spot_img
Home Blog Page 3066

ରେକର୍ଡ ଭାଙ୍ଗିଲା ତାତି; ସମ୍ବଲପୁରରେ ସର୍ବାଧିକ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗିଲା ତାତି । ଚଳିତବର୍ଷ ପ୍ରଥମ ଥର ପାଇଁ ୪୬ ଡିଗ୍ରୀ ଛୁଇଁଛି ତାପମାତ୍ରା । ସମ୍ବଲପୁରରେ ସର୍ବାଧିକ ୪୬ ଡିଗ୍ରୀ ତାତି ରେକର୍ଡ ହୋଇଛି । ସେହିପରି ସୋନପୁର ୪୫.୮ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ବୌଦ୍ଧ ଓ ହୀରାକୁଦରେ ୪୫.୫ ଡିଗ୍ରୀ ଲେଖାଏ ତାତି ରେକର୍ଡ ହୋଇଛି । ଝାରସୁଗୁଡ଼ା ୪୫.୨ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୪୫ ଡିଗ୍ରୀ ତାତି ରେକର୍ଡ ହୋଇଛି । ସେହିପରି ରାଜଧାନୀରେ ଗତକାଲି ଅପେକ୍ଷା ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଭୁବନେଶ୍ବରରେ ୪୧.୬ ଡିଗ୍ରୀ ତାତି ରେକର୍ଡ ହୋଇଛି ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା

ଆଦିଲ୍ଲୀ: ଦିଲ୍ଲୀରୁ ପୁଣିଥରେ ଛୁରୀ ଭୁସି ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ୟୁନିଭର୍ସିଟିର ସାଉଥ କ୍ୟାମ୍ପସରେ ଜଣେ ଛାତ୍ରଙ୍କ ଉପରକୁ ଛୁରୀରେ ଲଗାତାର ଆକ୍ରମଣ କରାଯାଇଛି । ଏଥିରେ ୧୯ ବର୍ଷୀୟ ଜଣେ ଛାତ୍ରଜଣଙ୍କର ମୃତ୍ୟୁ ହୋଇଯାଇଛି । ଘଟଣା ଗାର୍ଲଫ୍ରେଣ୍ଡ ସହ ଦୁର୍ବ୍ୟବହାର ସହ ସମ୍ବନ୍ଧିତ ବୋଲି କୁହାଯାଉଛି । ଏହାକୁ ନେଇ ପ୍ରାୟ ୧ ଟା ୩୦ରେ ତାର ଅନ୍ୟ ଛାତ୍ରମାନଙ୍କ ସହ ଝଗଡ଼ା ହୋଇଯାଇଥିଲା ଏବଂ ଏହି ସମୟରେ ତାକୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତକ ଛାତ୍ରଙ୍କ ନାଁ ନିଖିଲ ବୋଲି କୁହାଯାଉଛି । ପୋଲିସ ଆକ୍ରମଣକାରୀଙ୍କୁ ଖୋଜିବାରେ ଲାଗିଛି । ସୂଚନାନୁଯାୟୀ, ନିଖିଲ ବିଏ (ଅନର୍ସ) ପଲିଟିକାଲ ସାଇନ୍ସ ସ୍କୁଲ ଅଫ ଓପନ ଲର୍ଣ୍ଣିଂର ପ୍ରଥମ ବର୍ଷର ଛାତ୍ର ଥିଲେ ।

ପୋଲିସ ମୁତାବକ ଯେଉଁ ପିଲା ଉପରେ ଆକ୍ରମଣ କରାଯାଇଥିଲା ତାର ନାଁ ନିଖିଲ ଚୌହ୍ୱାନ ଅଟେ । ସେ ବି ବ୍ଲକ ଡି ୭୭୯ ପଶ୍ଚିମ ବିହାରର ଅଧିବାସୀ ଅଟେ । ଚିକିତ୍ସା ସମୟରେ ତାର ମୃତ୍ୟୁ ହୋଇଯାଇଛି । ପୋଲିସ ସୂତ୍ରଙ୍କ ମୁତାବକ ନିଖିଲଙ୍କ ଗାର୍ଲଫ୍ରେଣ୍ଡ ସହ କଲେଜର ଅନ୍ୟ ଛାତ୍ର ୭ ଦିନ ପୂର୍ବେ ଦୁର୍ବ୍ୟବହାର କରିଥିଲେ । ଏହାପରେ ଆଜି ରବିବାର ଅପରାହ୍ନ ପ୍ରାୟ ୧୨ ଟା ୩୦ରେ ଦୁର୍ବ୍ୟବହାର କରିଥିବା ଛାତ୍ରଙ୍କ ସହ କଲେଜ ଗେଟ୍ ବାହାରେ ନିଖିଲର ଭେଟ ହୋଇଥିଲା । ଏହି ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଅନ୍ୟ ଛାତ୍ରଜଣଙ୍କ ନିଜ ୩ ସାଥୀଙ୍କ ସହ ନିଖିଲଙ୍କ ଛାତିରେ ଛୁରୀ ଭୁସି ଦେଇଥିଲା । ତାକୁ ଚିକିତ୍ସା ପାଇଁ ନିକଟସ୍ଥ ଚରକ ପାଲିକା ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି ।

