spot_img
Home Blog Page 2140

ରାତିପାହିଲେ ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା ; ରକ୍ତରଞ୍ଜିତ ହେବ ପୀଠ

ବଲାଙ୍ଗୀର : ଆସନ୍ତାକାଲି ପ୍ରସିଦ୍ଧ ଶୁଲିଆ ଯାତ୍ରା  । ବଲାଙ୍ଗୀର ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ  । ଏନେଇ ଆଞ୍ଚଳିକ ଶୁଲିଆ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ତିନି ଦିନ ଧରି ଶୁଲିଆ ମହୋତ୍ସବ ଅନୁଷ୍ଠିତ ହେଉଛି  । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୁଲିଆ ପୀଠ ଖଇରଗୁଡ଼ାରେ ଆଦିବାସୀମାନେ ପାରମ୍ପରିକ ପର୍ବ ପାଳନ କରିବେ  ।

ଆଦିବାସୀ ପରମ୍ପରା ଅନୁସାରେ ଯାତ୍ରା ସମୟରେ ବଳି ପଡିବ। ବଳିପ୍ରଥା ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ବୈଠକରେ ଅନୁରୋଧ କରିଥିଲେ। ହେଲେ ବଳି ନେଇ ଜିଦରେ ଅଟଳ ରହିଛି ଶୁଲିଆ ଯାତ୍ରା କମିଟି  । ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ବଳି ପଡିବ। ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ  । ଭୋରରୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥାନ୍ତି  । ପୀଠରେ ନିଶିପୂଜା ପରେ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥାଏ  । ମାନସିକଧାରୀ ମାନେ ଆଣିଥିବା ପୋଢ଼, ବେତା, ମେଣ୍ଢା, କୁକୁଡ଼ା, ବତକ ଶହ ଶହ ସଂଖ୍ୟରେ ବଳି ଦିଆଯାଇଥାଏ  । ପଶୁପକ୍ଷୀଙ୍କ ରକ୍ତରେ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳା ରକ୍ତରଞ୍ଜିତ ହୁଏ  ।

ବଳିପ୍ରଥା ବନ୍ଦ କରିବା ପାଇଁ ପୂର୍ବରୁ କିଛି ସ୍ବେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଇଥିଲା  । କିଛି ବର୍ଷ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଳିପ୍ରଥା ବନ୍ଦ କରିବାକୁ ଯାତ୍ରା ସ୍ଥଳରେ ୧୪୪ଧାରା ଜାରି କରାଯାଇଥିଲା  । ତେବେ ୨୦୧୫ ଡିସେମ୍ବର ୨୯ତାରିଖରେ ସୁପ୍ରିମକୋର୍ଟ ରାୟରେ ଆଦିବାସୀଙ୍କ ପରମ୍ପରାରେ କେହି ହସ୍ତକ୍ଷେପ ପରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ  । ତାପରଠାରୁ ପ୍ରତିବର୍ଷ ଶୁଲିଆ ପୀଠରେ ପଶୁ ବଳି ପଡ଼ିଆସୁଛି । ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରାସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଜଣେ ମାଜିଷ୍ଟ୍ରେଟ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଛି  ।

କାନପୁର ଉପରେ ୪୦ ବିମାନ କ୍ରାସ୍ କରିବାକୁ ହମାସ ଧମକର ସତ କ’ଣ ?

