spot_img
Home Blog Page 4668

ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ଆନ୍ତର୍ଜାତିକ ବିମାନ ଚଳାଚଳ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ଆନ୍ତର୍ଜାତିକ ବିମାନ ଚଳାଚଳ । ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛି । ତେବେ ଏୟାର ବବଲ ଏଗ୍ରିମେଣ୍ଟ ଓ ବନ୍ଦେ ଭାରତ ମିଶନ ଯୋଜନାରେ ବିମାନ ସେବା ଜାରି ରହିବ ବୋଲି କୁହାଯାଇଛି । ପୂର୍ବ ବ୍ୟବସ୍ଥା ପରି କାର୍ଗୋ ଫ୍ଲାଇଟ ସେବା ଜାରି ରହିବ । ବିଶ୍ୱରେ ଓମିକ୍ରନ ସଂକ୍ରମଣ ଜାରି ରହିଥିବାବେଳେ ଦେଶକୁ ନିରାପଦ ରଖିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୋଭିଡ-୧୯ ପାଇଁ ଗତ ୨୦୨୦ ମାର୍ଚ୍ଚ ୨୩ରୁ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିଛି । ବିଭିନ୍ନ ଦେଶରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଏୟାର ବବଲ ଏଗ୍ରିମେଣ୍ଟ ଓ ବନ୍ଦେ ଭାରତ ମିଶନ ଯୋଜନା ଜାରି ରହିଛି ।

ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଲାଗି ସୁଯୋଗ ଦେଲାନି କେନ୍ଦ୍ର, ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର: ଜାନୁଆରୀ ୨୬ରେ ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରିବାର ସୁଯୋଗ ନମିଳିବା ଦୁଃଖର କଥା । ଏହାର ପ୍ରତିବାଦ ଉପଯୁକ୍ତ ଫୋରମରେ କରାଯିବ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ପ୍ରଜ୍ଞାପନ ମେଢ଼ ନେଇ ୫ଟି ପ୍ରସ୍ତାବ ଦିଆଯାଇଥିଲା । ୧୮୧୭ରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ, ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆଙ୍କ ଜୀବନୀ, ଓଡ଼ିଶାରେ ହକି ଭିତ୍ତିଭୂମି ଓ ଓଡ଼ିଶା କିପରି ହକି ବିକାଶ ପାଇଁ କାମ କରୁଛି ଏବଂ ଗତ ୨୦ ବର୍ଷରେ ଓଡ଼ିଶାରେ ହୋଇଥିବା ବ୍ୟାପକ ବିକାଶ । ବିଶେଷ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କିପରି ସଫଳତା ପାଇଛି । ସେନେଇ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

 Centre Denies To Add Odisha's Prangyapana Medha In Republic Day Parade

ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ । ତେବେ ତୃତୀୟ ରାଉଣ୍ଡରୁ କଟିଗଲା । କାହିଁକି କଟିଲା ସେନେଇ କାରଣ ବି ଜଣାଇଲେ ନାହିଁ କେନ୍ଦ୍ର ସରକାର । ଗୁଜରାଟର ପ୍ରଜ୍ଞାପନ ମେଢ଼କୁ ୫ ବର୍ଷ ହେଲାଣି ଗ୍ରହଣ କରୁଛନ୍ତି, ହେଲେ ଓଡ଼ିଶାର ଗୌରବ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମକୁ ମାନ୍ୟତା ଦେବାରେ ଅବହେଳା କରୁଛନ୍ତି । ଏବେ ପ୍ରଜ୍ଞାପନ ମେଢ଼କୁ ସୁଯୋଗ ନଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ଦେବାଳିଆରୁ ବଞ୍ଚିବା ଲାଗି ସୁନା ବିକୁଛି ଶ୍ରୀଲଙ୍କା, ଦେଲା ଭାରତର ଉଦାହରଣ

