spot_img
Home Blog Page 4264

ରଥଯାତ୍ରା: ୧୮୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସୁରକ୍ଷା ବଳୟରେ ରହିବ ପୁରୀ

ପୁରୀ: ଆସୁଛି ଶ୍ରୀଜିଉଙ୍କ ରଥଯାତ୍ରା । ଚଳଚଞ୍ଚଳ ରଥଖଳା । ତ୍ବରିତ ବେଗରେ ଚାଲିଛି ରଥକାମ । ସ୍ନାନଯାତ୍ରା ପରଠାରୁ ଅସୁସ୍ଥ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି । ଦେବ ବୈଦ୍ୟଙ୍କ ଔଷଧ ଲାଗି ପରେ ଜ୍ବର ଭଲ ହୋଇଛି । ଏପଟେ ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ପୁରୀରେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଏସପି କନଓ୍ବର ବିଶାଳ ସିଂ ।

ସେ କହିଛନ୍ତି, ‘ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବା କାମ ଚାଲିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି, ସେବାୟତ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ବୟ, ଭକ୍ତଙ୍କ ସୁରକ୍ଷା ଓ ସୁବିଧା, ଟ୍ରାଫିକ ନିୟନ୍ତ୍ରଣ, ଜନଗହଳି ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି।’

ଆଗକୁ ସେ କହିଛନ୍ତି, ‘ରଥଯାତ୍ରା ସମୟରେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଗ୍ରୀନ୍ କରିଡୋର ସୃଷ୍ଟି କରାଯିବ । ରଥଯାତ୍ରା ପୂର୍ବଦିନ ଜନଗହଳି ହେଲେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଏହାକୁ ନିୟନ୍ତ୍ରଣ କରାଯିବ । ଶ୍ରୀଗୁଣ୍ଡିଚା ଦିନ ପହଣ୍ଡିଠାରୁ ଆରମ୍ଭ କରି ରଥଟଣା ଓ ରଥ ଲାଗିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ବ୍ୟବସ୍ଥାକୁ ସୁରୁଖୁରୁରେ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଅଛି ।’

ରଥଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ସ୍ବତନ୍ତ୍ର ପ୍ଲାନ ହେବା ସହ ପାର୍କିଂ ସ୍ଥାନ ଗୁଡିକରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେଭଳି ଶୋଷଣର ଶିକାର ନହେବେ ଏଥିପ୍ରତି ଗୁରୁତ୍ବ ଦିଆଯିବ । ବିଶେଷ କରି ପୁରୀ ସହରବାସୀ, ବୟସ୍କ, ଗର୍ଭବତୀ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଥିବା ଏସପି କହିଛନ୍ତି ।

ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଉତ୍ତରା ଛକରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ପୁରୀ ରୁ ଅଟୋ ଯୋଗେ ଭୁବନେଶ୍ୱର କୁ ହେଉଥିଲା ଚୋରା ଚାଲାଣ। ଉତ୍ତରା ଛକ ନିକଟରେ ଏକ ଅଟୋ ଉପରେ ଅତର୍କିତ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଓ ଅଟୋ ଜବତ କରିଛି ପୁରୀ ଅବକାରୀ ବିଭାଗ  । ପ୍ରାୟ ୩୦୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି  ଏବଂ ଏହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି  ।

ଆଜି ସକାଳ ଭୋର୍ ୬ ଟା ସମୟରେ  ଜଣେ ବ୍ୟକ୍ତି ଏକ ଅଟୋ ଯୋଗେ ବିପୁଳ ପରିମାଣର ବ୍ରାଉନ ସୁଗାର ନେଇ ଆସୁଥିଲେ  । କୌଣସି ସୂତ୍ରରୁ ଖବର ପାଇ ପୁରୀ ଅବକାରୀ ବିଭାଗ ଉତ୍ତରା ଛକରେ ଅତର୍କିତ ଚଢାଉ କରିଥିଲା  । ଚଢାଉ ବେଳେ ଅଟୋ ରୁ ବ୍ରାଉନସୁଗାର ଜବତ ସହ ଜଣକୁ ଅଟକ ରଖାଯାଇଛି  । ଆନ୍ତଃରାଜ୍ୟ ଚୋରାଚାଲାଣକାରୀ ଖୋକନ ଦାସ ଗିରଫ ହୋଇଛି  । ଅନ୍ୟଜଣେ ଖସିଯିବା ରେ ସକ୍ଷମ ହୋଇଥିବା ସୂଚନା  ।