ନନ୍ଦିଘୋଷ ଡିଜିଟାଲ : ଇଣ୍ଡିଗୋ ଏୟାରଲାଇନକୁ କ୍ରାସ୍  ଧମକ । ହସାସର ଟାର୍ଗେଟରେ ଏବେ ଉତ୍ତରପ୍ରଦେଶର କାନପୁର ସହର ।  କାନପୁରରେ ହମାସ ୪୦ଟି ବିମାନ କ୍ରାସ୍ କରାଇବା ନେଇ ଆସିଥିଲା ଧମକ ।  ଇଣ୍ଡିଗୋ ଏୟାରଲାଇନର କଷ୍ଟମର କେୟାରକୁ ଏପରି ସୂଚନା ମିଳିବା ପରେ ଭୟର ବାତାବରଣ ଖେଳିଯାଇଥିଲା  ।  ଏହା ପରେ ୟୁପି ପୋଲିସ ଏହି ମାମଲାକୁ ନେଇ ଖୋଳତାଳ କରିଥିଲେ ।  କିନ୍ତୁ ଜଣାପଡିଲା କି ଏହି ଫୋନ୍ କଲ୍ ଏକ ୧୫ ବର୍ଷୀୟ ପିଲା କରିଥିଲା ।  ଟିଭିରେ ଦେଖାଉଥିବା ଇସ୍ରାଏଲ ଏବଂ ହମାସକୁ ନେଇ ଚାଲିଥିବା ଯୁଦ୍ଧକୁ ଦେଖି ଏପରି ଫ୍ରାଙ୍କ୍ କଲ୍ କରିବା ବୁଦ୍ଧି ତା ମୁଣ୍ଡକୁ ଆସିଥିଲା ବୋଲି ସେ କହିଥିଲା ।

ପିଲାଟି ନିଜ ବାପାଙ୍କ ଫୋନରୁ କଷ୍ଟମର କେୟାକୁ ଫୋନ ଲାଗାଇ ଏପରି କରିଥିବା କହିଛି ।  ଫେନରେ ସେ ଇଣ୍ଡିଗୋ ଏୟାରଲାଇନର ୪୦ଟା ବିମାନ କାନପୁରରେ କ୍ରାସ୍ ହେବା ନେଇ ଖବର ମିଳିଛି ବୋଲି ସୂଚନା ଦେଇଥିଲା  ।  ଯାହା ପରେ ଉତ୍ତେଜନା ସୃଷ୍ଟି ହୋଇଯାଇଥିଲା  । ଏହି ଫୋନ୍ କଲ୍ ଉତ୍ତରପ୍ରଦେଶର କାନପୁରରୁ କରାଯାଇଥିବା ଜଣାପଡିଥିଲା ।  ଏୟାରଲାଇନ ଏହି ମାମଲାର ଯାଞ୍ଚ କରିବା ପରେ ଏହାର ପ୍ରକୃତ ସତ ସାମ୍ନାକୁ ଆସିଛି ।

ପାଇଲଟଙ୍କୁ ମାଡ଼ ମାରିଥିବା ଯାତ୍ରୀଙ୍କ ନାମ ‘ନୋ ଫ୍ଲାଇଂ’ ତାଲିକାରେ ସାମିଲ ହେବ

ନୂଆଦିଲ୍ଲୀ : ଇଣ୍ଡିଗୋ ଦିଲ୍ଲୀ- ଗୋଆ ବିମାନରେ ପାଇଲଟଙ୍କୁ ଜଣେ ଯାତ୍ରୀ ମାଡ ମାରିବା ଘଟଣାରେ ବଡ଼ ପଦକ୍ଷେପ ।  ବିମାନ କମ୍ପାନୀ ପକ୍ଷରୁ ଏହା ଉପରେ ପ୍ରମୁଖ ପଦକ୍ଷେପ ନିଆଯିବା ନେଇ ଘୋଷଣା କରାଯାଇଛି । ଏୟାରଲାଇନ ସୂତ୍ର ଅନୁଯାୟୀ, ଏପରି କାଣ୍ଡ ଭିଆଇଥିବା ଯାତ୍ରୀଙ୍କ ନାଁକୁ ‘ନୋ ଫ୍ଲାଇଂ’ ଲିଷ୍ଟରେ ସାମିଲ କରିବାକୁ ଡିଜିସିଏଙ୍କୁ ସୁପାରିଶ କରାଯାଇଛି ।

