spot_img
Home Blog Page 2149

ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରସ୍ତାବଗୁଡିକୁ ମଞ୍ଜୁରୀ ଦିଆଯାଇଛି ।

ପ୍ରାଥମିକ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଅଣ ଶିକ୍ଷକଙ୍କ ଦରମା ହାରରେ ହୋଇଛି ପରିବର୍ତ୍ତନ । ଏଥିରେ ଲକ୍ଷେରୁ ଅଧିକ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାସହ କ୍ୟାଡରରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ପାଇଁ ଏକକାଳୀନ ୬ ଲକ୍ଷ ଓ କର୍ମଚାରୀଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁଦାନ ଦେବାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ସେହିପରି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଏକକାଳୀନ ୧୦ ଲକ୍ଷ ଏବଂ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ମିଳିବ । ଏଥିରେ ୯୫୨ ଅଧ୍ୟାପକ ଓ ୧୦୨୫ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୪୯ କୋଟି ୪୫ ଲକ୍ଷ ଟଙ୍କା ।

ନୂଆ ଓ ଛାତ୍ର ବୃତ୍ତି ଯୋଜନାରେ ଉଚ୍ଚ ଶିକ୍ଷା ବିଭାଗ ସହିତ ଅନ୍ୟ ବିଭାଗର ୟୁଜି ଓ ପିଜି ଛାତ୍ରଙ୍କୁ ବୃତ୍ତି ପ୍ରଦାନ ପାଇଁ ଅନୁମୋଦନ ମିଳିଛି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳିବାର ବ୍ୟବସ୍ଥା ଥିବା ବେଳେ କୃଷି, ସଂସ୍କୃତି ଓ ସ୍ବାସ୍ଥ୍ୟ ଭଳି ବିଭାଗ ଅଧୀନରେ ପଢୁଥିବା ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ । ସବୁ ବ୍ଲକ ଓ ସବଡିଭିଜନରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ  ଆମ ବସଷ୍ଟାଣ୍ଡ ଯୋଜନାରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ମୋଟ ୩୧୮ ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୫ , ଦ୍ବିତୀୟ ପର୍ଯ୍ୟାୟରେ ୧୩୩ ଓ ତୃତୀୟ ପର୍ଯ୍ୟାୟରେ ୧୩୦ ବସଷ୍ଟାଣ୍ଡ ନିର୍ମାଣ ହେବ ।

ଭୁବନେଶ୍ବର ଚନ୍ଦ୍ରଶେଖରପୁର ମୌଜାରେ ଗୋପାଳ ଭବନ ପାଇଁ ୫ ଶହ ଡିସିମିଲ ଜମି ମାଗଣାରେ ପ୍ରଦାନ କରାଯାଇଛି । ମୁସଲିମ ସମ୍ପ୍ରଦାୟର ପ୍ରାର୍ଥନା ଗୃହ ପାଇଁ ୨୫୦ ଡିସିମିଲ ମାଗଣା ଦିଆଯାଇଛି । ସେହିଭଳି ଢେଙ୍କାନାଳର ବିରାଶାଳରେ ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର ପାଇଁ ୫୬୨ କୋଟି ଟଙ୍କା ମଞ୍ଜୁର କରିଛି କ୍ୟାବିନେଟ । ଏଥିରେ ପାଇଲଟ, କ୍ୟବିନ କ୍ରିୁ, ଗ୍ରାଉଣ୍ଡ ଷ୍ଟାପ ଏବଂ ଏରୋପ୍ଲେନ ମରାମତି ପାଇଁ ଟ୍ରେନିଂ ଦିଆଯିବ । ସେହିଭଳି ଭୁବନେଶ୍ବର ଗଣ୍ଡମୁଣ୍ଡାରେ ହେବ ୟୁନିଟି ମଲ । ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ଉତ୍ପାଦ ସହ ଅନ୍ୟ ରାଜ୍ୟର ସ୍ବତନ୍ତ୍ର ପ୍ରଡକ୍ଟ ଏହି ମଲରେ ବିକ୍ରି କରାଯିବ ।