ଉପାନ୍ତରୁ ଉପକୂଳ ସିଭିୟର ହିଟ୍ ୱେଭ ଆଲର୍ଟ, ୩ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଜଳୁଛି ଓଡିଶା । ଉପାନ୍ତରୁ ଉପକୂଳ ସିଭିୟର ହିଟ୍ ୱେବ ଆଲର୍ଟ । ୩ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ସ୍ବାଭବିକ ଠାରୁ ୪ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ । ଦିନ ୧୧ରୁ ଅପରାହ୍ନ ୩ଟା ଯାଏଁ ପିକ୍ ଆୱାର ଘୋଷଣା । ଉତ୍ତର ପଶ୍ଚମି ଦିଗରୁ ବହୁଥିବା ଗରମ ଶୁସ୍କ ପବନ ପ୍ରବାହରେ ତାତି ବୃଦ୍ଧି ପାଇଛି । ଗତ କାଲି ତୁଳନାରେ ଆଜି ଦକ୍ଷିଣା ଥଣ୍ଡା ପବନ ଉପକୂଳ ଓଡିଶାକୁ ପ୍ରବାହିତ ହୋଇଥିବାରୁ ତାତି ସାମାନ୍ୟ କମିଛି । ଆସନ୍ତାକାଲି ସିଭିୟର ହିଟ ୱେଭ ପାଇଁ ପଶ୍ଚମ ଓଡିଶାର ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଉତ୍ତର ଉପକୂଳ ଓଡିଶାର ୮ ଜିଲ୍ଲା ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ପରେ ୩ରୁ ୫ ଡିଗ୍ରୀ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି ।

ସେପଟେ କଟକ-ଭୁବନେଶ୍ବରରେ ତାତି ଲୋକଙ୍କୁ ଛଟପଟ କରୁଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । କିଏ ମୁଣ୍ଡରେ ଗାମୁଛା ବାନ୍ଧିଛି ତ ଆଉ କିଏ ଗଛ ମୂଳେ ବସିଛନ୍ତି । ଦିନର ଗରମଠୁ ବଳି ଯାଉଛି ରାତିର ତାତି । ଆସନ୍ତା ୨୧ ତାରିଖରେ କାଳବୈଶାଖୀ ବର୍ଷା ସମ୍ଭାବନା । ତା ପରେ ତାତି କମିବା ସହ ପାଗରେ ପରିବର୍ତ୍ତନ ହେବା ନେଇ ଆକଳନ କରାଯାଇଛି । ୨୩ ତାରିଖ ପରେ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ବର୍ଷା ହେବ ନେଇ ଅନୁମାନ କରାଯାଉଛି । ଯାହାକି ମୌସୁମୀ ବର୍ଷାକୁ ବାଟ କଡେଇ ନେବ । ବାତ୍ୟା ବିପର୍ଯ୍ୟୟ ଯୋଗୁଁ ମୌସୁମୀ ବିଳମ୍ବ ହୋଇଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ସିଭିୟର ହିଟ୍ଓ୍ବେଭ ଏବଂ କାଳବୈଶାଖୀ ନେଇ ପାଣିପାଗ କେନ୍ଦ୍ରର ସତର୍କତା ପରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।