ନୂଆଦିଲ୍ଲୀ: ସୁନା ବିକୁଛି ଶ୍ରୀଲଙ୍କା । ନିଜକୁ ଦେବାଳିଆ ହେବାରୁ ବଞ୍ଚାଇବା ଲାଗି ଶ୍ରୀଲଙ୍କା ସୁନା ବିକ୍ରି କରୁଛି । ସୁନା ବିକ୍ରି କରି ଭୁଶୁଡ଼ି ପଡ଼ୁଥିବା ଅର୍ଥ ବ୍ୟବସ୍ଥାକୁ ଶ୍ରୀଲଙ୍କା ସାହାରା ଦେଉଛି । ଏନେଇ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ କହିଛି, ବିଦେଶୀ ମୁଦ୍ରା ଭଣ୍ଡାର ସରି ଆସୁଥିବାରୁ ସଂରକ୍ଷିତ ସୁନାର ଏକ ଅଂଶ ବିକ୍ରି କରାଯାଇଛି । ନିକଟରେ ଶ୍ରୀଲଙ୍କାର ପ୍ରମୁଖ ଅର୍ଥଶାସ୍ତ୍ରୀ ତଥା କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଡା. ଡବ୍ଲ୍ୟୁ ଏ ବିଜେବର୍ଦ୍ଧନ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କରେ ସଂରକ୍ଷିତ ସୁନା କମିଥିବା ସେ ଲେଖିଥିଲେ ।

କେନ୍ଦ୍ରୀୟ ବ୍ୟାଙ୍କର ସଂରକ୍ଷିତ ସୁନା ୩୮.୨ କୋଟି ଡଲାରରୁ ହ୍ରାସ ପାଇ ୧୭.୫ କୋଟି ଡଲାରରେ ପହଞ୍ଚିଥିବା ସେ ସୂଚନା ଦେଇଥିଲେ । ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ନିବାର୍ଡ କୈବ୍ରାଲ କହିଛନ୍ତି, ୨୦୨୦ ଡିସେମ୍ବରରେ ଶ୍ରୀଲଙ୍କା ବିଦେଶୀ ମୁଦ୍ରା ବୃଦ୍ଧି ଲାଗି ସୁନା ଭଣ୍ଡାରର ଏକ ଅଂଶ ବିକ୍ରି କରିଥିଲା । ଚୀନ୍ ମୁଦ୍ରା ସ୍ୱାପ୍ ପରେ ସଂରକ୍ଷିତ ସୁନା ପରିମାଣକୁ ବଢ଼ାଇ ଦିଆ ଯାଇଥିଲା ।

ଏଥିସହ ପଢ଼ନ୍ତୁ: ବୟକଟ୍ ଚୀନ୍ ନାରା ବିଫଳ, ବଜାରରେ ବଢ଼ୁଛି ଚୀନ୍ ସ୍ମାର୍ଟଫୋନର ଭାଉ

ତାଙ୍କ ଅନୁସାରେ, ବିଦେଶୀ ମୁଦ୍ରା କମିଲେ ସଂରକ୍ଷିତ ସୁନା କମାଇ ଦିଆଯାଏ । ଆଉ ବିଦେଶୀ ମୁଦ୍ରା ବଢ଼ିଲେ ସୁନା ଭଣ୍ଡାର ବଢ଼େ । ଯେତେବେଳେ ସଂରକ୍ଷଣ ସ୍ତର ୫ ଅରବ ଆମେରିକୀୟ ଡଲାରରୁ ଅଧିକ ହୋଇଯିବ ତ କେନ୍ଦ୍ରୀୟ ବ୍ୟାଙ୍କ ସୁନା ହୋଲ୍ଡିଂ ବଢ଼ାଇବା ନେଇ ବିଚାର କରିବ ।

ଡା. ଡବ୍ଲ୍ୟୁ ଏ ବିଜେବର୍ଦ୍ଧନ ଶ୍ରୀଲଙ୍କା ସ୍ଥିତିର ତୁଳନା ୧୯୯୧ର ଭାରତ ସହ କରିଛନ୍ତି । ସେ କହିଛନ୍ତି ଭାରତ ନିଜକୁ ଦେବାଳିଆରୁ ବଞ୍ଚାଇବା ଲାଗି ୧୯୯୧ରେ ସୁନାକୁ ବନ୍ଧକ ରଖିଥିଲା ।  ଏବେ ଶ୍ରୀଲଙ୍କାର ସ୍ଥିତି ୧୯୯୧ର ଭାରତ ଭଳି । ତେଣୁ ସୁନା ବିକ୍ରି କରାଯାଉଛି ।

ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା, ବୋଲିଂ କରିବ ଭାରତ

କେପଟାଉନ: ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେଉଛି ଦିନିକିଆ ସିରିଜ୍ । ଟେଷ୍ଟ ମ୍ୟାଚରେ ୨-୧ରେ ପରାଜୟ ପରେ ଦିନିକିଆରେ ବଦଲା ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଆଜି ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଦିନିକିଆରୁ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା । କିନ୍ତୁ ଆହତ କାରଣରୁ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଭାରତ ପକ୍ଷରୁ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର ଭେଙ୍କଟେଶ ଆୟର । ସେହପରି ଭାବରେ ଭାରତ ପକ୍ଷରୁ ଚତୁର୍ଥ ସ୍ଥାନରେ ଖେଳିବା ପାଇଁ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିଛି ।