୧୬ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଲଗାତାର ଟ୍ୱିଷ୍ଟ ଦେଖିବାକୁ ମିଳୁଛି  । ଶିବସେନାଠୁ ଅଲଗା ହୋଇ ଏକନାଥ ସିନ୍ଦେ ସରକାରଙ୍କ ବିରୋଧରେ ଲଗାତାର ଶକ୍ତି ପ୍ରଦର୍ଶନ କରୁଛନ୍ତି  । ନୂଆ ଦଳ ଗଢ଼ି ସରକାର ଗଢିବାକୁ ଋଣନୀତି କରୁଛନ୍ତି । ଏପଟେ ସମସ୍ତ ପ୍ରକାର ସ୍ଥିତିର ମୁକାବିଲା କରିବା ପାଇଁ ଶିବସେନା ବିଦ୍ରୋହୀଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି  ।

ଆଜି ମଧ୍ୟାହ୍ନରେ ଶିବସେନା ଭବନରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା  । ଏହି ଅବସରରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ବଡ ବୟାନ ଦେଇଛନ୍ତି  । ସେ କହିଛନ୍ତି ବିଦ୍ରୋହୀ ବିଧାୟକଙ୍କ ମାମଲାରେ ସେ ଦଖଲ ଦେବେନି  । ସେମାନେ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ, କିନ୍ତୁ କେହି ବି ବାଲାସାହେବ ଠାକରେଙ୍କ ନାଁକୁ ବ୍ୟବହାର କରିପାରିବେ ନାହିଁ  ।

ଅବଶ୍ୟ ଶିବସେନା କାର୍ମକର୍ତ୍ତା ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ  । ଶିବସୈନିକମାନେ ଖାରଘରରେ ଦଳୀୟ କାର୍ଯ୍ୟାଳୟ ବାହାରେ ଏକନାଥ ସିନ୍ଦେଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି  । ଅନ୍ୟପକ୍ଷରେ ମୁମ୍ବାଇ ପୋଲିସ ଶହରରେ ୧୪୪ ଧାରା ଲାଗୁ କରିଛି  । ଡେପୁଟି ସ୍ପିକର ଏକନାଥ ସିନ୍ଦେ ଶିବିରର ୧୬ ବିଧାୟକଙ୍କୁ ସଦସ୍ନୋୟତା ରଦ୍ଦ ନୋଟିସ୍ ଜାରି କରିଛନ୍ତି  । ଏଥିସହିତ ଏହି ବିଧାୟକମାନଙ୍କୁ ସୋମବାର ସୁଦ୍ଧା ଲିଖିତ ଜବାବ ଦାଖଲ କରିବାକୁ କହିଛନ୍ତି  ।

ଘରକୁ ଫେରିଲା ରାହୁଲ: ଗାଁରେ ଭବ୍ୟ ସ୍ବାଗତ

ଚମ୍ପା: ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଗାଁକୁ ଫେରିଲା ବୋରଓ୍ବେଲ ବୟ ରାହୁଲ । ଗାଁରେ ରାହୁଲଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । କେବଳ ନିଜ ଗାଁ ପିହିରିଦ ନୁହେଁ ବିଳାସପୁରର ଆପୋଲ ହସ୍ପିଟାଲ ୧୦୦ କିମି ଦୂରତାରେ ପ୍ରତି ସ୍ଥାନରେ ରହୁଲଙ୍କୁ ଦିଆ ଯାଇଥିଲା ସ୍ବାଗତ । ଏହି ୧୦୦ କିମି ଦୂରତା ମଧ୍ୟରେ ୩ଟି ଜିଲ୍ଲା ତରଫରୁ ତାଙ୍କୁ ସ୍ବାଗତ କରାଯାଇଛି । ରାହୁଲ ନିଜ ଗାଁ ପିହିରିଦରେ ପହଞ୍ଚିବା ପରେ ଯେମିତି ଉତ୍ସବ ଆରମ୍ଭ ହୋଇଯାଇଥିଲା ।