ଇଣ୍ଡିଗୋ ପକ୍ଷରୁ ଏହି ଘଟଣାକୁ ନେଇ ଏକ ଇଣ୍ଟରନାଲ କମିଟି ଗଠନ କରାଯାଇଛି ।  ଏହି କମିଟିରେ ଏ ନେଇ ଆଲୋଚନା କରାଯାଇଛି । ‘ନୋ ଫ୍ଲାଇଂ ଲିଷ୍ଟ’ରେ ଯଦି କୌଣସି ବ୍ୟକ୍ତିଙ୍କ ନାଁ ସାମିଲ କରାଯାଏ , ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କ ଅନୁଚିତ ବ୍ୟବହାର ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ନିର୍ଦ୍ଧାରିତ ସମୟସୀମା ପର୍ଯ୍ୟନ୍ତ ତାଙ୍କୁ ଭାରତର ମଧ୍ୟରେ ଉଡାଣ ଉପରେ ରୋକ୍ ଲଗାଯାଇଛି  । ଅର୍ଥାତ୍ ‘ନୋ ଫ୍ଲାଇଂ ଲିଷ୍ଟ’ରୁ ତାଙ୍କ ନାଁ ନହଟିବା ଯାଏଁ ସେ ଭାରତ ଭିତରେ ବିମାନ ଯୋଗେ ଯାତ୍ରା କରି ପାରିବେ ନାହିଁ  ।

ଉକ୍ତ ଦିନ ବିମାନରେ ବିଳମ୍ବ ନେଇ ଯାତ୍ରୀ ମାନଙ୍କୁ ଘୋଷଣା କରାଯାଉଥିବା ସମୟରେ ସଂପୃକ୍ତ ବ୍ୟକ୍ତି ଜଣକ ହଠାତ ଉଠି ଆସି ପାଇଲଟଙ୍କୁ ମାଡ଼ ମାରିଥିଲେ ।  ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା  ।  ଏହି ଘଟଣାଟି ରବିବାର ଦିନ ଦିଲ୍ଲୀରୁ ଗୋଆ ଯାଉଥିବା ଫ୍ଲାଇଟ୍ 6E-2175ରେ ଘଟିଥିବା ଜଣାପଡିଛି ।  କୁହୁଡି ଯୋଗୁଁ ପାଖାପାଖି ୧୨ ଘଣ୍ଟା ବିଳମ୍ବ ନେଇ ପାଇଲଟ୍ ଘୋଷଣା କରୁଥିବା ବେଳେ ବ୍ୟକ୍ତି ଜଣକ ଉତ୍ୟକ୍ତ ହୋଇ ଏପରି କାଣ୍ଡ ଘଟାଇଥିଲେ  ।  ଯାତ୍ରୀ ଜଣକଙ୍କ ନାଁ ସାହିଲ କଟାରିଆ ବୋଲି ଜଣାପଡିଛି  ।  ଘଟଣା ପରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କୁ ହସ୍ତାନ୍ତର କରାଯାଇଥିଲା ।  ଅନ୍ୟପଟେ ଇଣ୍ଡିଗୋ ପକ୍ଷରୁ ଏହି ଯାତ୍ରୀଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି ।