ଟେଷ୍ଟ ସିରିଜରେ ୨-୧ରେ ପରାଜୟ ପରେ ଟେଷ୍ଟ ଦଳରୁ ଅଧିନାୟକ ପଦ ଛାଡିଥିଲେ ବିରାଟ କୋହଲି । ଏପରି ସ୍ଥିତିରେ ଏବେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ ରହିବ । ଅନ୍ୟପକ୍ଷରେ ୨୦୧୬ ମସିହା ପରେ ପ୍ରଥମ ଥର ପାଇଁ ବିନା ଅଧିନାୟକତ୍ୱରେ ଦିନିକିଆ ମ୍ୟାଚ ଖେଳିବେ ବିରାଟ । ସେହିପରି ଭାବରେ ଦୀର୍ଘ ପାଞ୍ଚ ବର୍ଷ ପରେ ଦିନିକିଆ ଦଳକୁ ଫେରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନୀ । ତେବେ ଆଜି ଖେଳାଯାଉଥିବା ପ୍ରଥମ ମ୍ୟାଚକୁ ବିଜୟ ଲାଭ କରି ଏହି ସିରିଜରେ ୧-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଭାରତ ଚୁଡାନ୍ତ ଏକାଦଶ:

କେଏଲ ରାହୁଲ (ଅଧିନାୟକ), ଶିଖର ଧାଓ୍ୱନ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଶାର୍ଦ୍ଦୁଳ ଠାକୁର, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ ଅଶ୍ୱିନୀ, ଜଶପ୍ରୀତ ବୁମ୍ରା ଓ ୟୁଜବେନ୍ଦ୍ର ଚହଲ

ବୟକଟ୍ ଚୀନ୍ ନାରା ବିଫଳ, ବଜାରରେ ବଢ଼ୁଛି ଚୀନ୍ ସ୍ମାର୍ଟଫୋନର ଭାଉ

ମୁମ୍ବାଇ: ଭାରତରେ ବିଫଳ ହୋଇଛି ବୟକଟ୍ ଚୀନ୍ ନାରା । ଚୀନ୍ ସାମଗ୍ରୀକୁ ବର୍ଜନ ଲାଗି ତମାମ୍ ଉଦ୍ୟମ ସତ୍ତ୍ୱେ ଭାରତୀୟ ବଜାରରେ ଚୀନ ସ୍ମାର୍ଟଫୋନର ଚାହିଦା ଅଧିକ ରହିଛି । ଖାଲି ଭାରତୀୟ ବଜାର ନୁହେଁ ବିଶ୍ୱ ବଜାରରେ ବି ଚୀନ୍ ସ୍ମାର୍ଟଫୋନର ଡିମାଣ୍ଡ ବଢ଼ୁଛି । ବିଗତ ୬ ବର୍ଷ ମଧ୍ୟରେ ଭାରତୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ସର ବଜାର ଅଂଶଧନ ୧ ପ୍ରତିଶତକୁ ଖସି ଆସିଛି । ଯେତେବେଳେ କି ଚୀନ୍ ବ୍ରାଣ୍ଡ୍ସର ବଜାର ମୂଲ୍ୟ ଶତକଡ଼ା ୯୯ ପ୍ରତିଶତ ଯାଏ ବୃଦ୍ଧି ପାଇଛି ।

୨୦୧୫ ମସିହାରେ ବଜାରରେ ଭାରତୀ ବ୍ରାଣ୍ଡ୍ସର ବଜାର ଅଂଶଧନ ପ୍ରାୟ ୬୮ ପ୍ରତିଶତ ରହିଥିଲା । ସେତେବେଳେ ଚୀନ ବ୍ରାଣ୍ଡ୍ସ ମାତ୍ର ୩୨ ପ୍ରତିଶତରେ ସୀମିତ ରହିଥିଲା । ଅର୍ଥାତ୍ ଚୀନ ଠାରୁ ଭାରତୀୟ ବ୍ରାଣ୍ଡ୍ସର ବଜାର ମୂଲ୍ୟ ୨ ଗୁଣ ଅଧିକ ଥିଲା । ଏବେ ଲାଭା ଓ ମାଇକ୍ରୋମ୍ୟାକ୍ସ ଭଳି ଭାରତୀୟ ନିର୍ମାତା ସହ ସାମସଙ୍ଗକୁ ମଧ୍ୟ କଡ଼ା ଟକ୍କର ଦେଉଛି ।