ଟାର୍ଗେଟରେ ବିବାହ ମଣ୍ଡପ: ସୁନା, ଟଙ୍କା ଓ ଗିଫ୍ଟ ହଡ଼ପ କଲା ଲୁଟେରା

ଭୁବନେଶ୍ବର: ଲୁଟେରାଙ୍କ ନୂଆ ତରିକା । ଟାର୍ଗେଟରେ ବିବାହ ଉତ୍ସବ । ଅତିଥି ହୋଇ ଆସୁଛନ୍ତି । ଗିଫ୍ଟ ଟଙ୍କା ଓ ସୁନାଗହଣା ଧରି ଚମ୍ପଟ ମାରୁଛନ୍ତି । ରାଜଧାନୀ ଭୁବନେଶ୍ବରରୁ ଆସିଛି ଏମିତି ଅଭିଯୋଗ ।

ଅଭିଯୋଗ ଅନୁସାରେ, କଳ୍ପନା ଛକରେ ଥିବା ହୋଟେଲ କଳିଙ୍ଗ ଅଶୋକରେ ହୋଇଥିଲା ଏକ ବାହାଘର । ତେବେ ଚୋର ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା, ଗିଫ୍ଟ ଚୋରି କରିଥିବା ହୋଇଛି ଅଭିଯୋଗ । ଏନେଇ ବଡଗଡ଼ ଥାନାରେ ଅଭିଯୋଗ କରିଛନ୍ତି ଝିଅର ବାପା। ହୋଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଲୁଟ ହୋଇଥିବା ଝିଅର ବାପା କହିଛନ୍ତି । ହୋଟେଲରେ କୌଣସି ସିସିଟିଭି ବା ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଝିଅର ବାପା । ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

ନୂଆ ରୂପ ପାଇବ ଓ୍ବାକଫ ଭବନ, ପଡ଼ିଲା ଭିତ୍ତିପ୍ରସ୍ତର

କଟକ: ମୁସଲମାନ ସଂପ୍ରଦାୟଙ୍କ ବହୁ ପ୍ରତିକ୍ଷିତ ୱାକଫ ଭବନର ଭିତ୍ତିପ୍ରସ୍ତର ସ୍ଥାପନ । ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା କଟକ ପୁରୁଣା ସଚିବାଳୟ ପରିସରରେ ଭବନର କଲେ ଶିଳାନ୍ୟାସ । ୧୯୫୯ ମସିହାରୁ ପୁରୁଣା ବିଲଡିଂରେ ଜରାଜୀର୍ଣ୍ଣ ଅବସ୍ଥାରେ ଚାଲିଥିଲା ୱାକଫ ବୋର୍ଡ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହାକୁ ବିଚାର କରି ୬ କୋଟି ୭୫ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଦେଇଥିଲେ । ଏଥିରେ ଖୁବଶୀଘ୍ର ୫ ମହଲା ବିଶିଷ୍ଟ ନୂଆ ଅଟ୍ଟାଳିକା ନିର୍ମାଣ ହେବ । ଆଉ ହଜ ଯିବା ପାଇଁ କାଗଜପତ୍ର କରିବାରେ ହେବନି ସମସ୍ଯା ।

ସୂଚନାଯୋଗ୍ୟ, ୱାକଫ ବୋର୍ଡ ବକ୍ସିବଜାର ପୁରୁଣା ସଚିବାଳୟ ପରିସରରେ କାର୍ଯ୍ଯ କରି ଆସୁଥିଲା । ୧୯୯୯ ମହାବାତ୍ଯା ଓ ପରବର୍ତ୍ତି ସମୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏହି ପୁରୁଣା ଘର ଭାଙ୍ଗିରୁଜି ଯାଇଥିଲା । ତେବେ ମୁସଲମାନ ଭାଇମାନଙ୍କ ସମସ୍ଯାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ନୂଆ ବିଲଡିଂ ପାଇଁ ମଞ୍ଚୁର ହୋଇଛି ଟଙ୍କା । ଏଥିପାଇଁ ସମସ୍ତଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଅନୂସୁଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ।