ଦିବ୍ୟାଙ୍ଗ ବାପାଙ୍କ ସାହାରା ସାଜିଛି କୁନି ଝିଅ; ପିତୃଦିବସରେ ଦେଖନ୍ତୁ ଏହି ନିଆରା ଦୃଶ୍ୟ…

ସମ୍ବଲପୁର: ବାପା ତୁମେ ଥକିବନି, ବାପା ତୁମେ ଅସହାୟ ହୋଇ ରହିବନି । ତୁମେ ଚାଲିପାରୁନଥିଲେ କଣ ହେଲା  । ମୁଁ ତୁମ ପାଦ ସାଜିବି, ହାତ ଧରି ବାଟ ଚାଲିବି । ଯେଉଁଠିକୁ ଚାହିଁବ ସେଇଠିକୁ ନେଇଯିବି । ନା ବାଧାଦେବ ଏ ୪୫ ଡିଗ୍ରୀର ଡହଡହ ଖରା ନା ମୋର କୁନି ବୟସ । ପିତୃଦିବସ ଅବସରରେ ସମ୍ବଲପୁର ସାକ୍ଷୀପଡା ଅଞ୍ଚଳରୁ ସାମ୍ନାକୁ ଆସିଛି ବାପା-ଝିଅଙ୍କ ଭଲପାଇବାର ଏମିତି ଏକ ନିଚ୍ଛକ ଦୃଶ୍ୟ।

୪୫ ଡିଗ୍ରୀର ଡହଡହ ଖରାକୁ ଖାତିର ନକରି ବାପାଙ୍କୁ ଟ୍ରାଇସାଇକେଲରେ ଆଗେଇନେଉଛି କୁନି ଝିଅ। ଦିବ୍ୟାଙ୍ଗ ବାପାଙ୍କ ସାହାରା ସାଜି ଏ ସ୍ଥାନରୁ ସେ ସ୍ଥାନକୁ ନେଇଯାଉଛି । ଦର୍ଶକବନ୍ଧୁ ସମ୍ବଲପୁର ଏବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଲଗାତାର ୪୫ଡିଗ୍ରୀ ଉପରେ ରହୁଛି ତାତି  । ଘରୁ ବାହାରିବାକୁ ବି ଡର ଲାଗୁଛି । ରାସ୍ତାଘାଟ ଖାଁ ଖାଁ ଥିବାବେଳେ ଅସହ୍ୟ ଖରାରେ ଝିଅଟି ବାପାଙ୍କୁ ଠେଲିଠେଲି ଆଗକୁ ନେଇଯାଉଛି । କାରଣ ସେ ଜାଣିଛି ଖରାର ଜ୍ବାଳାକୁ ଡରିଗଲେ ସଞ୍ଜକୁ ପେଟର ଜ୍ବାଳା ଡରାଇବ। ଖାସ ସେଇଥିପାଇଁ ମୁହଁରେ ଓଢଣାଟିଏ ଘୋଡ଼େଇ ହୋଇ ବାପାଙ୍କୁ ଆଗକୁ ନେଇଚାଲିଛି।

ନଦୀରେ ଭାସୁଛି କୁଢ଼କୁଢ଼ ମଲା ମାଛ, କେହି ବିଷ ପକାଇଥିବା ଆଶଙ୍କା

ଆନନ୍ଦପୁର: ନଦୀରେ ଭାସୁଛନ୍ତି କୁଢ଼କୁଢ଼ ମଲାମାଛ । ଛାଣି ନେଉଛନ୍ତି ଲୋକ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଜଳସୁଆ କୁଶେଇ ନଦୀରେ କୁଢ଼କୁଢ଼ ମଲାମାଛ ଭାସୁଛନ୍ତି । କେବଳ ମାଛ ନୁହଁ, କଇଁଛ, ଗେଣ୍ଡା, କୋଚିଆ ଭଳି ଜଳଜୀବ ମରି ଭାସୁଥିବା ଦେଖିବାକୁ ମିଳିଛି।

ଆଜି ଭୋରରୁ ଏହି ଖବର ପ୍ରଚାରିତ ହେବା ପରେ ମାଛ ନେବାକୁ ଲେକଙ୍କ ଭିଡ ଜମିଛି। ଗଣ୍ଡ ନିକଟରେ କେହି ଦୁର୍ବୃତ୍ତ ବିଷ ପକାଇ ଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ଅମୁମାନ କରିଛନ୍ତି। ଏନେଇ ପ୍ରଶାସନକୁ ଅବଗତ କରାଯିବା ପରେ ସ୍ଥାନୀୟ ଆରଆଇ ଘଟଣାସ୍ଥଳକୁ ଯାଇଛନ୍ତି। ବିଷ ପକା ଯାଇଥିବା ସନ୍ଦେହ କରାଯାଉଥିବାରୁ ମଲାମାଛ କେହି ନଖାଇବାକୁ ସରପଞ୍ଚ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଇଛନ୍ତି।

