଥିବା ବେଳେ ଅନ୍ୟମାନେ ନିଖୋଜ ଅଛନ୍ତି । ଦୋଷୀଙ୍କ ବିରୋଧରେ NSA ଲାଗୁ କରି କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ଅନ୍ୟପଟେ ହାଥରସ୍ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଘଟଣାରେ ବିରୋଧୀ ଯୋଗୀ ସରକାରଙ୍କୁ ସମାଲୋଚନା କରୁଛନ୍ତି ।

Hurun Global Rich List 2021: ଅଷ୍ଟମ ସ୍ଥାନରେ ଅମ୍ୱାନୀ, ବିଲେନିୟର୍‌ କ୍ଳବ୍‌ରେ ଆଉ ୫୦ ଜଣ ସାମିଲ

ନୂଆଦିଲ୍ଲୀ: ହୁରୁନ୍ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ସର୍ବାଧିକ ବିତ୍ତଶାଳୀ ବ୍ୟକ୍ତିଙ୍କ ତାଲିକା । ଯେଉଁ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଏବଂ ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ୱାନୀ । ଗତ ୧ ବର୍ଷ ମଧ୍ୟରେ ଅମ୍ୱାନୀଙ୍କ ସମ୍ପତ୍ତି ୨୪ ପ୍ରତିଶତ ବଢ଼ି ୮୩ ଆରବ ଡଲାରରେ ପହଞ୍ଚିଛି । ଭାରତୀୟ ମୁଦ୍ରାରେ ଏହା ହେଉଛି ୬.୦୯ ଲକ୍ଷ କୋଟି ଟଙ୍କା  । ହୁରୁନ୍ ଗ୍ଳୋବାଲ ରିଚ୍ ଲିଷ୍ଟ ୨୦୨୧ରେ ସ୍ଥାନିତ ହୋଇଥିବା ଅନ୍ୟ ଭାରତୀୟ ଆରବପତି ମଧ୍ୟରେ ୪୮ ତମ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ । ଯାହାଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୨.୩୪ ଲକ୍ଷ କୋଟି ଟଙ୍କା । ସେହିଭଳି ୫୮ ତମ ସ୍ଥାନରେ ରହିଛନ୍ତି  ଶିବ ନାଦର । ଯାହାଙ୍କ ସମ୍ପତ୍ତି ମୂଲ୍ୟ ୧.୯୪ ଲକ୍ଷ କୋଟି ଟଙ୍କା  । ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଜଣେ ଭାରତୀୟ ଆରବପତି ହେଉଛନ୍ତି ଲକ୍ଷ୍ମୀ ଏନ୍ ମିତଲ । ଯାହାଙ୍କ ସମ୍ପତ୍ତି ମୂଲ୍ୟ ୧.୪୦ ଲକ୍ଷ କୋଟି ଟଙ୍କା । ସେ ତାଲିକାର ୧୦୪ ତମ ସ୍ଥାନରେ ରହିଛନ୍ତି । କରୋନା ଭ୍ୟାକ୍ସିନ୍‌ର ପାଇଁ ଚର୍ଚ୍ଚାରେ ରହିଆସୁଥିବା ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ସାଇରସ୍ ପୁନାଓ୍ୱାଲା ୧.୩୫ ଲକ୍ଷ କୋଟି ଟଙ୍କା ସହ ୧୧୩ ତମ ସ୍ଥାନରେ ରହିଛନ୍ତି ।