ନୂଆ ରୂପ ପାଇବା ସହ ୱାକଫ ଭବନ ପାଇଁ ୫ ମହଲା ନୂଆ କୋଠା ନିର୍ମାଣ ହେବ । ଏଥିରେ ୱାକଫ ବୋର୍ଡ ଅଫିସ, ୱାକଫ ବୋର୍ଡ ଟ୍ରିବ୍ୟୁନାଲ, କନଫରେନ୍ସ ହଲ, ରେକର୍ଡ ରୁମ ରହିବ । ହଜ ବେଳେ ଏଠାରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରାଯିବ । ଚଳିତବର୍ଷ ରାଜ୍ଯ ସରକାର ୱାକଫ ଅନୁଷ୍ଠାନର ସହାୟତା ପାଇଁ ୧୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅବସରରେ ରାଜ୍ଯ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାର ୪୪୫ଟି ୱାକଫ ଅନୁଷ୍ଠାନକୁ ଦେଇଥିବା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ରୂପାନ୍ତରିତ ଆଇଆରସି ସରକାରୀ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ଯ ଶିକ୍ଷା ବିପ୍ଳବରେ ଆଉ ଏକ ଫର୍ଦ୍ଦ । ରୂପାନ୍ତରିତ ଭୁବନେଶ୍ବର ନୟାପଲ୍ଲୀ ଆଇଆରସି ସରକାରୀ ଉଚ୍ଚ ବିଦ୍ଯାଳୟର ଲୋକାର୍ପଣ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଏହାକୁ ଏକ ଡ୍ରିମ୍ ପ୍ରୋଜେକ୍ଟ ଭାବେ ନିର୍ମାଣ କରିଥିବା ବେଳେ ଏହି ଅତ୍ୟାଧୁନିକ ମଡେଲ୍ ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି ନବୀନ ।

ସ୍କୁଲରେ ରହିଛି ୩୫ଟି ହାଇଟେକ କ୍ଲାସ ରୁମ । ଦୁଇ ହଜାର ପିଲା ପାଠ ପଢ଼ିବାର କ୍ଷମତା ରହିଛି । କ୍ଳାସରୁମରେ ସିସିଟିଭି, ସ୍ମାର୍ଟ ବୋର୍ଡ, ଭିଡିଓ କନ୍ଫରେନିଂର ବ୍ୟବସ୍ଥା ରହିଛି । ଏହାସହ ୧୨ଟି ନୂତନ ଅତ୍ୟାଧୁନିକ ଶ୍ରେଣୀଗୃହ, ଇ-ଲାଇବେରୀ ଓ ବୈଜ୍ଞାବିକ ପ୍ରୟୋଗଶାଳା ନିର୍ମାଣ ହୋଇଛି । ଏପରିକି ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ସଂଖ୍ୟାରେ ନୂତନ ଶୌଚାଳୟ ନିର୍ମାଣ କରାଯାଇଛି । ମଧ୍ୟାହ୍ନ ଭୋଜନ ପାଇଁ ଚକାଚକ ରୁମ ନିର୍ମାଣ ହୋଇଛି । ସ୍କୁଲର ବାର୍ଷିକ ଉତ୍ସବ ହେଉ ଅବା ସଭା, ସମିତି, ଏଥିପାଇଁ ତିଆରି ହୋଇଛି ମୁକ୍ତକାଶ ରଙ୍ଗମଞ୍ଚ । ଶ୍ରେଣୀଗୃହର କାନ୍ଥରେ ଭାଷା, ସାହିତ୍ୟ ଓ ସଂସ୍କୃତିର କଥା । ପିଲାମାନଙ୍କ ପାଇଁ ଦୁଇଟି ସାଇକେଲ ଷ୍ଟାଣ୍ଡ ଓ ଛାତ୍ରୀ ନିବାସ ମଧ୍ଯ ନିର୍ମାଣ କରାଯାଇଛି ।