Smartphone Market In India Chinese Companies Dominate Indian Brands

ରିପୋର୍ଟ ଅନୁସାରେ, ବିଗତ କିଛିବର୍ଷ ମଧ୍ୟରେ ଭାରତୀୟ ବଜାରରେ ସାମସଙ୍ଗର ଅଂଶଧନ ୨୪ ପ୍ରତିଶତରୁ ୧୭ ପ୍ରତିଶତକୁ ଖସି ଆସିଛି । ଏହା ପୂର୍ବରୁ ଭାରତୀୟ ବଜାରରେ ସାମସଙ୍ଗର ଦବଦବା ଥିଲା । ଆଜିର ଦିନରେ ସାଆମି ତଳେ ରହିଛି ସାମସଙ୍ଗ । ଅନ୍ୟପଟେ ରିଅଲମି ଓ ୱାନ୍ ପ୍ଲସ୍ ଭଳି ବ୍ରାଣ୍ଡର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ବିଶ୍ୱ ବଜାରରେ ଏବେ ସାମସଙ୍ଗର ଅଂଶଧନ ମାତ୍ର ୨୦ ପ୍ରତିଶତ ରହିଛି ।

କମ୍ ମୂଲ୍ୟରେ, ଉତ୍କୃଷ୍ଟ ଫିଚର ଦେଇ ଚୀନ କମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି । କ୍ଷତି ହେଉଥିଲେ ମଧ୍ୟ ନିଜ ପ୍ରତିଯୋଗୀ କମ୍ପାନୀଙ୍କୁ ରେସରୁ ବାହାର କରିବା ପାଇଁ ଏଭଳି କରୁଛନ୍ତି ଚୀନ କମ୍ପାନୀ । ୨୦୨୦ ଆର୍ଥିକ ବର୍ଷରେ ଚୀନ କମ୍ପାନୀ ଅପୋ ପ୍ରାୟ ୨ ହଜାର କୋଟି ଟଙ୍କା କ୍ଷତି ସହିଥିବା ବେଳେ ଭିଭୋ ୩୦୦ କୋଟି ଟଙ୍କା ହରାଇଛି ।

Smartphone Market In India Chinese Companies Dominate Indian Brands

ବାସ୍ତବିକ ନିୟନ୍ତ୍ରଣ ସୀମାରେଖାରେ ଡ୍ରାଗନ ସହ ଭାରତୀୟ ସେନା ମଧ୍ୟରେ ସଂଘର୍ଷ ପରେ ଦେଶରେ ବୟକଟ୍ ଚୀନ ଆରମ୍ଭ ହୋଇଥିଲା । ତେବେ ଏହାର ପ୍ରଭାବ ଏହି ଚୀନ କମ୍ପାନୀଗୁଡ଼ିକ ଉପରେ ପଡ଼ିନାହିଁ । କମ୍ ମୂଲ୍ୟରେ ଅଧିକ ଫିଚର ଦେଇ ଚୀନ କମ୍ପାନୀ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି । ତା’ଛଡ଼ା ଚୀନ ବ୍ରାଣ୍ଡ୍ସକୁ ବୟକଟ୍ କଲେ ବ୍ୟବହାରକାରୀଙ୍କ ପାଖରେ ଅନ୍ୟ ବିକଳ୍ପ ମଧ୍ୟ ନାହିଁ ।

ଚଳନ୍ତା କାରରେ ଲାଗିଲା ନିଆଁ

କଟକ: ଜଳିଗଲା ଚଳନ୍ତା କାର୍‌ । କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ ଚଳନ୍ତା କାରରେ ଲାଗିଲା ନିଆଁ । ସଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ କାରରେ ନିଆଁ ଲାଗିଥିବାବେଳେ ଏଥିରେ କେହି ଆହତ ହୋଇନାହାନ୍ତି । କଟକ ଲିଙ୍କ ରୋଡ଼ ଓଭର ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା । ରାସ୍ତା ଉପରେ ଚଳନ୍ତା କାରରେ ନିଆଁ ଲାଗିଯିବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ଏହି ଘଟଣା ଘଟିଥିବାରୁ ରାସ୍ତା ଉପରେ ଶହ ଶହ ଗାଡ଼ି ଅଟକି ରହିଛି ।