        ହୁରୁନ ପକ୍ଷରୁ ପ୍ରକାଶିତ ବିତ୍ତଶାଳୀ ବ୍ୟକ୍ତିଙ୍କ ତାଲିକାରେ ୨୦୯ ଜଣ ଭାରତୀୟ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୭ ଜଣ  ଭାରତରେ ରହୁଛନ୍ତି । ଅରପପକ୍ଷରେ ଆମେରିକାରେ ଆରବପତିଙ୍କ ସଂଖ୍ୟା ୬୮୯ ହୋଇସାରିଛି । ଭାରତରେ ଗତ ବର୍ଷ ୫୦ ଜଣ ବ୍ୟକ୍ତି ବିଲେନିୟର କ୍ଳବ୍‌ରେ ସାମିଲ ହୋଇଛନ୍ତି । ଭାରତୀୟମାନଙ୍କ ମଧ୍ୟରେ Zscalerର ଜୟ ଚୌଧୁରୀଙ୍କ ସମ୍ପତ୍ତି ସବୁଠାରୁ ଅଧିକ ବୃଦ୍ଧି ଘଟିଛି । ତାଙ୍କ ସମ୍ପତ୍ତି ୨୭୧ ପ୍ରତିଶତ ବଢ଼ି ୯୬୦୦୦ କୋଟି ହୋଇଛି । ଜୟ ଚୌଧୁରୀଙ୍କ ପରେ ଆଦାନୀ ଗ୍ରୁପର ବିନୋଦ ଶାନ୍ତିଲାଲ ଅଦାନୀ ରହିଛନ୍ତି । ଯାହାଙ୍କ ସମ୍ପତ୍ତି ୧୨୮ ପ୍ରତିଶତ ବଢ଼ି ୭୨ ହଜାର କୋଟିରେ ପହଞ୍ଚିଛି ।

ହୁରୁନ୍ ଗ୍ଳୋବାଲ୍ସ ରିଚ୍ ଲିଷ୍ଟ ୨୦୨୧ରେ ଟପରେ ରହିଛନ୍ତି ତେସଲାର ଏଲନ୍‌ ମସ୍କ ରହିଛନ୍ତି । ମସ୍କଙ୍କ ସମ୍ପତ୍ତି ଗୋଟିଏ ବର୍ଷ ମଧ୍ୟରେ ୩୨୮ ପ୍ରତିଶତ ବଢ଼ି ୧୯୭ ଆରବ ଡଲାରରେ ପହଞ୍ଚିଛି । କେବଳ ୧ ବର୍ଷ ମଧ୍ୟରେ  ମସ୍କଙ୍କ ସମ୍ପତ୍ତି ୧୫୧ ଅରବ ଡଲାରର ବୃଦ୍ଧି ଘଟିଛି । ହୁରୁନ୍ ଲିଷ୍ଟରେ ଏଭଳି ୩ ଜଣ ସାମିଲ ହୋଇଛନ୍ତି ଯେଉଁମାନଙ୍କ ସମ୍ପତ୍ତି ଗତ ୧ ବର୍ଷ ମଧ୍ୟରେ ୫୦ ଅରବ ଡଲାର ବୃଦ୍ଧି ଘଟିଛି । ଏଲନ୍ ମସ୍କଙ୍କ ବ୍ୟତୀତ ଅମେଜନ୍ର  ଜ୍ୟାକ୍ ବେଜୋସ୍ ଏବଂ Pinduoduo ର Colin Huang ରହିଛନ୍ତି । ବେଜୋସ୍ ଏବଂ ହୁଆଙ୍ଗ୍ ଉଭୟଙ୍କ ସମ୍ପତ୍ତି ୫୦-୫୦ଅରବ ଡଲାର ବୃଦ୍ଧି ଘଟିଛି ।

ତେବେ ଅଲିବାବାର ଫାଉଣ୍ଡର ଜ୍ୟାକ୍ ମା ଆଉ ଚୀନର ସର୍ବାଧିକ ବିତ୍ତଶାଳୀ ବ୍ୟକ୍ତି ହୋଇ ଆଉନାହାନ୍ତି । ୨୦୨୧ର ହୁରୁନ୍ ଲିଷ୍ଟରେ ସେ ଚତୁର୍ଥ ସ୍ଥାନକୁ ଖସିଆସିଛନ୍ତି । ବର୍ତ୍ତମାନ ଚୀନର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ହେଉଛନ୍ତି ପାଣି ପ୍ରସ୍ତୁତକାରୀ ନନ୍‌ଗୁଫୁ ସ୍ପ୍ରିଙ୍ଗ୍ର  ଜୋଙ୍ଗ୍ ସାନ୍‌ସାନ୍  ।

ଏଥିସହିତ ପଢ଼ନ୍ତୁ: ବଢ଼ୁଛି ଇଲେକ୍ଟ୍ରିକ୍ ବାଇକର ଚାହିଦା, ଜାଣନ୍ତୁ ଏହାକୁ କିଣିଲେ କ’ଣ ମିଳିବ ଫାଇଦା