କେବଳ ପାଠ ପଢା ନୁହେଁ ଛାତ୍ରଛାତ୍ରୀଙ୍କ ଖେଳକୁଦରେ ଦକ୍ଷତା ବଢିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଫୁଟବଲ, ଟେନିସ୍ କୋର୍ଟ, ଭଲି ଓ କବାଡ଼ି ମଇଦାନ ନିର୍ମାଣ  କରାଯାଇଛି । ଛାତ୍ରଛାତ୍ରୀଙ୍କ ମନରେ ଜୋସ ଭରିବା ପାଇଁ ଦେଶ ବିଦେଶର ଖେଳାଳିଙ୍କ ଚିତ୍ର କାନ୍ଥରେ ଅଙ୍କା ଯାଇଛି । ସେହିପରି ପିଲା ନିଜକୁ ଫିଟ୍ ରଖୁବାକୁ ଜିମ୍ ଓ ସାଇକେଲିଂ ଟ୍ରାକ୍ ଓ ଜଗିଂ ଟ୍ରାକ୍ ପ୍ରସ୍ତୁତ କରାଯାଇଛି ।

୧୯୮୩ ମସିହାରେ ଆଇଆରସି ଭିଲେଜରେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୭୦୦ ଟପିଲା ପରେ ଶ୍ରେଣୀ ଗୃହରେ ବସିବାକୁ ଅସୁବିଧ ହେଉଥିଲା । ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ୨୦୨୨ ମସିହାରେ ଏହି ସ୍କୁଲକୁ ପୁନଃ ନିର୍ମାଣ କରିବାକୁ ଯୋଜନା କରିଥିଲେ ରାଜ୍ୟ ସରକାର । ଏହି ସ୍କୁଲ ରାଜ୍ଯ ସରକାରଙ୍କ ସ୍ବପ୍ନର ପ୍ରକଳ୍ପ ହୋଇଥିବା ବେଳେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ବିଡିଏ ଉପାଧ୍ଯକ୍ଷ ବଲବନ୍ତ ସିଂହ ବାରମ୍ବାର ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିଥିଲେ ।

ବଢ଼ିଲା ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି

ଭୁବନେଶ୍ବର: ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଖୁସି ଖବର । ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ କରିଛନ୍ତି ଘୋଷଣା । ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ହେବ କାର୍ଯ୍ୟକାରୀ । ଉପକୃତ ହେବେ ୫୯ ହଜାର ୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ବେଳେ ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ହୋଇଥିଲା ଅନୁରୋଧ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ । ମିଶନ ଶକ୍ତି ଅଧୀନରେ ୫୯ ହଜାର ୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ MBK, ବ୍ୟାଙ୍କ ମିତ୍ର ଓ ଜୀବିକା ସହାୟିକାମାନେ ଏଣିକି ମାସିକ ୬ ଜହାର ୭୫୦ ଟଙ୍କା ବଦଳରେ ୧୦ ହଜାର ୭୫୦ ଟଙ୍କା ପାଇବେ । ସେହିପରି କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାସିକ ୩ ହଜାର ୭୫୦ ଟଙ୍କା ପରିବର୍ତ୍ତେ ୬ହଜାର ୨୫୦ ଟଙ୍କା ପାଇବେ । CRP-CM ମାସିକ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ ।

ଏଥିପାଇଁ ରାଜ୍ୟସରକାର ୯୬.୫୧ କୋଟି ଟଙ୍କା ଅତିରିକ୍ତ ଅର୍ଥରାଶି ବ୍ୟୟବରାଦ କରିଛନ୍ତି ।

୨ ହଜାର କୋଟି ଟଙ୍କାର ଡ୍ରଗ୍ସ କାରବାର ମାମଲା, ଫିଲ୍ମ ପ୍ରଡ୍ୟୁସର ଜାଫର ସାଦିକ ଗିରଫ

ନୂଆଦିଲ୍ଲୀ: ଡ୍ରଗ୍ସ କାରବାର ମାମଲାରେ ଫିଲ୍ମ ପ୍ରଡ୍ଯୁସ ଜାଫର ସାଦିକ ଗିରଫ। ବିଭିନ୍ନ ଦେଶକୁ ୨ ହଜାର କୋଟି ଟଙ୍କାର ଡ୍ରଗ୍ସ କାରବାର ମାମଲାରେ ଜାଫରଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଫିଲ୍ମ ନିର୍ମାତା ଜାଫର ସାଦିକ ଦଣେ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରଯୋଜକ । ଦୀର୍ଘ ଚାରି ମାସ ଧରି ସାଦିକଙ୍କୁ ଖୋଜିବା ପରେ ଶେଷରେ ଏନସିବି ଗିରଫ କରିବାକୁ ସଫଳ ହୋଇଛି ।