 

ବଡ଼ଭାଇକୁ ପିଟି ପିଟି ହତ୍ୟା କଲେ ବାପା ଓ ସାନ ଭାଇ, ପୂର୍ବରୁ ମା’କୁ ମାରିଦେଇଥିଲା ବଡ଼…

ବାଲେଶ୍ବର: ତିନି ବର୍ଷ ତଳେ ମାଆକୁ ହତ୍ୟା କରି ଫେରାର ହୋଇଯାଇଥିଲା ବଡ଼ଭାଇ । ଆଜି ବାପାକୁ ହତ୍ୟା ଉଦ୍ୟମ କରିବା ବେଳେ ବାପାଙ୍କୁ ବଞ୍ଚାଇବାକୁ ଯାଇ ବଡ଼ଭାଇକୁ ପିଟି ଗୁରୁତର କରିଦେଲା ସାନଭାଇ। ପରେ ଉଭୟ ବାପା ଓ ସାନଭାଇ ପିଟିପିଟି ବଡ଼ଭାଇକୁ ହତ୍ୟା କରିଛନ୍ତି । ବାଲେଶ୍ବର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ରାଇବଣିଆ ଗାଁରେ ଏହି ଘଟଣା ଘଟିଛି । ଉଭୟ ସାନପୁଅ ଓ ବାପା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ।

ତିନିବର୍ଷ ତଳେ ବଡ଼ପୁଅ ସୁଶାନ୍ତ ନିଶାସକ୍ତ ଅବସ୍ଥାରେ ନିଜ ମାଆକୁ ପିଟି ହତ୍ୟା କରି ଫେରାର ହୋଇଯାଇଥିଲା । ପୁଣି ଘରକୁ ଫେରି ବାପା ରଥ ମାର୍ଣ୍ଡିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିବାରୁ ସାନଭାଇ ପ୍ରଶାନ୍ତ ମାଡ଼ ମାରି ସୁଶାନ୍ତକୁ ଲହୁ ଲୁହାଣ କରିଦେଇଥିଲା । ପରେ ଉଭୟ ବାପା ରଥ ମାର୍ଣ୍ଡି ଓ ସାନଭାଇ ପ୍ରଶାନ୍ତ ମିଶି ସୁଶାନ୍ତକୁ ହତ୍ୟା କରିଛନ୍ତି । ରାଇବଣିଆ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ଫରେଷ୍ଟର ମାଥିଙ୍କ ପରିବାରକୁ ଦିଆଯିବ ୨୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା, ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ

ଶିମିଳିପାଳ: ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଫରେଷ୍ଟର ମାଥି ହାଁସଦାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯିବ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି । ଶିମିଳିପାଳର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ । ଶିକାରୀମାନଙ୍କୁ ଧରିବା ପାଇଁ ପୋଲିସ୍ ପ୍ରଶାସନ ତତ୍ପର ରହିଛି । ଆଗକୁ ତଦନ୍ତ ପରେ ସବୁ ସାମ୍ନାକୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଯଶୀପୁରସ୍ଥିତ ଖଇରୀ ନିବାସରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ଜରିଆରେ ବନ କର୍ମଚାରୀ ନିଯୁକ୍ତି ଦିଆଯିବ।

ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ, ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ନିଆଁ ବର୍ଷାରୁ ନିସ୍ତାର ନାହିଁ। ରାଜ୍ୟରେ ଆଜି ବି ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଦିନ ସାଢେ ଦୁଇଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ସମ୍ବଲପୁର। ସମ୍ବଲପୁରରରେ ୪୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୪୪.୨, ଭୁବନେଶ୍ବରରେ ୪୦, କେନ୍ଦୁଝରରେ ୩୯ , ଚାନ୍ଦବାଲିରେ ୩୬.୮ ଓ ବାଲେଶ୍ବରରେ ୩୪ ଡ଼ିଗ୍ରୀ ତାତି ରେକର୍ଡ ହୋଇଛି  ।