ଗାଁ ଲୋକଙ୍କ ପକ୍ଷରୁ ରାହୁଲଙ୍କୁ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଗାଁ ଲୋକେ ମୃଦଙ୍ଗ, ଝାଞ୍ଜ ଓ ଖଞ୍ଜଣି ବଜାଇ ରାହୁଲଙ୍କୁ ପାଛୋଟି ନେଇଥିଲେ । ଏହାସହ ରାହୁଲଙ୍କୁ ଶୋଭାଯାତ୍ରାରେ ଗାଁ ବୁଲା ଯାଇଥିଲା । ଗାଁ ଲୋକେ ରାହୁଲଙ୍କୁ ଘୋଡା ଗାଡିରେ ବୁଲାଇ ଥିଲେ । ବାଣ ଫୁଟାଇ ରାହୁଲଙ୍କୁ ସ୍ବାଗତ କରିଥିଲେ ଗ୍ରାମବାସୀ । ଏପରିକି ବିଭିନ୍ନ ସ୍ଥାନରେ ଲୋକେ ଗାଡି ଅଟକାଇ ରାହୁଲଙ୍କ ଦୀର୍ଘ ଜୀବନ କାମନା କରିବା ସହ ତାଙ୍କୁ ଉପହାର ଦେଇଥିଲେ ।

ଏହା ପୂର୍ବରୁ ରହୁଲ ମେଡିକାଲରୁ ବାହାରିବା ବେଳେ ବିଳାସପୁର ହସ୍ପିଟାଲରେ ତାକୁ ଚିକିତ୍ସା କରୁଥିବା ଡାକ୍ତର ଓ ମେଡିକାଲ କର୍ମଚାରୀ ଗେଟ୍ ପର୍ଯ୍ୟନ୍ତ ବିଦାୟ ଦେବାକୁ ଆସିଥିବା ଦେଖିବାକୁ ମିଳିଥିଲା ।

ଦେଶର ସବୁଠାରୁ ବଡ଼ ଉଦ୍ଧାର ‘ଅପରେସନ ଜିନ୍ଦେଗୀ’

ସୂଚନାଯୋଗ୍ୟ, ଚମ୍ପା ପିହିରିଦ ଗାଁର ରାହୁଲ ପ୍ରାୟ ୮୦ ଗଭୀର ବୋରଓ୍ବେଲରେ ପଡି ଯାଇଥିଲେ । ଖବର ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ତାକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ଏହାପରେ ଓଡ଼ିଶାରୁ ଯାଇଥିବା ଏନଡିଆରଏଫ ଟିମ୍, ଏଫଡିଆରଏଫ ଓ ଭାରତୀୟ ସେନା ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଯାହାର ନାଁ ଦିଆଯାଇଥିଲା ‘ଅପରେସନ ଜିନ୍ଦେଗୀ’ । ଏହାପରେ ଆରମ୍ଭ ହୋଇଥିଲା ଦେଶର ସବୁଠାରୁ ବଡ଼ ଉଦ୍ଧାର କାର୍ଯ୍ୟ । ଦୀର୍ଘ ୫ ଦିନର କସରତ ପରେ ରାହୁଲଙ୍କୁ ବୋରଓ୍ବେଲରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