ଜାଫର ଭାରତ, ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡକୁ ହେଉଥିବା ଡ୍ରଗ୍ସ ଚାଲାଣ ନେଟଓ୍ୱର୍କର ମୁଖ୍ୟ ଥିବା ଏନସିବି କହିଛି । ଫିଲ୍ମ ନିର୍ମାତାଙ୍କ ସମେତ ୩ ଜଣଙ୍କୁ ଏନ୍‌ସିବି ଏହି ମାମଲାରେ ଦିଲ୍ଲୀରୁ ଗିରଫ କରିଛି । ସେମମାନଙ୍କ ନିକଟରୁ ୫୦ କେଜିରୁ ଅଧିକ ଡ୍ରଗ୍ସ ଜବତ ହୋଇଛି ।

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରୁ ୨ ହଜାର କୋଟି ଟଙ୍କାର ଡ୍ରଗ୍ସ ଚାଲାଣ କରିଥିବା ନେଇ ଜାଫର ବିରୋଧରେ ଅଭିଯୋଗ ରହିଛି । ଅଭିଯୁକ୍ତମାନେ ବିଭିନ୍ନ ଦେଶକୁ ୪୫ରୁ ଅଧିକ ଥର ୩ ହଜାର ୫ ଶହ କେଜିର ନିଶାଦ୍ରବ୍ଯ ଚାଲାଣ କରିଛନ୍ତି । କାର୍ଗୋ ବିମାନ ଜରିଆରେ ଏହି ଡ୍ରଗ୍ସକୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯେପରିକି ପ୍ରୋଟିନ୍‌ ପାଉଡର୍‌ ଓ ଶୁଖିଲା ନଡିଆ ଗୁଣ୍ଡରେ ଲୁଚାଇ ଚାଲାଣ କରାଯାଉଥିଲା ବୋଲି ଏନସିବି କହିଛି । ଏନସିବି ଓ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ଫିଲ୍ମ ନିର୍ମାତା ଜାଫର ସାଦିକଙ୍କୁ ଦୁଇ ସପ୍ତାହ ଧରି ଜେରା କରିବ । ଡ୍ରଗ୍ସ ଚାଲାଣ କରି ସାଦିକ କୋଟି କୋଟି ଟଙ୍କା ଅର୍ଜନ କରିଛନ୍ତି । ଏହି ଟଙ୍କାକୁ ସେ ନିଜ ଫିଲ୍ମ, କନଷ୍ଟ୍ରକ୍ସନ ସହ ଅନ୍ଯ କାମରେ ଲଗାଇଥିବା କହିଛି ଏନସିବି । ଦକ୍ଷିଣ ସିନେମାର ଜଣାଶୁଣା ପ୍ରଯୋଜକ ଜାଫର ସାଦିକ ବର୍ତ୍ତମାନ ସୁଦ୍ଧା ୪ଟି ଫିଲ୍ମ ତିଆରି କରିଛନ୍ତି ।

ନୀଳମାଧବ ନିବାସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରରେ କେହି ବି ରହିବେନି ବସ୍ତି ଓ ଝୁମ୍ପୁଡ଼ି ଘରେ । ଏହି କ୍ରମରେ ନୀଳମାଧବ ନିବାସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ଆମ ପାଇଁ ଜମି ଅପେକ୍ଷା ଲୋକେ ଅଧିକ ଗୁରୁତ୍ବପୂର୍ଣ୍ଣ । ସହରରେ କେହି ଝୁମ୍ପୁଡ଼ି ଘରେ ରହିବେନି । ଏଥିପାଇଁ ଆବାସ ଯୋଜନା ଜରିଆରେ ଫ୍ଲାଟ ପ୍ରଦାନ କରାଯାଉଛି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ନିର୍ମାଣ ହୋଇଛି ଏହି ନୀଳମାଧବ ନିବାସ ।