ଖରା ସହିତ ଆର୍ଦ୍ରତା ଅଧିକ କଲବଲ କରୁଛି  । ପୁରୀରେ ସର୍ବାଧିକ ୭୮ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଥିବାବେଳେ ପାରାଦୀପରେ ୭୭ ପ୍ରତିଶତ, ଗୋପାଳପୁରରେ ୭୫ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଛି  । ସେହିପରି ରାଜଧାନୀ ଭୁବନେଶ୍ବରରେ ୫୧ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଛି । ଗତକାଲି ତୁଳନାରେ ଆଜି ଭୁବନେଶ୍ବରରେ ୧୮ ପ୍ରତିଶତ ଅଧିକ ଆର୍ଦ୍ରତା ରେକର୍ଡ ହୋଇଛି ।

ପୁଣେର ଗଙ୍ଗାଧାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୋଦାମ

ଗଙ୍ଗାଧାମ: ପୁଣେ ଅନ୍ତର୍ଗତ ଗଙ୍ଗାଧାମରେ ଏକ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିବା ପରେ ଏହାକୁ ଆୟତ୍ତ କରିବା ଲାଗି ୨୨ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଥିଲା । ଅଗ୍ନିକାଣ୍ଡରେ ୨୦ରୁ ୨୫ଟି ଛୋଟବଡ ଗୋଦାମ ପାଉଁଶ ହୋଇଯାଇଛି ।

ସେପଟେ ମୁମ୍ବାଇ ନରିମାନ ପଏଣ୍ଟସ୍ଥିତ ଟ୍ରାଇଡେଣ୍ଟ ହୋଟେଲର ଶୀର୍ଷ ମହଲାରେ ଧୂଆଁ । ଅତ୍ୟୁଚ୍ଚ କୋଠାରେ ଶୀର୍ଷରେ ଧୂଆଁ ବାହାରିବା ପରେ ତତ୍ପର ହୋଇଥିଲା ଅଗ୍ନିଶମ ବିଭାଗ । ତେବେ ତାହା ଅଗ୍ନିକାଣ୍ଡରୁ ନୁହେଁ ବରଂ ହୋଟେଲର ବୟଲର ରୁମରୁ ଧୂଆଁ ବାହାରିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ପକ୍ଷରୁ ସାରା ହୋଟେଲରେ ଯାଞ୍ଚ କରାଯାଇଥିଲା ଏବଂ ପରେ ଏଥିରେ ନିଆଁ ଲାଗି ନଥିଲା ବୋଲି ସ୍ପଷ୍ଟ ହୋଇଥିଲା । ବୟଲରର ଟେକ୍ନିକାଲ ଫେଲଓ୍ବେର କାରଣରୁ ଏହା ଘଟିଥିବା ସୂଚନା ମିଳିଛି ।

ଅସ୍ତ୍ରବିରତିକୁ ଅରାଜି, ଏୟାରଷ୍ଟ୍ରାଇକରେ ୫ ଶିଶୁଙ୍କ ସମେତ ୧୭ ମୃତ

ଖୋର୍ତୋମ: ଅସ୍ତ୍ରବିରତିକୁ ଅରାଜି । ସୁଦାନରେ ବହିଲା ରକ୍ତ । ରାଜଧାନୀ ଖୋର୍ତୋମରେ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ୫ ଶିଶୁଙ୍କ ସମେତ ୧୭ ଜଣ। ଆକ୍ରମଣରେ ୨୫ରୁ ଅଧିକ ଘର ଧୂଳିସାତ୍ ହୋଇଛି । ଜନବହୁଳ ୟାରମୋକ ଜିଲ୍ଲାରେ ବି ଆକ୍ରମଣ ଘମାଘୋଟ ହୋଇଛି ।

ନିଜ ଜିଦରେ ସୁଦାନ ଆର୍ମି ଓ ଆରଏସଏଫ ଅଟଳ ଥିବାବେଳେ ନିରୀହ ଲୋକେ ହୋଇଛନ୍ତି ଶିକାର । ଗତ ଶନିବାର ଉଭୟ ପକ୍ଷ ମଧ୍ୟରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ଲାଗୁ କରାଯାଇଥିଲେ ମଧ୍ୟ ତାହାକୁ କେହି ମାନିନାହାନ୍ତି । ବର୍ତ୍ତମାନ ସୁଦ୍ଧା ସୁଦାନରେ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଥିବା ସୂଚନା ମିଳିଛି ।