ପୁଣି ଅଲୋଡା ଶିଶୁକନ୍ୟା; ବସ୍‌ ଚକା ତଳେ ଛାଡି ଚାଲିଗଲେ

କେନ୍ଦୁଝର : ପୁଣି ଅଲୋଡା ହେଲା ଶିଶୁକନ୍ୟା  । ବସ୍‌ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ଚାଲିଗଲେ । ଆଉ ଟିକକରେ ଯାଇଥାନ୍ତା ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଛଅମାସର କନ୍ୟା ସନ୍ତାନକୁ ସମ୍ପର୍କୀୟ ବ୍ୟାଗରେ ପୂରାଇ ଏକ ବସ୍ ଚକ ତଳେ କେହି ଛାଡ଼ି ଚାଲିଯାଇଥିଲେ । ଚମ୍ପୁଆ ପୋଲିସ୍ ଶିଶୁଟିକୁ ଉଦ୍ଧାର କରି ଚମ୍ପୁଆ ମେଡିକାଲରେ ଭର୍ତ୍ତି  କରାଯାଇଥିବା ବେଳେ ସେ ସୁସ୍ଥ ଥିବା ସୂଚନା ମିଳିଛି । କନ୍ୟା ସନ୍ତାନଟିର ପରିଚୟ ମିଳିନାହିଁ । ଏଭଳି ଅମାନୁଷିକ କାମ କିଏ ଏବଂ କାହିଁକି  କଲା, ସେନେଇ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି । ଏ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଘନ କୁହୁଡି ପାଇଁ ବିମାନ ବିଳମ୍ବ , ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ନୂଆଦିଲ୍ଲୀ : କଲବଲ କରୁଛି ଘନ କୁହୁଡି । ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ରାଜ୍ କରୁଛି କୁହୁଡି । ସୃଷ୍ଟି ହେଉଛି ଜିରୋ ଭିଜିବିଲିଟି । ରାସ୍ତାଘାଟ ଦେଖାନଯିବାରୁ ୧୮ଟି ଟ୍ରେନ ଏବଂ ୧୦୦ଟି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀରେ ପାରଦ ୩.୩ ଡିଗ୍ରୀ ରେକର୍ଡ କରାଯାଇଛି । ବିମାନ ଚଳାଚଳ ବିଳମ୍ବ ହେବା କାରଣରୁ ଦିଲ୍ଲୀ ବିମାନବନ୍ଦରରେ ଫସି ରହିଛନ୍ତି ଅନେକ ଯାତ୍ରୀ ।ଏଥିପାଇଁ ପରବର୍ତ୍ତୀ ବିମାନ ଉଡାଣ ପର୍ଯ୍ୟନ୍ତ ଯୋଗାଯୋଗରେ ରହିବା ପାଇଁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି ।

ଦିଲ୍ଲୀରେ ୨୫ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ କ୍ଷମତା ରହିଛି । ସେପଟେ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ଗୋଟିଏ ସପ୍ତାହ ବନ୍ଦ ରହିବା ପରେ ଆଜିଠୁ ଖୋଲୁଥିବା ବେଳେ ସକାଳ ୯ଟା ପୂର୍ବରୁ କ୍ଲାସ ପରିଚାଳନ ହେବନାହିଁ ବୋଲି ଘୋଷଣା କରାଯାଇଛି । ଇଣ୍ଡିଗୋ, ସ୍ପାଇସଜେଟ ଏବଂ ଭିସ୍ତାରା ଭଳି ପ୍ରମୁଖ ବିମାନ ସେବା ଏନେଇ ସେମାନଙ୍କ ୱେବସାଇଟ୍ ପକ୍ଷରୁ ଯାତ୍ରୀଙ୍କୁ ସଚେତନ କରାଇଛନ୍ତି। ପରବର୍ତ୍ତୀ ବିମାନ ଚଳାଚଳ ପର୍ଯ୍ୟନ୍ତ ଯୋଗାଯୋଗରେ ରହିବାରୁ ପରାମର୍ଶ ଦିଆଯାଇଛି ।IMDଙ୍କ ଆକଳନ ଅନୁସାରେ, ସମଗ୍ର ଉତ୍ତର ଭାରତରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେପଟେ ଘନ କୁହୁଡି ଯୋଗୁଁ ପଞ୍ଜାବ ଓ ହରିୟାଣା କୁ ରେଡ ଆଲର୍ଟ ଜାରି କରାଯାଇଛି