ବଢ଼ୁଛି ଇଲେକ୍ଟ୍ରିକ୍ ବାଇକର ଚାହିଦା, ଜାଣନ୍ତୁ ଏହାକୁ କିଣିଲେ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଆକାଶଛୁଆଁ ତେଲ ଦର । ୧୦୦ ଟଙ୍କା ପାର କଲାଣି ତେଲ ଦର । ଫଳରେ ହଇରାଣ ହେଉଛନ୍ତି ସାଧାରଣ ଲୋକ । ସେଥିପାଇଁ ଏବେ କିଛି ଲୋକ ଇଲେକ୍ଟ୍ରିକ୍ ଭେଇକିଲ୍ ବା ଇଭି ଆଡ଼କୁ ମୁହାଁଇଲେଣି। କାରଣ ଇଲେକ୍ଟୋରନିକ୍ ବା ବ୍ୟାଟ୍ରୀଯୁକ୍ତ ଗାଡ଼ିର ରନିଂ କଷ୍ଟ ପେଟ୍ରୋଲ ଡିଜେଲ୍ ଗାଡ଼ିଠୁ ଶସ୍ତା।

ଏବି ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି । କିନ୍ତୁ ଗ୍ରାହକଙ୍କ ପାଇଁ ସବୁଠାରୁ ବଡ ଅସୁବିଧା ହେଉଛି ପାରମ୍ପାରିକ ଇନ୍ଧନ ଯାନ ତୁଳନାରେ ଏହାର ମୂଲ୍ୟ ଟିକେ ଅଧିକ। ଯଦିଓ ଇଭିଗୁଡ଼ିକର ମୂଲ୍ୟ ଅଧିକ କିନ୍ତୁ ଥରେ ଏହାକୁ ଥରେ କିଣିଲା ପରେ ଏହା ପଛରେ ଖର୍ଚ୍ଚ ଇନ୍ଧନ ଗାଡ଼ିଠୁ ଯଥେଷ୍ଟ କମ୍ । ଏକ ପେଟ୍ରୋଲ ଗାଡ଼ି ତୁଳନାରେ ଇଭିର ରନିଂ କଷ୍ଟ ପ୍ରାୟ ୫ ପ୍ରତିଶତ କମ୍ । ଆଜିର ବିଜୁଳି ଦର ହିସାବରେ ଦେଖିବାକୁ ଗଲେ ଆପଣଙ୍କୁ ଇନ୍ଧନଯୁକ୍ତ ଗାଡ଼ିରେ ତେଲର ମୂଲ୍ୟ ବର୍ଷକୁ ପ୍ରାୟ ୧୨ ହଜାର ୪୮୩ ଟଙ୍କା ପଡ଼ୁଥିବାବେଳେ ଇଭି ଗାଡ଼ିର ବର୍ଷକୁ ବିଜୁଳି ଖର୍ଚ୍ଚ ମାତ୍ର ୨ ହଜାର ୧୨୭ ଟଙ୍କା ପଡ଼ିବ। ଭାରତରେ ଏହି ଇଲେକ୍ରୋନିକ ଗାଡ଼ି ଫୁଲ ଚାର୍ଜ ପାଇଁ ପ୍ରାୟ ସାଢ଼େ ୪ ଘଣ୍ଟା ସମୟ ନିଏ, ଯେଉଁଥିରେ ପାଖାପାଖି ୩୦ ୟୁନିଟ୍ ବିଜୁଳି ଖର୍ଚ୍ଚ ହୁଏ । ୟୁନିଟ ପିଛା ୩ ଟଙ୍କା ହିସାବ କଲେ ଏହି ଗାଡ଼ି ଫୁଲ ଚାର୍ଜ ହେବାରେ ୯୦ ଟଙ୍କା ଖର୍ଚ୍ଚ ହେବ। ଆଉ ଥରେ ଚାର୍ଜରେ ଏହି ଗାଡ଼ି ୮୦ରୁ ୧୫୦ କିମି ଚାଲିପାରିବ।