ସୂଚନାଯୋଗ୍ୟ, ବସ୍ତିବାସିନ୍ଦାଙ୍କ ପାଇଁ ସ୍ମାର୍ଟ ସିଟିରେ ଆବାସ ସ୍କିମରେ ଘର ଯୋଗାଉଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ନୀଳମାଧବ ନିବାସରେ ୧୨ ଶହ ଘର ନିର୍ମାଣ ହେଉଛି । ପ୍ରଥମ ପର୍ଯ୍ୟାୟରେ ୯୬୦ଟି ଗୃହ ଶେଷ ହୋଇଥିବା ବେଳେ ଆଜି ୪୫୫ ବସ୍ତି ବାସିନ୍ଦାଙ୍କୁ ଘର ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ପରିବାରକୁ ୨୭୫ ସ୍କୋୟାର ଫୁଟର ଏକ ଘର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ନୀଳମାଧବ ନିବାସ ପରିସରରେ ରହିଛି ବହୁମୁଖୀ ସୁବିଧା କେନ୍ଦ୍ର, ସପିଙ୍ଗ କମ୍ପ୍ଲେକ୍ସ, ପାର୍କ, ପାର୍କିଂ ସ୍ଥାନ, ପାର୍କରେ ଜିମ ଓ ଚାଲିବା ରାସ୍ତା, ପିଲାଙ୍କ ଖେଳିବା ପାଇଁ ଦୋଳି ସହ ବିଦ୍ୟୁତ ଓ ପାନୀୟ ଜଳର ସୁବିଧା ।

ସୁନା-ରୁପା ଭର୍ତ୍ତି ବ୍ୟାଗ ଧରି ଲୁଟେରା ଚମ୍ପଟ୍

ଭୁବନେଶ୍ବର: ଲୁଟେରାଙ୍କ ଭୂସ୍ବର୍ଗ ପାଲଟିଛି ରାଜଧାନୀ ଭୁବନେଶ୍ବର । କେତେବେଳେ ଆପାର୍ଟମେଣ୍ଟ ଲୁଟେରା ମାତୁଛନ୍ତି ତ ଆଉ କେତେ ବେଳେ ଝରକା ତଡ଼ା ଗ୍ୟାଙ୍ଗ । ମୋବାଇଲ ଓ ସୁନା ଚେନ୍ ଝମ୍ପା ଲୁଟେରା ତ ଦୌରାତ୍ମ୍ୟ ମଚାଇଛନ୍ତି । ଏବେ ଜଣେ ସୁନା ଦୋକାନୀ ଲୁଟର ଶିକାର ହୋଇଛନ୍ତି । ତାଙ୍କ ଦେକାନ ଆଗରୁ ସୁନା ଓ ରୁପା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଛି ଲୁଟେରା । ଘଟଣା ଘଟିଛି ଏୟାର ଫିଲ୍ଡ ଥାନା ଅଞ୍ଚଳରେ । ସୁନା ଦୋକାନ ଆଗରୁ ଦୋକାନୀ ମାନସ କୁମାର ସାହୁଙ୍କ ଆଗରେ ହୋଇଛି ଲୁଟ୍ ।

ତଥ୍ୟ ଅନୁସାରେ ମାନସ ସବୁଦିନ ଭଳି ସୁନା ଓ ରୁପା ସାମଗ୍ରୀ ବ୍ୟାଗରେ ନେଇ ଦୋକାନ ବନ୍ଦ କରୁଥିବାବେଳେ ଏହି ଲୁଟ ହୋଇଥିଲା । ବ୍ୟ।ଗଟିକୁ ମାନସ ବାଇକରେ ରଖି ଦୋକାନ ତାଲା ପକାଉଥିଲେ । ଏହି ସମୟରେ ଦୁର୍ବୃତ୍ତ ବ୍ୟାଗଟିକୁ ଲୁଟି ନେଇଛି । ଲୁଟ ବେଳର ଭିଡିଓ ସିସିଟିଭିରେ ହୋଇଛି କଏଦ । ସିସିଟିଭି ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି ।