ପଥର ସାଜିଥିଲା ବାଧକ

ତେବେ ରାହୁଲଙ୍କୁ ଉଦ୍ଧାର କରିବା ଏତେ ସହଜ ନଥିଲା । ପ୍ରାୟ ୬୫ ଫୁଟର ଗାତ ଖୋଳାଯିବା ପରେ ଆରମ୍ଭ ହୋଇଥିଲା ସୁଡଙ୍ଗ କାମ । ରାହୁଲ ଓ ଉଦ୍ଧାରକାରୀ ଟିମଙ୍କ ପଥରୋଧ କରିଥିଲା ଏକ ବିରାଟ ପଥର । ରାହୁଲ ପଥର ସେପଟେ ବୋରଓ୍ବେଲରେ ଫସିଥିବା ବେଳେ ଏହାକୁ ପାର କରିବାକୁ ନାକେଦମ ହୋଇ ଯାଇଥିଲେ ଉଦ୍ଧାରକାରୀ ଟିମ୍ । ପ୍ରଥମେ ମେସିନ ସାହାଯ୍ୟରେ ଆରମ୍ଭ ହୋଇଥିଲା ପଥର କଟା । ରାହୁଲଠାରୁ ୪ ଫୁଟ୍ ଦୂରରେ ପହଞ୍ଚିବା ପରେ ମେସିନରେ ପଥର କଟା ବନ୍ଦ କରାଯାଇଥିଲା । କାରଣ ମେସିନ ବ୍ୟବହାର ରାହୁଲଙ୍କ ପ୍ରତି ବିପଦ ଆଣିବା ଆଶଙ୍କା ଥିଲା । ଏହାପରେ ହାତରେ ପଥର କଟା କାମ ଆରମ୍ଭ ହୋଇଥିଲା । ୪ ଫୁଟର ପଥରକୁ ଅତି ସତର୍କତାର ସହ କଟା ଯାଇଥିଲା । ଏଥିପାଇଁ ପ୍ରାୟ ୨ ଦିନ ସମୟ ଲାଗି ଯାଇଥିଲା । ଶେଷରେ ସୁରକ୍ଷିତ ଭାବେ ରାହୁଲଙ୍କୁ ବୋରଓ୍ବେଲରୁ ବାହାରକୁ ଆଣିବାକୁ ଉଦ୍ଧାରକାରୀ ଟିମ୍ ସକ୍ଷମ ହୋଇଥିଲେ ।

କ୍ୟାମେରା ରଖିଥିଲା ନଜର

ରାହୁଲ ବୋରଓ୍ବେଲରେ ଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଡାକ୍ତରୀଟିମ ତା’ ଉପରେ ପୂରା ନଜର ରଖିଥିଲେ । କ୍ୟାମେରା ସାହାଯ୍ୟରେ ରାହୁଲର ପ୍ରତିଟି ଗତିବିଧିକୁ ରେକର୍ଡ କରାଯାଉଥିଲା । ଏପରିକି ତା ପାଖକୁ କଦଳୀ ଓ ଜୁସ ଖାଇବାକୁ ପଠାଯାଉଥିଲା ।

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବିଏସପି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିଏସପି ଏନଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ । ବିଏସପି ସୁପ୍ରିମୋ ମାୟାବତୀ ଏହି ସୂଚନା ଦେଇଛନ୍ତି । ଦ୍ରୌପଦୀ ମୁର୍ମୁ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ବିଏସପି ତାଙ୍କୁ ସମର୍ଥନ ଦେବ । ଏଥିସହିତ ମାୟାବତୀ ବିରୋଧୀ ମେଣ୍ଟ ଉପରେ ବର୍ଷିଛନ୍ତି । ବିରୋଧୀ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ବିଏସପି ସହ ପରାମର୍ଶ କରି ନ ଥିଲେ ବୋଲି କହିଛନ୍ତି ମାୟାବତୀ ।

ମାୟାବତୀ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାଓ୍ବାର ବିଏସପିକୁ ପ୍ରାର୍ଥୀ ଚୟନ ପାଇଁ କରିଥିବା ବୈଠକକୁ ଡାକି ନ ଥିଲେ । ବିଏସପି ଏକମାତ୍ର ଜାତୀୟ ଦଳ, ଯାହାର ନେତୃତ୍ବ ଦଳିତଙ୍କ ପାଖରେ ରହିଛି । ଜାତିଆଣ ମାନସିକତା ରଖୁଥିବା ଲୋକେ ସବୁବେଳେ ବିଏସପିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମାୟାବତୀ ।