ମକର ସଂକ୍ରାନ୍ତିରେ ଅଘଟଣ ; ଗୁଡ଼ି ସୂତା ଲାଗି ୨ ଜଣ ଯୁବକ ଆହତ

କଟକ : କଟକ ବାଲିକୁଦାରେ ଅଭାବନୀୟ ଘଟଣା । ଗୁଡ଼ି ସୂତା ଲାଗି ୨ ଜଣ ଯୁବକ ଆହତ ହୋଇଛନ୍ତି । ଗୁଡ଼ି ସୂତା ଲାଗି କଟିଲା ଯୁବକଙ୍କ ବେକ ଓ ହାତ । ବାଇକରେ ନିଆଳିରୁ କଟକ ଆସୁଥିବା ବେଳେ ଲାଗି ଯାଇଥିଲା ଗୁଡି ସୂତା । ଜଣଙ୍କ ବେକ ଓ ଅନ୍ୟ ଜଣଙ୍କ ହାତରେ ଏହି ସୂତା ଲାଗିଥିଲା । ତୁରନ୍ତ ବାଇକ ଅଟକାଇ ଦେବାରୁ ଏକ ବଡ ବିପଦରୁ ବର୍ତ୍ତି ଯାଇଥିଲେ ଉଭୟ । ବେକରେ ଦାଗ ହୋଇଯିବା ସହିତ ହାତ କଟି ରକ୍ତ ସ୍ରାବ ହୋଇଛି ।

ମକର ସଂକ୍ରାନ୍ତି ଅବସରରେ କଟକ ସମେତ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଗୁଡ଼ି ଉଡିବା ଆରମ୍ଭ ହୋଇଛି । ଗୁଡ଼ି ଉଡ଼ାଇବା ପାଇଁ ମାଞ୍ଜା ସୂତାକୁ ପ୍ରଶାସନ ବାରଣ କରିଥିଲେ ମଧ୍ୟ କିଛି ଅମାନିଆ ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଉଥିବା ଦେଖିବାକୁ ମିଳିଛି ।

ରେଳଧାରଣରୁ ବଣିକ ସଂଘର ସଭାପତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀରରେ ରେଳ ଧାରଣରୁ ସୁନା ଦୋକାନୀ ମାଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ମୃତକ ହେଲେ ତ୍ରିପୁରାରି ପାଣିଗ୍ରାହୀ । ସେ ଜିଲ୍ଲା ବଣିକ ସଂଘର ସଭାପତି ବି ଥିଲେ । ବଲାଙ୍ଗୀରର ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ ତ୍ରିପୁରାରି  । ଆଜି ରେଳ ଧାରଣାରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।  ମୃତଦେହ ମଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି  । ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ  ରେଲୱ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତଦେହ ନିକଟରୁ ତ୍ରିପୁରାରିଙ୍କ ମୋବାଇଲ ମିଳିଛି । ରାତି ପ୍ରାୟ ୧୧ଟା ପରେ ପାରିବାରିକ ବଚସା ପରେ ଘରୁ ବାହାରି ଆସିଥିବା ନେଇ ସୂଚନା ମିଳିଛି । ଏପରିକି ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଆଜି ସକାଳ ପ୍ରାୟ ୬ଟା ୪୫ରେ ବଲାଙ୍ଗୀର ଜିଆରପି ପୋଲିସ ମୃତଦେହକୁ ରେଳଧାରଣା ନିକଟରୁ ଠାବ କରାଯାଇଥିଲା । କେସ ନମ୍ବର ୩/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ତ୍ରିପୁରାରି ପାଣିଗ୍ରାହୀ ବିଗତ ୧୦ ବର୍ଷ ଧରି ବଲାଙ୍ଗୀର ବଣିକ ସଂଘର ସଭାପତି ଥିଲେ । ଏହା ସହ ଜଣେ ସଫଳ ଓ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଥିଲେ । ତାଙ୍କର ଏହିଭଳି ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି ।

ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।

ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ। ଆଜିଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତ ଆରମ୍ଭ ହୁଏ । ସାଧାରଣତଃ  ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି। ପୌଷ ମାସ ହେତୁ ଅଟକି ଯାଇଥବା ଶୁଭ କାର୍ଯ୍ୟ ମକର ସଂକ୍ରାନ୍ତି ଠାରୁ ପୁଣି ଆରମ୍ଭ ହୋଇଯାଏ। ଏହି ପର୍ବକୁ ଦେଶର କୋଣ ଅନୁକୋଣରେ ଲୋକ ଭିନ୍ନ ଭିନ୍ନ ଭାବେ ପାଳନ କରିଥାନ୍ତି ।

ରାହୁଲ ଗାନ୍ଧୀଙ୍କ ବଡ଼ ଲଢେଇ; ମଣିପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ : ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ହିଂସାଗ୍ରସ୍ତ ମଣିପୁରର ଥୋବାଲ ଠାରୁ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି । ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ ସେ ପ୍ରବଳ ବର୍ଷିଛନ୍ତି ।

ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଆରମ୍ଭ କରି ରାହୁଲ କହିଛନ୍ତି ଯେ ଜୁନ ୨୯ ପରଠାରୁ ମଣିପୁରରେ ଶାସନ ପୂରା ଢ଼ାଞ୍ଚା ନଷ୍ଟ ହୋଇଯାଇଛି । ପୂରା ରାଜ୍ୟରେ ଘୃଣା ବ୍ୟାପି ଯାଇଛି । ଲଜ୍ଜାଜନକ ଯେ ପ୍ରଧାନମନ୍ତ୍ରୀଙ୍କୁ ଆଜି ଯାଏଁ ମଣିପୁର ଯିବାକୁ ସମୟ ମିଳିନାହିଁ । ସେ ମଣିପୁରକୁ ଥରଟିଏ ବି ଗସ୍ତ କରିନାହାଁନ୍ତି । ବିଜେପିର ରାଜନୀତି ଯୋଗୁଁ ମଣିପୁର ଯାହା ପାଇବା ଆବଶ୍ୟକ ତାହା ହରାଇଛି । ମଣିପୁର ହିଂସାରେ ଏତେ ଲୋକ ମରିଲେ । ଲୋକେ ଦୁଃଖ ଭୋଗିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ହାତ ଧରିବାକୁ ଆସିଲେ ନାହିଁ । ବୋଧହୁଏ ବିଜେପି ପାଇଁ ମଣିପୁର ଭାରତର ଅଂଶ ନୁହେଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ମଣିପୁରର ରାଜଧାନୀ ଇମ୍ଫାଲରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପତାକା ଦେଖାଇ ଏହି ଯାତ୍ରା ଶୁଭାରମ୍ଭ କରିଥିଲେ । ରାହୁଲ ଗାନ୍ଧିଙ୍କ ବ୍ୟତୀତ ଅନ୍ୟ ବହୁ ବରିଷ୍ଠ ନେତା ମଧ୍ୟ ଏହି ଯାତ୍ରାରେ ଭାଗ ନେଉଛନ୍ତି ।

ଦିନକ ପରେ ବଦଳିବ ପାଗ; ୧୭ ତାରିଖରେ ହାଲୁକାରୁ ମଧ୍ୟମଧରଣର ବର୍ଷା !

ଭୁବନେଶ୍ୱର : ଆଉ ଦିନକ ପରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୧୭ ତାରିଖରୁ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କିଛି ଅଞ୍ଚଳରେ ଶୀତ ଅନୁଭୂତ ହେବ । ୧୭ ତାରିଖ ବେଳକୁ ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ଥିବାରୁ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

୧୭ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡରେ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖରେ ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବା ସହ ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରାଯାଇଛି । ଆଜି ଘନ କୁହୁଡି ପାଇଁ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା ରହିବ ।