ଏମିତି ସମୟ ଆଉ ଦୂର ନୁହଁ ଯେବେ ପେଟ୍ରୋଲ ସ୍କୁଟର ଏବଂ ମୋଟରସାଇକେଲର ତେଲ ଟ୍ୟାଙ୍କ ଫୁଲ୍ କରିବା ଅନେକଙ୍କ ପାଇଁ ସ୍ୱପ୍ନ ହୋଇଯିବ । ଆଉ ଏହାର ବିକଳ୍ପରେ ଲୋକମାନେ ଇଭି ଗାଡ଼ି ପ୍ରତି ଆକୃଷ୍ଟ ହେବେ। କାହିକିନା ଏହା ଗ୍ରାହକଙ୍କୁ  ଲଙ୍ଗଟର୍ମ ପାଇଁ ଲୋ ରନିଂ କଷ୍ଟ ଦେବ ।

ଆସାମରେ ଚା’ ବଗିଚା କର୍ମଚାରୀଙ୍କୁ ଭେଟି ଚା’ ପତ୍ର ତୋଳିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆସାମ ମିଶନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଆଜି ପ୍ରିୟଙ୍କାର ଦୁଇ ଦିନିଆ ଆସାମ ଗସ୍ତର ଶେଷ ଦିନ । ଦୁଇ ଦିନିଆ ଗସ୍ତ ବେଳେ ଜୋର୍‌ଦାର୍ ପ୍ରଚାର ଚଳାଇଛନ୍ତି ପ୍ରିୟଙ୍କା । ଆଜି ଆସାମର ତେଜପୁରର ଏକ ବିରାଟ ଜନସଭାକୁ ପ୍ରିୟଙ୍କା ସମ୍ବେଧିତ କରିଛନ୍ତି । ଏହା ପୂର୍ବରୁ ସେ ଚା’ ବଗିଚାର ମହିଳା ଶ୍ରମିକଙ୍କୁ ଭେଟିଛନ୍ତି । ସେଠାରେ ପ୍ରିୟଙ୍କା ଏକ ଟୋକେଇ ମୁଣ୍ଡରେ ବାନ୍ଧି ଚା’ପତ୍ର ତୋଳୁଥିବା ଦେଖାଯାଇଛି ।

ଏହାପରେ ସେ କିଛି ସମୟ ମହିଳା ଶ୍ରମିକଙ୍କ ସହ ସମୟ ମଧ୍ୟ ଅତିବାହିତ କରିଥିଲେ । ଚା’ ବଗିଚାରୁ ଫେରିବା ପରେ କଂଗ୍ରେସର ବରିଷ୍ଠ ନେତ୍ରୀ କହିଛନ୍ତି କି ଯେଉଁ ଭଲପାଇବା ସେ ଚା’ ବଗିଚାର କର୍ମଚାରୀଙ୍କଠାରୁ ପାଇଛନ୍ତି ତାହାକୁ ସେ କେବେ ଭୁଲିବେ ନାହିଁ।

ପ୍ରିୟଙ୍କା ଏକ ଟ୍ୱିଟ୍‌ ପୋଷ୍ଟ୍‌ କରି କହିଛନ୍ତି, ‘ଚା ବଗିଚାର ଶ୍ରମିକଙ୍କ ପରିଶ୍ରମ ସଚ୍ଚୋଟତାରେ ପରିପୂର୍ଣ୍ଣ। ସେମାନଙ୍କ ପରିଶ୍ରମ ଦେଶ ପାଇଁ ବହୁମୂଲ୍ୟ। ଆଜି ସେମାନଙ୍କ ସହ ମିଶି ସେମାନଙ୍କ କାମକାର୍ଯ୍ୟ, ଘରପରିବାରର ହାଲ୍‌ଚାଲ୍‌ ବୁଝିଲି। ସେମାନଙ୍କ ଜୀବନର କଷ୍ଟକୁ ଅନୁଭବ କରିପାରିଲି। ସେମାନଙ୍କଠାରୁ ଯେଉଁ ସ୍ନେହ ଓ ଆତ୍ମୀୟତା ପାଇଲି ତାହାକୁ କେବେ ଭୁଲିପାରିବି ନାହିଁ।