ଗୋଆରେ AAPର ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଅମିତ ପାଲେକର, କେଜ୍ରିଓ୍ୱାଲ କଲେ ଘୋଷଣା

ପାନାଜୀ: ଗୋଆ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି । ପଞ୍ଜାବ ପରେ ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । ବରିଷ୍ଠ ଆଇନଜୀବୀ ଅମିତ ପାଲେକରଙ୍କୁ ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ । ଗୋଆ ବିଧାନସଭା ନିର୍ବାଚନର ସମସ୍ତ ୪୦ଟି ଆସନରେ ଲଢ଼ିବ ବୋଲି ଅରବିନ୍ଦ କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି । ଆସନ୍ତା ଫେବ୍ରୁଆରୀ ଗୋଆ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ଏବଂ ମାର୍ଚ୍ଚ ୧୦ ଫଳାଫଳ ଘୋଷଣା ହେବ ।

ସୂଚନା ଅନୁସାରେ ମଙ୍ଗଳବାର ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ । ପଞ୍ଜାବରେ ‘ଆମ୍ ଆଦମୀ ପାର୍ଟି’ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥିଲା । ପବ୍ଲିକ୍ ଭୋଟିଂ ଜରିଆରେ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ  ପ୍ରାର୍ଥୀ ଭାବରେ ଚୟନ କରିବାକୁ ନିଷ୍ପତ୍ତି ନେଇଥିଲେ ଅରବିନ୍ଦ୍ର କେଜ୍ରିଓ୍ୱାଲ । ପଞ୍ଜାବରେ ୨୦ ଫେବ୍ରୁଆରୀରେ ଭୋଟ ଗ୍ରହଣ ହେବ ଏବଂ ୧୦ ମାର୍ଚ୍ଚରେ ଫଳାଫଳ ପ୍ରକାଶ ପାଇବ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ତୃତୀୟ ଦିନରେ ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ

ଭୁବନେଶ୍ୱର: କମ୍ପୁଛି ଗାଁ, ସରଗରମ ହେଉଛି ରାଜନୀତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ପ୍ରକ୍ରିୟା । ଆଜି ତୃତୀୟ ଦିନରେ ନାମାଙ୍କନ ଭରୁଛନ୍ତି ଆଶାୟୀ ପ୍ରାର୍ଥୀ । ଗତକାଲି ଦ୍ୱିତୀୟ ଦିନରେ ରାଜ୍ୟରେ ମୋଟ ୧୩ ହଜାର ୩୫୬ ଜଣ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆଜି ପରେ ନାମାଙ୍କନ ଦାଖଲ କରିବାକୁ ହାତରେ ଆଉ ଦୁଇ ଦିନ ସମୟ । ଏଣୁ ଆଜି ଅଧିକ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାର ସମ୍ଭାବନା ରହିଛି । ସରପଞ୍ଚ, ସମିତିସଭ୍ୟ ଓ ଓ୍ୱାର୍ଡମେମ୍ବର ପାଇଁ ପ୍ରାର୍ଥୀ କଟକଣାରେ ଆସି ନାମାଙ୍କନ ଦାଖଲ କରୁଛନ୍ତି ।

ଅନ୍ୟପକ୍ଷରେ ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଆସନ ଲଢ଼ା ଯାଉଥିବାରୁ ଏହା ଉପରେ ସବୁ ଦଳଙ୍କ ନଜର ରହିଛି । ଉପଯୁକ୍ତ ପ୍ରାର୍ଥୀ ଦେବାକୁ ସବୁ ଦଳ କସରତ୍ କରୁଛନ୍ତି । ଏସବୁ ଭିତରେ ବିଜେଡି ଅନେକ ସ୍ଥାନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିରୋଧୀ ମଧ୍ୟ ପ୍ରସ୍ତୁତି ଚଲାଇଛନ୍ତି । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ କେବଳ ଜଣେ ପ୍ରସ୍ତାବକଙ୍କ ସହ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ଯାଇ ନାମାଙ୍କନ ଦାଖଲ କରୁଛନ୍ତି । ନାମାଙ୍କନ ଦାଖଲ ସମୟରେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରୁଛନ୍ତି ପ୍ରାର୍ଥୀ ।