 

ଆସାମରେ ଭୟଙ୍କର ବନ୍ୟା, ଭୂସ୍ଖଳନ, ୨୪ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ

ଦିସପୁର: ଆସାମରେ ଜଳ ପ୍ରଳୟ । ଭୟଙ୍କର ବନ୍ୟା, ଭୂସ୍ଖଳନ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ଚାରିଆଡେ ପାଣି ଆଉ ପାଣି । ବନ୍ୟାପାଣି ଘେରରେ ରହିଛନ୍ତି ୪୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ । ଚଳିତବର୍ଷ ବନ୍ୟା ଓ ଭୂସ୍ଖଳନରେ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ବନ୍ୟା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଲଗାତାର ବର୍ଷା ଜାରି ରହିଥିବାରୁ ସ୍ଥିତି ସୁଧୁରିବା ନାଁ ଧରୁନି । ଅନେକ ଅଞ୍ଚଳରେ ଘରଗୁଡ଼ିକ ଛାତ ପର୍ଯ୍ୟନ୍ତ ବନ୍ୟାପାଣିରେ ବୁଡ଼ି ରହିଛି । ବନ୍ୟା ଯୋଗୁଁ ୨୮ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଅନେକ ଚାଷ ଜମି ଜଳମଗ୍ନ ହୋଇଛି । ବନ୍ୟାରେ ପୀଡିତ ଲୋକମାନେ ରାଜରାସ୍ତାରେ ଆଶ୍ରୟ ନେଇଛନ୍ତି ।

 

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଆମେରିକାରେ ଏବେ ସାମ୍ବିଧାନିକ ଅଧିକାର ନୁହେଁ ଗର୍ଭପାତ

ଓ୍ୱାଶିଂଟନ: ଗର୍ଭପାତ ଉପରେ ନିଷେଧାଦେଶକୁ ନେଇ ସାରା ଆମେରିକାରେ ଝଡ଼ । ଏଣିକି ବିଶ୍ୱର ନମ୍ବର ଓ୍ବାନ ରାଷ୍ଟ୍ରରେ ବେଆଇନ ହେଲା ଗର୍ଭପାତ । ୧୯୭୩ ଜାନେ ରୋ ବନାମ ହେନେରୀ ଓ୍ୱାଡେ ମାମଲାର ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଦୀର୍ଘଦିନର ଆଇନଗତ ଯୁଦ୍ଧ ପରେ ସୁପ୍ରିମକୋର୍ଟ ଦେଇଛନ୍ତି ରାୟ । ପ୍ରାୟ ୫୦ ବର୍ଷ ପରେ ଗର୍ଭପାତକୁ ନେଇ ରହିଥିବା ସାମ୍ବିଧାନିକ ଅଧିକାର ଉପରେ ଲାଗିଛି ରୋକ୍ । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ କାଳରୁ ଗର୍ଭପାତକୁ ଅଧିକାରରେ ପରିଣତ କରିବା ଦାବିରେ ଦେଶବ୍ୟାପୀ ଚାଲିଥିଲା ବିକ୍ଷୋଭ । ମାତ୍ର ଶେଷରେ ସୁପ୍ରିମକୋର୍ଟଙ୍କ ଏହି ରାୟ ସମସ୍ତଙ୍କୁ କରିଛି ନିରାଶ ।

ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା କ୍ଷଣି ବିଭିନ୍ନ ଷ୍ଟେଟରେ ବନ୍ଦ ହୋଇଛି ଗର୍ଭପାତ । ବଡ଼ କଥା ହେଉଛି ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏପରିକି ଏହି ଅଧିକାରକୁ ବଳବତ୍ତର ରଖିବା ଲାଗି ସଂଗ୍ରାମ କରିବେ ବୋଲି ସେ କହିଛନ୍ତି । ଦେଶ ଓ କୋର୍ଟ ଇତିହାସ ଲାଗି ଏହା ଏକ ଦୁଃଖଦ ଦିବସ ଏବଂ ଏହି ରାୟ ଚୂଡ଼ାନ୍ତ ନୁହେଁ । ସୁପ୍ରିମକୋର୍ଟଙ୍କ ଏହି ରାୟ ଆମେରିକାକୁ ୧୫୦ ବର୍ଷ ପଛକୁ ନେଇଛି ବୋଲି ସେ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟର କିଛି ଗୋପନ ତଥ୍ୟ ମାସେ ତଳେ ଲିକ୍ ହେବା ପରେ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିଲା । ସୁପ୍ରିମକୋର୍ଟ ରାୟ ଆସିବା ପରେ ଅନେକ ଷ୍ଟେଟରେ ଏହି ଆଇନ ଅବିଳମ୍ବେ କାର୍ଯ୍ୟକାରୀ କରାଯାଇଛି ।

୧୯୭୩ର ରାୟରେ ସୁପ୍ରିମକୋର୍ଟ କହିଥିଲେ- ନିଜ ଶରୀର ଉପରେ ମହିଳାଙ୍କ ନିଜର ଅଧିକାର ରହିଛି ଏବଂ ସେମାନେ ଇଚ୍ଛାନୁସାରେ ଗର୍ଭପାତ କରିପାରିବେ । ସୁପ୍ରିମକୋର୍ଟଙ୍କ ରାୟ ପରେ ଦେଶରେ ଆନ୍ଦୋଳନ ତୀବ୍ର ହେବା ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ଚାରିପାଖରେ ବ୍ୟାରିକେଡ ଲଗାଯାଇଛି । ବଡ଼କଥା ହେଉଛି ପୂର୍ବତନ ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତି ତିନି ବିଚାରପତି ଜଷ୍ଟିସ ନିଲ ଗୋର୍ସୁଚ, ଜଷ୍ଟିସ କାଭାନ ଓ ଜଷ୍ଟିସ ଆମି କୋନି ବାରେଟଙ୍କ ଦ୍ୱାରା ବହୁମତରେ ଏହି ରାୟ ଘୋଷିତ ହୋଇଛି ।

 

୨୨ ବର୍ଷରେ କେତେ ବଦଳିଛି ଓଡ଼ିଶା, ରୋମରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି କହିଲେ 5-T ସଚିବ

ରୋମ୍: ଓଡ଼ିଶା ମୋ ପରିବାର । ସାଢେ ୪ କୋଟି ଓଡ଼ିଆ ମୋ ପରିବାର ସଦସ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକଥା ଆଜି ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ରୂପାନ୍ତରକରଣ କେବଳ ସ୍କୁଲରେ ସୀମିତ ରହିନି। ରାଜ୍ୟବାସୀଙ୍କ ପ୍ରତିଟି ସମସ୍ୟାର ସମାଧାନ କରିବା ସହ, ସଂସ୍କାରମୂଳକ ଯୋଜନା ପ୍ରସ୍ତୁତ କରିବାରେ ଏହା ସହାୟକ ହୋଇଛି । ରୋମରେ ପ୍ରବାସୀ ଓଡ଼ିଆଙ୍କ ସାକ୍ଷାତ ବେଳେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଏ ସଂପର୍କରେ କହିଛନ୍ତି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ପ୍ରଥମେ ଏହି ସେକ୍ଟରରେ କାମ ଆରମ୍ଭ କରିଥିଲେ । ରାଜ୍ୟରେ ଉପକୂଳ ଜିଲ୍ଲା ଗୁଡ଼ିକରେ ବାତ୍ୟା ଆଶ୍ରୟ ସ୍ଥଳ, ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରିବା ପରେ, କ୍ଷୟକ୍ଷତି କମିଲା । ୨୦୦୦ ମସିହା ପରଠାରୁ ବାତ୍ୟା ଆସିଲେ, ସରକାର ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇଛନ୍ତି । ବିଜୁବାବୁ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ୫୦ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟର ୭୦ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମହିଳା ଅଛନ୍ତି ।