ସେପଟେ ଦକ୍ଷିଣ ଭାରତ ମିଶନରେ ତାମିଲନାଡୁରେ ଗତକାଲିଠାରୁ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । କେରଳ, ପୁଡୁଚେରୀ ଓ ତାମିଳନାଡୁରେ ନିର୍ବାଚନୀ ପ୍ରଚାର ଦାୟିତ୍ୱ ରାହୁଲଙ୍କ ହାତରେ ରହିଛି । ତେବେ ପ୍ରଚାର ବେଳେ ରାହୁଲଙ୍କ ନୂଆ ରୂପ ଦେଖିବାକୁ ମିଳିଛି । କେରଳରେ ମତ୍ସ୍ୟଜୀବୀଙ୍କ ସହ ମାଛ ମାରିବା ବେଳେ ୬ ପ୍ୟାକ୍‌ ଆବ୍ସ ଦେଖାଇବା ସହ ତାମିଳନାଡୁରେ ୯ ସେକେଣ୍ଡରେ ନନ୍‌ଷ୍ଟପ୍ ୧୩ଟି ପୁସ୍‌ଅପ୍‌ ମାରି ଚର୍ଚ୍ଚାରେ ରହିଛନ୍ତି ରାହୁଲ ଗାନ୍ଧୀ । ଆଜି ତାମିଲନାଡୁରେ ରାହୁଲ କେତେକ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଚୌଦ୍ୱାର ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁକୁ ଲିଭାଇବାକୁ ଉଦ୍ୟମ

ଚୌଦ୍ବାର: ପୁଣି ଚୌଦ୍ବାର ଏଆରସିରେ ଅଗ୍ନିକାଣ୍ଡ ଘଟିଛି । କ୍ୟାମ୍ପସର ଦକ୍ଷିଣ ପଟେ ନିଆଁ ଲାଗିଛି । ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ୨ଟି ଦମକଳ ଗାଡିକୁ ନିୟୋଜିତ କରାଯାଇଛି ।

ତେବେ ଏହି ଘଟଣାରେ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେହିପରି ଗତ ୨୭ ତାରିଖରେ ଏଆରସି କ୍ୟାମ୍ପସର ଦକ୍ଷିଣ ପଟେ ନିଆଁ ଲାଗିଥିଲା ।

ଉଲ୍ଲେଖଯୋଗ୍ୟ, ଚୌଦ୍ୱାର ଚାରବାଟିଆ ARCରେ ଅଗ୍ନିକାଣ୍ଡ ଘଟିଛି । ଦୀର୍ଘ ସମୟ ଧରି ନିଆଁ ଲାଗିଥିବା ବେଳେ ଅଗ୍ନକାଣ୍ଡର କାରଣ ଜଣାପଡ଼ିନାହିଁ । ନିଆଁ ଆୟତ୍ତ କରିବାକୁ କଟକ, ଚୌଦ୍ୱାର ଓ ARCର ଦମକଳ ସହିତ ୧୦ରୁ ଅଧିକ ଗାଡ଼ି ନିୟୋଜିତ ହୋଇଛି । ଚଣ୍ଡିଖୋଲରୁ ମଧ୍ୟ ଅଗ୍ନିଶମ ବାହିନୀ ଆସି ପହଞ୍ଚିଛି । ୪ ଘଣ୍ଟାରୁ ଅଧିକ ସମୟ ଧରି ନିଆଁ ଲାଗିଥିବା ବେଳେ ଏଯାବତ୍ ଆୟତ୍ତ ହୋଇପାରି ନାହିଁ ।

ARC ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ପରିସର ମଧ୍ୟ ବ୍ୟାପକ । ପୂର୍ବରୁ ମଧ୍ୟ ୨୦୧୭ ମସିହା ମାର୍ଚ୍ଚ ୩ ତାରିଖରେ ARC ପରିସରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ।ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ବୁଦାରେ ନିଆଁ ଲାଗିଥିବା ନେଇ ଆସିଷ୍ଟାଣ୍ଟ ଫାୟାର ଅଫିସର ସୂଚନା ଦେଇଛନ୍ତି । ତେବେ, ନିଆଁ ଲାଗିବାର କାରଣ ଏଯାବତ୍ ଜଣାପଡ଼ିନାହିଁ । କମିଶନରେଟ ପୋଲିସ ପହଞ୍ଚି ତଦନ୍ତ କରୁଛି ।