ସାଇକେଲ ଛାଡି ପଦ୍ମ ଧରିଲେ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ

ଲକ୍ଷ୍ନୌ: ସାଇକେଲ ଛାଡି ପଦ୍ମ ଧରିଲେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ । ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇବୋହୂ ବିଧିବଦ୍ଧ ଭାବରେ ଆଜି ବିଜେପିରେ ମିଶିଛନ୍ତି । ଉତ୍ତରପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ ତାଙ୍କୁ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଇଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ମିଶ୍ରଣ ପର୍ବରେ ସ୍ୱତନ୍ତ୍ର ଦେବ ସିଂ ଓ କେଶବ ପ୍ରସାଦ ମୌର୍ଯ୍ୟ, ସମାଜବାଦୀ ପାର୍ଟି ଓ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଥିଲେ ।

ବିଜେପିରେ ଯୋଗ ଦେବା ପରେ ଅପର୍ଣ୍ଣା ଯାଦବ କହିଛନ୍ତି କି ମୁଁ ସବୁ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇଛି । ମୋ ପାଇଁ ଦେଶ ପ୍ରଥମେ । ମୁଁ ଏବେ ଦେଶର ସେବା କରିବାକୁ ଆସିଛି, ଯେଉଁଥି ପାଇଁ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି । ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନ, ମହିଳା ଓ ରୋଜଗାର ପାଇଁ ହୋଇଥିବା ସବୁ ଯୋଜନାର ପ୍ରଶଂସା କରିଥିଲେ ।

ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ। ସେ ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ । ୨୦୧୭ ବିଧାନସଭା ନିର୍ବାଚନ ଲକ୍ଷ୍ନୌର କ୍ୟାଣ୍ଟ ଆସନରୁ ଲଢ଼ିଥିଲେ ଅପର୍ଣ୍ଣା । କ୍ୟାଣ୍ଟ ଆସନରୁ ଲଢ଼ି ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କ ଠାରୁ ହାରିଥିଲେ । ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା।

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଦୀର୍ଘ ବିଚାରବିମର୍ଶ ପରେ ମଇଦାନରେ ପାଦ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମୋ । ପୂର୍ବରୁ ସେ ନିର୍ବାଚନ ଲଢିବେ ନାହିଁ ଏବଂ ରାଜ୍ୟର ସମସ୍ତ ଆସନକୁ ଯାଇ ନିର୍ବାଚନ ପ୍ରଚାର କରିବାକୁ ପ୍ରକାଶ କରିଥିଲେ । ବିଜେପି ପକ୍ଷରୁ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢୁଥିବାବେଳେ ଅଖିଳେଶ କେଉଁ ଆସନରୁ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବ ଉତ୍ତରପ୍ରଦେଶର ଏକ ଆସନରୁ ସେ ଲଢିବା ସମ୍ଭାବନା ଥିବାବେଳେ ଏକାଦିକ୍ରମେ ଦୁଇଟି ଆସନରୁ ସେ ଲଢିବେ ବୋଲି ଚର୍ଚ୍ଚା ଚାଲିଛି । ବିଜେପିର ଅନେକ ପଛୁଆ ବର୍ଗ ନେତା ଓ ବିଧାୟକ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବାବେଳେ ସେ ନିର୍ବାଚନ ଲଢିବା ଲାଗି ବିଭିନ୍ନ ମହଲରୁ ଚାପ ସୃଷ୍ଟି ହୋଇ ଆସୁଥିଲା ।

ଗତ ନଭେମ୍ବରରେ ନିର୍ବାଚନରେ ଲଢିବେ ନାହିଁ ବୋଲି କହିଥିଲେ ଅଖିଳେଶ ଯାଦବ । ୨୦୧୨ରେ ସମାଜବାଦୀ ପାର୍ଟି ବିପୁଳ ଆସନରେ ବିଜୟ ହେବା ପରେ ଅଖିଳେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ସେ କନୌଜ ଲୋକସଭା ଆସନରୁ ସାଂସଦ ଥିଲେ । ପରେ ସେ ବିଧାନସଭା ପରିଷଦରୁ ନିର୍ବାଚିତ ହୋଇ ମାତ୍ର ୩୮ ବର୍ଷ ବୟସରେ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ । କନୌଜ ଆସନରୁ ଇସ୍ତଫା ଦେବା ପରେ ସେଠାରୁ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ ତାଙ୍କ ସ୍ତ୍ରୀ ଡିମ୍ପଲ । ବର୍ତ୍ତମାନ ଆଜମଗଡ଼ରୁ ସାଂସଦ ଅଛନ୍ତି ଅଖିଳେଶ ଯାଦବ ।