୧୯୯୭ରେ ରାଜ୍ୟ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । ହେଲେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ଏବେ ଓଡ଼ିଶା ଖାଦ୍ୟ ସୁରକ୍ଷାରେ ଦେଶରେ ତୃତୀୟ ସ୍ଥାନରେ ରହିଛି । ସେହିପରି ରାଜ୍ୟର ୪୫୦୦ ସରକାରୀ ହାଇସ୍କୁଲକୁ ରୂପାନ୍ତର ହୋଇଛି । ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଦିଆଯାଉଥିଲା । ଏବେ ସ୍ମାର୍ଟ ହେଲଥ କାର୍ଡରେ ଉତ୍ତମ ସ୍ବାସ୍ଥ୍ୟ ସେବା ଦିଆଯାଉଛି । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ମିଳୁଛି । ଏଭଳି ରୂପାନ୍ତରିକରଣ କାର୍ଯ୍ୟ ପାଇଁ ରାଜ୍ୟର ସାମୁହିକ ବିକାଶ ହୋଇପାରିଛି ବୋଲି ୫ଟି-ସଚିବ କହିଛନ୍ତି ।

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ମାସରେ ମାଟ୍ରିକ ରେଜଲ୍ଟ । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଚଳିତଥର ନୂଆ ପଦ୍ଧତିରେ ପରୀକ୍ଷା ହୋଇଛି । ଥ୍ରୀ-ଫେଜ୍ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ କରାଯିବ ବୋଲି ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ମେ ୭ରେ ସରିଥିଲା । ଦୁଇ ବର୍ଷ ପରେ ପୁଣି ଅଫଲାଇନ୍‌ ପରୀକ୍ଷା ହୋଇଥିବା ବେଳେ  ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ ହୋଇଥିଲେ । ମୂଲ୍ୟାଙ୍କନ ପ୍ରକ୍ରିୟା ମେ ୨୧ ରୁ ୫୮ଟି ମୂଲ୍ୟାଙ୍କନ କେନ୍ଦ୍ରରେ ଆରମ୍ଭ ହୋଇଥିଲା ।

 

ଡାକ୍ତରଖାନାରୁ ଡିସଚାର୍ଜ ହେଲା ରାହୁଲ, ସ୍ୱାଗତ କରିବାକୁ ଗାଁରେ ବ୍ୟାପକ ଆୟୋଜନ

ବିଳାସପୁର: ଡାକ୍ତରଖାନାରୁ ଡିସଚାର୍ଜ ହେଲା ରାହୁଲ । ଜାଞ୍ଜିଗିର୍ ଚାମ୍ପାର ପିହିରିଦ୍ ଗାଁରେ ଖେଳୁଥିବା ସମୟରେ ବୋରୱେଲରେ ଖସିପଡ଼ିଥିଲା ରାହୁଲ । ୫ ଦିନର ପରିଶ୍ରମ ପରେ ରାହୁଲଙ୍କୁ ବୋରଓ୍ୱେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଅସୁସ୍ଥ ରାହୁଲଙ୍କୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଳାସପୁର ଆପୋଲୋ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା । କିଛି ଦିନ ରାହୁଲର ଚିକିତ୍ସା ହେବା ପରେ ରାହୁଲର ସ୍ବାସ୍ଥ୍ୟାବସ୍ଥାରେ ଧିରେଧିରେ ଉନ୍ନତି ଆସୁଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ତେବେ ଆଜି ରାହୁଲଙ୍କୁ ବିଦାୟ ଦେବାକୁ ହସ୍ପିଟାଲର ଗେଟ୍ ପର୍ଯ୍ୟନ୍ତ ଆସିଥିଲେ ଡାକ୍ତର ଓ ମେଡିକାଲ କର୍ମଚାରୀ । ସେପଟେ ରାହୁଲଙ୍କୁ ସ୍ୱାଗତ କରିବାକୁ ତାଙ୍କ ଗାଁରେ ବ୍ୟାପକ ଆୟୋଜନ କରାଯାଇଛି ।