ପୃଥିବୀକୁ କେବେ ବି ଆସିନାହାନ୍ତି କୌଣସି ଏଲିୟନ, ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ପେଣ୍ଟାଗନ: ଏଲିୟନ ଅଛନ୍ତି କି ନାହିଁ ? ଯଦି ଅଛନ୍ତି ପୃଥିବୀକୁ ଆସିଛନ୍ତି କି ନାହିଁ ? ବିଭିନ୍ନ ସମୟରେ ୟୁଏଫଓ ଦେଖିବା ନେଇ ହେଉଥିବା ଦାବି କେତେ ସତ ? ଏଲିୟନ ପୃଥିବୀକୁ ଆସିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ପେଣ୍ଟାଗନ । କୌଣସି ଏଲିୟନ ପୃଥିବୀକୁ ଆସି ନଥିବା ସ୍ପଷ୍ଟ କରିଛି ପେଣ୍ଟାଗନ ।

ଦୀର୍ଘଦିନ ଧରି ପୃଥିବୀକୁ ଅଜଣା ଉଡ଼ନ୍ତା ବସ୍ତୁ ବା ୟୁଏଫଓ ଆସିଥିବା ନେଇ ନାନା ଚର୍ଚ୍ଚା ଚାଲିଥିଲା । ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏହାକୁ ନେଇ ଗବେଷଣା ବି ଚାଲିଥିଲା । ତେବେ ଶେଷରେ ପେଣ୍ଟାଗନ ଏହି କଳ୍ପନାଜଳ୍ପନାର ଅନ୍ତ କରିଛି । ପେଣ୍ଟାଗନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ୟୁଏଫଓ ନେଇ ଗତ ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ଆମେରିକା ସରକାରଙ୍କ ପକ୍ଷରୁ ଚାଲିଥିବା ଗବେଷଣା ଏହା ପ୍ରମାଣିତ କରିଛି ଯେ ପୃଥିବୀ ବାହାରର କୌଣସି ବସ୍ତୁ ଆସିବାର ପ୍ରମାଣ ନାହିଁ। ଯେଉଁ ଉଡନ୍ତା ବସ୍ତୁ ଉଡିଥିବା କୁହାଯାଉଛି ତାହା ମାମୁଲି ବସ୍ତୁ ଓ କପୋଳକଳ୍ପିତ ।

ୟୁଏଫଓ ପ୍ରସଙ୍ଗରେ ୨୦୨୨ରେ ପେଣ୍ଟାଗନ ପକ୍ଷରୁ ଯେଉଁ ଘୋଷଣା କରାଯାଇଥିଲା ତାହାକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏଲିୟନ ପ୍ରସଙ୍ଗରେ ଗବେଷଣା ଲାଗି ବିଗତ ୧୯୪୫ରୁ ଆମେରିକା ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା । ବିଗତ ୧୯୪୦ ଦଶକରୁ ୟୁଏଫଓ ପ୍ରସଙ୍ଗରେ ଆମେରିକା ମିଲିଟାରୀ ଖଣ୍ଡନ କରିଆସୁଥିଲା ।

ବିଭିନ୍ନ ବିଭାଗରେ ୧୨୯୪ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଚାଲିଛି ନିଯୁକ୍ତି ପର୍ବ । ବିଭିନ୍ନ ବିଭାଗରେ ଅଧିକାରୀଙ୍କୁ ନିଯୁକ୍ତି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଆଜି ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୭୨୫ ଜଣ କନିଷ୍ଠ ସହାୟକ, ଅର୍ଥ ବିଭାଗରେ ୧୭୭ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ, ୯୬ ଜଣ ସହକାରୀ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଅଧିକାରୀ, ୭ ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାର ନିଯୁକ୍ତି ପାଇଛନ୍ତି । ଅର୍ଥ ବିଭାଗରେ ମୋଟ ୨୮୦ ଜଣ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ୧୧୬ ଜଣ କନିଷ୍ଠ ସହାୟକ, ୫ ଜଣ କନିଷ୍ଠ କିରାଣୀ ଓ ୮ ଜଣ କନିଷ୍ଠ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ମୋଟ ୧୨୯ ଜଣ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କ୍ରୀଡା ବିଭାଗରେ ୧୬୦ ଜଣ କୃତୀ କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦିଆଯାଇଛି । ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଗୃହ ବିଭାଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଛନ୍ତି ।